ସଂସ୍କୃତି ଚର୍ଚ୍ଚା: ଦଶାଇଁ ନାଚର ଉଲ୍ଲାସ

ପ୍ରଦୀପ୍ତ ଶ୍ରୀଚନ୍ଦନ

ଓଡ଼ିଶାର ଉତ୍ତର ଭାଗରେ ଥିବା ମୟୂରଭ˚ଜ ଜିଲ୍ଲାର ଲୋକ ସ˚ସ୍କୃତିରେ ନୃତ୍ୟର ଏକ ବିଶେଷ ମହତ୍ତ୍ବ ରହିଛି। ଭାଦ୍ରବ ମାସର କରମପୂଜା ଏବ˚ ତା’ସହିତ କରମ ଝୁମର ଓ ନାଚ ବା ଆଶ୍ବିନ ମାସର ଦଶହରା ପୂଜା ଉତ୍ସବ ଏବ˚ ତା’ ସହିତ ଦାଶାଇଁ ନାଚର ପର˚ପରା ଏହାର ପ୍ରମାଣ। ଆଶ୍ବିନ ମାସର ନିର୍ମଳ ଆକାଶ ଓ ତହିଁରେ ଭାସୁଥିବା ଧଳା ଧଳା ବଉଦର ଲମ୍ବା ପଟୁଆର ଓ ତଳେ ଶସ୍ୟଭରା କ୍ଷେତ ଓ ମୃଦୁ ମନ୍ଦ ସମୀରଣରେ କାଶତଣ୍ତିର ମହୋତ୍ସବ ଯେଉଁଭଳି ପୁଲକ ଜାତ କରିଥାଏ, ତା’ ସହିତ ତାଳ ଦେଇ ମୟୂରଭ˚ଜର ଗାଁ ଗହଳିରେ ଦାଶାଇଁ ନୃତ୍ୟ ପରିବେଶକୁ ଆହୁରି ଆନନ୍ଦମୟ କରି ଦିଏ। ପୁରୁଷମାନେ ମହିଳାମାନଙ୍କର ଆଭୂଷଣ ପିନ୍ଧି ଦଳ ଦଳ ହୋଇ ନାଚନ୍ତି। ପ୍ରତିଟି ଦଳରେ ଅତି କମ୍‌ରେ ପାଞ୍ଚ ବା ଛ’ ଜଣ ଲୋକ ନୃତ୍ୟ କରନ୍ତି। ସେମାନଙ୍କର ବୟସର କୌଣସି ନିର୍ଦ୍ଦିଷ୍ଟ ସୀମା ନଥାଏ। ବାଦ୍ୟ ଓ ଗୀତର ଛନ୍ଦରେ ରଙ୍ଗିନ ବସ୍ତ୍ର ପରିଧାନ କରି ଦାଶାଇଁ ନର୍ତ୍ତକ ଦଳ ଭାବ ବିହ୍ବଳ ହୋଇ ନାଚନ୍ତି। ଘଣ୍ଟା, କରତାଳ ଓ ବୁଆଙ୍ଗ ହେଉଛି ସେମାନଙ୍କର ମୁଖ୍ୟ ବାଦ୍ୟ ଯନ୍ତ୍ର। ଘଣ୍ଟା ଓ କରତାଳ ତ ସବୁ ଅଞ୍ଚଳରେ ବ୍ୟବହୃତ ଦୁଇଟି ବାଦ୍ୟ ଯନ୍ତ୍ର। ମାତ୍ର ବୁଆଙ୍ଗ ଏକ ସ୍ବତନ୍ତ୍ର ଧରଣର ବାଦ୍ୟ, ଯାହା କେବଳ ଏଇ ଅଞ୍ଚଳରେ ଏବ˚ ଏଇ ନିର୍ଦ୍ଦିଷ୍ଟ ନୃତ୍ୟରେ ବ୍ୟବହୃତ ହୋଇଥାଏ। ବୁଆଙ୍ଗ ବାଦ୍ୟଟି ଦେଖିବାକୁ ଧନୁ ପରି; ତିନି ଚାରିହାତ ଲମ୍ବର ବାଉଁଶକୁ ଧନୁପରି ବଙ୍କେଇ ଦୁଇ ମୁଣ୍ତକୁ ସରୁ ତଥା ଶକ୍ତ ଦଉଡ଼ିରେ ବାନ୍ଧି ଦିଆଯାଇଥାଏ। ବାଉଁଶ ଖଣ୍ତର ମଝିରେ ଲମ୍ବା ଲାଉତୁମ୍ବା ଗୋଟିଏ ବନ୍ଧା ହୋଇଥାଏ। ଦଉଡ଼ିକୁ ଟାଣିଦେଇ ଛାଡ଼ି ଦେଲେ ବୁ˚ ବୁ˚ ହୋଇ ଏକ ପ୍ରକାରର ଶବ୍ଦ ସୃଷ୍ଟି ହୋଇଥାଏ। ସମ୍ଭବତଃ ଏଥି ଲାଗି ବାଦ୍ୟ ଯନ୍ତ୍ରର ନାମ ବୁଆଙ୍ଗ। ଏହି ବାଦ୍ୟ ଯନ୍ତ୍ରର ସ୍ବତନ୍ତ୍ରତା ଲାଗି ଏହି ନାଚକୁ ଅନେକେ ବୁଆଙ୍ଗ ନାଚ ବୋଲି କହିଥାନ୍ତି। ଗୀତ ଗାଇ ଗାଇ ନାଚିଲା ବେଳକୁ ଗୋଟିଏ ବୃତ୍ତାକାର ପଥକୁ ସେମାନେ ଦୁଇ ତିନିଥର ପରିକ୍ରମା କରିଥାନ୍ତି। ବୁଆଙ୍ଗର ବୁ˚ ବୁ˚ ସ୍ବର ସାଙ୍ଗରେ ତାଳ ମିଶାଇ ସେମାନେ ଗାଆନ୍ତି-
‘ହାଇରେ ହାଇ ଦେବୀରେ ଦୁର୍ଗା
ଜକିନ୍‌ ନଡ଼କ ଏନାରେ
ଆଇନମ୍‌ କାଜଲ୍‌ ଦକିନ୍‌ ବାହେର
ଏନାରେ
ହାଇରେ ହାଇରେ କେତେ ଲାଗିବ୍‌ ତେ
ଜକିନ୍‌ ନଡ଼କ ଏନାରେ
କେତେ ଲାଗିବ୍‌ ତେ ଜକିନ୍‌ ବାହେର
ଏନାରେ।
ହାଇରେ ହାଇ ଦେଶ ଲାଗିବ୍‌ ତେ
ଜକିନ୍‌ ନଡ଼କ ଏନାରେ
ଦିଶମ୍‌ ଲାଗିବ୍‌ ତେ ଜକିନ୍‌ ବାହେର
ଏନାରେ।’
ଏହି ଜିଲ୍ଲାର ଗାଁ ଗହଳିରେ ମନୁ ଆଖଡ଼ାମାନ ରହିଛି। ସାରା ଦିନର କଠିନ ଶ୍ରମ ପରେ ଗାଁ ଲୋକେ ମନୁ ଆଖଡ଼ାରେ ଜମା ହୁଅନ୍ତି। ମନୁ ଆଖଡ଼ାରେ ମନ୍ତ୍ର ଓ ତନ୍ତ୍ରର ଶିକ୍ଷା ଦିଆଯାଏ। ଗାଁ ଲୋକେ କିଛି ନ ହେଲେ ଅତି କମ୍‌ରେ ଝଡ଼ା ଓ ଫୁଙ୍କା ଆଦି ଶିଖନ୍ତି। ଏହି ଆଖଡ଼ା ଶିକ୍ଷା ସାଧାରଣତଃ ରଜ ସ˚କ୍ରାନ୍ତି ଠାରୁ ଆରମ୍ଭ ହୁଏ। ଦଶହରା ବେଳକୁ ତନ୍ତ୍ର-ମନ୍ତ୍ର ଶିକ୍ଷା ପ୍ରାୟ ସରି ଆସେ। ଏହା ପରେ ଯେଉଁ ଅବସର ମିଳେ ସେତିକି ବେଳେ ସମସ୍ତେ ଗାଁ ଗାଁ ବା ସହର ବଜାର ବୁଲି ବୁଲି ଦାଶାଇଁ ନାଚ ନାଚି ପାଣ୍ଠି ସ˚ଗ୍ରହ ଅଭିଯାନ ଆରମ୍ଭ କରନ୍ତି। ସାଧାରଣତଃ ଏହି ନର୍ତ୍ତକମାନଙ୍କୁ କେହି ଖାଲି ହାତରେ ଫେରାଇ ଦିଅନ୍ତି ନାହିଁ। ଧାନ, ଚାଉଳ, ପରିବାପତ୍ର ଓ ଫଳମୂଳ ଦିଅନ୍ତି। ଅନେକ ସମୟରେ ଲୋକେ ପଇସାପତ୍ର ମଧୢ ଦିଅନ୍ତି। ଦାଶାଇଁ ନାଚରୁ ସ˚ଗୃହୀତ ପାଣ୍ଠି ଉଦ୍‌ଯାପନୀ ଦାଶାଇଁ କରମ୍‌ ବା ଦଶହରା କରମ୍‌ରେ ଖର୍ଚ୍ଚ ହୋଇଥାଏ। କେତେକଙ୍କ ମତରେ ଏହା ହେଉଛି ଦିଗ୍‌ବିଜୟରେ ବାହାରିବାର ପ୍ରତୀକ ନୃତ୍ୟ। ମନ୍ତ୍ରତନ୍ତ୍ରରେ କିଏ କେତେଦୂର ପାରଙ୍ଗମ ହୋଇଛି, ତାର ମଧୢ ପରୀକ୍ଷାନିରୀକ୍ଷା ହୋଇଯାଏ। ଲୋକ ବିଶ୍ବାସରେ ମନ୍ତ୍ର ତନ୍ତ୍ରର ଆଦ୍ୟ ଦେବତା ଶିବ ଓ ଦେବୀ ଶକ୍ତି। ପ୍ରତ୍ୟେକ ମନ୍ତ୍ର ବୋଲା ହେବା ସହିତ ଶିବ, ଦୁର୍ଗା, ଚଣ୍ତୀ ଓ କାମାକ୍ଷାଙ୍କର ଦୋହା ବୋଲାଯାଇଥାଏ। ସୁତରା˚, ଦାଶାଇଁ ନାଚର ସ˚ପର୍କ ଦୁର୍ଗାପୂଜା ସହିତ ରହିବା ସ୍ବାଭାବିକ।
ଦାଶାଇଁ ନାଚର ଗୀତରେ ଦେବୀ ଦୁର୍ଗାଙ୍କ ବ୍ୟତୀତ ଆଇନମ୍‌ ଓ କାଜଲ୍‌ଙ୍କ ସ˚ପର୍କରେ ମଧୢ ଉଲ୍ଲେଖ ଥାଏ। ଏକ କି˚ବଦନ୍ତି କଯେ ଯେ ଆଇନମ୍‌ ଓ କାଜଲ୍‌ ନାମକ ଏହି ଦୁଇ ଦେବୀ ଲୋକଙ୍କର ବହୁ ପ୍ରକାରର ଉପକାର କରିବାରୁ ଶ୍ରଦ୍ଧା ଆଉ ଭକ୍ତିର ପାତ୍ରୀ ହୋଇଥିଲେ। ଦିନେ କୌଣସି ଏକ ଅଭିଯାନରେ ବାହାରି ଆଇନମ୍‌ ଓ କାଜଲ୍‌ ଆଉ ଫେରିଲେ ନାହିଁ। ତେଣୁ ତାଙ୍କ ଭକ୍ତମାନେ ଭାବିଲେ ଯେ ହୁଏତ ଶତ୍ରୁପକ୍ଷ ଦ୍ବାରା ସେମାନେ ଅପହୃତା ଏବ˚ ବ˚ଦିନୀ ହୋଇଛନ୍ତି। ତେଣୁ ସେମାନେ ଏକ ଅଭିନବ ଉପାୟରେ ତାଙ୍କର ଖୋଜାଲୋଡ଼ା କଲେ। ପୁରୁଷମାନେ ମହିଳାମାନଙ୍କର ଆଭୂଷଣ ପିନ୍ଧି ଅସ୍ତ୍ରଶସ୍ତ୍ରକୁ ବାଦ୍ୟ ଭାବରେ ବ୍ୟବହାର କରିବାକୁ ଲାଗିଲେ। ଆଉ ଗାଁ ଗାଁ ବୁଲି ଦୁଇ ଦେବୀଙ୍କୁ ଅନ୍ବେଷଣ କଲେ। ମୟୂରଭ˚ଜକୁ ବାଦ୍‌ ଦେଲେ ଉତ୍ତର ଓଡ଼ିଶାର କେନ୍ଦୁଝରର ବିଭିନ୍ନ ଅଞ୍ଚଳରେ ମଧୢ ଏହି ନାଚ ଦେଖିବାକୁ ମିଳିଥାଏ। ପୁନଶ୍ଚ କେବଳ ସାନ୍ତାଳ ସ˚ପ୍ରଦାୟ ନୁହେଁ, ଦିନ ଥିଲା ମୁଣ୍ତା, କୋହ୍ଲ, କୁଡ୍‌ମି, କମାର, କୁମ୍ଭାର ଓ ତନ୍ତୀ ସ˚ପ୍ରଦାୟ ଭିତରେ ମଧୢ ଦାଶାଇଁ ନାଚର ପ୍ରଚଳନ ଥିଲା।
ପଟିଆ, ଭୁବନେଶ୍ବର-୨୪

ସମ୍ବନ୍ଧିତ ଖବର