ଆପଣ ଯେଉଁ ପୋଷାକ ପିନ୍ଧିଛନ୍ତି ତା’ର ପ୍ରଭାବ ଆମ ପରିବେଶ ଓ ଜଙ୍ଗଲ ଉପରେ ପଡୁଛି। ବିସ୍ମୟକର ହେଲେ ବି ଏହା ସତ।
ଏବେ ଆସନ୍ତୁ ଜାଣିବା ଏହାର କାରଣ କ’ଣ? ସୁତା ଲୁଗା ମୁଖ୍ୟତଃ କପାରୁ ପ୍ରସ୍ତୁତ ହେଉଥିବା ବେଳେ ପଶମ କନା ମେଣ୍ଢା ଲୋମରୁ ପ୍ରସ୍ତୁତ ହୁଏ ବୋଲି ସମସ୍ତେ ଜାଣନ୍ତି। ସେହିଭଳି ଆଜିକାଲି ବହୁଳ ଭାବେ ଆଦୃତ ଏବଂ ବ୍ୟବହୃତ ଲିନିନ କନା ନୀଳ ରଙ୍ଗର ଫୁଲ ଫୁଟୁଥିବା ଅଳସୀ ଗଛର ତନ୍ତୁରୁ ପ୍ରସ୍ତୁତ ହୋଇଥାଏ। ‘କାଶମେରେ’ ଓ ‘ମୋହେୟର’ ବସ୍ତ୍ର ଏକ ପ୍ରକାର ଛେଳି ଲୋମରୁ ପ୍ରସ୍ତୁତ ହୋଇଥାଏ। ଅତ୍ୟନ୍ତ ମୂଲ୍ୟବାନ ଅଙ୍ଗୋରା ଉଲ ନିର୍ଦ୍ଦିଷ୍ଟ ପ୍ରଜାତିର ଠେକୁଆ ଲୋମରୁ ପ୍ରସ୍ତୁତ ହୋଇଥାଏ।
କନା ବା କପଡ଼ା ପ୍ରସ୍ତୁତିରେ ‘ଭିସ୍କଜ୍’, ‘ଲିଓସେଲ’ ଓ ‘ମୋଡାଲ’ ଆଦିକୁ ମୂଳ ସାମଗ୍ରୀ ଭାବେ ବ୍ୟବହାର କରାଯାଏ। ଏହିସବୁ ତନ୍ତୁ ବିଭିନ୍ନ ଜଙ୍ଗଲ ଓ ଗଛରୁ ପ୍ରସ୍ତୁତ ହୋଇଥାଏ। ଜଳବାୟୁ ପରିବର୍ତ୍ତନ କାରଣରୁ ଜୈବ-ବିବିଧତାର ବିପଦ ଘନେଇ ଆସୁଥିବା ବେଳେ ଦୈନଦିନ ଜୀବନରେ ଆମେ ପିନ୍ଧୁଥିବା ବସ୍ତ୍ର ଓ ପୋଷାକ ବା ଲୁଗା ମଧ୍ୟ ଆମ ବୃକ୍ଷଲତା ଓ ଜଙ୍ଗଲ ସଂପଦକୁ ପ୍ରଭାବିତ କରୁଛି। କାରଣ ଏହି ଉପାଦାନଗୁଡ଼ିକୁ ‘କୃତ୍ରିମ ସେଲ୍ୟୁଲଜ ତନ୍ତୁ’ (ଏମ.ଏମ.ସି.ଏଫ) ବୋଲି କୁହାଯାଏ, ଯାହା ଦ୍ରବୀଭୂତ ହୋଇଥିବା କାଠର ତନ୍ତୁରୁ ପ୍ରସ୍ତୁତ ହୋଇଥାଏ। ସାଧାରଣତଃ, ଆମର ବସ୍ତ୍ର ଓ ବୟନ ଶିଳ୍ପରେ ବ୍ୟବହୃତ ମୋଟ ତନ୍ତୁର କେବଳ ୬% ଏହି ଶ୍ରେଣୀଭୁକ୍ତ। କିନ୍ତୁ, ଏବେ ଅନିୟନ୍ତ୍ରିତ ଭାବେ ଏପରି ତନ୍ତୁର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଏହି ତନ୍ତୁ ଦୀର୍ଘସ୍ଥାୟୀ ହୋଇଥିବାରୁ ପ୍ରତିଷ୍ଠିତ ବୟନ ଶିଳ୍ପ କଂପାନିଗୁଡ଼ିକ ଦ୍ବାରା ଏହାର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଏଭଳି ତନ୍ତୁ ଜଙ୍ଗଲରୁ ଉତ୍ପାଦିତ ହେଉଥିବାରୁ ଏହା ବିଘଟନକ୍ଷମ ଏବଂ ନବୀକରଣ ଯୋଗ୍ୟ ଉତ୍ସରୁ ଆସୁଥିବାରୁ ଏପରି ତନ୍ତୁର ଅଧିକ ବ୍ୟବହାର ସ୍ୱାଗତଯୋଗ୍ୟ, ମାତ୍ର ଚିନ୍ତାର କାରଣ ହେଲା ଏହା ଯେ କର୍ପୋରେଟ ପରିଚାଳିତ ବୃହତ୍ ବୟନ ଶିଳ୍ପ ଦ୍ବାରା ଏହି ବାଟେ ଆମ ପ୍ରାକୃତିକ ଜଙ୍ଗଲ ସମ୍ପଦ ବିଧ୍ବସ୍ତ ହେବ।
କାଷ୍ଠ ଭିତ୍ତିକ ଯୋଗାଣ ଶୃଙ୍ଖଳର ସମସ୍ୟା ହେଲା ତଦ୍ଦ୍ବାରା ଜଙ୍ଗଲ ଓ ମୃତ୍ତିକା କ୍ଷୟ, ଜଳ ପ୍ରଦୂଷଣ, ଜୈବବିବିଧତାର ଅବକ୍ଷୟ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତିଙ୍କ ଅସ୍ତିତ୍ବ ସଂକଟ। ସଙ୍କଟାପନ୍ନ ଜଙ୍ଗଲଗୁଡ଼ିକର ସୁରକ୍ଷା ପ୍ରତି ଧ୍ୟାନ ଦେଉଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘କାନୋପି’ ଦ୍ୱାରା କରାଯାଇଥିବା ଆକଳନରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ବର୍ଷ ଉପରୋକ୍ତ ଏମ.ଏମ.ସି.ଏଫ. ତନ୍ତୁ ସଂଗ୍ରହ ସକାଶେ ପ୍ରାୟ ୩୦ କୋଟି ଗଛ କଟାଯାଉଛି। ଅବାରିତ ଜଙ୍ଗଲ କ୍ଷୟକୁ ପୃଥିବୀର କେତେକ ବୃହତ୍ତମ ମଣ୍ଡ ଓ ‘ଭିସ୍କୋଜ୍’ (ରେୟନ ଭଳି ବସ୍ତ୍ର ଏଥିରୁ ପ୍ରସ୍ତୁତ ହୁଏ) ଉତ୍ପାଦକଙ୍କ ସହିତ ଯୋଡ଼ି ଅନେକ ରିପୋର୍ଟ ରହିଛି। ବିଭିନ୍ନ ବସ୍ତ୍ର ପ୍ରସ୍ତୁତକାରୀମାନଙ୍କ ଦ୍ବାରା ବ୍ୟବହୃତ ‘ଭିସ୍କୋଜ୍’ର ଯୋଗାଣ ଅବ୍ୟାହତ ରଖାଯାଇ କିଭଳି ପରିବେଶ ଉପଯୋଗୀ ତଥା ବୃକ୍ଷ ସୁରକ୍ଷା କେନ୍ଦ୍ରିକ ବାଟ ବାହାର କରାଯାଇପାରିବ, ତାହା ଉପରେ ଏବେ ଗୁରୁତ୍ବାରୋପ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୟନ ଶିଳ୍ପ କମ୍ପାନିଗୁଡ଼ିକ ସେମାନଙ୍କର ଗ୍ରାହକମାନଙ୍କୁ ସେମାନେ ବ୍ୟବହାର କରୁଥିବା ବସ୍ତ୍ରର ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ସଂପର୍କରେ ସଚେତନ କରାଇବା କଥା କୁହାଗଲାଣି। ‘ଭିସ୍କୋଜ୍’ ଏବଂ ଲିନିନ ଭଳି ଶିଳ୍ପ ପାଇଁ ଜଙ୍ଗଲ ଅବକ୍ଷୟ ଯେମିତି ନ ହୁଏ ବା ଜଙ୍ଗଲ ଜମିର ହସ୍ତାନ୍ତରଣ କରା ନ ଯାଏ ତାହା ସୁନିଶ୍ଚିତ କରିବା ନେଇ ଦାବି ଉଠୁଛି। ତେଣୁ ଏଭଳି କ୍ଷେତ୍ରରେ କିଛି ନିର୍ଦ୍ଦିଷ୍ଟ ଧାରଣକ୍ଷମ ମାନକ ନିର୍ଦ୍ଧାରଣ କରିବାକୁ ପଡ଼ିବ, ଯାହା ଦ୍ବାରା ଜଙ୍ଗଲ କ୍ଷତିଗ୍ରସ୍ତ ହେବାର ଭୟ ରହିବ ନାହିଁ। ଏହାର ଅର୍ଥ ବୟନ ଉଦ୍ୟୋଗ ନିଜର ଉତ୍ପାଦନ ପାଇଁ ଆବଶ୍ୟକ କରୁଥିବା ତନ୍ତୁ ସରକାରୀ ନିୟନ୍ତ୍ରିତ ଉତ୍ସରୁ ଯୋଗାଡ଼ କରିବା ଆବଶ୍ୟକ। କାରଣ, ଜଙ୍ଗଲ ସୁରକ୍ଷା ହିଁ ସାଂପ୍ରତିକ ସମୟରେ ଧ୍ୟେୟ ହେବା ଉଚିତ।
ଜଳବାୟୁ ପରିବର୍ତ୍ତନର ବିପଦ କ୍ରମେ ଘନେଇ ଆସୁଥିବା ବେଳେ ଜଙ୍ଗଲ ସୁରକ୍ଷା ସର୍ବାଧିକ ମହତ୍ତ୍ବ ଲାଭ କରିଛି। ଏଭଳି ସ୍ଥଳେ ଆମ ଜୀବନଚର୍ଯ୍ୟାରେ ଅଙ୍ଗାଙ୍ଗୀ ହୋଇଥିବା ଏକ ଅତି ସାଧାରଣ କାର୍ଯ୍ୟ ଯେ ଜଙ୍ଗଲ ଧ୍ବଂସର ଏକ କାରଣ ପାଲଟିଛି, ତାହା ଜାଣିବା ପରେ ଆମେ ପିନ୍ଧୁଥିବା ପୋଷାକ ପ୍ରତି ଆମ ଦୃଷ୍ଟିଭଙ୍ଗୀ ବଦଳି ଯିବା ଉଚିତ। ଏଣିକି ପ୍ରତିଟି ପୋଷାକ କିଣିଲା ବେଳେ ବା ପିନ୍ଧିଲା ବେଳେ ଏହି ପ୍ରସଙ୍ଗକୁ ମନରେ ରଖିଲେ କେତେକ ବସ୍ତ୍ର ପ୍ରତି ଆମର ଆଗ୍ରହ ହୁଏତ କମିବ, ଯାହା ଜଙ୍ଗଲକୁ କିଞ୍ଚିତ ସୁରକ୍ଷା ପ୍ରଦାନ କରିପାରେ।
ପୁରୁଣା ଏବଂ ବର୍ଷୀୟାନ ବୃକ୍ଷର ଛେଦନ ଯେମିତି ନ ହୁଏ ସେ ଦିଗରେ ବୟନ ଉଦ୍ୟୋଗ ଅଙ୍ଗୀକାରବଦ୍ଧ ହେବା ଜରୁରୀ। ଏହି ଉଦ୍ୟୋଗଗୁଡ଼ିକ ଦ୍ବାରା ଯେମିତି ବିବିଧତାପୂର୍ଣ୍ଣ ଜଙ୍ଗଲକୁ ଏକକ ପ୍ରଜାତିର ବୃକ୍ଷରେ ରୂପାନ୍ତରିତ କରା ନ ଯାଏ, ସେଥି ପ୍ରତି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅତ୍ୟନ୍ତ ସଯତ୍ନ ଦୃଷ୍ଟି ରହିବା ଆବଶ୍ୟକ। ଏହା ସହିତ ଏହି ସଂଦର୍ଭରେ ସାରା ଦେଶରେ ଗୋଟିଏ ମାନକ ଏବଂ ଗୋଟିଏ ନିୟମ ରହିବା ଆବଶ୍ୟକ। ଅନେକ ବିଶେଷଜ୍ଞ ମତ ଦିଅନ୍ତି ଯେ ବିଭିନ୍ନ କମ୍ପାନି ଦ୍ବାରା ପ୍ରସ୍ତୁତ ଏଭଳି ବସ୍ତ୍ର ସବୁକୁ ଏକ ତୃତୀୟ ପକ୍ଷ ଦ୍ବାରା ‘ଅଡିଟ୍’ ବା ପର୍ଯ୍ୟବେକ୍ଷଣ କରାଯାଇ ପ୍ରମାଣ ପତ୍ର ପ୍ରଦାନ କରିବା ଆବଶ୍ୟକ। ଏଭଳି ସାମଗ୍ରୀ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ କେଉଁ ଜଙ୍ଗଲରୁ ସେମାନଙ୍କ କଞ୍ଚାମାଲ ସଂଗ୍ରହ କରୁଛନ୍ତି ତା’ର ବିଧିବଦ୍ଧ ରେକର୍ଡ ସେମାନେ ରଖିବା ଉଚିତ। ଏବେ ପ୍ରତି ପାଞ୍ଚ ବର୍ଷରେ ଥରେ ପ୍ରମାଣପତ୍ର ଦିଆଯାଉଛି; ଏହାକୁ ପ୍ରତି ବର୍ଷକୁ ପରିବର୍ତ୍ତିତ କରାଯିବା ଉଚିତ। ଆମେ ଜାଣୁ ଯେ ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ଲାଗି ବିଭିନ୍ନ ଉଦ୍ୟୋଗ ପକ୍ଷରୁ ଗ୍ରାହକମାନଙ୍କ ସକାଶେ ଏକ ପ୍ରମାଣପତ୍ର ଦେଇ ସେଭଳି କରି ନ ଥିବାର ପ୍ରତିଶ୍ରୁତି ଦେଉଛନ୍ତି। ସେଭଳି ପ୍ରମାଣପତ୍ର ଏଭଳି ବସ୍ତ୍ର ନିର୍ମାତାମାନେ ଦେବା ଉଚିତ ଯହିଁରେ ସେମାନଙ୍କ କାର୍ଯ୍ୟ ଦ୍ବାରା ହୋଇଥିବା ପାରିବେଶିକ କ୍ଷତି ଏକ ସହନୀୟ ସ୍ତରରେ ରହିଛି ବୋଲି ପ୍ରତିଶ୍ରୁତି ରହିଥିବ।
ପ୍ରକାଶ ଥାଉ କି ବୟନ ଶିଳ୍ପ ପାଇଁ ବିଭିନ୍ନ ପ୍ରାଣୀମାନଙ୍କ ଠାରୁ ତଥା ଜଙ୍ଗଲରୁ ସଂଗୃହୀତ ଲୋମ ଓ ତନ୍ତୁ ମଧ୍ୟରୁ ୬୦ରୁ ୬୫ ପ୍ରତିଶତର ପ୍ରାମାଣିକତା ରହିଛି। ଆମ ବସ୍ତ୍ର ପ୍ରସ୍ତୁତି ପାଇଁ ଜଙ୍ଗଲରୁ ସଂଗୃହୀତ କଞ୍ଚାମାଲର ୪୦%ରୁ ଅଧିକ ସଂକଟାପନ୍ନ ଉତ୍ସରୁ ସଂଗ୍ରହ କରାଯାଇଥାଏ। କିନ୍ତୁ ମୂଳ କଥା ହେଲା ଏ ଯାବତ୍ ସେମିତି କୌଣସି ପନ୍ଥା ବାହାରି ନାହିଁ ଯାହା ବଳରେ ଆମେ ପିନ୍ଧୁଥିବା ପୋଷାକ ଦ୍ବାରା କେତେ ପରିମାଣର ଜଙ୍ଗଲର ଧ୍ବଂସ ସାଧନ ହେଉଛି, ସେ ନେଇ କୌଣସି ଧାରଣା କରି ହେବ। ଇଉରୋପୀୟ ୟୁନିଅନର ଜଙ୍ଗଲ ପରିଚାଳନା ଦୃଢ଼ ନିୟମାବଳୀ ଦ୍ବାରା ହେଉଥିବାରୁ ସେଠାକାର ଜଙ୍ଗଲ ସୁରକ୍ଷିତ। ବୟନ ଉଦ୍ୟୋଗ ଦ୍ବାରା ଜଙ୍ଗଲ କିଭଳି ପ୍ରଭାବିତ ହେଉଛି ସେ ସମ୍ପର୍କରେ ଇଉରୋପୀୟ ଦେଶଗୁଡ଼ିକରେ ସଚେତନ କରାଯାଉଛି। ସେହି ସବୁ ଦେଶର ୫୦% କମ୍ପାନି ଏବେ ସିଦ୍ଧାନ୍ତ ନେଇଛନ୍ତି ଯେ ସେମାନେ କେବଳ ନିୟନ୍ତ୍ରିତ ଜଙ୍ଗଲରୁ ହିଁ ସେମାନଙ୍କ କଞ୍ଚାମାଲ ଆହରଣ କରିବେ। ତେବେ, ଭାରତୀୟ ବୟନ ଶିଳ୍ପ କମ୍ପାନିଗୁଡ଼ିକ ଏ ଦିଗରେ ବହୁତ ପଛରେ ଅଛନ୍ତି। ତେଣୁ ଆମ ଦେଶ ପରିପ୍ରେକ୍ଷୀରେ ସଚେତନତା ସୃଷ୍ଟି, ସ୍ପଷ୍ଟ ନିୟମ ନିର୍ଦ୍ଧାରଣ ଏବଂ ସେ ସବୁର ଅନୁପାଳନ ଯେ ନିତାନ୍ତ ଆବଶ୍ୟକ ସେଥିରେ ସନ୍ଦେହ ନାହିଁ।
ଜଳବାୟୁ ପରିବର୍ତ୍ତନର ବିପଦ କ୍ରମେ ଘନେଇ ଆସୁଥିବା ବେଳେ ଜଙ୍ଗଲ ସୁରକ୍ଷା ସର୍ବାଧିକ ମହତ୍ତ୍ବ ଲାଭ କରିଛି। ଏଭଳି ସ୍ଥଳେ ଆମ ଜୀବନଚର୍ଯ୍ୟାରେ ଅଙ୍ଗାଙ୍ଗୀ ହୋଇଥିବା ଏକ ଅତି ସାଧାରଣ କାର୍ଯ୍ୟ ଯେ ଜଙ୍ଗଲ ଧ୍ବଂସର ଏକ କାରଣ ପାଲଟିଛି, ତାହା ଜାଣିବା ପରେ ଆମେ ପିନ୍ଧୁଥିବା ପୋଷାକ ପ୍ରତି ଆମ ଦୃଷ୍ଟିଭଙ୍ଗୀ ବଦଳି ଯିବା ଉଚିତ। ଏଣିକି ପ୍ରତିଟି ପୋଷାକ କିଣିଲା ବେଳେ ବା ପିନ୍ଧିଲା ବେଳେ ଏହି ପ୍ରସଙ୍ଗକୁ ମନରେ ରଖିଲେ କେତେକ ବସ୍ତ୍ର ପ୍ରତି ଆମର ଆଗ୍ରହ ହୁଏତ କମିବ, ଯାହା ଜଙ୍ଗଲକୁ କିଞ୍ଚିତ ସୁରକ୍ଷା ପ୍ରଦାନ କରିପାରେ।
ମୋ: ୯୯୧୦୭୪୦୮୩୯