ଝରକା, କରୋନା ଟିକା ଦିଆ ହିସାବ
ଏବେ ଦେଶବାସୀ କରୋନାକୁ ରୋକିବା ପାଇଁ ଟିକାର ବାଟଚାହିଁ ବସିଲେଣି। ଟିକା ଏବେ ଉପଲବ୍ଧ ନୁହେଁ। ଧରନ୍ତୁ ଫେବ୍ରୁଆରିରୁ ମିଳିବ। ସେଥିପାଇଁ କିପରି, କେତେ ବେଗରେ ଦିଆଯିବ ସେ ବିଷୟ କିଛି ଜଣାନାହିଁ। ସରକାରଙ୍କ ଅଧିକାରୀଙ୍କୁ ପଚାରିଲେ, ହଁ, ଦେବାର ସବୁ ବ୍ୟବସ୍ଥା କରାଯାଉଚି ବୋଲି ଉତ୍ତର ମିଳେ। ତେବେ ଏ ବ୍ୟବସ୍ଥା କଅଣ ଓ କିଭଳି କାର୍ଯ୍ୟକାରୀ ହେବ ତାହାର ବିବରଣୀ ମିଳୁନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶରେ ଟିକା (ଇଂଜେକ୍ସନ୍) ଦେବା ପାଇଁ ପ୍ରଶିକ୍ଷିତ ନର୍ସ ଓ ତତ୍ସମ କର୍ମୀଙ୍କ ସଂଖ୍ୟା ଦେଢ଼ ଲକ୍ଷ। ଏମାନେ ଏବେ ବିଭିନ୍ନ କାମରେ ନିଯୁକ୍ତ। ଏମାନଙ୍କ ସଂଖ୍ୟା ହଠାତ୍ ବଢ଼ାଯାଇ ପାରିବନାହିଁ। ତେଣୁ ପ୍ରତିଦିନ (ରବିବାର ସମେତ) ଜଣେ ଟିକା ଦେଲାବାଲା ଘଣ୍ଟାଏ କାମ କରିପାରିବ ବୋଲି ଧରି ନିଆଯାଉ। ଜଣଙ୍କୁ ଟିକା ଦେବା ପାଇଁ ପ୍ରାୟ ପାଞ୍ଚ ମିନିଟ୍ ବେଳ ଲାଗିବ। ତେଣୁ, ଜଣେ ଟିକା ଦେଲାବାଲା ଦିନରେ ବାର ଜଣଙ୍କୁ ଟିକା ଦେଇପାରିବ। ତେଣୁ ଦିନକରେ ୧୮ ଲକ୍ଷ ଲୋକଙ୍କୁ ଟିକା ଦେଇହେବ। ଏ ଟିକା ଦି ଥର ନେବାକୁ ପଡ଼ିବ, ଠିକ୍ କୋଡ଼ିଏ ଦିନର ବ୍ୟବଧାନରେ। ତେଣୁ ପ୍ରତି କୋଡ଼ିଏ ଦିନରେ ତିନି କୋଟି ଷାଠିଏ ଲକ୍ଷ ଲୋକଙ୍କୁ ଏ ଟିକା ଦିଆଯାଇ ପାରିବ। ଏହା ପରେ ଏହି ତିନି କୋଟି ଷାଠିଏ ଲକ୍ଷଙ୍କୁ ଦ୍ବିତୀୟଥରର ଟିକା ପୁଣି କୋଡ଼ିଏ ଦିନ ଦେବାକୁ ହେବ। ତେଣୁ ତିନି କୋଟି ଷାଠିଏ ଲକ୍ଷ ଲୋକଙ୍କୁ ଟିକାଦେବା କାମ ପୂର୍ଣ୍ଣ କରିବାକୁ ଚାଳିଶ ଦିନ ଲାଗିବ। ଭାରତର ଲୋକସଂଖ୍ୟା ଏକଶହ ତିରିଶ କୋଟି। ତେଣୁ, ଟିକା ଦେଲାବାଲାଏ ଅନବରତ କାମକଲେ ଏ ସମସ୍ତ ଲୋକଙ୍କୁ ଟିକାଦେବା ପାଇଁ ୧୪୪୫ ଦିନ, ଅର୍ଥାତ୍ ୩.୯୬ ବର୍ଷ, ମାନେ ଚାରିବର୍ଷ ଲାଗିବ।
ଯଦି ଟିକା ଦେଲାବାଲାଏ ଦିନକୁ ଏକ ପରିବର୍ତ୍ତେ ଚାରି ଘଣ୍ଟା ଏ କାମ କରନ୍ତେ, ତେବେ ବର୍ଷକରେ ଟିକାଦିଆ ସରନ୍ତା। ମାତ୍ର ତାହାର ଅର୍ଥ, ସେମାନେ ଏବେ ନିଯୁକ୍ତ ସବୁ କାମ ବର୍ଷକ ପାଇଁ ବନ୍ଦ କରିବାକୁ ହେବ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଆରମ୍ଭ କରି ସବୁ ଡାକ୍ତରଖାନା ପର୍ଯ୍ୟନ୍ତରେ ନର୍ସ ବର୍ଷକ ପାଇଁ ଉପଲବ୍ଧ ହେବେନାହିଁ। ଚଳିବ କି?
ଟିକା ତିଆରି କଲା ସଂସ୍ଥା ବର୍ଷକ ଭିତରେ ୨୬୦ କୋଟି ଡୋଜ୍ ଟିକା ପ୍ରସ୍ତୁତ କରି ଯୋଗାଇପାରିବେ କି?
ଟିକା ସାଇତି କରି ରଖିବା ପାଇଁ ରିଫ୍ରିଜରେଟର ଆବଶ୍ୟକ। ସବୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାହା ଉପଲବ୍ଧ କି?
ଟିକାକୁ ଟିକା ଦେବା କେନ୍ଦ୍ରରେ ପହଞ୍ଚାଇବା ପାଇଁ ପ୍ରତିଦିନ ଦେଢ଼ଲକ୍ଷ ନହେଲେ ବି ଲକ୍ଷେ ଟ୍ରକ୍ ଦରକାର। ତାହାର ବ୍ୟବସ୍ଥା କରିବାକୁ ହେବ। ଟ୍ରକ୍ରେ ଶୀତ-ତାପ ନିୟନ୍ତ୍ରଣ ବ୍ୟବସ୍ଥା ଆବଶ୍ୟକ। ଟ୍ରକ୍ ସାତ ଦିନରେ ଥରେ ଆସିଲେ କମ୍ ଟ୍ରକ୍ ଲାଗିବେ, ମାତ୍ର କେନ୍ଦ୍ରରେ ସେତେଦିନ ସାଇତି ରଖିବା ପାଇଁ ରିଫ୍ରିଜରେଟରର ବ୍ୟବସ୍ଥା ଆବଶ୍ୟକ।
ଇଂଜେକ୍ସନ୍-ଟିକା ଦେବାପାଇଁ ଯେତିକି ଟିକା ସେତିକି ଛୁଞ୍ଚି, ସିରିଂଜ ଓ ତୁଳା ଆବଶ୍ୟକ। ବର୍ଷ ଭିତରେ ଦୁଇଶହ ଷାଠିଏ କୋଟି ସିରିଂଜ, ଛୁଞ୍ଚି ଓ ତୁଳା ଦରକାର ହେବ- ଦିନକୁ ଅଠର ଲକ୍ଷ। ଯୋଗେଇ ହେବ କି? ଏବେ ଦେଶରେ ଏହାର ମୋଟ ଉତ୍ପାଦନ କେତେ?
ସରକାରୀ ହାକିମଙ୍କୁ ପଚାରିଲେ, ହଁ, ସବୁର ବ୍ୟବସ୍ଥା ହେଉଚି ବୋଲି କହନ୍ତି। ମାତ୍ର ଏ ପ୍ରକାର ହିସାବ କରି ଜଣେଇଲେ ଜଣା ପଡ଼ନ୍ତା।