ସତ କହୁଛି: ରୂପାନ୍ତର

ଶ୍ୟାମସୁନ୍ଦର ଅଗ୍ରୱାଲା

ଜଣେ ମଧ୍ୟ-ବୟସ୍କା ମହିଳା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅନ୍ତିମ ପର୍ଯ୍ୟାୟରେ ଚିକିତ୍ସିତ ହେଉଥିଲେ। ଡାକ୍ତର ତାଙ୍କୁ ମାତ୍ର ତିନି ମାସର ସମୟ ଦେଇଥିଲେ। ମହିଳା ଜଣକ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ି ଠାକୁରଙ୍କୁ ପ୍ରାର୍ଥନା କରିବାକୁ ଆରମ୍ଭ କରିଦେଲେ। ଠାକୁର ପ୍ରୀତ ହୋଇ ତାଙ୍କୁ ଦର୍ଶନ ଦେଲେ ଓ ସେ ଆରୋଗ୍ୟ ଲାଭ କରି ଆହୁରି ତିରିଶ ବର୍ଷ ବଞ୍ଚିବେ ବୋଲି ପ୍ରତିଶ୍ରୁତି ଦେଲେ। ମହିଳା ଜଣକ ଠାକୁରଙ୍କଠୁ ଏ ଭଳି ପ୍ରତିଶ୍ରୁତି ପାଇ ଖୁସିରେ ନାଚି ଉଠିଲେ ଓ ତୁରନ୍ତ ତାଙ୍କର ସବୁ ଔଷଧପତ୍ର ଫିଙ୍ଗିଦେଇ, ହସପିଟାଲ ପରିିତ୍ୟାଗ କରି, ସିଧା ବିଉଟି ପାର୍ଲରକୁ ଚାଲିଲେ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦାମୀ ପ୍ଲାଷ୍ଟିକ ସର୍ଜରି କଲେ, ସରୁ ଅଣ୍ଟା, ଲମ୍ବା ବେକ, ଚକଚକ ଦାନ୍ତ ଓ କଳା ମଚମଚ ନକଲି ବାଳରେ ନିଜର ଶରୀରକୁ ଆମୂଳଚୂଳ ପରିବର୍ତ୍ତନ କରିଦେଲେ। ବଜାରରୁ ଦାମିକା ସିଲ୍‌କ ଶାଢ଼ି, ହାଇହିଲ ସ୍ୟାଣ୍ଡଲ ଓ ଓଠରେ ଦାମୀ ଲିପଷ୍ଟିକ ବୋଳି ନିଜର ସଂପୂର୍ଣ୍ଣ ରୂପାନ୍ତର କରିଦେଲେ।

ଦିନକର କଥା। ମହିଳା ଜଣକ ନୂଆ ନୂଆ ଢଙ୍ଗରେ ବେଶଭୂଷା ହୋଇ ରାସ୍ତାରେ ଯାଉଥିଲେ। ହଠାତ୍ ତାଙ୍କ ମୁଣ୍ଡ ବୁଲେଇ ହେବାରୁ ସେ ତଳେ ପଡ଼ିଯାଇ ତୁରନ୍ତ ମୃତ୍ୟୁବରଣ କଲେ। ସ୍ୱର୍ଗରେ ପହଞ୍ଚି ମହିଳା ଜଣକ ଭଗବାନଙ୍କ ନିକଟରେ ଫେରାଦ ହେଲେ- “ଆପଣ ତିରିଷ ବର୍ଷର ଗ୍ୟାରେଣ୍ଟିି ଦେଇଥିଲେ, ଅଥଚ ମାସକ ଭିତରେ ମୋ’ର ମୃତ୍ୟୁ କେମିତି ହେଲା?”
ଭଗବାନ ଯମରାଜଙ୍କୁ ଅନାନ୍ତେ ସେ କହିଲେ- “ପ୍ରଭୁ କଥା କ’ଣ କି, ମୁଁ ମ୍ୟାଡାମ୍‌ଙ୍କୁ ଚିହ୍ନି ପାରିଲି ନାହିଁ। ମୁଁ ଭାବିଲି ଆପଣ ହସ୍‌ପିଟାଲରେ ଯାହାଙ୍କୁ ଗ୍ୟାରେଣ୍ଟି ଦେଇଥିଲେ ଏ ଭଦ୍ର ମହିଳା ସେ ନୁହନ୍ତି।”
ବନ୍ଧୁଗଣ, ଉପରୋକ୍ତ କାଳ୍ପନିକ କାହାଣୀର ନିଷ୍କର୍ଷ ହେଉଛି ଭଗବାନ ଜୀବନର ଗ୍ୟାରେଣ୍ଟି ଦେଇଛନ୍ତି ଅର୍ଥ ନୁହେଁ ଯେ ଆପଣ ସବୁ ଚିକିତ୍ସା ଛାଡ଼ି, ଔଷଧପତ୍ର ଫୋପାଡ଼ି କେବଳ ଶରୀରର ରୂପାନ୍ତରରେ ଲାଗିଯିବେ। ଦୀର୍ଘ ଜୀବନ ନିମନ୍ତେ ନିରୋଗ ଶରୀରର ପ୍ରାଥମିକତା ରହିଛି। ଏହାକୁ ପରିତ୍ୟାଗ କରି କେବଳ ପ୍ଲାଷ୍ଟିକ ସର୍ଜରି ଦ୍ୱାରା ଶରୀରର ରୂପାନ୍ତର କରିଦେଲେ ଆପଣ ଦୀର୍ଘଜୀବୀ କସ୍ମିନ କାଳେ ହୋଇପାରିବେ ନାହିଁ।
ଦୁଃଖର କଥା, ଆଜି ସମଗ୍ର ଭାରତବର୍ଷରେ ସବୁ କଥାରେ କେବଳ ଏହିପରି ରୂପାନ୍ତର କାର୍ଯ୍ୟ ଚାଲିଛି। ରୂପାନ୍ତର ହେଉ, କିନ୍ତୁ ରୂପାନ୍ତର କରିବା ସମୟରେ ଯାହାର ରୂପାନ୍ତର କରାଯାଉଛି, ତାହାର ପ୍ରାଥମିକତାକୁ ଭୁଲିଯାଇ କେବଳ ରୂପାନ୍ତରରେ ମାତିଗଲେ, ତାହା ଫଳପ୍ରଦ ହୋଇନଥାଏ। ଧରନ୍ତୁ ରେଳ ବିଭାଗ। ଭାରତ ସରକାରଙ୍କର ରେଳ ବିଭାଗର ପ୍ରାଥମିକ କାର୍ଯ୍ୟ କ’ଣ? ସମୟାନୁବର୍ତ୍ତିତା, ପରିଚ୍ଛନ୍ନତା ଓ ସର୍ବନିମ୍ନ ଯାତାୟାତ ସୁବିଧା ସହ ସୁରକ୍ଷିତ ଆରାମଦାୟକ ଟ୍ରେନ ଯାତ୍ରା। ପ୍ରଥମେ ଏହି ଅତ୍ୟାବଶକ କଥାଗୁଡ଼ିକୁ ହାସଲ କରି ତା’ପରେ ଯାଇ ବିଭିନ୍ନ ଜାକଜମକ କଥା ଚିନ୍ତା କରିବା ଉଚିତ। କିନ୍ତୁ ଆମେ ତା’ ନ କରି ବୁଲେଟ୍‌ ଟ୍ରେନ, ବହୁଭାଷୀ ଇ-ଟିକେଟ, ହାଇସ୍ପିଡ୍‌ ଟ୍ରେନ କରିଡର, ସାଟେଲାଇଟ୍‌ ଟ୍ରେନ ଟର୍ମିନାଲ, ଅଟୋମାଟିକ ଭେଣ୍ଡିଂ ମେସିନ, ନୋ ସ୍ମୋକିଂ ଲାଉଞ୍ଜ ଓ ବେବି ଫିଡିଙ୍ଗ ରୁମ୍‌ ବିଷୟ ସବୁ ଚିନ୍ତା କରୁଛେ। ଆଜ୍ଞା, ରାତି ଅଧରେ ଭୁବନେଶ୍ୱର ଷ୍ଟେସନରେ ଓହ୍ଲେଇ ପଡ଼ି ହାତରେ ଯଦି ଦୁଇଟା ବ୍ୟାଗ ଅଛି, ତେବେ ଆପଣ କୁଆଡ଼େ ଯିବେ ଆଉ କେମିତି ଯିବେ ଜାଣିପାରିବେ ନାହିଁ। କୁଲିଟିଏ ନାହିଁ କି ଟ୍ରଲିଟିଏ ନାହିଁ। ଅଟୋ ବାଲାଙ୍କ ଦୌରାତ୍ମ୍ୟ ଯୋଗୁଁ ଓଲା ଉବେର ଗାଡ଼ିମାନଙ୍କର ଷ୍ଟେସନ ଭିତରେ ପ୍ରବେଶ କରିବାର ସାହସ ନାହିଁ। ଅଥଚ ଆପଣ କହୁଛନ୍ତି କ’ଣ ନା ଆମେ ଏହାକୁ ବିଶ୍ୱସ୍ତରୀୟ କରିବାକୁ ଯାଉଛୁ!
ରେଳ ଜଗତ୍‌ରୁ ଖେଳ ଜଗତ୍‌କୁ ଆସନ୍ତୁ। ବର୍ତ୍ତମାନ କଳିଙ୍ଗ ଷ୍ଟାଡିଅମ ଦେଖିଲେ ଆଖି ଝଲସି ଉଠୁଛି। ବାରବାଟୀ ଷ୍ଟାଡିଅମ ବି ଏହିପରି ହେବାକୁ ଯାଉଛି। ଖେଳରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ଅଥଚ କ୍ରିକେଟ୍‌, ଫୁଟ୍‌ବଲ୍‌, ଭଲିବଲ୍‌, ବ୍ୟାଡ୍‌ମିଣ୍ଟନ ଓ କବାଡ଼ି ଖେଳରେ ଓଡ଼ିଶା ବହୁତ ପଛରେ ପଡ଼ିଛି। ଜାତୀୟ କ୍ରିକେଟ୍‌ ଟିମ୍‌ରେ ବର୍ତ୍ତମାନ ଜଣେ ବି ଓଡ଼ିଆ ଖେଳାଳି ନାହାନ୍ତି। ଆଇପିଏଲ୍‌ରେ କୋଟି କୋଟି ଟଙ୍କାରେ ଖେଳାଳିମାନଙ୍କୁ ନେଇ କାରବାର ହେଉଛି, କିନ୍ତୁ ଓଡ଼ିଆ ଖେଳାଳିମାନଙ୍କ ନାଁ ଶୁଣାଯାଉନି। ଆଜି ପର୍ଯ୍ୟନ୍ତ ଜଣେ ହେଲେ ଓଡ଼ିଆ ବ୍ୟକ୍ତିଗତ ଅଲିମ୍ପିକ୍‌ ପଦକଟିଏ ପାଇ ନାହାନ୍ତି। ଜଣେ ଯିଏ ପାରା ଅଲିମ୍ପିକ୍‌ରେ ବାରମ୍ବାର ବିଶ୍ୱ ବିଜେତା ହୋଇଛନ୍ତି, ସେ ଅନ୍ୟ ରାଜ୍ୟରେ ଖେଳିବା ପାଇଁ ମନ ବଳାଇଲେଣି। ଭିତ୍ତିଭୂମିର ଭବ୍ୟ ନବୀକରଣ କରାଯାଉ, କିନ୍ତୁ ତା’ ସହିତ ଭଲ ଖେଳାଳିମାନଙ୍କୁ ସୃଷ୍ଟି କରାଯାଉ ଓ ଯେଉଁମାନେ ଭଲ ଖେଳୁଛନ୍ତି, ସେମାନଙ୍କୁ ଅଧିକ ଉତ୍ସାହିତ କରାଯାଉ। ନଚେତ ଏହି ଭିତ୍ତିଭୂମିଗୁଡ଼ିକ ଆଗକୁ କ’ଣ କାମକୁ ଆସିବ?
ସଂକ୍ଷେପରେ କହିବାକୁ ଗଲେ ସବୁ ରୂପାନ୍ତରରେ ପ୍ରାଥମିକତାକୁ ଅଗ୍ରାଧିକାର ଦିଆଯାଉ। ସହରଗୁଡ଼ିକର ରୂପାନ୍ତର କରାଯାଉ, କିନ୍ତୁ ପ୍ରଥମେ ଏଗୁଡ଼ିକୁ ମଶା, ମାଛି, ବୁଲା କୁକୁର ଓ ଷଣ୍ଢଙ୍କ ଦୌରତ୍ମ୍ୟରୁ ରକ୍ଷା କରାଯାଉ। ଥାନାଗୁଡ଼ିକର ରୂପାନ୍ତର କରାଯାଉ, କିନ୍ତୁ ଚୋରି, ଡକାଏତି, ହତ୍ୟା, ଧର୍ଷଣ ଓ ରାହାଜାନି ଇତ୍ୟାଦି ଅପରାଧରୁ ଜନସାଧାରଣଙ୍କୁ ରକ୍ଷା କରାଯାଉ। ସ୍କୁଲ ଘରଗୁଡ଼ିକୁ ରଙ୍ଗିନ କରାଯାଉ, କିନ୍ତୁ ସ୍କୁଲରେ ପିଲାମାନଙ୍କୁ ପୌଷ୍ଟିକ ଆହାର ସହିତ ଠିକ୍‌ ପାଠ ପଢ଼ାଯାଉ। ବନ୍ଧୁଗଣ, ଦେହ ଯାକ କାଛୁକୁଣ୍ଡିଆ ହେଉଥିବା ବେଳେ ଆପଣ ଯାଦୁ ମଲମ କିଣିବାକୁ ପଇସା ଖର୍ଚ୍ଚ କରିବେ ନା ମୁହଁରେ ସ୍ନୋ, ପାଉଡ଼ର ବୋଳି ମେକ୍‌ଅପ୍‌ରେ ଖର୍ଚ୍ଚ କରିବେ? ଯଦି ମେକ୍‌ଅପ୍‌ରେ ସବୁ ପଇସା ଖର୍ଚ୍ଚ କରିଦେବେ, ତେବେ ଯାଦୁମଲମ ପାଇଁ ପଇସା ଆଣିବେ କେଉଁଠୁ?
ଆମ ମା’ ପିଲା ଦିନେ ‘ସେରନ୍ତି’ ନାମ୍ନୀ ବୁଢ଼ୀ କଥାଟିଏ କହୁଥିଲା। ଦିନେ ସେରନ୍ତି ତା’ ଦାଣ୍ଡ ଦୁଆର ଓଳଉ ଓଳଉ ଦଶ ଟଙ୍କିଆ ନୋଟ୍‌ଟେ ପାଇଲା। ସେତେବେଳ ଦଶ ଟଙ୍କା କାହିଁରେ କ’ଣ? ଗାଁରେ ଚୋର ଖଣ୍ଟ ସବୁ ମାତିଥାନ୍ତି। ତେଣୁ ସେରନ୍ତି ବୁଢ଼ୀ ଦଶ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ କାଠ ବାକ୍ସଟିଏ କରିବାକୁ ଭାବିଲା। ଚାରି ଟଙ୍କା ଦେଇ ସାଗୁଆନ ପଟା ଖଣ୍ଡେ ଆଣିଲା। ବଢ଼େଇକୁ ତିନି ଟଙ୍କା ଦେଇ ବାକ୍ସଟିକୁ ତିଆରି କଲା। ରଙ୍ଗ ମିସ୍ତ୍ରୀକୁ ଦି’ଟଙ୍କା ଦେଇ ବାକ୍ସଟିକୁ ରଙ୍ଗିନ କରିଦେଲା। ଟଙ୍କାଟିଏ ଦେଇ ବଜାରରୁ ତାଲାଟିଏ କିଣି ଆଣିଲା। ସୁନ୍ଦୁରିଆ ବାକ୍ସଟିକୁ ଦେଖି ସେରନ୍ତି ବୁଢ଼ୀ ଖୁସିରେ ନାଚି ଉଠିଲା। ହେଲେ ବାକ୍ସରେ ବୁଢ଼ୀ ରଖିବ କ’ଣ?
ମୋ: ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର