ସୌରଜଗତର ଏକମାତ୍ର ଜୀବନ୍ତ ଗ୍ରହ ଆମ ପୃଥିବୀ। ୫୧ କୋଟି ବର୍ଗକିଲୋମିଟର ପରିବ୍ୟାପ୍ତ ପୃଷ୍ଠର ୨୯.୨% ଅର୍ଥାତ୍ ୧୪.୯ କୋଟି ବର୍ଗକିଲୋମିଟର ସ୍ଥଳଭାଗକୁ ଘେରି ରହିଛି ୭୦.୮% ବା ୩୬.୧ ବର୍ଗକିଲୋମିଟର ଜଳରାଶି। ଏହି ବିଶାଳ ବିସ୍ତୀର୍ଣ୍ଣ ଭୂଭାଗ ମୁଖ୍ୟତଃ ୪ଟି ଭୂଖଣ୍ଡ ଯଥା: ଆଫ୍ରିକା-ୟୁରୋସିଆ, ଆମେରିକା, ଆଣ୍ଟାର୍କଟିକା ଓ ଅଷ୍ଟ୍ରେଲିଆ ସହିତ ଅନେକ ଦ୍ବୀପପୁଞ୍ଜକୁ ନେଇ ଗଠିତ। ପାହାଡ଼, ପର୍ବତ, ମାଳ, ଢାଲୁ, ଉପତ୍ୟକା, ଉପକୂଳ, ସମତଳ, ମରୁ ଓ ମେରୁ ଭାବରେ ଦୃଶ୍ୟମାନ। ଏଥିରୁ ସୃଷ୍ଟ ନଦୀ, ନାଳ, ଝରଣା ଓ ହ୍ରଦ ମଧ୍ୟ ଏହାର ଅନ୍ତର୍ଭୁକ୍ତ। ଏହାକୁ ଢାଙ୍କି ରହିଛି ବାୟୁମଣ୍ଡଳ ଯାହା ଅନ୍ତରୀକ୍ଷ ସହିତ ଯୋଗାଯୋଗର ମାଧ୍ୟମ।
ସାଧାରଣତଃ ଭୂଅଂଚଳ କହିଲେ ଭୂମିକୁ ହିଁ ବୁଝାଇଥାଏ। ଏହା ଜୀବନ ତତ୍ତ୍ବର ଏକ ମୌଳିକ ଉପାଦାନ, ଜୀବସତ୍ତାର ସମସ୍ତ ଅଂଶବିଶେଷର ସଂରଚନା ଓ ସନ୍ତୁଳନର ସୂତ୍ରଧର ଏବଂ ବଂଚିବା ପାଇଁ ପାଣି, ପବନ ଓ ଖାଦ୍ୟ ଭଳି ନାନାବିଧ ପଦାର୍ଥର ଗନ୍ତାଘର। ସବୁ ସ୍ଥଳଚର ଜୀବ, ବିଶେଷ କରି ମଣିଷର ଜୀବନ ଉତ୍ସ ହେଉଛି ଭୂମି। ସେହିପରି ମାନବ ଶରୀରର ପ୍ରାୟ ୬୦% ହେଉଛି ଜଳ। ଧରିତ୍ରୀରେ ଥିବା ଜଳର ମାତ୍ର ୨.୫% ମଧୁର। ତନ୍ମଧ୍ୟରୁ ୬୮.୬% ବରଫ ଚାଦର ଓ ହିମଖଣ୍ଡରେ; ମାଟି ତଳେ ୩୦% ଓ ଉପରେ ଥିବା କେବଳ ୧% ପାନୀୟଯୋଗ୍ୟ। ଜଳଚକ୍ର ମାଧ୍ୟମରେ ଏହାର ଚିରକାଳ ଯୋଗାଣ ଜମରି ଅମୂଲ୍ୟ ଅବଦାନ। ସେହିପରି ବାୟୁ ହିଁ ପ୍ରାଣ। ଅମ୍ଳଜାନ ବିନା ଦଣ୍ଡେ ତିଷ୍ଠିବା ଅସମ୍ଭବ। ଭୂଉପରସ୍ଥ ବୃକ୍ଷଲତା ଏହାର ନିରନ୍ତର ପ୍ରସ୍ତୁତକାରୀ। ମୃତ୍ତିକାରୁ ଉତ୍ପନ୍ନ ବିଭିନ୍ନ ଶସ୍ୟ ଓ ଫଳମୂଳ ଇତ୍ୟାଦି ସହିତ ଚାରଣ ଭୂଇଁରେ ଲାଳିତପାଳିତ ପ୍ରାଣୀ ଉତ୍ପାଦ ବିଶ୍ୱ ଖାଦ୍ୟ କ୍ୟାଲୋରି ଚାହିଦାର ୮୦%ରୁ ଅଧିକ ପୂରଣ କରୁଛି। ଏହାଛଡ଼ା କାର୍ବନ ଚକ୍ର ଦ୍ୱାରା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ୍ର ଅପସାରଣ ଓ ମାଟିରେ ଆବଦ୍ଧୀକରଣ ଦ୍ୱାରା ତାପମାତ୍ରା ବୃଦ୍ଧି ପ୍ରତିହତ ହେବା ସହିତ ଅନିଷ୍ଟକାରୀ ନାଇଟ୍ରସ୍ ଅକ୍ସାଇଡ୍ ବିଘଟନ ଓ ବିନିଯୋଗ ମାଧ୍ୟମରେ ଓଜୋନ ବଳୟକୁ ସୁରକ୍ଷିତ ରଖି ମାନବ ଜାତିର ସୁରକ୍ଷାରେ ସହାୟକ ହେଉଛି। ଧରାପୃଷ୍ଠରେ ମନୁଷ୍ୟ ତିଷ୍ଠି ରହିବା ନିମନ୍ତେ ଜମିର ଆବଶ୍ୟକତା ଓ ଅପରିହାର୍ଯ୍ୟତା ବିଷୟରେ ସଚେତନତା ଉଦ୍ଦେଶ୍ୟରେ ‘ଆମ ଭୂମି, ଆମ ଭବିଷ୍ୟତ’କୁ ଏ ବର୍ଷର ବିଶ୍ୱ ପରିବେଶ ଦିବସ ପ୍ରସଙ୍ଗ ଭାବରେ ଉପସ୍ଥାପନା କରାଯାଇଥିଲା।
ଭୂସମ୍ପଦ ଏକ ପ୍ରାକୃତିକ ସମ୍ବଳ। ଏହା ସ୍ଥାବର ଓ ସୀମିତ ହୋଇଥିବା ବେଳେ ବ୍ୟବହାରକାରୀ ଜନସଂଖ୍ୟା କ୍ରମବର୍ଦ୍ଧିଷ୍ଣୁ। ଭୂମିର ପରିମାଣାତ୍ମକ ଓ ଗୁଣାତ୍ମକ ସ୍ଥିତି ସହିତ ଜନବସତି ଜଡ଼ିତ। ଭୂମଣ୍ଡଳର ୬୮% ସ୍ଥଳଭାଗ ଉତ୍ତର ଗୋଲାର୍ଦ୍ଧରେ ରହିଥିବାରୁ ଏହା ବିଶ୍ୱର ପ୍ରାୟ ୯୦% ଲୋକଙ୍କର ବାସସ୍ଥଳୀ। ଅପରପକ୍ଷରେ ବରଫାଚ୍ଛନ୍ନ ଆଣ୍ଟାର୍କଟିକାରେ ଜନସଂଖ୍ୟା ଖୁବ୍ କମ୍। ବିଶ୍ୱରେ ମୁଣ୍ଡପିଛା କୃଷି ଜମି ୦.୨୯ ହେକ୍ଟର ହୋଇଥିବା ବେଳେ ଭାରତରେ ୦.୧୨ ହେକ୍ଟର। ଦେଶର ଦୟନୀୟ ସ୍ଥିତି ଏଥିରୁ ଅନୁମେୟ। ଜମିର ଜୈବିକ, ଭୌତିକ ଓ ଭୌଗୋଳିକ ମାନରେ କ୍ରମାଗତ ଅବକ୍ଷୟ ଘଟି ଏହାର ଉର୍ବରତା, ଉତ୍ପାଦନତା ଓ ଉପକାରିତା ହ୍ରାସ ହେତୁ ଆମ ପରିବେଶ, ପରିସଂସ୍ଥା ଓ ପରିପୋଷଣ ଉପରେ ପ୍ରଭାବ ପରିଦୃଷ୍ଟ ହେଲାଣି। ପୃଥିବୀରେ ବର୍ଷକୁ ପ୍ରାୟ ୧୦ କୋଟି ହେକ୍ଟର ଜମିର ଅବନତି ଘଟୁଛି। ପ୍ରାୟ ୩୦୦ କୋଟିରୁ ଅଧିକ ଲୋକ ଏହା ଦ୍ବାରା ପ୍ରଭାବିତ। ଯଦି ଏହି ଧାରା ଲାଗି ରହେ ତେବେ ୨୦୫୦ ବେଳକୁ ସଂଖ୍ୟାଧିକ ଲୋକ ଦୁର୍ଭିକ୍ଷର ଦୁର୍ଦ୍ଦଶା ଭୋଗିବେ। ଭାରତର ଅବସ୍ଥା ମଧ୍ୟ ତଦ୍ରୂପ। ୨୦୧୯ ମସିହାର ତଥ୍ୟ ଅନୁସାରେ ୩ କୋଟି ହେକ୍ଟର ଭୂମି କ୍ଷତିଗ୍ରସ୍ତ ହୋଇସାରିଛି। ଜଙ୍ଗଲ କ୍ଷୟ, ହାନିକାରକ ଚାଷ ପ୍ରଣାଳୀ, ଖଣି ଖାଦନ, ଶିଳ୍ପାୟନ ନିମନ୍ତେ ଜମିର ଦୁରୁପଯୋଗ ଇତ୍ୟାଦି ଅପରିମାଣଦର୍ଶୀ କାର୍ଯ୍ୟକଳାପ ଏହାର ପ୍ରମୁଖ କାରଣ। ଜଳବାୟୁ ପରିବର୍ତ୍ତନ ଓ ଉତ୍ତପ୍ତୀକରଣ ଯୋଗୁଁ ମରୁଡ଼ିର ବାରମ୍ବାରତା ଓ ତୀବ୍ରତା ଅନେକ ଶସ୍ୟଶ୍ୟାମଳା କ୍ଷେତକୁ ମରୁଭୂମିରେ ପରିଣତ କରୁଛି। ଜମିର ଉପାଦେୟତା ଯଦିଓ ଉର୍ବରତା ଉପରେ ନିର୍ଭରଶୀଳ, କିନ୍ତୁ ପରିଚାଳନା ପାରଦର୍ଶିତା ମାଧ୍ୟମରେ ଏହାର ଉପଯୋଗିତାରେ ବୃଦ୍ଧି ସମ୍ଭବ। ଆମର ଭବିଷ୍ୟତ ପାଇଁ ଭୂମିର ସୁରକ୍ଷା, ସମୃଦ୍ଧି ଓ ସୁଉପଯୋଗର ସୁନିଶ୍ଚିତତା ସମୟର ବାଧ୍ୟବାଧକତା ପାଲଟିଛି।
କ୍ଷୟପ୍ରାପ୍ତ ଜମିର ପୁନରୁଦ୍ଧାର ସହିତ ମରୁଡ଼ି ଓ ମରୁଅଂଚଳ ସୃଷ୍ଟିର ଦୂରୀକରଣକୁ ମଧ୍ୟ ଚଳିତ ବର୍ଷ ପରିବେଶ ଦିବସ କାର୍ଯ୍ୟକ୍ରମରେ ସାମିଲ କରାଯାଇଅଛି। ‘ୟୁନାଇଟେଡ୍ ନେସନ୍ସ କନ୍ଭେନ୍ସନ୍ ଟୁ କମ୍ବାଟ୍ ଡେଜର୍ଟିଫିକେସନ୍’ (୧୯୯୪) ଅନୁଯାୟୀ ଭାରତ ୨୦୩୦ ସୁଦ୍ଧା ୨.୬ କୋଟି ହେକ୍ଟର ଜମିକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛି। ସେଥିପାଇଁ ଜାତୀୟ ବନୀକରଣ କାର୍ଯ୍ୟକ୍ରମ, ସବୁଜ ଭାରତ ମିସନ ଓ ଜାତୀୟ ମରୁଭୂମୀକରଣ ପ୍ରତିରୋଧ ଯୋଜନା ଇତ୍ୟାଦିକୁ କାର୍ଯ୍ୟକାରୀ କରାଯାଉଅଛି। ମିଳିତ ଜାତିସଂଘ ୨୦୩୦ ସୁଦ୍ଧା ବିଶ୍ୱକୁ କ୍ଷୁଧାମୁକ୍ତ କରିବା ନିମନ୍ତେ ସମୟ ଧାର୍ଯ୍ୟ କରିଛି। ବନାଂଚଳ ଓ ବୃକ୍ଷାଂଚଳର ବୃଦ୍ଧି, କୃଷି ଜଙ୍ଗଲ, ମାଟି ସହନୀୟ ଚାଷ ପଦ୍ଧତି, ଶସ୍ୟ ବିବିଧୀକରଣ ଓ ଜୈବିକ ଜଳ ନିଷ୍କାସନ ଇତ୍ୟାଦିର ପ୍ରୋତ୍ସାହନ ଜରୁରୀ। ୨୦୨୧ରୁ ୨୦୩୦କୁ ପରିସଂସ୍ଥା ପୁନଃସ୍ଥାପନର ଦଶନ୍ଧି ଭାବରେ ପାଳନ କରାଯାଉଅଛି। ଆମେ ସମସ୍ତେ ପୁନର୍ଗଠନ ପିଢ଼ିର ସୈନିକ ଭାବରେ ଭୂମି ସୁରକ୍ଷାର ଆହ୍ୱାନକୁ ସାକାର କରିବା ଦିଗରେ ତତ୍ପର ହେବା ଉଚିତ।
ମୋ: ୯୪୩୭୦୮୦୨୩୩
ଆମ ଭୂମି, ଆମ ଭବିଷ୍ୟତ
ଜିତଶତ୍ରୁ ମହାନ୍ତି