ସାହିତ୍ୟିକ ପାଣିପାଗ: ଉପନ୍ୟାସ-ତ୍ରିମୂର୍ତ୍ତିର ତୃତୀୟ ମୂର୍ତ୍ତି

ଅସିତ ମହାନ୍ତି

‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ପରେ, ‘ସୁରେନ୍ଦ୍ର-ଉପନ୍ୟାସ-ତ୍ରିମୂର୍ତ୍ତି’ର ତୃତୀୟ ମୂର୍ତ୍ତି ହେଉଛି, ‘କୃଷ୍ଣାବେଣୀରେ ସନ୍ଧ୍ୟା’। ପୂର୍ବ ଦୁଇ ଉପନ୍ୟାସ ପରି, ଏ ଉପନ୍ୟାସ ବି ଶ୍ରୀଜଗନ୍ନାଥ, ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜା ଓ ଗଜପତି-କୈନ୍ଦ୍ରିକ ଓଡ଼ିଶା ଇତିହାସକୁ ନେଇ ଗଢ଼ା। ‘ନୀଳଶୈଳ’ ଉପନ୍ୟାସର ଐତିହାସିକ ଆଧାର ଥିଲା ଦ୍ୱିତୀୟ ରାମଚନ୍ଦ୍ରଦେବଙ୍କର କାହାଣୀ। ଶ୍ରୀଜଗନ୍ନାଥକୈନ୍ଦ୍ରିକ ଓଡ଼ିଶା ଇତିହାସର ବିଡ଼ମ୍ବିତ ସ୍ଥିତି ସେଥିରେ ରୂପ ପାଇଥିଲା। ଉପନ୍ୟାସର ଉପସଂହାରରେ ଶ୍ରୀଜଗନ୍ନାଥ ସ୍ଥାନାନ୍ତରିତ ହୋଇଥିଲେ ଚିଲିକା ଗର୍ଭକୁ। ୧୯୬୪ ମସିହା ରଥଯାତ୍ରାର ଗୋଟିଏ ଛୋଟ ଘଟଣାର ବୀଜରୁ, ଚାରିବର୍ଷ ପରେ, ୧୯୬୮ ବାହୁଡ଼ା ଦଶମୀରେ ତାହା ପ୍ରକାଶ ପାଇଥିଲା ଏକ ମହାବୃକ୍ଷ ହୋଇ। ତାହା ପରେ, ତାହାର ଉତ୍ତରାର୍ଦ୍ଧ ଲେଖିବାର କଳ୍ପନା ବି ସୁରେନ୍ଦ୍ର ମହାନ୍ତିଙ୍କ ମନରେ ନଥିଲା। କିନ୍ତୁ ଶ୍ରୀଜଗନ୍ନାଥଙ୍କୁ ପୁଣି ଶ୍ରୀମନ୍ଦିରର ରତ୍ନସିଂହାସନକୁ ଫେରାଇ ଆଣିବାପାଇଁ ବିଶିଷ୍ଟ ଐତିହାସିକ, ସୁସାହିତ୍ୟିକ ପରମାନନ୍ଦ ଆଚାର୍ଯ୍ୟଙ୍କର ସନିର୍ବନ୍ଧ ଅନୁରୋଧ, ସମୟକ୍ରମେ ତାଙ୍କ ପାଇଁ ଏକ ଅଲଂଘ୍ୟ ଅନୁଜ୍ଞାରେ ପରିଣତ ହୋଇଥିଲା। ତାହାର ଫଳସ୍ୱରୂପ, ୧୯୮୦ ଜଳକ୍ରୀଡ଼ା ଏକାଦଶୀରେ ପ୍ରକାଶ ପାଇଥିଲା ‘ନୀଳାଦ୍ରି ବିଜୟ’। ତାହାର ଆହୁରି ପାଞ୍ଚବର୍ଷ ପରେ, ୧୯୮୫ ରଥଯାତ୍ରାରେ ପ୍ରକାଶ ପାଇଲା ‘କୃଷ୍ଣାବେଣୀରେ ସନ୍ଧ୍ୟା’। ତାହାର ‘ଭୂମିକା’ ସୁରେନ୍ଦ୍ର ମହାନ୍ତି ଲେଖିଥିଲେ ସେହିବର୍ଷ ସ୍ନାନପୂର୍ଣ୍ଣିମା ଦିନ।

ତେବେ, ‘ସୁରେନ୍ଦ୍ର-ଉପନ୍ୟାସ-ତ୍ରିମୂର୍ତ୍ତି’ର ଏହି ତୃତୀୟ ମୂର୍ତ୍ତିପାଖକୁ ଯିବା ପୂର୍ବରୁ, ‘ନୀଳାଦ୍ରି ବିଜୟ’ର ସେହି ‘ପରମାନନ୍ଦ-ପ୍ରେରଣା’ ପ୍ରସଙ୍ଗ ଆଉ ଟିକିଏ କହି ରଖିବା ଆବଶ୍ୟକ। ପରମାନନ୍ଦ ଆଚାର୍ଯ୍ୟ ସେହି ଐତିହାସିକ ଦାୟିତ୍ୱ ନେବାକୁ ତାଙ୍କୁ କେବଳ ସନିର୍ବନ୍ଧ ଅନୁରୋଧ କରି ନଥିଲେ; ନିଜର ମୃତ୍ୟୁ ପୂର୍ବରୁ ସେ ସଂପର୍କରେ ‘ଝଙ୍କାର’ରେ ଗୋଟିଏ ପ୍ରବନ୍ଧ ମଧ୍ୟ ଲେଖି ଯାଇଥିଲେ। ଏ ବିଷୟ ପୂର୍ବ ଅଧ୍ୟାୟ (୮ ଜୁଲାଇ)ରେ ସୂଚିତ ହୋଇଛି। ସେହି ପ୍ରବନ୍ଧଟି ହେଉଛି- ‘ଝଙ୍କାର’, ୨୩ବର୍ଷ-ଦ୍ୱିତୀୟସଂଖ୍ୟା, ମେ’-୧୯୭୧ରେ ପ୍ରକାଶିତ ‘ଐତିହାସିକଙ୍କ ପ୍ରତି ଔପନ୍ୟାସିକଙ୍କ ଆକ୍ଷେପ’। ତାହାର ଦିନ କେତୋଟି ପୂର୍ବରୁ, ୧୧ ଏପ୍ରିଲ୍ ୧୯୭୧ରେ ପରମାନନ୍ଦ ଆଚାର୍ଯ୍ୟଙ୍କର ବିୟୋଗ ଘଟିଥିଲା। ମୃତ୍ୟୁପୂର୍ବରୁ ସେ ‘ଝଙ୍କାର’କୁ ପଠାଇଥିବା ଦୁଇଟି ଲେଖା ମଧ୍ୟରୁ ଏହା ଥିଲା ଦ୍ୱିତୀୟ। ପ୍ରଥମ ଲେଖା ଏପ୍ରିଲ୍‌-୧୯୭୧ରେ ପ୍ରକାଶ ପାଇବା ପରେ, ପରସଂଖ୍ୟାରେ ଏହି ଦ୍ୱିତୀୟ ତଥା ଶେଷ ଲେଖା ପ୍ରକାଶ ପାଇଥିଲା।

ଶ୍ରୀ ଆଚାର୍ଯ୍ୟଙ୍କର ସେହି ଲେଖା ମୁଖ୍ୟତଃ ଥିଲା ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳଶୈଳ’ରେ ବର୍ଣ୍ଣିତ ଐତିହାସିକ ଘଟଣାର କେତେକ ଭ୍ରମ-ପ୍ରମାଦକୁ ନେଇ। ତାହାର ସବିଶେଷ ଆଲୋଚନା କରିବା ସହିତ, ଉପସଂହାରରେ ସେ ଲେଖିଥିଲେ, “ଐତିହାସିକ ଘଟଣାର କ୍ରମ ଉପରେ ଔପନ୍ୟାସିକଙ୍କ ସହ ସର୍ବତ୍ର ମୋର ମତଭେଦ ଥିଲେ ମଧ୍ୟ, ତାଙ୍କ ଦ୍ୱାରା ଲିଖିତ ‘ନୀଳଶୈଳ’ ଉପନ୍ୟାସ ପାଠ କରି ମୁଁ ଆପ୍ୟାୟିତ ହୋଇଅଛି। ଏହି ଉପନ୍ୟାସ ଲେଖିବା ଯୋଗୁଁ ସେ ଚିରସ୍ମରଣୀୟ ହୋଇ ରହିବେ। ମୋଗଲ ଯୁଗର ଇତିହାସର ଅସ୍ଥିକଙ୍କାଳ ଉପରେ ସେ ମାଂସପେଶୀ ଲଗାଇ ଯେଉଁ ସୁନ୍ଦର ରୂପ ଇତିହାସକୁ ଦେଇଅଛନ୍ତି, ସେଥିପାଇଁ ସେ ଧନ୍ୟବାଦାର୍ହ। ‘ନୀଳଶୈଳ’ ଗ୍ରନ୍ଥର ଶେଷ ଅଧ୍ୟାୟରେ ଆମ୍ଭେମାନେ ନୀଳଶୈଳାଧିନାଥଙ୍କୁ ପୁରୀ ଜଗନ୍ନାଥ ମନ୍ଦିରରେ ନପାଇ ଚିଲିକା ହ୍ରଦର ଏକ ଅପନ୍ତରା ସ୍ଥାନରେ ରହିଥିବାର ଦେଖି, ମନେହେଉଛି ‘ନୀଳଶୈଳ’ ପୁସ୍ତକ ଅସଂପୂର୍ଣ୍ଣ ରହିଛି। ଲେଖକ ବୋଧହୁଏ ଏଥିର ଦ୍ୱିତୀୟଭାଗ ଲେଖି ଉପନ୍ୟାସ ସଂପୂର୍ଣ୍ଣ କରିବେ।” ପରମାନନ୍ଦ ଆଚାର୍ଯ୍ୟଙ୍କର ସେହି ସମାଲୋଚନା ଓ ଶ୍ରଦ୍ଧାକୁ ଶିରୋଧାର୍ଯ୍ୟ କରି, ସୁରେନ୍ଦ୍ର ମହାନ୍ତି ରଚନା କରିଥିଲେ ‘ନୀଳଶୈଳ’ର ଉତ୍ତରାର୍ଦ୍ଧ- ‘ନୀଳାଦ୍ରି ବିଜୟ’। ‘ନୀଳଶୈଳ’ ପରି, ସେଥିରେ ମଧ୍ୟ ସେ ମୋଗଲ ଯୁଗର ଇତିହାସର ଅସ୍ଥିକଙ୍କାଳ ଉପରେ ମାଂସପେଶୀ ଲଗାଇ ରଚିଥିଲେ ଇତିହାସର ଏକ ସୁନ୍ଦର ରୂପ। ‘କୃଷ୍ଣାବେଣୀରେ ସନ୍ଧ୍ୟା’ରେ ତାହାର ବ୍ୟତିକ୍ରମ ଘଟିନାହିଁ।
‘କୃଷ୍ଣାବେଣୀରେ ସନ୍ଧ୍ୟା’ର ଐତିହାସିକ ଘଟଣାକ୍ରମ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ର ପୂର୍ବବର୍ତ୍ତୀ। କାରଣ, ‘ନୀଳଶୈଳ’ ଓ ‘ନୀଳାଦ୍ରିବିଜୟ’ ଅଷ୍ଟାଦଶ ଶତାବ୍ଦୀର ଭୋଇବଂଶର ଗଜପତି ଦ୍ୱିତୀୟ ରାମଚନ୍ଦ୍ରଦେବଙ୍କ କାହାଣୀ ହୋଇଥିବାବେଳେ, ‘କୃଷ୍ଣାବେଣୀରେ ସନ୍ଧ୍ୟା’ ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ସୂର୍ଯ୍ୟବଂଶର ଗଜପତି ପ୍ରତାପରୁଦ୍ର ଦେବଙ୍କ କାହାଣୀ। କିନ୍ତୁ ଗୋଟିଏ ଦୃଷ୍ଟିରୁ ଦେଖିଲେ, ଏ ଉପନ୍ୟାସ-ତ୍ରିମୂର୍ତ୍ତିର ଆତ୍ମା ଗୋଟିଏ ସୂତ୍ରରେ ଗୁନ୍ଥା। ତାହାର ସୂଚନା ଔପନ୍ୟାସିକ ‘କୃଷ୍ଣାବେଣୀରେ ସନ୍ଧ୍ୟା’ର ‘ଭୂମିକା’ରେ ଲେଖିଛନ୍ତି। କହିଛନ୍ତି, “ଇତିହାସରେ ନିନ୍ଦିତ ଓ ଭର୍ତ୍ସିତଙ୍କ ପାଇଁ ମୋର ଥାଏ ଶ୍ରଦ୍ଧା ଓ ସହାନୁଭୂତି। ସେମାନଙ୍କୁ ବୁଝି ନପାରିବା ଫଳରେ ଐତିହାସିକମାନେ ସେମାନଙ୍କୁ ନିନ୍ଦିତ ଅଥବା ଭର୍ତ୍ସିତ କରିଥାନ୍ତି ବୋଲି ମୋର ଧାରଣା। ସେମାନଙ୍କର ନିଜ ଦୃଷ୍ଟିକୋଣରୁ ବିଚାରକରି ଦେଖିଲେ କିନ୍ତୁ, ସେମାନେ ବରଂ ନନ୍ଦିତ ହୋଇଉଠିବେ। ‘ନୀଳଶୈଳ’ ଉପନ୍ୟାସରେ ଭୋଇବଂଶର ଦ୍ୱିତୀୟ ରାମଚନ୍ଦ୍ରଦେବ, ଓଡ଼ିଶା ଇତିହାସର ଜଣେ ନିନ୍ଦିତ ଗଜପତି; କାରଣ, ସେ ଘଟଣାଚକ୍ରରେ ଇସଲାମଧର୍ମରେ ଧର୍ମାନ୍ତରିତ ହୋଇଥିଲେ। ମାତ୍ର ତାଙ୍କ ଧର୍ମାନ୍ତରର ପରିସ୍ଥିତି ଓ ପୃଷ୍ଠଭୂମି ବିଶ୍ଳେଷଣ କଲେ, ରାମଚନ୍ଦ୍ରଦେବଙ୍କ ପ୍ରତି ସ୍ୱତଃସ୍ଫୂର୍ତ୍ତ ଶ୍ରଦ୍ଧା ଜାତହେବା ସ୍ୱାଭାବିକ। ‘ନୀଳଶୈଳ’ ଉପନ୍ୟାସରେ ମୁଁ ତାହାହିଁ କରିଛି।”
ଏହି ପରିପ୍ରେକ୍ଷୀରେ ଆସିଛନ୍ତି ‘କୃଷ୍ଣାବେଣୀରେ ସନ୍ଧ୍ୟା’ର ନାୟକ ଗଜପତି ପ୍ରତାପରୁଦ୍ରଦେବ। ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି, “ସୂର୍ଯ୍ୟବଂଶର ଶେଷସମ୍ରାଟ ଗଜପତି ପ୍ରତାପରୁଦ୍ରଦେବ ମଧ୍ୟ ସେହିପରି ଏକ ବିତର୍କିତ ଚରିତ୍ର। ଐତିହାସିକ ଆର୍‌. ଡି. ବାନାର୍ଜୀ, ପ୍ରଭାତ କୁମାର ମୁଖାର୍ଜୀ ଓ ପଣ୍ଡିତ ନୀଳକଂଠ ଦାସ ପ୍ରମୁଖ ଆଲୋଚକମାନେ ଉତ୍କଳ ସାମ୍ରାଜ୍ୟର ପତନ ପାଇଁ ପ୍ରତାପରୁଦ୍ରଦେବଙ୍କୁ ଦାୟୀ କରିଥାନ୍ତି। ଶ୍ରୀଚୈତନ୍ୟଙ୍କ ପ୍ରଚାରିତ ଶୁଦ୍ଧାଭକ୍ତି ସମନ୍ୱିତ ବୈଷ୍ଣବଧର୍ମରେ ସମ୍ରାଟ ପ୍ରତାପରୁଦ୍ର ଦୀକ୍ଷିତ ହେବାରୁ, ତାଙ୍କଠାରେ ଯେଉଁ ସ୍ଥାଣୁତ୍ୱ ପ୍ରକାଶ ପାଇଲା, ସେଥିପାଇଁ ଆଗଙ୍ଗାକୃଷ୍ଣାକାବେରୀ ପରିବ୍ୟାପ୍ତ ଉତ୍କଳ ସାମ୍ରାଜ୍ୟର ପତନ ଘଟିଲା ବୋଲି ସେମାନେ ଦର୍ଶାଇଥାନ୍ତି। ମାତ୍ର ଇତିହାସର ଅତିରଞ୍ଜିତ ସରଳୀକରଣ ବ୍ୟତୀତ ଏହା ଅନ୍ୟ କିଛି ନୁହେଁ।”
ଏହାର ସୂଚନା ଦେଇ ସେ ଆହୁରି ମଧ୍ୟ କହିଛନ୍ତି, “ବସ୍ତୁତଃ ଓଡ଼ିଶା-ଇତିହାସର ଆଲୋଚକମାନେ ଜାଣନ୍ତି, ପ୍ରତାପରୁଦ୍ରଦେବଙ୍କ ଛଡ଼ା ସୂର୍ଯ୍ୟବଂଶର (ଆଉ କେହି) ରକ୍ତକ୍ଷୟୀ ଯୁଦ୍ଧ ଲଢ଼ି ନାହାନ୍ତି; ପୁଣି ଉତ୍ତରରେ ଗୌଡ଼ର ନବାବ ହୁସେନ ଶାହ ଓ ଦକ୍ଷିଣରେ ବିଜୟ ନଗରର ନରପତି କୃଷ୍ଣଦେବରାୟଙ୍କ ପରି ମହାଯୋଦ୍ଧାଙ୍କ ଦୁର୍ଦ୍ଧର୍ଷ ଆକ୍ରମଣରୁ ଉତ୍କଳ ସାମ୍ରାଜ୍ୟକୁ ରକ୍ଷାକରି ନାହାନ୍ତି। ଗଜପତି କପିଳେନ୍ଦ୍ରଦେବ ଥିଲେ ଜଣେ ଦୁଃସାହସିକ ଦିଗ୍‌ବିଜୟୀ। ସେ କାବେରୀ ପର୍ଯ୍ୟନ୍ତ ଉତ୍କଳ ମହାରାଜ୍ୟର ସୀମା ବିସ୍ତାର କରିଥିଲେ ସତ୍ୟ; ମାତ୍ର ତାହାକୁ ସଂଗଠିତ କରିପାରି ନଥିଲେ। ଗଜପତି ପୁରୁଷୋତ୍ତମ ଦେବ କାଞ୍ଚିରାଜ୍ୟର ସାଲୁଭ ନରସିଂହଙ୍କୁ ପରାସ୍ତ କରିଥିଲେ ସତ୍ୟ; ମାତ୍ର ସାଲୁଭ ନରସିଂହ କୃଷ୍ଣଦେବରାୟଙ୍କ ପରି ଅମିତ ପରାକ୍ରମୀ ନଥିଲେ। ତେଣୁ ଗଜପତି ପ୍ରତାପରୁଦ୍ରଦେବଙ୍କଠାରେ ତଥ୍ୟ ଦୃଷ୍ଟିରୁ ନିର୍ବୀର୍ଯ୍ୟ ସ୍ଥାଣୁତ୍ୱ ଆରୋପ କରାଯାଇନପାରେ।”
‘କୃଷ୍ଣାବେଣୀରେ ସନ୍ଧ୍ୟା’ରେ ସୁରେନ୍ଦ୍ର ମହାନ୍ତି ଏହାହିଁ କରିଛନ୍ତି। ଉପନ୍ୟାସର ଆମୂଳାନ୍ତ ପ୍ରତାପରୁଦ୍ରଦେବଙ୍କୁ ଦର୍ଶାଇଛନ୍ତି ଜଣେ ପରାକ୍ରମୀ ଯୋଦ୍ଧା ଭାବରେ। କିନ୍ତୁ ସେହି ରକ୍ତକ୍ଷୟୀ ଯୁଦ୍ଧ, ସେହି ସମ୍ରାଟସୁଲଭ ସାମ୍ରାଜ୍ୟରକ୍ଷା ଅନ୍ତରାଳରେ, ଶାନ୍ତି ଓ ଆନନ୍ଦ ପାଇଁ ବ୍ୟାକୁଳ ତାଙ୍କ ହୃଦୟବୃତ୍ତିର ଚିତ୍ର ମଧ୍ୟ ସେ ଆଙ୍କିଛନ୍ତି। ‘କୃଷ୍ଣାବେଣୀରେ ସନ୍ଧ୍ୟା’ର ପ୍ରଥମ ପରିଚ୍ଛେଦ ଆରମ୍ଭ ହୋଇଛି ଏମିତି-
“ଉତ୍କଳ-କଳିଙ୍ଗ ସାମ୍ରାଜ୍ୟର ଉତ୍ତର ସୀମାନ୍ତରେ, ପ୍ରତାପରୁଦ୍ରଦେବଙ୍କ ଛାଉଣି। ଗୌଡ଼ର ନବାବ ହୁସେନ୍ ସାହ ଛତ୍ରଭଙ୍ଗ ଦେଇ ମନ୍ଦାରନ ପଳାଇବା ପରେ, ସବୁ ଉତ୍ତେଜନା ଝିମେଇ ପଡ଼ିଛି। ରୂପନାରାୟଣ ନଦୀର ସ୍ରୋତବେଣୀ ଉପରେ ମୁଠା ମୁଠା ହୋଇ ବିଞ୍ଚିପଡ଼ିଛି ଅପରାହ୍‌ଣର ସୁନେଲି ଆଭା। ଦିଗନ୍ତରେ ବିଦାୟ ବେଳର ରକ୍ତିମ ବେଦନା।
ନଦୀ ତୀରରେ ସମ୍ରାଟ ଗଜପତି ପ୍ରତାପରୁଦ୍ରଦେବଙ୍କ ଶିବିର ନିର୍ଜନ।
ଭଲ ଲାଗେ କୋଳାହଳ ପରେ ଏଇ ଅଖଣ୍ଡ ନିର୍ଜନତା।”
ସେଦିନର ସେଇ ନିର୍ଜନତା ମଧ୍ୟରେ, ରୂପନାରାୟଣ ନଦୀ ବକ୍ଷରେ, ତାଙ୍କୁ ଆକସ୍ମିକ ଭାବରେ ଶୁଭିଛି ଜଣେ ଅରୁଣବସ୍ତ୍ରଧାରୀ, ସୂର୍ଯ୍ୟକାନ୍ତ, ସୁବଳିତ ତନୁ, ନବୀନ ସନ୍ନ୍ୟାସୀଙ୍କର ‘ହରିବୋଲ’ ଧ୍ୱନି। ସେହି ହରିଧ୍ୱନିରେ ଯେପରି ପ୍ରତିଧ୍ୱନିତ ହେଉଛି ଯୁଗଯୁଗର ଅବ୍ୟକ୍ତ ଆକୁଳତା; ଆକୁଳ, ବୁଭୁକ୍ଷୁ ଆତ୍ମାର ଆହ୍ୱାନ। ତେଣୁ ସେଇ ପରିଚ୍ଛେଦରେ ଔପନ୍ୟାସିକ କହିଛନ୍ତି, “ହରିଧ୍ୱନିର ସେଇ ଉଦ୍‌ବେଳତା ମଧ୍ୟରେ ଆନନ୍ଦର ଏକ ଅପୂର୍ବ ହିଲ୍ଲୋଳ। ଏ ଆନନ୍ଦ କେବଳ ଏକ ମୁଗ୍‌ଧାନୁଭୂତି ନୁହେଁ; ତା’ର ବହୁ ଊର୍ଦ୍ଧ୍ୱରେ… ସୁଖାତୀତ ଏକ ଉପଲବ୍‌ଧି, ସଂସାରର କର୍ଦ୍ଦମ ପଙ୍କରୁ ଯାହା ଜୀବନକୁ ହଠାତ୍ ଉଠାଇ ନେଉଛି ବର୍ଣ୍ଣନାତୀତ ଆନନ୍ଦ-ଲୋକକୁ! ପ୍ରତାପରୁଦ୍ର ଯେପରି ଏତେକାଳ ପରେ ପାଇଛନ୍ତି ସେହି ବହୁ ପ୍ରତ୍ୟାଶିତ ଆନନ୍ଦଲୋକର ପ୍ରତିଶ୍ରୁତି!”
ଏଇଥିପାଇଁ ହିଁ ‘କୃଷ୍ଣାବେଣୀରେ ସନ୍ଧ୍ୟା’ର ‘ଭୂମିକା’ରେ ସେ ଲେଖିଛନ୍ତି, “ମନୁଷ୍ୟର ଜୀବନରେ ବେଳେବେଳେ ଆସେ ଏପରି ଏକ ପରିସ୍ଥିତି, ଯେଉଁଥିରେ ସବୁ ସଂଗ୍ରାମ ନିତାନ୍ତ ଅର୍ଥହୀନ ମନେହୁଏ। ସେତେବେଳେ ଏକ ଆଧ୍ୟାତ୍ମିକ ଅବସାଦ ମନୁଷ୍ୟକୁ ପଙ୍ଗୁ କରିଦିଏ। ଏହାକୁ ପ୍ରସିଦ୍ଧ ଲେଖକ ଆର୍ଥର କୋଏସ୍‌ଲ୍‌ର ତାଙ୍କ ‘ଯୋଗୀ ଆଣ୍ଡ କମିସାର୍‌’ ପୁସ୍ତକରେ ‘ଓସନିକ୍ ଫିଲିଂ’ ବୋଲି ଉଲ୍ଲେଖ କରିଅଛନ୍ତି। ଏପ୍ରକାର ପରିସ୍ଥିତିରେ ଅସ୍ତ୍ରଧାରୀ ବିପ୍ଳବୀ ଅସ୍ତ୍ରଛାଡ଼ି ମାଳା ଧାରଣ କରେ। ବିପ୍ଳବୀ ହୁଏ ଯୋଗୀ। କୋଏସ୍‌ଲ୍‌ର ଏହି ପ୍ରସଙ୍ଗରେ ଭାରତର ପ୍ରଥମ ଟେରରିଷ୍ଟ-ଯୋଗୀ ଅରବିନ୍ଦଙ୍କ ଜୀବନୀର ଉଲ୍ଲେଖ କରିଅଛନ୍ତି। କେତେକ ପରିସ୍ଥିତିରେ ଦୁର୍ଦ୍ଧର୍ଷ ଗଜପତି ପ୍ରତାପରୁଦ୍ରଦେବଙ୍କ ଜୀବନରେ ମଧ୍ୟ ଆସିଥିଲା ସେହିପରି ଏକ ବିଡ଼ମ୍ବିତ ମୁହୂର୍ତ୍ତ। ଏଥିସହିତ ଶ୍ରୀଚୈତନ୍ୟଙ୍କ ସାନ୍ନିଧ୍ୟ ବା ପ୍ରେମଭକ୍ତିର କୌଣସି ସଂପର୍କ ନାହିଁ।”
ଏହାର ନିଦର୍ଶନ ସୁରେନ୍ଦ୍ର-ଲେଖନୀରେ ସୁନ୍ଦର ଭାବରେ ‘କୃଷ୍ଣାବେଣୀରେ ସନ୍ଧ୍ୟା’ର ଛତ୍ରେ ଛତ୍ରେ ରୂପ ପାଇଛି। ପ୍ରତାପରୁଦ୍ରଦେବଙ୍କ ଅନ୍ତର୍ଗତ ଭାବନା ଭିତରେ ସେ କହିଛନ୍ତି, “ସାମ୍ରାଜ୍ୟ କ’ଣ କେବଳ ଯୁଦ୍ଧ, ଆକ୍ରମଣ, ରକ୍ତକ୍ଷୟ? ଇଏ ମୁକୁଟ ନା କଣ୍ଟକ?” ପୁଣି କେବଳ ପ୍ରତାପରୁଦ୍ରଦେବଙ୍କ ଭାବନା ଭିତରେ ନୁହେଁ; ଉତ୍କଳ-କଳିଙ୍ଗ ସାମ୍ରାଜ୍ୟର ପ୍ରତିପକ୍ଷ, ବିଜୟନଗରର ନରପତି କୃଷ୍ଣଦେବରାୟଙ୍କ ପ୍ରତି ଅନୁରାଗିଣୀ, ଗଜପତି-ତନୟା ଜଗନ୍ମୋହିନୀଙ୍କର ଭାବନା ଭିତରେ ବି ସେ କହିଛନ୍ତି, “ମୁକୁଟ, ସିଂହାସନର ସିନା ପ୍ରୟୋଜନ- ଯୁଦ୍ଧ, ରକ୍ତର ହୋରିଖେଳ! ଜୀବନ କିନ୍ତୁ ବହିଯାଏ ଏଇ କୃଷ୍ଣାନଦୀ ପରି, ବୀଣାର ଝଙ୍କାର ପରି, ଆନନ୍ଦର କଲ୍ଲୋଳ ତୋଳି!”
ଏଣୁ ‘କୃଷ୍ଣାବେଣୀରେ ସନ୍ଧ୍ୟା’ର ଉପସଂହାରରେ ନିଜ ଜୀବନର ଶ୍ରାନ୍ତି ଓ ଅଶାନ୍ତି; ସାମ୍ରାଜ୍ୟର ଯୁଦ୍ଧ, ଆକ୍ରମଣ ଓ ରକ୍ତକ୍ଷୟ; ଏବଂ ମୁକୁଟର କଣ୍ଟକରୁ ପ୍ରତାପରୁଦ୍ରଦେବ ଖୋଜିଛନ୍ତି ନିଷ୍କୃତି। ଏକଦା ଉତ୍କଳର ଦକ୍ଷିଣସାମ୍ରାଜ୍ୟର ମହାମଣ୍ଡଳେଶ୍ୱର ଥିବା ଏବଂ ପରବର୍ତ୍ତୀ କାଳରେ ଶାସନରୁ ସନ୍ନ୍ୟାସ ପଥରେ ଯାଇଥିବା, ଶ୍ରୀଚୈତନ୍ୟଙ୍କ ‘ଗୁରୁକଳ୍ପ’ ରାୟରାମାନନ୍ଦଙ୍କଠାରେ ସେ ନିଜ ହୃଦୟର ବ୍ୟାକୁଳତା ପ୍ରକାଶ କରିଛନ୍ତି। ସେ ବ୍ୟାକୁଳତା ଶ୍ରୀଚୈତନ୍ୟଙ୍କ ସହ ସାକ୍ଷାତ୍ ପାଇଁ।
ସେ ପ୍ରସଙ୍ଗର ବର୍ଣ୍ଣନା ସୁରେନ୍ଦ୍ର ମହାନ୍ତି କରିଛନ୍ତି ଏମିତି-
“ବଡ଼ ଆଶା ନେଇ ସେଦିନ ପ୍ରତାପରୁଦ୍ର ଯାଇଥିଲେ ରାୟ ରାମାନନ୍ଦଙ୍କ ପାଖକୁ, ପ୍ରାଣରେ ବହୁ ଆକୁଳତା ଧରି। ଉତ୍ତପ୍ତ ମରୁରେ ଶ୍ରୀଚୈତନ୍ୟ ହିଁ ଯେପରି ଏବେ ସ୍ନିଗ୍‌ଧ, ଶୀତଳ ବଟଛାୟା!”
କିନ୍ତୁ ରାୟ ରାମାନନ୍ଦ ତାଙ୍କୁ ପଚାରିଥିଲେ, “ଶ୍ରୀଚୈତନ୍ୟଙ୍କ ସହିତ ଆପଣଙ୍କର କି ପ୍ରୟୋଜନ? ସିଏ ତ ରାଗାନୁଗା ପ୍ରୀତିମାର୍ଗର ସାଧକ! ଆପଣ ସମ୍ରାଟ!”
ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି- “ପ୍ରତାପରୁଦ୍ର ଏ ପ୍ରଶ୍ନର ବା କି ଉତ୍ତର ଦେବେ? କିପରି ବା ତାଙ୍କୁ ବୁଝାଇବେ, ତାଙ୍କ ଜୀବନ-ମରୁରେ ବାଲିଝଡ଼ର ହା-ହା-କାର? ଇଏ ତ ଏକ ବ୍ୟକ୍ତିଗତ ନିଭୃତ ଉପଲବ୍‌ଧି- ଏହାକୁ ଭାଷାରେ ବୁଝାଇହେବ ବା କିପରି? ରାୟ କ’ଣ ବୁଝିପାରୁ ନାହାନ୍ତି, ନିଦାଘ-ଦଗ୍‌ଧ ଆକାଶ ଦିନେ ଆଷାଢ଼ର ମେଘ-ଆଶ୍ଳେଷ ପାଇଁ କିପରି ବ୍ୟାକୁଳ ହୋଇଉଠେ?”
ଏଣୁ ପ୍ରତାପରୁଦ୍ର ଉତ୍ତର ଦେଇଥିଲେ, “ଉତ୍କଳ-ମହାରାଜ୍ୟର ଇତିହାସରେ ସବୁ ବଡ଼ ବଡ଼ ଯୁଦ୍ଧ ଲଢ଼ିଲି ମୁଁ ରାୟ ରାମାନନ୍ଦ। ଉତ୍କଳ-ମହାରାଜ୍ୟରେ ଏବେ ପୂର୍ଣ୍ଣଶାନ୍ତି ବିରାଜିତ। ମହାରାଜ୍ୟ ଏବେ ନିଷ୍କଣ୍ଟକ। କିନ୍ତୁ ମୋର ହୃଦୟ ଯେ ଶ୍ମଶାନ! ମୁଁ ଶ୍ରାନ୍ତ, ମୁଁ ଅଶାନ୍ତ ରାୟ ରାମାନନ୍ଦ! ମୋର ପ୍ରାଣ, ଜୀବନ ଏବେ ନିତ୍ୟ କଣ୍ଟକିତ!”
ଅନେକଙ୍କର ଧାରଣା, ସେଦିନ ଗଜପତି ପ୍ରତାପରୁଦ୍ରଦେବ ଏହିପରି ଏକ ମାନସିକ ସ୍ଥିତିରେ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଶ୍ରୀଚୈତନ୍ୟଙ୍କର। କିନ୍ତୁ ତାହା ଇତିହାସ-ସମର୍ଥିତ ନୁହେଁ। ତେଣୁ ଇତିହାସ-ସଚେତନ ସୁରେନ୍ଦ୍ର ମହାନ୍ତି ତାହାର ଉଲ୍ଲେଖ କରିନାହାନ୍ତି ‘କୃଷ୍ଣାବେଣୀରେ ସନ୍ଧ୍ୟା’ରେ। ବରଂ ଶ୍ରୀଚୈତନ୍ୟଙ୍କ ‘ଅନ୍ତର୍ଦ୍ଧାନ’ ଯାଏ, ତାଙ୍କ ସହ ପ୍ରତାପରୁଦ୍ରଦେବଙ୍କର ମିଳନ ହୋଇନଥିଲା ବୋଲି ଦର୍ଶାଇଛନ୍ତି।
ପରିଶେଷରେ, ଏକ ସଂଯୋଗ ରୂପେ ସ୍ମରଣ କରାଯାଇପାରେ, ଯେ ସୁରେନ୍ଦ୍ର-ଉପନ୍ୟାସ-ତ୍ରିମୂର୍ତ୍ତିର ପ୍ରଥମ ମୂର୍ତ୍ତି ‘ନୀଳଶୈଳ’ର ଉପସଂହାର ହୋଇଥିଲା ଚିଲିକା ଗର୍ଭକୁ ଶ୍ରୀଜଗନ୍ନାଥଙ୍କ ସ୍ଥାନାନ୍ତରରେ। ତାହାର ବର୍ଣ୍ଣନା କରି ସୁରେନ୍ଦ୍ର ମହାନ୍ତି କହିଥିଲେ- “ଏଣିକି ରାମଚନ୍ଦ୍ରଦେବଙ୍କ ପଥ ଅନିର୍ଦ୍ଦିଷ୍ଟ- କୁଆଡ଼େ? କୁଆଡ଼େ? ସମ୍ମୁଖରେ ଅଥଳ, ଧୂସର ଚିଲିକା; ଉପରେ ନିର୍ମେଘ ଆକାଶ- ଗୋଟାଏ ନୀଳ ମରୁଭୂମି!”
ତା’ ସହ ତାଳ ଦେଇ ଏଇ ତୃତୀୟ ମୂର୍ତ୍ତି ‘କୃଷ୍ଣାବେଣୀର ସନ୍ଧ୍ୟା’ର ଉପସଂହାର ବି ସେ ଆଙ୍କିଛନ୍ତି ଏମିତି-
“ପ୍ରତାପରୁଦ୍ରଙ୍କ ହୃଦୟରେ କେବଳ ଉତ୍ତାଳ ତରଙ୍ଗରାଜିର ବିକ୍ଷୁବ୍‌ଧ ଗର୍ଜନ। ତରଙ୍ଗସବୁ ଭାଙ୍ଗିପଡ଼ିବା ପାଇଁ ଯେପରି ବେଳାଭୂମି ଖୋଜି ପାଉନାହିଁ। ଅଶାନ୍ତ ଭାବରେ ପୁଣି ଫେରିଯାଉଛି ସମୁଦ୍ର ଗର୍ଭକୁ। ଅନ୍ଧବିକ୍ଷୋଭରେ ନାଚିଯାଉଛି ଅଶାନ୍ତ ଘୂର୍ଣ୍ଣି ପରି! ନୀଳ ମରୀଚିକା ଭିତରେ ଯେପରି ହଜିଯାଇଛି, ଶୀତଳ ଜଳ ଓ ଛାୟାର ପ୍ରତିଶ୍ରୁତି!”
ଏଣୁ ‘ଆମ ଓଡ଼ିଶା’ ପକ୍ଷରୁ ଏକଖଣ୍ଡରେ ସଦ୍ୟ ପ୍ରକାଶିତ ସୁରେନ୍ଦ୍ର ମହାନ୍ତିଙ୍କ ଏ ଉପନ୍ୟାସ-ତ୍ରିମୂର୍ତ୍ତି; ଜଗନ୍ନାଥ, ଗଜପତି ଓ ଓଡ଼ିଶା- ଏ ତିନି ସୂତ୍ରରେ ହିଁ ଗୁନ୍ଥା।
ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର