ଭାରତୀୟମାନେ ଦେଶର ଅଷ୍ଟାଦଶ ସାଧାରଣ ନିର୍ବାଚନରେ ଭୋଟ ଦେବା ଆରମ୍ଭ କରିଦେଇଛନ୍ତି। ପୂର୍ବର ସତରଟି ନିର୍ବାଚନ ମଧ୍ୟରୁ ନିର୍ଦ୍ଦିଷ୍ଟ ଭାବେ ଦୁଇଟି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଗୋଟିଏ ହେଉଛି ୧୯୫୨ରେ ଅନୁଷ୍ଠିତ ପ୍ରଥମ ନିର୍ବାଚନ। ନୈରାଶ୍ୟବାଦୀମାନେ ସେହି ଆୟୋଜନକୁ ବ୍ୟାପକ ଭାବେ ବିଦ୍ରୂପ କରିଥିଲେ। ସେମାନେ ଭାବୁଥିଲେ, ଭାରତୀୟମାନେ ଏତେ ଦରିଦ୍ର, ଏତେ ବିଭାଜିତ ଏବଂ ଏତେ ନିରକ୍ଷର ଯେ ନିଜର ନେତା ବାଛିବାର ଅଧିକାର ପାଇବା ଲାଗି ସେମାନେ ଅଯୋଗ୍ୟ। ଏହି ସମୟରେ ଭାରତ ପରିଦର୍ଶନରେ ଆସିଥିବା ଏକ ଆମେରିକୀୟ ଦମ୍ପତିକୁ ଭାରତ ସଂଘରେ କୁଣ୍ଠାର ସହ ଯୋଗ ଦେଇଥିବା ଜଣେ ମହାରାଜା କହିଥିଲେ ଯେ ଅଶିକ୍ଷିତମାନଙ୍କ ଭୂମିରେ ସମସ୍ତଙ୍କୁ ଭୋଟ ଦାନର ଅଧିକାର ପ୍ରଦାନ କରିଥିବା ସଂବିଧାନ ‘ପାଗଳ’। ମାଡ୍ରାସର ଜଣେ ଖବରକାଗଜ ସମ୍ପାଦକ ଅଭିଯୋଗ କରିଥିଲେ ଯେ ‘ଏକ ବଡ଼ ଗୋଷ୍ଠୀ ପ୍ରଥମ ଥର ପାଇଁ ଭୋଟ ଦେବ: ଅନେକ ଲୋକ ଜାଣନ୍ତି ନାହିଁ ଭୋଟ କ’ଣ, ସେମାନେ କାହିଁକି ଭୋଟ ଦେବା ଉଚିତ, ଏବଂ ସେମାନେ କାହାକୁ ଭୋଟ ଦେବା ଉଚିତ; ଏଥିରେ ସନ୍ଦେହ ନାହିଁ ଯେ ଏହି ସଂପୂର୍ଣ୍ଣ ଦୁଃସାହସିକ ଆୟୋଜନକୁ ଇତିହାସର ସବୁଠାରୁ ବଡ଼ ବାଜି ବୋଲି କୁହାଯାଉଛି।’ ଆର୍‌ଏସ୍‌ଏସ୍‌ ଦ୍ବାରା ପ୍ରକାଶିତ ସାପ୍ତାହିକ ପତ୍ରିକା ‘ଅର୍ଗାନାଇଜର୍‌’ ଲେଖିଥିଲା ଯେ ‘ଭାରତରେ ସାର୍ବଜନୀନ ପ୍ରାପ୍ତବୟସ୍କ ମତାଧିକାର ବ୍ୟବସ୍ଥାର ବିଫଳତାକୁ ପଣ୍ଡିତ ନେହରୁ ନିଜ ଜୀବଦ୍ଦଶାରେ ସ୍ବୀକାର କରିବେ।’
କିନ୍ତୁ ଏହି ବାଜି ସଫଳ ହେଲା। ଭିନ୍ନ ଭିନ୍ନ ମତବାଦର ପ୍ରତିନିଧିତ୍ବ କରୁଥିବା ଦଳ ଓ ବ୍ୟକ୍ତି ପ୍ରଥମ ନିର୍ବାଚନରେ ଲଢ଼ିଲେ, ଏବଂ ପ୍ରାପ୍ତବୟସ୍କ ପୁରୁଷ ଓ ମହିଳା ମୁକ୍ତ ଭାବେ ନିଜ ପସନ୍ଦର ନେତା ବାଛିଲେ। ପ୍ରଥମ ନିର୍ବାଚନର ସଫଳ ଆୟୋଜନ ଭାରତୀୟ ଇତିହାସର ଏକ ବଡ଼ ମାଇଲଖୁଣ୍ଟ ଥିଲା। ଏହା ପରେ ୧୯୫୭, ୧୯୬୨, ୧୯୬୭ ଓ ୧୯୭୧ରେ ଅନୁଷ୍ଠିତ ନିର୍ବାଚନମାନ ୧୯୫୨ର ସଫଳତାକୁ ଆଗକୁ ବଢ଼ାଇ ନେଇଥିଲେ।
ଆମ ଇତିହାସର ଦ୍ବିତୀୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସାଧାରଣ ନିର୍ବାଚନ ଆୟୋଜିତ ହୋଇଥିଲା ୧୯୭୭ ମସିହା ମାର୍ଚ୍ଚରେ। ଯେହେତୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍‌ରେ ଜରୁରୀ ପରିସ୍ଥିତି ଜାରି କରିଥିଲେ, ତେଣୁ ଅନେକ ଲୋକ ଧରି ନେଇଥିଲେ ଯେ ମୁକ୍ତ, ପ୍ରତିଯୋଗିତାପୂର୍ଣ୍ଣ ରାଜନୀତି ସେଇଠି ଶେଷ ହୋଇଗଲା। ଭାରତ ଏହା ସହିତ ପ୍ରଭୁତ୍ବବାଦୀ ଶାସନାଧୀନ ଅଗଣିତ ଏସୀୟ ଓ ଆଫ୍ରିକୀୟ ଦେଶମାନଙ୍କ ସ୍ତରକୁ ଖସିଗଲା। ବାସ୍ତବରେ, ୧୯୭୬ ମସିହାର ଦ୍ବିତୀୟାର୍ଧରେ ରାସ୍ତାଗୁଡ଼ିକ ଅସ୍ବାଭାବିକ ଭାବେ ଶାନ୍ତ ପଡ଼ିଯାଇଥିଲା, ଯାହାକୁ ମୁଁ ମୋ ବ୍ୟକ୍ତିଗତ ଅଭିଜ୍ଞତାରୁ କହିପାରିବି। ଇନ୍ଦିରା ଗାନ୍ଧୀଙ୍କ ଶାସନ ପ୍ରତି କୌଣସି ଆହ୍ବାନ ବା ବିପଦ ନ ଥିଲା, ଜରୁରୀ ପରିସ୍ଥିତି ଉଚ୍ଛେଦ କରି ନୂଆ ନିର୍ବାଚନ କରାଇବାର କୌଣସି କାରଣ ମଧ୍ୟ ନଥିଲା। ତଥାପି ସେ ତାହା କଲେ।
ଐତିହାସିକମାନେ ୧୯୭୭ ନିର୍ବାଚନର ତିନିଟି ଉଲ୍ଲେଖଯୋଗ୍ୟ ବିଭାବକୁ ରେଖାଙ୍କିତ କରନ୍ତି। ପ୍ରଥମଟି ହେଲା ନିର୍ବାଚନ ଅନୁଷ୍ଠିତ ହେବା। ଦ୍ବିତୀୟଟି ହେଉଛି ଫଳାଫଳ ନିର୍ବାଚନ ଆକଳନକାରୀମାନଙ୍କୁ ହତଭମ୍ବ କରିପକାଇବା, କାରଣ ଆଶା କରାଯାଉଥିଲା ଯେ ଇନ୍ଦିରା ଗାନ୍ଧୀ ହିଁ ଜିତିବେ। ଇନ୍ଦିରା ଅତ୍ୟନ୍ତ ଲୋକପ୍ରିୟ ବୋଲି ମନେ କରାଯାଉଥିଲା; ୧୯୭୧ରେ ପାକିସ୍ତାନ ବିରୋଧରେ ଯୁଦ୍ଧ ବିଜୟର ମୁକୁଟ ତାଙ୍କ ମୁଣ୍ଡ ଉପରେ ସେ ପର୍ଯ୍ୟନ୍ତ ବିରାଜମାନ ଥିଲା ବୋଲି ବିଶ୍ବାସ କରାଯାଉଥିଲା। ତା’ ଛଡ଼ା, ତାଙ୍କ ଦଳୀୟ ସଂଗଠନ ସୁଦୃଢ଼ ଥିଲା, ଆର୍ଥିକ ଶକ୍ତି ବଢ଼ିଥିଲା କାରଣ ଦେଶର ଶୀର୍ଷସ୍ତରୀୟ ଶିଳ୍ପପତିମାନେ ଜରୁରୀ ପରିସ୍ଥିତିକୁ ସମର୍ଥନ କରିଥିଲେ। ଅପରପକ୍ଷେ, ବିରୋଧୀ ପକ୍ଷ ବିକ୍ଷିପ୍ତ ଏବଂ ଆର୍ଥିକ ଭାବେ ଦୁର୍ବଳ ହୋଇଯାଇଥିଲେ, ସେମାନଙ୍କ ନେତା ଓ କର୍ମୀମାନେ ଦୀର୍ଘ କାଳ ଧରି ଜେଲ୍‌ରେ କାଳାତିପାତ କରିଥିଲେ। ଏସବୁ ସତ୍ତ୍ବେ, ଫଳାଫଳ ଆକଳନକାରୀମାନଙ୍କୁ ଭୁଲ୍‌ ବୋଲି ପ୍ରମାଣିତ କରି କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହେଲା ଏବଂ ଇନ୍ଦିରା ଗାନ୍ଧୀ ନିଜ ଗାଦି ହରାଇଲେ। ଏହାର ଫଳ ସ୍ବରୂପ, ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର କଂଗ୍ରେସ ଭିନ୍ନ ଅନ୍ୟ କୌଣସି ଦଳ ନୂଆଦିଲ୍ଲୀରେ କ୍ଷମତାକୁ ଆସିଲା।
ନିର୍ବାଚନ ଅନୁଷ୍ଠିତ ହେବା, କଂଗ୍ରେସ ପରାସ୍ତ ହେବା, ଏବଂ ଭାରତ ଏଣିକି ଆଉ ଏକଦଳୀୟ ଦେଶ ହୋଇ ନ ରହିବା- ୧୯୭୭ ନିର୍ବାଚନର ଏ ତିନିଟି ବିଭାବ ସହିତ ଆଉ ଗୋଟିଏ ଯୋଡ଼ାଯିବା ଉଚିତ ହେବ ଯେ ଦୀର୍ଘ କାଳ ଧରି ଆଧିପତ୍ୟ ବିସ୍ତାର କରିଥିବା କଂଗ୍ରେସକୁ ଏକାଧିକ ଦଳର ମେଣ୍ଟ ପରାସ୍ତ କରିଥିଲା, ଯେଉଁମାନେ ନୀତିଗତ ଭାବେ ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ। ତଥାକଥିତ ଜନତା ପାର୍ଟି ଚାରିଟି ଦଳକୁ ନେଇ ଗଠିତ ହୋଇଥିଲା, ଯେଉଁମାନଙ୍କର ଇତିହାସ ଓ ଆଦର୍ଶ ଭିତରେ ଅନେକ ତାରତମ୍ୟ ରହିଥିଲା। ସେମାନେ ଏକଛତ୍ରବାଦକୁ ପରାସ୍ତ କରି ଗଣତନ୍ତ୍ର ପୁନଃସ୍ଥାପନ କରିବାର ଏକମାତ୍ର ଲକ୍ଷ୍ୟ ନେଇ ଏକାଠି ହୋଇଥିଲେ।
୧୯୭୭ରୁ ୨୦୧୪ ମଧ୍ୟରେ କୌଣସି ଗୋଟିଏ ଦଳ ବା ମେଣ୍ଟ ଲଗାତାର ଦୁଇରୁ ଅଧିକ ପାଳି କେନ୍ଦ୍ରର କ୍ଷମତାରେ ରହି ନ ଥିଲା। କ୍ଷମତା ଅଦଳବଦଳର ଧାରା ଭାରତୀୟ ଗଣତନ୍ତ୍ର ପାଇଁ ଶୁଭଙ୍କର ଥିଲା। ଗୋଟିଏ ନିର୍ଦ୍ଦିଷ୍ଟ ଦଳର ଦୀର୍ଘକାଳୀନ ଆଧିପତ୍ୟର ଭୟରୁ ମୁକ୍ତ ରହିବା ଯୋଗୁଁ, ସେହି ବର୍ଷମାନଙ୍କରେ ପ୍ରେସ୍‌ ଅଧିକ ମୁକ୍ତ ଥିଲା, ପ୍ରଶାସନିକ ସେବା ଅଧିକ ସ୍ବାଧୀନ ଥିଲା, ଏବଂ ନ୍ୟାୟପାଳିକା ଅଧିକ ନିର୍ଭୀକ ଥିଲା। ଏକ ପ୍ରତିଯୋଗିତାପୂର୍ଣ୍ଣ ରାଜନୈତିକ ବ୍ୟବସ୍ଥା ଭିତରେ କୌଣସି ଦଳ ସର୍ବଦା କ୍ଷମତାରେ ନ ରହିବା ଭାରତୀୟ ସଂଘବାଦ ପାଇଁ ମଧ୍ୟ ଶୁଭଙ୍କର ଥିଲା। ସେଥିରେ ରାଜ୍ୟମାନଙ୍କୁ ସେମାନଙ୍କ ନିଜସ୍ବ ଅର୍ଥନୈତିକ ଓ ସାମାଜିକ ଉଦ୍ଦେଶ୍ୟ ହାସଲ ପାଇଁ ଅଧିକ ସ୍ବାଧୀନତା ମିଳୁଥିଲା।
ଏଥରର ନିର୍ବାଚନ ସେହି ଧାରାକୁ ଓଲଟାଇ ଦେବ କି? ଅଧିକାଂଶ ନିର୍ବାଚନ ଫଳାଫଳ ଆକଳନକାରୀ ତାହା କହୁଛନ୍ତି। ସେମାନଙ୍କ ବିଶ୍ବାସ ଯେ ନରେନ୍ଦ୍ର ମୋଦୀ ଓ ଭାରତୀୟ ଜନତା ପାର୍ଟି ତୃତୀୟ ଥର ନିର୍ବାଚନ ଜିଣିବା ପ୍ରାୟ ସୁନିଶ୍ଚିତ। ତା’ ପରେ କ’ଣ ହେବ?
ମୁଁ ସମ୍ମାନ କରୁଥିବା ଜଣେ ଟିପ୍ପଣୀକାର ହେଉଛନ୍ତି ପରକଲା ପ୍ରଭାକର। ସେ କହନ୍ତି ଯେ ଯଦି ମୋଦୀ ଓ ବିଜେପି ତୃତୀୟ ପାଳି ଜିଣନ୍ତି, ତେବେ ଦେଶରେ ଆଉ ନିର୍ବାଚନ ହେବ ନାହିଁ। ଏହା ସତ ଯେ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ପରି ମୋଦୀଙ୍କ ଠାରେ ମଧ୍ୟ ପ୍ରଭୁତ୍ବବାଦୀ ପ୍ରବୃତ୍ତି, ଏବଂ ସଂପୂର୍ଣ୍ଣ ଆଧିପତ୍ୟର ଇଚ୍ଛା ରହିଛି। ତେବେ ଇନ୍ଦିରା ଓ ମୋଦୀଙ୍କ ରାଜନୈତିକ ପରିସ୍ଥିତି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ୧୯୭୭ରେ କଂଗ୍ରେସ ଗୋଟିଏ ରାଜ୍ୟ (ତାମିଲନାଡୁ, ଯାହାର ମୁଖ୍ୟମନ୍ତ୍ରୀ ମଧ୍ୟ ନୂଆଦିଲ୍ଲୀ ପ୍ରତି ବିନୟୀ ଥିଲେ) ଛଡ଼ା ଅନ୍ୟ ସବୁ ରାଜ୍ୟରେ କ୍ଷମତାରେ ଥିଲା, ହେଲେ ୨୦୨୪ରେ ବିଜେପି ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟ ସମେତ ପୂର୍ବ ଓ ଉତ୍ତର ଭାରତର ଅନେକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ କ୍ଷମତାରୁ ବାହାରେ ଅଛି।
୧୯୭୫ ଓ ୧୯୭୭ ମଧ୍ୟରେ ଗଣତାନ୍ତ୍ରିକ ବିରୋଧୀର ସ୍ବରକୁ ସଂପୂର୍ଣ୍ଣ ରୂପେ ନିରବ କରିବାରେ ଇନ୍ଦିରା ଓ କଂଗ୍ରେସ ଯେମିତି ସଫଳ ହୋଇଥିଲେ, ଲୋକସଭାରେ ୩୭୦ ଆସନ ଜିଣିବାର ସ୍ବପ୍ନ ପୂରଣ ପରେ ମଧ୍ୟ ବର୍ତ୍ତମାନ ସେଭଳି କରିବା ମୋଦୀ ଓ ବିଜେପି ଲାଗି ବହୁତ କଷ୍ଟକର ହେବ। ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ତେଲେଙ୍ଗାନା ପରି ବଡ଼ ରାଜ୍ୟମାନଙ୍କରେ ତଥାପି ଲୋକପ୍ରିୟ ବିରୋଧୀ ସରକାର ରହିଥିବେ। ମୋଦୀ ଓ ଶାହ ସେମାନଙ୍କର କ’ଣ କରିବେ? ଖାମଖିଆଲି ଭାବେ ଧାରା ୩୫୬ ଜାରି କରିବେ କି? ନା ବିଧାୟକମାନଙ୍କୁ କିଣିନେବେ? ଦୁଇଟିଯାକ ଉପାୟ ଆକର୍ଷଣୀୟ ମନେ ହୋଇପାରେ କିନ୍ତୁ ଉଭୟ କାର୍ଯ୍ୟାନୁଷ୍ଠାନକୁ ସେହି ରାଜ୍ୟର କୋଟି କୋଟି ନାଗରିକ କଠୋର ବିରୋଧ କରିବେ, ଯେଉଁମାନେ ମୋଦୀଙ୍କ ଅନୁଗାମୀ ନୁହନ୍ତି କି ବିଜେପିକୁ ଭୋଟ ଦିଅନ୍ତି ନାହିଁ।
ଭାରତର ବିଶାଳ ଭାଗରେ ବିଜେପିର ଆଧିପତ୍ୟ ନ ଥିବାରୁ ଦେଶ ଜରୁରୀ ପରିସ୍ଥିତି ବର୍ଷମାନଙ୍କର ପୂର୍ଣ୍ଣ ଏକଛତ୍ରବାଦକୁ ଫେରିବାର ସମ୍ଭାବନା କ୍ଷୀଣ। ତଥାପି, ଏ ନେଇ ସନ୍ତୋଷ ବ୍ୟକ୍ତ କରିବା ଅନୁଚିତ, କାରଣ ବିଜେପି ସହିତ ଘୃଣାରଂଜିତ ତଥା ବିଭାଜନକାରୀ ହିନ୍ଦୁତ୍ବ ଆଦର୍ଶ ଯୋଡ଼ି ହୋଇ ରହିଛି।
ନରେନ୍ଦ୍ର ମୋଦୀ କ୍ଷମତାରେ ଥିବା ଦଶ ବର୍ଷ ଭିତରେ, ଧାର୍ମିକ ସଂଖ୍ୟାଲଘୁ, ବିଶେଷ କରି ମୁସଲମାନମାନଙ୍କୁ ଭାରତୀୟ ରାଜନୀତିରେ ଅଧିକ ସୀମାନ୍ତରିତ କରିଦିଆଯାଇଛି। ସେମାନେ ଦୈନନ୍ଦିନ ଜୀବନରେ, ରାସ୍ତାଘାଟରେ, ଦୋକାନ ବଜାରରେ, ସ୍କୁଲରେ, ଡାକ୍ତରଖାନାରେ ଓ ଦପ୍ତରରେ ନିରନ୍ତର ପକ୍ଷପାତର ସମ୍ମୁଖୀନ ହେଉଛନ୍ତି। ବିଜେପିର ସାଂସଦ ଓ ମନ୍ତ୍ରୀମାନେ ନିୟମିତ ଭାବେ ଭାରତର ମୁସଲମାନମାନଙ୍କର ବ୍ୟଙ୍ଗବିଦ୍ରୂପ କରନ୍ତି, ସେମାନଙ୍କର ଏଭଳି ବାର୍ତ୍ତାକୁ ସମର୍ଥକମାନେ ହ୍ବାଟ୍‌ସଆପ୍‌ ଓ ୟୁଟ୍ୟୁବ୍‌ ଜରିଆରେ ବ୍ୟାପକ ଭାବେ ପ୍ରସାରିତ କରନ୍ତି। ସ୍କୁଲ୍‌ ପିଲାମାନଙ୍କ ମନରେ ଅଣହିନ୍ଦୁ ନାଗରିକଙ୍କ ପ୍ରତି ଘୃଣା ଭାବ ଜନ୍ମାଇବା ଲାଗି ପାଠ୍ୟପୁସ୍ତକଗୁଡ଼ିକର ପୁନର୍ଲିଖନ କରାଯାଉଛି।
ନରେନ୍ଦ୍ର ମୋଦୀ ଓ ବିଜେପି ଯଦି ତୃତୀୟ ପାଳିରେ କ୍ଷମତାକୁ ଫେରନ୍ତି, ତେବେ ମୁସଲମାନମାନଙ୍କୁ ନିନ୍ଦିତ କରିବାର ପ୍ରକରଣ ଜାରି ରହିବ, ଏବଂ ହୁଏତ ଅଧିକ ତୀବ୍ର ହେବ। ଲୋକସଭାରେ ବିପୁଳ ସଂଖ୍ୟାଗରିଷ୍ଠତା ସହିତ ମୋଦୀ ଓ ତାଙ୍କ ଦଳ ଆଉ ଥରେ ବିଜୟୀ ହେଲେ, ଗଣମାଧ୍ୟମକୁ ଆହୁରି କଠୋର ଭାବେ ନିୟନ୍ତ୍ରଣ କରିବା, ପ୍ରଶାସନିକ ସେବା, ନ୍ୟାୟପାଳିକ ଓ ସରକାରୀ ନିୟାମକ ସଂସ୍ଥାମାନଙ୍କ ସ୍ବାଧୀନତାକୁ ଆହୁରି ନିମ୍ନଗାମୀ କରିବା, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଆଇଆଇଟି, ଆଇଆଇଏମ୍‌ଗୁଡ଼ିକୁ ହିନ୍ଦୁତ୍ବ ପ୍ରୋପାଗଣ୍ଡାର କେନ୍ଦ୍ରରେ ପରିଣତ କରିବା ଏବଂ ଭାରତୀୟ ସଂଘୀୟ ତନ୍ତ୍ରକୁ ଦୁର୍ବଳ କରିବା ଲାଗି ଉଦ୍ୟମ ଅଧିକ ଶକ୍ତି ପାଇବ। ଜନସଂଖ୍ୟା ଅନୁଯାୟୀ ଲୋକସଭା ଆସନର ପୁନର୍ଗଠନ କାର୍ଯ୍ୟ ଆରମ୍ଭ ହୋଇଯିବ, ଯାହା ଫଳରେ ଉତ୍ତର ଭାରତ (ଯେଉଁଠି ବିଜେପି ଶକ୍ତିଶାଳୀ)କୁ ଜନସାଂଖ୍ୟିକ ଲାଭ ମିଳିବ ଏବଂ ଦକ୍ଷିଣ ଭାରତ (ଯେଉଁଠି ବିଜେପି ଦୁର୍ବଳ)କୁ ରାଜନୈତିକ ଭାବେ ଅଧସ୍ତନ କରିଦିଆଯିବ। ଦକ୍ଷିଣ ଭାରତ ନିଜର ଦମନକୁ ସହଜରେ ଗ୍ରହଣ କରିବ ନାହିଁ; ଏହା ସତ୍ତ୍ବେ ମୋଦୀ ଓ ବିଜେପି ନିଜ ଯୋଜନାରେ ଅଗ୍ରସର ହୋଇଚାଲିବେ।
୨୦୦୭ରେ ପ୍ରକାଶିତ ଏକ ପୁସ୍ତକରେ ମୁଁ ଭାରତକୁ ‘୫୦-୫୦’ ଗଣତନ୍ତ୍ର ରୂପେ ଅଭିହିତ କରିଥିଲି। ଦେଢ଼ ଦଶନ୍ଧି ପରେ ସେହି ପୁସ୍ତକର ନୂଆ ସଂସ୍କରଣରେ ମୁଁ ଏହି ଅନୁପାତକୁ ‘୩୦-୭୦’କୁ କମାଇଦେଇଛି। ବିଜେପି ଓ ମୋଦୀଙ୍କ ତୃତୀୟ ଲଗାତାର ସଂଖ୍ୟାଗରିଷ୍ଠତା ହାସଲ ଏହି ପତନର ଧାରାକୁ ତ୍ବରାନ୍ବିତ କରିବ, ଯାହାର କ୍ଷତିକାରକ ପ୍ରଭାବ ଆମ ସାମାଜିକ ବ୍ୟବସ୍ଥା, ଅର୍ଥନୈତିକ ସମ୍ଭାବନା, ଏବଂ ଭାରତର ପର ପିଢ଼ିର ଭବିଷ୍ୟତ ଉପରେ ପଡ଼ିବ।
୧୯୭୦ ଦଶକରେ ଇନ୍ଦିରା ଗାନ୍ଧୀ ପ୍ରଭୁତ୍ବବାଦ ଓ ପାରିବାରିକ ଶାସନ ପ୍ରତି ଅନୁରକ୍ତିକୁ ମିଶାଇ ଦେଇଥିଲେ; ଏବେ ନରେନ୍ଦ୍ର ମୋଦୀ ପ୍ରଭୁତ୍ବବାଦକୁ ହିନ୍ଦୁ ବହୁସଂଖ୍ୟକବାଦ ପ୍ରତି ଅନୁରକ୍ତି ସହ ମିଶାଇ ଦେଇଛନ୍ତି। ପରିବାରବାଦ ବହୁତ ଖରାପ, ଆଉ ବହୁସଂଖ୍ୟକବାଦ ନିଶ୍ଚିତ ରୂପେ ତା’ ଠାରୁ ନିକୃଷ୍ଟ। ଏହାର ଉଦାହରଣ ଆମ ପଡ଼ୋଶୀ ଦେଶମାନଙ୍କ ଭାଗ୍ୟରୁ ସ୍ପଷ୍ଟ ଦିଶିଥାଏ, ଯେଉଁଠି ବିଭିନ୍ନ ରକମର ଇସଲାମୀୟ ଓ ବୌଦ୍ଧ ପ୍ରଭୁତ୍ବବାଦ ବିସ୍ତାର କରିସାରିଛି। ସେହି ଦୃଷ୍ଟିରୁ ହିନ୍ଦୁ ବହୁସଂଖ୍ୟକବାଦର ପରିଣାମ ଭିନ୍ନ ହେବ ବୋଲି ବିଶ୍ବାସ କରିବା ଅମୂଳକ ହେବ।
ପ୍ରଭୁତ୍ବବାଦ ଇଚ୍ଛାଶକ୍ତିକୁ ଚୂର୍ଣ୍ଣ କରିଦିଏ; ବହୁସଂଖ୍ୟକବାଦ ମସ୍ତିଷ୍କ ଓ ମନକୁ ବିଷାକ୍ତ କରିଦିଏ। ଏହା ଯେଉଁ ଘୃଣା ଓ ଧର୍ମାନ୍ଧତା ଉଦ୍ରେକ କରେ, ତାହା ରାଜନୀତିର ଶରୀରରେ କର୍କଟ ପରି ବ୍ୟାପିଯାଏ, ଯାହା ବ୍ୟକ୍ତି ଓ ସମାଜରୁ ସଭ୍ୟତା, ଶାଳୀନତା, ସହାନୁଭୂତି ତଥା ମାନବିକତା ଛଡ଼ାଇନିଏ। ଏହି କାରଣରୁ ଏହାର ଅଭ୍ୟୁଦୟକୁ ରୋକାଯିବା ଅପରିହାର୍ଯ୍ୟ। ଏଥିପାଇଁ ଏବେ ବି ଉପଲବ୍‌ଧ ଗଣତାନ୍ତ୍ରିକ ସାଧନକୁ ଆମେ ବ୍ୟବହାର କରିବା ଉଚିତ। ଏହି କାରଣ ଯୋଗୁଁ ଏହି ନିର୍ବାଚନ ହେଉଛି ୧୯୭୭ ପରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସାଧାରଣ ନିର୍ବାଚନ।
[email protected]