ହମାସ ନିର୍ମୂଳନ ଯୁଦ୍ଧରେ ଗାଜା ପଟି ଉପରେ ହୋଇ ଚାଲିଥିବା ମୁହୁର୍ମୁହୁଃ ଇସ୍ରାଏଲୀ ବୋମା ଆକ୍ରମଣ ଶବ୍ଦର ତୀବ୍ରତାକୁ ଅତିକ୍ରମ କରି ଆଉ ଯେଉଁ ଏକ ବିସ୍ଫୋରଣ ଶ୍ରୁତିଗୋଚର ହୋଇଛି, ତାହାର ସୃଷ୍ଟି ମିଳିତ ଜାତିସଂଘର ସେକ୍ରେଟାରି ଜେନେରାଲ ଆଣ୍ଟୋନିଓ ଗୁଏଟେରିସଙ୍କ ମୁଖ ନିସୃତ ଏକ ବାକ୍ୟ ବାଣରୁ। ଗଲା ୨୪ ତାରିଖ ଦିନ ‘ନିରାପତ୍ତା ପରିଷଦ’ର ବୈଠକରେ ଗୁଏଟେରିସ ତାଙ୍କ ଅଭିଭାଷଣରେ ହମାସ ଦ୍ବାରା ସଂଘଟିତ ଅବର୍ଣ୍ଣନୀୟ ନରକୀୟ ହିସାକାଣ୍ଡର ନିନ୍ଦା କରିବା ସହିତ ଆଉ ଯାହା କହିବା ଶୁଣିବାକୁ ମିଳିଥିଲା, ତାହା ହେଲା ‘ହମାସ ଶୂନ୍ୟରୁ ସୃଷ୍ଟି ହୋଇନାହିଁ!’ କେବଳ ସେତିକି ନୁହେଁ, ଏହି ମନ୍ତବ୍ୟକୁ ସାବ୍ୟସ୍ତ କରିବାକୁ ଯାଇ ସେ ପାଲେଷ୍ଟିନୀୟଙ୍କ ଉପରେ ହୋଇ ଚାଲିଥିବା ଦୀର୍ଘ ପ୍ରାୟ ଛଅ ଦଶନ୍ଧିର ଇସ୍ରାଏଲୀ ନିପୀଡ଼ନ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। କହିବା ବାହୁଲ୍ୟ, ଏଥିରେ କ୍ରୋଧାନ୍ବିତ ଇସ୍ରାଏଲ୍‌ ପକ୍ଷରୁ ଗୁଏଟେରିସଙ୍କ ବହିଷ୍କାର ଦାବି କରାଯିବା ସହିତ ଜାତିସଂଘର କର୍ମଚାରୀମାନଙ୍କ ଲାଗି ଭିସା ପ୍ରତ୍ୟାଖ୍ୟାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ଯୁଦ୍ଧ ଦ୍ବାରା ସୃଷ୍ଟ ଅକଥନୀୟ ମାନବୀୟ ଟ୍ରାଜେଡି ପରିପ୍ରେକ୍ଷୀରେ ଜାତିସଂଘର କର୍ମଚାରୀଗଣ ହିଁ ରିଲିଫ ଏବଂ ଶୁଶ୍ରୂଷାର ଏକମାତ୍ର ସୂତ୍ରଧର ଭାବେ ଅବତୀର୍ଣ୍ଣ ହୋଇଥାଆନ୍ତି। ଏଭଳି ସ୍ଥିତିରେ ଜାତିସଂଘର ମୁରବିତ୍ବ ଯେ ଅସ୍ତାଚଳରେ, ତାହା ସ୍ପଷ୍ଟ ହେବା ସହିତ ଆଉ ଯେଉଁ ବିଚିତ୍ର ଦୃଶ୍ୟପଟମାନ ସୃଷ୍ଟି ହୋଇଛି, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ସ୍ବାଭାବିକ ଭାବେ ଇସ୍ରାଏଲ୍‌ ପକ୍ଷରୁ ଗୁଏଟେରିସଙ୍କୁ ହମାସର ଜଣେ ସମ୍ବେଦନଶୀଳ ପକ୍ଷଧର ଏବଂ ପ୍ରଚାରକ ଭାବେ ଅଭିହିତ କରାଯାଇଛି; ଯଦିଓ ଇତିମଧ୍ୟରେ ଇସ୍ରାଏଲ୍‌ ଗଠନ ଓ ତା’ ପରବର୍ତ୍ତୀ ସମସ୍ୟା, ପ୍ରତିରୋଧ, ସଂଘାତ ଏବଂ ତଜ୍ଜନିତ ପାଲେଷ୍ଟିନୀୟ କଷଣ ଏବଂ ଆତଙ୍କବାଦର ଉନ୍ମେଷ ଇତ୍ୟାଦକୁ କେନ୍ଦ୍ର କରି ଅକଳନ୍ତି ତଥ୍ୟ ସମଗ୍ର ପୃଥିବୀକୁ ପ୍ରକୃତ ବାସ୍ତବତା ସହିତ ମୋଟାମୋଟି ଭାବେ ପରିଚିତ କରାଇ ସାରିଛି; ଏବଂ ଏହା ସହିତ ଏହି ସବୁ ଘନଘଟା ମଧ୍ୟରେ ଇସ୍ରାଏଲ୍‌ ଯେ କେବଳ ଏକମାତ୍ର ପୀଡ଼ିତ; ସେଭଳି ବ୍ୟାଖ୍ୟାନ ଏବଂ ଧାରଣା ଦୁର୍ବଳ ହୋଇସାରିଛି। ସୁତରାଂ, ସାରା ପୃଥିବୀରେ ଏହା କ୍ରମେ ଅନୁଭୂତ ହେବାରେ ଲାଗିଲାଣି ଯେ ଇସ୍ରାଏଲ୍‌ର ଏ ଆକ୍ରମଣ ହମାସ ସହିତ ଗାଜାସ୍ଥିତ ପାଲେଷ୍ଟିନୀୟ ଜନବସତିକୁ ନିଶ୍ଚିହ୍ନ କରିବା ଲାଗି ଅଭିପ୍ରେତ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଗଲା ୭ ତାରିଖରେ ଇସ୍ରାଏଲ୍‌ ଭୂମି ଉପରେ ହମାସ ଆତଙ୍କବାଦୀଙ୍କ ଦ୍ବାରା ସଂଘଟିତ ଅବର୍ଣ୍ଣନୀୟ ହିଂସାକାଣ୍ଡ ସମଗ୍ର ପୃଥିବୀରେ ଯେଉଁ ଆକ୍ରୋଶର ତରଙ୍ଗ ସୃଷ୍ଟି କରିଥିଲା, ସେହି ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକା ହେଉ ବା ୟୁରୋପୀୟ ରାଷ୍ଟ୍ର ସମୂହ ହୁଅନ୍ତୁ; ସଭିଏଁ ସେମାନଙ୍କ ତଡ଼ିତ୍‌ ପ୍ରତିକ୍ରିୟାରେ ଏକ ପ୍ରତିଶୋଧମୂଳକ ଆକ୍ରମଣ ସକାଶେ ଇସ୍ରାଏଲକୁ ନିଃସର୍ତ୍ତ ସମର୍ଥନ ଜ୍ଞାପନ କରିଥିଲେ। କିନ୍ତୁ ଇସ୍ରାଏଲୀ ଆକ୍ରମଣର ତୀବ୍ରତା ଏବଂ ବିଚାରଶୂନ୍ୟତା ଯେଉଁ ସ୍ତରରେ ପହଞ୍ଚିଛି, ତହିଁରେ ଏଭଳି ‘ସମର୍ଥନ ଜ୍ଞାପନ’ରେ ଏକ ନିଷ୍ପ୍ରଭ ‘କିନ୍ତୁ’ର ଆବିର୍ଭାବ ମଧ୍ୟ ଘଟିଛି, ଅର୍ଥାତ୍‌ ଶୁଭାକାଂକ୍ଷୀ ଆମେରିକା ପକ୍ଷରୁ ଇସ୍ରାଏଳ୍‌କୁ ଆକ୍ରମଣରେ ସଂଯମ ରକ୍ଷା କରିବା ନେଇ କୋମଳ ପରାମର୍ଶ ପ୍ରଦାନ କରାଯାଇଛି। କିନ୍ତୁ ବିଡ଼ମ୍ବନା ହେଲା ଇସ୍ରାଏଲୀ ‘‌େତାଡ଼’ର ପ୍ରାବଲ୍ୟ ସମକ୍ଷରେ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ରର ପରାମର୍ଶ ମଧ୍ୟ ବିଲୀନ ହୋଇଯାଇଥିବା ଭଳି ମନେହୁଏ। ଅବଶ୍ୟ, ଇସ୍ରାଏଲର ନିର୍ବିଚାର ବୋମା ମାଡ଼ ବିରୋଧରେ ପ୍ରାୟ ସମସ୍ତ ଆରବ ରାଷ୍ଟ୍ରରେ ଜନ-ଅସନ୍ତୋଷ ତୀବ୍ର ହୋଇ ବିଶାଳ ପ୍ରଦର୍ଶନମାନ ଦୃଷ୍ଟିଗୋଚର ହେବାରେ ଲାଗିଛି; କିନ୍ତୁ ଆରବ ରାଷ୍ଟ୍ରଗୁଡ଼ିକର ଭୂମିକା ମଧ୍ୟ ଇସ୍ରାଏଲକୁ ଆମେରିକାସୁଲଭ ଦୁର୍ବଳ ପରାମର୍ଶମାନ ପ୍ରଦାନ କରିବାରେ ସୀମିତ; ଏବଂ ତା’ର କାରଣ ମଧ୍ୟ ନିଜ ନିଜ ରାଷ୍ଟ୍ରରେ ଜନ-ଅସନ୍ତୋଷକୁ ପ୍ରଶମିତ କରିବା। ନଚେତ୍‌ ରଣନୈତିକ ତଥା ଅନ୍ୟାନ୍ୟ ସ୍ବାର୍ଥ ଦୃଷ୍ଟିରୁ ଆରବ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲ୍ ସହିତ ସଂପର୍କ କ୍ଷୁଣ୍ଣ କରିବାକୁ ଅନିଚ୍ଛୁକ। କହିବା ବାହୁଲ୍ୟ, ଏଭଳି ଏକ ସ୍ଥିତିରେ ମିଳିତ ଜାତିସଂଘ ତୁଳନାରେ ଇସ୍ରାଏଲ୍‌ ଅଧିକ ଶକ୍ତିଶାଳୀ ଭଳି ଦିଶିଥାଏ, ଏବଂ ଗାଜାରେ ପୀଡ଼ିତ ଜନସାଧାରଣଙ୍କ ଶୁଶ୍ରୂଷା ତଥା ସାହାଯ୍ୟ ଲାଗି ଜାତିସଂଘର ନତଜାନୁ ନିବେଦନକୁ ଇସ୍ରାଏଲ୍‌ କର୍ଣ୍ଣପାତ ନ କରିବାରେ ବିସ୍ମୟର ବିଶେଷ କାରଣ ମଧ୍ୟ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଗାଜାରେ ନିଃଶେଷପ୍ରାୟ ଇନ୍ଧନ ପରିପ୍ରେକ୍ଷୀରେ ଇନ୍ଧନ ଯୋଗାଣର ମାର୍ଗ ଉନ୍ମୁକ୍ତ କରିବା ଲାଗି ଗଲା ୨୨ ତାରିଖରେ ଜାତିସଂଘ ପକ୍ଷରୁ କରାଯାଇଥିବା ଆ‌କୁଳ ନିବେଦନ ଇସ୍ରାଏଲୀ ବିଦ୍ରୂପରେ ପ୍ରତ୍ୟୁତ୍ତର ପାଇଛି, ଯାହା ହେଲା ‘ହମାସ ନିକଟରେ ପାଞ୍ଚ ଲକ୍ଷ ଲିଟର ଇନ୍ଧନ ଗଚ୍ଛିତ ରହିଛି; ତାକୁ ମାଗ।’ ଏଭଳି ସ୍ଥଳେ ମିଳିତ ଜାତିସଂଘ କିଭଳି ଅତ୍ୟନ୍ତ ଦୟନୀୟ ଭାବେ ଅସହାୟ ହୋଇ ଉଠିଛି, ସେ ସଂପର୍କରେ ଆଉ ଅଧିକ ବୁଝାଇ କହିବାର ଆବଶ୍ୟକତା ନାହିଁ।
କିନ୍ତୁ, ଅଧିକ ବିଡ଼ମ୍ବନା ହେଲା ଏହି ପରିସ୍ଥିତିରେ ଏକ ନୂତନ ମୁରବି ଓ ମଧ୍ୟସ୍ଥି ଭାବେ କ୍ଷୁଦ୍ରାତିକ୍ଷୁଦ୍ର ରାଷ୍ଟ୍ର କାତାରର ଆବିର୍ଭାବ ଘଟିଛି; ଯେଉଁ ଧନୀ ଓ ରାଜତାନ୍ତ୍ରିକ ରାଷ୍ଟ୍ରଟି ତା’ର ଅତ୍ୟନ୍ତ ସନ୍ଦିଗ୍‌ଧ ଆଚରଣ ସକାଶେ ଭ୍ରୂକୁଂଚନ ସୃଷ୍ଟି କରିଥାଏ। ପ୍ରକାଶ ଥାଉ କି ଇରାନର ପରମ ସମର୍ଥକ କାତାର ଅନେକ ଆତଙ୍କବାଦୀ ସଂଗଠନକୁ ଅର୍ଥ ଏବଂ ରାଜନୈତିକ ପୃଷ୍ଠପୋଷକତା ପ୍ରଦାନ କରି ଇରାନ ପକ୍ଷରୁ ସିରିଆ, ଲିବିୟା ଏବଂ ଟ୍ୟୁନିସିଆରେ ‘ପ୍ରକ୍‌ସି’ ଯୁଦ୍ଧ ଚଳାଇ ଆସିଛି; କାତାରର ପ୍ରକାଶ୍ୟ ଅର୍ଥ ଯୋଗାଣ ହମାସ, ଅଲ ନୁସରା, ହିଜବୁଲ୍ଲା ଓ ତାଲିବାନ ଭଳି ଆତଙ୍କବାଦୀ ସଂଗଠନକୁ କେବଳ ଯେ ପରିପୁଷ୍ଟ କରିଛି, ତା’ ନୁହେଁ; କାତାର ଭୂମିରେ ସେମାନଙ୍କୁ ଦପ୍ତର ଖୋଲିବାର ଅନୁମତି ମଧ୍ୟ ମିଳିଛି। ଏଣେ, କାତାରରେ ମଧ୍ୟ ରହିଛି ଆମେରିକୀୟ ସାମରିକ ବାହିନୀର ସେଣ୍ଟ୍ରାଲ କମାଣ୍ଡ ତଥା ସ୍ଥଳ-ଜଳ-ଆକାଶ ବାହିନୀର କାର୍ଯ୍ୟାଳୟମାନ। ସୁତରାଂ, ଏଥିରୁ କାତାରର ମୂଲଚାଲ କରିବାର ଶକ୍ତି ବିଷୟରେ ଧାରଣା କରିହୁଏ ଏବଂ ହମାସ ଦ୍ବାରା ପଣବନ୍ଦୀ ରହିଥିବା ଶତାଧିକ ଇସ୍ରାଏଲୀ ଏବଂ ଆମେରିକୀୟ ନାଗରିକଙ୍କ ମୁକ୍ତି ସକାଶେ କାତାର ଏକ ନିର୍ଣ୍ଣାୟକ ମଧ୍ୟସ୍ଥିର ଭୂମିକାରେ ଅବତୀର୍ଣ୍ଣ ହେବାରେ ଆଶ୍ଚର୍ଯ୍ୟ ହେବାର ବିଶେଷ କାରଣ ନ ଥାଏ। କିନ୍ତୁ ବିଡ଼ମ୍ବନାଟି ହେଲା ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଯେଉଁ ଲକ୍ଷ୍ୟ ରଖି ମିଳିତ ଜାତିସଂଘର ଗଠନ କରାଯାଇଥିଲା, ତାହା ବଜାୟ ରହିଥିଲେ ଆଜି ସନ୍ଦିଗ୍‌ଧ କାତାର ପରିବର୍ତ୍ତେ ହୁଏତ ଜାତିସଂଘକୁ ଏହି ମଧ୍ୟସ୍ଥି ଭୂମିକାରେ ଦେଖିବାକୁ ମିଳିଥାନ୍ତା ଏବଂ ପୃଥିବୀର ଭବିଷ୍ୟତ୍‌ ନିରାପଦ ବୋଲି ଆଶ୍ବସ୍ତି ଜନ୍ମନ୍ତା।
ପ୍ରଥମ ବିଶ୍ବଯୁଦ୍ଧର ବିଭୀଷିକାରେ ବ୍ୟଥିତ ହୋଇ ପ୍ରଖ୍ୟାତ ଅାଇରିସ କବି ଡବ୍ଲ୍ୟୁ. ବି. ୟେଟ୍‌ସ ରଚନା କରିଥିବା ବହୁ ପ୍ରସ୍ଥୀୟ ଅର୍ଥବାହୀ ଅମର କବିତା ‘ଦ ସେକଣ୍ଡ କମିଙ୍ଗ’ (ପୁନରାବିର୍ଭାବ)ରେ ନୈରାଜ୍ୟର ଯେଉଁ ଚିତ୍ର ପ୍ରଦାନ କରାଯାଇଛି, ତାହାର ଏକ ଅଂଶ ଏହିଭଳି: x x x ‘ଦ ଫାଲକନ କ୍ୟାନ ନଟ୍‌ ହିଅର ଦ ଫାଲକନର୍‌; ଥିଙ୍ଗସ ଫଲ ଏପାର୍ଟ, ସେଣ୍ଟର କ୍ୟାନ ନଟ୍‌ ହୋଲ୍‌ଡ, ମିଅର ଆନାର୍କି ଇଜ୍‌ ଲୁଜ୍‌ ଅପଅନ ଦ ୱର୍ଲଡ’; ଯାହାର ସରଳ ଅର୍ଥାନ୍ତର ହେଲା ‘ଆକାଶରେ ଉଡ଼ାଣ ଭରିଥିବା ଫାଲକନ (ଛଞ୍ଚାଣ) ପକ୍ଷୀଟି ତା’ର ମୁନିବର ଡାକକୁ ଭ୍ରୂକ୍ଷେପ କରୁନାହିଁ; ସବୁ କିଛି ବିକ୍ଷିପ୍ତ, ଯାହାକୁ ଧରି ରଖିବାକୁ କେନ୍ଦ୍ର ଶକ୍ତିହୀନ; ପୃଥିବୀ ଉପରେ ଅରାଜକତା ଅଜାଡ଼ି ହୋଇ ପଡୁଛି।’ ସତ କହିଲେ, ଇସ୍ରାଏଲ୍‌ ଓ ଗାଜା ପଟିରେ ଏଭଳି ଏକ ମୁରବିହୀନ ନୈରାଜ୍ୟର ଦୃଶ୍ୟପଟ ସୃଷ୍ଟି ହୋଇନାହିଁ କି? ଯେଉଁଠି ଜାତିସଂଘ ଉପରୋକ୍ତ କବିତାରେ ବର୍ଣ୍ଣିତ ଅମାନିଆ ଫାଲକନ ପକ୍ଷୀର ମୁନିବ ଭଳି କେବଳ ଅସହାୟ ଡାକ ଭରିବାରେ ଲାଗିଛି!