ମଗଧର ରାଜଧାନୀ ପାଟଳିପୁତ୍ରରେ ରାମଗୁପ୍ତ ନାମକ ଏକ ସାଧୁ ଓ ସଚ୍ଚୋଟ ସମାଜସେବୀ ବ୍ୟକ୍ତି ଥିଲେ। ସେ ଅତ୍ୟନ୍ତ ନମ୍ର, ବିଦ୍ୱାନ ଓ ନୀତିବାନ ବ୍ୟକ୍ତି ହିସାବରେ ସାରା ରାଜ୍ୟରେ ନାଁ କରିଥିଲେ। ସହରର ପ୍ରତିଷ୍ଠିତ ବ୍ୟବସାୟୀ କୃଷ୍ଣମୋହନ ହେଉଛନ୍ତି ରାମଗୁପ୍ତଙ୍କ ପଡ଼ୋଶୀ। ଦୁହିଁଙ୍କର ସଂପର୍କ ଅତି ନିବିଡ଼। ଦିନକର କଥା। କୃଷ୍ଣମୋହନ ରାମଗୁପ୍ତଙ୍କୁ ସାକ୍ଷାତ କରି ତାଙ୍କର ସପରିବାର ତୀର୍ଥଯାତ୍ରା ବିଷୟରେ ଜଣେଇଲେ ଓ ତାଙ୍କ ଅନୁପସ୍ଥିତିରେ ବ୍ୟବସାୟର ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରହଣ କରିବାକୁ ତାଙ୍କୁ ଅନୁରୋଧ କଲେ। ରାମଗୁପ୍ତ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ ନିଶ୍ଚିନ୍ତରେ ତୀର୍ଥଯାତ୍ରା କରିବା ପାଇଁ ଆଶ୍ୱସନା ଦେଲେ।
କୃଷ୍ଣମୋହନଙ୍କ ତୀର୍ଥଯାତ୍ରା ଗମନ ପରେ ପରେ ରାମଗୁପ୍ତ ତାଙ୍କର ଜଣେ ବିଶ୍ୱସ୍ତ ଅନୁଗତ ଚନ୍ଦ୍ରସେଣଙ୍କୁ ବ୍ୟବସାୟର ଦାୟିତ୍ୱ ଅର୍ପଣ କରିଥିଲେ। ଚନ୍ଦ୍ରସେଣ କିନ୍ତୁ ରାମଗୁପ୍ତଙ୍କ ପରି ଏକ ସାଧୁ ଓ ନୀତିବାନ ଯୁବକ ନ ଥିଲେ। ସେ କେବଳ ରାମଗୁପ୍ତଙ୍କ ନାଁ ନେଇ ବିଭିନ୍ନ ଉପାୟରେ ହେର୍ଫେର୍ କରୁଥିଲେ ଓ ଧୀରେ ଧୀରେ କୃଷ୍ଣମୋହନଙ୍କ ବ୍ୟବସାୟର ଅର୍ଥରାଶିକୁ ଆତ୍ମସାତ କରିବାରେ ଲାଗିଲେ। ଏ ବିଷୟ ବ୍ୟବସାୟ ପ୍ରତିଷ୍ଠାନର ବରିଷ୍ଠ କର୍ମଚାରୀମାନେ ରାମଗୁପ୍ତଙ୍କ ଦୃଷ୍ଟିକୁ ଆଣିବାକୁ ବାରମ୍ବାର ଚେଷ୍ଟା କଲେ। ଚନ୍ଦ୍ରସେଣ କିନ୍ତୁ ଏହା ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ବୋଲି ରାମଗୁପ୍ତଙ୍କୁ ବୁଝେଇ ଦେଇଥିଲେ ଓ ଅନ୍ୟ କର୍ମଚାରୀମାନଙ୍କୁ ଡରାଇ ଧମକାଇ ପୂର୍ବବତ୍ ଅର୍ଥ ଆତ୍ମସାତ କରି ମଉଜ ମଜଲିସ୍ରେ ରହିଲେ।
ତାର୍ଥଯାତ୍ରାରୁ ଫେରି କୃଷ୍ଣମୋହନ ବନ୍ଧୁ ରାମଗୁପ୍ତଙ୍କୁ ସାକ୍ଷାତ କଲେ ଓ ବ୍ୟବସାୟର ଦୁର୍ଦ୍ଦଶା ଓ କ୍ଷତି ବିଷୟ ତାଙ୍କୁ କହିଲେ। ରାମଗୁପ୍ତ ଘଟଣାର ସତ୍ୟତା ଜାଣିପାରି ତାଙ୍କ ବିଶ୍ୱସ୍ତ ଅନୁଗତ ଚନ୍ଦ୍ରସେଣଙ୍କୁ ଭୀଷଣ ବିରକ୍ତ ହୋଇ ଚାକିରିରୁ ବରଖାସ୍ତ କରିଦେଲେ ଓ ବନ୍ଧୁ କୃଷ୍ଣମୋହନଙ୍କ ନିକଟରେ ନିଜର ଅସହାୟତା ପ୍ରକାଶ କଲେ। କୃଷ୍ଣମୋହନ ଏହା ଗ୍ରହଣ ନ କରି ରାଜା ବିଜୟସେନଙ୍କ ନିକଟରେ ରାମଗୁପ୍ତଙ୍କ ବିରୋଧରେ ଦୁର୍ନୀତି ଓ ଦାୟିତ୍ୱହୀନତାର ଅଭିଯୋଗ ଆଣିଲେ।
ରାଜା ବିଜୟସେନ ରାମଗୁପ୍ତଙ୍କ ସାଧୁତା ସହିତ ପରିଚିତ ଥିଲେ ତେଣୁ ସେ ତାଙ୍କୁ ମୁକ୍ତ କରିଦେଲେ କିନ୍ତୁ ତାଙ୍କର ବିଶ୍ୱସ୍ତ କର୍ମଚାରୀ ଚନ୍ଦ୍ରସେଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦଶ ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କଲେ। ବ୍ୟବସାୟୀ କୃଷ୍ଣମୋହନ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ନ ହୋଇ ପ୍ରତିବାଦ କରିଥିଲେ କିନ୍ତୁ ରାଜା ବିଜୟସେନ ସେଥିପ୍ରତି କର୍ଣ୍ଣପାତ କରି ନ ଥିଲେ। କାହାଣୀଟି କହିସାରିବା ପରେ ବେତାଳ ରାଜା ବିକ୍ରମାଦିତ୍ୟଙ୍କୁ ପ୍ରଶ୍ନ କଲା, “ହେ ରାଜନ, ବର୍ତ୍ତମାନ ମୋର ପ୍ରଶ୍ନର ଉତ୍ତର ଦିଅ। ରାଜା ବିଜୟସେନଙ୍କ ନିଷ୍ପତ୍ତି ଯଥାର୍ଥ ଥିଲା କି? ଯଦି ଯଥାର୍ଥ ଥିଲା ତେବେ ବ୍ୟବସାୟୀ କୃଷ୍ଣମୋହନ କାହିଁକି ତା’ର ପ୍ରତିବାଦ କରିଥିଲେ।
ବେତାଳ ପ୍ରଶ୍ନ ଶୁଣି ରାଜା ବିକ୍ରମାଦିତ୍ୟ କହିଲେ, “ହେ ବେତାଳ, ରାଜା ବିଜୟସେନଙ୍କ ନିଷ୍ପତ୍ତି ଭୁଲ୍ ଥିଲା ଓ ବ୍ୟବସାୟୀ କୃଷ୍ଣମୋହନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦର୍ଶନ କରି ନ ଥିଲା, ତେଣୁ ତାଙ୍କର ପ୍ରତିବାଦ ଯଥାର୍ଥ ଥିଲା। କୃଷ୍ଣମୋହନ ବ୍ୟବସାୟର ରକ୍ଷଣାବେକ୍ଷଣ ଦାୟିତ୍ୱ ଚନ୍ଦ୍ରସେଣଙ୍କୁ ନୁହେଁ, ତାଙ୍କ ନିଯୁକ୍ତିକାରୀ ବନ୍ଧୁ ରାମଗୁପ୍ତଙ୍କୁ ଦେଇଥିଲେ ଓ ରାମଗୁପ୍ତ ସେ ଦାୟିତ୍ୱ ତାଙ୍କ ବିଶ୍ୱସ୍ତ କର୍ମଚାରୀ ଚନ୍ଦ୍ରସେଣଙ୍କୁ ଦେଇଥିଲେ। ଏପରି ମଧ୍ୟ ନୁହେଁ ଯେ ଚନ୍ଦ୍ରସେଣଙ୍କ ଅନୈତିକ କାର୍ଯ୍ୟକଳାପ ରାମଗୁପ୍ତଙ୍କୁ ଅଜଣା ଥିଲା। ବାରମ୍ବାର ତାଙ୍କୁ ଏ ବିଷୟରେ ସୂଚନା ଦିଆଯାଇଥିଲେ ମଧ୍ୟ ସେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ; ବରଂ ତାଙ୍କ କଥାରେ ପଡ଼ି ଅଭିଯୋଗକାରୀମାନଙ୍କୁ ହଇରାଣ ହରକତ କରିବାରେ ସାହାଯ୍ୟ କରୁଥିଲେ। ତେଣୁ ଏ କାହାଣୀରେ ଚନ୍ଦ୍ରସେଣଙ୍କ ସହିତ ରାମଗୁପ୍ତ ମଧ୍ୟ ସମାନ ଭାବରେ ଦୋଷୀ ଓ ଦଣ୍ଡନୀୟ। କେବଳ କର୍ମଚାରୀଙ୍କୁ ଦଣ୍ଡ ଦେଇ ମାଲିକଙ୍କୁ ନିର୍ଦ୍ଦୋଷ କହିବା ନ୍ୟାୟର ପରିପନ୍ଥୀ।”
ଏ ଭଳି ଏକ ଉତ୍ତର ଶୁଣି ବେତାଳ କହିଲା, “ହେ ରାଜନ୍ ତୁମର ଏହି ନିରପେକ୍ଷ ନ୍ୟାୟକୁ ମୁଁ ପ୍ରଶଂସା କରୁଛି କିନ୍ତୁ ତୁମେ ତୁମର ମୌନ ଭଙ୍ଗ କରିଥିବା ହେତୁ ମୁଁ ତୁମ ସହିତ ଆଉ ଯାଇ ନ ପାରି ପୁନର୍ବାର ମୋ ବୃକ୍ଷକୁ ଫେରିଯାଉଛି।”
ବନ୍ଧୁଗଣ, ବର୍ତ୍ତମାନ ଆପଣମାନଙ୍କୁ ଏହି ପ୍ରଶ୍ନ? ଆଜି ଆମ ରାଜ୍ୟର ଜନସାଧାରଣ ତାଙ୍କର ଶାସନ ଦାୟିତ୍ୱ କାହା ହାତରେ ଅର୍ପଣ କରିଛନ୍ତି? ରାମଗୁପ୍ତଙ୍କୁ ନା ଚନ୍ଦ୍ରସେଣଙ୍କୁୁ? ଉପରୋକ୍ତ କାହାଣୀର ଚରିତ୍ର ରାମଗୁପ୍ତଙ୍କ ସଦୃଶ ଆମ ରାଜ୍ୟର ମୁଖିଆ ଅତ୍ୟନ୍ତ ନମ୍ର, ବିଦ୍ୱାନ, ସାଧୁ ଓ ସଚ୍ଚୋଟ ବ୍ୟକ୍ତି ହୋଇପାରନ୍ତି କିନ୍ତୁ ଏ କଥା ସତ୍ୟ ଯେ ତାଙ୍କ ଦ୍ୱାରା ନିଯୁକ୍ତିପ୍ରାପ୍ତ ଜଣେ ବିଶ୍ୱସ୍ତ ସଚିବଙ୍କର କାର୍ଯ୍ୟକଳାପ କାହାଣୀର ଚନ୍ଦ୍ରସେଣ ସଦୃଶ ରାଜ୍ୟର ଅପୂରଣୀୟ କ୍ଷତି କରିଛନ୍ତି। ଏ କଥା ମଧ୍ୟ ପ୍ରମାଣିତ ଯେ ତାଙ୍କର ଉତ୍ପାତ ସଂପର୍କରେ ପୂର୍ବରୁ ତାଙ୍କୁ ବାରମ୍ବାର ସୂଚନା ଦିଆଯାଇଥିଲେ ମଧ୍ୟ ସେ କାହାଣୀର ରାମଗୁପ୍ତଙ୍କ ଭଳି ସମସ୍ତ ଚେତାବନୀକୁ ହେୟଜ୍ଞାନ କରିଥିଲେ ଓ ଏ ଦିଗରେ ଠୋସ୍ ପଦକ୍ଷେପ ନେଇ ନ ଥିଲେ; ବରଂ ଯିଏ ଅଭିଯୋଗ ଆଣୁଥିଲେ ସୋମାନଙ୍କୁ ହଇରାଣ ହରକତ କରିବାରେ ସାହାଯ୍ୟ କରୁଥିଲେ। ତେଣୁ ହେ ମୋ’ର ଜ୍ଞାନୀ ବିକ୍ରମାଦିତ୍ୟ ବନ୍ଧୁଗଣ ଆପଣଙ୍କୁ ପୁନର୍ବାର ଏହି ପ୍ରଶ୍ନ- ପ୍ରକୃତ ଦୋଷୀ କିଏ? ରାମଗୁପ୍ତ ନା ଚନ୍ଦ୍ରସେଣ? ଆପଣଙ୍କ ଉତ୍ତରକୁ ସରଳ କରିବା ପାଇଁ ଏହିଠାରେ ଏକ ଉର୍ଦ୍ଦୁ ଶାୟରୀର ସାରାଂଶ ବହନ କରୁଥିବା ଦୁଇଧାଡ଼ି ଲେଖୁଛି- “ହେ ରାଜନ, ଆମେ ରାଜ୍ୟର ଲୁଣ୍ଠନକାରୀମାନଙ୍କୁ ଦୋଷ ଦେଉ ନାହୁଁ। ଆମେ ଆପଣଙ୍କୁ ଦୋଷ ଦେଉଛୁ କାରଣ ଆପଣଙ୍କୁ ହିଁ ସୁରକ୍ଷା ଦାୟିତ୍ୱ ଦେଇ ଆମେ ରାତିରେ ନିଦ୍ରା ଯାଇଥିଲୁ।”
ମୋ: ୯୪୩୭୦୬୭୫୬୭
ସତ କହୁଛି: ବିକ୍ରମ ଓ ବେତାଳ କଥା
ଶ୍ୟାମସୁନ୍ଦର ଅଗ୍ରୱାଲା