ଜେନ୍ ଗୁରୁ ନେନେଙ୍କୁ ଜଣେ ପ୍ରଶ୍ନ କଲେ- ପିଲାମାନଙ୍କୁ ଗଢ଼ିବାରେ ବାପା ଓ ମା’ଙ୍କ କ’ଣ କୌଣସି ଭୂମିକା ନ ଥାଏ?
ନେନେ ସବୁ ଦିନ ଭଳି ବଗିଚାରେ ବସିଥିଲେ। ସେ କହିଲେ- ଥାଏ। ନ ରହିବ କେମିତି?
ତହୁଁ ଆଗନ୍ତୁକ ପଚାରିଲେ- ଯଦି ଥାଏ, ତାହା ହେଲେ ମୋର ଦୁଇଟି ପିଲାଙ୍କ ଭିତରେ ଏତେ ଫରକ କେମିତି? ଜଣେ ଆରଟିର ସଂପୂର୍ଣ୍ଣ ଓଲଟା କେମିତି?
ନେନେ କହିଲେ- ତୁମ ଉତ୍ତର ଲାଗି ଏ ବଗିଚା ସବୁଠାରୁ ପ୍ରକୃଷ୍ଟ ସ୍ଥାନ।
ଏହା କହି ନେନେ ସେହି ଭଦ୍ରଲୋକଙ୍କୁ କହିଲେ- ଦେଖନ୍ତୁ ସେଇ ଦୁଇ ଗଛ! ଦେଖନ୍ତୁ କେମିତି ଛନଛନିଆ ହୋଇ େସ ଦୁଇଟି ବଢ଼ିଛନ୍ତି। ଦୁହିଁଙ୍କୁ ଗୋଟିଏ ପ୍ରକାର ମାଟି ଓ ସାର ଦେଇଛି। ଦୁଇଟି ଯାକ ଗୋଟିଏ ପ୍ରକାର ବାତାବରଣରେ ରହିଛନ୍ତି। ଦୁଇଟି ଯାକ ଗୋଟିଏ ପ୍ରକାର ଫଳ, କିନ୍ତୁ ଗୋଟିକ ସ୍ବାଦ ଖଟା, ଆରଟିର ମିଠା କେମିତି?
ନେନେଙ୍କ ଠାରୁ ବିଜ୍ଞ ଉତ୍ତର ପାଇବା ଅପେକ୍ଷାରେ ଥିବା ଆଗନ୍ତୁକ ଏହା ଶୁଣି କିଞ୍ଚିତ ବିରକ୍ତିରେ କହିଲେ- ନେନେ, ସେମିତି ହୁଅନ୍ତା ନାହିଁ କି? ଏହି ଦୁଇଟି ଯାକ ପରା ଅଲଗା ଅଲଗା ଗଛ। ଗୋଟିଏ ମିଠା ସେଓ ଓ ଅନ୍ୟଟା ଖଟା ସେଓ! ଗଛର ପତ୍ରର ଆକାରରୁ ଜାଣି ପାରୁ ନାହାନ୍ତି?
ନେନେ କହିଲେ- ଦୁଇଟି ଯାକ କିନ୍ତୁ ଗୋଟିଏ ବଜାରରୁ କିଣାଯାଇଛି।
ଆଗନ୍ତୁକ କହିଲେ- ନେନେ, ଗଛ ଅଲଗା। ଗୋଟିଏ ବଜାର ହେଲେ କ’ଣ ହେବ?
ନେନେ କହିଲେ- ମୋ ପ୍ରଶ୍ନର ତ ସବୁ ଉତ୍ତର ଜାଣିଛ, ନିଜ ପ୍ରଶ୍ନର ଉତ୍ତର ଜାଣିପାରୁନାହଁ? ସେଇ ଈଶ୍ବର ତୁମ ପାଖକୁ ଦୁଇ ପ୍ରକାର ପିଲା ପଠାଇଛନ୍ତି। ତୁମେ ଦେଉଥିବା ସାର ସେମାନଙ୍କୁ ଛନଛନିଆ କରି ବଢ଼ାଇବ ସିନା, ସେମାନଙ୍କୁ ଏକା ଭଳି କରିପାରିବ ନାହିଁ।
କଥାଟିଏ ଯାଯାବର, ଦୁଇ ପ୍ରକାର ଫଳ
/sambad/media/post_attachments/wp-content/uploads/2019/11/footf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)