ଦୋଳ ଏବଂ ହୋଲିର ରଙ୍ଗ ଓ ଫଗୁ ଖେଳର ପରଂପରା ଭାରତକୁ ଏକ ନୂଆ ପରିଚିତି ଦେଇଥାଏ। ବିଦେଶୀମାନେ ଏହାକୁ କାର୍ନିଭାଲ ତୁଲ୍ୟ ଏକ ମଉଜ ଭରା ଉତ୍ସବ ଭାବେ ଦେଖନ୍ତି। ପୃଥିବୀର ବିଭିନ୍ନ ସ୍ଥାନରେ ଏଭଳି ମଉଜଭରା ଉତ୍ସବମାନ ପାଳିତ ହୋଇଥାଏ। ଆମ ଦୋଳ ବା ହୋଲି ପଛରେ ଏକ ପ୍ରାଚୀନ ପରଂପରା ଏବଂ ପୌରାଣିକ ଆଖ୍ୟାନ ଅଛି। ଅନ୍ୟାନ୍ୟ ଦେଶରେ ପାଳିତ ହେଉଥିବା ଏଭଳି ଗମାତ-ମୁଖର ଉତ୍ସବ ପଛରେ ମଧ୍ୟ କାହାଣୀ ବା ଘଟଣା ଥିବାର ଦେଖାଯାଏ।
ଇଟାଲୀରେ ‘ବ୍ୟାଟେଲ୍ ଅଫ୍ ଦି ଅରେଞ୍ଜେସ୍’ ନାମରେ ଏକ ଗମାତଭରା ଖେଳ ଖେଳାଯାଇଥାଏ। ଫେବ୍ରୁଆରି ବା ବେଳେବେଳେ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଲୋକେ ପରସ୍ପର ଉପରକୁ ପାଚିଲା କମଳା ନିକ୍ଷେପ କରନ୍ତି। ଏହା ତିନି ଦିନ ଧରି ଚାଲେ। ଏହି ଉତ୍ସବ ପାଳନ ପଛରେ ଏକ ଇତିହାସ ରହିଛି। ଦ୍ୱାଦଶ ଶତାବ୍ଦୀ ବେଳକୁ ଇଟାଲୀର ଲଭିଆ ସହରର ଶାସକ ତୃତୀୟ ଗୁଡିଓ ଥିଲେ ଅତ୍ୟନ୍ତ ଅତ୍ୟାଚାରୀ। କିଂବଦନ୍ତି ଅଛି ଯେ ଭାଲିଓଟା ନାମକ ଜଣେ ତରୁଣୀଙ୍କ ହାତରେ ଗୁଡିଓ ପ୍ରାଣ ହରାଇଥିଲେ। ଗୁଡ଼ିଓ ପ୍ରକୃତରେ ଭାଓଲିଟାଙ୍କୁ ତାଙ୍କ ବିବାହ ଦିନ ଅପହରଣ କରି ତାଙ୍କ ସହିତ ରାତ୍ରିଯାପନ କରିବାକୁ ବାଧ୍ୟ କରୁଥିଲା। ଭାଓଲିଟା କୌଶଳ କ୍ରମେ ତା’ର ଶିର ଛେଦନ କରିଥିଲେ। ଗୁଡିଓର ମୃତ୍ୟୁ ପରେ ସହରର ନାଗରିକମାନେ ଖୁସିରେ ଏକଜୁଟ ହୋଇ ଗୁଡିଓର ସୈନିକମାନଙ୍କୁ ତଡ଼ି ଦେଇଥିଲେ। ଏହି ନାଗରିକମାନଙ୍କ ସହିତ ସୈନିକମାନଙ୍କ ଯୁଦ୍ଧର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ଲାଗି ପ୍ରତୀକାତ୍ମକ ଭାବେ କମଳା ଫିଙ୍ଗା ଲଢ଼େଇ ଲଢ଼ାଯାଏ। ଏହା ସରିବା ବେଳକୁ ସମଗ୍ର ଅଞ୍ଚଳ କମଳା ରସ ଓ ରଙ୍ଗରେ ରସାଣିତ ହୋଇଯାଇଥାଏ।
ଇଟାଲୀରେ କମଳା ଫିଙ୍ଗା ଭଳି ସ୍ପେନ୍ରେ ପରସ୍ପର ଉପରକୁ ଟମାଟୋ ଫିଙ୍ଗାଯାଏ। ଏହି କ୍ରମରେ ଏକ ମଉଜିଆ ପର୍ବ ଖୁବ୍ ଲୋକପ୍ରିୟ ହୋଇଛି। ୧୯୪୫ ମସିହା ଠାରୁ ଏହା ଆୟୋଜିତ ହେଉଛି। କୁହାଯାଏ ଯେ ସେଠାକାର ବାଉନଲ୍ ସହରର ମୁଖ୍ୟ ଛକରେ ଏକ ମୁଖା ନୃତ୍ୟ ଚାଲିଥିବା ବେଳେ କେତେକ କଳାକାରଙ୍କର ମୁଖା ଅକସ୍ମାତ୍ ଖସି ଯାଇଥିଲା। ଏହି ଠାରୁ ଆରମ୍ଭ ହୋଇଗଲା ଗାଳିଗୁଲଜ ଓ ରାସ୍ତାକଡ଼ରେ ବିକ୍ରି ହେଉଥିବା ଟମାଟୋ ମାଡ଼। ଦେଖଣାହାରୀମାନେ ମଧ୍ୟ ଏଥିରେ ସାମିଲ ହେଲେ। ସବୁ ଶାନ୍ତ ହେବା ବେଳକୁ ସମଗ୍ର ଅଞ୍ଚଳ ରକ୍ତ ସୁଅରେ ଲାଲ ହୋଇ ଯାଇଥିବା ଭଳି ଲାଗିଲା। ଘଟଣାଟି ଅକସ୍ମାତ୍ ଘଟିଗଲା ସିନା, ଏକ ପରଂପରାର ମଞ୍ଜି କିନ୍ତୁ ପୋତି ହୋଇଗଲା। ପର ବର୍ଷ କେତେକ ଅତ୍ୟୁତ୍ସାହୀ ଯୁବକ ସେହି ଘଟଣାର ପୁନରାବୃତ୍ତି ସ୍ବରୂପ ଗମାତରେ ଟମାଟୋ ଫିଙ୍ଗାରେ ଲାଗିଲେ। ଶୀଘ୍ର ଏହା ଏକ ଗଣପର୍ବର ରୂପ ନେଲା। ତେବେ, ୧୯୫୦ ମସିହାରେ ଏହାକୁ ଏକ ଅପସଂସ୍କୃତି ବୋଲି ବିଚାର କରି ସ୍ପେନ୍ ସରକାର କିଛି କାଳ ଲାଗି ଏହାକୁ ବନ୍ଦ କରି ଦେଇଥିଲେ। କିନ୍ତୁ ଏହା ବିରୋଧରେ ପ୍ରବଳ ଜନ ଆନ୍ଦୋଳନ ହେଲା ଏବଂ ଶେଷରେ ସରକାର ମୁଣ୍ଡ ନୁଆଁଇଥିଲେ।
ସେମିତି ଦକ୍ଷିଣ କୋରିଆରେ ଲୋକେ କାଦୁଅ ବୋଳାବୋଳି ଖେଳ ଖେଳନ୍ତି। ଏହି ଗମାତିଆ ପର୍ବ ମାତ୍ର ପଚିଶ ବର୍ଷ ତଳେ ଅର୍ଥାତ୍ ୧୯୯୮ ମସିହାରେ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଏହା ଅତି ଲୋକପ୍ରିୟ ହୋଇପାରିଛି। ଏକ ହିସାବ ଅନୁସାରେ ୨୦୦୭ ମସିହା ସୁଦ୍ଧା ୨୨ ଲକ୍ଷ ବହିରାଗତ ପର୍ଯ୍ୟଟକ ଏହି ଖେଳରେ ଅଂଶଗ୍ରହଣ କରିଥିଲେ। ଏହି ଖେଳର ଉଦ୍ଦେଶ୍ୟ ମହାନ। ଅତି ଉନ୍ନତ ରାଷ୍ଟ୍ର ଭାବେ ପରିଚିତ ଦକ୍ଷିଣ କୋରିଆ କଂକ୍ରିଟମୟ ହୋଇ ଉଠୁଥିବାରୁ ମାଟି ସହିତ ନିବିଡ଼ ହେବାର ଅନୁଭୂତି ସକାଶେ ଏହାର ଆୟୋଜନ କରାଯାଇଥାଏ। ଏହି ଉତ୍ସବ ଲାଗି ସିଓଲ ଠାରୁ ୨୦୦ କିଲୋମିଟର ଦୂର ବୋରିଅଙ୍ଗ ଅଞ୍ଚଳର ମାଟି ବୁହା ହୋଇ ଆସେ। ଉତ୍ସବଟି ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାେଲ। ଏଥିରେ ଅଂଶଗ୍ରହଣକାରୀମାନେ ପରସ୍ପର ଦେହରେ ମାଟି ବୋଳାବୋଳି ହୋଇ ଗମାତ କରନ୍ତି। ଏହି ମାଟିରେ ପ୍ରଚୁର ପରିମାଣର ବେଣ୍ଟୋନାଇଟ୍ ଓ ଜର୍ମାନିଅମ୍ ଭଳି ଖଣିଜ ଥିବାରୁ ଏହା ଚମ ଲାଗି ଭଲ ବୋଲି ଏହାକୁ ବ୍ୟବହାର କରି ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରାଯାଉଛି, ଯାହା ପ୍ରଭୂତ ଭାବେ ଲୋକପ୍ରିୟ ମଧ୍ୟ ହେଉଛି।
ମେକ୍ସିକୋରେ ‘ଡେ ଅଫ ଦି ଡେଡ୍ ମ୍ୟାନ୍’ ବା ‘ମୃତ ମଣିଷର ଦିନ’ ନାମକ ଉତ୍ସବ ପାଳନ କରାଯାଏ, ଯହିଁରେ ଅଂଶଗ୍ରହଣକାରୀମାନେ ଶରୀରରେ ରଙ୍ଗ ବୋଳି ହୋଇ ନୃତ୍ୟ କରନ୍ତି। ବ୍ରାଜିଲର କାର୍ନିଭାଲ ମଧ୍ୟ ଏକ ଅତ୍ୟନ୍ତ ଉଚ୍ଚାଟଭରା ମଉଜିଆ ଉତ୍ସବ, ଯହିଁରେ ଗମାତର ସ୍ତର ଅନେକ ସମୟରେ ସୀମା ଟପିଯାଏ ଏବଂ ହିଂସାକାଣ୍ଡ ମଧ୍ୟ ଘଟେ। ଥାଇଲାଣ୍ଡରେ ଆମ ଦେଶର ଫଗୁ ଖେଳ ଭଳି ରଙ୍ଗ ଖେଳ ଖେଳାଯାଏ। ପ୍ରତି ବର୍ଷ ଏପ୍ରିଲ୍ ୧୩ ତାରିଖରେ ତିନି ଦିନ ଯାଏ ଏହି ଖେଳ ଖେଳାଯାଏ, ଯେଉଁଥି ଲାଗି ସରକାରୀ ଛୁଟି ମଧ୍ୟ ହୋଇଥାଏ। ତେବେ, ୨୦୧୯ ମସିହା ଠାରୁ ଏପ୍ରିଲ୍ ୯ ତାରିଖରୁ ସାତ ଦିନ ପର୍ଯ୍ୟନ୍ତ ଏହି ଉତ୍ସବକୁ ପାଳନ କରାଯାଉଛି। ଏହାକୁ ସୋଙ୍ଗକ୍ରାନ୍ ବୋଲି କୁହାଯାଏ। ଏହି ଦିନ ପ୍ରଭାତରୁ ସେଠାକାର ଲୋକମାନେ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଭୋଜନ ଅର୍ପଣ କରନ୍ତି ଓ ବୁଦ୍ଧଙ୍କୁ ନେଇ କେତେକ କର୍ମକାଣ୍ଡ କରାଯାଏ। ତା’ ପରେ ଆବାଳବୃଦ୍ଧବନିତା ଏଥିରେ ମାତିଯାଇ ପରସ୍ପରକୁ ପାଣି ଓ ରଙ୍ଗରେ ଗାଧୋଇ ଦିଅନ୍ତି।
ଆଉ ଯାହା ହେଉ ବା ନହେଉ, ଏଭଳି ମଉଜିଆ ପର୍ବର ଭୂମିକା ସାଧାରଣ ଲୋକମାନଙ୍କ ମନରୁ ଚାପ ଦୂର କରିଥାଏ। ଭାରାକ୍ରାନ୍ତ ଜୀବନରୁ ଅବ୍ୟାହତି ପାଇ ଲୋକେ ପୁଣି ନୂଆ ଉତ୍ସାହର ସହିତ ଜୀବନକୁ ଭେଟନ୍ତି।
ମୋ: ୯୯୩୭୮୬୩୫୨୮
ମଉଜିଆ ପର୍ବ
ମିହିର ପ୍ରତାପ ଦାସ
/sambad/media/post_attachments/wp-content/uploads/2024/04/gdgjddgjdgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)