ବିକ୍ରମ ଅବ୍ଦ ବା ସମ୍ବତର ୧୯୫୬ ସାଲ୍ ଅର୍ଥାତ୍ ଆମ କାଲେଣ୍ଡର୍ରେ ୧୮୯୯-୧୯୦୦ ମସିହାକୁ ଲୋକ କହୁଥିଲେ ଛପନ ସାଲ୍। ସେ ସମୟରେ ଆଜିର ପଶ୍ଚିମ ଓଡ଼ିଶା ଓ ସୀମାନ୍ତ ଛତିଶଗଡ଼ରେ କ୍ରମାଗତ ଅନାବୃଷ୍ଟି ଯୋଗୁଁ କରାଳ ମରୁଡ଼ି ସାଙ୍ଗକୁ ହଇଜା ଓ ବସନ୍ତ ରୋଗରେ ଲକ୍ଷାଧିକ ମୃତ୍ୟୁ ବରଣ କରିଥିବାବେଳେ ଲକ୍ଷାଧିକ ସେ ଅଞ୍ଚଳ ଛାଡ଼ି ପଳାୟନ କରିଥିଲେ। ସେ ଅଞ୍ଚଳରେ ଲୋକେ ଦୁର୍ଭିକ୍ଷକୁ କାଙ୍ଗାଳି, ହଇଜାକୁ ‘ରଇ’ ଓ ବସନ୍ତକୁ ‘ମାତା’ ବୋଲି କହୁଥିଲେ।
ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଅର୍ଥାତ୍ ୧୮୬୬ ମସିହା ବେଳେ କଟକ, ପୁରୀ, ବାଲେଶ୍ବର ଜିଲ୍ଲା ସମେତ ସୀମାନ୍ତ ଗଡ଼ଜାତରେ ଚାଉଳ ଦର ଟଙ୍କାକୁ ୭ ସେର ଥିଲା। ଅଥଚ, ଛପନ ସାଲ ଦୁର୍ଭିକ୍ଷ ସମୟରେ ଚାଉଳ ଦର ହୋଇଯାଇଥିଲା ଟଙ୍କାକୁ ୬ ସେରରୁ କମ୍। ନ’ଅଙ୍କ ବେଳେ ଉପକୂଳ ଓଡ଼ିଶାରୁ ମାନ୍ଦ୍ରାଜ ବ୍ୟବସାୟୀ ଦ୍ବାରା ବିଦେଶକୁ ଚାଉଳ ରପ୍ତାନି ହୋଇଥିବା ବେଳେ ଛପନ ସାଲ ଦୁର୍ଭିକ୍ଷ ପାଇଁ ତତ୍କାଳୀନ ବର୍ମାର ରେଙ୍ଗୁନରୁ ଚାଉଳ ଆମଦାନି କରାଗଲା। ଛପନ ସାଲ୍ ଦୁର୍ଭିକ୍ଷ କବଳିତ ଅଞ୍ଚଳ ସେଇ ସମୟ ବେଳକୁ ମଧ୍ୟପ୍ରଦେଶର ଛତିଶଗଡ଼ ଅଧୀନରେ ଶାସିତ ହେଉଥିଲା। ୧୮୪୯ରୁ ମଧ୍ୟପ୍ରଦେଶ ଚିଫ୍ କମିସନର୍ ଏ ଅଞ୍ଚଳର ଶାସନ ସମ୍ଭାଳିଥିଲେ। ଏ ଅଞ୍ଚଳ ୧୮୬୦ରେ ମଧ୍ୟପ୍ରଦେଶରୁ ବାହାରି ଓଡ଼ିଶା ଡିଭିଜନ୍ ଅନ୍ତର୍ଗତ ବଙ୍ଗ ପ୍ରଦେଶରେ ମିଶିବା ପରେ ୧୮୬୨ରେ ପୁଣି ମଧ୍ୟପ୍ରଦେଶକୁ ଫେରି ଯାଇଥିଲା। ସରକାରୀ କାର୍ଯ୍ୟରେ ୧୫.୧.୧୮୯୫ରୁ ହିନ୍ଦୀ ଲାଗୁ ହୋଇଯାଇଥିଲା। ଏପରିକି ୧୮୯୭ ବେଳକୁ ବରଗଡ଼ ତହସିଲଦାର ଶେର ମହମ୍ମଦ ଖାଁ ସରକାରୀ ସ୍ତରରେ ଉର୍ଦ୍ଦୁ ମଧ୍ୟ ଲାଗୁ କରିଦେବା ସହିତ ଅନ୍ୟ ସ୍ଥାନରେ ତାକୁ ଲାଗୁ କରିବା ପାଇଁ ସମ୍ବଲପୁର ତହସିଲଦାରଙ୍କୁ ପ୍ରଭାବିତ କରିଥିଲେ। ଏହାର ବିରୋଧରେ ତଥା ଓଡ଼ିଆ ଲାଗୁ କରିବା ପାଇଁ ୧୮୯୫ ମସିହା, ଫେବ୍ରୁଆରି ୧୧ ତାରିଖଠାରୁ ଆରମ୍ଭ ହୋଇଥିଲା ଭାଷା ଆନ୍ଦୋଳନ। ତେବେ ଛପନ ସାଲ୍ ମରୁଡ଼ି ଯୋଗୁଁ ଏହି ଆନ୍ଦୋଳନ ମଧ୍ୟ ଧିମେଇ ଯାଇଥିଲା।
‘ଛପନ ସାଲ୍’ ଦୁର୍ଭିକ୍ଷକୁ ଅଙ୍ଗେ ନିଭାଇଥିବା ସେ ସମୟର ଛାତ୍ର ତଥା ପରବର୍ତ୍ତୀ ସମୟର ବିହାର-ଓଡ଼ିଶା ସରକାରର ଦକ୍ଷ ପ୍ରଶାସକ ଭାରତ ଚନ୍ଦ୍ର ନାୟକ ଲେଖିଛନ୍ତି- ‘ଚତୁର୍ଦ୍ଦିଗରେ ହା ଅନ୍ନ..ହା ଅନ୍ନର କରୁଣ ଚିତ୍କାର, ଖାଇବାକୁ ନ ପାଇ ଗଛର କଅଁଳ ପତ୍ର, ମୂଳ, ତାଙ୍କ ମଧ୍ୟରେ ଥିବା କନ୍ଦା ଖାଇ ଅଜୀର୍ଣ୍ଣରୁ ମୃତ୍ୟୁ, ଗାଈଗୋରୁ, ବାସନ ବର୍ତ୍ତନ ଲୋକେ ବିକି ଦେଉଥିଲେ, ଅନ୍ନକଷ୍ଟ ନ ଯିବାରୁ ଲୋକେ ପଳାୟନ କରୁଥିଲେ, ରାତିରେ ବହୁ ସଂଖ୍ୟକ କୁକୁରର କରୁଣ ଶବ୍ଦ, ଗୋରୁମାନଙ୍କ ଅସ୍ବାଭାବିକ ହମ୍ବା ରାବ, ଆକାଶରେ କୁଆ, ଚିଲ, ରାବଣାର ଉଠିବା ଦୃଶ୍ୟ, ଘରଗୁଡ଼ିକରେ ମା’ଝିଅଙ୍କ କରୁଣ ବିଳାପ, ତା’ ମଧ୍ୟରେ ପୁଣି ପଡ଼ୋଶୀ ଛତିଶଗଡ଼ର ହଜାର ହଜାର ଶରଣାର୍ଥୀଙ୍କ ସବୁ ଦ୍ବାରରେ ଚିତ୍କାର- ମୁଠାଏ ମିଲୁ। ସବୁଆଡ଼େ ଚୋରି, ଡକାୟିତ, ରାହାଜାନୀ, ଦୁଷ୍ଟ ପ୍ରକୃତିର ଲୋକେ ଗାଈବଳଦ, ଛେଳିମେଣ୍ଢା ଲୁଟି ମାରି ଖାଇ ଦେଉଥିଲେ, ଭିକ୍ଷାର ଅଭାବ ଥିଲା।’
ନିଜର ଅଙ୍ଗେନିଭା କଥା ସେ ପୁଣି ଲେଖିଛନ୍ତି- ‘ଗ୍ରୀଷ୍ମ ଅବକାଶ ପରେ ମୁଁ ଆମ ଗ୍ରାମ ଆଗଲପୁରର ଜଣେ ଛାତ୍ରଙ୍କ ସହ ବଲାଙ୍ଗୀର ଅଭିମୁଖେ ଯାତ୍ରା କଲି। ଯିବା ବାଟରେ ଭରସୂଜାର ୨ ଜଣ ମିଶିଲେ, ପରେ ଲୋଇସିଂହାର ସହପାଠୀଙ୍କ ସାହାଯ୍ୟରେ ଏକ ସ୍କୁଲ କୋଠରିରେ ରୋଷେଇ କରି ସାରି ଜଳାଶୟକୁ ଗାଧୋଇବାକୁ ଗଲୁ ଓ ଫେରି ଦେଖିଲୁ ଯେ, ରୋଷେଇ ସ୍ଥାନରେ ଦଶ ବାର ଜଣ ବାଳକ ଓ ବାଳିକା ହାଣ୍ଡିରୁ ଖାଉଛନ୍ତି। ଆମ୍ଭମାନଙ୍କୁ ଦେଖି ପଳାଇବାକୁ ଲାଗିଲେ। ଆମ୍ଭମାନଙ୍କ ମଧ୍ୟରୁ କେହି ଗୋଡ଼ାଇବାକୁ ଲାଗିଲେ। ଅଳ୍ପ ଦୂର ପରେ ଚାରି ପାଞ୍ଚ ଜଣ ତଳେ ପଡ଼ିଗଲେ, ଯାଇ ଦେଖିଲୁ ଯେ- ସେମାନଙ୍କ ଜୀବନ ଚାଲିଯାଇଛି, କେତେ ଦିନ ଅନ୍ନ ଛାଡ଼ି ପେଟ ଶୂନ୍ୟ ହୋଇଯାଇଥିଲା, ଅନ୍ନ ଚାପ ସମ୍ଭାଳି ପାରିଲେ ନାହିଁ। ବଲାଙ୍ଗୀର ଯାଇ ଦେଖିଲୁ ଯେ- ସ୍କୁଲ ନିକଟସ୍ଥ ବୃହତ୍ ‘କରଙ୍ଗା କଟା’ ଜଳ ଶୁଷ୍କ ହୋଇଯାଇଛି ଓ ତା’ର ହିଡ଼ ଉପରେ ସ୍ଥାନେ ସ୍ଥାନେ ଶବ ପଡ଼ିରହିଛି।’
ପଣ୍ଡିତ ନୀଳକଣ୍ଠ ଦାସ ସମ୍ବଲପୁରର ମହାମାରୀ ହଇଜା ଉପରେ ଲେଖିଛନ୍ତି- ‘କାହାକୁ ହଇଜା ହେଲେ ଲୋକେ ସେ ଘର ଆଖପାଖ ଛାଡ଼ି ପଳାନ୍ତି, ବେଳେବେଳେ ଗୋରୁ ବେକରେ ଦଉଡ଼ି ବାନ୍ଧି ସେଥିରେ ହଇଜା ମଳୁକୁ ବାନ୍ଧି ଛାଡ଼ି ଦିଅନ୍ତି, ସେ ମଳୁ ଘୋଷାରି ଘୋଷାରି ହୋଇ ବାଟରେ ମରି ଗଁା ବାହାରକୁ ଚାଲିଯାଏ, ହଇଜା ରୋଗୀକୁ କେହି ପାଣି ମୁନ୍ଦିଏ ହେଲେ ଦେବାକୁ ନଥାଏ।’
ଶ୍ରଦ୍ଧାକର ସୂପକାର ପୂର୍ବ କାଳର ସମ୍ବଲପୁରରେ ହଇଜା ବାବଦରେ ଲେଖିଛନ୍ତି- ‘ଗଁାରେ କଲେରା ଆରମ୍ଭ ହୋଇଗଲେ ଗଁା ସାରା ଲୋକେ ଘରଦ୍ବାର ଛାଡ଼ି ପଳାଉଥିଲେ, ଏହା ଠାକୁରାଣୀଙ୍କ ପ୍ରକୋପ ବୋଲି ସାଧାରଣଙ୍କ ବିଶ୍ବାସ ଥିଲା। X X ସେ ଯୁଗରେ କଲେରାର ଅନ୍ୟ ନାମ ଥିଲା ‘ଚଳ୍ରେ’ ଅର୍ଥାତ୍ ଯାହାକୁ ଏ ରୋଗ ହେଲା ବା କେଉଁ ଗଁାକୁ ପ୍ରବେଶ କଲା, ତାକୁ ବା ସେ ଗଁାର ଲୋକଙ୍କୁ ଯମପୁରୀରୁ ଡାକରା ଆସିଗଲା। କଲେରା ଆରମ୍ଭ ହେଲେ ଲୋକେ ଅସହାୟ ଭାବରେ ମରୁଥିଲେ, କୁକୁର, ବିଲୁଆ ଓ ଶାଗୁଣାମାନେ ଶବ ଓ ମୁମୂର୍ଷୁମାନଙ୍କୁ ଟାଣି ନେଉଥିଲେ।’’
ଦୁର୍ଭିକ୍ଷ ସହ କଲେରା ଓ ବସନ୍ତର ପ୍ରକୋପ ଛପନ ସାଲ୍ରେ ଏପରି ଥିଲା ଯେ ସମ୍ବଲପୁର ଓ ପାଖ ଗଡ଼ଜାତ ଓ ଜମିଦାରୀରେ ଜନ୍ମ ସଂଖ୍ୟା ପ୍ରତି ହଜାରରେ ୪୪ ଥିବା ବେଳେ ମୃତ୍ୟୁ ହାର ଥିଲା ୧୧୫ ଜଣ। ନ’ଅଙ୍କ ସମୟରେ ଉପକୂଳ ଓଡ଼ିଶାରେ ଚାଉଳ ଦର ଟଙ୍କାରେ ୭ ସେର ଥିବା ବେଳେ ସମ୍ବଲପୁରରେ ଦର ଥିଲା ୧୬ରୁ ୧୭ ସେର। ୧୮୯୯ ସେପ୍ଟେମ୍ବରରେ ଛପନ୍ ସାଲ ଦୁର୍ଭିକ୍ଷର ସୂତ୍ରପାତ ହୋଇ ଜୁନ୍ ୩ରୁ ଅଗଷ୍ଟ ୧୯ ମଧ୍ୟରେ ସମ୍ବଲପୁରରେ ୩୧ ଇଞ୍ଚ ଓ ବରଗଡ଼ରେ ୩୧ ଇଞ୍ଚ ବର୍ଷିଲା ପରେ ସେପ୍ଟେମ୍ବରରେ କେବଳ ଦେଢ଼ ଇଞ୍ଚ ଓ ବରଗଡ଼ରେ ୨ ଇଞ୍ଚ ବର୍ଷିଲା। ୧୯୦୦ ବେଳକୁ ଅନାବୃଷ୍ଟି ଉତ୍କଟ ହେଲା। ସରକାର ଓ ବଦାନ୍ୟ ବ୍ୟକ୍ତି ଅନ୍ନଛତ୍ର ଖୋଲି ୩ ଲକ୍ଷ ୮୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦେଇଥିଲେ। ୧୮୯୯ ଅକ୍ଟୋବରରୁ ୧୯୦୦ ସେପ୍ଟେମ୍ବର ମଧ୍ୟରେ କଲେରାରେ ୧୦,୮୦୦, ସଂକ୍ରମଣ ଜ୍ବରରେ ପ୍ରାୟ ୨୦ ହଜାର ଓ ବସନ୍ତ ରୋଗରେ ୧,୪୦୦ ଓ ବାକି କେଇ ହଜାର ମରିଥିଲେ ଅନାହାରରେ।
ପାଟଣା ରାଜ୍ୟ (ବଲାଙ୍ଗୀର)ରେ ୧୮୯୯ରେ ୪୫ ଇଞ୍ଚ ବର୍ଷା ହୋଇ ଅଗଷ୍ଟରେ ଚାଉଳ ଟଙ୍କାକୁ ୨୪ ସେର ଓ ପରେ ୨୦ ସେର ଓ ୧୯୦୦ ଜୁଲାଇରେ ୫ ସେର ହୋଇଗଲା। ଅନାହାର ଓ ଅନ୍ୟ ରୋଗରେ ୧୮୯୯ରେ ୮,୦୨୨ ଓ ୧୯୦୦ରେ ୪୨,୧୫୪ଟି ମୃତ୍ୟୁ ହୋଇଥିଲା। ସୋନପୁର ରାଜ୍ୟରେ ୧୮୯୯ରେ ୩୬ ଇଞ୍ଚ ବର୍ଷା ହେଲା, ଚାଉଳ ଦର ଟଙ୍କାକୁ ୨୦ ସେର ଥିଲା। ୧୯୦୦ରେ ତାହା ଟଙ୍କାକୁ ୮ ସେର ହୋଇଗଲା। ଅନାହାର ଓ ଅନ୍ୟ ରୋଗରେ ଶତକଡ଼ା ୧୩ ଭାଗ ଜନସଂଖ୍ୟା କମି ଯାଇଥିଲା। କଳାହାଣ୍ଡିରେ ସ୍ଥିତି ଅତି ଭୟଙ୍କର ଥିଲା। ଦୁର୍ଭିକ୍ଷ ସମୟରେ ରାଜ୍ୟ ବ୍ରିଟିସ ପରିଚାଳନା (କୋର୍ଟ ଅଫ୍ ୱାର୍ଡସ୍)ରେ ଥିଲା। ହଜାର ହଜାର ଲୋକ ଅନାହାର ଓ ରୋଗରେ ମରିଥିଲେ। ସରକାରଙ୍କ ୮ ଲକ୍ଷ ୫୦ ହଜାର ଟଙ୍କା ଆଦାୟ ବନ୍ଦ ହୋଇଗଲା। ଖ୍ରୀଷ୍ଟିଆନ୍ ମିସନ୍ ରାଜ୍ୟକୁ ପଶି ଖାଦ୍ୟ ବଣ୍ଟନ କରିଥିଲେ। ଗାଙ୍ଗପୁର (ସୁନ୍ଦରଗଡ଼)ରେ ମଧ୍ୟ ଦୁର୍ଭିକ୍ଷ ଭୟଙ୍କର ଥିଲା; ମରୁଡ଼ି ମୁକାବିଲା ପାଇଁ ସରକାର ବାବୁ ସୁରେନ୍ଦ୍ରନାଥ ମଜୁମଦାରଙ୍କୁ ଦେୱାନ୍ ଭାବେ ପଠାଇଥିଲେ। ସେଠାରେ ମଧ୍ୟ ବହୁ ହଜାର ଲୋକ ମରିଥିଲେ। ଖ୍ରୀଷ୍ଟିଆନ୍ ମିସନ୍ ବହୁ ସ୍ଥାନରେ ରିଲିଫ୍ ଖାଦ୍ୟ ବଣ୍ଟନ କରିଥିଲେ। ପ୍ରକୃତ ତଥ୍ୟ ମିଳି ନ ଥିଲେ ମଧ୍ୟ ବାମଣ୍ଡା ରାଜ୍ୟର କୁଚିଣ୍ଡା ଅଞ୍ଚଳ, ବଉଦ, ଆଠମଲ୍ଲିକ, ରେଢ଼ାଖୋଲ ଓ ବଣେଇ ରାଜ୍ୟରେ ଭୋକ ଉପାସରେ ହଜାର ହଜାର ମରିଥିଲେ। ବାମଣ୍ଡା ରାଜା ଖାଦ୍ୟ ବଦଳରେ ବାମରା (ଗୋବିନ୍ଦପୁର) ରେଳ ଷ୍ଟେସନ ଠାରୁ କୁଚିଣ୍ଡା ଦେଇ ବାରକୋଟକୁ ୭୮ ମାଇଲ ରାସ୍ତା ନିର୍ମାଣ କରାଇଥିଲେ।
ସେ ବର୍ଷ ନୂଅଁାଖାଇ ବନ୍ଦ ହୋଇଯାଇଥିଲା। ୧୮୯୦ ଝାରସୁଗୁଡ଼ା ଦେଇ ବେଙ୍ଗଲ-ନାଗପୁର ରେଳ ଚାଲିଲା ଓ ୧୮୯୪ରେ ସମ୍ବଲପୁରକୁ ରେଳ ଗଡ଼ିଲା। ଦୁର୍ଭିକ୍ଷର ମୁକାବିଲା ପାଇଁ େରଙ୍ଗୁନରୁ ଚାଉଳ ଆମଦାନି କରାଗଲା। ମାତ୍ର ଅନ୍ୟ ପ୍ରଭାବିତ ଅଞ୍ଚଳକୁ ପହଞ୍ଚାଇବା ବେଳକୁ ଚୋରଙ୍କ ଉପଦ୍ରବରୁ ତାହା ଅଧା ହୋଇଯାଉଥିଲା।
ଏହି ଛପନ ସାଲ୍ର କାଙ୍ଗାଳି ପରବର୍ତ୍ତୀ ସମୟରେ ଏକ ପ୍ରବାଦରେ ପରିଣତ ହୋଇଥିଲା। ଅନାହାର ଓ ରୋଗ ଦ୍ବାରା େଯଉଁ ମଡ଼କର ଦୃଶ୍ୟ ଦେଖା ଦେଇଥିଲା, ତାହା ବିରଳ ଶ୍ରେଣୀୟ!
ମୋ: ୯୪୩୮୨୧୪୮୭୮
ନ’ଅଙ୍କ ଭଳି ଭୟାବହ ଛପନ ସାଲ ମଡ଼କ
ବିକ୍ରମ ଅବ୍ଦ ବା ସମ୍ବତର ୧୯୫୬ ସାଲ୍ ଅର୍ଥାତ୍ ଆମ କାଲେଣ୍ଡର୍ରେ ୧୮୯୯-୧୯୦୦ ମସିହାକୁ ଲୋକ କହୁଥିଲେ ଛପନ ସାଲ୍। ସେ ସମୟରେ ଆଜିର ପଶ୍ଚିମ ଓଡ଼ିଶା ଓ ସୀମାନ୍ତ ଛତିଶଗଡ଼ରେ କ୍ରମାଗତ ଅନାବୃଷ୍ଟି ଯୋଗୁଁ କରାଳ ମରୁଡ଼ି ସାଙ୍ଗକୁ....