ଆଜିକାଲି ରାତିଦିନ ବିଜ୍ଞାପନର ଭେଳିକି ଦେଖନ୍ତୁ। ମୃଦୁ ପାନୀୟର ଗୋଟିଏ ଢୋକ ଏମିତି ଝଟ୍କା ଦେଉଛି ଯେ ନାୟକ ପାହାଡ଼ ପର୍ବତ ଡେଇଁ ସମୁଦ୍ରରେ ଝାମ୍ପ ଦେଉଛି ଆଉ ତା’ ଭିତରୁ ବୋତଲଟିକୁ ଉଦ୍ଧାର କରି ବାକିତକ ଢକଢକ କରି ପିଇଯାଉଛି। ମୁହଁରେ ଏକ ମୃଦୁ ପାନୀୟର ସ୍ପର୍ଶରେ ନାୟକ ମଟର ସାଇକେଲ୍ ନେଇଯାଇ ପାହାଡ଼ ଉପରୁ ଶୂନ୍ୟକୁ ଝୁଲି ପଡୁଛି। ଗୋଟିଏ ଅତର ଶିଶି ସାମାନ୍ୟ ଖୋଲିଦେଲେ ତା’ର ବାସ୍ନାରେ ଆକର୍ଷିତ ହୋଇ କୁଆଁରୀ ଝିଅମାନେ ପାଗଳ ହୋଇ ଯୁବକମାନଙ୍କ ଗଳାରେ ଝୁଲି ପଡୁଛନ୍ତି। ଅଳେଇଚ ଦାନା କହି ଚଳଚ୍ଚିତ୍ର ତାରକାମାନେ ଗୁଟ୍ଖା ଖାଇ ଲୋମହର୍ଷଣକାରୀ ଦୃଶ୍ୟ ପ୍ରଦର୍ଶନ କରୁଛନ୍ତି। ଶୁଦ୍ଧ ପାନୀୟ ଜଳ ନାଁରେ ପ୍ରତିଷ୍ଠିତ ମଦ କମ୍ପାନିମାନଙ୍କର ଚିତ୍ର ଦୃଶ୍ୟମାନ ହେଉଛି। ଏହି କ୍ରିମ୍ ଲଗାନ୍ତୁ, ଦିନକୁ ଦିନ ଆପଣ ଗୋରୀ ହୋଇଯିବେ। ଚନ୍ଦା ମୁଣ୍ଡ କି? ଚିନ୍ତା କରନ୍ତୁ ନାହିଁ। ଏହି ତେଲ ଲଗାନ୍ତୁ, ଲଣ୍ଡା ମୁଣ୍ଡରେ ବି ଗୋଛା ଗୋଛା ବାଳ କଅଁଳି ଉଠିବ। ରାତିଦିନ ଏମିତି କେତେ କ’ଣ ବିଜ୍ଞାପନ ସବୁଆଡ଼େ ଛାଇ ହୋଇଯାଇଛି।
କାହିଁ ଏଗୁଡ଼ାକୁ ତ କେହି ମିଥ୍ୟା ଓ ମନଗଢ଼ା ବିଜ୍ଞାପନ କହି ବନ୍ଦ କରୁନାହାନ୍ତି? ଆଉ ସେ ବାବାଜୀ କ’ଣ ଗୋଟେ ରୋଗ ପାଇଁ ଆର୍ୟୁବେଦ ହିଁ ଏକମାତ୍ର ଔଷଧ ବୋଲି କହିଦେବାରୁ ତାଙ୍କର ସମସ୍ତେ ମିଶି କଛା ଖୋଲିଦେଲେଣି। ଏହି ବାବାଜୀଙ୍କ ସଂସ୍ଥା ଯେତେବେଳେ ଆର୍ୟୁବେଦ ଟୁଥ୍ପେଷ୍ଟ ପ୍ରସ୍ତୁତି କରି ବଜାରରେ ଚହଳ ସୃଷ୍ଟି କରିଥିଲା ସେତେବେଳେ ଅନେକ ବଡ଼ବଡ଼ କମ୍ପାନି ଏହାକୁ ତାତ୍ସଲ୍ୟ କରିଥିଲେ, କିନ୍ତୁ ଲକ୍ଷ୍ୟ କରାଗଲା ବର୍ଷେ ଦୁଇ ବର୍ଷ ପରେ ସେମାନେ ମଧ୍ୟ ଏହି ଜାତୀୟ ଲବଙ୍ଗ, ଅଳେଇଚ ଓ ଡାଳଚିନି ଟୁଥ୍ପେଷ୍ଟ ପ୍ରସ୍ତୁତ କରି ଆୟୁର୍ବେଦ ନାଁରେ ବଜାରକୁ ଛାଡ଼ିଥିଲେ। ଆଜିକାଲି ସବୁ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନି ଆର୍ୟୁବେଦ ନାଁରେ ନିଜକୁ ବିକ୍ରି କରିବାକୁ ଚାହୁଛନ୍ତି କିନ୍ତୁ ଦରକାର ପଡ଼ିଲେ ଏହାକୁ ଅଣବୈଜ୍ଞାନିକ କହି ନାକ ଟେକୁଛନ୍ତି।
ବାବାଜୀ ତାଙ୍କ ବିଜ୍ଞାପନରେ ଏକ ମସ୍ତ ବଡ଼ ଭୁଲ୍ କରିଛନ୍ତି, କିନ୍ତୁ ସମସ୍ତେ ଏହିଭଳି ଭୁଲ୍ ବିଜ୍ଞାପନ ପ୍ରଚାର କରୁଥିବା ବେଳେ କେବଳ ବାବାଜୀଙ୍କୁ କାହିଁକି ଦଣ୍ଡ ଦିଆଯାଉଛି? ଶୁଦ୍ଧ ସ୍ବାସ୍ଥ୍ୟକର ଖାଦ୍ୟ ନାଁରେ ଏକ ପ୍ରକାଣ୍ଡ ବହୁରାଷ୍ଟ୍ରୀୟ କମ୍ପାନି ବଜାରରେ କୋଟିକୋଟି ଟଙ୍କାର ଶିଶୁଖାଦ୍ୟ ବିକ୍ରୟ କରୁଛି। ଏବେ ନିକଟରେ ଏହାର କେତୋଟି ବ୍ରାଣ୍ଡ୍କୁ ସ୍ୱାସ୍ଥ୍ୟ ତାଲିକାରୁ ହଟେଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପୃଥିବୀର ଏହି ପ୍ରସିଦ୍ଧ ଶିଶୁଖାଦ୍ୟରେ ଶର୍କରାର ମାତ୍ରାକୁ ନେଇ ଦେଶଦେଶ ମଧ୍ୟରେ ପାତରଅନ୍ତର କରାଯାଉଛି। ୟୁରୋପୀୟ ଦେଶମାନଙ୍କରେ ଏହାର ମାତ୍ରା ଶୂନ୍ୟ ଥିଲା ବେଳେ ଆଫ୍ରିକୀୟ ଓ ଏସୀୟ ମହାଦେଶମାନଙ୍କରେ ବିଶେଷକରି ଭାରତ, ପାକିସ୍ଥାନ ଓ ବାଂଲାଦେଶରେ ଏହାର ମାତ୍ରା ବିପଜ୍ଜନକ ଭାବେ ଅଧିକ ରଖାଯାଇଛି। ଏହା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜ୍ଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ଏବଂ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ମଧ୍ୟ ଏମାନଙ୍କୁ କାହିଁକି କାଠଗଡ଼ାକୁ ଟଣାଯାଇ ଦଣ୍ଡ ଦିଆଯାଉ ନାହିଁ ତାହା ବୁଝାପଡୁନାହିଁ।
ଆପଣ ଯେଉଁ ମୃଦୁ ପାନୀୟ ପିଇ ତାହାର ଶକ୍ତିରେ ପର୍ବତ ଲଂଘି ସମୁଦ୍ରକୁ ଡେଇଁ ପଡୁଛନ୍ତି ସେଥିରେ ଚିନିର ମାତ୍ରା କେତେ ଅଛି ଜାଣିଛନ୍ତି? ଗୋଟିଏ ବୋତଲରେ ଦଶ ଚାମଚ ଚିନି। ଏହା ସ୍ୱାସ୍ଥ୍ୟ ପ୍ରତି କେତେ କ୍ଷତିକାରକ ସମସ୍ତେ ଜାଣିଛନ୍ତି କିନ୍ତୁ ସମସ୍ତେ ଏମାନଙ୍କର ପ୍ରଚାରରେ ଏତେ ବ୍ୟସ୍ତ ଯେ କେହି ଏମାନଙ୍କ ଉପରେ ଆଙ୍ଗୁଠି ଉଠେଇବାକୁ ସାହସ କରୁନାହାନ୍ତି। ଚଳଚ୍ଚିତ୍ର ତାରକାମାନଙ୍କଠୁ ନେଇ କ୍ରିକେଟ୍ ତାରକାମାନେ ସମସ୍ତେ ଏମାନଙ୍କର ବ୍ରାଣ୍ଡ୍ ଆମ୍ବାସଡର୍ ଅଛନ୍ତି ଓ ସେହିମାନଙ୍କୁ ଆଦର୍ଶ ଭାବି ଆମ ଦେଶର ଆବାଳବୃଦ୍ଧବନିତା ରାତିଦିନି ଏଗୁଡ଼ାକୁ ଢୋକଢୋକ କରି ପିଇ ଚାଲିଛନ୍ତି।
ମୁଖ ଗହ୍ୱର କର୍କଟର ମୁଖ୍ୟ କାରଣ ହେଉଛି ଗୁଟ୍ଖା। ଆଜି ସେହି ଗୁଟ୍ଖାରେ କେଶର ଅଛି ବୋଲି ବାରମ୍ବାର ପ୍ରଚାର କରି ଗଣ୍ଡା ଗଣ୍ଡା ଚଳଚ୍ଚିତ୍ର ତାରକା ଏହାକୁ ଖାଇବା ପାଇଁ ବିଜ୍ଞାପନ ଦେଉଛନ୍ତି। ସମସ୍ତେ ଜାଣନ୍ତି ଏହା ସ୍ୱାସ୍ଥ୍ୟ ପାଇଁ ଅନିଷ୍ଟକର, କିନ୍ତୁ କେହି ପାଟି ଫିଟାଉ ନାହାନ୍ତି କାରଣ ଯେଉଁମାନେ ପାଟି ଫିଟେଇବା ଲୋକ ସେମାନଙ୍କ ମୁହଁ ବିଜ୍ଞାପନ ଦ୍ୱାରା ବନ୍ଦ କରିଦିଆଯାଇଛି। ଏହା କ’ଣ ଆମ ସରକାର କି ଆମ ନ୍ୟାୟପାଳିକା ଜାଣିପାରୁ ନାହିଁ? ବାବାଜୀଙ୍କୁ ଯେମିତି ହଲାପଟା କରାଗଲା ଏମାନଙ୍କୁ ସେମିତି କାଠଗଡ଼ାକୁ ଟଣାଯାଉନାହିଁ କାହିଁକି?
ବିଜ୍ଞାପନ କହୁଛି ଯେ ଗୋଟିଏ ନିର୍ଦ୍ଦିଷ୍ଟ ଧୂପକାଠି ଜଳେଇଦେଲେ ଆପଣଙ୍କ ପ୍ରାର୍ଥନା ତୁରନ୍ତ ସାକାର ହୋଇଯାଇଥାଏ। ଏହି ପ୍ରାର୍ଥନା ବଳରେ ଚଉକା ଛକା ମାରିବାଠୁ ନେଇ ଗୋଟିଏ ମୁହୂର୍ତ୍ତରେ ଜଣକୁ ଆଉଟ୍ କରାଯାଇ ପାରିଥାଏ। ନାୟକ ହେଉଛନ୍ତି ଆଧୁନିକ ଯୁଗ ଯୁବକଯୁବତୀମାନଙ୍କର ଭଗବାନ ଯାହାଙ୍କ କଥାକୁ ସେମାନେ ପ୍ରସାଦ ସ୍ୱରୂପ ମୁଣ୍ଡରେ ମାରି ଗ୍ରହଣ କରିନେଇଥାନ୍ତି। ଏହା ଆଧୁନିକ ବୈଜ୍ଞାନିକ ଯୁଗରେ ଏକ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେଉ ନାହିଁ କି? ଏହା ଉପରେ ସମସ୍ତେ ନିରବ କାହିଁକି?
ଭାରତବର୍ଷରେ ପଇଁତିରିଶିଟି ପ୍ରସିଦ୍ଧ ଔଷଧ ପ୍ରସ୍ତୁତକାରୀ କମ୍ପାନି ମିଳିମିଶି ପ୍ରାୟ ନଅ ଶହ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ ଖର୍ଦ୍ଦି କରି କେନ୍ଦ୍ର ଓ ରାଜ୍ୟମାନଙ୍କୁ ଶାସନ କରୁଥିବା ରାଜନୈତିକ ଦଳମାନଙ୍କୁ ଉପହାର ଦେଇଛନ୍ତି। ଏହା ଭିତରେ ସାତଟି ଔଷଧ ପ୍ରସ୍ତୁତକାରୀ ଏପରି ଅଛନ୍ତି ଯେଉଁମାନଙ୍କର ପ୍ରସ୍ତୁତ ଔଷଧ ନିମ୍ନମାନର ହୋଇଥିବାରୁ ଗୁଣବତ୍ତା ପରୀକ୍ଷାରେ ବାରମ୍ବାର ଅସଫଳ ହୋଇଛି। ଏହି ଖବର ବର୍ତ୍ତମାନ ବାଟରେ ପଡ଼ି ହାଟରେ ଗଡୁଛି। ଦିନ ଦ୍ୱିପ୍ରହରେ ଔଷଧ କମ୍ପାନିମାନେ ଲୁଟ୍ତରାଜ କରୁଛନ୍ତି। ଏମାନଙ୍କୁ ତ କାହିଁ କିଏ କୋର୍ଟ କଚେରିକୁ ଟାଣି ହଲାପଟା କରଉନାହାନ୍ତି ଆଉ ବାବାଜୀଙ୍କ ପିଛା କାହିଁକି ଏତେ ପଡ଼ିଛନ୍ତି?
ମୋ: ୯୪୩୭୦୬୭୫୬୭
ସତ କହୁଛି: ବାବାଜୀ ଓ ବିଜ୍ଞାପନ
ଶ୍ୟାମସୁନ୍ଦର ଅଗ୍ରୱାଲା
/sambad/media/post_attachments/wp-content/uploads/2024/04/dgjgdjdgjdgjjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)