ଡିସେମ୍ବର ୧୩ ତାରିଖରେ ଲୋକସଭାକୁ ଡେଇଁ ଯୁବକମାନଙ୍କ ବିରୋଧ ପ୍ରଦର୍ଶନ ନିଶ୍ଚିତ ଭାବରେ ଏକ ଗୁରୁତର ଘଟଣା। ଏପରି ଏକ ଗମ୍ଭୀର ଘଟଣା ଆମଠାରୁ ଗମ୍ଭୀରତା ଆବଶ୍ୟକ କରେ; ଏହାକୁ ନେଇ ଗମ୍ଭୀର ଅନୁସନ୍ଧାନ, ଗମ୍ଭୀର ଚିନ୍ତନ ଓ ମନନ ଜରୁରୀ। କିନ୍ତୁ ଏହି ଘଟଣା ପରଠାରୁ ଗଣମାଧ୍ୟମ ଏହାକୁ ଏକ ଅପରାଧ ରହସ୍ୟର ଗୁପ୍ତଚର ଅନୁସନ୍ଧାନରେ ପରିଣତ କରିଦେଇଛି। କ’ଣ ଘଟିଲା ଓ କିପରି ଘଟିଲା, ତାହା ଜାଣିବାକୁ ସମସ୍ତେ ଆଗ୍ରହୀ, କିନ୍ତୁ ଏହା କାହିଁକି ଘଟିଲା ସେ ବାବଦରେ ଆମେ ଗଭୀର ଭାବରେ ଅନୁସନ୍ଧାନ କରିବାକୁ ପ୍ରସ୍ତୁତ ନୁହଁ। ଟିଭି ଚ୍ୟାନେଲଗୁଡ଼ିକ ଦେଶକୁ ଏକ ‘ମାର-ମାର’ କହୁଥିବା ଉନ୍ମାଦଗ୍ରସ୍ତ ଭିଡ଼ରେ ବଦଳାଇବାକୁ ଚାହୁଛନ୍ତି। ସରକାର ଓ ସୁରକ୍ଷା ଏଜେନ୍ସିମାନେ ସେମାନଙ୍କର ଦୁର୍ବଳତାକୁ ଘୋଡ଼ାଇବାକୁ ଚାହୁଛନ୍ତି। ବିରୋଧୀ ଏହି ବାହାନାରେ ସରକାରଙ୍କୁ ଘେରିବାକୁ ଚାହୁଛନ୍ତି।
କେହି ଗଭୀର ଚିନ୍ତା କି ଆତ୍ମସମୀକ୍ଷା କରିବାକୁ ଚାହାନ୍ତି ନାହିଁ। ପ୍ରକୃତରେ, ସଂସଦ ଭିତରକୁ ଡେଇଁଥିବା ଯୁବକମାନେ କିଏ? ସେମାନେ କେଉଁ କେଉଁ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲେ? କାହିଁକି ଏପରି ବିପଦପୂର୍ଣ୍ଣ ପଦକ୍ଷେପ ନେଇଥିଲେ? ଗଣତନ୍ତ୍ରରେ ସ୍ବର ଉତ୍ତୋଳନ କରିବାର ଅନ୍ୟ ସମସ୍ତ ଉପାୟରେ ସେମାନଙ୍କର କାହିଁକି ଭରସା ନଥିଲା? ଯେ ପର୍ଯ୍ୟନ୍ତ ଆମେ ଏହି ସବୁ ପ୍ରଶ୍ନର ସାମନା ନ କରିବା, ସେପର୍ଯ୍ୟନ୍ତ ଆମେ ସଂସଦ ଗୃହକୁ ସୁରକ୍ଷିତ ରଖି ପାରିଲେ ବି ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିପାରିବା ନାହିଁ।
ବର୍ତ୍ତମାନ ସୁଦ୍ଧା ପୁଲିସ ଏହି ଘଟଣାରେ ସାମିଲ ଥିବା ସମସ୍ତ ଛଅ ଜଣଯାକ ଯୁବକଯୁବତୀଙ୍କୁ ଗିରଫ କରି ସାରିଛି। ଏଥିରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ଯେ ସେମାନେ କେହି ପେସାଦାର ଅପରାଧୀ କିମ୍ବା ଗୁଣ୍ଡା ନୁହନ୍ତି। ସେମାନେ ସମସ୍ତେ ଦେଶର ବିଭିନ୍ନ ରାଜ୍ୟରୁ ସାଧାରଣ ନିମ୍ନ ମଧ୍ୟବିତ୍ତ ପରିବାରର ଅଶାନ୍ତ ଯୁବକ। ଅଶାନ୍ତି ଭିତରେ ସାମାଜିକ ଓ ରାଜନୈତିକ ତଥା ବ୍ୟକ୍ତିଗତ ନିରାଶାର ଅଂଶ ବି ରହିଛି। ସେମାନଙ୍କ ଭିତରୁ କେହି ବି ପୂର୍ବରୁ କୌଣସି ଆପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ଖବର ନାହିଁ।
ସ୍ପଷ୍ଟ ରୂପରେ ସେମାନେ ଅନୁଭବ କରୁଛନ୍ତି କି, ଦେଶରେ ଏକଛତ୍ରବାଦ ଶାସନ ଏପରି ଚୁପ୍ଚାପ୍ ବ୍ୟାପିଚାଲିଛି ଯେ ସାଧାରଣ ଗଣତାନ୍ତ୍ରିକ ଉପାୟରେ ଏହି ସମସ୍ୟାଗୁଡ଼ିକୁ ପ୍ରକାଶ କରିବାର କୌଣସି ସ୍ଥାନ ବାକି ନାହିଁ। ସେମାନେ ନିଶ୍ଚୟ ହୃଦୟଙ୍ଗମ କରିଛନ୍ତି କି, ଗଣମାଧ୍ୟମ ମାଧ୍ୟମରେ ସେମାନଙ୍କ ବାର୍ତ୍ତା ପହଞ୍ଚାଇବା କିମ୍ବା ଗଣତାନ୍ତ୍ରିକ ପ୍ରତିବାଦ ମାଧ୍ୟମରେ ସ୍ବର ଉତ୍ତୋଳନ କରିବାର କୌଣସି ମାନେ ନାହିଁ। ସେମାନଙ୍କର ଏପରି ମୂଲ୍ୟାଙ୍କନ ଭୁଲ୍ ହୋଇପାରେ। କିନ୍ତୁ ଯଦି ଆଦର୍ଶବାଦୀ, ବିଚାରବନ୍ତ ଓ ନିର୍ଭୀକ ଯୁବକମାନଙ୍କର ଏକ ଛୋଟ ବର୍ଗ ବି ଏହିପରି ଭାବୁଥା’ନ୍ତି, ତେବେ ଏହା ସମଗ୍ର ଦେଶ ପାଇଁ ବିପଦର ସତର୍କଘଣ୍ଟି। ଇତିହାସ ଏହାର ସାକ୍ଷୀ ଯେ ଏହିପରି ସ୍ବରକୁ ଅଣଦେଖା କରିବାର ପରିଣାମ କେବେହେଲେ ଭଲ ହୋଇନଥାଏ।
ଏହା ମଧ୍ୟ ସ୍ପଷ୍ଟ ଯେ ସଂସଦରେ ପ୍ରବେଶ କରି ହିଂସା ଭିଆଇବା କିମ୍ବା ଜୀବନ ଓ ସମ୍ପତ୍ତି ନଷ୍ଟ କରିବା ସେମାନଙ୍କର ଉଦ୍ଦେଶ୍ୟ ନ ଥିଲା। ସେମାନେ ଚାହିଁଥିଲେ ତାହା କରିପାରିଥା’ନ୍ତେ। ଯେଉଁଠି ଧୂଆଁ କାନିଷ୍ଟରଗୁଡ଼ିକୁ ଲୁଚେଇ ନିଆଯାଇପାରିଲା, ସେଠି ଆଉ କିଛି ଘାତକ ସାମଗ୍ରୀ ମଧ୍ୟ ନିଆଯାଇପାରିଥା’ନ୍ତା। ମାତ୍ର ସେମାନେ ସେପରି କରିନଥିଲେ। ଲୋକସଭାରେ ପଶି କାହା ଉପରେ ସେମାନେ ଆକ୍ରମଣ କରିନଥିଲେ। ନିଜେ ମାଡ଼ ଖାଇଥିଲେ ବି କାହା ଉପରେ ପ୍ରତିଆକ୍ରମଣ କରିନଥିଲେ। ପୁଲିସର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସେମାନେ ପ୍ରଥମେ ସଂସଦ ଭିତରେ ଆତ୍ମଦାହ କରିବାର ଯୋଜନା କରିଥିଲେ, ଯାହାକୁ ସେମାନେ ବାତିଲ କରିଦେଇଥିଲେ। ସେମାନେ ନିଜ ସାଙ୍ଗରେ ‘ନିଖୋଜ ପ୍ରଧାନମନ୍ତ୍ରୀ’ ଲେଖାଥିବା ପ୍ରଚାରପତ୍ର ଧରି ଆସିଥିଲେ, ଯାହାକୁ ବାଣ୍ଟିପାରିନଥିଲେ। ସେ ଯାହା ହେଉ ନା କାହିଁକି, ସେମାନେ ଆତଙ୍କ ବିସ୍ତାର କରିବାକୁ ଚାହିଁନଥିଲେ। ସେମାନଙ୍କୁ ଆତଙ୍କବାଦୀ କୁହାଯାଇପାରିବ ନାହିଁ।
ଅବଶ୍ୟ ଏହି ଯୁବକମାନେ ଏତେ ଅଜ୍ଞ ନୁହନ୍ତି ଯେ ସେମାେନ ସଂସଦରେ ବା ତାହା ବାହାରେ ଧରାପଡ଼ିଲେ ତାଙ୍କ ସହ କ’ଣ ଘଟିବ, ସେମାନେ ତାହା ଜାଣି ନ ଥିବେ। ସେମାନେ ନିଶ୍ଚିତ ଜାଣିଥିବେ କି, ସେମାନଙ୍କୁ ନିର୍ଯାତନା ମିଳିବ, ପରିବାର ଲୋକଙ୍କୁ ପ୍ରତାଡ଼ନା ମିଳିବ, ଦୀର୍ଘଦିନ ଧରି ଜେଲ୍ରେ ରହିବାକୁ ପଡ଼ିବ, ତାହାଠୁ ବି ବଡ଼ ଦଣ୍ଡ ହୋଇପାରେ। ତାଙ୍କ କାର୍ଯ୍ୟ ପଛରେ ନିଜ ଆଙ୍ଗୁଠି କାଟି ସହିଦ ହେବା ଏବଂ ସେହି ଶକ୍ତିକୁ ପାଥେୟ କରି ରାଜନୈତିକ କ୍ୟାରିଅର ଗଢ଼ିବାର ସଙ୍କେତ ମଧ୍ୟ ମିଳୁନାହିଁ। ଅନ୍ତତଃପକ୍ଷେ, ସେମାନଙ୍କ ଦୃଷ୍ଟିରେ ସେମାନେ ଦେଶର ସ୍ବାର୍ଥ ପରି ଏକ ମହତ ଉଦ୍ଦେଶ୍ୟ ପାଇଁ ନିଜର ବଳିଦାନ ଦେଉଥିଲେ।
ସାଗର ଶର୍ମାଙ୍କ ଡାଏରିରେ ଲେଖାଯାଇଥିବା ପଙ୍କ୍ତିରୁ ତାଙ୍କ ଚିନ୍ତାଧାରା ଆକଳନ କରାଯାଇପାରିବ: ‘‘ଏହା ନୁହେଁ ଯେ ମୋ’ ପାଇଁ ସଂଘର୍ଷର ପନ୍ଥା ବାଛିବା ସହଜ ଥିଲା। ପ୍ରତି ମୁହୂର୍ତ୍ତରେ ମୁଁ ଆଶାର ସହ ପାଞ୍ଚ ବର୍ଷ ପ୍ରତୀକ୍ଷା କରିଥିଲି କି ଏମିତି ଦିନଟିଏ ଆସିବ ଯେତେବେଳେ ମୁଁ ମୋର କର୍ତ୍ତବ୍ୟ ପାଳନ ପୂର୍ବକ ଆଗକୁ ବଢ଼ିପାରିବି। ଦୁନିଆରେ ସେ ଶକ୍ତିଶାଳୀ ବ୍ୟକ୍ତି ନୁହେଁ, ଯିଏ ଛଡ଼େଇନେବା ଜାଣିଛି। ଯିଏ ସମସ୍ତ ସୁଖ ତ୍ୟାଗ କରିବାର କ୍ଷମତା ରଖିଛି, ସେ ହିଁ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି।’’ ଏହା କୌଣସି ଗୁଣ୍ଡା ବା ଦେଶଦ୍ରୋହୀର ଭାଷା ହୋଇନପାରେ।
ଏଥି ସହିତ ଏହି ଯୁବକମାନଙ୍କୁ ଭଗତ ସିଂହ କି ବଟୁକେଶ୍ବର ଦତ୍ତଙ୍କ ସମକକ୍ଷ କରାଯାଇପାରିବ ନାହିଁ। ଭଗତ ସିଂହ କେବଳ କେନ୍ଦ୍ରୀୟ ଆସେମ୍ଲିରେ ବୋମା ଫିଙ୍ଗି ଆଉ ପ୍ରଚାରପତ୍ର ବାଣ୍ଟି ‘ସହିଦ ଏ ଆଜମ’ ହୋଇନଥିଲେ। ତାହା ପୂର୍ବରୁ ବିପ୍ଳବର ଅତୀତ ରହିଥିଲା, ଚିନ୍ତାଧାରାର ଗଭୀରତା ରହିଥିଲା ଏବଂ ଫାଶୀଖୁଣ୍ଟରେ ଝୁଲିବା ଯାଏ ତ୍ୟାଗ, ବଳିଦାନ ଓ ସଂକଳ୍ପ ରହିଥିଲା। ଏବେ ଏହି ଯୁବକମାନଙ୍କ କ୍ଷେତ୍ରରେ ଏହା କୁହାଯାଇପାରିବ ନାହିଁ। କିନ୍ତୁ ଏତିକି କୁହାଯାଇପାରେ ଯେ, ସେମାନଙ୍କ କାର୍ଯ୍ୟକଳାପକୁ ଅପରାଧ କିମ୍ବା ଆତଙ୍କବାଦ ବର୍ଗରେ ନୁହେଁ, ବରଂ ରାଜନୈତିକ ପ୍ରତିରୋଧ ବର୍ଗରେ ରଖାଯିବା ଉଚିତ। ଆମେ ସେମାନଙ୍କ ପଦ୍ଧତି ସହ ଅସହମତ ହୋଇପାରିବା। ନିଶ୍ଚିତ ଭାବରେ ସଂସଦକୁ ଡେଇଁବା ଓ ତାହାର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଘଟଣାର ମହିମାମଣ୍ଡନ କରାଯାଇପାରିବ ନାହିଁ। କିନ୍ତୁ ଏହା ନିଶ୍ଚିତ ଭାବରେ ଆମର ଦାୟିତ୍ବ ଯେ ପ୍ରତିବାଦର ଏହି ସ୍ବରକୁ ଯେପରି ଅପରାଧ, ଆତଙ୍କବାଦ ବା ଦେଶଦ୍ରୋହ ବୋଲି କହି ଅଣଦେଖା କରା ନ ଯାଏ। ଆମେ ତାହା ପଛର ସନ୍ଦେଶକୁ ଶୁଣିବା ନିହାତି ଜରୁରୀ।
ସେମାନଙ୍କର ବାର୍ତ୍ତା କ’ଣ ଥିଲା ସେଥିରେ କୌଣସି ସନ୍ଦେହ ନାହିଁ। ଏଥିରୁ ସ୍ପଷ୍ଟ କି, ସେମାନେ ବେରୋଜଗାର ସମସ୍ୟା ନେଇ ଦେଶର ଧ୍ୟାନ ଆକର୍ଷଣ କରିବାକୁ ଚାହୁଛନ୍ତି। ଏହା ନିଃସନ୍ଦେହ ଯେ ବେକାରି କେବଳ ସେହି ଲୋକମାନଙ୍କର କି ଛୋଟ ଗୋଷ୍ଠୀର ସମସ୍ୟା ନୁହେଁ। ଆଜି ଏହା ଦେଶର ଯୁବପିଢ଼ି ସମ୍ମୁଖୀନ ହେଉଥିବା ସବୁଠୁ ବଡ଼ ସଂକଟ, ଦେଶର ଭବିଷ୍ୟତ ଉପରେ ଲାଗିଥିବା ସବୁଠାରୁ ବଡ଼ ପ୍ରଶ୍ନବାଚୀ। ଏତଦ୍ବ୍ୟତୀତ ସେମାନେ ମଣିପୁର ପ୍ରସଙ୍ଗ ଉଠାଇଥିଲେ, ମହିଳା କୁସ୍ତିଯୋଦ୍ଧାଙ୍କ ସହ ହୋଇଥିବା ଅସଦାଚରଣ କଥା ଉଲ୍ଲେଖ କରିଥିଲେ ଏବଂ ଏକଛତ୍ରବାଦ ଶାସନ ବିରୋଧରେ ମଧ୍ୟ ସ୍ଲୋଗାନ ଦେଇଥିଲେ।
ସ୍ପଷ୍ଟ ରୂପରେ ସେମାନେ ଅନୁଭବ କରୁଛନ୍ତି କି, ଦେଶରେ ଏକଛତ୍ରବାଦ ଶାସନ ଏପରି ଚୁପ୍ଚାପ୍ ବ୍ୟାପିଚାଲିଛି ଯେ ସାଧାରଣ ଗଣତାନ୍ତ୍ରିକ ଉପାୟରେ ଏହି ସମସ୍ୟାଗୁଡ଼ିକୁ ପ୍ରକାଶ କରିବାର କୌଣସି ସ୍ଥାନ ବାକି ନାହିଁ। ସେମାନେ ନିଶ୍ଚୟ ହୃଦୟଙ୍ଗମ କରିଛନ୍ତି କି, ଗଣମାଧ୍ୟମ ମାଧ୍ୟମରେ ସେମାନଙ୍କ ବାର୍ତ୍ତା ପହଞ୍ଚାଇବା କିମ୍ବା ଗଣତାନ୍ତ୍ରିକ ପ୍ରତିବାଦ ମାଧ୍ୟମରେ ସ୍ବର ଉତ୍ତୋଳନ କରିବାର କୌଣସି ମାନେ ନାହିଁ। ସେମାନଙ୍କର ଏପରି ମୂଲ୍ୟାଙ୍କନ ଭୁଲ୍ ହୋଇପାରେ। କିନ୍ତୁ ଯଦି ଆଦର୍ଶବାଦୀ, ବିଚାରବନ୍ତ ଓ ନିର୍ଭୀକ ଯୁବକମାନଙ୍କର ଏକ ଛୋଟ ବର୍ଗ ବି ଏହିପରି ଭାବୁଥା’ନ୍ତି, ତେବେ ଏହା ସମଗ୍ର ଦେଶ ପାଇଁ ବିପଦର ସତର୍କଘଣ୍ଟି। ଇତିହାସ ଏହାର ସାକ୍ଷୀ ଯେ ଏହିପରି ସ୍ବରକୁ ଅଣଦେଖା କରିବାର ପରିଣାମ କେବେହେଲେ ଭଲ ହୋଇନଥାଏ।
ରାଷ୍ଟ୍ରୀୟ ସଂଯୋଜକ, ଭାରତ ଯୋଡ଼ୋ ଅଭିଯାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/fshfhshffhs.jpg)