ଆମ ଗ୍ରହ ମଣ୍ଡଳରେ ପୃଥିବୀ ହେଉଛି ଏକମାତ୍ର ଗଡ଼ ଯେଉଁଠି ଜୀବଜଗତର ବିବର୍ତ୍ତନ ହୋଇଛି। କୋଟି କୋଟି ବର୍ଷର ଜୈବିକ ବିବର୍ତ୍ତନ କାରଣରୁ ପୃଥିବୀ ପୃଷ୍ଠରେ ମଣିଷର ଆବିର୍ଭାବ ଘଟିଛି, ଯାହା ପ୍ରକୃତିର ଏକ ଅଭିନବ ଘଟନା। ମଣିଷର ଆବିର୍ଭାବ ପରଠାରୁ ହଜାର ହଜାର ବର୍ଷର ପରିବର୍ତ୍ତନ ମଧ୍ୟ ଦେଇ ମଣିଷ ଆଦିମରୁ ସଭ୍ୟ ସ୍ତରକୁ ଆସିପାରିଛି। ଆମ ଗ୍ରହମଣ୍ଡଳରେ ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଜୀବଜଗତ ଥିବାର ପ୍ରମାଣ ନାହିଁ। ପୃଥିବୀରେ ଥିବା ଲକ୍ଷ ଲକ୍ଷ ପ୍ରକାରର ପ୍ରାଣୀ ଓ ଅସଂଖ୍ୟ ଉଦ୍ଭିଦ ଜାତି ଏଭଳି ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି, ଯାହା ଫଳରେ ମଣିଷ ଏଠାରେ କେବଳ ତିଷ୍ଠି ରହିନାହିଁ, କ୍ରମ ବିକଶିତ ହୋଇଛି ମଧ୍ୟ। ତେବେ ବିଡ଼ମ୍ବନା ହେଲା, ବିଂଶ ଶତାବ୍ଦୀର ମଧ୍ୟଭାଗରୁ ମନୁଷ୍ୟକୃତ କାରଣ ହେତୁ ପୃଥିବୀର ପରିବେଶ ପ୍ରଦୂଷିତ ଓ ଜୀବନ ପ୍ରତିକୂଳ ହୋଇ ଚାଲିଛି। ଏହି କାରଣରୁ ଜୀବ ଜଗତର ଭବିଷ୍ୟତ ନେଇ ଅନେକ ଆଶଙ୍କା ଦେଖାଦେବାରେ ଲାଗିଛି; ବିଭିନ୍ନ ସ୍ଥାନରେ ଜୈବବିବିଧତା ନଷ୍ଟ ହେଉଛି ଓ ଅସଂଖ୍ୟ ଜାତିର ବୃକ୍ଷ ଓ ପ୍ରାଣୀ ବିଲୟମୁଖୀ ବା ବିଲୁପ୍ତ ହେବାରେ ଲାଗିଛନ୍ତି। ଏହି ପୃଷ୍ଠଭୂମିରେ ଆମେରିକାର ଜଣେ ବିଶିଷ୍ଟ ଜୀବବିଜ୍ଞାନୀ ଓ ପରିବେଶବିଜ୍ଞାନୀ ରାଚେଲ୍ କାର୍ସନ୍ (୧୯୦୭-୧୯୬୪) ଗୋଟିଏ ପୁସ୍ତକ ଲେଖିଥିଲେ, ଯାହାର ନାମ ‘ସାଇଲେଣ୍ଟ ସ୍ପ୍ରିଙ୍ଗ’ ବା ନିଃଶବ୍ଦ ବସନ୍ତ। ଜୀବଜଗତ ଓ ମଣିଷ ସମାଜ ଆଗାମୀ ଦିନରେ କିପରି ଭୟଙ୍କର ସଂକଟର ସମ୍ମୁଖୀନ ହେବାକୁ ଯାଉଛି ତାହାର ଏକ ଚିତ୍ର ସେଥିରେ ମିଳେ। ଏହି ଗୋଟିଏ ଦୁଇଟି ଶତାବ୍ଦୀ ଭିତରେ ଜନସଂଖ୍ୟା ବୃଦ୍ଧି କାରଣରୁ ବିଭିନ୍ନ ସହରମାନ ଗଢ଼ି ଉଠିଛି ଓ ପ୍ରାକୃତିକ ଜଙ୍ଗଲମାନ ଧ୍ବଂସ ପାଇବାରେ ଲାଗିଛି। ସେହିପରି ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ଯୋଗୁଁ ମୁଣ୍ଡ ଟେକୁଥିବା ବିଭିନ୍ନ ଶିଳ୍ପ ଓ କଳକାରଖାନାମାନ ପରିବେଶକୁ ପ୍ରଦୂଷିତ କରୁଛନ୍ତିି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଖାଦ୍ୟ ସମସ୍ୟା ମେଣ୍ଟାଇବା ପାଇଁ ପ୍ରଚୁର ଖାଦ୍ୟଶସ୍ୟ ଉତ୍ପାଦନ ପ୍ରକ୍ରିୟାରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରାଯାଉଛି, ଯାହା ମୃତ୍ତିକା ଓ ଭୂତଳ ଜଳ ସ୍ତରକୁ ବିଷାକ୍ତ କରୁଛି। ଗାଡ଼ି ମଟର, ବିମାନ ଓ ଜଳ ଜାହାଜ ଇତ୍ୟାଦି ଭଳି ସମସ୍ତ ଗମନାଗମନ ସାଧନ ବାୟୁ ଓ ଜଳ ପ୍ରଦୂଷଣ ବୃଦ୍ଧି କରି ଚାଲିଛନ୍ତି। ତେଣୁ ଏକ ଅସନ୍ତୁଳିତ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ କାରଣରୁ ପ୍ରକୃତିରେ କେତେକ ଅସନ୍ତୁଳନ ଦେଖା ଦେବା ଏକ ସାଧାରଣ କଥା, ଯାହାକୁ ଭରଣା କରିବାକୁ ପ୍ରକୃତିରେ ଅନ୍ତର୍ନିହିତ ଭାରସାମ୍ୟ ସମର୍ଥ। କିନ୍ତୁ ସଂପ୍ରତି ମାନବକୃତ କାରଣରୁ ସୃଷ୍ଟ ଅସନ୍ତୁଳନ ଏଭଳି ଅସହନୀୟ ଅବସ୍ଥାରେ ପହଞ୍ଚିଛି, ଯହିଁରେ ଭାରସାମ୍ୟ ରକ୍ଷା ସମ୍ଭବପର ହେଉନାହିଁ। ବିଲୁପ୍ତ ହୋଇଯାଉଥିବା ଅନେକ ଜୀବ ବା ଉଦ୍ଭିଦ ଆଉ ଆସିବେ ନାହିଁ।
ପୃଥିବୀର ପରିବେଶ କହିଲେ ଏହାର ବାୟୁମଣ୍ଡଳ, ଜୈବମଣ୍ଡଳ, ଜଳଚକ୍ର ବା ବାରିମଣ୍ଡଳ, ମୃତ୍ତିକା ବା ଭୂମଣ୍ଡଳ, ଖଣିଜ ପଦାର୍ଥ, ପାହାଡ଼ ପର୍ବତକୁ ନେଇ ଅଶ୍ମମଣ୍ଡଳ ଓ ସୀମାହୀନ ନଭମଣ୍ଡଳ। ଏ ସବୁକୁ ନେଇ ପ୍ରକୃତିରେ ଏକ ଚମତ୍କାର ଭାରସାମ୍ୟ ରହିଛି। ପୃଥିବୀର ଉତ୍ପତ୍ତି ପ୍ରାୟ ଚାରି ଶହ ପଚାଶ କୋଟି ବର୍ଷ ତଳେ ହୋଇଥିଲା ବୋଲି ଆଧୁନିକ ବୈଜ୍ଞାନିକ ଗବେଷଣାରୁ ଜଣାଯାଏ। ପୃଥିବୀ ଉତ୍ପତ୍ତି ପରଠାରୁ ଶହ ଶହ କୋଟି ବର୍ଷର ପରିବର୍ତ୍ତନ ମଧ୍ୟ ଦେଇ ଜୀବନର ଉଦ୍ଭବ ହୋଇଛି। ଜୀବନର ସୃଷ୍ଟି ପ୍ରାୟ ତିନି ଶହ କୋଟି ବର୍ଷ ତଳେ ହେବା ପରଠାରୁ ଜୈବ ବିବର୍ତ୍ତନ ପ୍ରକ୍ରିୟା ଚାଲିଛି। ସେହି ଜୈବ ବିବର୍ତ୍ତନ ମଧ୍ୟଦେଇ ଅସଂଖ୍ୟ ପ୍ରାଣୀ ଓ ପରିଶେଷରେ ମନୁଷ୍ୟର ଆବିର୍ଭାବ ଘଟିଛି। ସେହିପରି କୋଟି କୋଟି ବର୍ଷର ପରିବର୍ତ୍ତନ ଓ ପ୍ରାକୃତିକ କାରଣ ମଧ୍ୟ ଦେଇ ମାଟି ତଳର କୋଇଲା, ପେଟ୍ରୋଲ ଓ ନାନା ଖଣିଜ ପଦାର୍ଥ ଉଦ୍ଭବ ହୋଇଛନ୍ତି। ଅଣୁଜୀବରୁ ଜୀବକୋଷ ଦେଇ ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତ କୋଟି କୋଟି ବର୍ଷରେ ବିବର୍ତ୍ତିତ ହୋଇ ପରିଶେଷରେ ମନୁଷ୍ୟର ଉତ୍ପତ୍ତି ହୋଇଛି। ହଜାର ହଜାର ବର୍ଷର ବିବର୍ତ୍ତନ ପରେ ମନୁଷ୍ୟ ଅତ୍ୟଧିକ ବୁଦ୍ଧିମାନ ଓ ପ୍ରଜ୍ଞାବାନ ହୋଇଛି। କୁହାଯାଉଛି ଯେ ପ୍ରକୃତିର ସର୍ବୋତ୍କୃଷ୍ଟ ସୃଷ୍ଟି େହଉଛି ମଣିଷ ମସ୍ତିଷ୍କ। କିନ୍ତୁ ଏଣେ, ସେହି ମସ୍ତିଷ୍କ ପ୍ରସୂତ ବୁଦ୍ଧିରୁ ଶିଳ୍ପ ଓ ପ୍ରଯୁକ୍ତିର ଅଭ୍ୟୁଦୟ ପ୍ରକୃତିକୁ କ୍ରମେ ଜୀବନ ପ୍ରତିକୂଳ କରି ଚାଲିଛି।
ସଂପ୍ରତି ପରିବେଶ ପ୍ରଦୂଷଣ ଏକ ଭୟଙ୍କର ସଂକଟ ଆଡ଼କୁ ସଭ୍ୟତାକୁ ଅଡ଼େଇ ନେଉଛି। ବିଶେଷ କରି ଆମ ଚତୁଃପାର୍ଶ୍ବର ବାୟୁ, ଜଳ ଓ ମୃତ୍ତିକା କ୍ଷେତ୍ରରେ ଏହି ପ୍ରଦୂଷଣର ପ୍ରଭାବ ସର୍ବାଧିକ ପରିଦୃଶ୍ୟ ହେଉଛି। ଜୈବ ଇନ୍ଧନ ଏତେ ବହୁଳ ଭାବରେ ବ୍ୟବହୃତ ହେଉଛି ଯେ ତହିଁରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଏହି କାରଣରୁ ଏକ ଦୁଷ୍ଟଚକ୍ରର ସୃଷ୍ଟି ହୋଇଛି। ଜୀବନଧାରଣ ଲାଗି ଶକ୍ତି ଦରକାର ଏବଂ ଶକ୍ତିର ଉତ୍ସ ଜୀବାଶ୍ମ ଇନ୍ଧନର ଦହନ ଯାହା ଜୀବନ ଲାଗି ଅତି କ୍ଷତିକାରକ। କେବଳ ସେତିକି ନୁହେଁ, ବସ୍ତୁବାଦୀ ମନୁଷ୍ୟ ଅଧିକରୁ କଠିନ ବର୍ଜ୍ୟବସ୍ତୁର ପାହାଡ଼ ସୃଷ୍ଟି କରିଛି, ଯାହା ଉଭୟ ସ୍ଥଳ ଓ ଜଳ ଭାଗକୁ ପ୍ରଦୂଷିତ କରୁଛି। ଉଦହରଣ ସ୍ବରୂପ ପ୍ଲାଷ୍ଟିକ୍। ଏବେ ମହାସାଗରର ଅତି ଗଭୀରତାରେ ଥିବା ଜଳରାଶିରେ ମାଇକ୍ରୋ ପ୍ଲାଷ୍ଟିକର ଅଂଶ ମିଳୁଛି, ଯାହା ଜଳଚର ଜୀବମାନଙ୍କ ସ୍ବାସ୍ଥ୍ୟ ଲାଗି ଅତି ପ୍ରତିକୂଳ। କେବଳ ସେମାନେ ନୁହନ୍ତି ମନୁଷ୍ୟ ବ୍ୟବହାର କରୁଥିବା ଜଳରେ ମଧ୍ୟ ମାଇାକ୍ରୋ ପ୍ଲାଷ୍ଟିକର ଅଂଶ ମିଳୁଛି। ମାଟି ଉପରେ ଗଦା ହୋଇଥିବା ପ୍ଲାଷ୍ଟିକ ଆବର୍ଜନା କିଭଳି ମୃତ୍ତିକାର ଗୁଣମାନରେ ଅବକ୍ଷୟ ଘଟାଉଛି ତାହା ଏବେ ସୁବିଦିତ। ଦୁଃଖର ବିଷୟ ହେଲା ମନୁଷ୍ୟ ଯେଉଁଠି ବି ଆତଯାତ ହେଉଛି ସେଠାକାର ପରିବେଶ ମନୁଷ୍ୟ ଦ୍ବାରା ସୃଷ୍ଟ ଆବର୍ଜନା ଦ୍ବାରା ପ୍ରଦୂଷିତ ହେଉଛି; ହିମାଳୟର ଶୃଙ୍ଗରୁ ଆରମ୍ଭ କରି ଅନ୍ତରୀକ୍ଷ ପର୍ଯ୍ୟନ୍ତ!
ସହରୀକରଣ ଓ କଳକାରଖାନା ସ୍ଥାପନ ପାଇଁ ଗଛମାନଙ୍କୁ କଟାଯିବା ହେତୁ ଜଙ୍ଗଲ ଅବକ୍ଷୟ, ମୃତ୍ତିକା କ୍ଷୟ, ନଦୀଶଯ୍ୟା ପୋତି ହୋଇଯିବା ଭଳି ଦୁଃସ୍ଥିତି ଉପୁଜୁଛି। ସାରା ପୃଥିବୀର ପରିବେଶ ବିଜ୍ଞାନୀମାନେ ପରିବେଶ ଉପରେ ଅବିଚାରିତ ଉତ୍ପୀଡ଼ନ ହେତୁ ମାନବ ଜାତିକୁ ଦାୟୀ କରି ଏହା ମାନବ ସଭ୍ୟତା ପାଇଁ ଯେ ବଡ଼ ଆହ୍ବାନ ସେ ବିଷୟରେ ଆମକୁ ସଚେତନ କରାଇ ଚାଲିଛନ୍ତି। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି ପାଉଥିବାରୁ ପୃଥିବୀ ଅଧିକରୁ ଅଧିକ ଉତ୍ତପ୍ତ ହେବାରେ ଲାଗିଛି। ଏଭଳି ଗ୍ୟାସର ପ୍ରାଦୁର୍ଭାବରୁ ଓଜୋନ୍ ସ୍ତରରେ ଛିଦ୍ର ହେଲାଣି। ପ୍ରକୃତିର ବିଚିତ୍ର ବ୍ୟବସ୍ଥା ଅନୁସାରେ ସୂର୍ଯ୍ୟଙ୍କ ପାଖରୁ ନିର୍ଗତ କ୍ଷତିକାରକ ଅତି ବାଇଗଣି ରଶ୍ମିକୁ ଏହି ଓଜୋନ୍ ସ୍ତର ପୃଥିବୀ ସ୍ପର୍ଶ କରିବାରୁ ଅଟକାଇଥାଏ। ଏବେ ମନୁଷ୍ୟକୃତ କାରଣରୁ ଏଥିରେ ଛିଦ୍ର ଦେଇ ଅତିବାଇଗଣି ରଶ୍ମିର ଅବାଧ ପ୍ରବେଶ ସମ୍ଭବ ହୋଇଛି, ଯାହା ମନୁଷ୍ୟର ସ୍ବାସ୍ଥ୍ୟ ଲାଗି କ୍ଷତିକାରକ। ପରିବେଶ ବିଜ୍ଞାନୀମାନେ ଏକମତ ଯେ ପୃଥିବୀ କ୍ରମେ ଏକ ଦାରୁଣ ଭାବେ ବିୟୋଗାନ୍ତକ ଟ୍ରାଜେଡି ଆଡ଼କୁ ଅଗ୍ରସର ହେଉଛି। ତେଣୁ ଏଭଳି ଭୟଙ୍କର ଭବିଷ୍ୟତକୁ କିପରି ପ୍ରତିହତ କରାଯିବ, ସେଥିପାଇଁ ୧୯୭୨ ଠାରୁ ଆନ୍ତର୍ଜାତିକ ସମ୍ମିଳନୀମାନ ବିଭିନ୍ନ ଦେଶରେ ଅନୁଷ୍ଠିତ ହୋଇ ଆସୁଛନ୍ତି। ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ପରିବେଶ ବିଜ୍ଞାନୀ, ବୈଜ୍ଞାନିକ ଓ ଶାନ୍ତିକାମୀ ବ୍ୟକ୍ତିମାନେ ଏକତ୍ର ହୋଇ ପୃଥିବୀର ସୁରକ୍ଷା ପାଇଁ ଗମ୍ଭୀର ସଂପୃକ୍ତି ଦେଖାଇ ଆସୁଛନ୍ତି। କିନ୍ତୁ ଏଠାରେ ମଧ୍ୟ ମନୁଷ୍ୟର କପଟାଚାର ଏକ ବାଧକ ସାଜୁଛି। ଉଦାହରଣ ସ୍ବରୂପ ବିକଶିତ ଦେଶମାନେ ଚାହୁଛନ୍ତି ଯେ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକ ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ବନ୍ଦ କରନ୍ତୁ; କିନ୍ତୁ ଶକ୍ତି ଉତ୍ପାଦନ ସକାଶେ ବିକଳ୍ପ ପ୍ରଯୁକ୍ତି ଜ୍ଞାନ ହସ୍ତାନ୍ତର କରିବାକୁ ସେମାନେ ନାରାଜ। ଏଣେ ଭାରତ ଭଳି ଦେଶରେ ମୁଣ୍ଡ ପିଛା ଅଙ୍ଗାରକାମ୍ଳ ନିର୍ଗମନର ପରିମାଣ ଅତି କମ୍, ଯାହା ଯୁକ୍ତରାଷ୍ଟ୍ର ଆମେରିକା ଭଳି ଉନ୍ନତତମ ରାଷ୍ଟ୍ରରେ ସର୍ବାଧିକ। କିନ୍ତୁ ବିକଶିତ ରାଷ୍ଟ୍ରର ସମୃଦ୍ଧ ଲୋକେ ସେମାନଙ୍କ ଉପଭୋଗବାଦୀ ଜୀବନରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ନୁହନ୍ତି। ଶହ ଶହ ବିମାନରେ ଉଡ଼ି ଆସି ବଡ଼ ବଡ଼ ସହରର ବିଶାଳ ବାତାନୁକୂଳିତ ସମ୍ମିଳନୀ କକ୍ଷରେ ଭାଷଣ ଦେଉଥିବା ବିଦ୍ବାନମାନେ ଭୁଲି ଯାଆନ୍ତି ଯେ ସେମାନଙ୍କ ଏତିକି ମାତ୍ର କାର୍ଯ୍ୟ ଦ୍ବାରା ପରିବେଶର କିଭଳି ଅପରିସୀମ କ୍ଷତି ଘଟିଛି! ଏହା ଏକ ବିଡ଼ମ୍ବନା। ସୁତରାଂ, ଭାବଗମ୍ଭୀର ସମ୍ମିଳନୀରେ ଯାହା ବି ସବୁ କୁହାଯାଉଛି ବା ଶୁଣାଯାଉଛି, ସେ ସବୁ କୁମ୍ଭୀର କାନ୍ଦଣା ତୁଲ୍ୟ। ପ୍ରକୃତରେ ମନୁଷ୍ୟ ତା’ର ଆତ୍ମଘାତୀ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ଯେ ରାଜି ନୁହେଁ, ତାହା କେବଳ ପ୍ରମାଣିତ ହୋଇ ଚାଲିଛି।
[email protected]
ପରିବେଶ ଅବକ୍ଷୟ ଓ ମନୁଷ୍ୟର ଆତ୍ମଘାତ
ଧନେଶ୍ବର ସାହୁ
/sambad/media/post_attachments/wp-content/uploads/2024/06/Untitled-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)