ଆମେ କ’ଣ କେବେ ଏମିତି ହୋଇପାରିବା?

ରାଜେନ୍ଦ୍ର ନାରାୟଣ ଦାସ

ଏବେ ଭାରତରେ ସାଧାରଣ ନିର୍ବାଚନ ଚାଲିଛି। ସୁଦୂର ଜର୍ମାନୀରେ ରହି ଏହି ନିର୍ବାଚନ ଉପରେ ମୁଁ ନଜର ରଖିଛି ଏବଂ ମନେ ମନେ ଜର୍ମାନିରେ ହେଉଥିବା ନିର୍ବାଚନ ସହିତ ତୁଳନା ମଧ୍ୟ କରୁଛି!
ଜର୍ମାନୀରେ ପ୍ରତି ୪ ବର୍ଷରେ ଥରେ ସାଧାରଣ ନିର୍ବାଚନ ହୁଏ। ମୋର ୬୪ ବର୍ଷ ଜର୍ମାନୀରେ ରହିବା ଭିତରେ ମୁଁ ୧୫ ଥର ଏହି ନିର୍ବାଚନଗୁଡ଼ିକର ବାତାବରଣ ଦେଖିଛି। ଜର୍ମାନ ଜାତି ଏକ ଶୃଙ୍ଖଳିତ ଜାତି। ନିର୍ବାଚନ ସମୟରେ ଏ ଦେଶରେ କୌଣସି ଉତ୍ତେଜନାପୂର୍ଣ୍ଣ ବାତାବରଣ ଦେଖାଯାଏ ନାହିଁ। ସବୁକିଛି ସବୁଦିନ ପରି। କେହି ଜାଣିପାରିବେ ନାହିଁ ଯେ ନିର୍ବାଚନ ଆଗରେ ଅଛି। ଏ ଦେଶରେ ନିର୍ବାଚନ ସମୟରେ ହୋ-ହଲ୍ଲା, ସଭା-ସମିତି, ନିର୍ବାଚନ-ହିଂସା ଆଦି ବିଶେଷ କିଛି ହୁଏ ନାହିଁ। ନିଜେ ନ ଯାଇପାରିଲେ ସରକାରଙ୍କ ତରଫରୁ ୧୫ ଦିନ ଆଗରୁ ସବୁ ଭୋଟରମାନଙ୍କ ଘରକୁ ପତ୍ର ମାଧ୍ୟମରେ ଭୋଟ୍ ଦେବାକୁ ଫର୍ମ ପଠାଯାଇଥାଏ। ଉତ୍ତର ପଠାଇବାକୁ ଡାକଟିକଟ ଦରକାର ହୁଏ ନାହିଁ। ଅନେକ ଲୋକ ଏହାର ସଦୁପଯୋଗ କରନ୍ତି। କିନ୍ତୁ ସର୍ବାଧିକ ଲୋକେ ନିଜେ ଭୋଟ୍ ଦେଇ ଗର୍ବିତ ହୁଅନ୍ତି। ସେମାନେ ଅତ୍ୟନ୍ତ ଗର୍ବର ସହିତ ଭୋଟ୍ ଦେବାକୁ ଯାଆନ୍ତି। ପଚାରିଲେ କହନ୍ତି “ଇଚ୍‌ ଜେହେ ଵାଏହଲେନ୍” (ମୁଁ ଭୋଟ୍ ଦେବାକୁ ଯାଉଚି)। ଏହା ସେମାନଙ୍କର ସ୍ୱାଭିମାନର ପରିଚୟ ଦିଏ। ସରକାର ଗୋଟିଏ ରବିବାରକୁ ସମଗ୍ର ଜର୍ମାନୀରେ ଭୋଟ ଦେବାର ଦିନ ନିର୍ଦ୍ଧାରଣ କରନ୍ତି। ଏହାଦ୍ୱାରା କାହାକୁ ଭୋଟ ଦେବାକୁ ଯିବା ପାଇଁ ସ୍ୱତନ୍ତ୍ର ଭାବରେ ଛୁଟି ନେବାକୁ ଦରକାର ପଡ଼େନାହିଁ। ନିର୍ବାଚନ ପ୍ରଚାର ଟେଲିଭିଜନ୍ ମାଧ୍ୟମରେ ଯାହା କିଛି ହୁଏ। ନିର୍ବାଚନ ପୂର୍ବରୁ ମାସକ ଆଗରୁ ପ୍ରତିଦିନ ଗୋଟିଏ ଗୋଟିଏ ପାର୍ଟିକୁ ୧୦ ମିନିଟ୍ ଭିତରେ ଯାହା କିଛି କହିବା କଥା କହିବା ପାଇଁ ସୁଯୋଗ ଦିଆଯାଏ। ସେମିତି କିଛି ବଡ଼ ବଡ଼ ନିର୍ବାଚନ ସଭା କି ଭାଷଣବାଜି ହେବା ମୁଁ କେବେ ଦେଖିନାହିଁ। ନିର୍ବାଚନ ଆଗରୁ ବିଜୁଳି ଖୁଣ୍ଟମାନଙ୍କରେ ପାର୍ଟିମାନଙ୍କୁ ସେମାନଙ୍କର ପ୍ରାର୍ଥୀମାନଙ୍କର ଫଟୋ ଟାଙ୍ଗିବାର ସୁଯୋଗ ମିଳେ, କିନ୍ତୁ ଗୋଟିଏ ବିଜୁଳି ଖୁଣ୍ଟରେ ଗୋଟିଏ ପାର୍ଟିର ଫଟୋ ଲଗାଯାଇଥାଏ। ଦୁଇଟି ପାର୍ଟିର ପ୍ରାର୍ଥୀ ଗୋଟିଏ ବିଜୁଳି ଖୁଣ୍ଟକୁ ବ୍ୟବହାର କରିବା ନିଷେଧ। ନିର୍ବାଚନ ପରଦିନ ସେ ଫଟୋସବୁ ଉଭେଇ ଯାଏ। ଏହା ହେଲା ସଂକ୍ଷେପରେ ଜର୍ମାନୀରେ ନିର୍ବାଚନ ଋତୁର ବର୍ଣ୍ଣନା।
ଏଠାରେ ପ୍ରଶ୍ନ ଉଠେ ଯେ ଭାରତରେ ‘ଆମେମାନେ କ’ଣ କେବେ ଜର୍ମାନମାନଙ୍କ ପରି ହୋଇପାରିବା?’ ଏବେ ଭାରତର ନିର୍ବାଚନ ବାତାବରଣ ବିଷୟରେ ସାମାନ୍ୟ କିଛି କହିବି। କାରଣ, ମୁଁ ଜାଣେ ଏହି ସ୍ତମ୍ଭର ପାଠକପାଠିକାମାନେ ନିର୍ବାଚନ ତାତିକୁ ଅଙ୍ଗେ ନିଭାଉଥିବେ। ଭାରତରେ ହେଉଥିବା ଏହି ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏତିକି କୁହାଯିବ ଯେ “ଯେଉଁ ନିର୍ବାଚନରେ ହିଂସା ନାହିଁ, କଳା ଟଙ୍କା ନାହିଁ, ନିଶାପାଣି ନାହିଁ, ଭୋଜିଭାତ ନାହିଁ, ସେ କି ନିର୍ବାଚନ? ପୁଣି ଯେଉଁ ନିର୍ବାଚନରେ ରାଲି ନାହିଁ, ରୋଡ଼ ସୋ’ ନାହିଁ, ହାଇ ପ୍ରୋଫାଇଲ ପ୍ରଚାର ଓ ହାଇ ଭୋଲଟେଜ୍ ସ୍ଲୋଗାନ ନାହିଁ, ସୁପରଷ୍ଟାର୍‌ଙ୍କ ଗ୍ଲାମର ନାହିଁ, ସେ କି ନିର୍ବାଚନ? ଯେଉଁଠାରେ ଉପରଠାଉରିଆ ଭାଷଣ ନାହିଁ, ଚରିତ୍ର ସଂହାର ଓ କୁତ୍ସାରଟନା ନାହିଁ, ନେତାଙ୍କ ରାଲି ପାଇଁ ଶହ ଶହ ମାଇଲ ଦୂରରୁ ଲୋକ ବୁହାହୋଇ ଆସୁନାହାନ୍ତି, ସେ କି ନିର୍ବାଚନ?
ସତରେ, ଏ ସବୁ ଏବେକାର ଭାରତୀୟ ଗଣତନ୍ତ୍ରର ପରିଚୟ। କହିବା ବାହୁଲ୍ୟ ଯେ ଗଣତନ୍ତ୍ର ପାଇଁ ନିର୍ବାଚନ ଜରୁରୀ, ନିର୍ବାଚନ ପାଇଁ ରାଜନୀତିକ ଦଳ ଜରୁରୀ, ରାଜନୀତିକ ଦଳ ପାଇଁ ନେତା ଜରୁରୀ, ନେତାଙ୍କ ପାଇଁ ଭୋଟ୍ ଜରୁରୀ। କିନ୍ତୁ ଭୋଟ୍ ପାଇଁ କ’ଣ ନୋଟ୍ ଜରୁରୀ? ମଦ ବାଣ୍ଟିବା ବା ଭୋଜିଭାତ କରିବା ଜରୁରୀ? ମିଛ ପ୍ରତିଶ୍ରୁତି ଓ ଅହେତୁକ ତଥା ଅବାସ୍ତବ ମାଗଣା ବଣ୍ଟନର ଲୋଭ ଦେଖାଇବା ଜରୁରୀ?
ଆମର ରାଜନେତାମାନେ ଭାରତର ଗଣତନ୍ତ୍ରକୁ ଏକ ‘ପାଳଭୂତ’ କରି ସାରିଲେଣି। ନିର୍ବାଚନରେ ଭାଗ ନେବା ଲାଗି ଯେନତେନ ପ୍ରକାରେଣ ଦଳ ଠାରୁ ଟିକେଟ ଖଣ୍ଡିଏ ହାତେଇବାକୁ ହେବ। ତାହା ନ ମିଳିଳେ ସାଙ୍ଗେସାଙ୍ଗେ ଦଳ ବଦଳାଇବାକୁ ହେବ। ଭୋଟରମାନଙ୍କୁ ମେଣ୍ଢା କରିବା ଲାଗି ଶହ ଶହ ମାଗଣା ଯୋଜନାର ବ୍ୟବସ୍ଥା, ଇସ୍ତାହାରରେ ମଧ୍ୟ ମାଗଣାର ପ୍ରତିଶ୍ରୁତି; ତେଣିକି ଦେଶର ରାଜକୋଷ ଶୂନ୍ୟ ହୋଇଯାଉ। କିନ୍ତୁ ସବୁ ରାଜନୈତିକ ଦଳ ହଲପ କରି କହନ୍ତି ଯେ ଦେଶର ସ୍ବାର୍ଥ ସର୍ବୋପରି! ପାଠକେ କହନ୍ତୁ ରାଜନୈତିକ ଦଳଗୁଡ଼ିକ ରାଷ୍ଟ୍ରର ହିତ ଚିନ୍ତା କରୁଛନ୍ତି ନା କେବଳ ନିଜ ଦଳର ହିତ? ଏହି କ୍ରମରେ ଭୋଟରମାନେ ଅନେକ ସମୟରେ ଦାୟିତ୍ବବୋଧର ପରିଚୟ ମଧ୍ୟ ଦେଉ ନାହାନ୍ତି। ଦେଶକୁ ଆକ୍ରାନ୍ତ କରୁଥିବା ପ୍ରସଙ୍ଗ ଉପରେ ଧ୍ୟାନ ନ ଦେଇ ଧର୍ମ ଓ ଜାତି ନାମରେ ହେଉଥିବା ରାଜନୀତିରେ ସେମାନେ ମଗ୍ନ ହୋଇ ଯାଉଛନ୍ତି। ସୁଦୂର ଜର୍ମାନୀରେ ରହି ଭାରତରେ ଚାଲିଥିବା ନିର୍ବାଚନ ଓ ପ୍ରଚାର ସମ୍ବନ୍ଧୀୟ ଖବରମାନ ନିତି ପଢ଼ିଥାଏଁ। ଜର୍ମାନୀରେ ଗଣତନ୍ତ୍ରର ରୂପ ଦେଖି ଭାବିଥାଏ ଯେ ଆମେ କ’ଣ କେବେ ଏମିତି ହୋଇପାରିବା?
[email protected]

ସମ୍ବନ୍ଧିତ ଖବର