ଆମେ କ୍ରିକେଟ୍‌ ବିଶ୍ବକପ୍‌ ହାରିଗଲେ ବୋଲି ସମସ୍ତଙ୍କର ମନ ଦୁଃଖ। ମୁଁ ଦୁଃଖିତ କି ଆମେ କ୍ରିକେଟ୍‌କୁ ହରାଇଛୁ। ଗୋଟିଏ ମ୍ୟାଚ୍‌ ହାରିବା ଓ ଖେଳ ହରାଇବା ଦୁଇଟି ଅଲଗା ଅଲଗା କଥା। ହାରିବାଟା ସାମୟିକ ହୋଇଥାଏ। ପରାଜୟର ଅର୍ଥ ଜଣକୁ ହୃଦୟ ହରାଇବାକୁ ପଡ଼ିବ। ଆମେ ମନ ଭିତରେ ହାରିଗଲେ।
ଯଦି ଏପରି ହୋଇନଥା’ନ୍ତା, ତେବେ ଲକ୍ଷେରୁ ଅଧିକ ଦର୍ଶକରେ ଭରପୂର ଥିବା ଷ୍ଟାଡିଅମ୍‌ ଏପରି ନିର୍ବାକ୍‌ ହୋଇଯିବାର କୌଣସି କାରଣ ନଥିଲା। ଯେଉଁମାନେ ନିଜ ନାଁରେ ଏହି ଷ୍ଟାଡିଅମ୍‌ର ନାମକରଣ କରାଇଛନ୍ତି, ସେମାନେ ନିରନ୍ତର ଅର୍ଥହୀନ ଗର୍ଜନ ପାଇଁ ବିଖ୍ୟାତ। ମାତ୍ର ଏହି ବିଶ୍ବ କପ୍‌ରେ ଆମେ ତାଙ୍କୁ ସଂପୂର୍ଣ୍ଣ ମୂକ ଭାବରେ ପାଇଲୁ। ବାସ୍ତବରେ ଫାଇନାଲ୍‌ ମ୍ୟାଚ୍‌ ତ ହୋଇ ଚାଲିଥିଲା, ଉତ୍‌ଥାନ-ପତନ ଦେଇ ଗତି କରୁଥିଲା। ଖେଳ ତ ଏମିତି ହୋଇଥାଏ। କିନ୍ତୁ ସମସ୍ତ ଶକ୍ତି ସହିତ ବିଶ୍ବ ନେତା ହେବାକୁ ଯାଉଥିବା ଲୋକଙ୍କୁ କୁହାଯାଇନଥିଲା ଯେ ସେମାନଙ୍କୁ ଯେଉଁ ପଟ କଥା ପ୍ରସ୍ତୁତ କରି ଦିଆଯାଇଥିଲା, ତାହା ବାଦ୍‌ ଯଦି କିଛି ଘଟେ, ତେବେ କ’ଣ କରିବାକୁ ପଡ଼ିବ? ସେମାନଙ୍କୁ ଯେଉଁ ସ୍ଲୋଗାନ ଶିଖାଯାଇଥିଲା, ଯେଉଁ ଜୟକାର କରିବାକୁ ବତା ଯାଇଥିଲା, ସେଥିରେ ଆମର ବିଜୟ ନିଶ୍ଚିତ ବୋଲି ସମସ୍ତଙ୍କର ଧାରଣା ରହିଥିଲା। ଖେଳ ସହିତ ଖେଳ କରୁଥିବା ଲୋକଙ୍କର ଅବସ୍ଥା ଏପରି ହୋଇଥାଏ।
ପଡ଼ିଆ ବାହାରେ ଭାରତୀୟ ଦଳର ପୋଷାକର ରଙ୍ଗ କିଏ ଓ କାହିଁକି ବଦଳାଇଥିଲା? ଏହା ପଛରେ କାହା କାହାର ହାତ ଥିଲା? ଖେଳାଳିଙ୍କୁ ଗୈରିକ ରଙ୍ଗର ପୋଷାକ ପରିଧାନ କରେଇବାର ଚିନ୍ତାଧାରା ସେହି ମାନସିକତାରୁ ଜନ୍ମ ନେଇଛି, ଯାହା ଖେଳର ବିଜୟକୁ ପ୍ରଧାନମନ୍ତ୍ରୀଙ୍କର ବିଜୟ ଏବଂ ପରାଜୟକୁ ଖେଳାଳିଙ୍କର ଜାତି ଓ ଧର୍ମର ପରିଣାମ ବୋଲି କହିଥାଏ। ଯଦି ଖେଳାଳିମାନେ ଭଡ଼ାଟିଆ ଘୋଡ଼ା ନୁହନ୍ତି, ତେବେ ସେମାନେ ଏବଂ କୋଚ୍‌ ରାହୁଳ ଦ୍ରାବିଡ଼ କ୍ରିକେଟ୍‌ର ଏପରି ଗୈରିକୀକରଣକୁ ଖୁସିରେ ସ୍ବୀକାର କରିଛନ୍ତି କି ନାହିଁ, ତାହା ସେମାନଙ୍କୁ ଜଣାଇବାକୁ ପଡ଼ିବ। ଯଦି ମତଭେଦ ଦେଖାଦେଇଥିଲା, ତେବେ ତାହା କେଉଁଠି ଦରଜ କରାଯାଇଥିଲା? ବିଶ୍ବକପ୍‌ର ପ୍ରଥମ ଓ ଶେଷ ମ୍ୟାଚ୍‌ ଅହମଦାବାଦରେ ହେବ ବୋଲି କ୍ରିକେଟ୍‌ ବୋର୍ଡର କେଉଁ ବୈଠକରେ ନିଷ୍ପତ୍ତି ହୋଇଥିଲା? ବିଶ୍ବକପ୍‌ର ନିୟନ୍ତ୍ରକ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ ସହ ଏ ବାବଦରେ କୌଣସି ଆଲୋଚନା କରାଯାଇଥିଲା କି? ଅହମଦାବାଦକୁ କ୍ରିକେଟ୍‌ର ମକ୍କା କରେଇବାର ଏହି ସରକାରୀ ପ୍ରୟାସ ଅତ୍ୟନ୍ତ ଗର୍ହିତ, କାରଣ ଏହା ପଛରେ କ୍ରିକେଟ୍‌ପ୍ରେମୀ ନୁହେଁ, କ୍ଷମତା ହିଁ ରହିଛି। ଦୁନିଆର ସବୁଠୁ ବଡ଼ ଷ୍ଟାଡିଅମ୍‌ ନିର୍ମାଣ କରିଦେବାରେ କ୍ରିକେଟ୍‌ ସଂସ୍କୃତି ଜନ୍ମ ନିଏ ନାହିଁ।
ଭାରତରେ ହୋଇଥିବା ଏହି ଆୟୋଜନ ବିଶ୍ବକପ୍‌ର ଅନ୍ୟ ଆୟୋଜନଗୁଡ଼ିକ ଠାରୁ ଭିନ୍ନ ଥିଲା। କାରଣ ଏଥିରେ ଖେଳକୁ ଏକ ରାଜନୈତିକ ଅସ୍ତ୍ରରେ ପରିଣତ କରିବାର ପ୍ରୟାସ ହୋଇଥିଲା। ଏହା କ୍ରିକେଟ୍‌ ବିଶ୍ବକପ୍‌ ଅପେକ୍ଷା କ୍ଷମତାର ନିର୍ବାଚନୀ କପ୍‌ ଭଳି ଅଧିକ ମନେ ହୋଇଥିଲା ଏବଂ ସେଥିପାଇଁ ନିର୍ବାଚନରେ ପରାଜୟ ପରି ଏହାର ପରାଜୟ ମଧ୍ୟ ଆଘାତ ଦେଲା। ସମସ୍ତ ମ୍ୟାଚ୍‌ କେବେ, କେଉଁଠି ଓ କେମିତି ଆୟୋଜନ କରାଯିବ, କାହାକୁ ସମ୍ମାନିତ ଅତିଥି କରି ନିମନ୍ତ୍ରଣ କରାଯିବ, କାହାକୁ ବି ଜମା ପଚରାଯିବ ନାହିଁ, କ୍ୟାମେରା କ’ଣ ସବୁ ଦେଖାଇବ ଓ କ’ଣ ବିଲକୁଲ ଦେଖାଇବ ନାହିଁ, ସେ କଥା କ୍ଷମତାଧାରୀ ସ୍ଥିର କରିଥିଲେ। ଭିସା ପ୍ରଦାନରେ ଏପରି ରାଜନୈତିକ ସ୍ବେଚ୍ଛାଚାର ପ୍ରାଧାନ୍ୟ ବିସ୍ତାର କରିଥିଲା ଯେ ଖେଳୁଥିବା ଦେଶଗୁଡ଼ିକରୁ ଦର୍ଶକ, ବିଶେଷଜ୍ଞ ଓ ସାମ୍ବାଦିକମାନେ ଆସିପାରିନଥିଲେ। ଏକ ଆନ୍ତର୍ଜାତିକ ଆୟୋଜନକୁ ଦଳୀୟ ଆୟୋଜନରେ ପରିଣତ କରି ଦିଆଗଲା। ସବୁଠି ଖାଲି ଆମେ ହିଁ ଆମେ ଥିଲୁ: ଯୋଗାଡ଼ ହୋଇଥିବା ଭିଡ଼! ସେଥିପାଇଁ ଖେଳ କମ୍‌ ଓ ଭିଡ଼ ବେଶୀ ରହିଥିଲା। ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କ ଖେଳ ସମସ୍ତଙ୍କୁ ନିରବ କରିଦେଇଥିଲା, ଅନ୍ୟଥା ସେମାନଙ୍କୁ ଟାର୍ଗେଟ୍‌ କରିବା ଲାଗି କମ୍‌ ପ୍ରୟାସ ହୋଇନଥିଲା। ଭିଡ଼ ତ ଏହିପରି ହୋଇଥାଏ, ଲୋକେ ଦେଖିବାକୁ ନୁହେଁ, ଦେଖାଇବାକୁ ଆସିଥା’ନ୍ତି। ଏପରି ଭିଡ଼ ନା ଖେଳକୁ ବୁଝନ୍ତି ନା ଖେଳାଳିଙ୍କୁ!
ପ୍ରଧାନମନ୍ତ୍ରୀ ଯେଭଳି ଭାବରେ ଅହମଦାବାଦରେ ଫାଇନାଲ୍‌ ମ୍ୟାଚ୍‌ ଦେଖିବା ଲାଗି ଅବତରଣ କରିଥିଲେ, ତାହା ଆମ ପରାଜୟର ସମସ୍ତ ସଂକେତ ଖୋଲିଦେଲା। ଯଦି ଭାରତ ମଜଭୁତ ସ୍ଥିତିରେ ଥାଆନ୍ତା, ତେବେ ସେ ପ୍ରଥମରୁ ଆସି ଷ୍ଟାଡିଅମ୍‌ରେ ବସିଥା’ନ୍ତେ। ସେ କେବେ, କିପରି ଓ କେତେ ସମୟ ଯାଏ ବସି ରହିବେ, ତାହା କ୍ୟାମେରା ବି ଠିକ୍‌ ଜାଣେ। କିନ୍ତୁ ଏଠାରେ କ୍ୟାମେରା ଯେପରି ଆଖି ବନ୍ଦ କରିଦେଇଥିଲା। ବହୁତ ପୂର୍ବରୁ ଅହମଦାବାଦରେ ପହଞ୍ଚି ସାରିଥିବା ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଥିଲା କି ଆମର ସମସ୍ତ ଯୋଜନା ସତ୍ତ୍ବେ ଖେଳରେ ଆମର ସ୍ଥିତି ଖରାପ ହୋଇଯାଇଛି। ତେଣୁ ପ୍ରଧାନମନ୍ତ୍ରୀ ତୁରନ୍ତ ନ ଆସି ବହୁ ଘଣ୍ଟା ପରେ ଷ୍ଟାଡିଅମ୍‌ରେ ପହଞ୍ଚିଥିଲେ। ସେ କେତେବେଳେ ପହଞ୍ଚିଥିଲେ, କ୍ୟାମେରା ମଧ୍ୟ ଜଣାଇନଥିଲା। ଷ୍ଟାଡିଅମ୍‌କୁ ପଠାଯାଇଥିବା ଭିଡ଼ ମଧ୍ୟ ଏକଦମ୍‌ ନିରବ ହୋଇଗଲେ। ଅଷ୍ଟ୍ରେଲୀୟ ଅଧିନାୟକ ମ୍ୟାଚ୍‌ ଆରମ୍ଭ ପୂର୍ବରୁ କହିଥିଲେ କି ଭାରତୀୟ ଦଳ ପାଇଁ ଚିତ୍କାର କରୁଥିବା ଭିଡ଼କୁ ଏପରି ନିରବ ଦେଖିବାର ଆନନ୍ଦ ଆଉ କିଛି ନାହିଁ। ତେଣୁ ସେହି ନିରବତା ସହିତ ଆମର ପରାଜିତ ମାନସିକତା ହୋଇ ଷ୍ଟାଡିଅମ୍‌ରେ ପ୍ରତିଧ୍ବନିତ ହେଲା। ଜଣେ ଏ କଥା ମଧ୍ୟ କହିବା ଉଚିତ କି ଭାରତର ପରାଜୟ ବେଳେ ଷ୍ଟାଡିଅମ୍‌ରେ କେତେ ଦର୍ଶକ ଥିଲେ। ଯେତିକି ଥିଲେ, କେବଳ ଖେଳ ପାଇଁ ହିଁ ରହିଥିଲେ। ପଳାଇଥିବା ବାକି ସମସ୍ତଙ୍କୁ ଯୋଗାଡ଼ କରାଯାଇଥିଲା।
ବିଜେତା ଦଳକୁ ବିଶ୍ବକପ୍‌ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଯେତେବେଳେ ଅଷ୍ଟ୍ରେଲୀୟ ଉପପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ପହଞ୍ଚିଲେ, ସେତେବେଳେ ହାସ୍ୟାସ୍ପଦ ସ୍ଥିତି ଉପୁଜିଲା! ପ୍ରଧାନମନ୍ତ୍ରୀ ଖେଳ ନିର୍ବାହ କରିବାର ଶାଳୀନତା ବି ରଖିଲେନି, ତାଙ୍କ ଚେତନାରେ ଏକଥା ବି ନଥିଲା କି ତାଙ୍କ ସାଥିରେ ଅଷ୍ଟ୍ରେଲୀୟ ଉପପ୍ରଧାନମନ୍ତ୍ରୀ ରହିଥିଲେ, ଯିଏ ବିଜେତାସୁଲଭ ଭାବରେ ପୂରି ରହିଥିଲେ। ମୁହଁକୁ ଫୁଲେଇ ପ୍ରଧାନମନ୍ତ୍ରୀ କୌଣସିମତେ ଅଷ୍ଟ୍ରେଲୀୟ ଅଧିନାୟକ ପାଟ୍‌ କମିନ୍‌ସଙ୍କୁ ବିଶ୍ବକପ୍‌ ସିନା ହସ୍ତାନ୍ତର କରିଦେଲେ, କିନ୍ତୁ ପଛେଇ ପଛେଇ ମଞ୍ଚରୁ ଓହ୍ଲାଇ ଚାଲିଗଲେ। ସେ ଅଷ୍ଟ୍ରେଲୀୟ ଦଳକୁ ବିଜୟର ଅଭିନନ୍ଦନ ଜଣାଇ ନା ଗୋଟିଏ ଶବ୍ଦ କହିଥିଲେ, ନା ଉଲ୍ଲାସର ସହିତ ସେମାନଙ୍କୁ ପ୍ରଶଂସା କଲେ ନା ଉପପ୍ରଧାନମନ୍ତ୍ରୀଙ୍କ ପଦ ଗରିମାର ଯତ୍ନ ନେଇଥିଲେ। ଯେତେବେଳେ ମନ ପରାଜିତ ହୋଇଯାଏ, ସେତେବେଳେ ସବୁକିଛି ଏପରି ସ୍ବାଦହୀନ ହୋଇଯାଏ। ସେ ଦୂରକୁ ଚାଲିଯିବାର ଦେଖି କମିନ୍‌ସଙ୍କ ମୁହଁରେ ଯେଉଁ ଭାବ ନାଚି ଉଠିଥିଲା, ତାହା ପରାଜିତଙ୍କୁ ଦେଖି ବିଜେତାଙ୍କ ଚେହେରାରେ ଦେଖାଯାଇଥାଏ। କୁହାଯାଏ କି, ପ୍ରଧାନମନ୍ତ୍ରୀ ସେଠାରୁ ସିଧା ଭାରତୀୟ ଖେଳାଳିଙ୍କ ଡ୍ରେସିଂ କକ୍ଷକୁ ଯାଇଥିଲେ ଏବଂ ସେମାନଙ୍କୁ ହାର-ଜିତ ଭୁଲିଯାଇ ନିଜର ଉତ୍କୃଷ୍ଟ ଖେଳକୁ ମନେ ପକାଇବା ପାଇଁ କହିଥିଲେ। ଆମେ ତୁମମାନଙ୍କ ସହ ରହିଛୁ ବୋଲି ମଧ୍ୟ ସାନ୍ତ୍ବନା ଦେଇଥିଲେ। ତେବେ ଭାରତୀୟ କ୍ରିକେଟ୍‌ ବୋର୍ଡକୁ ଏକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ କି ପ୍ରଧାନମନ୍ତ୍ରୀ କିପରି ଭାରତୀୟ ଖେଳାଳିଙ୍କ ଡ୍ରେସିଂ କକ୍ଷରେ ପ୍ରବେଶ କଲେ? ନିୟମ କହୁଛି, ସେଠିକି ଖେଳାଳିଙ୍କ ଛଡ଼ା ଅନ୍ୟ କେହି ପ୍ରବେଶ କରିବା ଉଚିତ ନୁହେଁ। ଆମ ଦଳ ପଡ଼ିଆକୁ ଆସି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ତାହା ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁନ୍ଦର ହେବା ସହ ଖେଳାଳିଙ୍କ ପାଇଁ ପରାଜୟ ମାନସିକତାରୁ ବାହାରି ଆସିବାର ଏକ ଅବସର ଆଣିଥା’ନ୍ତା!
ଏସବୁ ଏକ ପରାଜିତ ମନର ଅଭିବ୍ୟକ୍ତି। ତେବେ ଆମେ ମଧ୍ୟ ଖେଳ ହରାଇଥିଲୁ। କୋଚ୍‌ ରାହୁଳ ଦ୍ରାବିଡ଼ଙ୍କ ଦଳ ଏହି ସମଗ୍ର ବିଶ୍ବକପ୍‌ ଅଭିଯାନରେ ଏକ ଅଜବ ମନୋଭାବ ପୋଷଣ କରିଥିଲେ କି ବିଜୟ ସତେ ଯେପରି ଏକ ଜୁଳୁଜୁଳିଆ ପୋକ ପରି ହାତମୁଠାରେ ରହିଛି, ଆଉ ମୁଠା ଖୋଲିଦେଲେ ତାହା ନିଆଁ ଲଗାଇଦେବ। ଏହି ରାହୁଳ ଦ୍ରାବିଡ଼ କୋଚ୍‌ ହେଲା ପରଠୁ ଭାରତୀୟ ଦଳର ଠିକ୍‌ ରୂପରେଖ ନିଶ୍ଚିତ କରିବା ପାଇଁ କେତେ ଖେଳାଳିଙ୍କ ପରୀକ୍ଷା ନିରୀକ୍ଷା କରିଛନ୍ତି, ସେମାନଙ୍କ ବ୍ୟାଟିଂ କ୍ରମ ବଦଳେଇଛନ୍ତି, ଖେଳାଳିଙ୍କର ନିଶ୍ଚିତ ଭୂମିକା ପ୍ରସ୍ତୁତ କରିଛନ୍ତି ଏବଂ ସେମାନେ ସେହି ଭୂମିକାରେ ଖେଳିବା ଉପରେ ଜୋର୍‌ ଦେଇଛନ୍ତି! ବାରମ୍ବାର ଏପରି କରିବା ପରେ ୧୫ ଜଣ ଖେଳାଳି ମନୋନୀତ ହୋଇଥିଲେ, ଯେଉଁଥିରୁ ପ୍ରତି ମ୍ୟାଚ୍‌ର ଆବଶ୍ୟକତା ଅନୁସାରେ ଭାରତୀୟ ଦଳ ଗଠିତ ହେବା କଥା। ମ୍ୟାଚ୍‌ ଅନୁଯାୟୀ ସେ ଆଉ କୌଣସି ପରୀକ୍ଷା ନିରୀକ୍ଷା ଚଳାଇଲେ ନାହିଁ। ପ୍ରଥମରୁ ଗଠିତ ଦଳ ଶେଷ ଯାଏ ସମାନ ରହିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାରୁ ମହମ୍ମଦ ସାମିଙ୍କୁ ଦଳରେ ସ୍ଥାନ ମିଳିଲା। ଦଳ ଲଗାତାର ଯେମିତି ଜିତି ଚାଲିଲା, ସାମିଙ୍କ ସ୍ଥାନ ଦଳରେ ସୁରକ୍ଷିତ ରହିଲା। ଆପଣ ତ ‘ଦଳରେ କୌଣସି ପରିବର୍ତ୍ତନ ନାହିଁ’ର ସୂତ୍ର ପ୍ରସ୍ତୁତ କରିଦେଲେ, କିନ୍ତୁ ଖେଳର ସ୍ଥାନ, ମ୍ୟାଚ୍‌, ବିପକ୍ଷ ଓ ଚାହିଦା ତ ବଦଳିବାରେ ଲାଗିଲା।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଅଶ୍ବିନଙ୍କୁ ଏକ ସୁଯୋଗ ମିଳିଥିଲା ଏବଂ ସବୁଥର ପରି ସେ ଉତ୍କୃଷ୍ଟ ବୋଲିଂ କରିଥିଲେ। ନିଜ ଶୈଳୀରେ ସେ ହେଉଛନ୍ତି ବିଶ୍ବର ସର୍ବୋତ୍ତମ ସ୍ପିନର। ତାଙ୍କର ପ୍ରତିଟି ବଲ୍‌ ଵିକେଟ୍‌ ନେବା ପାଇଁ ଧରାଯାଏ। ସେଥିପାଇଁ ଅଷ୍ଟ୍ରେଲୀୟ ଖେଳାଳିମାନେ ତାଙ୍କ ଆଗରେ ଯାବତୀୟ ଅନୁଶାସନ ପାଳନ କଲେ। ସେହି ମ୍ୟାଚ୍‌ରେ ଅଶ୍ବିନଙ୍କ ହାତରେ ଗୋଟିଏ ଵିକେଟ ପଡ଼ିଥିଲା। ଏଥି ସହିତ ଅଶ୍ବିନଙ୍କ ଖେଳକୁ ସଂପୂର୍ଣ୍ଣ ବୋଲି ବିବେଚନା କରାଗଲା ବେଳେ ଆମେ ଦେଖିଛୁ ଉଭୟ କୁଳଦୀପ ଓ ଜାଦେଜା ସେତେ ପ୍ରଭାବ ସୃଷ୍ଟି କରିପାରିନଥିଲେ ଏବଂ ପ୍ରତିପକ୍ଷ ଖେଳାଳିମାନେ ଧୀରେ ଧୀରେ ସେମାନଙ୍କୁ ପଢ଼ିଚାଲିଲେ। ଏଥିରୁ ବର୍ତ୍ତିବା ପାଇଁ ଅଶ୍ବିନ-କୁଳଦୀପ-ଜାଦେଜା ତ୍ରୟଙ୍କୁ ଖୁବ୍‌ ଫେଣ୍ଟାଫେଣ୍ଟି କରାଯାଇପାରିଥା’ନ୍ତା। ଅଷ୍ଟ୍ରେଲିଆ ଯେତେବେଳେ ଫାଇନାଲ୍‌କୁ ଗଲା, ସେତେବେଳେ ସିରାଜ କି ଜାଦେଜାଙ୍କ ସ୍ଥାନରେ ଅଶ୍ବିନଙ୍କୁ ନିଆଯିବାର ଆବଶ୍ୟକତା ଥିଲା। ଅଶ୍ବିନଙ୍କ ବ୍ୟାଟିଂ ମଧ୍ୟ ଦୃଢ଼। ସୂର୍ଯ୍ୟକୁମାର ଯାଦବଙ୍କ ସହ ସମାନ କଥା ଘଟିଲା। ଗୋଟିଏ ପଟେ ସେ କ୍ରମାଗତ ବିଫଳ ହେଉଥିବା ବେଳେ ଅନ୍ୟପଟେ ତାଙ୍କୁ ଖେଳିବାର ସୁଯୋଗ କମ୍‌ ମିଳୁଥିଲା। ଫାଇନାଲ୍‌ରେ ଆମେ ଯେତେବେଳେ ଦୁର୍ବଳ ସ୍ଥିତିରେ ପହଞ୍ଚି ସାରିଥିଲେ ଏବଂ ଅଷ୍ଟ୍ରେଲୀୟ ଯାଦୁକୁ ଛିନ୍ନ-ଭିନ୍ନ କରିଦେବାର ଆବଶ୍ୟକତା ଥିଲା, ସେତେବେଳେ ସୂର୍ଯ୍ୟକୁମାରଙ୍କୁ ବ୍ୟାଟିଂର ଉପର କ୍ରମରେ ଦେଖିବାର ଥିଲା। ସେ ଯଦି ସଫଳ ହୋଇଥା’ନ୍ତେ, ଅଷ୍ଟ୍ରେଲିଆର ଦମ୍ଭ ଭାଙ୍ଗିଯାଇଥାନ୍ତା। ସେ ବିଫଳ ହୋଇଥିଲେ ଆମର ସେମିତି କିଛି ଅଧିକ ନଷ୍ଟ ହୋଇନଥା’ନ୍ତା। ତାଙ୍କୁ ଜାଦେଜାଙ୍କ ପରେ ବ୍ୟାଟିଂ ପାଇଁ ପଠାଇବା କି ପ୍ରକାର ରଣନୀତି?
ପ୍ରାରମ୍ଭରେ ରୋହିତଙ୍କ ଆକ୍ରାମକ ମନୋଭାବ ବହୁତ ଚିତ୍ତାକର୍ଷକ ଥିଲା। ଫାଇନାଲ୍‌ରେ ଟସ୍‌ ହାରିଲା ପରେ ଭାରତର ରଣନୀତି ତ ଏପରି ହେବାର ଥିଲା କି, ସତର୍କତାର ସହ ଖେଳି ଧୀରେ ଧୀରେ ଅଧିକରୁ ଅଧିକ ରନ୍‌ ସଂଗ୍ରହ କରିବାକୁ ହେବ ଯଦ୍ଦ୍ବାରା ସେଇ ବୋଝ ତଳେ ନିଉଜିଲାଣ୍ଡ୍‌ ପରି ଅଷ୍ଟ୍ରେଲିଆ ଦଳ ମଧ୍ୟ ଭୁଶୁଡ଼ି ପଡ଼ିଥା’ନ୍ତା। ଆମେ ଜାଣିଥିଲୁ କି, ବିଶ୍ବକପ୍‌ରେ ଭାରତୀୟ ଇନିଂସର ମେରୁଦଣ୍ଡ ରୋହିତଙ୍କ ବ୍ୟାଟ୍‌ ଉପରେ ନିର୍ଭରଶୀଳ। ରୋହିତ ମଧ୍ୟ ନିଜ ଢଙ୍ଗରେ ଖେଳୁଥିଲେ, ତେବେ ଏପରି ଆଖିବୁଜା ପିଟିବାର ମାନେ କ’ଣ ଥିଲା, ଯେତେବେଳେ ସେହି ଓଭରରେ ୧୦ରୁ ଅଧିକ ରନ୍‌ ହୋଇସାରିଛି? ଫାଇନାଲ୍‌ରେ ଶୁଭମନ ଗିଲ୍‌ ଯେପରି ସଟ୍‌ରେ ଆଉଟ୍‌ ହେଲେ, କୌଣସି ଟେଷ୍ଟ ମ୍ୟାଚ୍‌ ଖେଳାଳି ଫାଇନାଲ୍‌ରେ ଏପରି ମାରିବା କ’ଣ ଠିକ୍‌? ଖେଳ ତ ସର୍ବଦା ଖେଳ ହୋଇଥାଏ, ତେବେ ତାହା ପଛରେ ଏକ ରଣନୀତି ରହିଥାଏ ଯାହା ଖେଳର ଚେହେରାକୁ ବଦଳାଇ ଦେଇଥାଏ। ଫାଇନାଲ୍‌ରେ ଭାରତୀୟଙ୍କର ସେହି ଯୋଜନା ସଂପୂର୍ଣ୍ଣ ରୂପରେ ଗାଏବ୍‌ ହୋଇଯାଇଥିଲା।
ତେଣୁ ଆମେ ଚାରିପଟୁ ହାରିଗଲୁ। ଆମକୁ ଏବେ ଏକ ଅଲ୍‌-ଆଉଟ୍‌ ପ୍ରତ୍ୟାବର୍ତ୍ତନ କରିବାକୁ ହେବ। ପ୍ରଥମେ କ୍ରିକେଟ୍‌ ଫେରିବ, ପରେ ସଫଳତା ମଧ୍ୟ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ