ଏବର ବାହାଘର ଋତୁରେ ଏହି ଶୁଭ କାର୍ଯ୍ୟଟି ବିଭିନ୍ନ ଅଭିନବ ଉପାୟରେ ଅନୁଷ୍ଠିତ ହେଉଥିବାର ଖବରମାନ ଶୁଣିବାକୁ ମିଳୁଛି। ହେଲେ ସବୁ ଖବରକୁ ନିଷ୍ପ୍ରଭ କରି ପକାଇଛି ନିକଟରେ ଶିରୋନାମା ମଣ୍ଡନ କରିଥିବା ଦୁଇଟି ରୋଚକ ଘଟଣା। ପ୍ରଥମଟି ହେଲା ଜେସିବି ଯାନରେ କନ୍ୟା ଘରକୁ ବରର ଆଗମନ ଓ ଦ୍ୱିତୀୟଟି ଚଳନ୍ତା ରେଳ ଗାଡ଼ିରେ ଦମ୍ପତିଙ୍କ ବିବାହ ଉତ୍ସବ ପାଳନ। ପ୍ରଥମ ଘଟଣାଟି ଖୋଦ ଆମ ଓଡ଼ିଶାର କପ୍ତିପଦାଠାରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ଆସାନସୋଲ-ଜଶିଡ଼ିହି ଟ୍ରେନର ଏକ ଯାତ୍ରୀପୂର୍ଣ୍ଣ ଡବା ଭିତରେ।
କପ୍ତିପଦା ଅଞ୍ଚଳର ଯୁବକ ଅଭିଜିତ ବିଶ୍ୱାଳ ପେସାରେ ସାମ୍ବାଦିକ। ସେହି ଦୃଷ୍ଟିରୁ ତାଙ୍କର ଆଖି ସବୁବେଳେ ଚାଞ୍ଚଲ୍ୟକର ଘଟଣାକୁ ଖୋଜି ବୁଲୁଥିବା ସ୍ୱାଭାବିକ। ଆଉ ଯଦି ସେମିତି କିଛି ରୋମାଞ୍ଚକର ସମ୍ବାଦ ପ୍ରସ୍ତୁତ ଅବସ୍ଥାରେ ନ ମିଳିଲା ତେବେ ତାହା ନିଜେ ସୃଷ୍ଟି କରି ପକାଇବା କ’ଣ କମ୍‌ ବୁଦ୍ଧିମାନର କାମ? ଆଗରେ ତାଙ୍କର ବାହାଘର ଏବଂ ସେହି ଉତ୍ସବକୁ ଅବିସ୍ମରଣୀୟ କରି ତୋଳିବା ତାଙ୍କର ଅଭିଳାଷ। ବାହାଘର ଗୋଟିଏ ଅନୁଷ୍ଠାନ ଭାବେ ସମାଜ ପାଇଁ ନିତ୍ୟ ନୈମିତ୍ତିକ ହୋଇପାରେ, କିନ୍ତୁ ବାହା ହେଉଥିବା ବ୍ୟକ୍ତିଟି ପାଇଁ ଏହା ଜୀବନର ଏକ ପ୍ରମୁଖ ଉତ୍ସବ। ତେଣୁ ଏହି ଉତ୍ସବଟିକୁ ନିଆରା ଭାବେ ପାଳନ କରିବା ପାଇଁ ସମସ୍ତେ ଚାହିଁଥାନ୍ତି। ବର ବେଶ ସାଜି କନ୍ୟା ଘରକୁ ଶୋଭାଯାତ୍ରାରେ ଯିବା ଓ ବିବାହ ପରେ କନ୍ୟାକୁ ଧରି ଫେରିବା ପାଇଁ ଆଗ କାଳରେ ପାଲିଙ୍କି, ଘୋଡ଼ା ଇତ୍ୟାଦିର ବ୍ୟବସ୍ଥା ହେଉଥିଲା। ଆଧୁନିକ ଯୁଗରେ ପୁଷ୍ପ ଆଚ୍ଛାଦିତ ଦାମୀ କାର ଏ ସବୁର ସ୍ଥାନ ଗ୍ରହଣ କଲେ। କିନ୍ତୁ ବର ଆସିବାର ଏହି ସବୁ ପଦ୍ଧତିରେ ନୂତନତା ଆଉ କିଛି ନାହିଁ। ପୁଣି ବର ଶୋଭାଯାତ୍ରା ସମୟରେ ନାନା ସରକାରୀ କଟକଣା ବେଳେବେଳେ ଶୋଭାଯାତ୍ରାର ଉତ୍ସାହକୁ ଫିକା ପକାଇ ଦେଉଛି।
ଏମିତି ପରିସ୍ଥିତିରେ ନିଜ ବାହାଘର ଶୋଭାଯାତ୍ରାକୁ ଅନନ୍ୟ କରିବା କଥା ଚିନ୍ତା କଲା ବେଳେ ହୁଏତ ଅଭିଜିତଙ୍କ ନଜର ପଡ଼ି ଯାଇଥିବ ରାସ୍ତାରେ ଠିଆ ହୋଇଥିବା ଜେସିବିଟି ଉପରେ। ଆଜି ରାଜ୍ୟର ପ୍ରାୟ ସବୁ ସ୍ଥାନରେ ନିର୍ମାଣ କିମ୍ବା ଭଙ୍ଗାରୁଜା କାମରେ ବ୍ୟବହାର ହେଉଥିବାରୁ ଏହି ଯାନଟି ସର୍ବଜନବିଦିତ; ହେଲେ ବାହାଘର ଶୋଭାଯାତ୍ରାରେ ଏହାର ଉପଯୋଗ ସମ୍ପୂର୍ଣ୍ଣ ନୂତନ। ପୁଣି ନିକଟରେ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶାସନରେ ଏହାର ବହୁଳ ଓ ବିବାଦସ୍ପଦ ଅଥଚ ସଫଳ ପ୍ରୟୋଗ ଯାନଟିକୁ ଚାଞ୍ଚଲ୍ୟ ସହ ଜଡ଼ିତ କରିପକାଇଛି। ନିଜ ପେସାରେ ଚାଞ୍ଚଲ୍ୟ ଖୋଜୁଥିବା ଅଭିଜିତ ସେ ଦିଗରେ ସଫଳ ହୋଇଛନ୍ତି ଜେସିବିର ସଦୁପଯୋଗ କରି। ପ୍ରକାଶିତ ସମ୍ବାଦ ଅନୁସାରେ ବାଜା ରୋଶଣି ଭିତରେ ଜେସିବିରେ ବସି ସେ ଯେତେବେଳେ କନ୍ୟା ଘର ଗାଁରେ ପହଞ୍ଚିଲେ, ତାଙ୍କ ନିଆରା ସଉକକୁ ନେଇ ସେଠାରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ହୁଏତ ଲୋକମାନଙ୍କର ଏହି ଅତିଶୟ କୌତୂହଳକୁ ଆଖିରେ ରଖି ସେ ବାହାଘର ପରେ କନ୍ୟାକୁ ଧରି ସେହି ଭାରି ଯାନଟିରେ ନିଜ ଗାଁକୁ ଫେରିଥିଲେ।
ଅଭିଜିତ ତାଙ୍କ ଆପଣେଇଥିବା ଅଭିନବ ଉପାୟଟି ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥିବା ବେଳେ ଚଳନ୍ତା ଟ୍ରେନରେ ବିବାହ କରିଥିବା ଦମ୍ପତି କିନ୍ତୁ ଚାହିଁଥିଲେ କେମିତି ଗୋପନୀୟ ଭାବରେ ଓ ନିରୋଳାରେ ତାଙ୍କର ମିଳନର ପର୍ବଟିକୁ ସଂପନ୍ନ କରି ପକାଇବେ। ଅସଲ କଥା ହେଲା ସେମାନଙ୍କ ବିବାହରେ ପରିବାରର ସମ୍ମତି ନ ଥିବାରୁ ସେମାନେ ଘରୁ ପଳେଇ ଯାଇ ରେଳଗାଡ଼ିରେ ଚଢ଼ି ଯାଇଥିଲେ। ସେମାନଙ୍କ ହାତରେ ସମୟ ଥିଲା କମ୍‌; ହୁଏତ ପରବର୍ତ୍ତୀ ଷ୍ଟେସନରେ ଗାଡ଼ି ରହିଲେ ସେମାନଙ୍କୁ ଖୋଜୁଥିବା ବାପା-ଭାଇଙ୍କ ହାବୁଡ଼ରେ ପଡ଼ି ସେମାନେ ହନ୍ତସନ୍ତ ହୋଇଥାନ୍ତେ। ସେହି ଅନିଶ୍ଚିତତାରୁ ରକ୍ଷା ପାଇବା ପାଇଁ ହାତରେ ମିଳିଥିବା ସ୍ୱଳ୍ପ ସମୟର ସଦୁପଯୋଗ କରି ସେମାନେ ପରସ୍ପରକୁ ବରଣମାଳା ପିନ୍ଧାଇ ସ୍ୱାମୀ-ସ୍ତ୍ରୀ ହେବାର ସ୍ୱୀକୃତି ଲାଭ କଲେ। ଟ୍ରେନ୍‌ ଡବାର ସହଯାତ୍ରୀମାନେ ସେମାନଙ୍କୁ ଏ ଦିଗରେ ସହଯୋଗ କଲେ ଓ ବିବାହରେ ଉଭୟ ବର ଓ କନ୍ୟା ପକ୍ଷର ଦାୟିତ୍ୱ ତୁଲାଇଲେ। ସେମାନଙ୍କ ଭିତରୁ ଅନେକେ ନବ ବିବାହିତ ଦମ୍ପତିଙ୍କୁ ଏକ ସୁଖମୟ ଦାମ୍ପତ୍ୟ ଜୀବନର ଆଶୀର୍ବାଦ ଦେବା ସହ କିଛି ଦରକାରୀ ଉପହାର ମଧ୍ୟ ପ୍ରଦାନ କରିଥିଲେ। ଦୁଇଟି ପ୍ରେମୀ ହୃଦୟର ମିଳନ ଅଜ୍ଞାତ ଓ ଅପରିଚିତ ବ୍ୟକ୍ତିମାନଙ୍କ ମନରେ ଏଭଳି ସହୃଦୟତାର ଭାବ ସୃଷ୍ଟି କରୁଥିବାର ଦୃଷ୍ଟାନ୍ତ ଅନେକ କ୍ଷେତ୍ରରେ ଦେଖାଯାଇଥାଏ।
ଦୁଇଟି ଯାକ ବିବାହ ଚମକପ୍ରଦ ଓ ଭିନ୍ନ କିସମର ହୋଇଥିବାରୁ ଅନେକ ଦିନ ପର୍ଯ୍ୟନ୍ତ ଲୋକମାନଙ୍କର କୌତୂହଳର ବିଷୟବସ୍ତୁ ହୋଇ ରହିବ, ଯଦିଓ ଇତିହାସ ଓ ପୁରାଣରେ ଏଗୁଡ଼ିକ ଅପେକ୍ଷା ଅନେକ ଗୁଣ ଅଧିକ ବିଚିତ୍ର ଓ ଉଦ୍ଭଟ ବାହାଘର ସବୁ ସଂପନ୍ନ ହେବାର ନଜିର ରହିଛି। ରୋମ ସାମ୍ରାଜ୍ୟରେ କନ୍ୟାମାନେ ବାହା ହେବାକୁ ଯିବା ବେଳେ ନାନା ପ୍ରକାର ଚେରମୂଳିପୂର୍ଣ୍ଣ ବାଲତି ମୁଣ୍ଡରେ ବୋହି ନେଉଥିଲେ। ପୁଣି ବିବାହ ଶୋଭାଯାତ୍ରାର ବୈଚିତ୍ର୍ୟ ବିଷୟରେ ଯଦି ବିଚାର କରାଯାଏ, ତେବେ ମହାପ୍ରଭୁ ଶିବଙ୍କର ବରାନୁଗମନର ଦୃଶ୍ୟ ଆଗରେ ସବୁ କିଛି ମଳିନ ପଡ଼ିଯିବ। ପୁରାଣ ଅନୁସାରେ ଶିବ ତାଙ୍କର ଜଟାଜୁଟ ପରିଶୋଭିତ, ଭସ୍ମରେ ଲେପିତ ଅର୍ଦ୍ଧନଗ୍ନ ଶରୀରରେ ସର୍ପକୁ ଆଭୂଷଣ ଭାବେ ଧାରଣ କରି ବାହା ହେବା ପାଇଁ କନ୍ୟା ଘରେ ପହଞ୍ଚିଲା ପରେ ସେଠାରେ ତୁମୁଳ ହଇଚଇ ସୃଷ୍ଟି ହୋଇଥିଲା। ଶିବଙ୍କ ବରଯାତ୍ରୀ ହୋଇ ଆସିଥିଲେ ଭୂତ, ପ୍ରେତ, ପିଶାଚ ଓ ଅଶରୀରୀମାନେ। ଏମିତି ବର ଓ ବରଯାତ୍ରୀଙ୍କୁ ଦେଖି କନ୍ୟା ପାର୍ବତୀଙ୍କ ମା’ ଚେତା ହରାଇଥିଲେ ବୋଲି ଉଲ୍ଲେଖ ରହିଛି।
ଅଦ୍ଭୁତ ମନେ ହେଉଥିବା ଏହି ବିବାହ ସମ୍ବନ୍ଧିତ ଘଟଣାଗୁଡ଼ିକ ଅର୍ଥହୀନ ନୁହେଁ- ବାହ୍ୟ ଉଦ୍ଭଟତା ଭିତରେ କିଛି ତାତ୍ପର୍ଯ୍ୟ ବି ଲୁଚି ରହିଛି ନିଶ୍ଚୟ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଜେସିବି ଯାନଟି ହୁଏତ ଅଭିଜିତଙ୍କୁ ଏକ ସଫଳ ଦାମ୍ପତ୍ୟ ଜୀବନ ଓ ସୁଖୀ ସଂସାର ‘ଗଢ଼ିବାକୁ’ ପ୍ରବର୍ତ୍ତେଇବ। ଟ୍ରେନରେ ପରସ୍ପରକୁ ବରଣମାଳା ପିନ୍ଧାଇଥିବା ଦଂପତି ଏମିତି ସମାଜର ଶୁଭକାମନା ଭିତରେ ତାଙ୍କ ଜୀବନର ଗାଡ଼ିକୁ ‘ଗତିଶୀଳ’ କରି ଚାଲିଥିବେ।
ମୋ: ୯୪୩୭୦୮୯୬୫୫