ପ୍ରାଚୀର, ପ୍ରଚାର ପତ୍ର, କଳହ ଓ କୋଳାହଳମୟ ସାଧାରଣ ନିର୍ବାଚନ ୨୦୨୪ ସରିଗଲା। ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ବିଧାୟକ ଓ ସାଂସଦମାନେ ପଦ ଓ ଗୋପନୀୟତା ତଥା ସଂବିଧାନ ପ୍ରତି ଆନୁଗତ୍ୟ ପ୍ରକାଶ ସହ ଶପଥ ନେଇସାରିଲେଣି। ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଗଢ଼ି ସାରିଲେଣି ନୂଆ ମନ୍ତ୍ରିମଣ୍ଡଳ। କିନ୍ତୁ ଆରୋପ ପ୍ରତ୍ୟାରୋପ ଜାରି ରହିଚି। ଆହତ, ପରାଜିତ ପ୍ରାର୍ଥୀ ଓ ପାର୍ଟିମାନେ ଆତ୍ମସମୀକ୍ଷା ନ କରି ନିର୍ବାଚନ ଅଧିକାରୀମାନଙ୍କୁ ଦୋଷାରୋପ କରିଥାନ୍ତି। ‘ଇଭିଏମ୍’ ବା ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ୍ ମେସିନ୍ରେ ଅବୈଧ ହସ୍ତକ୍ଷେପ ବା ଟାମ୍ପରିଂ େହାଇଚି ବୋଲି କହି ଗାଳି ଦେଇଥାନ୍ତି। ଜିତିଲେ ମୋ’ ଯୋଗ୍ୟତା ଯୋଗୁଁ ଓ ହାରିଲେ ଇଭିଏମ୍ ଯୋଗୁଁ। କୌଣସି ପ୍ରାର୍ଥୀ ଜିତିବା ଶ୍ରେୟ ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟାକୁ ଦିଅନ୍ତି ନାହିଁ। ଏହା ଏକ ଚିରାଚରିତ ଅଭ୍ୟାସ ଦଳମତ ନିର୍ବିଶେଷରେ। ଇଭିଏମ୍କୁ ବାହୁବଳୀ ନେତାଏ ସବୁଠୁ ଅଧିକ ରାଗନ୍ତି। କାରଣ ଏ ନିର୍ବାଚନରେ ଏହି ମେସିନ୍ ପ୍ରବର୍ତ୍ତନ ଓ ବ୍ୟବହାର ଦିନ ଠାରୁ ସାରା ଦେଶରେ ବୁଥ୍ କ୍ୟାପଚରିଂ ବନ୍ଦ ହେଇଯାଇଚି। ଭୋଟରଙ୍କୁ ଡରେଇ ଧମକେଇ ଭୋଟ ବାକ୍ସରେ ମିଛ ଭୋଟ୍ ପର୍ଚି ଭର୍ତ୍ତି କରି ନିର୍ବାଚନ ଫଳାଫଳକୁ ଅାଉ ପ୍ରଭାବିତ କରି ହେଉନାହିଁ। ଏଠାରେ ଏକ ଉଦାହରଣ ପ୍ରାସଙ୍ଗିକ ହେବ।
୨୦୦୩ ମସିହା କଥା। ମିଜୋରାମ ସୁଆଙ୍ଗପୁଇଲନ୍ ମତଦାନ କେନ୍ଦ୍ରରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେଉଥାଏ। ମତଦାନ ସରିଲା ପରେ ଗଣତି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସବୁ ଆୟୋଜନ ହୋଇଥିଲା। ସଜାଗ ଥିଲେ ପୁଲିସ ଓ ସୁରକ୍ଷା ବାହିନୀ। ଗଣତି ଆରମ୍ଭ ହେଲା ପରେ ଦଳୀୟ ପ୍ରତିନିଧିଙ୍କ ପ୍ରତିବାଦ ହେତୁ ପୁଲିସ ମୁତୟନ ଘୁଞ୍ଚାଇ ଦିଆଗଲା। ଏତିକି ବେଳେ ଜଣାପଡ଼ିଲା ଯେ ସେଠି ଦଳର ପ୍ରାର୍ଥୀଙ୍କ ସହ ୨୦ ଜଣ ଏଜେଣ୍ଟ ଉପସ୍ଥିତ ଅଛନ୍ତି। ଅପରାହ୍ଣ ୪ଟା ବେଳେ (୩ ଡିସେମ୍ବର ୨୦୦୩) ଗଣତି ଆରମ୍ଭ ହେଲା। ପ୍ରଥମେ ଗଣା ହେଲା ପୋଷ୍ଟାଲ୍ ବାଲଟ୍। ଏତିକି ବେଳେ ଘଟିଲା ଏକ ଅପ୍ରତ୍ୟାଶିତ ଘଟଣା। ଉପସ୍ଥିତ ଏକ ନିର୍ଦ୍ଦିଷ୍ଟ ଦଳର କାଉଣ୍ଟିଙ୍ଗ୍ ଏଜେଣ୍ଟମାନେ ଜାଣିପାରିଲେ ଯେ ଗଣତି ଫଳାଫଳ ତାଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ଯାଉ ନାହିଁ। ସେମାନେ ତତ୍କ୍ଷଣାତ୍ ଏକାଠି ହୋଇ ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍କୁ କବ୍ଜା କରି, ତା’ ଉପରେ ନାଚି କୁଦି ଖଣ୍ଡ ଖଣ୍ଡ କରିଦେଲେ। ପାଖରେ ପଡ଼ିଥିବା ଟେବୁଲ୍, ଚେୟାର, ଖାତାପତ୍ରକୁ ଫିଙ୍ଗି ଦେଲେ। ଉପସ୍ଥିତ ପୁଲିସକୁ ଡାକି ଅପରାଧୀମାନଙ୍କୁ ଗିରଫ କରି ହାଜତକୁ ପଠାଇ ଦିଆଗଲା। ଏ କଥା ନିର୍ବାଚନ କମିସନଙ୍କୁ ଜଣାଇ ଦିଆଗଲା। କମିସନଙ୍କ ନିର୍ଦ୍ଦେଶ ଅନୁସାରେ ରିଟର୍ଣ୍ଣିଂ ଅଫିସର ରେକର୍ଡପତ୍ର ସହ ଭାଙ୍ଗି ଯାଇଥିବା ମେସିନ୍ର ଛୋଟ ବଡ଼ ସବୁ ଅଂଶକୁ ଗୋଟେ ଲୁହା ବାକ୍ସରେ ବନ୍ଦ କରି ସିଲ୍ ଦେଇ ଚାବି ପକାଇ ସୁରକ୍ଷା ସହ ନିର୍ବାଚନ ମୁଖ୍ୟାଳୟ ଦିଲ୍ଲୀରେ ଦାଖଲ କଲେ ଡିସେମ୍ବର ୪ ତାରିଖରେ। ସ୍ବୟଂ ମୁଖ୍ୟ ନିର୍ବାଚନ କମିସନର ତାଙ୍କ ଦୁଇ ସହଯୋଗୀ ନିର୍ବାଚନ କମିସନରଙ୍କ ସହ ଏହାକୁ ଗ୍ରହଣ କଲେ। ଏହା ପରେ ଭଙ୍ଗାରୁଜା ଇଭିଏମ୍ କଣ୍ଟ୍ରୋଲ ୟୁନିଟ ତନ୍ନ ତନ୍ନ କରି ଖୋଜୁ ଖୋଜୁ ମିଳିଗଲା ମାଇକ୍ରୋଚିପ୍, ଯେଉଁଥିରେ ଭୋଟ୍ ଡାଟା ସୁରକ୍ଷିତ ଥିଲା। ସେହି ଅନୁସାରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ କମିସନ। ହାରିଲେ ବାହୁବଳୀ, ଜିତିଲା ଇଭିଏମ୍।
‘ମତଦାନ ଓ ମତ ଗଣନା’ ପାଇଁ ଇଭିଏମ୍ର ବ୍ୟବହାର ପରଠାରୁ ଭାରତୀୟ ନିର୍ବାଚନ ଅପେକ୍ଷାକୃତ ହିଂସାମୁକ୍ତ ହେବା ସହ ବୁଥ୍ କବ୍ଜା ବା କ୍ୟାପଚରିଂ ଏବେ ଇତିହାସ ପାଲଟିଚି। ଅପରାଧପ୍ରବଣ ପ୍ରାର୍ଥୀ ଓ ବାହୁବଳୀମାନେ ଆଉ ଏହି ପନ୍ଥାକୁ ଲାଭଦାୟକ ବା ଫଳପ୍ରଦ ବୋଲି ବିଚାରୁ ନାହାନ୍ତି। ଏହା ଦ୍ବାରା ଆଉ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରି ହେଉନାହିଁ। ବରଂ ଗଣତି ଶୀଘ୍ର ହେଉଥିବାରୁ ଫଳାଫଳ ଅତି ଶୀଘ୍ର ପ୍ରକାଶ ପାଉଚି। ଆଗରୁ ଯାହା ସାତ ଦିନ ଯାଏ ଲାଗୁଥିଲା, ଏବେ ତାହା ସାତ ଘଣ୍ଟାରେ ଜଣାପଡ଼ିଯାଉଚି। ଏପରିକି ଗଣତିର ଘଣ୍ଟାକ ଭିତରେ ହାରଜିତ୍ ସୂଚନା ମିଳିଯାଉଚି। ବଞ୍ଚୁଚି ଶ୍ରମ ଓ ସମୟ। ଇଭିଏମ୍କୁ କୁହାଯାଉଛି ପରିବେଶର ପରମ ବନ୍ଧୁ। ଏମିତି ନିର୍ବାଚନ ସମୟରେ ପରିବେଶ ଅଧିକ ଦୂଷିତ ହୋଇଥାଏ। ଲୋକତନ୍ତ୍ରର ଏହି ମହାପର୍ବରେ ମତଦାତାଙ୍କ ସଂଖ୍ୟା ୯୫ କୋଟି ପହଞ୍ଚିଲାଣି। ଅତ୍ୟଧିକ ସଂଖ୍ୟାରେ ଗାଡ଼ି, ମଟର, ହେଲିକପ୍ଟର, ଉଡ଼ାଜାହାଜ ବ୍ୟବହାର, ରୋଡ୍ ସୋ, ଫ୍ଲେକ୍ସ ପ୍ଲାଷ୍ଟିକ୍, କଟ୍ ଆଉଟ୍, ହୋର୍ଡିଙ୍ଗ୍, ପ୍ରାଚୀର ପତ୍ର, ମାଇକ୍ ଦ୍ବାରା ପର୍ଯ୍ୟାବରଣ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହି ପରିପ୍ରେକ୍ଷୀରେ ଇଭିଏମ୍ ବ୍ୟବହାର ପରିବେଶ ସୁରକ୍ଷା ପାଇଁ ଏକ ଆଶୀର୍ବାଦ। ଏହା ଏକ ସରଳ ସହଜ ଯନ୍ତ୍ର। କମ୍ କାଗଜ ବ୍ୟବହାର କରେ। ଫଳରେ ଲକ୍ଷ ଲକ୍ଷ ବୃକ୍ଷ ରକ୍ଷା କରେ। ଇଭିଏମ୍ ମେସିନ୍ ପ୍ରୟୋଗ ପୂର୍ବରୁ ଦେଶରେ ଗୋଟିଏ ଗୋଟିଏ ନିର୍ବାଚନ ପାଇଁ ଆବଶ୍ୟକ ହେଉଥିଲା ପ୍ରାୟ ୧୫ ହଜାର ମେଟ୍ରିକ ଟନ୍ର କାଗଜ ବାଲଟ୍। ତେଣୁ ଏହାକୁ କୁହାଯାଉଚି ସବୁଜ ନିର୍ବାଚନ। ଏହି ପ୍ରକ୍ରିୟାକୁ ଦେଖି ଶିଖିବା ପାଇଁ ଅନ୍ୟ ଦେଶରୁ ଆସୁଛନ୍ତି ଶହ ଶହ ନିର୍ବାଚନ ପରିଚାଳନା ଅଧିକାରୀ। ଅନେକ ଆଫ୍ରୋ-ଏସିଆନ୍ ଦେଶ ଭାରତରେ ନିର୍ମିତ ଇଭିଏମ୍ ମେସିନ୍ ଦ୍ବାରା ତାଙ୍କ ଦେଶରେ ନିର୍ବାଚନ ପରିଚାଳନା କରୁଛନ୍ତି। ଉଦାହରଣ ସ୍ବରୂପ ଯେତେବେଳେ ଆମ ପଡ଼ୋଶୀ ଦେଶ ଭୁଟାନ୍ରେ ରାଜତନ୍ତ୍ର ପରିବର୍ତ୍ତନ କରି ଗଣତନ୍ତ୍ର ପ୍ରତିଷ୍ଠା ହେଲା, ସେଠାରେ ନିର୍ବାଚନ ପରିଚାଳନା ପାଇଁ ତାଲିମପ୍ରାପ୍ତ ଅଧିକାରୀ ନଥିଲେ। ସମସ୍ତଙ୍କୁ ଭାରତ ନିର୍ବାଚନ ଆେୟାଗ ତାଲିମ ଦେଇ ପ୍ରସ୍ତୁତ କରିଥିଲେ। ଭୁଟାନର ମୁଖ୍ୟ ନିର୍ବାଚନ କମିସନର ଦଶୋ କୁଞ୍ଜଙ୍ଗ୍ ୱାଙ୍ଗ୍ଡ଼ି ଜଣାଇଥିଲେ କିପରି ଏହା ଦ୍ବାରା ରାଜତନ୍ତ୍ର ଜାଗାରେ ଲୋକତନ୍ତ୍ର ପ୍ରତିଷ୍ଠା ସହଜ ହୋଇଥିଲା ଏବଂ ଏଥିପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଇଭିଏମ୍ ବ୍ୟବହୃତ ହୋଇଥିଲା। ଏଥିପାଇଁ ଭାରତ ନିର୍ବାଚନ ଆୟୋଗଙ୍କୁ କୃତଜ୍ଞତା ଜଣାଇଥିଲେ ୱାଙ୍ଗ୍ଡ଼ି। ଏବଂ କହିଲେ- ଇଣ୍ଡିଆନ୍ ଇଭିଏମ୍ ଆମ ପାଇଁ ଥିଲା ବରଦାନ। ଭୁଟାନ୍ ଇଣ୍ଡିଆନ୍ ଇଭିଏମ୍କୁ ସବୁ ମତଦାନ େକନ୍ଦ୍ରରେ ବ୍ୟବହାର କରିଥିଲା। ବାଟେରି ଦ୍ବାରା ଚାଲୁଥିବାରୁ ଏହା ବିଜୁଳି ନ ଥିବା ଜାଗାରେ ବି ଚାଲୁଥିଲା।
ବହୁ ଆଲୋଚନା, ପର୍ଯ୍ୟାଲୋଚନା, ପରୀକ୍ଷାନିରୀକ୍ଷା ପରେ, ୧୯୮୨ ମସିହାରେ କେରଳ ରାଜ୍ୟର ପାରୁର୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଇଭିଏମ୍ ବ୍ୟବହାର କରାଯାଇଥିଲା। ଏହା ପୂର୍ବରୁ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ବାଙ୍ଗାଲୋର ଓ ହାଇଦ୍ରାବାଦ ସହ ଏକ ଟେକ୍ନିକାଲ୍ ଏକ୍ସପର୍ଟ କମିଟି ଟିକିନିଖି ଆଲୋଚନା କରିଥିଲେ। କାରଣ ଭୋଟିଙ୍ଗ୍ ପ୍ରଥା ଓ ଚଲଣିରେ ଯେ କୌଣସି ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ସଂବିଧାନ ସଂଶୋଧନ କରି ‘ରିେପ୍ରଜେଣ୍ଟେସନ୍ ଅଫ୍ ପିପୁଲ୍ ଆଇନ’କୁ ବଦଳେଇବାକୁ ପଡ଼ିବ। ୧୯୫୨ର ପ୍ରଥମ ସାଧାରଣ ନିର୍ବାଚନ ଓ ୧୯୫୭ର ଦ୍ବିତୀୟ ନିର୍ବାଚନ ବେଳେ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ରଙ୍ଗ କରା ଟିଣ ବାକ୍ସ ରଖାଯାଉଥିଲା। ୧୯୬୦-୬୧ରେ ପରୀକ୍ଷାମୂଳକ ଭାବେ ବାଲଟ୍ ପେପର ବ୍ୟବହୃତ ହେଲା। ୧୯୯୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁ ରହିଲା। ଏହା ପୂର୍ବରୁ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିସନର ଏସ୍.ଏଲ୍.ସକଧର ମତଦାନ ପ୍ରକ୍ରିୟାକୁ ଅଧିକ ସରଳ ଓ ଟାମ୍ପର-ପ୍ରୁଫ୍ ବା ହସ୍ତକ୍ଷେପ ନିରୋଧୀ କରିବା ପାଇଁ ଏକ ବିକଳ୍ପ ବ୍ୟବସ୍ଥା ପାଇଁ ଇଲେକ୍େଟ୍ରାନିକ୍ କର୍ପୋରେସନ୍ ଅଫ୍ ଇଣ୍ଡିଆକୁ ପ୍ରସ୍ତାବ ଦେଇଥଲେ। ଏହାପରେ ଅନ୍ୟ କମ୍ପାନିମାନେ ଇଭିଏମ୍ ଉତ୍ପାଦନ ପାଇଁ ପ୍ରସ୍ତାବ ଆଣି ଆସିଥିଲେ। ୧୯୮୧ ମସିହାରେ ସରକାର ଏମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ପରୀକ୍ଷାମୂଳକ ଭାବେ କେରଳର ୫୦ଟି ମତଦାନ କେନ୍ଦ୍ରରେ ଏହାକୁ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା (୧୯୮୨)। ସେତେବେଳେ କେନ୍ଦ୍ରରେ କଂଗ୍ରେସ ଓ କେରଳେର ବାମପନ୍ଥୀ ସରକାର ଶାସନ ଦାୟିତ୍ବରେ ଥିଲେ। ଏ ସମ୍ପର୍କରେ ସୁପ୍ରିମ୍ କୋର୍ଟଙ୍କ ରାୟ ଯୋଗୁଁ ଜନପ୍ରତିନିଧି ଆଇନ-୧୯୫୧ରେ ସଂଶୋଧନ କରାଯାଇଥିଲା (୧୯୮୮)। ଏହାପରେ ଇଭିଏମ୍ ବ୍ୟବହାର ପାଇଁ ନିର୍ବାଚନ କମିସନଙ୍କୁ ଅନୁମତି ମିଳିଲା। ୧୫ ମାର୍ଚ୍ଚ, ୧୯୮୯ ଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲା। ଏହା ପରେ ୧୯୯୦ ମସିହା, ଜାନୁଆରି ମାସରେ ଭାରତ ସରକାର ଦିନେଶ ଗୋସ୍ବାମୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ସଂସ୍କାର ସମ୍ପର୍କରେ ଏକ କମିଟି ଗଠନ କଲେ। ନେସନାଲ ଲ’ କମିସନ ଓ ଗୋସ୍ବାମୀ କମିଟି ଉଭୟେ ନିର୍ବାଚନ କମିସନଙ୍କୁ ସ୍ବଚ୍ଛ ନିର୍ବାଚନ ପାଇଁ ଅଧିକ କ୍ଷମତା ଦେବା ପାଇଁ ସୁପାରିସ କରିଥିଲେ। ସେମାନେ କହିଥିଲେ ଯେ କମିସନ ଟେକ୍ନିକାଲ୍ ବିଶେଷଜ୍ଞଙ୍କ ଦ୍ବାରା ଭୋଟିଙ୍ଗ ମେସିନ୍ର ବିଶ୍ବସନୀୟତା ଯାଞ୍ଚ କରାଇବେ, ଯେପରି ଭୋଟରଙ୍କ ମନରେ ସନ୍ଦେହ ନ ରହେ। ଏହି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଚାଲୁ ରହିଚି। ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନ ବେଳେ ଏହିଭଳି ଯାଞ୍ଚ ହୋଇଥିଲା ଓ ଭୋଟିଙ୍ଗ ମେସିନ୍ରେ ଆବଶ୍ୟକ ପରିବର୍ତ୍ତନ କରାଯାଇଥିଲା। ୨୦୨୪ ନିର୍ବାଚନ ପରେ ଛ’ଟି ରାଜ୍ୟର ୮ ଲୋକସଭା ଆସନରେ ଇଭିଏମ୍ ଯାଞ୍ଚ ପାଇଁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏବେ ବି ‘ଭିଭିପ୍ୟାଟ୍ ପେପର ଟ୍ରେଲ୍’ ବିଷୟରେ ସମୀକ୍ଷା ଚାଲିଛି। ନିର୍ବାଚନ କମିସନ ସହ ସୁପ୍ରିମ୍ କୋର୍ଟ ଓ ସଂବିଧାନ ସଜାଗ ଅଛନ୍ତି। ଷ୍ଟ୍ରଙ୍ଗରୁମ୍େର ୨୪ ଘଣ୍ଟା ସୁରକ୍ଷିତ ଭୋଟ ବାକ୍ସେର ପ୍ରାର୍ଥୀ ବା ତାଙ୍କ ଏଜେଣ୍ଟ ସିଲ୍, ମୋହର ଦେଇ ବନ୍ଦ କରୁଛନ୍ତି ଓ ତାଙ୍କ ଉପସ୍ଥିତିରେ ସିଲ୍ ଭାଙ୍ଗି ଖୋଲାଯାଉଛି। ସିସିଟିଭି କ୍ୟାମେରା ୨୪ ଘଣ୍ଟା ଜଗି ରହୁଚି। ସନ୍ଦେହ ହେଲେ ପ୍ରାର୍ଥୀଙ୍କ ପାଇଁ ପୁନର୍ବାର ଗଣନା ବ୍ୟବସ୍ଥା ରହିଚି। ଗଣମାଧ୍ୟମ, ନାଗରିକ ସଂଗଠନ ତଥା ଇଲେକ୍ସନ ୱାଚ୍ ଭଳି ଅନୁଷ୍ଠାନଗୁଡ଼ିକ ଜଗି ରହୁଛନ୍ତି। ତା’ସହ ଅଛନ୍ତି ଶହ ଶହ ଅବ୍ଜର୍ଭର୍ ବା ନିରୀକ୍ଷକ।
ଏସବୁ ବ୍ୟବସ୍ଥା ସତ୍ତ୍ବେ ଇଭିଏମ୍କୁ ନେଇ ବିବାଦର ଅନ୍ତ ନାହିଁ। ଆେରାପୀମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ସୁବ୍ରମଣ୍ୟମ ସ୍ବାମୀ, ଜନତା ପାର୍ଟିର ସତୀନାଥ ଚୌଧୁରୀ, କଂଗ୍ରେସର ରାହୁଳ ଗାନ୍ଧୀ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସିଷ୍ଟ), ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ, ତେଲୁଗୁ ଦେଶମ୍, ଏଡିଏମ୍କେ, ଜନତା ଦଳ (ସେକ୍ୟୁଲାର୍) ଇତ୍ୟାଦି ଅନେକ ଛୋଟବଡ଼ ରାଜନୈତିକ ଦଳ। ନିର୍ବାଚନରେ ଇଭିଏମ୍ ପ୍ରୟୋଗ ସପକ୍ଷରେ, ସମର୍ଥନରେ ସର୍ବପ୍ରଥମେ ନେତୃତ୍ବ ନେଇଥିଲା କଂଗ୍ରେସ ପାର୍ଟି। କିନ୍ତୁ କ୍ରମାଗତ ହାରିବା ପରେ ସ୍ବର ବଦଳାଇ ଥିଲା। ସେମିତି ବିଜେପି ପ୍ରଥମେ ବିରୋଧ କରୁଥିଲା। ବିପୁଳ ବିଜୟ ପରେ ଚୁପ୍ ହୋଇ ଯାଇଥିଲା। ସେମିତି ତାମିଲ୍ନାଡୁର ଜୟଲଳିତା। ଆମ୍ ଆଦ୍ମି ପାର୍ଟି ହାରିଲା ପରେ ଇଭିଏମ୍କୁ ଦୋଷାରୋପ କରି, ଜିତିବା ପରେ ନିରବ ହୋଇଯାଇଥିଲା। ଆଉ ଥରେ ଦିଲ୍ଲୀ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକି ଇଭିଏମ୍ କିପରି ଟାମ୍ପର୍-ପ୍ରୁଫ୍ ନୁହେଁ, ତାହା ଦର୍ଶାଇଥିଲେ କେଜ୍ରିୱାଲ୍। ପରେ ଜଣାପଡ଼ିଲା ଏଥିପାଇଁ ଯେଉଁ ମେସିନ୍ ବ୍ୟବହାର କରାଯାଇଥିଲା ତାହା ପ୍ରକୃତରେ ଇଭିଏମ୍ ନୁହେଁ। ଅତୀତରେ ଇଭିଏମ୍ ସମ୍ପର୍କରେ କେତେକ ରାଜନୈତିକ ଦଳଙ୍କ ମନରୁ ସନ୍ଦେହ ଦୂର କରିବା ପାଇଁ ନିର୍ବାଚନ କମିସନ ସେମାନଙ୍କୁ ନିମନ୍ତ୍ରଣ କରିଥିଲେ। ତା’ସହ ସେମାନଙ୍କୁ କୁହାଯାଇଥିଲା ଯେ ସେଦିନ ସାଙ୍ଗରେ ଜଣେ ଲେଖାଏଁ ଇଲେକ୍ଟ୍ରିକ୍ ଇଞ୍ଜିନିଅର୍ ନେଇ ଆସିବେ ଏବଂ କମିସନ ଏକ୍ସପର୍ଟଙ୍କ ସାମନାରେ ଇଭିଏମ୍କୁ ହ୍ୟାକ୍ କରି ଦେଖାଇଦେବେ ତାଙ୍କ ଅଭିଯୋଗ କେତେ ସତ! ଏଥିପାଇଁ ତାଙ୍କୁ ତିନି ଥର ସୁଯୋଗ ଦିଆଯିବ। କିନ୍ତୁ ସେ ଦିନ କେହି ଜଣେ ହେଲେ ଆସିଲେ ନାହିଁ। ଇଭିଏମ୍ ତା’ ଘରକୁ ଫେରିଗଲା। ପ୍ରୟୋଗରେ ଜଟିଳତା ନ ଥିବାରୁ ଇଭିଏମ୍କୁ କୁହାଯାଏ- ‘ଉନ୍ନତ କାଲ୍କୁଲେଟର୍’। ଇଣ୍ଟରନେଟ୍ କନେକ୍ସନ ନ ଥିବାରୁ ଏହାକୁ ବାହାରୁ ହ୍ୟାକ୍ ବା ପ୍ରଭାବିତ କରିହୁଏ ନାହିଁ। ତେଣୁ ଏ ସମ୍ପର୍କୀୟ ଆଶଙ୍କାର ଆଧାର ନାହିଁ। ସବୁ ମେସିନ୍ ଭଳି ଏହି ମେସିନ୍ ବେଳେବେଳେ ରକ୍ଷଣାବେକ୍ଷଣ ଅଭାବରୁ ଖରାପ ହୋଇଯାଇପାରେ, ମରାମତି ଲୋଡ଼ିପାରେ; କିନ୍ତୁ ଏହାଦ୍ବାରା ଗୋପନୀୟତା ପ୍ରଭାବିତ ହୁଏ ନାହିଁ।
ସବୁ ଦୋଷ ଦୁର୍ବଳତା ସତ୍ତ୍ବେ ନିର୍ବାଚନ ପରିଚାଳନାରେ ଭାରତ ଆଜି ବିଶ୍ବଗୁରୁ। ଏବଂ ଏହି ସଫଳତା ପାଇଁ ଇଭିଏମ୍ ଏକ ସିଲଭର୍ ବୁଲେଟ୍ ଭଳି କାମ କରୁଛି। ତଥାପି ଏକ ତ୍ରୁଟିଶୂନ୍ୟ ନିର୍ବାଚନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ପଡ଼ିବ। ନିର୍ବାଚନ ପରିଚାଳନାରେ ଅଧିକରୁ ଅଧିକ ଟେକ୍ନୋଲୋଜି ପ୍ରୟୋଗ କରିବାକୁ ହେବ। ନିଜ ଅଭିଜ୍ଞତାରୁ ଓ ବିଫଳତାରୁ ସମାଲୋଚନା ଶିଖିବାକୁ ହେବ। ଟେକ୍ନୋଲୋଜି ସହାୟତାରେ ଆଜି ମୁଖ୍ୟ ନିର୍ବାଚନ କମିସନ ନିଜ ଅଫିସରେ ବସି ଦେଶର ଦଶ ଲକ୍ଷ ମତଦାନ କେନ୍ଦ୍ରରେ କ’ଣ ଘଟୁଛି ଜାଣିପାରିେବ, ମନିଟରିଙ୍ଗ କରିପାରିବେ। ତେଣୁ ଇଭିଏମ୍କୁ ଗାଳି ନ ଦେଇ ତା’ ସାହାଯ୍ୟରେ ନିର୍ବାଚନକୁ ଆମେ ଅଧିକରୁ ଅଧିକ ସ୍ବଚ୍ଛ, ଉତ୍ତରଦାୟୀ କରିପାରିବା। ରଙ୍ଗ ବାକ୍ସ ଓ କାଗଜ ଭୋଟ ଯୁଗକୁ ଫେରିବା ଆଉ ସମ୍ଭବ ନୁହେଁ। ଏହା ଶଗଡ଼-ଗାଡ଼ିରେ ଚନ୍ଦ୍ର ଯାତ୍ରା ଭଳି ହାସ୍ୟାସ୍ପଦ।
ପ୍ରାକ୍ତନ ବରିଷ୍ଠ ପରାମର୍ଶଦାତା,
ଭାରତ ନିର୍ବାଚନ ଆୟୋଗ, ନୂଆଦିଲ୍ଲୀ
[email protected]
ବିକଳ୍ପ ବିଶ୍ବ: ଇଭିଏମ୍ ବିବାଦ ଓ ସବୁଜ ନିର୍ବାଚନ
ଭଗବାନପ୍ରକାଶ
/sambad/media/post_attachments/wp-content/uploads/2024/06/ggjgjdgjddgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)