ଚିନ୍ମୟ ଚେତନା: ଜୋତା ଷ୍ଟାଣ୍ଡ୍ ଅନୁଚିନ୍ତା

ଚିନ୍ମୟ ହୋତା

‘ରଥଯାତ୍ରାରେ ବଢ଼ିବ ଜୋତା ଓ ଗାଡ଼ି ପାର୍କିଙ୍ଗ ଫି’ ଶୀର୍ଷକ ସମ୍ବାଦଟି ରଥଯାତ୍ରାର ବହୁତ ପୂର୍ବରୁ ଯାତ୍ରୀମାନଙ୍କୁ ସତର୍କ କରିଦେଲାଣି। କେବଳ ଜୋତା ଓ ଗାଡ଼ି ନୁହେଁ, ଆପଣଙ୍କ ସାଙ୍ଗରେ ଥିବା ମୋବାଇଲ୍, ହେଲ୍‌ମେଟ୍‌ ଓ ହାତ ବ୍ୟାଗ୍ ଇତ୍ୟାଦିକୁ ସୁରକ୍ଷିତ ରଖିବା ପାଇଁ ଏଥର ଅଧିକ ଭଡ଼ା ଦେବାକୁ ପଡ଼ିବ। ଭଗବାନଙ୍କୁ ଦର୍ଶନ କରିବାର ପଥଟି କେବେ ବି ସହଜ ଓ ମସୃଣ ନୁହେଁ, ଏ କଥା ପ୍ରତ୍ୟେକ ଭକ୍ତକୁ ଊଣାଅଧିକେ ଜଣା। ତେଣୁ ଭକ୍ତ ହୁଏତ ଏହି ବର୍ଦ୍ଧିଷ୍ଣୁ ଆର୍ଥିକ ଚାପକୁ ବିନା ପ୍ରତିବାଦରେ ଗ୍ରହଣ କରିପାରେ, ହେଲେ ମନ୍ଦିରରେ ଜୋତା ସୁରକ୍ଷା ସହିତ କେବଳ ଆର୍ଥିକ ଦିଗଟି ବ୍ୟତୀତ ଅନେକ ଦିଗ ଜଡ଼ିତ, ଯାହା ଆଲୋଚନା କରିବା ଏହି ଆଲେଖ୍ୟଟିର ଉଦ୍ଦେଶ୍ୟ।
ଦେବାଳୟ ଭିତରେ ପାଦୁକା ନିଷେଧ: ଏହି କଥାଟି ସର୍ବଜନବିଦିତ। କେବଳ ହିନ୍ଦୁ ଧର୍ମ କାହିଁକି, ଇଉରୋପ ଓ ଆମେରିକା ମହାଦେଶର କିଛି ଚର୍ଚ୍ଚକୁ ଛାଡ଼ିଦେଲେ ବାକି ସବୁ ଆଡ଼େ ଉପାସନା ପୀଠରେ ଜୋତା ପ୍ରବେଶ ନିଷେଧ। ଠାକୁରଙ୍କ ପାଖକୁ ଗଲାବେଳେ ଆପଣ ଜୋତାରେ ଲାଗି ଥିବା ଧୂଳି, କାଦୁଅ, ଜୀବାଣୁ କେମିତି ସାଙ୍ଗରେ ନେଇଯିବେ କହିଲେ? ଏହା ହିଁ ମନ୍ଦିରରେ ଜୋତା ବାରଣ ପଛର କାରଣ। କିନ୍ତୁ ହିନ୍ଦୁ ଧର୍ମରେ ଏହି ନିଷେଧାଜ୍ଞା ପଛରେ ରହିଛି ମଧ୍ୟ ଗୋଟିଏ ବିଶ୍ୱାସ ଯେ ଜୋତା ଏକ ଚର୍ମ ନିର୍ମିତ ବସ୍ତୁ, ଯଦିଓ ଆଜିର ଦିନରେ ଜୋତା ଚମଡ଼ା ଅପେକ୍ଷା ଅନ୍ୟାନ୍ୟ ଉପାଦାନରେ ପ୍ରସ୍ତୁତ ହେବାର ସମ୍ଭାବନା ଅଧିକ। ଏହି ‘ଅପବିତ୍ର ଚର୍ମରୁ ଉତ୍ପତ୍ତି’ ଧାରଣା ଯୋଗୁଁ କେତେ ମନ୍ଦିରରେ ବେଲ୍‌ଟ ଓ ପର୍ସ ପ୍ରବେଶରେ ମଧ୍ୟ ରୋକ ଲଗାଯାଇଛି, କିନ୍ତୁ ବୁଝିବାକୁ କଷ୍ଟ ଲାଗେ ମନ୍ଦିର ଭିତରକୁ ଯେତେବେଳେ ଚର୍ମ ନିର୍ମିତ ଢୋଲ, ଖୋଳ ଇତ୍ୟାଦି ଯାଇ ପାରୁଛି, ତେବେ ବେଲ୍‌ଟ ଓ ପର୍ସକୁ ବାରଣ କାହିଁକି?
ସବୁ ମନ୍ଦିରରେ ଜୋତା ରଖିବାର ବ୍ୟବସ୍ଥା ନ ଥାଏ, ତେଣୁ ଅନେକ କ୍ଷେତ୍ରରେ ମନ୍ଦିର ପ୍ରବେଶ ପଥରେ ଜୋତାଗୁଡ଼ିକ ଇତସ୍ତତଃ ପଡ଼ିରହି ଏକ ଲଢ଼େଇ ପରର ଯୁଦ୍ଧ କ୍ଷେତ୍ରର ଭ୍ରମ ସୃଷ୍ଟି କରନ୍ତି। ନିଜର ପ୍ରିୟ ପାଦୁକାକୁ ଏମିତି ଅସୁରକ୍ଷିତ ଅବସ୍ଥାରେ ଛାଡ଼ିଦେଇ ଆସିଥିବାରୁ କେତେକ ଶ୍ରଦ୍ଧାଳୁ ଈଶ୍ୱରଙ୍କ ଠାରେ ସମ୍ପୂର୍ଣ୍ଣ ମନ ଲଗାଇ ନ ପାରି ତରବରିଆ ବାହାରକୁ ଫେରି ଆସନ୍ତି ଓ ନିଜର ସମ୍ପଦକୁ ଅକ୍ଷତ ଅବସ୍ଥାରେ ପାଇ ଖୁସିରେ ଘରକୁ ଫେରନ୍ତି। ଏମିତି ଭକ୍ତମାନଙ୍କର ଦେବ ଦର୍ଶନ ସମ୍ପୂର୍ଣ୍ଣ ହୁଏ ଜୋତାକୈନ୍ଦ୍ରିକ ତନ୍ମୟତା ଭିତରେ: ମନ୍ଦିର ପ୍ରବେଶ ବେଳେ ଭଗବାନଙ୍କୁ ଜୋତା ସୁରକ୍ଷା ପାଇଁ ପ୍ରାର୍ଥନା କରିବାରେ, ମନ୍ଦିର ଭିତରେ ଜୋତାକୁ ସ୍ମରଣ କରିବାରେ ଓ ଫେରିବା ସମୟରେ ଭକ୍ତର ଅଳି ରଖିଥିବାରୁ ଈଶ୍ୱରଙ୍କୁ କୃତଜ୍ଞତା ଜଣାଇବାରେ।
ଜୋତା ଷ୍ଟାଣ୍ଡ୍ ନ ଥିବା ମନ୍ଦିର ସାମନାରେ କିଛି ଭକ୍ତ, ସେଠାକାର ଦୋକାନମାନଙ୍କରେ କିମ୍ବା ଧାଡ଼ି ବାନ୍ଧି ବସିଥିବା ଭିକାରିମାନଙ୍କ ହିଫାଜତରେ ଜୋତା ରଖୁଥିବା ମଧ୍ୟ ଦେଖାଯାଏ। କିଛି ପୂଜା ସାମଗ୍ରୀ ଦୋକାନୀ ନଡ଼ିଆ ଓ ଫୁଲ କିଣିଲେ ବିନା ମୂଲ୍ୟରେ ଜୋତା ସୁରକ୍ଷାର ସେବା ପ୍ରଦାନ କରିଥାନ୍ତି। ଏହି ବୁଝାମଣାଗୁଡ଼ିକ ବାସ୍ତବିକ ସବୁ ପକ୍ଷକୁ ସୁହାଇଲା ଭଳି ହୋଇଥାଏ।
କୁହାଯାଏ ଯେ ଭାରତ ‘ଯୁଗାଡ଼’ ପ୍ରଯୁକ୍ତି ବିଦ୍ୟାର ଦେଶ। ବୁଦ୍ଧି ଲଗାଇ କଠିନ କାମକୁ ସହଜ କରିନେବା ଏହି ‘ଯୁଗାଡ଼’ କାରିଗରିର ମୂଳ ମନ୍ତ୍ର। ଜୋତା ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଏହି ସାର୍ଥକ କଳାର ପ୍ରୟୋଗ ହୋଇଥାଏ। ଜୋତା ଷ୍ଟାଣ୍ଡ୍ ନ ଥିବା ଏକ ମନ୍ଦିର ଆଗରେ ଜଣେ ସାବଧାନ ଭକ୍ତ ନିଜ ସାଣ୍ଡାଲକୁ ସ୍କୁଟର୍ ଚକରେ ଚେନ୍ ବାନ୍ଧି ସୁରକ୍ଷିତ କରିଥିବାର ଏ ଲେଖକ ଦେଖିଛି।
ଆହୁରି କେତେକ ସାବଧାନ ବ୍ୟକ୍ତି ଖାଲି ପାଦରେ କିମ୍ବା ନିଜର ସବୁଠୁ ନିକୃଷ୍ଟ ପାଦୁକା ହଳକ ପିନ୍ଧି ମନ୍ଦିର ଦର୍ଶନରେ ବାହାରି ଥାନ୍ତି। ଧୋକଡ଼ିଆ ଜୋତା ଚୋରି ହୋଇଗଲେ ଚିନ୍ତା ନାହିଁ। ହେଲେ ‘ଯୁଗାଡ଼’ ବିଦ୍ୟାର ସର୍ବୋଚ୍ଚ ନିଦର୍ଶନ ଦେଖାନ୍ତି ସେହି ଭକ୍ତମାନେ, ଯେଉଁମାନେ ଜୋତା ଚୋରଙ୍କୁ ଚକମା ଦେବା ପାଇଁ ନିଜର ଜୋତା ଦୁଇଟିକୁ ଅଲଗା କରି ପରସ୍ପର ଠାରୁ ଦୂରରେ ରଖନ୍ତି। ବେଳେ ବେଳେ ଗୋଟିଏ ପଟ ଶିବ ମନ୍ଦିର ଆଗରେ ତ ଅନ୍ୟଟି ଅନତି ଦୂରରେ ଅବସ୍ଥିତ ପାର୍ବତୀ ମନ୍ଦିର ଆଗରେ ରଖନ୍ତି। ଚୋର କ’ଣ କେବେ ଖୋଜା ଖୋଜି କରି ହଳ ମ୍ୟାଚିଙ୍ଗ୍ କରି ଜୋତା ଚୋରାଇବ? ଧରା ପଡ଼ିଯିବନି? ‘ଯୁଗାଡ଼’ ବିଦ୍ୟାଟି କାମ କରୁଥିଲେ ମଧ୍ୟ, ବେଳେ ବେଳେ ଏମିତି ଜୋତା ରଖିଥିବା ଲୋକଟିକୁ ନିଜେ ଉଭୟ ପଟ ଜୋତା ଖୋଜି ପାଇବା କାଠିକର ପାଠ ହୋଇଯାଏ।
ଜୋତା ରଖିବାବାଲା ଯେତେ ଚାଲାକ ହେଲେ କ’ଣ ହେଲା, କିଛି ଚୋର ଜୋତା ଚୋରି ବିଦ୍ୟାରେ ବିଶେଷ ଗବେଷଣା କରି ସେମାନଙ୍କ ଠୁଁ ପାଦେ ଆଗରେ ଥାଆନ୍ତି। ଶ୍ୟାମ ବେନେଗଲଙ୍କ ‘ୱେଲ୍ ଡନ୍ ଆବ୍ବା’ ଚଳଚ୍ଚିତ୍ରରେ ବୋମାନ ଇରାନୀଙ୍କ ଦ୍ୱୈତ ଭୂମିକାରୁ ଗୋଟିଏ ଚରିତ୍ର ମସଜିଦ ବାହାରୁ ଜୋତା ଚୋରିରେ ନିପୁଣତା ଲାଭ କରିଥିବାର ଦେଖାଯାଇଛି।
ମନ୍ଦିର ନିକଟରେ ଜୋତା ଷ୍ଟାଣ୍ଡ୍ ଥିଲେ ଜୋତା ଚୋରି ସମସ୍ୟାର ସହଜ ସମାଧାନ ହୋଇଯାଏ। ହେଲେ ଷ୍ଟାଣ୍ଡ୍‌କୁ ନେଇ ସୃଷ୍ଟି ହୁଏ ଏକ ନୂଆ ଧରଣର ଚୋରି। ବଡ଼ ବଡ଼ ମନ୍ଦିରର ଷ୍ଟାଣ୍ଡ୍‌ଗୁଡ଼ିକରେ ଟେଣ୍ଡର୍‌ ପ୍ରକ୍ରିୟାରେ ଅନିୟମିତତା ଓ ଟିକଟ୍‌ ରସିଦ ବ୍ୟବସ୍ଥାର ଅଭାବ ଯୋଗୁଁ ଅନେକ ଟଙ୍କା ବାଟମାରଣା ହୋଇଯାଏ। ଭାରତର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ତାଜମହଲରେ ଥିବା ସମାଧି ପୀଠ ନିକଟକୁ ଜୋତା ପିନ୍ଧି ଯିବା ମନା, ହେଲେ ଜୋତା ଉପରେ ଗୋଟିଏ ଖୋଳ ଲଗାଇ ତାହା ପରିଦର୍ଶନ କରି ହେବ। ବିଦେଶୀ ପର୍ଯ୍ୟଟକମାନଙ୍କୁ ଏହି ଜୋତା ଆବରଣଟି ମାଗଣାରେ ଯୋଗାଇ ଦିଆଯାଏ, କିନ୍ତୁ ଭାରତୀୟ ପର୍ଯ୍ୟଟକମାନଙ୍କୁ ଏହା ମୂଲ୍ୟ ଦେଇ କିଣିବାକୁ ପଡ଼େ। ଆବରଣଟିର ମୂଲ୍ୟ ଅଳ୍ପ ହୋଇଥିବା ସତ୍ତ୍ୱେ ବ୍ୟବସ୍ଥାଟି ସୁନିୟନ୍ତ୍ରିତ ହୋଇ ନ ଥିବାରୁ ସୃଷ୍ଟି ହୁଏ ଲକ୍ଷ ଲକ୍ଷ ଟଙ୍କାର କେଳେଙ୍କାରୀ।
ବାସ୍ତବିକ, ଜୋତା ସୁରକ୍ଷା ଏତେ ସରଳ ବ୍ୟାପାର ନୁହେଁ।
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର