ଆମେରିକାରୁ ପତ୍ର: ଆମେରିକାରେ ଗଣତନ୍ତ୍ର ଦୁର୍ବଳ ହୋଇଛି!

ଅନାଦି ନାୟକ

କବିବର ରାଧାନାଥ ତାଙ୍କ କାବ୍ୟ ଚନ୍ଦ୍ରଭାଗାରେ ଆମ ଆଗରେ ଥୋଇଛନ୍ତି ଯେ ସ୍ୱର୍ଗରୁ ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ଦେବତା ସୂର୍ଯ୍ୟ ଓ କନ୍ଦର୍ପଙ୍କ ଭିତରେ କଳି ହେବାରୁ କାଳକ୍ରମେ ସୂର୍ଯ୍ୟଙ୍କ ପୂଜା ପାଇଁ ତିଆରି ହୋଇଥିବା କୋଣାର୍କ ଦେଉଳର ପତନ ହେଲା। ବିଶେଷଜ୍ଞମାନେ କହୁଛନ୍ତି ଯେ ଲୁଣିଆ ପବନ ଯୋଗେ ପଥର ଦୁର୍ବଳ ହେବା ସାଙ୍ଗକୁ ଲୁହାର କଣ୍ଟା ଗୁଡାକ ମଧ୍ୟ ଲୁଣି ପବନରେ ଦୁର୍ବଳ ହୋଇଗଲା। ଫଳରେ ଗୋଟାକୁ ଗୋଟା ପଥର ଖସିବା ଆରମ୍ଭ ହେଲା ଯାହାର ଶେଷ ପରିଣାମ ଆଜି ଆମେ ଦେଖୁଛୁ। ମାତ୍ର କବି ଭାବରେ କୋଣାର୍କର କାଳ୍ପନିକ ଚିତ୍ରଣ କରିବାର ଅଧିକାର ରାଧାନାଥଙ୍କର ଥିଲା। ଏବେ ଆମେରିକାର ରାଜନୀତି ଦେଖି ମୋର ସେଇ ସୂର୍ଯ୍ୟ–କନ୍ଦର୍ପ ଝଗଡା କଥା ମନକୁ ଆସୁଛି।

ଗତ ଛଅ ସପ୍ତାହ ଧରି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଅବୈଧ କାରବାର ବିଷୟରେ ତୁମୁଳ ଆଲୋଚନା ଚାଲିଥିଲା। ମାତ୍ର ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ସିନେଟରେ ୬୭ଜଣ ସଭ୍ୟ ନମିଳିବାରୁ ତାଙ୍କ ଚାକିରି ରହିଗଲା। ତେବେ ତାଙ୍କୁ ବାହାର କରିବା ଓ ବାହାର ନ କରିବା ନେଇ ଯେଉଁ ବ୍ୟାପକ ଟଣା ଓଟରା ଚାଲିଲା‌, ସେଥିରେ ସରକାରୀ କଳର ବହୁ ଅଂଶ ପ୍ରାୟ ଅଚଳ ହୋଇଗଲା। ପାର୍ଲାମେଣ୍ଟ ବା ବିଧାୟକ ସଭାର ଦୁଇଟି ଯାକ କକ୍ଷ ଅନ୍ୟ କୌଣସି ଆଲୋଚନା ହାତକୁ ନେଇ ପାରିଲେ ନାହିଁ। ମାତ୍ର ଏପରି ଅବସ୍ଥାର ମୂଳ କାରଣ କଅଣ? ତାର ଉତ୍ତର ହେଲା ନିମ୍ନରେ। ରୁଷିଆ ସୋଭିଏତ ପଦ୍ଧତି ଛାଡି ଗଣତନ୍ତ୍ରକୁ ଗ୍ରହଣ କରିବା ଫଳରେ ସେତେବେଳର କମ୍ୟୁନିଷ୍ଟ ନେତା ଗୋର୍ବା‌େଚାଭ ସେଠାରେ ଗଣତାନ୍ତ୍ରିକ ସରକାରର ମୁଖ୍ୟ ହେଲେ। ମାତ୍ର ସେ ଯଥେଷ୍ଟ ପରିମାଣରେ ଗଣତନ୍ତ୍ରବାଦୀ ନୁହନ୍ତି ବୋଲି ଅଭିଯୋଗ ହେବାରୁ ସେ ତାଙ୍କର ସହକାରୀ ୟେଲ୍‌ତସିନ୍‌ଙ୍କୁ ନିଜ ପଦରେ ବସାଇ ବିଦାୟ ନେଲେ। ମାତ୍ର ସରକାରୀ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଓଲଟ ପାଲଟ ହେବା ଫଳରେ ଦେଶ ସାରା ସବୁ କ୍ଷେତ୍ରରେ ଅବ୍ୟବସ୍ଥା ସୃଷ୍ଟି ହୋଇଥାଏ। ସରକାର ବଦଳି ଗଲେ ବି ଲୋକଙ୍କର ମନୋଭାବ ଏବଂ ଅଭ୍ୟାସ ବଦଳି ନଥାଏ। ୟେଲତସିନ୍ କିଛି ଦିନ କ୍ଷମତାରେ ରହିଲେ। ମାତ୍ର ଲୋକଙ୍କର ସମସ୍ୟା ତୁଟିଲା ନାହିଁ। ପରିସ୍ଥିତିକୁ ସମ୍ଭାଳି ନପାରି ନିଜର ଜଣେ ବିଶ୍ୱସ୍ତ ଗଣତନ୍ତ୍ରବାଦୀ ଭ୍ଲାଡିମିର ପୁଟିନଙ୍କୁ କ୍ଷମତାରେ ବସାଇ ସେ ବିଦାୟ ନେଲେ।

ପୁଟିନ ଦୁଇ ଥର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଲେ। ଦୁଇ ଥର ରାଷ୍ଟ୍ରପତି ହେବା ପରେ କ୍ଷମତାରୁ ବାହାରି ନଯାଇ ନିଜର ଜଣେ ବିଶ୍ବସ୍ତ ଲୋକ ମେଦଭେଦେଭଙ୍କୁ ରାଷ୍ଟ୍ରପତି ପଦରେ ବସାଇ ନିଜେ ପ୍ରଧାନମନ୍ତ୍ରୀ ହେଲେ। ପାଞ୍ଚବର୍ଷ ପରେ ମେଦଭେଦେଭଙ୍କୁ ପ୍ରଧାନମନ୍ତ୍ରୀ କରି ସେ ପୁଣିଥରେ ରାଷ୍ଟ୍ରପତି ହେଲେ ଓ ହୋଇ ଚାଲିଛନ୍ତି। ପ୍ରଥମ ଥରର ଅଦଳ ବଦଳ ବେଳକୁ ହିଲାରି କ୍ଲିଣ୍ଟନ ଆମେରିକାରେ ବୈଦେଶିକ ବିଭାଗର ସେକ୍ରେଟାରି। ରୁଷିଆରେ କମ୍ୟୁନିଷ୍ଟ ଶାସନ ଲୋପ ପାଇ ଗଣତାନ୍ତ୍ରିକ ଶାସନ ପଦ୍ଧତି ଚାଲୁଛି ଦେଖି ଆମେରିକା ଓ ୟୁରୋପର ଅନ୍ୟ ଦେଶମାନେ ବେଶ୍ ଉତ୍ସାହିତ ଥିଲେ। ସେମାନଙ୍କ ଭିତରେ ଦେଣ ନେଣ ଖୁବ୍ ଜୋରରେ ଚାଲିଥିଲା। ମାତ୍ର ପୁଟିନ ବିଭିନ୍ନ ଭାବରେ କୌଶଳ କରି କ୍ଷମତାରେ ରହୁଥିବାରୁ ପ୍ରକୃତ ଗଣତନ୍ତ୍ରରେ ବାଧା ଆସୁଛି ବୋଲି ଆମେରିକା ସହିତ ୟୁରୋପୀୟ ସରକାରମାନେ ଅନୁଭବ କଲେ। ପୂର୍ବ କମ୍ୟୁନିଷ୍ଟ ଶାସନ ବ୍ୟବସ୍ଥା ବିରୋଧରେ ୟୁରି ସାଖାରୋଭ ଓ ତାଙ୍କ ସହକର୍ମୀମାନଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ରୁଷିଆରେ ପ୍ରକୃତ ଗଣତନ୍ତ୍ର ପାଇଁ ଦାବି କରୁଥିଲେ। ଗଣତନ୍ତ୍ରର ନାଆଁ ନେଇ ଏପରି ଅଦଳ ବଦଳ କାମର ସେମାନେ ଏବେ ବିରୋଧ କଲେ। ଆମେରିକା ଓ ୟୁରୋପର ଦେଶମାନଙ୍କଠାରୁ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା। କିନ୍ତୁ, ଐତିହାସିକ ଭାବରେ ଦେଖିବାକୁ ଗଲେ ରୁଷିଆ ଦେଶରେ ଗଣତନ୍ତ୍ରର ପରମ୍ପରା-ଲୋକଙ୍କଠାରୁ ଭୋଟ ନେଇ ଶାସନ କରିବା- କଥାକେବେ ନଥିଲା। ରାଜଧାନୀରୁ ଏକ ମଜଭୁତ ସରକାର ମାଧ୍ୟମରେ ଦେଶକୁ ଚଳାଇବା ଥିଲା‌ ସମସ୍ତଙ୍କର ଦେହସୁହା। ସୁତରାଂ ପୁଟିନ୍ ତାଙ୍କର ସ୍ଥାନ ବଦଳାଇ ଶାସନ କରିବାଟା ରୁଷୀୟ ପରମ୍ପରା ଅନୁସାରେ ଅବିଧେୟ ନଥିଲା। ମାତ୍ର ପାଶ୍ଚାତ୍ୟ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ପୁଟିନ୍‌ଙ୍କର କାରବାର ଥିଲା ଅଗ୍ରହଣୀୟ।

ଛାତ୍ର ଓ ଯୁବକ ଗୋଷ୍ଠୀ ଏହା ବିରୋଧରେ ଆନ୍ଦୋଳନ କରନ୍ତୁ ବୋଲି ସେମାନେ ଚାହୁଁଥିଲେ। ଆନ୍ଦୋଳନ ଲଗାତର ଭାବରେ ଚାଲିଲା। ବହୁ ସଂଖ୍ୟାରେ ଛାତ୍ର ଓ ଯୁବକ ଜେଲ୍ ଗଲେ। ମାଡ ଖାଇଲେ। କିଛି ଦିନ ପରେ ସେମାନଙ୍କର ଆନ୍ଦୋଳନ ଦବି ଗଲା। ସେମାନଙ୍କ ଆନ୍ଦୋଳନ ପଛରେ ଆମେରିକାର ବୈଦେଶିକ ବିଭାଗର ହାତ ଅଛି ବୋଲି ପୂର୍ବରୁ ଗୁଇନ୍ଦା ବିଭାଗ (କେ.ଜି.ବି)ର ମୁଖ୍ୟ ଥିବା ଭ୍ଲାଡିମିର ପୁଟିନ୍‌ଙ୍କର ଧାରଣା ମଜଭୁତ ହେଲା। ଏଥିପାଇଁ ସେ ବୈଦେଶିକ ବିଭାଗର ସେକ୍ରେଟାରି ହିଲାରି କ୍ଲିଣ୍ଟନଙ୍କୁ ଦାୟୀ କଲେ। ୨୦୧୬ରେ ହିଲାରି ଡିମୋକ୍ରାଟିକ ଦଳ ତରଫରୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେଲେ। ସେ ଯଦି ରାଷ୍ଟ୍ରପତି ହେବେ, ତେବେ ପୁଟିନ୍ ବିରୋଧୀ ଆନ୍ଦୋଳନ ରୁଷିଆରେ ଆହୁରି ଶକ୍ତିଶାଳୀ ହେବ ବୋଲି ସେ ଭାବିଲେ। ଏଣୁ ହିଲାରିଙ୍କ ବିରୋଧୀ ପକ୍ଷକୁ ସାହାଯ୍ୟ କରିବା ଥିଲା ପୁଟିନ୍‌ଙ୍କ ପାଇଁ ସ୍ୱାଭାବିକ କଥା। ଭ୍ଲାଡିମିର ପୁଟିନ୍ ଓ ଡୋନାଲ୍‌ଡ ଟ୍ରମ୍ପଙ୍କର ସ୍ୱାର୍ଥ ହିଲାରି କ୍ଲିଣ୍ଟନଙ୍କ ବିରୋଧରେ ଏକତ୍ର ହେଲା। ଟ୍ରମ୍ପ ଚାହିଁଲେ କ୍ଷମତାକୁ ଆସିବା ପାଇଁ ଓ ପୁଟିନ୍ ଚାହିଁଲେ କ୍ଷମତାରେ ନିରାପଦ ରହିବା ପାଇଁ। ବିଦେଶୀ ସରକାର ସହିତ ହାତ ମିଳାଇ ବିଦେଶୀ ସରକାର ସାହାଯ୍ୟରେ କ୍ଷମତାକୁ ଆସିଛନ୍ତି ବୋଲି ସ୍ୱୀକାର କରିବାକୁ ଟ୍ରମ୍ପ ନାରାଜ କାରଣ ଆମେରିକାର ସମ୍ବିଧାନ ଅନୁଯାୟୀ ଏହା ଏକ ବେଆଇନ କାମ। ପୁଣି ପ୍ରତିଦ୍ୱନ୍ଦ୍ବୀଠାରୁ କମ୍ ଭୋଟ ପାଇ ସେ ଗାଦିକୁ ଆସିଛନ୍ତି। କଥାଟା ସ୍ୱୀକାର କରି ଦେଲେ ତାଙ୍କର ଭାଉ ଆହୁରି ଊଣା ହୋଇଯିବ। ଊଣେଇଶ ବର୍ଷ ତଳେ ତାଙ୍କରି ପରି ଜର୍ଜ ବୁଶ୍‌ କମ ଭୋଟ ପାଇ ଜିତି ଥିଲେ। ମାତ୍ର ତାଙ୍କ ଜିତିବା ପଛରେ କୌଣସି ବିଦେଶୀ ସରକାରର ହାତ ନଥିଲା। ସମସ୍ତେ ତାଙ୍କୁ ସହଜରେ ଗ୍ରହଣ କରିନେଲେ। ଟ୍ରମ୍ପଙ୍କ ପାଇଁ ସେ ସୌଭାଗ୍ୟ ଏ ପର୍ଯ୍ୟନ୍ତ ଜୁଟି ନାହିଁ। ରୁଷିଆ ଓ ଆମେରିକା ଭିତରେ ସବୁ ସ୍ତରରେ ପ୍ରତିଯୋଗିତା ଚାଲି ଆସିଛି। ବର୍ଷକୁ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉଭୟ ପକ୍ଷ ପରସ୍ପରଠୁ ରକ୍ଷା ପାଇବାକୁ ଚେଷ୍ଟା କରି ଆସିଛନ୍ତି। ରୁଷିଆର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆମେରିକା ପକ୍ଷରୁ ଆଟଲାଣ୍ଟିକ ମେଣ୍ଟ ଗଢା ଯାଇଛି। ରୁଷିଆକୁ ଗଣତନ୍ତ୍ର ଆସିବା ପରେ ଅବସ୍ଥା ଅଲଗା ପ୍ରକାରର ହେବ ବୋଲି ଆଶା କରା ଯାଇଥିଲା, କାରଣ ଉଭୟ ପକ୍ଷ ଏବେ ଏକା ଆଡେ। କିନ୍ତୁ ପୁରୁଣା ସନ୍ଦେହ ଏବେ ମଧ୍ୟ ଅଛି। ୟୁକ୍ରେନ ପରି ବିଭିନ୍ନ ପ୍ରଦେଶ ଅଲଗା ହେବା ପରେ ରୁଷିଆର ପୁରୁଣା ମେଣ୍ଟ ନାହିଁ କି ସେ ଆଉ ଏକ ଶୀର୍ଷ –ଶକ୍ତି ଭାବରେ ପରିଗଣିତ ନୁହେଁ। ଆମେରିକା ଉପରେ କ୍ରୋଧିତ ପୁରୁଣା କମ୍ୟୁନିଷ୍ଟମାନେ ଏଥିପାଇଁ ଆମେରିକାକୁ ଦାୟୀ କରୁଛନ୍ତି। ପୁଟିନ୍‌ଙ୍କ ପରି ଟାଣୁଆ ଲୋକ ରୁଷିଆକୁ ସଜାଡିବାକୁ ଯାଉଥିବା ବେଳେ ତାଙ୍କ ବିରୋଧରେ ଜନମତ ଉଠାଇବା ରୁଷିଆର ସ୍ୱାର୍ଥ ବିରୋଧୀ ବୋଲି କେତେକ ଭାବୁଛନ୍ତି। ଗଣତନ୍ତ୍ର ନାଆଁରେ ଦୁଇ ଦେଶ ଭିତରେ ଛକାପଞ୍ଝା ଚାଲିଛି।

ରୁଷିଆରେ ପ୍ରଚଳିତ କମ୍ୟୁନିଷ୍ଟ ଶାସନ ବ୍ୟବସ୍ଥାକୁ ଭାଙ୍ଗି ତାକୁ ଦୁର୍ବଳ କରି ଦିଆଯାଇଛି ବୋଲି ପୁଟିନଙ୍କର ଧାରଣା। ତେଣୁ ଏହାର ପ୍ରତିଶୋଧ ସ୍ୱରୂପ ଆମେରିକାକୁ ଦୁର୍ବଳ କରିବା କଥା ସେ ହୁଏତ ଭାବୁଥିଲେ। ଟ୍ରମ୍ପଙ୍କୁ ରାଷ୍ଟ୍ରପତି ହେବାରେ ସାହାଯ୍ୟ କରି ସେ ସବୁ ଦିନ ପାଇଁ ତାଙ୍କୁ କୃତଜ୍ଞତାର ପାତ୍ର କରି ରଖିଛନ୍ତି। ପୁଟିନ୍ ଯଦି ଖୋଲାଖୋଲି ଭାବରେ କହିବେ କେଉଁ କେଉଁ ସୂତ୍ରରୁ କିପରି ଭାବରେ ସାହାଯ୍ୟ କରାଗଲା ତେବେ ଟ୍ରମ୍ପ ଅପଦସ୍ଥ ହେବେ ଓ ତାଙ୍କୁ ଗାଦି ଛାଡିବାପାଇଁ ସବୁ ଆଡୁ ଡାକରା ଆସିବ। ସେଥିପାଇଁ ସେ ପୁଟିନଙ୍କୁ କୌଣସି ପ୍ରକାରେ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓ ବର୍ଷ ବର୍ଷର ଉଦ୍ୟମ ଫଳରେ ଯାହା ହୋଇ ପାରି ନଥିଲା ପୁଟିନ୍ ଏବେ ତାହା ସମ୍ଭବ କରି ପାରିଛନ୍ତି। ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ରୁଷିଆର ହାତବାରସି।ଆଗକୁ ଦେଶବ୍ୟାପୀ ନିର୍ବାଚନ ଆସୁଛି। ସେଥିପାଇଁ ରିପବ୍ଲିକାନ ପାର୍ଟିର ସିନେଟର ମାନେ ଟ୍ରମ୍ପଙ୍କୁ ଗାଦିଚ୍ୟୁତ କରିବାକୁ ଚାହିଁଲେ ନାହିଁ। କିନ୍ତୁ ସେ ଭୁଲ କାର୍ଯ୍ୟ କରିଛନ୍ତି ବୋଲି ସେମାନେ ମଧ୍ୟ ମାନୁଛନ୍ତି। ଗଣତନ୍ତ୍ର ହେଲା ସଂଖ୍ୟାର କଥା। ଡିମୋକ୍ରାଟ୍‌ ମାନଙ୍କର ସିନେଟ୍ ଭିତରେ ଅର୍ଧାଧିକ ସଭ୍ୟ ନାହାନ୍ତି। ଏଣୁ ଟ୍ରମ୍ପ, ତାଙ୍କର ବନ୍ଧୁ ଓ ସହକାରୀମାନଙ୍କ ପାଇଁ କୌଣସି ବିରୋଧ ନାହିଁ। ଏହା ବିଲେଇ କପାଳକୁ ଶିକା ଛିଡିଲା ପରି। ବର୍ତ୍ତମାନ ଚାଲିଥିବା ହଟ୍ଟଗୋଳ ଭିତରେ ଆମେରିକାର ଗଣତନ୍ତ୍ର ଅନେକ ଦୁର୍ବଳ ହୋଇଗଲା ବୋଲି ଅନେକେ ଭାବୁଛନ୍ତି। ପୂର୍ବରୁ ଅନ୍ୟ ଦେଶ ମାନଙ୍କରେ ସରକାରକୁ ଭାଙ୍ଗିବା ଓ ଗଢିବାରେ ଆମେରିକା ଲିପ୍ତ ଥିଲା। ବର୍ତ୍ତମାନ ସେ ନିଜେ ତାର ଭୁକ୍ତଭୋଗୀ।
[email protected]

ସମ୍ବନ୍ଧିତ ଖବର