୨୦୨୪ ସାଧାରଣ ନିର୍ବାଚନ ତାତି ଜୋର ଧରିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ଓଡ଼ିଶାର ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବା ଭିତରେ ଏକ ଉଲ୍ଲେଖଯୋଗ୍ୟ କଥା କହିଲେ ଯେ, ଏଥର ନିର୍ବାଚନ ପରେ ଜଣେ ଓଡ଼ିଆ ପୁଅ ବା ଝିଅ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। ପ୍ରଧାନମନ୍ତ୍ରୀଙ୍କ କଥାରେ ନିହିତ ଗୂଢ଼ ମର୍ମଟି କ’ଣ ତାହା ସଚେତନ ପାଠକପାଠିକାମାନଙ୍କୁ ବୁଝାଇ କହିବାର ଆବଶ୍ୟକତା ନାହିଁ। ତେବେ ପ୍ରଶ୍ନ ହେଲା, ସମର୍ଥ ନେତା ପାଇବାରେ ଓଡ଼ିଶାର ଏଭଳି ଦୟନୀୟ ଅବସ୍ଥା ହେଲା କାହିଁକି? ସ୍ୱାଧୀନତା ଆନ୍ଦୋଳନ ଓ ତା’ ପରବର୍ତ୍ତୀ କାଳର ଓଡ଼ିଶାର ରାଜନୈତିକ ଇତିହାସକୁ ଦେଖିଲେ ଏଥି ଲାଗି ଦାୟୀ କିଛି ବ୍ୟକ୍ତିଙ୍କ ଛବି ଆମ ଆଗରେ ପରିସ୍ଫୁଟ ହୋଇପାରେ।
ଓଡ଼ିଆ ଜାତି ନିଜର ପରିଚୟ ହରାଇ ଆସୁଥିବା କାଳରେ ଯିଏ ନିଜର ସର୍ବସ୍ୱ ଦାନ କରି ନ’ଅଙ୍କିଆ ଓଡ଼ିଆଙ୍କୁ ଠିଆ କରାଇଥିଲେ, ତାଙ୍କ ନେତୃତ୍ୱ ବି କିଛି ଲୋକଙ୍କ ଅସହ୍ୟ ହେବାରୁ ସେମାନଙ୍କ ପକ୍ଷରୁ ଶୁଭିଥିଲା, ‘ଉତ୍କଳରେ ନାହିଁ ନେତା ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ’; ନାରାୟଣ ଅର୍ଥାତ୍ ପ୍ରଭୁ ଜଗନ୍ନାଥ।
ଉତ୍କଳର ଅଦ୍ୱିତୀୟ ନେତା ଉତ୍କଳଗୌରବଙ୍କ ଠାରେ ନେତା ହେବାର ସବୁ ଗୁଣ ଥିଲା। ଓଡ଼ିଶାର ଯାହାଙ୍କ ଠାରେ ପ୍ରତିଭାର ଆଭା ସେ ଦେଖୁଥିଲେ, ସେମାନଙ୍କୁ ଆଗେଇ ଯିବା ଲାଗି ସବୁ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ। ତେଣୁ, ଗୋପବନ୍ଧୁଙ୍କ ପ୍ରତିଭା ଦେଖି ମଧୁବାବୁ ତାଙ୍କୁ ମୟୂରଭଞ୍ଜ ରାଜାଙ୍କ ଓକିଲ ଭାବେ ରଖାଇଥିଲେ ଓ ବିହାର-ଓଡ଼ିଶା କାଉନ୍ସିଲ୍କୁ ନିର୍ବାଚିତ ହେବା ଲାଗି ସହଯୋଗ କରିଥିଲେ। ଆଉ ଜଣେ ଓଡ଼ିଆଙ୍କୁ ମଧ୍ୟ ସେ ନିଜ ନେତୃତ୍ୱର ଉତ୍ତରାଧିକାରୀ ବୋଲି ବିଚାର କରିଥିଲେ, ଯେ ହେଉଛନ୍ତି ନୀଳକଣ୍ଠ ଦାସ। ମଧୁବାବୁ କଂଗ୍ରେସ ଦଳର ଦ୍ୱିତୀୟ ଅଧିବେଶନ (କୋଲକତାଠାରେ) ଯୋଗ ଦେବା ପରେ କଂଗ୍ରେସର ତୁଙ୍ଗ ନେତାମାନଙ୍କ ମନୋଭାବ ଲକ୍ଷ୍ୟ କରି କଂଗ୍ରେସରୁ ଅଲଗା ହୋଇ ସେ ଦେଶ ମିଶ୍ରଣ ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଲାଗି ପଡ଼ିଥିଲେ। ଏହାର ଅର୍ଥ ମଧୁବାବୁଙ୍କ ଭଳି ଜଣେ ଅସାମାନ୍ୟ ନେତା ମଧ୍ୟ ଏହି ରାଜ୍ୟରେ ସର୍ବ ମାନ୍ୟତା ପାଇପାରିଲେ ନାହିଁ।
ତାଙ୍କ ମୃତ୍ୟୁ ବେଳକୁ ନୀଳକଣ୍ଠ ଦାସ ଓଡ଼ିଶା କଂଗ୍ରେସର ସଭାପତି ଓ ୧୯୩୭ ନିର୍ବାଚନର ମୁଖ୍ୟ ସଂଚାଳକ ଥିଲେ ଏବଂ ସମ୍ପାଦକ ଥିଲେ ନବକୃଷ୍ଣ ଚୌଧୁରୀ। ନିର୍ବାଚନରେ କଂଗ୍ରେସ ଦଳ ଓଡ଼ିଶାରେ ସଂଖ୍ୟାଧିକ ସ୍ଥାନରେ ବିଜୟ ଲାଭ କଲା ପରେ ନୀଳକଣ୍ଠ ଦାସ ହିଁ ମୁଖ୍ୟମନ୍ତ୍ରୀ ହେବାର ଥିଲା। କିନ୍ତୁ ଚକ୍ରାନ୍ତ କରାଯାଇ ତାଙ୍କୁ ମଧ୍ୟ ତହିଁରୁ ବଂଚିତ କରାଗଲା। ମୁଖ୍ୟମନ୍ତ୍ରୀ ହେଲେ ବିଶ୍ୱନାଥ ଦାସ, ଯିଏ ଓଡ଼ିଶା ଜନସାଧାରଣଙ୍କ ସ୍ୱାଭାବିକ ନେତା ନଥିଲେ। ପରବର୍ତ୍ତୀ ନେତା ହେଲେ ହରେକୃଷ୍ଣ ମହତାବ; ଯିଏ ଥିଲେ ଜଣେ ଛୋଟ ଜମିଦାର; ଚରିତ୍ରଗତ ଭାବେ ସାମନ୍ତବାଦୀ। ଏହା ସତ୍ତ୍ୱେ ପରିସ୍ଥିତି ଦୃଷ୍ଟିରୁ ଓଡ଼ିଶାର ଅନ୍ୟତମ ଜନନେତା ନବକୃଷ୍ଣ ଚୌଧୁରୀ ମହତାବଙ୍କ ସହିତ ପ୍ରତିଦ୍ୱନ୍ଦ୍ବିତା ନକରି ତାଙ୍କୁ ଓଡ଼ିଶାର ରଥି ରୂପେ ଗ୍ରହଣ କରି ନିଜେ ସାରଥୀ ହେଲେ। କିନ୍ତୁ, ପରବର୍ତ୍ତୀ କାଳରେ ମହତାବ ବାବୁ ନବକୃଷ୍ଣ ଚୌଧୁରୀଙ୍କୁ ରାଜନୀତିରୁ ବିଦା କରିଦେଲେ ଓ ସେଥି ଲାଗି ବିଜୁ ପଟ୍ଟନାୟକ ଓ ବୀରେନ ମିତ୍ର ଆଦିଙ୍କୁ ବ୍ୟବହାର କରିଥିଲେ। ଏହି ଦୁଇ ଜଣ ମହତାବ ବାବୁଙ୍କ ସହଯୋଗୀ ଥିଲେ ସିନା, ଅନୁଗତ ନ ଥିଲେ। ନେତା ହେବାର ଅଧିକାଂଶ ଗୁଣ ଥିବା ନବବାବୁ ତ ସ୍ୱଇଚ୍ଛାରେ କ୍ଷମତା ତ୍ୟାଗ କରି ଚାଲିଗଲେ, କିନ୍ତୁ ବିଜୁ-ବୀରେନ ଯୋଡ଼ି ମହତାବ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଲେ। ମହତାବ ବାବୁଙ୍କ ପରେ ବିଜୁବାବୁ ହେଲେ ଓଡ଼ିଶାର ନେତା।
ବିଜୁବାବୁ ଜଣେ ବଡ଼ ନେତା ବୋଲି ବଖାଣ ରହିଥିଲେ ବି ଅନେକଙ୍କ ମତରେ ଏହା ଏକ ଅତିରଂଜନ। ଛଅଟି ସ୍ଥାନରୁ ହାରିବା ପରେ ରାଜନଗର ନିର୍ବାଚନ ମଣ୍ଡଳୀରୁ ବହୁ ଭୋଟରେ ଜୟଯୁକ୍ତ ହୋଇଥିଲେ। ତୃଣମୂଳ ସ୍ତରରେ ତାଙ୍କର ସମ୍ପର୍କ ନଥିଲା। ସଙ୍କଟ ସମୟରେ ସେ ନେତା କୌଣସି ଆଦର୍ଶ ଆଚରଣ ରଖିଯାଇ ନାହାନ୍ତି। ଜରୁରୀକାଳୀନ ପରିସ୍ଥିତରେ ସବୁ ବଡ଼ ନେତା କାରାଗାରରେ ଥିବା ବେଳେ ସେ ଜରୁରୀକାଳୀନ ପରିସ୍ଥିତିର ପ୍ରଶଂସା କରି ସ୍ୱୀକାରୋକ୍ତି ଲେଖ ଦେଇ ପାରୋଲରେ ଆସିଥିଲେ।
ବିଜୁ ବାବୁଙ୍କ ପରେ ନବୀନ ବାବୁ ଅମଳରେ ରାଜ୍ୟ ପଚିଶ ବର୍ଷ ହେଲା ରହିଛି। ଏହି ସମୟରେ ତାଙ୍କ ଦଳ ବିଜେଡିରେ ନେତୃତ୍ବ ଦେବାର ସାମର୍ଥ୍ୟ ରଖିଥିବା ଅନେକ ବ୍ୟକ୍ତି ଅସ୍ତମିତ ହୋଇଯାଇଛନ୍ତି ଏବଂ ଉଦୀୟମାନ ନେତାମାନେ ଅଫିସର୍ରାଜ ଓ ନିର୍ଦ୍ଦେଶର ବଚସ୍କର ଭଳି ହୋଇ ପଡ଼ିଛନ୍ତି।
ବିଡ଼ମ୍ବନା ହେଲା, ରାଜ୍ୟକୁ ନେତୃତ୍ୱ ଦେବା ଭଳି ଦକ୍ଷ ନେତା ଆଜି ଅନ୍ୟ ଦଳରେ ବି ନାହାନ୍ତି। ଜାତୀୟ ଚରିତ୍ରର ଅବକ୍ଷୟ ଏଥିପାଇଁ ଦାୟୀ; ଯାହା ଉପରେ ମଧୁବାବୁ ଅତ୍ୟନ୍ତ ଗୁରୁତ୍ୱ ଦେଉଥିଲେ। ଏବେ ନିର୍ବାଚନ ପ୍ରଚାରର ଯେଉଁ ଚିତ୍ର ଦିଶୁଛି, ସେଥିରେ ଶାସକ ଦଳର ନେତାମାନେ ନାମକୁ ପ୍ରାର୍ଥୀ ମାତ୍ର। ଏମାନେ ନେତୃତ୍ବ ଦେବେ କେମିତି? ନିର୍ବାଚନର ଫଳାଫଳ ଯାହା ହେଉ ନା କାହିଁକି, ଏହା ପରେ ଓଡ଼ିଶା ରାଜନୀତିରେ ସ୍ୱାଭିମାନର ସହ ରାଜନୀତି କରିବାର ଅଧ୍ୟାୟ ଆରମ୍ଭ ହେଉ; ଓଡ଼ିଶାରୁ ଯୋଗ୍ୟ ରାଜନେତା ବାହାରନ୍ତୁ।
ମୋ : ୯୯୩୮୮୯୩୪୪୫
ଉତ୍କଳରେ ଅଛି ନେତା ପ୍ରୟୋଜନ
ପଦ୍ମଚରଣ ନାୟକ
/sambad/media/post_attachments/wp-content/uploads/2024/05/shsfhhsfhfshshf.jpg)
/sambad/media/agency_attachments/2024-07-24t043029592z-sambad-original.webp)