ଆମେ କାହିଁକି ହସୁ? ଆମେ କେତେବେଳେ ଖୁସି ହେଉ? କ’ଣ କଲେ ଆମକୁ ସୁଖ ଲାଗେ? ଅର୍ଥାତ୍ ଆମ ହସଖୁସିର ଉତ୍ସ କ’ଣ? ଏ ସବୁ ସହଜ ପ୍ରଶ୍ନର ଉତ୍ତର ଆହୁରି ସହଜ ମନେ ହୁଏ।
ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବା ମେଧା ତାଲିକାରେ ଉଚ୍ଚ ସ୍ଥାନ ପ୍ରାପ୍ତ ହେଲେ ଖୁସି ହୁଅନ୍ତି, ଖୁସି ହୁଅନ୍ତି ସେମାନଙ୍କ ବାପାମା’, ଅଭିଭାବକମାନେ। ଚାକିରି ଖୋଜୁଥିବା ଲୋକ ଚାକିରି ପାଇଲେ ବା ଚାକିରି କରିଥିବା ଲୋକ ପଦୋନ୍ନତି ପାଇଲେ ଅବଶ୍ୟ ଖୁସି ହୁଅନ୍ତି। ଖୁସି ହୁଅନ୍ତି ଅବଶ୍ୟ ବ୍ୟବସାୟୀମାନେ ସେମାନଙ୍କ ଶୁଭ ଲାଭ ବହୁଗୁଣିତ ହେଲେ। ନେତାମାନେ ନିର୍ବାଚନ ବିଜୟକୁ ସୁଖ ମଣନ୍ତି ତ କଳାକାରମାନେ ପ୍ରତିଷ୍ଠା ଓ ପ୍ରଶଂସା ପାଇଲେ ଆତ୍ମସନ୍ତୋଷ ଲାଭ କରନ୍ତି। ଭଲ ଅମଳ ହେଲେ ଚାଷୀଟିଏ ବି କେଡ଼େ ଖୁସି ନ ହୁଏ ସତେ! ଏହିପରି ଭାବରେ ଖୁସିର ଆଧାରରେ ସମାନତା ନ ଥାଏ। ତୃପ୍ତିର ତରିକାରେ କାଳେକାଳେ ଭିନ୍ନତା ପରିଲକ୍ଷିତ ହୁଏ। ତେବେ ପ୍ରାପ୍ତ ପାର୍ଥିବ ହେଉ କି ଅପାର୍ଥିବ, ଶାରୀରିକ ହେଉ କି ମାନସିକ, ସୁଖର ହେତୁ ଭାବରେ ଗ୍ରହଣୀୟ।
କିନ୍ତୁ ଏପରି ଚିନ୍ତାଧାରାକୁ ପୁରୁଣାକାଳିଆ ଓ ପାରମ୍ପରିକ ବୋଲି କହି ପ୍ରତ୍ୟାଖ୍ୟାନ କରନ୍ତି ବିଜ୍ଞାନୀମାନେ। ବିଶେଷତଃ ଶରୀର ଓ ମନୋବିଜ୍ଞାନୀମାନଙ୍କ ମତରେ ପ୍ରାପ୍ତି ସୁଖର ଉତ୍ସ ନୁହେଁ, ଉପସର୍ଗ ମାତ୍ର। ମଣିଷର ବାଞ୍ଛା ପୂର୍ତ୍ତି ହେଲେ, ତା’ ଦେହରୁ ଏକ ପ୍ରକାରର ହର୍ମୋନ କ୍ଷରିତ ହୁଏ। ସେହି ହର୍ମୋନ ହିଁ ସବୁ ସୁଖର କାରଣ। ଦୁଃଖର କାରଣ ବି ହର୍ମୋନ। ମଣିଷର ଅଭୀଷ୍ଟ ପୂରଣ ନ ହେଲେ, ତା’ ଦେହରୁ ଯେଉଁ ହର୍ମୋନ ଝରେ, ତାହା ତା’ ଆଖିକୁ ଉଛୁଳାଏ। କିନ୍ତୁ ଅଭୀଷ୍ଟ ପ୍ରାପ୍ତି ଜନିତ କ୍ଷରଣ ତା’ ଅଧରୋଷ୍ଠରେ ଫୁଲ ଫୁଟାଏ। ଏହି ବିଚାରରେ ଇନ୍ଦ୍ରିୟ ସୁଖ ହିଁ ସୁଖ ପଦବାଚ୍ୟ।
ବୌଦ୍ଧ ଦର୍ଶନରେ ମଧ୍ୟ ଇନ୍ଦ୍ରିୟ ସୁଖକୁ ସୁଖ ବୋଲି ବିବେଚନା କରାଯାଇଛି। ତା’ର ଅନ୍ୟ ନାମ କାମନା। ସେହି କାମନା ଏକ ଅନ୍ତହୀନ ବୃତ୍ତ। ସୁଖ ଅଳିକ। କାରଣ ଇନ୍ଦ୍ରିୟାନୁଭୂତି କ୍ଷଣିକ। ମଧୁ ହେଉ କି ହେଉ ମଦିରା, ସଙ୍ଗୀତ ହେଉ ବା ହେଉ ଶୃଙ୍ଗାର- ଏ ସବୁ ମଣିଷକୁ ଚିରକାଳ ପ୍ରମତ୍ତ କରିପାରିବ କି? ନା। ପୌନଃପୁନିକତା ବାସନାର ବାସ୍ନା। ଇନ୍ଦ୍ରିୟ, ସୁଖ ବିନା ଉନ୍ମାଦ। ସୁଖ ପରେ ସୁଖ, ସୁଖ ତଦୁପରି ଖୋଜୁଥାଏ ମନ। କିନ୍ତୁ ସୁଖ ତାକୁ ସବୁବେଳେ ମିଳେନାହିଁ। ତେଣୁ ସେ ଅପ୍ରାପ୍ତିଜନିତ ଦୁଃଖ ପାଏ। ବୁଦ୍ଧଙ୍କ ବିଚାରରେ ଜୀବନ କେବଳ ଦୁଃଖମୟ ନୁହେଁ, ଦୁଃଖର କାରଣ ତୃଷ୍ଣା ବା କାମନା। କାମନାକୁ ବିନାଶ କରି ଦୁଃଖର ଅନ୍ତ ଘଟାଇବାକୁ ତେଣୁ ଉପଦେଶ ଦେଇଥିଲେ ପରମକାରୁଣିକ ବୁଦ୍ଧ। ହିନ୍ଦୁ ଦର୍ଶନରେ କିନ୍ତୁ ଜୀବନ ଅମୃତମୟ। କାମନାର ବିନାଶ ନୁହେଁ, ନିୟନ୍ତ୍ରଣ କଥା କହାଯାଇଛି ଆମ ପୁରାଣଶାସ୍ତ୍ରରେ। କହାଯାଇଛି ପୁଣି ଭୋଗରେ କାମନା ବଢ଼େ ସିନା କମେ ନାହିଁ। ପୃଥିବୀର ପ୍ରାୟ ସବୁ ଧର୍ମ ଧାରଣାରେ ଦୁଃଖକୁ ଜୀବନ-ଦର୍ଶନର ମାନ୍ୟତା ଦିଆଯାଇଛି। ଦୁଃଖକୁ ଉତ୍ତରଣ ମାର୍ଗର ମର୍ଯ୍ୟାଦା ମଧ୍ୟ ଦିଆଯାଇଛି। ରାତି ପରେ ଦିନ ପରି ଦୁଃଖ ପରେ ସୁଖ ଆସେ ବୋଲି ମଣିଷକୁ ଆଶ୍ୱାସନା ଦିଆଯାଇଛି। କହାଯାଇଛି, “ସୁଖ ଠାରୁ ସୁଖ ଆଶାରେ ସୁଖ ଅଧିକ”।
ଯଯାତି ଉପାଖ୍ୟାନ ତ୍ୟାଗ-ଭୋଗ ସମ୍ପର୍କିତ ଭାରତୀୟ ଦର୍ଶନର ଶୀର୍ଷ ଦୃଷ୍ଟାନ୍ତ। ଏହାର ସଂକ୍ଷିପ୍ତ ଅବତାରଣା ଏହିପରି: ବାର୍ଦ୍ଧକ୍ୟରେ ପଦାର୍ପଣ କଲାପରେ ମହାରାଜା ଯଯାତି ଇନ୍ଦ୍ରିୟ ସୁଖ ଭୋଗ କରିବାକୁ ଅସମର୍ଥ ହେଲେ। ପୁନର୍ବାର ଯୌବନ ଲାଭକରି ଲାଳସା ପୂରଣ କରିବା ପାଇଁ ତାଙ୍କର ଇଚ୍ଛା ହେଲା। ଯୌବନ ଭିକ୍ଷା କଲେ ସେ ନିଜ ପୁତ୍ର ନିକଟରେ। ଉଦାର ପୁତ୍ରଠାରୁ ଯୌବନ ଅବଶ୍ୟ ପାଇଲେ। ଜୀବନକୁ ପୁଣି ଉପଭୋଗ କଲେ। ଯୌବନ ଆସିଲେ ଯିବାକୁ ଯେ ବାଧ୍ୟ! ଦ୍ୱିତୀୟ ଯୌବନାନ୍ତେ ସେ ଉପଲବ୍ଧି କଲେ ଯେ ତାଙ୍କ କାମନାର ବିନାଶ ଘଟିନାହିଁ। ଅଗ୍ନିକୁଣ୍ଡରେ ମହଣ ମହଣ ଘିଅ ଢାଳିଲେ ଅଗ୍ନି ନିର୍ବାପିତ ହୁଏ ନାହିଁ, ଅଧିକ ପ୍ରଜ୍ୱଳିତ ହୁଏ:
“ନ ଏବ କାମ କାମାନାଂ ଉପଭୋଗେଣ ସାମ୍ୟତି
ହବିଷା କୃଷ୍ଣବର୍ତ୍ତ୍ମେବ ଭୂୟୋଏବାଭିବର୍ଦ୍ଧତେ।”
ଶତ ଯୌବନ ପ୍ରାପ୍ତି ସତ୍ତ୍ୱେ ମଣିଷ ତୃପ୍ତି ଲାଭ କରିପାରିବ ନାହିଁ। ସୁଖ ପଛରେ ଦୌଡ଼ିଦୌଡ଼ି ଦୁଃଖୀ ହେବା ସାର ହେବ ସିନା! ସୁଖ ପଛରେ ଧାଇଁବା ଠାରୁ ଅଧିକ ଦୁଃଖ କ’ଣ ଅଛି ଜୀବନରେ? ନିଶା ଥିବା ପର୍ଯ୍ୟନ୍ତ ସୁରା ସୁଖ ଦିଏ। କ୍ଷଣିକ ସମ୍ଭୋଗ ପରେ, ଭୋଗରୁ ବଞ୍ଚିତ ହୁଏ ଇନ୍ଦ୍ରିୟ। କବି ଦୃଷ୍ଟିରେ ସୁଖ ସଦା ମରୁ-ମରୀଚିକା: “ସୁଖ ବୋଲି ଯାହା ଜନନେତ୍ରେ ଦିଶେ, ହାତେ ଆସେ ହାତୁଁ ପଡ଼ିବା ପାଇଁ ସେ।”
କିନ୍ତୁ ଏକବିଂଶ ଶତାବ୍ଦୀର ବିଜ୍ଞାନୀମାନେ ମଣିଷକୁ ଚିରସ୍ଥାୟୀ ସୁଖ ଦେବା ପାଇଁ ଯେମିତି କୃତସଂକଳ୍ପ। ଏହା ବୁଦ୍ଧ ଓ ବ୍ୟାସଙ୍କୁ ଦୁଃଖୀ କରିଦେବ ନିଶ୍ଚୟ। ସେମାନଙ୍କ ଦର୍ଶନ କେଡ଼େ ଅଳିକ ସତେ! ବିଜ୍ଞାନୀମାନେ ନିଶ୍ଚିତ ହେଲେଣି ଯେ ସେମାନେ ମଣିଷ ଦେହରେ ସୁଖ ହର୍ମୋନର ଚିରପ୍ଳାବନ ସୃଜିବାକୁ ସକ୍ଷମ। ମଣିଷ ଦେହ ଓ ମନରୁ ମଧୁର ଶୀତ୍କାର ଆଉ ନିର୍ବାପିତ ହେବନାହିଁ। ସେହି ମଧୁର ଶୀତ୍କାର ବା ‘ପ୍ଲିଜାଣ୍ଟ ସେନ୍ସେସନ୍’ର ବୈଜ୍ଞାନିକ ନାମ ହିଁ ସୁଖ। ଦୁଃଖ ବା ‘ବିଷାଦ’ କାଳକ୍ରମେ ଶବ୍ଦଭଣ୍ଡାରରୁ ଅପସରିଯିବ। ବସନ୍ତ ଏକ ଋତୁ ହୋଇ ରହିବ ନାହିଁ, ରହିବ ଏକମାତ୍ର ଋତୁ ହୋଇ। ସୁଖ, ସୁଖ ଆଉ ସୁଖର ପ୍ଳାବନରେ ଉବୁଟୁବୁ ହେବ ମଣିଷ ଜାତି। ଚାରିଆଡ଼େ ଖାଲି ସୁଖ ଆଉ ସୁଖ, ଅପ୍ରମିତ ସୁଖ, ସୁଖ ଅପ୍ରମିତ। ଇନ୍ଦ୍ରିୟ ହୁଏତ ବିସ୍ମିତ ହୋଇପାରେ ଭୋଗାତିଶଯ୍ୟରେ।
କିନ୍ତୁ କେବେ ବି ଏମିତି ହୋଇପାରେ ଯେ ମଣିଷ ହଠାତ୍ ଭୋଗ-ପ୍ରବଣତାରୁ ମୁକ୍ତ ହେବ ଏବଂ ପଚାରିବ, ହେ ବିଜ୍ଞନୀଗଣ, ସୁଖର ସଂଜ୍ଞା କ’ଣ? ଇନ୍ଦ୍ରିୟ ସୁଖ କ’ଣ ସତରେ ସୁଖ? ଆମୋଦ କ’ଣ ଆନନ୍ଦର ବିକଳ୍ପ ହୋଇପାରେ? ସେତେବେଳକୁ ସୁଖ-ବିଜ୍ଞାନ ଓ ଦୁଃଖ-ଦର୍ଶନ ଭିତରେ ଥିବା ଦ୍ୱନ୍ଦ୍ୱର ହୁଏତ ଅବସାନ ଘଟି ନ ଥିବ।
ମୋ: ୯୪୩୭୧୪୩୮୯୬
ବହୁବଚନ: ସୁଖ ଅପ୍ରମିତ
ବିଜୟ ନାୟକ