ପ୍ରାୟ ୩୫ ବର୍ଷ ପୂର୍ବର କଥା। ସୀତାରାମ ୟେଚୁରୀ ଆସିଥାନ୍ତି ଭଦ୍ରକ ସରକାରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସଂସଦର ଏକ ବାର୍ଷିକ ଉତ୍ସବକୁ। ଭାଷଣ ଛଳରେ ସିଏ କଲେଜର ଆମ୍ବ ଗଛ ଭର୍ତ୍ତି ଓ ଶାଳନ୍ଦୀ ତଟସ୍ଥ ପ୍ରଶାନ୍ତ ପରିସରକୁ ଶାନ୍ତିନିକେତନ ସହ ତୁଳନା କରିବା ସାଙ୍ଗକୁ ବିଦେଶରେ ଫାସିବାଦ, ନାଜିବାଦ ମୁଣ୍ଡ ଟେକିଥିଲା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି କେମିତି ନିରବ ରହିବାକୁ ପସନ୍ଦ କରିଥିଲେ, ତା’ ଉପରେ କହିଥିଲେ- ନିରବତା ଯଦି ସୁନା ହୋଇଥାଏ, ତେବେ ସେ ସୁନା ଭେଣ୍ଡି। ଜର୍ମାନୀର ଉଦାହରଣ ଦେଇ ସିଏ ବ୍ୟକ୍ତ କରିଥିଲେ- ଯେତେବେଳେ କଳାକାରଙ୍କ ଉପରେ ସେଠି ଆକ୍ରମଣ ହେଉଥିଲା, ସେତେବେଳେ ବୈଜ୍ଞାନିକମାନେ ନିରବ ରହିଥିଲେ ଏବଂ ସେଭଳି ନିରବତା ସପକ୍ଷରେ ଯୁକ୍ତି ବାଢ଼ିଥିଲେ ଯେ ଆକ୍ରମଣ ତ ସେମାନଙ୍କ ଉପରେ ନୁହେଁ! ସେଇ ଏକା ଯୁକ୍ତି ରଖୁଥିଲେ ଯନ୍ତ୍ରୀ, ଲେଖକ, ଡାକ୍ତର, ପତ୍ରକାର, ଅଧ୍ୟାପକ ଓ ଧର୍ମଯାଜକ, ନିଜ ନିଜର ପାଳି ନ ଆସିଲା ପର୍ଯ୍ୟନ୍ତ! ଶେଷରେ ଯେତେବେଳେ ଧର୍ମଯାଜକଙ୍କ ଉପରେ ଆକ୍ରମଣ ହେଲା ସେତେବେଳେ ଚୁପ୍ ରହିବାକୁ ବି କେହି ବାକି ନ ଥିଲେ।
ସୀତାରାମ ୟେଚୁରୀ ମାତ୍ର ୭୨ ବର୍ଷ ବୟସରେ ଚାଲିଗଲେ, ଚଳିତ ମାସ ୧୨ ତାରିଖ ଦିନ। ରାଜନୀତି ଯେତେବେଳେ ଲୋକନୀତି ନ ହୋଇ ଅଧିକରୁ ଅଧିକ ନିର୍ବାଚନ-ସର୍ବସ୍ବ ହୋଇ ଯାଉଥିବା ଅଭିଯୋଗ ଉଠୁଛି ଏବଂ ବାମପନ୍ଥୀ ଦଳ ଭଳି ଜନବାଦୀ ଓ ପ୍ରଗତିଶୀଳ ରାଜନୀତିରେ ବିଶ୍ବାସୀ ଶକ୍ତିଙ୍କ ଆଗାମୀ ଅସ୍ତିତ୍ବ ବିଷୟରେ ଆଶଙ୍କା ଉପୁଜୁଛି, ସେତେବେଳେ ୟେଚୁରୀଙ୍କ ଭଳି ଜଣେ ଚିନ୍ତାଶୀଳ, ପ୍ରଜ୍ଞାଦୀପ୍ତ, ତର୍କବିତର୍କ ସିଦ୍ଧହସ୍ତ, ସୁଶୀଳ, ରୁଚିସଂପନ୍ନ, ତତ୍ପର, ପ୍ରତ୍ୟୁତ୍ପନ୍ନମତି, ଚଟୁଳ ହାସ୍ୟରସ ପ୍ରିୟ, ମାନବବାଦୀ, ଗଣତନ୍ତ୍ର ପକ୍ଷଭୁକ୍ତ ଓ ଧର୍ମନିରପେକ୍ଷ ସ୍ବଭାବର ବ୍ୟକ୍ତିତ୍ବଙ୍କ ତିରୋଧାନ ବେଶ୍ ବିଚଳିତ କଲା ଭଳି ଅଘଟଣ। ତାଙ୍କଠିଁ ଅନେକ ପ୍ରଥମର, ଅନେକ ଅସ୍ମିତାର ଏକାୟନ ଘଟିଥିଲା। ତେଲୁଗୁଭାଷୀ ୟେଚୁରୀଙ୍କ ଜନ୍ମ ଘଟିଥିଲା ତାମିଲନାଡୁରେ। ୧୯୬୯ର ତେଲେଙ୍ଗାନା ଆନ୍ଦୋଳନ ଯୋଗୁଁ ତାଙ୍କୁ ହାଇଦ୍ରାବାଦ ଛାଡ଼ି ଆସିବାକୁ ପଡ଼ିଥିଲା ଦିଲ୍ଲୀ। ସେଠି ସିଏ ସ୍କୁଲ୍ ପରୀକ୍ଷାରେ ସାରା ଦେଶରେ ପ୍ରଥମ ହୋଇଥିଲେ। ସେଣ୍ଟ୍ ଷ୍ଟିଫେନ୍ସରୁ ଅର୍ଥନୀତିରେ ସ୍ନାତକ କରିଥିବା ସୀତାରାମ ଦିଲ୍ଲୀ ସ୍କୁଲ୍ ଅଫ୍ ଇକନମିକ୍ସର ମୋହ ଛାଡ଼ି ଆସିଥିଲେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେ.ଏନ୍.ୟୁ.) ଯେଉଁଠି ତାଙ୍କ ବାମପନ୍ଥୀ ରାଜନୀତିର ମୂଳଦୁଆ ପଡ଼ିଥିଲା ୧୯୭୪ ବେଳକୁ। ସେଇ ଜେ.ଏନ୍.ୟୁ.ର ସିଏ ସଭାପତି ହୋଇଥିଲେ ତିନି ଥର। ଦେଶରେ ଜରୁରୀ ପରିସ୍ଥିତି ଜାରି ହୋଇଥିଲା ବେଳେ ତାଙ୍କୁ ଗିରଫ କରାଯାଇଥିଲା।
ଜେ.ଏନ୍.ୟୁ.ରେ ଥିଲା ବେଳେ ସିଏ ଛାତ୍ରଛାତ୍ରୀ ଆନ୍ଦୋଳନ ଓ ରାଜନୀତିର ସାମର୍ଥ୍ୟ ବାବଦରେ ଯଥେଷ୍ଟ ଅବଗତ ହେଲେ। ସେଇଠି ତାଙ୍କର ପରିଚୟ ଘଟିଲା ପ୍ରକାଶ କାରାଟଙ୍କ ସହ ଏବଂ ଜେ.ଏନ୍.ୟୁ.କୁ ଏକ ଅଭେଦ୍ୟ ଲୋହିତ ଦୁର୍ଗରେ ପରିଣତ କରିବାରେ ଦୁହିଁଙ୍କର ପ୍ରମୁଖ ଭୂମିକା ଥିଲା। ନିଜେ ୟେଚୁରୀ କେରଳ କିମ୍ବା ପଶ୍ଚିମବଙ୍ଗର ନ ଥିଲେ; ତଥାପି ସିଏ ଏସ୍.ଏଫ୍.ଆଇ. ଓ ସି.ପି.ଏମ୍.ରେ ଶୀର୍ଷ ପଦକୁ ଯାଇଥିଲେ। ବେଳେବେଳେ ତାଙ୍କ ଦୃଷ୍ଟାନ୍ତ ଦିଆଯାଇ ଓ ମତାଦର୍ଶଭିତ୍ତିକ ଅନ୍ୟ କାରଣରୁ କୁହାଯାଏ ଯେ ଚାରିଟି ଇଲାକାରେ ବାମପନ୍ଥୀମାନେ ଶାସନ ଭାର ଗ୍ରହଣ କରିଥିଲେ- କେରଳ, ପଶ୍ଚିମବଙ୍ଗ ଓ ତ୍ରିପୁରା ବାହାରେ ଜେ.ଏନ୍.ୟୁ.ରେ। ୧୯୭୪ରୁ ୧୯୭୯ ଯାଏ ବିଶିଷ୍ଟ ଅଣୁ-ପଦାର୍ଥ ବିଜ୍ଞାନୀ ଓ ଇନ୍ଦିରା ଗାନ୍ଧୀଙ୍କର ଘନିଷ୍ଠ ବାସନ୍ତୀ ଦୁଲାଳ ନାଗ ଚୌଧୁରୀ ଜେ.ଏନ୍.ୟୁ.ର କୁଳପତି ଥାଆନ୍ତି। ୟେଚୁରୀଙ୍କ ନେତୃତ୍ବରେ ଛାତ୍ରଛାତ୍ରୀମାନେ ତାଙ୍କୁ ବିରୋଧ କଲେ ଓ ବିଶ୍ବବିଦ୍ୟାଳୟ ଭିତରକୁ ଆସିବାକୁ ବାରଣ କଲେ। ଅଗତ୍ୟା ସରକାର ବିଶ୍ବବିଦ୍ୟାଳୟ ବନ୍ଦ କରିବାର ନିଷ୍ପତ୍ତି ନେଲେ। କିନ୍ତୁ ସେଠି ପାଠପଢ଼ା ଅବ୍ୟାହତ ରହିଥିଲା, ଚବିଶ ଘଣ୍ଟା ପାଠାଗାର େଖାଲୁଥିଲା ଏବଂ ହଷ୍ଟେଲ୍ ମେସ୍ ଚାଲୁଥିଲା। ଏମିତି ବିତିଗଲା ୪୦ ଦିନ। ପରେ ଅର୍ଥାଭାବ ପରିସ୍ଥିତି ସୃଷ୍ଟି ହେଲା। ସୀତାରାମଙ୍କ ମୁଣ୍ଡରୁ ବାହାରିଲା ଏକ ଚମତ୍କାର ବୁଦ୍ଧି। ବେକରେ ପ୍ଲାକାର୍ଡ ପକାଇ ବିଦ୍ୟାର୍ଥୀମାନେ ଯାଇ ବସିଲେ ସରୋଜିନୀ ନଗର ମାର୍କେଟ୍ ଓ କନଟ୍ ପ୍ଲେସ୍ ଅଞ୍ଚଳରେ। ପ୍ଲାକାର୍ଡରେ ଲେଖାଥିଲା- ଆମ ବିଶ୍ବବିଦ୍ୟାଳୟ ଯଥାରୀତି ଚାଲିଛି; ଭି.ସି. କିନ୍ତୁ ଧର୍ମଘଟରେ। ୧୯୭୭ର ନିର୍ବାଚନ ହାରିବା ପରେ ଇନ୍ଦିରା ଗାନ୍ଧୀ ଜେ.ଏନ୍.ୟୁ.ର କୁଳାଧିପତି ପଦ ଛାଡ଼ି ନଥାନ୍ତି। ୟେଚୁରୀ ପ୍ରାୟ ପାଞ୍ଚ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଯାଇଥିଲେ ଇନ୍ଦିରା ଗାନ୍ଧୀଙ୍କ ବାସଭବନକୁ ସ୍ମାରକ ପତ୍ର ଧରି, ଯେଉଁଥିରେ ଉଲ୍ଲେଖ ଥିଲା- ଇନ୍ଦିରାଜୀ, ଆପଣ ଦୟା କରି ଶୀଘ୍ର ପଦ ଛାଡ଼ନ୍ତୁ। ଅଳ୍ପ ଦିନ ଭିତରେ ସେ ପଦ ଛାଡ଼ିଥିଲେ। ସେଇ ସମୟର ଏକ ଫଟୋ ଏବେ ଚାରିଆଡ଼େ ଘୂରି ବୁଲୁଛି। ଅନେକ ବର୍ଷ ପରେ ପରିବର୍ତ୍ତିତ ରାଜନୀତିକ ପରିଦୃଶ୍ୟରେ ୟେଚୁରୀଙ୍କର ସୋନିଆ, ରାହୁଳ ଓ ମନମୋହନ ସିଂହଙ୍କ ସହ ଉତ୍ତମ ସମୀକରଣ ହେଲା। କଂଗ୍ରେସ-ସି.ପି.ଏମ୍. ଭିତରେ ସିଏ ଥିଲେ ବଡ଼ ଯୋଗସୂତ୍ର। ସେଇଥିପାଇଁ ଜୟରାମ ରମେଶ ରହସ୍ୟ କରି କହୁଥିଲେ- ସୀତା (ୟେଚୁରୀ) ଏକା ସାଙ୍ଗରେ ମାର୍କସ୍ବାଦୀ କମ୍ୟୁନିଷ୍ଟ୍ ପାର୍ଟି ଓ କଂଗ୍ରେସ ଦଳର ସାଧାରଣ ସଂପାଦକ। ସେମିତି ତାଙ୍କର ଅନେକ ପରମ ମିତ୍ର ଥଟ୍ଟାମଜାରେ ତାଙ୍କୁ କହୁଥିଲେ- ନଁାରେ ରହିଛି ତମର ଉଭୟ ସୀତା ଓ ରାମ ଶବ୍ଦ ଦ୍ବୟ; ତମେ ୟେଚୁରୀ ମତ ଓ ପଥ ଦୃଷ୍ଟିରୁ କମ୍ୟୁନିଷ୍ଟିଆ!
ନିଜର ଅର୍ଦ୍ଧ-ଶତାବ୍ଦୀର ରାଜନୀତିକ ଜୀବନକାଳ ଭିତରେ ଅନେକ ତଥାକଥିତ ପରମ୍ପରା ଭାଙ୍ଗିଥିଲେ ସୀତାରାମ। ବତିଶ ବର୍ଷ ବୟସରେ ସିଏ ଦଳର କେନ୍ଦ୍ରୀୟ କମିଟିର ଓ ୪୦ ବର୍ଷ ହେଲା ବେଳକୁ ପଲିଟିବ୍ୟୁରୋ ସଦସ୍ୟ ହୋଇଥିଲେ ଏବଂ ପରେ ୨୦୧୫ରେ ହେଲେ ଦଳର ସାଧାରଣ ସଂପାଦକ, ଯଦିଓ ସିଏ କେବେ ବି କୌଣସି ଜିଲ୍ଲା ବା ରାଜ୍ୟ ଶାଖାର ମୁଖ୍ୟ ନ ଥିଲେ। ତାହା ସି.ପି.ଏମ୍.ର ନୂଆ ଆଭିମୁଖ୍ୟ ବାବଦରେ ଯଥେଷ୍ଟ ସଂକେତ ଦେଲା। ୧୯୮୫ରେ ଯେଉଁ ତରୁଣ ପଞ୍ଚସଖାଙ୍କ କଥା ଦଳରେ ବେଶ୍ ଉଠିଲା, ସେମାନଙ୍କ ଭିତରେ ଦୁଇ ଜଣ ଥିଲେ ପ୍ରକାଶ ଓ ସୀତାରାମ। ଏ ଦୁହେଁ ଥିଲେ ଉଚ୍ଚଶିକ୍ଷିତ। ଅନେକ ସମୟରେ ଦୁହିଁଙ୍କ ଭିତରର ପ୍ରତିଦ୍ବନ୍ଦ୍ବୀସୁଲଭ ସଂପର୍କ କଥା ଉଠେ। ପ୍ରକାଶ ଥିଲେ ସଂଗଠନ କାର୍ଯ୍ୟରେ ନିପୁଣ; ୟେଚୁରୀ ସଂସଦୀୟ ଗଣତନ୍ତ୍ରର ସୂକ୍ଷ୍ମାତିସୂକ୍ଷ୍ମ ଜଟିଳତା ସମ୍ଭାଳିବାରେ ପୋଖତ। ଦୁହେଁ ପ୍ରାୟ ଆଗ ପଛ ହୋଇ ସେଇ ଏକା ବିଶ୍ବବିଦ୍ୟାଳୟର ସଭାପତି େହାଇଥିଲେ, ଯେଉଁଠି ନିର୍ବାଚନ ପରିଚାଳନା କରନ୍ତି କେବଳ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ନିର୍ବାଚନ କମିଟି। ପୁଣି ପ୍ରକାଶଙ୍କ ପରେ ପରେ ଦଳର ମହାସଚିବ ହେଲେ ସୀତାରାମ। ୧୯୯୬ରେ ଜ୍ୟୋତି ବସୁ ଦେଶର ପ୍ରଧାନମନ୍ତ୍ରୀ ହେବା ପ୍ରାୟ ଏକ ପ୍ରକାରେ ନିଶ୍ଚିତ ଥିଲା। ସିଏ ନ ହେବା ଉଚିତ ବୋଲି ମତ ଦେଇଥିଲେ ଉଭୟ ସୀତାରାମ ଓ ପ୍ରକାଶ। େୟଚୁରୀ କେବେ ବି ଅନୁତାପ ଓ କ୍ଷୋଭ ପ୍ରକାଶ କରୁ ନ ଥିଲେ ବାମପନ୍ଥୀ ହୋଇଥିବାରୁ। ପ୍ରକାଶଙ୍କର ଅତିରିକ୍ତ ସୁବିଧା ଥିଲା ସିଏ କେରଳ ଗୋଷ୍ଠୀର। ୟେଚୁରୀଙ୍କର ଅନ୍ୟତମ ବଡ଼ ଭୂଷଣ ହେଲା ସେ ଆଦୌ ଉଦାସୀନ ଓ ଅପହଞ୍ଚ ଲାଗୁ ନ ଥିଲେ। କେବେ ବି ଦୁହିଁଙ୍କ ସଂପର୍କ ତିକ୍ତ ଓ ବିଦ୍ବେଷମୟ ହେଉ ନ ଥିଲା। ଏକଦା ଦଳର ସାଧାରଣ ସଂପାଦକ ଥିବା ହରକିଷନ୍ ସିଂ ସୁର୍ଜିତଙ୍କ ଛାପ ଅନେକ ୟେଚୁରୀଙ୍କଠିଁ ଲକ୍ଷ୍ୟ କରନ୍ତି, ଯେତେବେଳେ ମେଣ୍ଟ, ବୁଝାମଣା, ତାଳମେଳ, ମୀମାଂସା ଓ ଐକ୍ୟ ସ୍ଥାପନା ନେଇ ସୀତାରାମଙ୍କ ବିଚାର ବାବଦରେ ଚର୍ଚ୍ଚା ହୁଏ। ଏ ଯାଏ ସି.ପି.ଏମ୍.ର ମୁଖିଆ କୌଣସି ମହିଳା େହାଇନାହାନ୍ତି; ତାହା ବୃନ୍ଦା କାରାଟ କିମ୍ବା ସୁଭାଷିନୀ ଅଲୀଙ୍କ ରୂପରେ ଏଥରକ ସମ୍ଭବ ହେବ ବୋଲି ଅନେକଙ୍କର ସ୍ବାଗତଯୋଗ୍ୟ ଅନୁମାନ।
ଗଲା ଅନେକ ବର୍ଷ ଧରି ଜେ.ଏନ୍.ୟୁ. ଦେଶର ଅନ୍ୟତମ ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ମାନ୍ୟତା ପାଇଚାଲିଛି। ନିକଟ ଅତୀତରେ ଅର୍ଥନୀତିରେ ନୋବେଲ୍ ପାଇଥିବା ଅଭିଜିତ ବାନାର୍ଜୀ ଥିଲେ ଜେ.ଏନ୍.ୟୁ.ର ଛାତ୍ର। ସେମିତି ଦୁଇ ବର୍ଷ ତଳେ ବୁକର୍ ପୁରସ୍କାର ପାଇଥିବା ଗୀତାଞ୍ଜଳି ଶ୍ରୀ ଥିଲେ ଉପରୋକ୍ତ ବିଶ୍ବବିଦ୍ୟାଳୟର ଛାତ୍ରୀ। ପତ୍ରକାର ଓ ଲେଖକ ପି. ସାଇନାଥ ଓ ପଙ୍କଜ ମିଶ୍ର ମଧ୍ୟ ସେଠି ପଢ଼ିଥିଲେ। ସଂପ୍ରତି ଦେଶର ଅର୍ଥମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ଓ ବିଦେଶ ମନ୍ତ୍ରୀ ଥିବା ସୁବ୍ରମଣ୍ୟମ୍ ଜୟଶଙ୍କର ମଧ୍ୟ ଥିଲେ ଏକଦା ଜେ.ଏନ୍.ୟୁ.ର ବିଦ୍ୟାର୍ଥୀ। ସେଠାକାର ହଷ୍ଟେଲ୍ମାନଙ୍କରେ ରାତ୍ରି ଭୋଜନ ପରବର୍ତ୍ତୀ ମୁକ୍ତ ବିତର୍କକୁ ଯେବେ ଯେବେ ୟେଚୁରୀ ଅସୁଥିଲେ, ସେଠି ଅନେକ ସମୟରେ ଆସି ପହଞ୍ଚି ଯାଉଥିଲେ ଛାତ୍ରଛାତ୍ରୀଙ୍କ ଗହଣରେ ଅର୍ଥନୀତିଜ୍ଞ ପ୍ରଭାତ ପଟ୍ଟନାୟକ, ଐତିହାସିକ ବିପନ ଚନ୍ଦ୍ର, ରାଜନୀତି ବିଜ୍ଞାନୀ ସୁଦୀପ୍ତ କବିରାଜ ଓ ସମାଜ ବିଜ୍ଞାନୀ ଯୋଗେନ୍ଦ୍ର ସିଂହ ପ୍ରମୁଖ। ସୀତାରାମଙ୍କ ଜିଭ ଯେମିତି ପରିପକ୍ବ ଓ ଶାଣିତ ଥିଲା, କଲମ ସେମିତି ଥିଲା ତୀକ୍ଷ୍ଣ ଓ ପାକଳ। ରାଜ୍ୟସଭାର ସାଂସଦ (୨୦୦୫-୨୦୧୭) ଥିବାବେଳେ ତାଙ୍କ ତଥ୍ୟଯୁକ୍ତ ଓ ତର୍କମୟ ଅଭିଭାଷଣ ସବୁ ପକ୍ଷକୁ ମନ୍ତ୍ରମୁଗ୍ଧ କରିଦେଉଥିଲା। ତାଙ୍କ ବାବଦରେ ଅରୁଣ ଜେଟ୍ଲି ଥରେ କହିଥିଲେ- ବନ୍ଧୁ ସୀତାଙ୍କ ବକ୍ତବ୍ୟର ମାନ ଓ ସ୍ତର ଏତେ ଉଚ୍ଚ ଧରଣର ଥିଲା ଯେ ତାହା ଅନ୍ୟମାନଙ୍କ ସ୍ତର ମଧ୍ୟ ବଢ଼େଇ ପାରୁଥିଲା। ସୀତରାମଙ୍କ ସମସାମୟିକ ଜେଟ୍ଲି ମଧ୍ୟ ଦିଲ୍ଲୀ ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ ରାଜନୀତିରୁ ବାହାରି ଜାତୀୟ ସ୍ତରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲେ।
ଦଳୀୟ ପତ୍ରପତ୍ରିକାରେ ୟେଚୁରୀ ଖାଲି ରାଜନୀତିକ ଲେଖା ଲେଖୁ ନ ଥିଲେ; ସାହିତ୍ୟିକ ଓ କଳାକାରଙ୍କ ଉପରେ ମଧ୍ୟ ଲେଖୁଥିଲେ। ବଲିଉଡ୍ର ଅନେକ ଗୀତ ତାଙ୍କ ଜିଭ ଆଗରେ ଥିଲା। ନିଜ ଅଭିଭାଷଣରେ ସିଏ ସଂସ୍କୃତ ଶ୍ଳୋକ ସାଙ୍ଗକୁ ଉର୍ଦ୍ଦୁ ସାଏରୀ ଏବଂ ମାର୍କସ୍, ଗାନ୍ଧୀ ଓ ଆମ୍ବେଦକର ପ୍ରମୁଖଙ୍କୁ ଅନାୟାସରେ ଗର୍ଭିତ କରିପାରୁଥିଲେ- ପ୍ରସଙ୍ଗ ଜଗତାୟନ, ମୌଳବାଦ, ସାଂପ୍ରଦାୟିକତାବାଦ, ପରମାଣୁ ଚୁକ୍ତି, ଅଯୋଧ୍ୟା, ନାରୀ ବିରୋଧୀ ହିଂସା ଓ ଭାରତର ଅବଧାରଣା.. ଯାହା ହେଉନା କାହିଁକି! ମନମୋହନ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଥିଲାବେଳେ ସୂଚନା, ଶିକ୍ଷା ଓ ଖାଦ୍ୟ ସଂପର୍କିତ ଅଧିକାର ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି ଗ୍ୟାରେଣ୍ଟି ସଂକ୍ରାନ୍ତ ଆଇନ ଆଣିବାରେ ତାଙ୍କର ନିର୍ଣ୍ଣାୟକ ଅବଦାନ ଥିଲା। ୧୯୯୬ରେ ସଂଯୁକ୍ତ ମୋର୍ଚ୍ଚା ସରକାରର ମାର୍ଗଦର୍ଶିକା ଭାେବ ବ୍ୟବହୃତ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମର ସିଏ ଥିଲେ ଯୁଗ୍ମ ପ୍ରସ୍ତୁତକର୍ତ୍ତା। ସେମିତି ୨୦୦୪ର ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସମ୍ଭବ କରିବା ପ୍ରକ୍ରିୟାରେ ସୀତାରାମ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ମାର୍କସ୍ବାଦୀ କମ୍ୟୁନିଷ୍ଟ୍ ପାର୍ଟିର ଇତିହାସରେ ନମ୍ବୁଦ୍ରିପଦ ଓ ଜ୍ୟୋତି ବସୁଙ୍କ ପରେ ଯେଉଁ ଦୁଇ ଜଣ ଅପେକ୍ଷାକୃତ ତରୁଣ ଅତି ପ୍ରଭାବଶାଳୀ ହୋଇପାରିଥିଲେ, ସେମାନଙ୍କ ଭିତରୁ ଜଣେ ହେଲେ ବହୁଭାଷୀ, ବହୁପାଠୀ, ବିଦ୍ବାନ ଓ ମେଳାପି ୟେଚୁରୀ। ସଂବେଦନଶୀଳ ଓ ଅଙ୍ଗୀକାରବଦ୍ଧ ସୀତାରାମଙ୍କ ପାଇଁ ସବୁବେଳେ ଦାଆ, ହାତୁଡ଼ି ଓ ତାରା ଥିଲା ଯଥାକ୍ରମେ ଉତ୍ପାଦନ, ନିର୍ମାଣ ଓ ରଚନାର ଜୀବନ୍ତ ପ୍ରତୀକ। ଯଥାର୍ଥରେ ତାଙ୍କ ସତୀର୍ଥ ଓ ପ୍ରଶଂସକ କହୁଛନ୍ତି- ସୀତାରାମଙ୍କୁ ସଲାମ୍!
ମୋ: ୯୪୩୭୩୦୭୦୭୯
ଆଳାପ ଓ ଆଲୋଚନା: ଜଣେ ବାମପନ୍ଥୀଙ୍କ ବିଚାର ଓ ସଂପୃକ୍ତି
ପ୍ରାୟ ୩୫ ବର୍ଷ ପୂର୍ବର କଥା। ସୀତାରାମ ୟେଚୁରୀ ଆସିଥାନ୍ତି ଭଦ୍ରକ ସରକାରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସଂସଦର ଏକ ବାର୍ଷିକ ଉତ୍ସବକୁ। ଭାଷଣ ଛଳରେ ସିଏ କଲେଜର ଆମ୍ବ ଗଛ ଭର୍ତ୍ତି ଓ ଶାଳନ୍ଦୀ ତଟସ୍ଥ ପ୍ରଶାନ୍ତ...