ସ୍ବଭାବକବି ଗଙ୍ଗାଧର ମେହେରଙ୍କ ତିରୋଧାନ ଘଟିଲା ୧୯୨୪ ମସିହା ଏପ୍ରିଲ ୪ ତାରିଖ ଚୈତ୍ର ଅମାବାସ୍ୟା ତିଥିରେ। ଗଙ୍ଗାଧର ନିଜ କାବ୍ୟ କବିତାର ପ୍ରକାଶନ ନିମିତ୍ତ କେବେ କାହାର ସାହାଯ୍ୟ ପ୍ରାର୍ଥୀ ହୋଇ ନ ଥିଲେ। ସେଭଳି ଜଣେ କବିଙ୍କ ଗ୍ରନ୍ଥାବଳୀ ତାଙ୍କ ଜୀବିତାବସ୍ଥାରେ କିପରି ବା ପ୍ରକାଶ ପାଇଥାନ୍ତା? ୬୨ ବର୍ଷ ବୟସରେ ତାଙ୍କର ବିୟୋଗ ପରେ ପୁତ୍ର ଭଗବାନ ମେହେର ତାଙ୍କ ଗ୍ରନ୍ଥାବଳୀ ପ୍ରକାଶ କରିବାର ଉଦ୍ୟମ କରିଥିଲେ। ବରପାଲିରେ ଏଥିପାଇଁ ଏକ ସ୍ବତନ୍ତ୍ର କମିଟି ଗଠିତ ହୋଇଥିଲା। କମିଟି ବିଭିନ୍ନ ସୂତ୍ରରୁ ଆର୍ଥିକ ସାହାଯ୍ୟ ସଂଗ୍ରହ କରି କବିପୁତ୍ରଙ୍କ ହସ୍ତରେ ନ୍ୟସ୍ତ କରିଥିଲେ। ଏହି ଅର୍ଥ ସାହାଯ୍ୟରେ ପ୍ରକାଶିତ ହେଲା ଗଙ୍ଗାଧର ଗ୍ରନ୍ଥାବଳୀର ପ୍ରଥମ ସଂସ୍କରଣ। ଏହା ପରେ ଓଡ଼ିଶାର ବିଶିଷ୍ଟ ପ୍ରକାଶନ ସଂସ୍ଥା ‘ଦାସ ବ୍ରଦର୍ସ’ ଗ୍ରନ୍ଥାବଳୀର ଦ୍ବିତୀୟ, ତୃତୀୟ ସଂସ୍କରଣ ଆଦି ପ୍ରକାଶ କରିଥିଲେ।
‘ଦାସ ବ୍ରଦର୍ସ’ ଦ୍ବାରା ପ୍ରକାଶିତ ଏହି ଗ୍ରନ୍ଥାବଳୀଟିକୁ ସ୍କୁଲ ଛାତ୍ର ଥିବା ସମୟରେ ପଢ଼ିବା ଆରମ୍ଭ କରିଥିଲି। କିନ୍ତୁ ପ୍ରଥମ ସଂସ୍କରଣ ଦେଖିବାର ସୁଦ୍ଧା ସୁଯୋଗ ମିଳି ନ ଥିଲା। ଯେଉଁମାନଙ୍କ ନିକଟରେ ତାହା ରହିଛି ସେମାନଙ୍କ ଠାରୁ ତାହାର ଆକର୍ଷଣୀୟ ବର୍ଣ୍ଣନା ଶୁଣି ମୁଗ୍ଧ ହୋଇଯାଏ। କିନ୍ତୁ ଏ କଥା କାହାକୁ ହେଲେ କହିପାରେନା ଯେ ଆମ ପାଖରେ ଗ୍ରନ୍ଥାବଳୀର ପ୍ରଥମ ସଂସ୍କରଣ ନାହିଁ। ଦିନେ ବଡ଼ବାପାଙ୍କ ସହିତ ଭାବ ବିନିମୟ କରୁ କରୁ ମୁଁ ପ୍ରସ୍ତାବ ଦେଲି ଯେ ଗ୍ରନ୍ଥାବଳୀ ପ୍ରଥମ ସଂସ୍କରଣର ଖଣ୍ଡିଏ କପି ଗଙ୍ଗାଧର ସଂଗ୍ରହାଳୟରେ ସୁରକ୍ଷିତ ରହିବା ଆବଶ୍ୟକ। ତା’ ପରେ ସେ ହିଁ ସୂଚନା ଦେଲେ ଯେ, ମୋର ଦ୍ୱିତୀୟ ବଡ଼ବାପା ନବୀନଚନ୍ଦ୍ରଙ୍କ ପାଖରେ ପ୍ରଥମ ସଂସ୍କରଣଟି ଅଛି। ଏହା ଶୁଣିଲା ପରେ ମନରେ ଆଶା ଉଜ୍ଜୀବିତ ହୋଇ ଉଠିଲା ଯେ ଅନ୍ତତଃ ମ୍ୟୁଜିଅମ୍‌ରେ ପ୍ରଥମ ସଂସ୍କରଣର ଗୋଟିଏ କପି ରହିପାରିବ। ଅବିଳମ୍ବେ ବଡ଼ବାପା ନବୀନଚନ୍ଦ୍ର ମେହେରଙ୍କ ନିକଟକୁ ଯାଇ ମୋର ଆନ୍ତରିକ ଅଭିଳାଷ ବ୍ୟକ୍ତି କଲି। ବଡ଼ବାପା ଅତ୍ୟନ୍ତ ଆନନ୍ଦିତ ଚିତ୍ତରେ ପ୍ରଥମ ସଂସ୍କାରଣର ଗ୍ରନ୍ଥାବଳୀଟି ଦେଲେ। ଗ୍ରନ୍ଥାବଳୀଟିକୁ ବଡ଼ବାପାଙ୍କ ପାଖରୁ ନେଇ ଆସିବା ପରେ ଗୋଟିକ ପରେ ଗୋଟିଏ ପୃଷ୍ଠା ଯେତେବେଳେ ଓଲଟାଇବାକୁ ବସିଲି, ଲକ୍ଷ୍ୟ କଲି ଯେ ତାହା ଜୀର୍ଣ୍ଣ ଅବସ୍ଥାରେ ଉପନୀତ। ଅନେକ ପୃଷ୍ଠା ଛିନ୍ନବିଚ୍ଛିନ୍ନ ହୋଇଯାଇଛି ଏବଂ ବଡ଼ବାପାଙ୍କ ଯତ୍ନରେ ତାହା ପୁଣି ଯୋଡ଼ି ଦିଆଯାଇଛି ଅତ୍ୟନ୍ତ ସତର୍କତାର ସହିତ। ୧୯୫୧ ମସିହାର ଗ୍ରନ୍ଥାବଳୀଟି ସଂଗ୍ରହାଳୟରେ ପ୍ରଦର୍ଶିତ ହେଉ, ଏହା ହିଁ ଥିଲା ମୋର ଆନ୍ତରିକ ଅଭିଳାଷ। ଯେଉଁ ଭଦ୍ରମଣ୍ଡଳୀ ଗଙ୍ଗାଧରଙ୍କ ବ୍ୟବହୃତ ସାମଗ୍ରୀ ଦେଖ‌ିବା ପାଇଁ ଆସନ୍ତି, ସେମାନଙ୍କୁ ସେହି ଗ୍ରନ୍ଥାବଳୀର ପ୍ରଥମ ସଂସ୍କରଣ ଦେଖାଇ ସର୍ବଦା ଅବର୍ଣ୍ଣନୀୟ ଆନନ୍ଦ ଓ ଗୌରବ ଅନୁଭବ ହୋଇଛି।
ଗ୍ରନ୍ଥାବଳୀର ସେହି ପ୍ରଥମ ସଂସ୍କରଣଟି କେବଳ ପ୍ରିଣ୍ଟିଂ ପ୍ରେସ୍‌ରେ ଛପା ଯାଇଥିବା କାଗଜର ଏକ ବୃହଦାକାର ରୂପ ମାତ୍ର ନୁହେଁ। ଏହି ଗ୍ରନ୍ଥାବଳୀଟି ସହିତ ଯୋଡ଼ି ହୋଇ ରହିଛି କବି ପରିବାରର ଅଗଣିତ ସ୍ମୃତି। ଏହି ଗ୍ରନ୍ଥାବଳୀର ବିଭିନ୍ନ ପୃଷ୍ଠା କ୍ଷତ-ବିକ୍ଷତ ହୋଇଯିବା ପଛର ଅସଲ ରହସ୍ୟଟି ହେଲା ମୋର ପୂଜ୍ୟ ପିତାମହ ଭଗବାନ ମେହେରଙ୍କ ନିର୍ଦ୍ଦେଶ ପାଳନ ପୂର୍ବକ ବଡ଼ବାପା ନବୀନଚନ୍ଦ୍ର ମେହେରଙ୍କୁ ତେଣ୍ଡାପଦର ଗ୍ରାମରେ ଅନେକ ବର୍ଷ ରହିବାକୁ ପଡ଼ିଥିଲା। ଏହି ଗ୍ରାମଟିକୁ ପଦ୍ମପୁର ଜମିଦାର ଉପହାର ଭାବରେ ସମର୍ପଣ କରି ଦେଇଥିଲେ ଗଙ୍ଗାଧରଙ୍କୁ। ପଦ୍ମପୁର ଅଞ୍ଚଳ ଓ ତେଣ୍ଡାପଦର ଗ୍ରାମକୁ ଯାହା ବିଚ୍ଛିନ୍ନ କରି ରଖିଥିଲା ତାହା ଏକ ଛୋଟ ନଈ (ଜୋର)। ୧୯୬୦ ମସିହା ପାଖାପାଖି ବଡ଼ବାପା, ବଡ଼ମା’ ତେଣ୍ଡାପଦରରେ ଅବସ୍ଥାନ କରୁଥିଲେ। ସେଠାରେ ଥ‌ିବାବେଳେ ଚାଷକାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବା ସହିତ ବଡ଼ବାପା ଆଉ ଏକ ମହାନ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। ନବୀନଚନ୍ଦ୍ର ମେହେର ଏହା ସହିତ ଆଉ ଏକ ବଳିଷ୍ଠ ଅବଦାନର ଚିହ୍ନ ରଖିଦେଇ ଆସିଛନ୍ତି। ତାହା ହେଲା ପ୍ରତିଦିନ ସନ୍ଧ୍ୟାରେ ଲଣ୍ଠନ ଆଲୁଅରେ ସେ ଗଙ୍ଗାଧର ଗ୍ରନ୍ଥାବଳୀର ପ୍ରଥମ ସଂସ୍କରଣଟିକୁ ପର୍ଯ୍ୟାୟକ୍ରମେ ଗ୍ରାମବାସୀଙ୍କୁ ଅତି ସରଳ ଭାଷାରେ ବୁଝାଇ ଦେଉଥିଲେ। ଆଜି ହୁଏତ ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ଜୀବିତ ନାହାନ୍ତି। ତଥାପି ଏବେ ସୁଦ୍ଧା ତା’ର ଅମଳିନ ସ୍ମୃତି ଗ୍ରନ୍ଥାବଳୀର କ୍ଷତାକ୍ତ ପୃଷ୍ଠାଗୁଡ଼ିକରେ ଅକ୍ଷତ ହୋଇ ରହିଯାଇଛି। ବାରମ୍ବାର ଉକ୍ତ ଗ୍ରନ୍ଥାବଳୀଟିକୁ ଓଲଟାଇ ଓଲଟାଇ ପଢ଼ିବା ଓ ଗ୍ରାମବାସୀଙ୍କୁ ତାହା ସରଳ ଭାବରେ ବୁଝାଇ କହିବା ଦ୍ବାରା ଗ୍ରନ୍ଥାବଳୀଟି ଆଉ ବ୍ୟକ୍ତିଗତ ସମ୍ପତ୍ତି ମାତ୍ର ହୋଇ ରହି ନ ଥିଲା। ଏହି ଗ୍ରନ୍ଥାବଳୀର କ୍ଷତାକ୍ତ ପୃଷ୍ଠାମାନଙ୍କ ମଧ୍ୟରେ ତେଣ୍ଡାପଦର ଗ୍ରାମବାସୀଙ୍କ ଭାବାବେଗ ସଂରକ୍ଷିତ ହୋଇ ରହିଛି।
[email protected]