ଆମ ଦେଶରେ ବିଲେଇ ଦେଖିଲେ ଯେତିକି ଗାଡ଼ିମଟର ଅଟକିଯାନ୍ତି ସେତିକି ଗାଡ଼ିମଟର ଯଦି ଟ୍ରାଫିକ ନାଲି ବତି ଦେଖି ଅଟକି ଯାଆନ୍ତେ ତେବେ ସଡ଼କରେ ଏତେ ଦୁର୍ଘଟଣା ହୁଅନ୍ତା ନାହିଁ। ଦୁଃଖର କଥା ଯେ ଅଧିକାଂଶ ଲୋକେ ନାଲି ବତି ଦେଖି ନ ଦେଖିଲା ଭଳି ପଳେଇ ଯାଉଥିବା ବେଳେ ବିଲେଇଟିଏ ଦେଖିଲେ କଷିକି ବ୍ରେକ୍‌ ଦେଇଥାନ୍ତି। ଏହାର କାରଣ ହେଉଛି ଏହି ଅନ୍ଧବିଶ୍ବାସ ଯେ ରାସ୍ତାରେ ବିଲେଇ ଦେଖିଲେ ଅଶୁଭ ଆଉ କଳା ବିଲେଇ ଦେଖିଲେ ତ ନିସ୍ତାର ନାହିଁ। ବିଲେଇଟି ଯଦି ରାସ୍ତା ପାର କରିଯାଏ ତେବେ ଚଳିବ କିନ୍ତୁ ଯଦି ମଝି ରାସ୍ତାରୁ ଫେରି ଆସେ ତେବେ ଲୋକଟି ମଧ୍ୟ ଟିକେ ପଛକୁ ଫେରି ଆଗକୁ ଆସିବା ସୁନିଶ୍ଚିତ। ବିଲେଇ ପାଇଁ ଆମର ଏତେ ଶୁଭ ଅଶୁଭ କଥା ରହିଛି କିନ୍ତୁ କିଏ କେବେ ବିଲେଇକୁ ପ୍ରଶ୍ନ କରିଛନ୍ତି କି? “ହଇରେ ବିଲେଇ, ତୁ ରାସ୍ତା ପାର କଲା ବେଳେ ମଣିଷଟିଏ ଦେଖିଲେ କ’ଣ ଭାବୁଛୁ? ଶୁଭ କି ଅଶୁଭ?” ଏ ପ୍ରଶ୍ନର ଉତ୍ତରରେ ବିଲେଇ ନିଶ୍ଚୟ କହିବ, “ଶୁଭ ଅଶୁଭ କ’ଣ ମୁଁ ଜାଣିନାହିଁ। ମୁଁ କିନ୍ତୁ ତୁମମାନଙ୍କ ଭଳି ଅନ୍ଧବିଶ୍ୱାସୀ ନୁହେଁ। ମୁଁ ତୁମେ ଯାହା ତୁମକୁ ସେଇୟା ହିଁ ଭାବିଥାଏ ଆଉ କେମିତି ତୁମ ଗାଡ଼ିର ଚକା ତଳୁ ମୋ ନିଜକୁ ବଞ୍ଚେଇକି ରଖିବି ସେଇୟା ଚେଷ୍ଟା କରିଥାଏ।”
ବନ୍ଧୁଗଣ, ବିଲେଇଟି ପଶୁ ହୋଇପାରେ କିନ୍ତୁ ଅନ୍ଧବିଶ୍ୱାସୀ ହୋଇ କୌଣସି ଶୁଭ ଅଶୁଭର ବିଚାର କରିନଥାଏ। ଦୁଃଖର କଥା ଆଜିକାଲି ଆମର ଅନେକ ରାଜନେତା ଗୁଡ଼ାଏ ଅନ୍ଧବିଶ୍ୱାସରେ ବିଶ୍ୱାସ କରି ଶୁଭ ଅଶୁଭର କଥାବାର୍ତ୍ତା କରୁଛନ୍ତି। କଂଗ୍ରେସ ନେତା ରାହୁଳ ଗାନ୍ଧୀ କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଜଣେ ‘ପନୌତି’- ଅର୍ଥାତ୍‌ ଏକ ଅଶୁଭ ବ୍ୟକ୍ତି ଆଉ ଯେହେତୁ ସେ ନିଜେ ଉପସ୍ଥିତ ରହି କ୍ରିକେଟ୍‌ ମ୍ୟାଚ ଦେଖୁଥିଲେ, ଭାରତ ହାରିଗଲା। ଏହାର ଉତ୍ତର ଦେଇ ବିଜେପି ନେତା ହେମନ୍ତ ବିଶ୍ୱଶର୍ମା କହିଲେ ଯେ ପନୌତି ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି, ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ହେଉଛନ୍ତି ‘ପନୌତି’ କାରଣ ମ୍ୟାଚ୍‌ ଦିନ ତାଙ୍କର ଜନ୍ମଦିନ ଥିଲା ତେଣୁ ଭାରତ ହାରିଗଲା। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଆଉ ପାଦେ ଆଗେଇ ଯାଇ କହିଲେ ଯେ ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିଅମ ହିଁ ‘ପନୌତି’ ଅର୍ଥାତ୍‌ ଏକ ଅଶୁଭ ଷ୍ଟାଡିଅମ ଆଉ ଯଦି ଏହି ମ୍ୟାଚ ଅହମଦାବାଦ ବଦଳରେ ଲକ୍ଷ୍ନୌ ଷ୍ଟାଡିଅମରେ ହୋଇଥାନ୍ତା ତେବେ ଭାରତ ନିଶ୍ଚୟ ଜିତିଥାନ୍ତା।
ନିର୍ବାଚନ କମିସନ ଏହିଭଳି ମନ୍ତବ୍ୟର ମୂଳ ସୂତ୍ରଧର ରାହୁଳ ଗାନ୍ଧୀଙ୍କୁ ଜବାବ ତଲବ କରିଛନ୍ତି। କୋର୍ଟ କଚେରିରେ କଥା କ’ଣ ହେବ ଜଣା ନାହିଁ କିନ୍ତୁ ରାହୁଳ ଗାନ୍ଧୀଙ୍କର ଜାଣିବା ଉଚିତ ଥିଲା ଯେ ଯେତେବେଳେ ତାଙ୍କ ଜେଜେମା ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୮୨ ମସିହାରେ ଭାରତ ପାକିସ୍ଥାନ ହକି ମ୍ୟାଚ ନୂଆଦିଲ୍ଲୀ ଷ୍ଟାଡିଅମରେ ବସି ଦେଖୁଥିଲେ, ଭାରତ ସେହି ମ୍ୟାଚ ସାତ-ଏକ ଗୋଲରେ ପରାସ୍ତ ହୋଇଥିଲା। ତେବେ ଇନ୍ଦିରା ଗାନ୍ଧୀ କ’ଣ ଜଣେ ‘ପନୌତି’ ବା ଅଶୁଭ ବ୍ୟକ୍ତି ଥିଲେ ବୋଲି କହିବା? ୨୦୦୫ ମସିହାରେ ଯେତେବେଳେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୋହାଲି ଷ୍ଟାଡିଅମରେ ଭାରତ ପାକିସ୍ଥାନ କ୍ରିକେଟ୍‌ ମ୍ୟାଚ ଦେଖୁଥିଲେ ସେତେବେଳେ ମଧ୍ୟ ଭାରତର ଶୋଚନୀୟ ପରାଜୟ ହୋଇଥିଲା। ଏହା ଅର୍ଥ କ’ଣ କଂଗ୍ରେସର ପ୍ରଧାନମନ୍ତ୍ରୀ ଜଣେ ‘ପନୌତି’?
ଏ କଥା ସତ ଯେ ଆମ ଭାରତବର୍ଷରେ ଅନେକ ଶୁଭ ଅଶୁଭର ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି ଯଥା ଲେମ୍ବୁ ମରିଚ ଟାଙ୍ଗିଲେ ବିପଦ ଦୂର ହୋଇଥାଏ, କାଉ ବୋବେଇଲେ ଘରକୁ ଅତିଥି ଆସିଥାଏ, ନେଉଳ ଅନେଇଲେ ଭଲ, ବିଲୁଆ ବୋବେଇଲେ ଖରାପ, ହଳଦି ବସନ୍ତ ଦେଖିଲେ ଶୁଭ, ପେଚା ଦେଖିଲେ ଅଶୁଭ ଇତ୍ୟାଦି ଇତ୍ୟାଦି। କେବଳ ଭାରତ କାହିଁକି, ବିଦେଶରେ ମଧ୍ୟ ଶୁଭ ଅଶୁଭର ଅନ୍ଧବିଶ୍ୱାସ ରହିଛି, ଯଥା, ତେର ସଂଖ୍ୟା ଅଶୁଭ। ଶୁଣି ଆଶ୍ଚର୍ଯ୍ୟ ଲାଗେ ଯେ ବିଦେଶରେ ଅନେକ ପଞ୍ଚତାରକା ହୋଟେଲରେ ମଧ୍ୟ ତେର ନମ୍ବରର କୋଠରି ନାହିଁ କି ତେର ନମ୍ବରର ମହଲା ନାହିଁ। ଏହି ସବୁ ଅନ୍ଧବିଶ୍ୱାସ କିଛି ପଶୁପକ୍ଷୀ, ନିର୍ଜୀବ ବସ୍ତୁ କିମ୍ବା କୌଣସି ସଂଖ୍ୟାକୁ ନେଇ ରହିଛି। ଏହାକୁ ବିଶ୍ୱାସ କରିବା ନ କରିବା ଆପଣଙ୍କର ବ୍ୟକ୍ତିଗତ ଇଚ୍ଛା, କିନ୍ତୁ କୌଣସି ବ୍ୟକ୍ତି, ବ୍ୟକ୍ତିର ନାମ କିମ୍ବା ବ୍ୟକ୍ତିର ଉପସ୍ଥିତିକୁ ନେଇ ଶୁଭ ଅଶୁଭ ବୋଲି ସମାଜରେ ଆକ୍ଷେପ କରିବା ଏକ ଗୁରୁତର ଅପରାଧ, ଯାହା କି କଂଗ୍ରେସ ନେତା ରାହୁଳ ଗାନ୍ଧୀ, ବିଜେପି ନେତା ହେମନ୍ତ ବିଶ୍ୱଶର୍ମା ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କରିଛନ୍ତି।
ଏହି ‘ପନୌତି’ ବା ଅଶୁଭ ବ୍ୟକ୍ତି ଉପରେ ଏକ ଜଣାଶୁଣା ଲୋକକଥା ମନେ ପକେଇ ଦେବାକୁ ଚାହୁଁଛି। ଥରେ ମହାରାଜା ପ୍ରାତଃଭ୍ରମଣ କରୁଥିବା ସମୟରେ ଜଣେ ଝାଡୁଦାରକୁ ଦେଖିଥିଲେ ଓ ତା’ ପରେ ପରେ ସେ ଗୋଟେ ମାଙ୍କଡ଼ା ପଥର ଉପରେ ଝୁଣ୍ଟିପଡ଼ି ଖଣ୍ଡିଆ ଖାବରା ହୋଇଗଲେ। ଝାଡୁଦାର ଜଣକ ନିହାତି ଅଶୁଭ ଲୋକଟିଏ ବୋଲି ଭାବି ମହାରାଜା ତାକୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ ଓ ରାଜଦରବାରରେ ତାକୁ ଏକ ‘ପନୌତି’ ବୋଲି ଘୋଷଣା କରି ମୃତ୍ୟୁଦଣ୍ଡ ଦେବାପାଇଁ ଆଦେଶ ଦେଲେ। ଏ କଥା ଶୁଣି ବିରବଲ ଦରବାରରେ କହିଲେ, “ମହାରାଜ, ଆପଣ ସକାଳୁ ସକାଳୁ ଝାଡୁଦାରକୁ ଦେଖି ଝୁଣ୍ଟି ପଡ଼ିଲେ ଓ ସାମାନ୍ୟ ଖଣ୍ଡିଆ ଖାବରା ହୋଇଗଲେ। କିନ୍ତୁ ଝାଡୁଦାର ବି ତ ସକାଳୁ ସକାଳୁ ପ୍ରଥମେ ଆପଣଙ୍କୁ ଦେଖିଛି ଆଉ ବର୍ତ୍ତମାନ ମୃତ୍ୟୁଦଣ୍ଡ ପାଇବାକୁ ଯାଉଛି। କିଏ ବେଶୀ ଅଶୁଭ ଆପଣ ବିଚାର କରନ୍ତୁ- ଆପଣ ନା ଝାଡୁଦାର?”
ମୋ: ୯୪୩୭୦୬୭୫୬୭