ଭାରତ ଭାଗ୍ୟ ବିଧାତା!

କୁମାର ପ୍ରଶାନ୍ତ

୨୦୨୪ ଦେଶକୁ ବହୁତ କିଛି ଦେଇଛି। ଏହା ପୂର୍ବରୁ ଆମେ ଏଭଳି ଏକ ପତନଶୀଳ ନିର୍ବାଚନ ଓ ନିର୍ବାଚନ ଆୟୋଗ ଦେଖିନଥିଲୁ। ସେମିତି ଏଭଳି ଏକ ନିର୍ବାଚନ ପରିଣାମ ମଧ୍ୟ ଆଗରୁ କେବେ ଦେଖାଯାଇନଥିଲା। ଆମେ ଦଳମାନଙ୍କର ପରାଜୟ ଓ ବିଜୟ ଦେଖିଛେ; ଆମେ ୧୯୭୭ରେ ଭୋଟର କରାମତିରେ ଏକ ପ୍ରକାର ଏକଛତ୍ରବାଦୀ ପରାଜିତ ହୋଇଥିବା ଦେଖିଛେ। ମାତ୍ର ଆମେ ଏଥର ଏଭଳି ଫଳାଫଳ ଦେଖିଲେ ଯେଉଁଥିରେ ପ୍ରଥମ ଥର ଲାଗି ଜିତୁଥିବା ଦଳ ହାରିଗଲା ଓ ହାରୁଥିବା ଦଳ ଜିତିଗଲା। ଆଉ ଏହି ନିର୍ବାଚନ ପରିଣାମରେ ଆମକୁ ଏଭଳି ଏକ ସରକାର ମିଳିଛି, ଯିଏ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାରରୁ ଏକ ସଂଖ୍ୟାଲଘୁ ସରକାରରେ ରୂପାନ୍ତରିତ ହୋଇଛି।
ଏହି ସରକାରର ଶୀର୍ଷରେ ବସିଥିବା ବ୍ୟକ୍ତି ସମାନ ରହିଛନ୍ତି, ମାତ୍ର ତାଙ୍କ ପଖରେ ନା ‘ସଂଖ୍ୟାର ବୁଲଡୋଜର’ ରହିଛି ନା ସୌଭାଗ୍ୟ ରହିଛି। ମୁଁ ଈଶ୍ବରଙ୍କୁ ପ୍ରାର୍ଥନା କରୁଛି କି ଏହି ଅଳ୍ପମତର ସରକାରଙ୍କୁ ସେ ସଂଖ୍ୟାଲଘୁଙ୍କର, କମ୍ ସୁବିଧାପ୍ରାପ୍ତ ବର୍ଗଙ୍କର, ସ୍ବଳ୍ପ ପ୍ରତିଷ୍ଠା ଓ ସୁରକ୍ଷା ପ୍ରାପ୍ତ ମହିଳାଙ୍କର ଏବଂ ସ୍ବଳ୍ପ ଦକ୍ଷତାସଂପନ୍ନ ପିଲାମାନଙ୍କର ସାହାରା ବା ଅବଲମ୍ବନ ହେବା କଥା ହୃଦୟଙ୍ଗମ କରାଇବେ।
‘ଗାନ୍ଧୀ’ ଚଳଚ୍ଚିତ୍ର ନିର୍ମାଣ ହେବାର ବହୁ ଆଗରୁ ଗାନ୍ଧୀଜୀ କହିଥିଲେ ଯେ ଗଣତନ୍ତ୍ରରେ ଯିଏ ବି ଯେତେବେଳେ କ୍ଷମତାରେ ରହନ୍ତୁ ବା ସେ ଯେତେ ସମୟ ଧରି କ୍ଷମତାରେ ରହନ୍ତୁ, ତାଙ୍କୁ ‘ସରକାର’ ହୋଇ ରହିବାକୁ ହେବ। ଗାନ୍ଧୀଙ୍କ ଭାଷାରେ ‘ଏହି ଆସନରେ ଯେତେ ଶକ୍ତ ହୋଇ ବସିବା କଥା ବସ କିନ୍ତୁ ତାକୁ ହାଲୁକା ଭାବେ ଧରି ରହ!’ (୧୯୪୭ରେ ସ୍ବାଧୀନତା ପରେ ହୋଇଥିବା ମନ୍ତ୍ରୀମାନଙ୍କୁ ସେ ଏହା ଇଂରେଜୀରେ କହିଥିଲେ)। ଏହାର ଅର୍ଥ ଦାୟିତ୍ବର ଅଙ୍ଗୀକାର ସହ ଏହି ଆସନରେ ବସ, ମାତ୍ର ତହିଁରେ ଲାଖି ରହନାହିଁ!
ଏହି ନିର୍ବାଚନରେ ଏପରି ଘଟିଛି ଯେ ସାରା ଦେଶରେ ‘ଗୋଦି ମିଡିଆ’ ବା ‘କୋଳାଶ୍ରିତ’ ଗଣମାଧ୍ୟମର ଦମ୍ଭ କିଛି ପରିମାଣରେ ଭାଙ୍ଗି ଯାଇଛି, ତଥାପି ସେମାନେ ଗୋଟିଏ ସ୍ବରରେ ଗାନ କରୁଛନ୍ତି ଯେ ନେହରୁଙ୍କ ପରେ ମୋଦୀ ହେଉଛନ୍ତି ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ଏକମାତ୍ର ବ୍ୟକ୍ତି। କିନ୍ତୁ ନେହରୁ ନିଜର କ୍ଷମତା ଓ ବୁଝାମଣା ଦ୍ବାରା ଲୋକତାନ୍ତ୍ରିକ ଅନୁଷ୍ଠାନ ତଥା ପରମ୍ପରାକୁ ସୃଷ୍ଟି, ସଂରକ୍ଷଣ ଓ ପ୍ରୋତ୍ସାହିତ କରି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ତିନି ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିଲେ।
ନିର୍ବାଚନ ଫଳାଫଳର ପୂର୍ବାନୁମାନ କରୁଥିବା ଏକଜିଟ୍‌ ପୋଲ୍‌ ପରି ବେପାର ଉପରେ ବର୍ତ୍ତମାନ ପ୍ରତିବନ୍ଧକ ଲଗାଇଦେବା ଦରକାର। ଏହା କୌଣସି କଳା ନୁହେଁ କି ବିଜ୍ଞାନ ନୁହେଁ। ମାତ୍ର, ବଜାରର ଏହି ନୂଆ ବେପାରରେ ପ୍ରତିଷ୍ଠିତ ହୋଇ ଅନେକ ‘କିଶୋର’ ପ୍ରଭୂତ ଅର୍ଥ ଉପାର୍ଜନ କରିବାରେ ନିୟୋଜିତ ଅଛନ୍ତି। ରାଜନୀତି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ଅସୀମ କ୍ଷୁଧାର ସୁଯୋଗ ନେଇ ଏହା ଗଣତନ୍ତ୍ରକୁ ବଳାତ୍କାର କରିବାର ନୂଆ ବଜାର ଶକ୍ତି ପାଲଟିଛି। ଏପରି ବେପାରୀଙ୍କୁ ଆଜି ମୁହଁ ଲୁଚାଇବାକୁ ସ୍ଥାନ ମିଳୁନାହିଁ। ସେହିପରି ଆସନ ସଂଖ୍ୟାକୁ ଯେନତେନ ପ୍ରକାରେଣ ବଢ଼ାଇ ଚଢ଼ାଇ ଦୁରଭିସନ୍ଧି ଚରିତାର୍ଥ କରିବାକୁ ଆଶାୟୀ ତଥାକଥିତ ଅନେକ ରାଜନୈତିକ ପଣ୍ଡିତ ଓ ବିଶ୍ଳେଷକଙ୍କୁ ମଧ୍ୟ ଆଗକୁ ମୁହଁ ଲୁଚାଇବାକୁ ଜାଗା ମିଳିବ ନାହିଁ।
ଗଣତନ୍ତ୍ର କୌଣସି କ୍ଷମତାର ଖେଳ ନୁହେଁ; ଯେପରିକି ଏହାକୁ ଗଢ଼ି ଦିଆଯାଇଛି; ସେହିପରି ନିର୍ବାଚନ କୌଣସି ନିର୍ଜୀବ ସଂଖ୍ୟାର ଭଙ୍ଗାଗଢ଼ା ଖେଳ ନୁହେଁ ଯେଉଁଥିରେ ଆମେ ଲାଗି ରହୁଛେ। ପ୍ରତିଟି ନିର୍ବାଚନ ହେଉଛି ସମାଜର ଭୂମିରେ ନୂତନ ମଞ୍ଜି ବୁଣିବା ଏବଂ ତାହାକୁ ଅଙ୍କୁରିତ କରି ତହିଁରୁ ନୂତନ ବୀଜ ଉତ୍ପନ୍ନ କରିବାର ଏକ ସାଧନ। ଏହି ଗତିଶୀଳ ମନୋବିଜ୍ଞାନ ଶାସ୍ତ୍ରକୁ ଆମେ ନିଜର ଦରସିଝା ଓ ଛଳ ପ୍ରତାରଣାରେ ବୁଝାଇବାର ଓ ଘୋଡ଼େଇବାର ଖେଳ ଖେଳୁଛନ୍ତି। ମତଦାତା ଏକ ସାଂବିଧାନିକ ପଦ (ନିର୍ବାଚନ ଆୟୋଗ)ର ନିରପେକ୍ଷତା ଦେଖି ନିଜର ମତ ଦେଲେ, ଯାହା ଏକ ଯନ୍ତ୍ରରେ ବନ୍ଦ ହୋଇଗଲା। ସେହି ମେସିନ୍‌ ଖୋଲିବ ଏବଂ ମତଦାତାଙ୍କ ନିଷ୍ପତ୍ତି ପ୍ରକାଶ ପାଇବ; ଏଇ ସାଧାରଣ କଥାକୁ ତଥାକଥିତ ବିଶେଷଜ୍ଞମାନେ ଏତେ ଜଟିଳ କରିଦେଲେ ଯେ ତାହା ଦୁର୍ନୀତି ପର୍ଯ୍ୟାୟକୁ ଆସିଗଲା। ଏଭଳି ଧାରା ବନ୍ଦ ହେବା ଦରକାର।
କେହି ଜଣେ କହିଲେ କି ୨୦୨୪ ଜୁନ୍‌ ୪ରେ ଯେଉଁ ନିର୍ବାଚନ ଫଳାଫଳ ଆସିଲା, ତାହା ଗଣତନ୍ତ୍ର ବାୟୁରେ ଅମ୍ଳଜାନର ମାତ୍ରା ଟିକେ ବଢ଼ାଇ ଦେଲା। ବାୟୁରେ ଅମ୍ଳଜାନର ମାତ୍ରା ଅଧିକ ରହିଲେ, ସଜୀବମାନଙ୍କ ଶ୍ବାସକ୍ରିୟା ସୁଗମ ହେବ। ଗଣତନ୍ତ୍ରରେ ମଧ୍ୟ ସମାନ କଥା। ସଂସଦ ଯେତେବେଳେ ସଂବିଧାନ ପରିସର ଭିତରେ ରହିଥାଏ ଏବଂ ସାଂବିଧାନିକ ଅନୁଷ୍ଠାନଗୁଡ଼ିକ ଯେତେବେଳେ ସ୍ବାଧୀନ ଭାବରେ ନିଜର ଦାୟିତ୍ବ ନିର୍ବାହ କରିଥା’ନ୍ତି, ସେତେବେଳେ ଗଣତନ୍ତ୍ର ନିଃଶ୍ବାସ ମାରିଥାଏ। ଯେତେବେଳେ ଏହା ହୋଇ ନଥାଏ, ସେତେବେଳେ ଆଧୁନିକ ପଞ୍ଚତାରକା ବିଶିଷ୍ଟ ଡାକ୍ତରଖାନା ଥିବା ସତ୍ତ୍ବେ କୋଭିଡ୍‌ ବେଳେ ଅମ୍ଳଜାନ ଅଭାବରେ ଆମ ଅବସ୍ଥା ଯେଭଳି ହୋଇଥିଲା, ଗଣତନ୍ତ୍ରର ଅବସ୍ଥା ସେହି ଭଳି ହେବ।
ମୁଁ କହିବି କି ୨୦୨୪ ଜୁନ୍‌ ୪ରେ ଆସିଥିବା ନିର୍ବାଚନ ଫଳାଫଳ ଭାରତୀୟ ସଂସଦୀୟ ଗଣତନ୍ତ୍ରକୁ ସଂଜୀବନୀ ଔଷଧ ଦେଇଯାଇଛି। ସଂକଟମୋଚନ ହନୁମାନ ଆଣିଥିବା ସଂଜୀବନୀ ବୁଟି କୌଣସି ଅମୃତ ନ ଥିଲା, ଯାହା ଲକ୍ଷ୍ମଣଙ୍କ ଜୀବନ ରକ୍ଷା କରିଥିଲା, ବରଂ ଲକ୍ଷ୍ମଣଙ୍କୁ ଏଭଳି କରି ଦେଇଥିଲା ଯଦ୍ଦ୍ବାରା ତାଙ୍କୁ କେହି ମାରି ବି ପାରିବେ ନାହିଁ। ସଂଜୀବନୀ ଔଷଧର ଅର୍ଥ କୌଣସି ମୁମୂର୍ଷୁ ଗଛକୁ ପାଣି ଦେବା ଏବଂ ତାହାକୁ ବଞ୍ଚେଇ ରଖିବାକୁ ହେଲେ ନିୟମିତ ପାଣି ଖୋଜି ଯୋଗାଇବାକୁ ହେବ। ଏହି ଅନୁଭବ ହିଁ ହେଉଛି ଗଣତନ୍ତ୍ରର ସଂଜୀବନୀ। ତେଣୁ ‘ଇନ୍‌ଡି’ ମେଣ୍ଟକୁ କେତେ ଆସନ ମିଳିଲା, ତାହା ଗଣିବା ଦରକାର ନାହିଁ କି ତାହା ଶାସନ କ୍ଷମତା ଠାରୁ କେତେ ଦୂରରେ ରହିଗଲା ତାହା ବି ଚିନ୍ତା କରିବାର ନାହିଁ।
‘ଏନ୍‌ଡି’ ମେଣ୍ଟକୁ କେତେ ଆସନ ମିଳିଲା, ତାହା ମଧ୍ୟ ଗଣତି କରନ୍ତୁ ନାହିଁ। ବରଂ ଦେଖନ୍ତୁ କ୍ଷମତା ଓ କୌଶଳ ଶକ୍ତିରେ ଗଢ଼ା ଯାଇଥିବା ପରିବେଶକୁ ମତଦାତାମାନେ କିଭଳି ଭାଙ୍ଗି ଦେଇଛନ୍ତି।
ଏଇ ମତଦାତା କିଏ? ମତଦାତା ହେଉଛନ୍ତି ସେମାନେ ଯାହାଙ୍କୁ ଆମେ ସବୁଠୁ କମ୍‌ ଗୁରୁତ୍ବ ଦେଇଥାଉ। ସେମାନେ ବିକ୍ଷିପ୍ତ ଓ ଅସଂଗଠିତ ହୋଇଥିବାରୁ ଆମେ ସେମାନଙ୍କୁ ଗଣନାରେ ନେଇ ନ ଥାଉ। ସେମାନେ ଗରିବ, ଅଶିକ୍ଷିତ ଓ ଟିପ ଚିହ୍ନବାଲା ହୋଇଥିବାରୁ ସେମାନେ ଭୁଲ୍‌ରେ ମଧ୍ୟ ଆମର ଆଭିଜାତ୍ୟପୂର୍ଣ୍ଣ ବିଚାରରେ ସ୍ଥାନ ପାଆନ୍ତି ନାହିଁ। ହେଲେ ସେମାନେ ନିଜ ଚାରି ଆଡ଼କୁ ଦେଖି ଆଖି ଖୋଲା ରଖି ଚାଲିଥା’ନ୍ତି। ସେମାନେ କମ୍ କହଥା’ନ୍ତି, ମାତ୍ର ବହୁତ ଶୁଣିବାକୁ ପସନ୍ଦ କରନ୍ତି। ସେମାନେ ଭ୍ରମରେ ପଡ଼ିଥା’ନ୍ତି, ପ୍ରତାରିତ ବି ହୋଇଥା’ନ୍ତି, ହେଲେ ଘୂରିଘୂରି ପୁଣି ଠିକଣା ରାସ୍ତାକୁ ଫେରି ଆସିଥା’ନ୍ତି। ସେମାନେ ହେଉଛନ୍ତି ଗାନ୍ଧୀଜୀଙ୍କର ସେଇ ଅନ୍ତିମ ବ୍ୟକ୍ତି, ଯାହାକୁ ଗାନ୍ଧୀ ଡେଉଁରିଆ କରି ନିଜେ ତିନିଟି ଗୁଳି ଖାଇବା ଆଗରୁ ଆମକୁ ସମର୍ପି ଦେଇଯାଇଥିଲେ।
ଗାନ୍ଧୀଙ୍କର ଶବ୍ଦ ମୁଁ କୋଉଠୁ ପାଇବି? ତେଣୁ ନିଜ ଭାଷାରେ ଗାନ୍ଧୀଜୀଙ୍କର ଅନୁଭବକୁ ଧରି ରଖିବାକୁ ଚେଷ୍ଟା କରୁଛି। ତାହା ହେଲା: ‘ତୁମେ ଯାହା କରୁଛ ତାହା ଠିକ୍‌ ନା ଭୁଲ୍‌ ବୋଲି ଯଦି ସଂଶୟରେ ପଡ଼, ଅର୍ଥାତ୍ ତୁମର ଅହଂକାର ଏତେ ତୀବ୍ର ହୋଇପଡ଼େ ଯେ ଭୁଲ୍‌-ଠିକ୍‌ ମଧ୍ୟରେ ପାର୍ଥକ୍ୟ ଦେଖିବା କଠିନ ହୋଇଯାଏ, ସେତେବେଳେ ଠିକ୍‌ ନିଷ୍ପତ୍ତିରେ ପହଞ୍ଚିବା ଲାଗି ମୁଁ ତୁମକୁ ଏକ ଡେଉଁରିଆ ଦେଉଛି। ତାହା ହେଲା ତୁମେ ଦେଖିଥିବା ବା ଜାଣିଥିବା ସେହି ସବୁଠୁ ନିରୀହ ଓ କାତର ଲୋକର ଚେହେରାକୁ ମନେ ପକାଅ ଏବଂ ତା’ପରେ ନିଜକୁ ପଚାର ଯେ ତୁମେ ଯାହା କରୁଛ, ଯାହା ଭାବୁଛ, ତାହା ସେହି ଲୋକର ଭାଗ୍ୟକୁ ବଦଳାଇ ପାରିବ କି? ଅଥବା ତଦ୍ଦ୍ବାରା ସେହି ଲୋକ ନିଜ ଭବିଷ୍ୟତ ପରିବର୍ତ୍ତନ କରିବାରେ ଅଧିକ ସକ୍ଷମ ହୋଇପାରିବ କି? ଯଦି ଏହାର ଉତ୍ତର ‘ହଁ’ ହୁଏ, ତେବେ ଆଗେଇ ଚାଲ, ଅନ୍ୟଥା ଉକ୍ତ କାମକୁ ସେଇଠି ଛାଡ଼ି ଦିଅ।’ ସେହି ସବୁଠୁ ନିରୀହ ବ୍ୟକ୍ତି ହେଉଛନ୍ତି ଭାରତ ଭାଗ୍ୟବିଧାତା! ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ଏଭଳି ସାଧନାର ଆରମ୍ଭ କରିଥିଲେ ଏବଂ ୧୯୪୮ ଜାନୁଆରି ୩୦ ଯାଏ କରି ଚାଲିଥିଲେ।
ରାହୁଳ ଗାନ୍ଧୀ ଜାଣିଶୁଣି ଅବା ଅଜାଣତରେ ତାଙ୍କର ଭାରତ ଗସ୍ତ ସମୟରେ ଏଭଳି ଲୋକମାନଙ୍କ ପାଖରେ ପହଞ୍ଚିଥିଲେ। ରାହୁଳଙ୍କ ନୂଆ ଅବତାର ଯାହା ଆମେ ଏବେ ଦେଖିବାକୁ ପାଉଛୁ, ତାହା ସେହି ଭାଗ୍ୟର ସ୍ପର୍ଶ ଯୋଗୁଁ ସମ୍ଭବ ହୋଇପାରିଛି। କଂଗ୍ରେସ ଏଥର ଫେରୁଛି ବୋଲି ଭୁଲ୍‌ରେ ବି ଭାବିବା ଉଚିତ ନୁହେଁ କି ରାହୁଳଙ୍କ ମୁଣିରେ ଅକ୍ଷୟ ରାଜନୈତିକ ପୁଞ୍ଜି ଆସିଗଲା ବୋଲି ଭ୍ରମରେ ରହିବା ଠିକ୍‌ ନୁହେଁ। ଗାନ୍ଧୀଙ୍କର ସେଇ ଅନ୍ତିମ ବ୍ୟକ୍ତି ତାଙ୍କ ଲାଗି ‘ପ୍ରଥମ’ର ମାନ୍ୟତା ପାଇଛି, ସେହି ବ୍ୟକ୍ତି ହିଁ ତାଙ୍କର ଭାଗ୍ୟବିଧାତା। ସିଏ ନିରନ୍ତର ଭାବେ ସେମାନଙ୍କ ଗହଣରେ ରହିଛନ୍ତି, ସେମାନଙ୍କୁ ଶୁଣୁଛନ୍ତି, ସେମାନଙ୍କ ସହ କଥା ହେଉଛନ୍ତି ଏବଂ ସେମାନଙ୍କ ସଂଗ୍ରାମକୁ ଲଢୁଛନ୍ତି। ଭାରତର ଏଇ ଭାଗ୍ୟବିଧାତାଙ୍କ ସହିତ ଯାହାର ସଂଯୋଗ ରହିବ, ରହି ଚାଲିଥିବ, ତାହାର ସଂସଦୀୟ ଶକ୍ତି ମଧ୍ୟ ବଢ଼ିଚାଲିଥିବ ଏବଂ ତାହାର ସାମାଜିକ ଶକ୍ତିରେ ମଧ୍ୟ ବୃଦ୍ଧି ଘଟିବ। ଏଇ ଦୁଇ ଶକ୍ତିର କୌଣସି ସମ୍ମିଶ୍ରଣ ଘଟିଲେ ଭାରତ ‘ବିଶ୍ବଗୁରୁ’ ଭାବରେ ଲୋକତନ୍ତ୍ରର ଏକ ନୂତନ ନମୁନା ପ୍ରଦର୍ଶନ କରିପାରିବ। ଜୟପ୍ରକାଶ ନାରାୟଣ ଏକଦା କହିଥିଲେ ଯେ ଆମ ଗଣତନ୍ତ୍ର ପାଇଁ ଜନ ଆନ୍ଦୋଳନର ଶକ୍ତିରେ ଚାଲୁଥିବା ସରକାର ଦରକାର। ଚଳିତ ନିର୍ବାଚନ ପ୍ରସଙ୍ଗରେ ଏହି ଉପାଦାନକୁ ବୁଝିବାରେ ଆମେ ସକ୍ଷମ କି?
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ସମ୍ବନ୍ଧିତ ଖବର