କୋଭିଡ୍-୧୯ ସାଧାରଣ ଲୋକଂକ ମନରେ ଦି ପ୍ରକାରର ଭାବନା ଜନ୍ମାଇଛି- ଭୟ ଓ ବେଫିକରିପଣିଆ। ଭୟର କାରଣ ସରଳ- ଏ ରୋଗର ବିଷାଣୁର (ଭ‌ାଇରସ୍) ସଂକ୍ରମଣ ସହଜ। ଯେମିତି ସର୍ଦ୍ଦି ଜଣକୁ ହେଲେ ସଂପର୍କରେ ଆସୁଥିବା ଅନ୍ୟକୁ ଲାଗିଯିବା ସହଜ, ସେମିତି। କୋଭିଡ୍‌-୧୯ ଦ୍ବ‌ାରା ସଂକ୍ରମିତ ବ୍ୟକ୍ତି ଛିଂକିଲେ, କାଶିଲେ, ଏପରିକି ହାଇ ମାରିଲେ ବା କଥା କହିଲେ ତ‌ାଙ୍କ ତୁଂଡରୁ ବାହାରିପଡୁଥିବା ତରଳ ବିଂଦୁ ପ୍ରାୟ ଛଅ ଫୁଟ୍ ପର୍ଯ୍ୟଂତ ଦୂରରେ ଯାଇ ପଡ଼ିପାରେ। ତେଣୁ ପାଖରେ ଥିବା ବ୍ୟକ୍ତିଂକୁ ତାହା ଲାଗି ତାଂକ ନାକ, ଆଖି ବା ତୁଂଡ ବାଟେ ସେ ରୋଗର ବିଷାଣୁ ସେ ବ୍ୟକ୍ତି ଦେହରେ ପ୍ରବେଶ କରିବାର ସଂଭାବନା। ହେଲେ ଏହାର ପରିଣାମ ସର୍ଦ୍ଦି ଠାରୁ ବେଶି କଠିଣ ହୋଇପାରେ। ଏ ରୋଗ ମଣିଷର ଫୁସଫୁସ୍‌ରେ ପଶି କଠିଣ ପରିସ୍ଥିତି ସୃଷ୍ଟି କରିବାର ବିପଦ ପ୍ରାୟ ପ୍ରତି ପାଂଚଭାଗରୁ ଭାଗେ ଆକ୍ରାଂତ ବ୍ୟକ୍ତିଂକ ବାବଦରେ ସଂଭବ। ଏ ରୋଗ ପାଇଁ ଏବେ ବି କୌଣସି ଖାସ୍ ଔଷଧ ବାହାରିନାହିଁ। ଡାକ୍ତରଖାନାରେ ଯାଇ ତାହାର ଆନୁଷଂଗିକ ଚିକିତ୍ସା ହିଁ ଏକମାତ୍ର ଉପାୟ। ସେଠାରେ ଅମ୍ଳଜାନଠାରୁ ଆରଂଭ କରି ବିଭିନ୍ନ ଆନୁଷଂଗିକ ଚିକିତ୍ସା କରାଯାଏ। ଯେଉଁମାନେ ଡାୟବେଟିସ୍, ହୃଦ୍‌ରୋଗ ଭଳି ରୋଗଗ୍ରସ୍ତ, ସେମାନଂକ ପାଇଁ ଏ ରୋଗ ଅଧିକ ବିପଜ୍ଜନକ। ତଥାପି ବେଳରେ ଡାକ୍ତରଖାନାରେ ପହଂଚିଲେ ଅଧିକାଂଶ ଭଲ ହୋଇ ବାହାରି ପଡ଼ିବାର ଅନୁଭବ। ମୃତ୍ୟୁ ହାର ତିନି ଶତାଂଶରୁ କମ୍, ଯଦି ଡାକ୍ତରଖାନାର ସୁବିଧା ସହଜରେ ଉପଲବ୍‌ଧ ଥିବ। ଡର ମାଡ଼ିବାର କାରଣ ହେଲା ଯେ ଏ ରୋଗ ଏତେ ସହଜରେ ଲାଗୁଥିବା ଯୋଗୁଁ ହଠାତ୍ ଏତେ ବିରାଟ ସଂଖ୍ୟାରେ ଡାକ୍ତରଖାନାରେ ଏ ରୋଗୀ ହଠାତ୍ ଆସି ପହଂଚିଲେ ତାଂକ ପାଇଁ ଖଟ-ଚିକିତ୍ସାର ବ୍ୟବସ୍ଥା ହେବା ସହଜ ସଂଭବ ହୁଏନାହିଁ। ଆଇ.ସି.ୟୁ ତ ଦୂରର କଥା, ସାଧା ଖଟ, ପରିଷ୍କାର ପାଇଖାନା, ଯୋଗ୍ୟ ଉପଚାରିକା ଇତ୍ୟାଦିଂକ ଅଭାବ ଲୋକଂକୁ ଡାକ୍ତରଖାନା ଯିବାରୁ ଡରରେ ଦୂରରେ ରଖେ। ତେଣୁ, ରୋଗର ଲକ୍ଷଣ ଦିଶିଲେ ବି ପଡ଼ିଶାଂକଠାରୁ ଲୁଚେଇବା ଓ ଦୁର୍ଭାଗ୍ୟକୁ ଅବସ୍ଥା ସଂଗିନ ହେଲେ ଶେଷରେ ବାର ଡାକ୍ତରଖାନା ବୁଲି କୋଉଠି ଜାଗା ମିଳୁଚି କି ବୋଲି ଖୋଜି ବସିବା ସାର ହୁଏ। ଏହା ଏବେ ପୃଥିବୀର ସବୁ ଦେଶର କଥା।

Advertisment

ୟାକୁ ଉପାୟ କଅଣ? ଯେଉଁ ସଂଖ୍ୟାରେ ନୂଆ ରୋଗୀ ପ୍ରତିଦିନ ବାହାରୁଚଂତି, ତହିଁକୁ ଡାକ୍ତରଖାନା, ଡାକ୍ତର, ପରିଚାରିକା, ଇତ୍ୟାଦିଂକ ବ୍ୟବସ୍ଥା ହଠାତ୍ କରିବା ଅସଂଭବ। (ଏବେ ଅନ୍ୟ ସବୁ ପ୍ରକାରର ରୋଗୀଂକ ଚିକିତ୍ସା ପାଇଁ ସରକାରୀ ତଥା ଘରୋଇ ଡାକ୍ତରଖାନାର ବ୍ୟବସ୍ଥା କମାଇ, ଅଧିକାଂଶ ସୁବିଧାକୁ ଏ ନୂଆ ରୋଗୀଂକ ପାଇଁ ରଖାଯାଉଚି। ତଥାପି ନିଅଂଟ। ତେଣେ ଅନ୍ୟ ରୋଗୀଂକ ଚିକିତ୍ସାର ଅଭାବ ଓ ତାହାର ଭୟାନକ ପରିଣାମ! ତେଣୁ ସାର୍ବଜନିକ ସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତାବ ମୁଁ ଆଗରୁ ଏକ ଲେଖାରେ ଲେଖିଥିଲି)। ବର୍ତ୍ତମାନର ପରିସ୍ଥିତିରେ ଏକ ମାତ୍ର ଉପାୟ ହେଉଚି, ଏ ରୋଗର ପ୍ରସାରର ଗତିକୁ କମ୍ କରାଇପାରିଲେ ଉପଲବ୍‌ଧ ଡାକ୍ତରଖାନାର ବ୍ୟବସ୍ଥା ଭିତରେ ଚିକିତ୍ସା ଚଳାଇ ପାରିବା। ଏ ଗତିକୁ କମାଯାଇପାରିବ କିପରି?
ଗତି କମାଇବାର ଏକମାତ୍ର ଉପାୟ ହେଲା ଆକ୍ରାଂତ ବ୍ୟକ୍ତିଂକ ଦ୍ୱାରା ଅନ୍ୟମାନେ ଯେପରି ଆକ୍ରାଂତ ନ ହୁଅଂତି ତାହାର ବ୍ୟବସ୍ଥା କରିବା। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ମୁହଁ-ନାକ ଉପରେ ମାସ୍କ୍‌ (ତୁଂଡି) ଲଗାଇବା ଅତ୍ୟାବଶ୍ୟକ। ଯାହାଠାରେ ଏ ରୋଗ ଅଛି, ସେ ମାସ୍କ୍‌ ଲଗାଇଲେ ତା’ ଦେହର ବିଷାଣୁ ଅନ୍ୟମାନଂକୁ ଲାଗିବନାହିଁ। ଯିଏ ଆକ୍ରାଂତ ନୁହଁତି ସେ ମାସ୍କ୍‌ ଲଗାଇଲେ ତାଙ୍କ ଦେହରେ ବିଷାଣୁ ସହଜରେ ପଶିପାରିବନାହିଁ।

ମାତ୍ର, ଏଠାରେ ବେଫିକରିପଣ, ବାହାପିଆମି ବାଟ ଉଗାଳେ। ମତେ ସେ ରୋଗ ହୋଇନି, ମୁଁ କିଆଁ ମାସ୍କ୍‌ ପିଂଧିବି? - ଏପରି କହିଲାବାଲାଂକ ଅଭାବ ନାହିଁ। ବାବୁ, ତମେ ନପିଂଧିବ ବୋଇଲେ ତମକୁ ରୋଗ ଲାଗିବାର ବହୁତ ସଂଭାବନା। ନିଜକୁ ବଂଚାଇବାଲାଗି ମାସ୍କ୍‌ ପିଂଧ। ମାତ୍ର, ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା- ଗତ କେତେ ମାସର ଅନୁଭବରୁ ଏହା ସ୍ପଷ୍ଟ ଯେ ଯେତେ ଲୋକ ଏ ରୋଗରେ ଆକ୍ରାଂତ ହୁଅଂତି ତାଂକ ଭିତରୁ ଚାରି ପଂଚମାଂଶ ଲୋକଂକଠାରେ ଏ ରୋଗର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ସମାଜରେ ଆକ୍ରାଂତ ପ୍ରତି ପାଂଚ ଜଣ ବ୍ୟକ୍ତିଂକ ଭିତରୁ ଚାରି ଜଣ ବିଚାରଂତି ସେମାନେ ଆକ୍ରାଂତ ନୁହଁତି। ମାତ୍ର ତାହା ଭୁଲ। ତାଂକଠାରେ ଲକ୍ଷଣ ଦିଶୁନଥିଲେ ବି ସେମାନେ ଏ ରୋଗ ସେତିକି ସହଜରେ ପ୍ରସରାଇ ପାରିବେ। କିଏ ଆକ୍ରାଂତ ହୋଇସାରିଛି ତାହା ପରୀକ୍ଷା ନକରାଇଲେ ଜାଣିବାର ଉପାୟ ନାହିଁ। ତେଣୁ ସମସ୍ତେ ମାସ୍କ୍‌ ପିଂଧିବା ଆବଶ୍ୟକ। ବାହାଦୁରୀର ଏଠାରେ ସ୍ଥାନ ନାହିଁ । କୌଣସି ଅଂଚଳର ଅଧିକାଂଶ ଲୋକ ଆକ୍ରାଂତ ହୋଇଗଲେ, ରୋଗ ପସରିବାର ଗତି ଆପେ ଆପେ କମିଯିବ। ମାତ୍ର, ବଡ଼ ବଡ଼ ସହରର ଯେଉଁ ଅଂଚଳରେ ଏ ରୋଗୀ ପ୍ରଚଂଡ ସଂଖ୍ୟାରେ ଡାକ୍ତରଖାନାକୁ ଆସିଚଂତି, ସେଠାରେ ଅନୁସଂଧାନରୁ ଦିଶିଚି- ଶତକଡ଼ା ପଚାଶ-ଷାଠିଏ ଲୋକ ଆକ୍ରାଂତ ହୋଇଚଂତି। ତେଣୁ ରୋଗ ଜୋରରେ ପସରିବା ପାଇଁ ଏବେବି ଜାଗା ଅଛି। ଅନ୍ୟ ସ୍ଥାନରେ ପସରିବା ପାଇଁ ଯଥେଷ୍ଟ ଲୋକ ଅଛଂତି।

ରୋଗ ଆମ ଦେଶରେ ଆରଂଭ ହେବାର ପ୍ରାୟ ନଅ ମାସ ହେଲ‌‌ା। ତେଣୁ, ଆସଂତା ବର୍ଷ ଶେଷ ପର୍ଯ୍ୟଂତ ଏହାର ପ୍ରକୋପ ବିଭିନ୍ନ ଜାଗାରେ ଲାଗି ରହିବାର ସଂଭାବନା। ଏ ରୋଗକୁ ଭଲ କରିବା ପାଇଁ ଔଷଧ କେବେ ବାହାରିବ ଜଣାନାହିଁ। ତେଣୁ ସମସ୍ତେ ଏ ରୋଗ ବିରୋଧୀ ଟିକାର ବାଟଚାହିଁ ବସିଛଂତିି। ଦୁନିଆର ଶହେ ଉପରେ ଗବେଷକ ଟିକା ତିଆରି କରିବାରେ ବ୍ୟସ୍ତ। ତହିଁ ଭିତରୁ ତିନି-ଚାରିଟି ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ବ୍ୟବହାର ପାଇଁ ବଜାରକୁ ଆସିଯିବାର ସଂଭାବନା। ମାତ୍ର ଫାଇଜର୍ କଂପାନିର ଟିକା ଭଳି ଟିକା ଆମ ଭଳି ଦେଶଂକୁ ମିଳିବା ମହା କଠିଣ, କାରଣ କେବଳ ଦାମ୍ ନୁହେଁ- ତା’ତ ଅଧିକାଂଶ ଭାରତୀୟଂକ କ୍ଷମତାର ବାହାରେ; ସେ ଟିକାକୁ ସାଇତି ରଖିବା ପାଇଁ ଯେଉଁ- ୫୦ ଡିଗ୍ରି ସେଲ୍‌ସିୟସ୍ ତାପମାନର ଶୀତଳ ଭଂଡାର ଲୋଡ଼ା ତାହା କେବଳ ଆମ ଦେଶର ତିନି-ଚାରିଟା ବଡ଼ ସହରର ବିଶିଷ୍ଟ ବୈଜ୍ଞାନିକ ଅନୁଷ୍ଠାନରେ ଉପଲବ୍‌ଧ। ଆଉ ଶସ୍ତା ଓ ସୁବିଧାଜନକ ଟିକା ମିଳିବାକୁ ବାଟ ଚାହିଁବାକୁ ପଡ଼ିବ। ୨୦୨୧ ମସିହା ଶେଷ ବେଳକୁ ଅଧିକାଂଶ ଟିକା ବଜାରକୁ ଆସିବାର ସଂଭାବନା। ତେଣୁ ଦାମ୍ କମିଯିବ ନିଶ୍ଚୟ। ମାତ୍ର, ଲୋକଂକୁ ଟିକା ଦେବା ପାଇଁ ଯାହା ସବୁ ଲୋଡ଼ା ତାହାର ବ୍ୟବସ୍ଥା କରିବା ବହୁ ସମୟସାପେକ୍ଷ। ଟିକା ଇଂଜେକସନ୍ ବାଟେ ଦେବାକୁ ହେଲେ ସେଥିପାଇଁ ସିରିଂଜ୍, ଛୁଂଚି ଓ ନିର୍ଜଂତୁକ ତୁଳାର ବ୍ୟବସ୍ଥା ଲୋଡ଼ା। ଭାରତର ୧୩୦ କୋଟି ଲୋକ। କେତେକଂକୁ କେତେ ଶୀଘ୍ର ଦିଆଯାଇପାରିବ ସେଥିପାଇଁ କେତେ ଟିକା ଓ ଏ ସବୁ ଆନୁଷଂଗିକ ବସ୍ତୁ ଓ ଦେବା ବାଲାଏ ଦରକାର; ଏ କଥା ବିଚାରକୁ ଆଣିଲେ କେତେ କାଳ ଲାଗିବ ଅନୁମାନ କରଂତୁ। ଟିକା ବାସ୍ତବିକ ରୋଗ ପ୍ରତିରୋଧକ ହେବ କି ନାହିଁ ଜାଣିବା ପାଇଁ ଗବେଷକଂକୁ ବିଭିନ୍ନ ବାଟେ ଯିବାକୁ ପଡ଼େ। ତାହାର ଶେଷ ପରୀକ୍ଷା ବାଟ ହେଲା- ଯେଉଁ ଅଂଚଳରେ ରୋଗ ବ୍ୟାପିଚି ସେ ଅଂଚଳ ମାନଂକରୁ ତିରିଶ-ଚାଳିଶ ହଜାର ସ୍ୱେଚ୍ଛାସେବୀଂକୁ ଯୋଗାଡ଼ କରିବାକୁ ହେବ। (ଜେନ୍ନରଂକୁ ବସଂତ ଟିକା ପାଇଁ ଏପରି ସ୍ୱେଚ୍ଛାସେବକ ମିଳିବା ସହଜ ନଥିଲା। ସେ ତାଂକ ବାଳୁତ ପୁଅ ଦେହରେ ଏ ଗୋବୀଜ ଟିକା ଦେଇ ତାହା କାମ କରୁଚି କି ନାହିଁ ପରୀକ୍ଷା କରାଇଲେ!) ଏ ତିରିଶ-ଚାଳିଶ ହଜାରଂକ ଭିତରୁ ଅଧଂକୁ ସେ ଟିକା ଦିଆଯିବ ଓ ବାକି ଅଧଂକୁ ଏକ ନିରପେକ୍ଷ ପଦାର୍ଥ ଟିକା ଭାବରେ ଦିଆଯିବ। କାହାକୁ କଅଣ ଦିଆଗଲା ତାହା କେବଳ ଦେଲାବାଲା ଜାଣିବେ। ଟିକା ଦେବାର ମାସକ ପରେ ଏମାନଂକ ଭିତରୁ କେତେ ଏ ରୋଗରେ ଆକ୍ରାଂତ ହେଲେ, ତାହା ସେମାନଂକୁ ଦେଖି ପରୀକ୍ଷା କରି ଦେଖାଯିବ। ଧର ଏ ଟିକା ଦିଆଯାଇନଥିବା ବାଲାଂକ ଭିତରୁ ହଜାରେ ଜଣ ରୋଗରେ ଆକ୍ରାଂତ ହେଲେ ଓ ଟିକା ଦିଆଯାଇଥିବା ବାଲାଂକ ଭିତରୁ ମାତ୍ର ନବେ ଜଣ ଆକ୍ରାନ୍ତ ହେଲେ, ତେବେ ଟିକା ନେବା ଫଳରେ ନବେ ଶତାଂଶଂକୁ ରୋଗ ଲାଗିଲା ନାହିଁ ବୋଲି କୁହାଯିବ। ଏବେ କୌଣସି ଟିକା ୯୦ ଶତାଂଶ, ୯୫ ଶତାଂଶ କାମ କରିବ ବୋଲି ବାହାରୁଥିବା ଖବରର ଅର୍ଥ ଏଇଆ।

ଏ ଟିକା କେତେ କାଳ ପର୍ଯ୍ୟଂତ ରୋଗ ପ୍ରତିବଂଧକ ହେବ? ବର୍ତ୍ତମାନ ତାହା କହି ହେବନାହିଁ। ବସଂତ ବିରୋଧୀ ଗୋବୀଜ ଟିକା ସାରା ଜୀବନ ପାଇଁ ପ୍ରତିବଂଧାତ୍ମକ। ମାତ୍ର ଆମେ ନେଉଥିବା ଇନ୍‌ଫ୍ଲୁଏଂଜା ଟିକା କେବଳ ବର୍ଷକ ପାଇଁ: ପ୍ରତିବର୍ଷ ନୂଆ କରି ଏ ଟିକା ନେବାକୁ ପଡ଼େ। ବାସ୍ତବିକ ପ୍ରତିବର୍ଷ ନୂଆ କରି ଇନ୍‌ଫ୍ଲୁଏଂଜା ଟିକା ତିଆରି କରାଯାଏ, କାରଣ ତାହାର ବିଷାଣୁରେ ବାରଂବାର ବଦଳ ହେଉଚି। ଏବର ଏ ରୋଗପାଇଁ ପ୍ରସ୍ତୁତ ଟିକା କେତେ କାଳପାଇଁ ପ୍ରତିବଂଧକ ହେବ ତାହା ଜାଣିବା ପାଇଁ ବାଟ ଚାହିଁବାକୁ ପଡ଼ିବ। ଏହା ଅନୁସଂଧାନ ସାପେକ୍ଷ। ବାସ୍ତବିକ ଯାହାକୁ କୋଭିଡ-୧୯ ହୋଇଯାଇଚି, ତାଂକୁ ପୁଣି ହେବ କି ନାଇଁ, ହେଲେ କେତେ ବ୍ୟବଧାନରେ, ଏ ସବୁ ଜାଣିବା ମଧ୍ୟ ସମୟସାପେକ୍ଷ। ଏ ସବୁର ଅର୍ଥ, ଆମେ ଆସନ୍ତା ବର୍ଷ ପାଇଁ ମାସ୍କ୍‌ ପିଂଧି ସାବଧାନରେ ଚଳିବା ବିଧେୟ। ଏହା ଆମ ପରଂପରାରେ ନାହିଁ। ଆମେ ଆମ ଘର ପରିଷ୍କାର ଝାଡ଼ି ଓଳେଇ ଅଳିହା ଦାଂଡକୁ କିଂବା ବାଡ଼ିକୁ ପକେଇଦିଏ। ଘରେ ଶୌଚଶୁଦ୍ଧତା। ମାତ୍ର ବାହାରେ, ଦାଂଡରେ, ବାଡ଼ିରେ, ରାସ୍ତା କଡ଼ରେ, ପୋଖରୀ କୂଳରେ, ରେଳ ଲାଇନ କଡ଼ରେ ହଗି ବସିବା ଆମର ପରଂପରା। ଶୁଚିତା ଆମ ଘର ଭିତରର କଥା, ବାହାର ଦୁନିଆ ସହ ଆମର ସଂପର୍କ ନାହିଁ। ମାସ୍କ୍‌ ନ ପିଂଧିବା ମୂଳରେ ଏହି ପରଂପରା। ତାକୁ ତ୍ୟାଗ କରିବା କଥା। ମାସ୍କ୍‌ ସାଂଗକୁ ଶାରୀରିକ ଦୂରତା ରଖିବା ଆବଶ୍ୟକ। (ମୁଁ ‘ସାମାଜିକ ଦୂରତା’ ଭାଷା ବ୍ୟବହାର କରୁନି। ତା’ ଉପରେ ତ ଆମ ସମାଜ ମନୁ-ପୂର୍ବକାଳରୁ ଗଢ଼ା)। ସମସ୍ତେ ଏତକ ପାଳିଲେ, ନିତ୍ୟ ବ୍ୟବହାର ଫଳରେ ରୋଗ ଯେଉଁ ଗତିରେ ପସରିବାର ସଂଭାବନା ତାହାକୁ କମ୍ କରାଯାଇ ପାରିବ। ଜୀବନ ସୁସହ୍ୟ ହେବ। କେବଳ ନିଜପାଇଁ ନୁହେଁ, ସମାଜର ଅନ୍ୟମାନଂକପାଇଁ ମଧ୍ୟ ଏ ପଥ୍ୟ ପାଳିବା ଅତ୍ୟାବଶ୍ୟକ।
ପୁଣେ ୪୧୧୦୦୪
ମୋ: ୯୪୨୨୬୫୬୦୩୨
[email protected]