ଅନ୍ଧକାରାଚ୍ଛନ୍ନ ହେଉ କି ହେଉ ଜୋଛନା ବିଜଡ଼ିତ, ରାତିର ଆକର୍ଷଣ ଅନନ୍ୟ। କିନ୍ତୁ ରାତି ବା ଜହ୍ନ ରାତି ସହିତ ଆଉ କ’ଣ ଭେଟ ହେଉଛି ଆଜିକାଲି? ବିଜୁଳି ଆଲୁଅରେ ଅନ୍ଧାର ଅଚେତ, ଜୋଛନା ଫିକା, ଉଭୟ ସହର ଓ ଗାଁରେ। ମୁହଁସଞ୍ଜ ବେଳର ସଞ୍ଜବତି ଅଥବା ଦିଗ୍ବଳୟ ଉହାଡ଼ରୁ ଜହ୍ନର ମଶାଲ ଅଧୁନା କବିତାର ଛନ୍ଦ ସିନା!
ନିଆଁର ଆବିଷ୍କାର ଯେ ସଭ୍ୟତାର ଉଷାକାଳ, ଏଥିରେ ଦ୍ୱନ୍ଦ୍ୱ ନାହିଁ। ପଥର ସହିତ ପଥରର ଘର୍ଷଣରୁ ହେଉ ବା ହେଉ ବନାଗ୍ନିରୁ, ମଣିଷ ଯେଉଁଦିନ ନିଆଁର ସନ୍ଧାନ ପାଇଲା ଏବଂ ତା’ର ବ୍ୟବହାର ଶିଖିଲା, ସେହି ଦିନଠାରୁ ମଣିଷଜାତିର ଜୀବନଯାପନ ଶୈଳୀରେ ଆସିଲା ଅଭୂତପୂର୍ବ ପରିବର୍ତ୍ତନ। ରନ୍ଧାବଢ଼ା ଠାରୁ ଚାଷବାସ, ଯନ୍ତ୍ରପାତି ପୁଣି କଳକାରଖାନା ପର୍ଯ୍ୟନ୍ତ ସବୁରି ପଛରେ ନିଆଁର ଅବଦାନ ନିଆରା। ନିଆଁ ଉଭୟ ଉତ୍ତାପ ଓ ଆଲୋକର ଉତ୍ସ ଏବଂ ଉତ୍ତାପ ଓ ଆଲୋକ ହିଁ ଆଦିମତାରୁ ସଭ୍ୟତା ଆଡ଼କୁ ମାନବ ସମାଜର ଜୟଯାତ୍ରାର ପଥପ୍ରଦର୍ଶକ। ଉତ୍ତାପ ବିନା ଜଗତ ନାହିଁ କି ଜୀବନ ନାହିଁ। ସେଥିପାଇଁ ବୋଧହୁଏ ଭାରତର ମୁନୀଋଷିମାନେ ନିଆଁକୁ ଦେବତାର ଆସନ ଦେଇଥିଲେ, ଉଷ୍ମତାର ପ୍ରତୀକ ସୂର୍ଯ୍ୟ ଓ ବିମଳ ଆଲୋକର ଝର ଚନ୍ଦ୍ରଙ୍କୁ ଉପାସନା କରୁଥିଲେ।
ଆଦିମ ମଣିଷ ପ୍ରଥମେ ତା’ ପରିବେଶକୁ ଚିହ୍ନିବା ପାଇଁ ପ୍ରୟାସ କଲା। ଆକାଶ, ବତାସ ଓ ଜଳର ରହସ୍ୟ ଭେଦ କରିବାକୁ ଅଥୟ ହେଲା। ମଣିଷର ଏହି ଜିଜ୍ଞାସା ଅନ୍ୱେଷାକୁ ଜନ୍ମ ଦେଲା। ଅନ୍ୱେଷା ଜ୍ଞାନବିଜ୍ଞାନର ଦିଗନ୍ତ ଉନ୍ମୋଚନ କଲା। ଜୀବାଶ୍ମ ଇନ୍ଧନରୁ ଜଳବିଦ୍ୟୁତ୍- ମଣିଷର ଏହି ଗତି ପ୍ରଗତିର ପରିଭାଷା ପ୍ରସ୍ତୁତ କଲା। ଅଧୁନା ବିଦ୍ୟୁତ୍ର ଆଶୀର୍ବାଦରୁ ଦିନ ପରି ରାତି ଝଲସୁଛି। ଆଧୁନିକ ମଣିଷ ଜୀବନର ପ୍ରତି ପାହାଚରେ ବିଦ୍ୟୁତ୍ର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। କିନ୍ତୁ ବିଦ୍ୟୁତ୍ର ବିପୁଳ ପ୍ରୟୋଗ ପାରଂପରିକ ଶକ୍ତି ଉତ୍ସକୁ ନିଃଶେଷ କରିଦେବାକୁ ବସିଲାଣି। ଖଣିଜ ସଂପଦ ସରି ସରି ଆସୁଛି। ନଦୀମାନେ କୃଶ। ସ୍ୱଳ୍ପବୃଷ୍ଟି ଓ ଅନାବୃଷ୍ଟି ନଦନଦୀର ସ୍ଥିତି ଉପରେ ପ୍ରଶ୍ନବାଚୀ ଠିଆ କରିଛି। ଅକ୍ଷୟ ଶକ୍ତିର ଆଧାର ସୌରାଂଶୁ ଏ ଯାବତ୍ ବିଦ୍ୟୁତ୍ର ବିକଳ୍ପ ହୋଇପାରିନାହିଁ।
କେବଳ ଉପଯୋଗ ପାଇଁ ନୁହେଁ, ଉପଭୋଗ ପାଇଁ ଆଲୋକ ବିଶ୍ୱଜୀବନର ସାଧନ ସାଜିଛି। ବିଜ୍ଞାନର ଅଗ୍ରଗତି, ଦିନ ଓ ରାତି ଯାହା ପ୍ରାକୃତିକ ନିୟମ ଅନ୍ତର୍ଭୁକ୍ତ, ତାକୁ ଅସ୍ୱୀକାର କରିଛି। ଉଜ୍ଜ୍ୱଳ ଆଲୋକ ପରିବେଶର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛି। କେତେକ ପ୍ରଜାତିର ଜୀବଜନ୍ତୁଙ୍କ ଜୀବନଯାତ୍ରା ପାଇଁ ଅନ୍ଧାର ଓ ମୃଦୁ ଆଲୋକ ଅନୁକୂଳ। ରାତ୍ରକାଳରେ ଆଲୋକର ପ୍ରାଚୁର୍ଯ୍ୟ ସେମାନଙ୍କ ଜୀବନର ସ୍ୱାଚ୍ଛନ୍ଦ୍ୟକୁ ବ୍ୟାହତ କରୁଛି। ରାତ୍ରିଚର ପକ୍ଷୀକୁଳଙ୍କ ପାଇଁ ଆଲୋକ ଅନ୍ଧତ୍ୱର ହେତୁ ପାଲଟିଛି। ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ଅନେକ ପକ୍ଷୀ ଧକ୍କା ଖାଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଆଲୋକ ଯୋଗୁଁ ପୁଣି କେତେକ ବର୍ଗର ଦ୍ରୁମଦଳ, ଗୁଳ୍ମ ଓ ଲତାଙ୍କ ଜୀବନ ମଧ୍ୟ ଦୁର୍ବିଷହ ହୋଇପଡୁଛି। ଔଜ୍ଜ୍ବଲ୍ୟ ସେମାନଙ୍କ ଅସ୍ତିତ୍ୱର ପରିପନ୍ଥୀ। ଜୀବ ଓ ଉଦ୍ଭିଦ ଜଗତରେ ବିଜ୍ଞାନୀ ମଣିଷର ଅବାଞ୍ଛିତ ହସ୍ତକ୍ଷେପ ସ୍ପୃହଣୀୟ କି?
କେବଳ ମଣିଷର ନୁହେଁ, ପ୍ରକୃତି ଚରାଚରର ଧାତ୍ରୀ। ଜୀବନଯାପନର ଅସନ୍ତୁଳନ ପ୍ରକୃତିର କ୍ରୋଧକୁ ବିସ୍ଫୋରିତ କରୁଛି। ପାଣିପାଗର ଅନିଶ୍ଚିତତା, ଋତୁଚକ୍ରର ଅନିୟମିତତା ଓ ଉତ୍ତାପ ବୃଦ୍ଧି ପ୍ରକୃତିର କୋପର ପ୍ରତିଫଳନ ନୁହେଁ କି? ମଣିଷର ଆମୋଦପ୍ରମୋଦ, ଲୋଭଲାଭ ଓ ଭୋଗବିଳାସ ପାଇଁ କ’ଣ ପ୍ରକୃତିର ବିପୁଳତା ଉଦ୍ଦିଷ୍ଟ?
ମଣିଷ ଜୀବନ ପାଇଁ ମଧ୍ୟ ଅନ୍ଧାରର ଆବଶ୍ୟକତା ଅନସ୍ୱୀକାର୍ଯ୍ୟ। ବିଜ୍ଞାନ କହେ, ନିଦ୍ରାର କାରକ ଏକ ହର୍ମୋନ୍। ସେହି ହର୍ମୋନ୍ କ୍ଷରିତ ହେଲେ ମଣିଷ ସୁଖରେ ନିଦ୍ରାଯାଏ। ହର୍ମୋନ୍ଟିର ବୈଜ୍ଞାନିକ ନାମ ‘ମେଲାଟୋନିନ୍’। ଉଜ୍ଜ୍ୱଳ ଆଲୋକରେ ତା’ର କ୍ଷରଣ ହ୍ରାସ ପାଏ। ଫଳରେ ମଣିଷ ବିନିଦ୍ର ରଜନୀ ଯାପନ କରେ। ଅନିଦ୍ରା ଠାରୁ ବଡ଼ ବ୍ୟାଧି କ’ଣ ଆଉ ଅଛି? ନିଦ ନ ହେଲେ ମଣିଷର ମନ ନାନା ଦୁଶ୍ଚିନ୍ତାର ଗନ୍ତାଘର ପାଲଟିଯାଏ। ମାନସିକ ବ୍ୟାଧିର ଦ୍ୱାର ଉନ୍ମୁକ୍ତ କରେ ନିଦ୍ରାହୀନତା। ମଣିଷର ତନୁକ୍ଷୟର ମଧ୍ୟ କାରଣ ପାଲଟେ। ଅଶାନ୍ତି ମଣିଷକୁ ଗ୍ରାସ କରେ। ସୁଖ ତା’ ପାଇଁ ଅପହଞ୍ଚ ହୁଏ। “ଅଶାନ୍ତସ୍ୟ କୁତଃ ସୁଖମ୍?” ସେଥିପାଇଁ ସିନା ଆଧୁନିକ ମଣିଷର ସବୁ ଥାଇ ମଧ୍ୟ ସେ ନିଃସ୍ୱ।
ଅନ୍ଧାରର ଅନ୍ୟ ଏକ ଗୂଢ଼ ଦିଗ ମଧ୍ୟ ରହିଛି। ଅନ୍ଧାର ହିଁ ସୃଜନଶୀଳତାର ଆଧାର। ମଣିଷର ଭାବ ଓ ଭାବନାକୁ ଗହନ କରେ ଅନ୍ଧାର। ମାନସମନ୍ଥନ ପାଇଁ ଅନନ୍ୟ ଅବସର ପ୍ରଦାନ କରେ ଅନ୍ଧାର। ନୂଆ ଚିନ୍ତା ମଧ୍ୟ ଉଖୁରାଏ ଅନ୍ଧାର। ପ୍ରଚୁର ଆଲୋକର ପ୍ଳାବନ ଭିତରେ କ’ଣ କିଛି ଭାବି ହୁଏ? କବି ମାନସକୁ ଶବ୍ଦମାନେ ଓହ୍ଲାଇ ଆସନ୍ତି ଅନ୍ଧାରରେ। ପ୍ରସ୍ତ ପ୍ରସ୍ତ ଅନ୍ଧାର ‘ଦର୍ଶନ’କୁ ଦିଗ୍ଦର୍ଶନ ଦିଏ। ବିଜ୍ଞାନୀ ମନ ଘନ ଅନ୍ଧାରରେ ଖୋଜୁଥାଏ ନୂଆ ସୂତ୍ର, ନବୀନ ସିଦ୍ଧାନ୍ତ। ଉଦ୍ଭାସ କେବଳ ନୁହେଁ, ତମିସ୍ରା ମଧ୍ୟ ସଭ୍ୟତାକୁ ଗତିଶୀଳ କରିଆସିଛି ଅନାଦିକାଳରୁ।
ଆଧ୍ୟାତ୍ମିକ ଅନୁଭବର ମାର୍ଗ ମଧ୍ୟ ଅନ୍ଧାର। ଆଲୋକ ‘ଦୃଷ୍ଟି’କୁ ପ୍ରସାରିତ କରେ, ଅନ୍ଧାର ଅନ୍ତର୍ଦୃଷ୍ଟିକୁ କରେ ଗଭୀର। ଅନ୍ତର୍ଦୃଷ୍ଟି ବିନା ଦୃଷ୍ଟି ଏକ ବାହ୍ୟଭୂଷଣ ନୁହେଁ କି? ଦୃଷ୍ଟି ସୀମିତ, ଅନ୍ତର୍ଦୃଷ୍ଟି ଅସୀମ। କହାଯାଏ, ଧ୍ୟାନ ବଳରେ ଯୋଗୀମାନେ ଅଦୃଷ୍ଟକୁ ଦେଖିପାରନ୍ତି। ଧ୍ୟାନର ପହିଲି ପାହାଚ ଆଖି ବନ୍ଦ କରିବା। ଆଉ ଆଖି ବନ୍ଦ କରିବାର ଅର୍ଥ ତ ଅନ୍ଧାର।
ଭାରତୀୟ ମୁନିମନୀଷାର ମହାମନ୍ତ୍ର ‘ତମସୋ ମାଂ ଜ୍ୟୋତିର୍ଗମୟଃ’ର ଅର୍ଥ କ’ଣ ଅନ୍ଧାରରୁ ଆଲୋକକୁ ଯିବା? ଏହା କ’ଣ ଏକ ସ୍ଥୂଳ ବିଚାର? ଏହାର ଅନ୍ତରାଳରେ ରହିଛି ବରଂ ଏକ ସୂକ୍ଷ୍ମ ଦର୍ଶନ- ଅଳିକ ସୁଖରୁ ନିତ୍ୟାନନ୍ଦ ଆଡ଼କୁ ଉନ୍ମୁଖ ହେବା। ଏଠାରେ ‘ତମସା’ ଓ ‘ଜ୍ୟୋତି’ର ପ୍ରୟୋଗ ପ୍ରତୀକାତ୍ମକ ମାତ୍ର। ଭାରତୀୟ ଦର୍ଶନରେ ଅନ୍ଧାରକୁ କେବେ କେଉଁଠି ନ୍ୟୂନ କରି ଦେଖାଯାଇନାହିଁ।
କୃତ୍ରିମ ଆଲୋକାତିଶଯ୍ୟରେ ପୀଡ଼ିତା ପ୍ରକୃତିର ଆତ୍ମାର ଅଭିବ୍ୟକ୍ତି ଅବା କବି ସଚ୍ଚି ରାଉତରାୟଙ୍କ ପଙ୍କ୍ତିରେ ପ୍ରତିଫଳିତ: “ଆଲୋକ ତା’ର କି ମନୋହର, ଅନ୍ଧକାର ତା’ଠାରୁ ଭଲ।”
ମୋ: ୯୪୩୭୧୪୩୮୯୬
ବହୁବଚନ: ଅନ୍ଧକାର ତା’ଠାରୁ ଭଲ
ବିଜୟ ନାୟକ