ଐତିହ୍ୟର ଧ୍ବଂସ ସ୍ତୂପ ଓ ପରିକ୍ରମା ପ୍ରକଳ୍ପ

ଡକ୍ଟର ତାରାଦତ୍ତ

ପୁରୀରେ ମହାପ୍ରଭୁ ଜଗନ୍ନାଥ ବା ଭୁବନେଶ୍ୱରରେ ଲିଙ୍ଗରାଜ ବା କୋଣାର୍କରେ ସୂର୍ଯ୍ୟ ମନ୍ଦିର; ଓଡ଼ିଶା ପର୍ଯ୍ୟଟନର ଏହି ସୁବର୍ଣ୍ଣ ତ୍ରିଭୁଜ ବିଶ୍ବର କୋଟି କୋଟି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ବିମୋହିତ କରେ। ସୁତରାଂ, ଯେ କୌଣସି ଲୋକପ୍ରିୟ ସରକାର ଏହି ସ୍ମାରକୀଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ପାରିପାର୍ଶ୍ବିକ ଭିତ୍ତିଭୂମିର ବିକାଶ କରିବାର ଦାୟିତ୍ୱ ନେବା ସ୍ବାଭାବିକ। ଭକ୍ତ ଏବଂ ପର୍ଯ୍ୟଟକଙ୍କ ସନ୍ତୋଷ ବିଧାନ ସହିତ ଏହା ସ୍ଥାନୀୟ ଅଞ୍ଚଳର ଆର୍ଥିକ ଉନ୍ନତିରେ ସହାୟକ ହେବ। ସେହି ଦୃଷ୍ଟିରୁ ପ୍ରଚୁର ଧନ ବିନିଯୋଗରେ ବିକଶିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଥମ ଦୃଷ୍ଟିରେ ଆକର୍ଷଣୀୟ ମନେ ହୁଏ, କିନ୍ତୁ ଗଭୀର ଅବଲୋକନରେ ପ୍ରକଳ୍ପ ମଧ୍ୟରେ ନିହିତ ବିନାଶକାରୀ ତତ୍ତ୍ବ ଏବଂ ପ୍ରୟୋଗଜନିତ ତ୍ରୁଟି-ବିଚ୍ୟୁତି ଦୃଷ୍ଟିଗୋଚର ହୋଇଥାଏ।
ପ୍ରଥମ କଥା ହେଲା, ଶ୍ରୀମନ୍ଦିରକୁ ଘେରି ରହିଥିବା ସମସାମୟିକ ଅନେକ ପ୍ରାଚୀନ ସ୍ମାରକୀକୁ ପରିକ୍ରମା ପଥ ନିର୍ମାଣ ନାମରେ ଧ୍ବଂସ କରି ଦିଆଗଲା। ଏହି ପ୍ରାଚୀନ ଐତିହ୍ୟରାଜିର ବିଲୁପ୍ତି ଦ୍ବାରା ହୋଇଥିବା ସାଂସ୍କୃତିକ କ୍ଷତିର ଭରଣା କରାଯିବା ଅସମ୍ଭବ। ସେହିପରି ମନ୍ଦିର ପ୍ରବେଶ ନିମନ୍ତେ ଦୀର୍ଘ ଓ ସର୍ପିଳ ଲୁହା ବାରିକେଡ୍‌ ମଧ୍ୟ ଅଯଥା ବୋଲି ପ୍ରମାଣିତ ହୋଇଥିଲା। ଏହି ବ୍ୟବସ୍ଥା ଦ୍ବାରା ମନ୍ଦିର ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁମାନେ ଯେଉଁ ଦାରୁଣ ଶାରୀରିକ ଓ ମାନସିକ ଯାତନା ଭୋଗୁଥିଲେ, ତାହା କେବଳ ଅଙ୍ଗେ ନିଭେଇଥିବା ଲୋକ ହୃଦୟଙ୍ଗମ କରି ପାରିବ।
ପ୍ରକାଶ ଥାଉ କି, ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ବର୍ତ୍ତମାନର ଭବ୍ୟ ଶ୍ରୀମନ୍ଦିର ଭକ୍ତି-ଆନ୍ଦୋଳନର ଅଭ୍ୟୁଦୟ ତଥା ବିସ୍ତରଣର ସାକ୍ଷୀ। ଏହି ଆନ୍ଦୋଳନର ସ୍ମାରକୀ ଓ ପ୍ରତୀକଗୁଡ଼ିକୁ ପରିକ୍ରମା-ପଥ ବିକାଶ ଆଳରେ ନିର୍ମମତାର ସହ ବିଲୁପ୍ତ କରିଦିଆଯାଇଛି। ଏହାର ଉଦାହରଣ ମହାପ୍ରଭୁଙ୍କ ଭକ୍ତ ଏବଂ ଇତିହାସ ଓ ସଂସ୍କୃତି-ପ୍ରେମୀମାନଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଏମାର ମଠ ଏବଂ ଅନ୍ୟାନ୍ୟ ଅନେକ ମଠ। ଏହି ମଠଗୁଡ଼ିକ ପ୍ରାଚୀନ କାଳରେ ଶିକ୍ଷାର କେନ୍ଦ୍ର ହେବା ସହିତ ଅମୂଲ୍ୟ ପ୍ରାଚୀନ ଶାସ୍ତ୍ର ଓ ପୋଥି ସଂବଳିତ ପାଠାଗାର ଭାବରେ ମଧ୍ୟ ବିଦିତ ଥିଲେ। ମଧ୍ୟଯୁଗୀୟ ବୈଦେଶିକ ଆକ୍ରମଣକାରୀମାନେ ମଧ୍ୟ ଏ ସବୁକୁ ଧ୍ବଂସ କରି ନ ଥିଲେ, ଯାହା ପରିକ୍ରମା ପ୍ରକଳ୍ପ କଲା।
ପ୍ରକାଶ ଥାଉ କି, ଐତିହାସିକ ଓ ସାଂସ୍କୃତିକ ସ୍ମାରକୀ ଏବଂ ପ୍ରତୀକଙ୍କ ରକ୍ଷଣାବେକ୍ଷଣ ପ୍ରତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଆଗ୍ରହ ସୁବିଦିତ; ଏଭଳି ସ୍ଥଳେ ତାଙ୍କ ଶାସନ ଅମଳରେ ଏଭଳି ଧ୍ବଂସଲୀଳା ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ବିସ୍ମୟଜନକ। ଅଧିକ ଦୁଃଖର ବିଷୟ ହେଲା ସ୍ଥାନୀୟ ଭଦ୍ରଲୋକ, ଜଗନ୍ନାଥ ସଂସ୍କୃତିର ପଣ୍ଡିତ, ବିଶେଷଜ୍ଞ ଆଦି ସମସ୍ତେ ପ୍ରାୟତଃ ଏହି ବିନାଶର ମୂକ ସାକ୍ଷୀ ହେଲେ।
ଅବଶ୍ୟ, ଏହା ସତ ଯେ ରାଜ୍ୟ ବାହାରେ ସୁପରିଚାଳିତ ଧାର୍ମିକ କେନ୍ଦ୍ରଗୁଡ଼ିକରେ ଥିବା ସୁସ୍ଥ ପରମ୍ପରାଗୁଡ଼ିକର ଅନୁକରଣ କରାଯିବା ଉଚିତ, କିନ୍ତୁ କେବଳ ‘କପି-ପେଷ୍ଟ୍‌’ ପ୍ରଣାଳୀ ଦ୍ୱାରା ବ୍ୟବସ୍ଥାରେ ଉନ୍ନତି ଆଣିବା ସମ୍ଭବପର ନୁହେଁ। ଗଙ୍ଗ ବଂଶର ଶାସକଙ୍କ ଦ୍ବାରା ନିର୍ମିତ ଶ୍ରୀମନ୍ଦିର ପରିସରର ସୁବିସ୍ତୃତ ସଂରଚନା ଫଳରେ ପ୍ରାୟ ହଜାରେ ବର୍ଷ ପର୍ଯ୍ୟନ୍ତ ଦେଶ-ଦେଶାନ୍ତରରୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ଲାଭ ସହଜରେ କରିପାରୁଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଆଧୁନିକ ଜ୍ଞାନ-କୌଶଳ ଓ ସାଧନ ସଂପନ୍ନ ହୋଇଥିଲେ ମଧ୍ୟ ନୂଆ ବ୍ୟବସ୍ଥା ଦାୟିତ୍ବରେ ଥିବା ଶାସକଙ୍କ ଉଦାସୀନତା ବା ଜ୍ଞାନଶୂନ୍ୟ ଅହଂକାର ଯୋଗୁଁ ଏଭଳି ଏକ ଦର୍ଶନ ବ୍ୟବସ୍ଥା ହେଲା, ଯହିଁରେ ଲୋକେ ଶ୍ରୀମନ୍ଦିର ପ୍ରବେଶ କରିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଲେ। ମୋ’ ନିଜ ତଥା ଅନ୍ୟମାନଙ୍କ ଅନୁଭୂତି ଆଧାରରେ କହିବି ଯେ ଭାରି ବ୍ୟାରିକେଡ୍ ଆବଦ୍ଧ ଧାଡ଼ି-ଦର୍ଶନ ପ୍ରଥା ମନୁଷ୍ୟକୃତ ବିପର୍ଯ୍ୟୟର ସମ୍ଭାବନାକୁ ବୃଦ୍ଧି କରିଥା‌ଏ।
ସେ ଯାହା ହେଉ, ଏବେ ମନ୍ଦିର ପ୍ରାଙ୍ଗଣ ମଧ୍ୟକୁ ସହଜରେ ପ୍ରବେଶ କରିବା ଲାଗି ନୂଆ ସରକାର ଚାରି ଦ୍ବାର ଖୋଲି ଦେଇଛନ୍ତି। ଅବଶ୍ୟ ଶୁଣିବାକୁ ମିଳୁଛି ଯେ ଏହା ପରେ ମନ୍ଦିର ଭିତରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଅସମ୍ଭବ ଭାବେ ବୃଦ୍ଧି ପାଇ ଅବସ୍ଥା ସାଂଘାତିକ ହୋଇଛି। ଚାରି ଦ୍ବାର ଖୋଲା ହେବା ଶୁଣି ଦର୍ଶନ ଆକୁଳ ଭକ୍ତମାନେ ଧାଇଁ ଆସିବା ଯୋଗୁଁ ଏଭଳି ସ୍ଥିତି ହୋଇଛି। ଏଥିରୁ ବୁଝି ହୁଏ ଯେ ଧାଡ଼ି ଦର୍ଶନ ବ୍ୟବସ୍ଥା ସେମାନଙ୍କୁ କିଭଳି ସନ୍ତପ୍ତ କରି ରଖିଥିଲା। ଏଭଳି ଭିଡ଼ ସବୁ ଦିନ ଲାଗି ରହିବ ନାହିଁ। ଆଗ୍ରହାତିଶଯ୍ୟ କ୍ରମେ ପ୍ରଶମିତ ହେଲେ ସ୍ଥିତି ଶୃଙ୍ଖଳିତ ହୋଇଯିବ। ଧାଡ଼ି ଦର୍ଶନ ଭଳି ଏକ ମନୁଷ୍ୟକୃତ ବ୍ୟବସ୍ଥାରେ ଭକ୍ତମାନଙ୍କୁ ବନ୍ଦୀ କରି ଦିଆଯିବା ଭଳି ସ୍ଥିତି ଯେ ଅପରିଣାମଦର୍ଶୀ ଏହା ନିଃସନ୍ଦେହ। ଅବଶ୍ୟ, ଏଥିରେ ସନ୍ଦେହ ନାହିଁ ଯେ ମନ୍ଦିରର ଆଭ୍ୟନ୍ତରୀଣ ବ୍ୟାପାରର ସୁପରିଚାଳନା ପାଇଁ ସଂସ୍କାର, ଯଥା ପଣ୍ଡା-ପୁରୋହିତମାନଙ୍କ ସମୁଚିତ ତାଲିମ ଏବଂ ଭକ୍ତମାନଙ୍କ ପାଇଁ ବାହ୍ୟ ଓ ଆଭ୍ୟନ୍ତର ପରିବେଶରେ ନିରନ୍ତର ଉନ୍ନତି ଆବଶ୍ୟକ। କିନ୍ତୁ ରକ୍ଷଣାବେକ୍ଷଣ ଓ ବିକାଶ ନାମରେ ମନୁଷ୍ୟକୃତ ଅସୁବିଧା ସୃଷ୍ଟି କରିବା ବା ପ୍ରଶସ୍ତ ପରିକ୍ରମା‌- ପଥକୁ ଉନ୍ମୁକ୍ତ କରିବା ଲାଗି ପ୍ରାଚୀନ ଐତିହ୍ୟକୁ ଧ୍ବଂସ କରିଦେବା ନିଶ୍ଚିତ ରୂପେ ବିବେକୀ କାର୍ଯ୍ୟ ନ ଥିଲା।
ମୋ:୯୪୩୯୫୪୪୨୨୬

ସମ୍ବନ୍ଧିତ ଖବର