ସତ କହୁଛି: ରାଜନୀତିର ପ୍ରଥମ ଶିକ୍ଷା କ’ଣ?

ଶ୍ୟାମସୁନ୍ଦର ଅଗ୍ରୱାଲା

ବର୍ତ୍ତମାନ ନିର୍ବାଚନ ଋତୁ ଚାଲିଛି। ରାଜନୈତିକ ଦଳବୃନ୍ଦ ସେମାନଙ୍କର ଘୋଷଣାପତ୍ର ଜାରି କରୁଛନ୍ତି ଏବଂ ଏହି ଘୋଷଣାପତ୍ର ଅନୁଯାୟୀ ପ୍ରତ୍ୟହ ସେମାନେ ବିଭିନ୍ନ ଗଣମାଧ୍ୟମରେ ସେମାନଙ୍କର ବିବିଧ ପ୍ରତିଶ୍ରୁତି ପ୍ରକାଶ କରୁଛନ୍ତି। ଏହି ପ୍ରତିଶ୍ରୁତିମାନ ଯଦି ଆଂଶିକ ଭାବରେ ବି ପୂରଣ ହୋଇଯାଏ ତେବେ ଆମ ରାଜ୍ୟ ରାମରାଜ୍ୟରେ ପରିଣତ ହୋଇଯିବ, କିନ୍ତୁ ଦୁର୍ଭାଗ୍ୟର କଥା ଯେ ଏହି ଘୋର କଳି ଯୁଗରେ ରାମରାଜ୍ୟର ପ୍ରତିଷ୍ଠା ଦିନକୁ ଦିନ ସ୍ୱପ୍ନ ମନେ ହେଉଛି କାରଣ ଏ ସବୁ ପ୍ରତିଶ୍ରୁତି କେବଳ ପାଣିର ଗାର ସଦୃଶ ନିର୍ବାଚନ ପରେ ଆପେ ଆପେ ଅଦୃଶ୍ୟ ହୋଇଯାଉଛି।
ପୌରାଣିକ ରାମରାଜ୍ୟରେ ପ୍ରତିଶ୍ରୁତିର ଏକ ମୂଲ୍ୟ ଥିଲା। କୁହାଯାଏ “ରଘୁକୁଲ ରୀତ ସଦା ଚଲି ଆୟେ, ପ୍ରାଣ ଯାଏ ପର ବଚନ ନା ଯାଏ।” ଅର୍ଥାତ୍‌ ରଘୁବଂଶର ନିୟମ ହେଉଛି ଯେ ଜୀବନ ପଛେ ଚାଲିଯାଉ କିନ୍ତୁ ପ୍ରତିଶ୍ରୁତିର ଖିଲାପ ନ ହେଉ। ଆଧୁନିକ ରାଜନୀତିରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି। ଅର୍ଥାତ୍‌ ପ୍ରତିଶ୍ରୁତି ପଛେ ଚୁଲିକି ଯାଉ କିନ୍ତୁ ପୈତୃକ ପ୍ରାଣଟି ସୁରକ୍ଷିତ ଥାଉ। ତେଣୁ ରାମରାଜ୍ୟ ପ୍ରତିଷ୍ଠା ହେବ କେମିତି?
ବନ୍ଧୁଗଣ, ବର୍ତ୍ତମାନ ବିଭିନ୍ନ ରାଜନୈତିକ ଦଳମାନଙ୍କର ପ୍ରତିଶ୍ରୁତିର ତାଲିକାଗୁଡ଼ିକୁ ସାମାନ୍ୟ ଅନୁଧ୍ୟାନ କରନ୍ତୁ। ପ୍ରତିଟି ତାଲିକାରେ ପୁରୁଷ ହେଉ କି ମହିଳା ହେଉ, ଯୁବକ ହେଉ କି ଯୁବତୀ ହେଉ, ଚାଷୀ ହେଉ କି ଶ୍ରମିକ ହେଉ, ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଠୁସି ହୋଇ ରହିଛି। ଗୋଟିଏ ଦଳ ପ୍ରତିଶ୍ରୁତି ଦେଇ କହୁଛି ଯେ ମହିଳା ସଶକ୍ତୀକରଣ ପାଇଁ ତିନି କୋଟି ମହିଳାଙ୍କୁ ସ୍ୱୟଂ ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ତ ଗୋଟିଏ ଦଳ କହୁଛି ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାନୁଯାୟୀ ନଗଦ ପଚାଶ ହଜାର ଟଙ୍କା ଦିଆଯିବ ତ ଅନ୍ୟ ଏକ ବରିଷ୍ଠ ରାଜନୈତିକ ଦଳ ଏ ସମସ୍ତଙ୍କୁ ଅତିକ୍ରମ କରିଯାଇ ପ୍ରତ୍ୟେକ ମହିଳାଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ନଗଦରାଶି ଦିଆଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଉଛି। କିଏ ଯୁବକଯୁବତୀମାନଙ୍କ ପାଇଁ ଲକ୍ଷ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରିଦେବ ତ କିଏ କୃଷକମାନଙ୍କର ଋଣ ଛାଡ଼ କରିଦେବ, କିଏ କୋଟି କୋଟି ଗରିବ ଶ୍ରମିକମାନଙ୍କ ପାଇଁ ଘର ତୋଳିଦେବ ତ କିଏ ସମସ୍ତ ନାଗରିକଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରି ଲକ୍ଷ ଲକ୍ଷ ଟଙ୍କାର ଚିକିତ୍ସା ବ୍ୟବସ୍ଥା କରିଦେବ। ମାଗଣା ଚାଉଳ, ମାଗଣା ଡାଲି, ମାଗଣା ପାଣି, ମାଗଣା ବିଜୁଳିର ପ୍ରତିଶ୍ରୁତି ଦେଇ କିଏ ସୂର୍ଯ୍ୟଘର ଯୋଜନାରେ ବିଜୁଳି ଯୋଗେଇ ଦେବ ତ କିଏ ଆଗାମୀ ଜୁଲାଇ ମାସଠାରୁ ରାଜ୍ୟର ନବେ ପ୍ରତିଶତ ଲୋକଙ୍କର ବିଜୁଳି ବିଲକୁ ବାଏ ବାଏ କରିଦେବ।
ଏ ଭଳି ପ୍ରତିଶ୍ରୁତି କିଛି ନୂଆ କଥା ନୁହେଁ। ପ୍ରତି ପାଞ୍ଚ ବର୍ଷକୁ ଥରେ ଏ ଭଳି ପ୍ରତିଶ୍ରୁତି ଦିଆଚାଲିଛି, ଆଗାମୀ ପାଞ୍ଚ ବର୍ଷ ପରେ ମଧ୍ୟ ଏ ଭଳି ପ୍ରତିଶ୍ରୁତି ଦିଆଯିବ। କିହୋ, ଏତେ ପ୍ରତିଶ୍ରୁତି ଦେଲ ଆଉ ପୂରଣ କଲ ନାହିଁ କାହିଁକି? ଏହାର ଉତ୍ତରରେ ସମସ୍ତେ କହୁଛନ୍ତି, “ଥରକରେ ସମୟ ଅଣ୍ଟିଲା ନାହିଁ, ଆମକୁ ଆଉ ଥରେ ସୁଯୋଗ ଦିଅ।” ଯିଏ ଦୁଇଥର ସୁଯୋଗ ନେଇଛି ସେ ମଧ୍ୟ କହୁଛି, “ଦୁଇ ଥରରେ ହେଲା ନାହିଁ, ଆମକୁ ଆଉ ଥରେ ସୁଯୋଗ ଦିଅ।” ଆଉ ଯିଏ ତିନି, ଚାରି, ପାଞ୍ଚ ଥର ସୁଯୋଗ ନେଇ ସାରିଲାଣି ସିଏ ବି କହୁଛି, “ଆମକୁ ଆହୁରି ଥରେ ସୁଯୋଗ ଦିଅ।” ଏମିତି ସୁଯୋଗ ଦେଇ ଦେଇ ଆମର ଜୀବନ ସମାପ୍ତ ହେବାକୁ ବସିଲାଣି କିନ୍ତୁ ତାଙ୍କର ଆଉ ଥରେ ସୁଯୋଗ ଦେବାର ଅନୁରୋଧ ଏ ପର୍ଯ୍ୟନ୍ତ ସମାପ୍ତ ହେଉନାହିଁ। ପ୍ରଶ୍ନ ଉଠେ ଯଦି ଆପଣମାନେ ପାଞ୍ଚ ବର୍ଷରେ ଆପଣଙ୍କ ପ୍ରତିଶ୍ରୁତି ପୂରଣ କରିପାରିଲେ ନାହିଁ, ଏପରିକି ଦଶ, ପନ୍ଦର ଓ କୋଡ଼ିଏ ବର୍ଷରେ ମଧ୍ୟ ପୂରଣ କରିପାରିଲେ ନାହିଁ, ତେବେ ଆଉ ଥରେ ସୁଯୋଗ ଦେଲେ ପ୍ରତିଶ୍ରୁତି ପୂରଣ କରିଦେବେ ବୋଲି କ’ଣ ଗ୍ୟାରେଣ୍ଟି ଅଛି?
ବ୍ୟବସାୟରେ ସାଧାରଣତଃ ବର୍ଷକ ପାଇଁ ଗ୍ୟାରେଣ୍ଟି ଦିଆଯାଇଥାଏ ଏବଂ ରାଜନୀତିରେ ପାଞ୍ଚବର୍ଷ ପାଇଁ ଦିଆଯାଇଥାଏ। ଲଗାତାର ବର୍ଷ ବର୍ଷ ଧରି କେଉଁଠି ଗ୍ୟାରେଣ୍ଟି ଦିଆଯାଇ ନଥାଏ, କିନ୍ତୁ ବର୍ତ୍ତମାନ ରାଜ୍ୟସ୍ତରୀୟ ନେତାଙ୍କଠୁ ନେଇ କେନ୍ଦ୍ରୀୟ ନେତାମାନେ କଥା କଥାକେ ଗ୍ୟାରେଣ୍ଟି ଦେଇ ଚାଲିଛନ୍ତି। ଗ୍ୟାରେଣ୍ଟି ଦେଲାବେଳେ ସେମାନେ ସାଧାରଣ ଜ୍ଞାନ ମଧ୍ୟ ବ୍ୟବହାର କରୁନାହାନ୍ତି। ଜଣେ ଜଣେ କେନ୍ଦ୍ରୀୟ ନେତା ଦେଶର ପ୍ରତ୍ୟେକ ପ୍ରଦେଶକୁ ଆଗାମୀ ପାଞ୍ଚ ବର୍ଷରେ ଏକ ନମ୍ବର ପ୍ରଦେଶ କରିଦେବାକୁ ଗ୍ୟାରେଣ୍ଟି ଦେଲାବେଳେ, ରାଜ୍ୟସ୍ତରୀୟ ନେତାମାନେ ମଧ୍ୟ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲାରେ ପରିଣତ କରିଦେବାକୁ ଗ୍ୟାରେଣ୍ଟି ଦେଉଛନ୍ତି। ଏହା କିପରି ସମ୍ଭବ? ଗଣିତରେ କେତୁଟା ଏକ ନମ୍ବର ଥାଏ କି?
ଏହାର ଏକମାତ୍ର ଉତ୍ତର ହେଉଛି ଯେ ଏହି ପ୍ରତିଶ୍ରୁତିଗୁଡ଼ିକ କେବଳ ମଧୁର ବଚନ ଯାହା ଶୁଣିବାକୁ ଭଲ ଲାଗିଥାଏ ଏବଂ ନିର୍ବାଚନର ଉଷ୍ମତା ଭିତରେ ଏହିଭଳି ପ୍ରତିଶ୍ରୁତିଗୁଡ଼ିକୁ ପ୍ରଶ୍ନ କରାଯାଇନଥାଏ। କଥାରେ ଅଛି ଯେ ଆଧୁନିକ ପ୍ରେମ ଓ ରାଜନୀତିରେ ସବୁ କିଛି ସମ୍ଭବ। ଆଧୁନିକ ପ୍ରେମିକ ଯେମିତି “ମୁଁ ତୁମକୁ ସବୁଠୁ ବେଶୀ ଭଲପାଏ” ବୋଲି ଲେଖି ଦଶ ପନ୍ଦର ଜଣ ପ୍ରେମିକାଙ୍କୁ ଏକାଠି ଚିଠି ଲେଖିଥାଏ, ଆଧୁନିକ ରାଜନେତା ସେମିତି “ମୁଁ ତୁମକୁ ଏକ ନମ୍ବର ରାଜ୍ୟ କିମ୍ବା ଜିଲ୍ଲା କରିଦେବି” ବୋଲି କହି ଦଶ ପନ୍ଦରଟି ରାଜ୍ୟ ଓ ଜିଲ୍ଲାକୁ ଏକାଠି ପ୍ରତିଶ୍ରୁତି ଦେଇଥାଏ।
ବନ୍ଧୁଗଣ, ଏହା ହେଉଛି ଆଧୁନିକ ରାଜନୀତିର ଲକ୍ଷଣ ଯାହା ଆପଣ ପ୍ରତ୍ୟହ ସ୍ୱଚକ୍ଷୁରେ ଦେଖୁଛନ୍ତି। ନରୋତ୍ତମ ଦାସଙ୍କ ଭାଷାରେ କେହି ଭଲ ନୁହନ୍ତି ଆଉ ଆପଣ ବିଶ୍ୱାସ କରିବେ କାହାକୁ? ଥରେ ଜଣେ ପୁରୁଖା ରାଜନେତାର ଏକମାତ୍ର ପୁଅ ତା’ ବାପାଙ୍କୁ କହିଲା, “ବାପା, ମୁଁ ତୁମ ଭଳି ରାଜନୀତି କରିବାକୁ ଚାହୁଛି। ରାଜନୀତିର ପ୍ରଥମ ଶିକ୍ଷା କ’ଣ?’’ ବାପା କହିଲେ, “ତୁ ଆମର ଦି’ମହଲା ଘର ଉପରୁ ତଳକୁ ଡିଆଁ ମାର ଆଉ ମୁଁ ତୋତେ ତଳୁ ଟେକି ଧରିବି।” ପୁଅ ବାପାଙ୍କ କଥା ମାନି ତୁରନ୍ତ ଦି’ମହଲା ଘରୁ ତଳକୁ ଡେଇଁ ପଡ଼ିଲା। ବାପା ଧରିଲେ ନାହିଁ। ପୁଅର ହାତଗୋଡ଼ ଖଣ୍ଡିଆ ଖାବରା ହୋଇଗଲା। ବାପା କହିଲେ, “ପୁଅରେ, ରାଜନୀତିର ପ୍ରଥମ ଶିକ୍ଷା ହେଉଛି ତୁ ତୋ ବାପାକୁ ବି ବିଶ୍ୱାସ କରିବୁ ନାହିଁ।”
ମୋ: ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର