ଓଡ଼ିଆ ବଞ୍ଚାଇବାକୁ ବୁଦ୍ଧି ଲୋଡ଼ା

ସୁମନ୍ୟୁ ଶତପଥୀ

ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ଯେଉଁ ଭାଷଣ ଏବଂ କଥାବାର୍ତ୍ତା ଚାଲୁଛି, ତାହା ପ୍ରାୟତଃ କବି, ଗାଳ୍ପିକ ଓ ଔପନ୍ୟାସିକମାନଙ୍କ ପାଖରୁ ଶୁଣାଯାଉଛି। ଆପଣ ମଧ୍ୟ ଶୁଣିଥିବେ, ‘ପିଲାମାନେ ଯେପରି ଇଂରେଜୀ ପଢୁଛନ୍ତି ଓ ଓଡ଼ିଆକୁ ହତାଦର କରୁଛନ୍ତି, ୨୦ ବର୍ଷ ପରେ ଆମର ଲେଖା ପଢ଼ିବାକୁ କେହି ନ ଥିବେ।’ କିମ୍ବା ନହେଲେ, ଆଉ କେହି କେହି କହୁଛନ୍ତି ଯେ ‘୧୫୦ ବର୍ଷ ପୂର୍ବରୁ ଆମ ପୂର୍ବପୁରୁଷମାନେ ଯେଉଁ ଭାଷା ଆନ୍ଦୋଳନ କରି ଆମ ଓଡ଼ିଆ ଭାଷାକୁ ବଙ୍ଗାଳୀମାନଙ୍କଠାରୁ ବଞ୍ଚାଇଥିଲେ, ସବୁ ବୃଥା ଗଲା’ ଇତ୍ୟାଦି। କିନ୍ତୁ କହିବା କଥା, ଏପରି ଭାବବିହ୍ବଳତା ଦ୍ବାରା ଓଡ଼ିଆ ଭାଷା କିମ୍ବା ଅନ୍ୟ କୌଣସି ଭାଷା ବଞ୍ଚିବ ନାହିଁ। ତା’ପରେ କିଛି ଲୋକ ଏହା ମଧ୍ୟ କହୁଛନ୍ତି ସରକାର କିଛି କରିବା କଥା!

ପ୍ରଥମ କଥା ହେଲା, ଯଦିଓ, ଭାଷା ହୃଦୟ ସହିତ ହୃଦୟକୁ ଯୋଡ଼ିବା ପାଇଁ ଅଥବା ନିଜର ବକ୍ତବ୍ୟକୁ ପ୍ରକାଶ କରିବା ପାଇଁ ଆବଶ୍ୟକ, ଭାଷାର ବଞ୍ଚିବା ବା ମରିବା କଥା ଜୀବିକା ସହିତ ସମ୍ପର୍କ ରଖେ। ଇଂରେଜୀ ଭାଷା ଶିକ୍ଷା ଦ୍ବାରା ଚାକିରି ବା କାମ ମିଳିବାର ଗ୍ୟାରେଣ୍ଟି ଅଛି ବୋଲି, ଗରିବ ଲୋକ ମଧ୍ୟ ପେଟ କାଟି ନିଜର ଛୁଆମାନଙ୍କୁ ଇଂରେଜୀ ଶିକ୍ଷା ଦେଉଛନ୍ତି। ଓଡ଼ିଆ ପଢ଼ିଲେ କ’ଣ ପେଟ ପୂରିବ? ପିଲେ ଯଦି ଓଡ଼ିଆ ନ ପଢ଼ିବେ, ତେବେ ଓଡ଼ିଆ ସ୍କୁଲ କାହିଁକି ରହିବ? ଯଦି ଓଡ଼ିଆ ସ୍କୁଲ ନ ରହିବ, ପିଲେ କେମିତି ଓଡ଼ିଆ ପଢ଼ିବେ? କିନ୍ତୁ କୁହନ୍ତୁ ଏଣେ ଓଡ଼ିଆ ଚ୍ୟାନେଲ୍‌ର ସଂଖ୍ୟା କେତେ? କାହିଁକି ତା’ର ସଂଖ୍ୟା ବଢୁଛି? ଓଡ଼ିଆ ଖବରକାଗଜର ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଲୋକେ ଓଡ଼ିଆ ପଢୁଛନ୍ତି, ଶୁଣୁଛନ୍ତି, କହୁଛନ୍ତି। ଇଂରେଜୀ ବା ହିନ୍ଦୀରେ ଭାଷଣ ଦେଲେ କେତେ ନେତା ଭୋଟ ପାଇବେ?

ଉଚ୍ଚଶିକ୍ଷା ପାଇଁ ସବୁ ପାଠ୍ୟପୁସ୍ତକ ଇଂରେଜୀରେ ଲେଖା: ମେଡିକାଲ, ଇଂଜିନିୟରିଂ, ମ୍ୟାନେଜମେଣ୍ଟ ଇତ୍ୟାଦି। ଏପରିକି ସାମାଜିକ ବିଜ୍ଞାନ ଲେଖା ସବୁ ଇଂରେଜୀରେ। ଇଂରେଜୀ ନ ଜାଣି, ଜାପାନ, ଚାଇନା, ଜର୍ମାନୀ ସମସ୍ତେ ତ ମାଇକ୍ରୋବାୟୋଲୋଜି, କମ୍ପ୍ୟୁଟର ବିଜ୍ଞାନ ସବୁ ଶିକ୍ଷା ପାଉଛନ୍ତି। କିନ୍ତୁ ଅଧମ ଭାରତୀୟମାନେ, କେବଳ ଇଂ‌େରଜୀ ଛଡ଼ା ଆଉ କୌଣସି ଭାରତୀୟ ଭାଷାରେ ଏସବୁ ପଢ଼ିପାରୁନାହାନ୍ତି। ବି.ଏ. ପରେ ଓଡ଼ିଆରେ ପାଠ ବନ୍ଦ। ଅନୁବାଦ ମାନେ, ଭାରତୀୟ ଭାଷାରୁ ଗଳ୍ପ ଇତ୍ୟାଦି ଇଂରେଜୀକୁ ଅନୁବାଦ କରାଯିବା। ମେଡିକାଲର ପାଥୋଲୋଜି ବା ଆଇନର ନ୍ୟାୟଶାସ୍ତ୍ର ବା ପଦାର୍ଥ ବିଜ୍ଞାନର ଥର୍ମୋଡାଇନାମିକ୍‌ସ ଓଡ଼ିଆରେ ଉପଲବ୍‌ଧ କରାଯାଇପାରି ନାହିଁ। ଏପରି ଚେଷ୍ଟା ୫୦ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ, ଆଜି ଆମେ ଏ ଅବସ୍ଥାରେ ପଡ଼ି ନଥାନ୍ତୁ। ଏହା ଏକ ଆଶ୍ଚର୍ଯ୍ୟର କଥା ନୁହେଁ କି ଏବେ ବି କେହି ଡାକ୍ତର ବା ଇଂଜିନିୟର ଏ କଥା ଉଠାଉନାହାନ୍ତି। କେବଳ କବି ଓ ସାହିତ୍ୟିକ ଓଡ଼ିଆ ବଞ୍ଚାଇବା କଥା ନିଜ ସ୍ବାର୍ଥ ପାଇଁ କହୁଛନ୍ତି; ନିଜ ପିଲାଙ୍କୁ ଇଂରେଜୀ ପଢ଼ାଇ, ଓଡ଼ିଆ ନ ପଢ଼ାଇ। କିନ୍ତୁ, ଏବେ ବି ସମୟ ଅଛି, ଯଦିଓ ନେଡ଼ି ଗୁଡ଼ କହୁଣିକୁ ବହି ଗଲାଣି।

ଲୋକମାନଙ୍କ ମଧ୍ୟରେ ଏକ ଜାଗରୁକତା ସୃଷ୍ଟି କରିବା କଥା: ସିନେମା, ଯାତ୍ରା, ଟିଭି ସିରିଆଲ, ଖବରକାଗଜ; ଏସବୁର ଚାହିଦା ସବୁବେଳେ ରହିଛି। କିନ୍ତୁ ଏସବୁ ପାଇଁ ଓଡ଼ିଆରେ କିଏ ସ୍କ୍ରିନ୍ ପ୍ଲେ, ସ୍କ୍ରିପ୍‌ଟ ଲେଖିବ ଆଉ ୩୦ ବର୍ଷ ପରେ? ଏଇସବୁ ଯେ ଜୀବିକାର ଏକ ପନ୍ଥା ସେ କଥା ଜାଣିଲେ, ପିଲେ ନିଶ୍ଚେ ପଢ଼ିବେ। ସେମିତି, ସବୁ ଜ୍ଞାନଜନିତ ପୁସ୍ତକର ଓଡ଼ିଆ ଅନୁବାଦ କରିବା ପାଇଁ ସରକାରୀ, ବେସରକାରୀ ସଂସ୍ଥା ସବୁ ସମ୍ବଳ ଯୋଗାଡ଼ କରିବେ ଅବା ଯୋଗାଇବେ। ଲକ୍ଷ ଲକ୍ଷ ଟଙ୍କାର ପାରିଶ୍ରମିକ ଦେଇ ଓଡ଼ିଆ ଶିକ୍ଷାକୁ ପ୍ରୋତ୍ସାହନ ଦେବେ।
ମୋ: ୯୮୭୧୦୭୮୩୦୭
[email protected]

ସମ୍ବନ୍ଧିତ ଖବର