ଖରା, ବର୍ଷା, ରାସ୍ତାର ଧୂଳିଧୂଅଁାକୁ ଖାତିର ନ କରି ନାଗରିକମାନଙ୍କୁ ସେବା ଯୋଗାଇ ଚାଲି ସହରର ଏହି ପ୍ରିୟ ଚରିତ୍ରମାନେ ନିୟମିତ ଭାବରେ ବିଭିନ୍ନ ପ୍ରକାର ଅସୁସ୍ଥତାର ଶିକାର ହୋଇଥାନ୍ତି। ଏହାବାଦ୍ ସେମାନଙ୍କର ଦୁର୍ବଳତାର ସୁଯୋଗ ନେଇ ଅସାଧୁ ପୁଲିସ ଓ ନଗରପାଳିକା କର୍ମଚାରୀମାନେ ସେମାନଙ୍କୁ ନିୟମିତ ଭାବରେ ଶୋଷଣ କରିବା ଏକ ଜଣାଶୁଣା କଥା। ସେମାନଙ୍କ ମଧ୍ୟରୁ ଜଣେ ନୂତନ ଭାରତୀୟ ନ୍ୟାୟ ସଂହିତାର ପ୍ରଥମ ଶରବ୍ୟ ହେବାରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେବେ ଆଶ୍ବାସନାର କଥା, ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଦିଲ୍ଲୀ ପୁଲିସ ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରିବା ପାଇଁ ସେଇ ଏଫ୍ଆଇଅାର୍କୁ ରଦ୍ଦ କରିବାକୁ ବାଧ୍ୟ ହୋଇଛି।
ଶହେ ବର୍ଷରୁ ଅଧିକ ପୁରାତନ ଆପରାଧିକ ଆଇନକୁ ହଟାଇ ଜୁଲାଇ ପହିଲା ଠାରୁ ଭାରତରେ ନୂତନ ଆଇନ ‘ଭାରତୀୟ ନ୍ୟାୟ ସଂହିତା ୨୦୨୩’ (‘ବିଏନ୍ଏସ୍’) କାର୍ଯ୍ୟ କରିବା ଆରମ୍ଭ କରିଛି। ଗୃହମନ୍ତ୍ରୀଙ୍କ ଭାଷାରେ ଦଣ୍ଡଦାନ ନୁହେଁ, ନ୍ୟାୟ ପ୍ରଦାନ ହେଉଛି ଏହି ପରିମାର୍ଜିତ ଆଇନର ମୂଳ ଲକ୍ଷ୍ୟ। ଏହା ଏକ ଭାଷାର ଖେଳ ମାତ୍ର। ଅସଲ କଥା ହେଲା, ସମାଜରେ ଯଦି ଆଦୌ କୌଣସି ଅପରାଧ ଘଟୁ ନଥାନ୍ତା, ତା’ହେଲେ ସେଭଳି ସମାଜରେ କୌଣସି ଆପରାଧିକ ଆଇନର ଆବଶ୍ୟକତା ନଥାନ୍ତା। ତେଣୁ ଅପରାଧୀକୁ ଦଣ୍ଡ ଦେଇ ଅପରାଧକୁ ପ୍ରତିହତ କରିବା ହେଉଛି ଆପରାଧିକ ଆଇନର ଉପସ୍ଥିତିର ଅସଲ ଉଦ୍ଦେଶ୍ୟ।
ଏହି ପରିପ୍ରେକ୍ଷୀରେ କେଉଁ ଅପରାଧ ବିରୁଦ୍ଧରେ ଏହି ନୂତନ ଆଇନର ସର୍ବପ୍ରଥମ ପ୍ରୟୋଗ କରାଯାଇଛି, ତାହା ଏକ ପ୍ରତୀକାତ୍ମକ ତାତ୍ପର୍ଯ୍ୟ ବହନ କରିଥାଏ। ଭାରତରେ ଯେଉଁସବୁ ଜଘନ୍ୟ ଅପରାଧମାନ ନିୟମିତ ଘଟିବା ଦେଖାଯାଇଥାଏ, ସେଥିମଧ୍ୟରୁ ଧର୍ଷଣ ହେଉଛି ଅନ୍ୟତମ ମୁଖ୍ୟ ଅପରାଧ। ‘ନେସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ’ (‘ଏନ୍ସିଆର୍ବି’) ଅନୁସାରେ ଆମ ଦେଶରେ ହାରାହାରି ପ୍ରତି ୬ ମିନିଟ୍ରେ ଗୋଟିଏ ଧର୍ଷଣ ଅପରାଧ ସଂଘଟିତ ହୋଇଥାଏ। ସେହିପରି ଏଠାରେ ଦିନକୁ ହାରାହାରି ୮୨ଟି ହତ୍ୟାକାଣ୍ଡ ଘଟିଥାଏ। ଅପହରଣ ହେଉଛି ଆଉ ଏକ ଗୁରୁତର ଅପରାଧ; ଦିନକୁ ହାରାହାରି ୨୯୪ଟି ଏହି ଅପରାଧ ଘଟିଥାଏ। ଏଭଳି ପରିସଂଖ୍ୟାନ ଦେଖି ଆଶା କରାଯିବା କଥା ଯେ ଯେଉଁ ଅପରାଧୀ ଜଣକ ଦେଶର ଏହି ନୂତନ ଆଇନର ପ୍ରଥମ ନିଶାଣ ହେବାର ଐତିହାସିକ ଖ୍ୟାତି ବା ଅପଖ୍ୟାତି ଅର୍ଜନ କରିବ, ସେ ଉପର ଲିଖିତ ଅପରାଧମାନଙ୍କ ଭଳି କୌଣସି ଏକ ଜଘନ୍ୟ ଅପରାଧ ଘଟାଇଥିବ।
କିନ୍ତୁ ଏଭଳି ଚିନ୍ତାଧାରାକୁ ସଂପୂର୍ଣ୍ଣ ଓଲଟାଇଦେବା ଭଳି ଜୁଲାଇ ପହିଲା ଦିନ ଏହି ଆଇନ ଅନୁସାରେ ଦେଶରେ ଯେଉଁ ସର୍ବପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ହେଉଛି ଦିଲ୍ଲୀ ପୁଲିସ ‘ବିଏନ୍ଏସ୍’ର ଧାରା-୨୮୫ ବଳରେ ପଞ୍ଜୀକୃତ କରିଥିବା ଏକ ଏଫ୍ଆଇଆର୍। ଯାହାଙ୍କ ବିରୋଧରେ ଏହି ଏଫ୍ଆଇଆର୍ ଦରଜ କରାଯାଇଛି, ସେ ହେଉଛନ୍ତି ଜଣେ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଠେଲା ଗାଡ଼ିବାଲା, ଯେଉଁମାନେ ସାଧାରଣତଃ ‘ଷ୍ଟ୍ରିଟ୍ ହକର୍’ ବା ‘ଷ୍ଟ୍ରିଟ୍ ଭେଣ୍ଡର୍’ ରୂପେ ଦେଶର ପ୍ରତ୍ୟେକ ସହରରେ ସୁପରିଚିତ। ଦିଲ୍ଲୀର ଏହି ହକର୍ ଜଣଙ୍କର ଅପରାଧ ହେଲା, ସେ ନୂଆଦିଲ୍ଲୀ େରଳ ଷ୍ଟେସନସ୍ଥିତ ଏକ ଫୁଟ୍ ଓଭର୍ବ୍ରିଜ୍ ତଳେ ତାଙ୍କ ଠେଲା ଗାଡ଼ିରୁ ପାଣି ବୋତଲ, ବିଡ଼ି, ସିଗାରେଟ୍ ଆଦି ବିକ୍ରି କରି ଯାତାୟାତରେ ବାଧା ସୃଷ୍ଟି କରୁଥିଲେ। ଏହି ଏଫ୍ଆଇଆର୍ ଦ୍ବାରା ବିହାରର ମୂଳ ବାସିନ୍ଦା ପଙ୍କଜ କୁମାର ନାୟକ ଏହି ୨୩ ବର୍ଷୀୟ ହକର୍ ଜଣକ ଭାରତୀୟ ନ୍ୟାୟ ସଂହିତାର ଯାତ୍ରାର ଅୟମାରମ୍ଭରେ ଏକ ଐତିହାସିକ ଚରିତ୍ରରେ ପରିଣତ ହୋଇଯାଇଛନ୍ତି।
ଉପର ବର୍ଣ୍ଣିତ ଗୁରୁତର ଅପରାଧଗୁଡ଼ିକର ପ୍ରାବଲ୍ୟ ଦେଶରେ ପୁଲିସର ଅପାରଗତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ପର୍ଯ୍ୟବେକ୍ଷକମାନଙ୍କ ଦୃଷ୍ଟିରେ ପଙ୍କଜ କୁମାରଙ୍କ ପରି ଜଣେ ଦୁର୍ବଳ ହକର୍ ସ୍ବାଭାବିକ ଭାବରେ ‘‘ମାର୍ ମାର୍ ଭଣ୍ଡାରିଆକୁ ମାର୍’’ ନ୍ୟାୟରେ ପୁଲିସ ପାଇଁ ଏକ ନରମ ନିଶାଣ ରୂପେ ପ୍ରତୀୟମାନ ହୋଇଛନ୍ତି। ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଏହାର ପ୍ରତିକ୍ରିୟାରେ ‘ନେସନାଲ୍ ହକର୍ ଫେଡେରେସନ୍’ ପୁଲିସ ଦ୍ବାରା ଗ୍ରହଣ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ସମାଜର ବଞ୍ଚିତ ବର୍ଗକୁ ନିଶାଣ କରିବା ଏବଂ କ୍ଷମତାର ଦୁରୁପଯୋଗର ଉଦାହରଣ ରୂପେ ଦୃଢ଼ ବିରୋଧ କରିଛି। ପ୍ରାୟ ୮୦୦ରୁ ଅଧିକ ଷ୍ଟ୍ରିଟ୍ ଭେଣ୍ଡର୍ ସଂଗଠନ, ୧୧ଟି ସେଣ୍ଟ୍ରାଲ୍ ଟ୍ରେଡ୍ ୟୁନିଅନ୍ ଏବଂ ‘ଏନ୍ଜିଓ’ମାନଙ୍କର ପ୍ରତିନିଧିତ୍ବ କରୁଥିବା ଏହି ନେସ୍ନାଲ୍ ଫେଡେରେସନ୍ ସମସ୍ତ ମାନବାଧିକାର ସଂଗଠନ ଓ ଦେଶର ସମସ୍ତ ନାଗରିକମାନଙ୍କୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ନିମିତ୍ତ ଆହ୍ବାନ ଦେଇଛି।
ପୁଲିସ ଦୃଷ୍ଟିରେ ଷ୍ଟ୍ରିଟ୍ ଭେଣ୍ଡର୍ମାନେ ନରମ ନିଶାଣ ରୂପେ ବିବେଚିତ ହେଉଥିଲେ ହେଁ ସେମାନେ ନିର୍ବାହ କରୁଥିବା ଅର୍ଥେନୖତିକ ଭୂମିକାର ଗୁରୁତ୍ବ ହଠାତ୍ କାହାରି ଦୃଷ୍ଟିଗୋଚର ହୋଇ ନ ଥାଏ। ସେମାନେ ସହର ବାସିନ୍ଦାମାନଙ୍କ ସହଜ ପହୁଞ୍ଚ ମଧ୍ୟରେ ଅନେକ ଅତ୍ୟନ୍ତ ଦରକାରୀ ଦ୍ରବ୍ୟ ଓ ସେବାମାନ ସର୍ବସାଧାରଣ ସ୍ଥାନମାନଙ୍କରେ ଉପଲବ୍ଧ କରାଇଥାନ୍ତି। ତାଜା ପନିିପରିବାରୁ ଆରମ୍ଭ କରି ରନ୍ଧା ଖାଦ୍ୟ, ପୋଷାକପତ୍ରରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ ଦ୍ରବ୍ୟସବୁ ପର୍ଯ୍ୟନ୍ତ ଏମାନଙ୍କ ପାଖରେ ସହଜରେ ମିଳି ଯାଇଥାଏ। ଅଧିକାଂଶ ଷ୍ଟ୍ରିଟ୍ ଭେଣ୍ଡର୍ ସେମାନଙ୍କ ପରିବାର ପାଇଁ ମୁଖ୍ୟ ଆୟ ଅର୍ଜନକାରୀ ହୋଇଥାନ୍ତି- ପରିବାରର ଅନ୍ନ ସଂସ୍ଥାନ ଠାରୁ ପିଲାଙ୍କ ସ୍କୁଲ୍ ଫି ପୈଠ ପର୍ଯ୍ୟନ୍ତ ସେମାନଙ୍କ ଉପରେ ନିର୍ଭର କରିଥାଏ।
ଅସଂଗଠିତ କ୍ଷେତ୍ରର ଏହି ଜୀବିକା ଅର୍ଜନକାରୀମାନଙ୍କର ଅର୍ଥନୀତିର ସଂଗଠିତ କ୍ଷେତ୍ର ସହିତ ମଧ୍ୟ ନିବିଡ଼ ସଂପର୍କ ରହିଥାଏ। ସେମାନେ ସଂଗଠିତ କ୍ଷେତ୍ରରେ ଉତ୍ପାଦିତ ପଦାର୍ଥମାନ କ୍ରୟ କରି ତାହାକୁ ଅଗଣିତ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇ ଦେଇଥାନ୍ତି- ପଙ୍କଜ କୁମାର ବିକ୍ରି କରୁଥିବା ପାଣି ବୋତଲ ବା ସିଗାରେଟ୍ ପ୍ୟାକେଟ୍ ଉତ୍ପାଦିତ ହୋଇଥାଏ ସଂଗଠିତ କ୍ଷେତ୍ରରେ। ତା’ଛଡ଼ା ଏମାନଙ୍କର ଗ୍ରାହକମାନଙ୍କ ମଧ୍ୟରୁ ଅନେକ ସଂଗଠିତ କ୍ଷେତ୍ରରେ ନିୟୋଜିତ ହୋଇଥାନ୍ତି। ଅନେକ ଭେଣ୍ଡର୍ ସେମାନଙ୍କର ପାରିପାର୍ଶ୍ବିକ ପରିବେଶକୁ ସଫାସୁତୁରା ରଖିଥାନ୍ତି ଓ ଗ୍ରାହକମାନଙ୍କୁ ପ୍ରୀତିପ୍ରଦ ବ୍ୟକ୍ତିଗତ ସେବା ପ୍ରଦାନ କରିଥାନ୍ତି। ସେମାନେ ନିଜେ ଜୀବିକାର୍ଜନ କରିବା ସହିତ ବୋଝବୁହାଳି, ସିକ୍ୟୁରିଟି ଗାର୍ଡ, ପରିବହନକାରୀ, ଗୋଦାମବାଲା ଓ ଅନ୍ୟମାନଙ୍କ ପାଇଁ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତି। ସେମାନେ ମଧ୍ୟ ଲାଇସେନ୍ସ, ପର୍ମିଟ୍, ଫି, ଫାଇନ୍ ଓ ଟିକସ ଆଦି ମାଧ୍ୟମରେ ସଂପୃକ୍ତ ସହର ପ୍ରଶାସନର ରାଜକୋଷକୁ ପରିପୁଷ୍ଟ କରିଥାନ୍ତି। କେହି ଅସ୍ବୀକାର କରିପାରିବେ ନାହିଁ ଯେ ସେମାନେ ସହରୀ ଜୀବନଯାତ୍ରାକୁ ଚଳଚଞ୍ଚଳ କରିଥାନ୍ତି ଓ ଅନେକ ସମୟରେ ସେମାନେ ସଂପୃକ୍ତ ସହରର ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇଯାଆନ୍ତି (ଯେମିତି କଟକର ‘ରଘୁ ଦହିବରା ଆଳୁଦମ୍’)।
ଖରା, ବର୍ଷା, ରାସ୍ତାର ଧୂଳିଧୂଅଁାକୁ ଖାତିର ନ କରି ନାଗରିକମାନଙ୍କୁ ସେବା ଯୋଗାଇ ଚାଲି ସହରର ଏହି ପ୍ରିୟ ଚରିତ୍ରମାନେ ନିୟମିତ ଭାବରେ ବିଭିନ୍ନ ପ୍ରକାର ଅସୁସ୍ଥତାର ଶିକାର ହୋଇଥାନ୍ତି। ଏହାବାଦ୍ ସେମାନଙ୍କର ଦୁର୍ବଳତାର ସୁଯୋଗ ନେଇ ଅସାଧୁ ପୁଲିସ ଓ ନଗରପାଳିକା କର୍ମଚାରୀମାନେ ସେମାନଙ୍କୁ ନିୟମିତ ଭାବରେ ଶୋଷଣ କରିବା ଏକ ଜଣାଶୁଣା କଥା। ସେମାନଙ୍କ ମଧ୍ୟରୁ ଜଣେ ନୂତନ ଭାରତୀୟ ନ୍ୟାୟ ସଂହିତାର ପ୍ରଥମ ଶରବ୍ୟ ହେବାରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେବେ ଆଶ୍ବାସନାର କଥା, ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଦିଲ୍ଲୀ ପୁଲିସ ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରିବା ପାଇଁ ସେଇ ଏଫ୍ଆଇଅାର୍କୁ ରଦ୍ଦ କରିବାକୁ ବାଧ୍ୟ ହୋଇଛି। ନୂତନ ନ୍ୟାୟ ସଂହିତା ପ୍ରୟୋଗ କରି ପୁଲିସ ଅସଲ ଅପରାଧ ସବୁକୁ ନିୟନ୍ତ୍ରଣ କରିବାରେ କେତେଦୂର ସଫଳ ହେବା ଦେଖିବାକୁ ବାକି ରହିଲା।