ଇତି ମଧ୍ୟରେ ପ୍ରଥମ ଜନଜାତି ମହିଳା ତଥା ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ଭାବେ ସମ୍ମାନନୀୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପଦାସୀନ ହେବାର ଦୁଇ ବର୍ଷ ପୂରଣ ହୋଇଛି। ଏକ ସାଧାରଣ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ବହୁ ଘାତ ପ୍ରତିଘାତ ଭିତରେ ନିଜର ନିଷ୍ଠାପର କର୍ତ୍ତବ୍ୟପରାୟଣତା ସହିତ ଦୈବୀ ଆଶୀର୍ବାଦ କ୍ରମେ ରାଇରଙ୍ଗପୁରର ଅଖ୍ୟାତ ପଲ୍ଲୀ ଉପରବେଡ଼ାରୁ ଯାଇ ଦେଶର ପ୍ରଥମ ନାଗରିକ ପଦରେ ଅଧିଷ୍ଠିତା ହୋଇଛନ୍ତି।
ନିଜର ପ୍ରଥମ କନ୍ୟା, ଦୁଇ ପୁତ୍ର ଓ ସ୍ବାମୀଙ୍କୁ ଅକାଳରେ ହରାଇଥିବା ମାନନୀୟା ଦ୍ରୌପଦୀ ମୁର୍ମୁ ଏକମାତ୍ର ଜୀବିତା କନ୍ୟାକୁ ନେଇ ଜୀବନର ସାମ୍ନା କଲାବେଳେ ଦୁଃଖର ରଙ୍ଗ କେମିତି ଓ ଲୁହର ସ୍ବାଦ କିପରି ତାହା ବୁଝିଥିଲେ। ସ୍ନାତକ ଶିକ୍ଷା ପରେ ସଚିବାଳୟରେ କନିଷ୍ଠ ସହାୟିକା ଭାବେ କର୍ମ ଜୀବନ ଆରମ୍ଭ, ଅରବିନ୍ଦ ଶିକ୍ଷାକେନ୍ଦ୍ରରେ ଅବୈତନିକ ଶିକ୍ଷକତା, ରାଇରଙ୍ଗପୁର ଏନ୍‌.ଏ.ସି.ର କାଉନ୍‌ସିଲର୍‌ ଓ ଉପାଧ୍ୟକ୍ଷା, ରାଇରଙ୍ଗପୁର ବିଧାନସଭା ଆସନରୁ ଦୁଇ ଥର ବିଧାୟିକା ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ମଣ୍ଡନ ଓ ଶ୍ରେଷ୍ଠ ବିଧାୟିକା ସମ୍ମାନ ପ୍ରାପ୍ତି, ପ୍ରଜାପିତା ବ୍ରହ୍ମକୁମାରୀ ସଂଗଠନ ସହ ସଂପୃକ୍ତି, ଝାଡ଼ଖଣ୍ଡର ଲୋକପ୍ରିୟ ରାଜ୍ୟପାଳ ଭାବେ କର୍ତ୍ତବ୍ୟ ସଂପାଦନ, ଦିବଂଗତ ସ୍ବାମୀ ଓ ପୁତ୍ରଙ୍କ ସ୍ମୃତିରେ ପାହାଡ଼ପୁରରେ ଆବାସିକ ବିଦ୍ୟାଳୟ ସ୍ଥାପନ ତାଙ୍କ କର୍ମବହୁଳ ଜୀବନର କେତେଗୋଟି ସ୍ମରଣୀୟ ପଦଚିହ୍ନ ମାତ୍ର।
ନିଜର ସରଳତା, ନିରଳସ ଜୀବନଚର୍ଯ୍ୟା, ଅମାୟିକ ବ୍ୟକ୍ତିତ୍ୱ, ସ୍ନେହଶୀଳ ଆଚରଣ, ନମ୍ର କମନୀୟ ଉଚ୍ଚାରଣ ଓ କାର୍ଯ୍ୟଧାରା ଯୋଗୁଁ ସେ ଭାରତର ଜନଗଣଙ୍କ ହୃଦୟରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କଲା ପରେ ସଂସଦ ଭବନରେ ପ୍ରଥମ ଅଭିଭାଷଣରେ ଜଗତର ନାଥ ଜଗନ୍ନାଥଙ୍କୁ ସ୍ମରଣ କରିବା ସହ ମହିମା ଧର୍ମର ପ୍ରବକ୍ତା ସନ୍ଥକବି ଭୀମଭୋଇଙ୍କ କାଳଜୟୀ କବିତା ପଙ୍‌କ୍ତି, “ମୋ ଜୀବନେ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ”ରୁ ନିଜର ବକ୍ତବ୍ୟ ଆରମ୍ଭ କରି ମାନବବାଦର ଉଦ୍‌ଘୋଷଣ କରିଥିଲେ। ମନେ ପକାଇ ଦେଇଥିଲେ ସାନ୍ତାଳ ବିପ୍ଳବ ଠାରୁ ଆରମ୍ଭ କରି ପାଇକ ବିଦ୍ରୋହ, କୋହ୍ଲ ଓ ଭିଲ୍ ବିପ୍ଳବର ତ୍ୟାଗପୂତ କାହାଣୀ।
କେତେକ ଘଟଣାରୁ ଝଳି ଉଠେ ତାଙ୍କ ବ୍ୟକ୍ତିତ୍ୱର କମନୀୟ ସ୍ନେହ-ସ୍ନିଗ୍‌ଧ ରୂପ। ମହାମହିମ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣର ସ୍ବଳ୍ପ ଦିନ ପରେ ସେ ଆସିଥିଲେ ଓଡ଼ିଆ ଅସ୍ମିତାର ପ୍ରତୀକ ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କର ଦର୍ଶନ ପାଇଁ। ଦେଶର ପ୍ରଥମ ନାଗରିକ ଭାବରେ ନୁହେଁ, ଜଣେ ସାଧାରଣ ନାଗରିକ ଭଳି ଅସଂଖ୍ୟ ଜନତାଙ୍କୁ ଅଭିବାଦନ ଜଣାଇ ସେ ଯେପରି ତିନି ମାଇଲ ବ୍ୟାପୀ ରାସ୍ତା ପାଦରେ ଚାଲି ଚାଲି ଭାବବିହ୍ବଳିତ ହୋଇ ମହାପ୍ରଭୁଙ୍କ ଦର୍ଶନ କଲେ ଓ ବଡ଼ଦେଉଳ ସାମନାରେ ସାଷ୍ଟାଂଗ ପ୍ରଣତି ବାଢ଼ିଲେ, ତାହା ଟେଲିଭିଜନରୁ ପ୍ରତ୍ୟକ୍ଷ କରି ଚକିତ ହୋଇଯାଇଥିଲେ ବିଶ୍ୱବାସୀ। ନିକଟରେ ଅନୁଷ୍ଠିତ ରଥଯାତ୍ରାରେ ଦେଶର ରାଷ୍ଟ୍ରପତି ଭାବେ ତାଙ୍କର ଯୋଗଦାନ ମଧ୍ୟ ଉଲ୍ଲେଖଯୋଗ୍ୟ।
ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଅନୁଷ୍ଠିତ ସଂବିଧାନ ଦିବସରେ ଯୋଗ ଦେବା ଅବସରରେ ମାନ୍ୟବର ନ୍ୟାୟାଧୀଶମାନଙ୍କୁ କାରାଗାରରେ ଥିବା ଅସମର୍ଥ, ଅସହାୟ ତଥା ନିଃସହାୟ ବନ୍ଦୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ଶ୍ରଦ୍ଧାପୂର୍ଣ୍ଣ ଅନୁରୋଧ କରି ତାଙ୍କ କୋମଳ ମାତୃ ହୃଦୟର ପରିଚୟ ଦେବା ସହ ମାନବିକତାର ସନ୍ଦେଶ ଦେଇଥିଲେ।
ତାଙ୍କର ପ୍ରଚ୍ଛନ୍ନ ଇଚ୍ଛା ଓ ଆଗ୍ରହ ଯୋଗୁଁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ନିକଟରେ ପାଳିତ ହୋଇଥିଲା ଓଡ଼ିଶାର କୃଷି ଭିଭିକ ମାଆ ଓ ମାଟିର ପର୍ବ ରଜ ପର୍ବ। ଓଡ଼ିଶୀ କଳା, ସଂସ୍କୃତି ଓ ପ୍ରାଣ ପ୍ରବାହର ପ୍ରତୀକ ଏହି ପର୍ବ ଯେଭଳି ବହୁବର୍ଣ୍ଣୀ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହେଲା, ତାହା ସମଗ୍ର ଭାରତବାସୀଙ୍କ ସହ ବିଶ୍ୱବାସୀଙ୍କୁ ଓଡ଼ିଶାର ଅନନ୍ୟ ସାଂସ୍କୃତିକ ମହକରେ ରସାଣିତ କରିଥିଲା।
ଜଣେ ଚିନ୍ତାନାୟକ କହିଥିଲେ, “ଲେଟ୍‌ ଅସ୍‌ ମେକ୍‌ ହିଷ୍ଟ୍ରି, ଟୁ ବି ରିଟନ୍‌ ବାଇ ଅଦର୍ସ” ଯାହାର ମର୍ମାର୍ଥ ହେଲା, ଆସ, ଇତିହାସ ରଚିବା, ଯାହାକୁ ଅନ୍ୟମାନେ ଲିପିବଦ୍ଧ କରିବେ।’ ଏ କଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରଜୁଯ୍ୟ। କୁଣ୍ଠିତ ଭାବେ ସଂଯୋଗବଶତଃ ରାଜନୀତିକୁ ପ୍ରବେଶ କରିଥିବା ଓଡ଼ିଶାର ଝିଅ, ଓଡ଼ିଶାର ବୋହୂ ନିଜର ତ୍ୟାଗପୂତ କର୍ମନିପୁଣତା ଯୋଗୁଁ ସମସ୍ତଙ୍କ ହୃଦୟରେ ଆବୋରି ବସିଛନ୍ତି ଏକ ସ୍ବତନ୍ତ୍ର ସ୍ଥାନ। ସେ ପାଲଟି ଯାଇଛନ୍ତି ଏକ ଜୀବନ୍ତ କିଂବଦନ୍ତି। ଓଡ଼ିଆ ଜାତିର ମାନସ ପଟରେ ସେ ଯେ ଚିର ଭାସ୍ବର ହୋଇ ରହିବେ, ଏଥିରେ ସନ୍ଦେହ ନାହିଁ।
ମୋ: ୯୯୩୮୦୪୨୪୬୮