ଜ୍ଞାନ-ବିଜ୍ଞାନର ବିକାଶ ପଶ୍ଚାତ୍ରେ ରହିଛି ମାନବୀୟ ବିସ୍ମୟ, ସଂଶୟ, କୌତୂହଳତା ଓ ଅନୁସନ୍ଧିତ୍ସା। ଏହି ପ୍ରକ୍ରିୟାରେ ଏକ ଅାଦିମ ସ୍ଥିତିରୁ କେତେ ସ୍ତର ଓ ସୋପାନ ଦେଇ ମଣିଷ ଆଜିର ସ୍ଥିତିକୁ ଆସିପାରିଛି। ହଜାର ହଜାର ବର୍ଷ ଧରି ଧୀର ମନ୍ଥର ଗତିରେ ଶିକ୍ଷା, ସଭ୍ୟତା ଓ ସଂସ୍କୃତିର ନିର୍ମାଣ ହୋଇଛି। ଯେଉଁ ସମୟରେ ଜ୍ଞାନ-ବିଜ୍ଞାନର ବିକାଶ ହୋଇ ନ ଥିଲା ଓ ନାନା ଅଜ୍ଞତା ଭରି ରହିଥିଲା, ସେ ସମୟରେ ସବୁ କିଛି ଅଦୃଶ୍ୟ ଶକ୍ତି ଦ୍ବାରା ନିୟନ୍ତ୍ରିତ ହେଉଛି ବୋଲି ସାଧାରଣରେ ବିଶ୍ବାସ କରାଯାଉଥିଲା। ଏଭଳି ବିଶ୍ବାସରୁ ବହୁ ଈଶ୍ବରବାଦ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଏକେଶ୍ବରବାଦର ଭାବନା ଦାର୍ଶନିକ ବିଚାର ଦେଇ ସମାଜରେ ଦୃଢ଼ ହୋଇଥିଲା। ଏହିସବୁ ବିଶ୍ବାସକୁ ଆଧାର କରି ଭିନ୍ନ ଭିନ୍ନ ଧାର୍ମିକ ଭାବଧାରାର ବିକାଶ ହୋଇଛି। କିନ୍ତୁ ଏଭଳି ବିଶ୍ବାସମାନ କ’ଣ ସର୍ବଦା ସତ୍ୟ?
ତେଣୁ ସିଧା ଭାବରେ କହିଲେ ବୈଜ୍ଞାନିକ ମାନଦଣ୍ଡରେ ଯାହା ତଥ୍ୟ ସମର୍ଥିତ ବା ଯୁକ୍ତିସଂଗତ ତାହା ହିଁ ସତ୍ୟ। କିନ୍ତୁ ବେଳେବେଳେ କୌଣସି ବିଶ୍ବାସକୁ ସତ୍ୟର ରୂପ ଦେବା ଲାଗି ବିଭିନ୍ନ ଉପାୟରେ ଭାବାବେଗ ସୃଷ୍ଟି କରାଯାଏ। ଧର୍ମୀୟ ପରମ୍ପରାମାନଙ୍କରେ ପ୍ରଚଳିତ ଥିବା ଅନେକ କାହାଣୀ, ଗଳ୍ପ, ମିଥ୍ ଇତ୍ୟାଦିକୁ ଧ୍ରୁବ ସତ୍ୟ ବୋଲି ବିଶ୍ବାସ କରାଯାଏ। ଏହି କାରଣରୁ ମାନବୀୟ ଅନୁସନ୍ଧିତ୍ସା, ବୌଦ୍ଧିକ କୌତୂହଳ ଓ ଜ୍ଞାନର ଅନ୍ବେଷଣ ପାଇଁ କିଛି ପ୍ରେରଣା ସୃଷ୍ଟି ହୁଏ ନାହିଁ, ବରଂ ଏହାକୁ ସତ୍ୟ ବୋଲି ମାନି ନିଆଯାଉଥିବାରୁ ଅନେକ ଭ୍ରାନ୍ତି ଓ ପଶ୍ଚାତ୍ମୁଖୀ ଭାବନା ମଧ୍ୟ ସୃଷ୍ଟି ହୋଇଥାଏ। ଏହା ସମାଜର ପ୍ରଗତିଶୀଳ ବିକାଶ ପାଇଁ ପ୍ରତିକୂଳ ହୋଇଥାଏ। ଈଶ୍ବର ସବୁ କିଛି ଶୂନ୍ୟରୁ ସୃଷ୍ଟି କରିଛନ୍ତି; ମୁକ୍ତି, ମୋକ୍ଷ ପାଇଁ କୃଚ୍ଛ୍ର ସାଧନା ହିଁ ଜୀବନର ପରମ ପୁରୁଷାର୍ଥ; ଆତ୍ମା ରହିଛି ଓ ତା’ର ଅନ୍ତିମ ଲକ୍ଷ୍ୟ ଈଶ୍ବର ବା ସ୍ବର୍ଗ ପ୍ରାପ୍ତି ପରି ବିଶ୍ବାସ ମଧ୍ୟଯୁଗୀୟ ସମାଜରେ ପୃଥିବୀ ସାରା ପରିବ୍ୟାପ୍ତ ଥିଲା। ବୈଜ୍ଞାନିକ ପର୍ଯ୍ୟବେକ୍ଷଣ, ପରୀକ୍ଷଣ ଓ ଅନୁଶୀଳନ ପ୍ରକ୍ରିୟାରେ ଧର୍ମଗ୍ରନ୍ଥର ଭାବନାମାନ ଚିରନ୍ତନ ନୁହେଁ ବା ମନୁଷ୍ୟ, ଜୀବଜଗତ ଓ ବିଶ୍ବ ଈଶ୍ବର ସୃଷ୍ଟ ନୁହେଁ ବରଂ କୋଟି କୋଟି ବର୍ଷର ଜୈବିକ ଓ ପ୍ରାକୃତିକ ବିବର୍ତ୍ତନ ପ୍ରକ୍ରିୟାର ଫଳ ବୋଲି ସିଦ୍ଧ ହେବାକୁ ଲାଗିଲା। ସ୍ବର୍ଗ, ନର୍କ, ମୁକ୍ତି, ମୋକ୍ଷ, ଆତ୍ମା ଭଳି ଭାବନାମାନ କେବଳ କଳ୍ପନା ଓ ଏ ସବୁର ଅସ୍ତିତ୍ବ ନାହିଁ ଭଳି ବୈଜ୍ଞାନିକ ସିଦ୍ଧାନ୍ତମାନ ଧାର୍ମିକ ବିଶ୍ବାସ ସହିତ ଦ୍ବନ୍ଦ୍ବ ଓ ସଂଘର୍ଷର ସୂତ୍ରପାତ ଘଟାଇଲେ। ତେବେ ବୈଜ୍ଞାନିକ ସିଦ୍ଧାନ୍ତମାନ ତଥ୍ୟ ସମର୍ଥିତ, ପରୀକ୍ଷା ପାଇଁ ମୁକ୍ତ ଓ ସାର୍ବଜନୀନ ହୋଇଥିବାରୁ ସେ ସବୁ ସଭ୍ୟତାକୁ ପ୍ରଗତିଶୀଳ କରିବାରେ ସହାୟକ ହେଲା।
ସାମାଜିକ ବିକାଶ ଓ ପରିବର୍ତ୍ତନ ପ୍ରକ୍ରିୟାରେ ମନୁଷ୍ୟ ସମାଜରେ ବିଭିନ୍ନ କାଳଖଣ୍ଡରେ ସୃଷ୍ଟି ହୋଇଥିବା ବିଶ୍ବାସମାନ କିପରି ବିଭିନ୍ନ ଭୂଖଣ୍ଡରେ କେତେ କେତେ ପରମ୍ପରା, ଐତିହ୍ୟର ବିକାଶ ଘଟାଇଛି, ତାହାର ବିଶ୍ଳେଷଣ ନୃତତ୍ତ୍ବବିତ୍ ଓ ସମାଜ ବିଜ୍ଞାନୀମାନେ କରିଥାନ୍ତି। ମନୁଷ୍ୟ ପ୍ରକୃତିରେ ଭଲ ଦିଗ ରହିଛି, ମନ୍ଦ ଦିଗ ବି ରହିଛି; ମଣିଷ ହେଉଛି ଆଲୋକ ଓ ଅନ୍ଧାରର ସମନ୍ବିତ ବ୍ୟକ୍ତିସତ୍ତା। ତେବେ ଜୀବନ ସହ ଭୟ ଓ ଅନିଶ୍ଚିତତା ସର୍ବଦା ଲାଗି ରହିଛି। ତେଣୁ ସଭ୍ୟତାର ଆଦିମ କାଳରେ ପ୍ରକୃତିର ଭୟାବହତା ଓ ଅତ୍ୟାଚାରରୁ ମଣିଷ ନିଜକୁ ରକ୍ଷା କରିବା ପାଇଁ କେତେ କେତେ ବିଶ୍ବାସ ସୃଷ୍ଟି କରୁଥିବା ବେଳେ କିଛି ବ୍ୟକ୍ତି ଅନୁସନ୍ଧିତ୍ସୁ ହୋଇ ନିଜ ଚତୁଃପାର୍ଶ୍ବର ପ୍ରକୃତିକୁ ବୁଝିବା ପାଇଁ ଓ ଜୀବନର ଆହ୍ବାନମାନଙ୍କ ସମ୍ମୁଖୀନ ହେବା ପାଇଁ ପ୍ରୟାସ କରିଥିଲେ। ଅଦ୍ୟାବଧି ସେଭଳି ପ୍ରକ୍ରିୟା ଜାରି ରହିଛି, ଯଦିଓ ବିଜ୍ଞାନ ଏବେ ସୁବିକଶିତ ଏବଂ ଅନେକ ପ୍ରାକୃତିକ ରହସ୍ୟ ଏବେ ବିଜ୍ଞାନ ଦ୍ବାରା ଉନ୍ମୋଚିତ ହୋଇପାରିଛି ଓ ପ୍ରାକୃତିକ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ମନୁଷ୍ୟର ନିରାପତ୍ତା ଯଥେଷ୍ଟ ବୃଦ୍ଧି ପାଇଛି। ଏ ସବୁ ସତ୍ତ୍ବେ ଅନିଶ୍ଚିତତା ମଧ୍ୟ ଲାଗିରହିଛି। ତେଣୁ ସମସ୍ତ ମନୁଷ୍ୟ ବିଜ୍ଞାନଭିତ୍ତିିକ ଚେତନାର ଅନୁଗାମୀ ହେବା ମଧ୍ୟ ଦେଖାଯାଉନାହିଁ।
ଅତୀତରେ ଜୀବନ ବହୁ ଅନିଶ୍ଚିତତା, ନାନା ଭୟ ଓ ଅଜ୍ଞତା ଭିତର ଦେଇ ଗତି କରିଥିଲା। ସେହି ସ୍ଥିତିରେ କେତେ ଦିଅଁ, ଦେବତା, ଈଶ୍ବରର ପରିକଳ୍ପନା ପ୍ରକାଶ ପାଇଥିଲା। ମାନବୀୟ ଅଜ୍ଞତା ଓ ଅସହାୟତା କାରଣରୁ କଳ୍ପିତ ଦିଅଁ, ଦେବତା ଓ ଈଶ୍ବରଙ୍କର ଶରଣାପନ୍ନ ହେବା ସାମୂହିକ ଓ ସାମାଜିକ ମନସ୍ତତ୍ତ୍ବରେ ପ୍ରତିଫଳିତ ହେଲା। ଏହାକୁ ଜଣେ ଅସ୍ତିତ୍ବବାଦୀ ଦାର୍ଶକିକ ‘ବିଶ୍ବାସର ଲମ୍ଫ’ ବୋଲି କହିଥିଲେ। ପରିଣାମତଃ ନିଜ କଳ୍ପିତ ଦିଅଁ ଦେବତାଙ୍କ ପାଇଁ ପୂଜା ସ୍ଥଳ, ପ୍ରାର୍ଥନା ମନ୍ଦିରମାନର ନିର୍ମାଣ କରାଗଲା। ଏହା ପଶ୍ଚାତ୍ରେ ଦୁଇଟି ବଳିଷ୍ଠ ବିଶ୍ବାସ ରହିଥିଲା। ପ୍ରଥମରେ ଦିଅଁ ଦେବତା ଓ ଈଶ୍ବରଙ୍କ ଶରଣାପନ୍ନ ହେଲେ ଜୀବନ ବିପଦମୁକ୍ତ ହୋଇପାରିବ ଏବଂ ଦ୍ବିତୀୟରେ ଜୀବନର ଏକ ପାରଲୌକିକ ଅବସ୍ଥା ରହିଛି। ଈଶ୍ବରଙ୍କ ପ୍ରତି ବିଶ୍ବାସ ଓ ସମର୍ପଣ ଭାବରୁ ପରଲୋକରେ ଜଣେ ଅନନ୍ତ ସୁଖର ଅଧିକାରୀ ହୋଇପାରିବ। ମୁକ୍ତି, ମୋକ୍ଷ, ନିର୍ବାଣ, ସ୍ବର୍ଗପ୍ରାପ୍ତିର ଛବିଳ କଳ୍ପନାମାନ ମଣିଷ ମନରେ କାଳକ୍ରମେ ଦୃଢ଼ୀଭୂତ ହୋଇ ପ୍ରତ୍ୟେକ ଧାର୍ମିକ ଜନଗୋଷ୍ଠୀର ତାତ୍ତ୍ବିକ ଓ ସାଂସ୍କୃତିକ ଜୀବନବୋଧର ଅପରିହାର୍ଯ୍ୟ ଅଙ୍ଗ ହୋଇଗଲା। କିନ୍ତୁ ଦେଖାଯାଇଛି ଯେ ଯେଉଁ କାଳଖଣ୍ଡରେ ପାରଲୌକିକ ବିଶ୍ବାସ ସାର୍ବଜନୀନ ଭାବେ ରହିଥିଲା, ସେହି ଅବଧିରେ ବିଭିନ୍ନ କାରଣରୁ ଲୋକମାନେ ଅସହାୟ ହୋଇ ମୃତ୍ୟୁବରଣ କରୁଥିଲେ। ଦୁର୍ଭିକ୍ଷ, ମହାମାରୀ ଇତ୍ୟାଦି ଗଣମୃତ୍ୟୁର କାରଣକୁ ଈଶ୍ବରଙ୍କ କୋପ ବୋଲି ଦର୍ଶାଯାଉଥିଲା, ଏପରିକି ହଇଜା ବା ବସନ୍ତ ଭଳି ମାରାତ୍ମକ ସଂକ୍ରାମକ ରୋଗକୁ ଠାକୁରାଣୀ ଭାବେ ପୂଜା କରାଯାଉଥିଲା ଓ ସେମାନଙ୍କ ପ୍ରକୋପକୁ ଶାନ୍ତ କରିବାର ଉଦ୍ୟମ କରାଯାଉଥିଲା। କେତେକ ସମାଜରେ କିଛି ମଣିଷ ନଗଣ୍ୟ, ତୁଚ୍ଛ, ଅସ୍ପୃଶ୍ୟ ବୋଲି ବିବେଚିତ ହେଉଥିଲେ ଓ ସେ ସବୁକୁ ସ୍ବୀକୃତି ଦିଆଯାଉଥିଲା। ତେବେ ୟୁରୋପୀୟ ନବଜାଗରଣ ଓ ଜ୍ଞାନଦୀପ୍ତିର ଯୁଗରେ ଯେଉଁ ବୌଦ୍ଧିକ ଓ ସାଂସ୍କୃତିକ ବିପ୍ଳବ ଆରମ୍ଭ ହେଲା, ତାହା ଏକ ନୂତନ ସମାଜ ନିର୍ମାଣରେ ପ୍ରେରଣା ସୃଷ୍ଟି କରିଥିଲା। ଏହାର ପ୍ରଭାବରୁ ଆଧୁନିକ ବିଜ୍ଞାନ ଜନ୍ମ ନେବା ସହ ମାନବବାଦୀ ଚେତନାର ଅଭ୍ୟୁଦୟ ହେଲା। ବିଜ୍ଞାନର ଦିଗ୍ବଳୟ କ୍ରମବର୍ଦ୍ଧିଷ୍ଣୁ ଭାବେ ପ୍ରସାରିତ ହେବା ସହ ପ୍ରକୃତିର ଅନେକ ରହସ୍ୟ ମନୁଷ୍ୟ ଭେଦ କରିପାରିଲା। ବିଜ୍ଞାନର ବିକାଶ ପଶ୍ଚାତ୍ରେ ଯେଉଁ ଦାର୍ଶନିକ ସିଦ୍ଧାନ୍ତ ରହିଥିଲା, ତାହା ହେଲା ପ୍ରକୃତିରେ ରହିଥିବା ବା ଘଟୁଥିବା ସମସ୍ତ ଘଟଣା ପଛରେ କେବଳ ପ୍ରାକୃତିକ କାରଣ ରହିଛି; ଅର୍ଥାତ୍ କୌଣସି ଅତିପ୍ରାକୃତିକ ବା ଐଶ୍ବରିକ କାରଣ ନାହିଁ। ଦିଅଁ ଦେବତାମାନ ମଣିଷ ମନର କଳ୍ପନା।
ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସହିତ ଆସିଥିବା ବିକାଶ ଯେଉଁ ପ୍ରଗତିଶୀଳ ସମାଜ ସୃଷ୍ଟି କଲା, ସେଥିରେ ମାନବବାଦୀ ଜୀବନବୋଧ ସହିତ ବିଚାରଶୀଳତାର ସାର୍ବଭୌମତ୍ବ ସ୍ଥାପିତ ହେଲା। ଏଥିରେ ଦ୍ବିରୁକ୍ତି ନାହିଁ ଯେ ବ୍ୟକ୍ତି, ଗୋଷ୍ଠୀ ଓ ବୃହତ୍ତରେ ମାନବ ସମାଜ ଯେତେ ଅଧିକରୁ ଅଧିକ ବିଚାରଶୀଳତା ଓ ମାନବିକତାର ପ୍ରାଧାନ୍ୟକୁ ମହତ୍ତ୍ବ ଦେବେ, ସମାଜର ଅନେକ ବିଭ୍ରାନ୍ତି ଦୂର ହୋଇପାରିବ। ସମାଜ ଓ ସଭ୍ୟତାରେ ଯେତେସବୁ ବିପର୍ଯ୍ୟୟ, ସଂକଟ ଓ ପ୍ରତିକୂଳତା ଆଦି ସୃଷ୍ଟି ହୋଇଛି, କୌଣସି ଈଶ୍ବର ବା ଦିଅଁ ଦେବତା ମନୁଷ୍ୟ ଜାତିକୁ ତହିଁରୁ ସୁରକ୍ଷା ଦେବାର କୌଣସି ଦୃଷ୍ଟାନ୍ତ ନାହିଁ। ବରଂ ମାନବୀୟ ପ୍ରୟାସ, ବିଚାରଶୀଳତା ଓ ସମ୍ବେଦନଶୀଳ ଜୀବନ-ଦୃଷ୍ଟି ମଧ୍ୟ ଦେଇ ମଣିଷ ଆହ୍ବାନଗୁଡ଼ିକୁ ପ୍ରତିହତ କରିବାକୁ ପ୍ରୟାସ କରିଆସିଛି। ଏହି ପ୍ରୟାସରୁ ସଭ୍ୟତାର ଅଗ୍ରଗତି ଘଟିଛି ଓ ମନୁଷ୍ୟ ସମାଜ ଆଜିର ସ୍ଥିତିକୁ ଆସିପାରିଛି। ସାରା ପୃଥିବୀରେ ଯେତେ ଯାହା କଳା, ସାହିତ୍ୟ, ବିଜ୍ଞାନ, ଦର୍ଶନ, ମନୋବିଜ୍ଞାନ ଆଧାରିତ ସିଦ୍ଧାନ୍ତମାନ ରହିଛି, ସେ ସବୁ ମାନବୀୟ ଚେତନା ଓ ବିଚାରବୋଧ ମଧ୍ୟ ଦେଇ ଉଦ୍ଭବ ହୋଇଛି।
ସମାଜର ସକଳ ନୀତି, ନୈତିକତା, ନ୍ୟାୟବୋଧ, ମାନବିକ ମୂଲ୍ୟବୋଧ ଇତ୍ୟାଦି ସାମାଜିକ ପରିସ୍ଥିତି ଓ ବିଚାରଶୀଳତାରୁ ଉଦ୍ଭବ ହୋଇଛି। ସାମାଜିକ ଉତ୍ତର-ଦାୟିତ୍ବବୋଧକୁ ଭିତ୍ତି କରି ନୈତିକ ଆଦର୍ଶମାନ ସମାଜରେ ବିକାଶ ଲାଭ କରିଛି ଓ ବ୍ୟକ୍ତିର ନୈତିକ କର୍ତ୍ତବ୍ୟବୋଧର ପରିସର ପରିବାର ଠାରୁ ବୃହତ୍ତର ସମାଜ ପ୍ରତି ପ୍ରସାରିତ ହୋଇଚାଲିଛି। ନୈତିକତା ଏହି ଦୃଷ୍ଟିରୁ ଈଶ୍ବର ବିଶ୍ବାସ ଓ ଧର୍ମର ପରିସର ଠାରୁ ମୁକ୍ତ। ସାମାଜିକ ବୈଷମ୍ୟ ଓ ଭେଦଭାବ ତଥା ଶୋଷଣ ପଛରେ ଧାର୍ମିକ ଭାବଧାରା ରହିଥିବା ଦେଖାଯାଏ, ଯାହା ନୈତିକାଦର୍ଶର ପରିପନ୍ଥୀ। ଏହାର ବିପରୀତ ହେଉଛି ବିଚାରଶୀଳତାର ସାର୍ବଭୌମତ୍ବ। ମାନବୀୟ ପ୍ରୟାସ, ବିଚାର, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଓ ସମ୍ବେଦନଶୀଳ ଜୀବନ ଦୃଷ୍ଟି ସମାଜର ଭୌତିକ ଓ ନୈତିକ ପ୍ରଗତିର ମୂଳମନ୍ତ୍ର। ବିଶ୍ବାସର ପରିଧି ଭିତରେ ପାରଲୌକିକ କଳ୍ପନା, ଭାଗ୍ୟ, ପ୍ରାରବ୍ଧ, କର୍ମକାଣ୍ଡ, ଦୈବୀକୃପାର ଇନ୍ଦ୍ରଜାଲ ତଥା ସାମନ୍ତବାଦ ଆଦି ସଂଶ୍ଳିଷ୍ଟ। ବିଚାରଶୀଳତା ଏକ ଇହଲୋକବାଦୀ ଜୀବନ-ଦର୍ଶନକୁ ପ୍ରାଧାନ୍ୟ ଦେଉଥିବାରୁ ସମତା, ସାମାଜିକ ନ୍ୟାୟ, ବ୍ୟକ୍ତି-ମର୍ଯ୍ୟାଦାବୋଧ ଓ ଶାନ୍ତିପୂର୍ଣ୍ଣ ବିଶ୍ବ ଏହାର କଳ୍ପିତ ଆଦର୍ଶ। ସାମାଜିକ ପରିବେଶ ପାରଲୌକିକ ବିଶ୍ବାସ ଦ୍ବାରା ନିୟନ୍ତ୍ରିତ ହେଲେ, ତାହା ପ୍ରଗତିଶୀଳ ଆଦର୍ଶଠାରୁ ଯେ ଦୂରେଇ ଯାଏ, ତାହା ଆମ ସମୟର ଏକ ବଡ଼ ଉପଲବ୍ଧି।
[email protected]
ବିଶ୍ବାସ ବନାମ ବିଚାରଶୀଳତା
ଧନେଶ୍ବର ସାହୁ