ବର୍ଷାନ୍ତେ ବିଶ୍ବ ୨୦୨୦ ଅର୍ଥନୀତି: ଉଦାସ ବର୍ଷ; କିନ୍ତୁ ଆଶା ଜୀବିତ

ଓମ୍‌ ପ୍ରକାଶ ଜଗତି

ଏହି ଲେଖାଟି ପ୍ରକାଶିତ ହେଲା ବେଳକୁ ୨୦୨୧କୁ ସ୍ବାଗତ କରିବା ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଯାଇଥିବ। ଯଦିଓ ଜୀବନ ଓ ଜୀବିକାର ସ˚ଘର୍ଷ ମଧୢରେ ୨୦୨୦ ମସିହା ସମାପ୍ତ ହେବାକୁ ଯାଉଛି, ତଥାପି ଏହି ବର୍ଷର ମୁଖ୍ୟ ଅର୍ଥନୈତିକ ଘଟଣାବଳୀ ଉପରେ ଆଲୋକପାତ କରିବା ଉଚିତ ମନେ ହୁଏ, ଯଦ୍ଦ୍ବାରା ନୂଆବର୍ଷ ପାଇଁ ହୁଏତ କିଛିଟା ସଙ୍କେତ ମିଳିପାରିବ। ଆନ୍ତର୍ଜାତିକ ମୁଦ୍ରାକୋଷ (ଆଇଏମ୍‌ଏଫ୍‌) ଦ୍ବାରା ପ୍ରକାଶିତ ଅକ୍‌ଟୋବର‌୍‌ ରିପୋର୍ଟ ଅନୁସାରେ ୨୦୨୦ ମସିହାରେ ବିଶ୍ବ ଅର୍ଥନୀତିର ସମ୍ଭାବ୍ୟ ଜିଡିପି ହାର ବିଯୁକ୍ତ (-)୪.୪% ରହିବ। ୨୦୨୧ରେ ତାହା ସକାରାତ୍ମକ ହୋଇ ୫.୨% ହେବାର ସମ୍ଭାବନା ଅଛି। ଭାରତ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ଜିଡିପି ହାର ବିଯୁକ୍ତ (-)୧୦.୩% ରହିବ; ଆସନ୍ତା ଆର୍ଥିକ ବର୍ଷରେ ଏହା ୮.୮% ହେବ। ଆମେରିକା କ୍ଷେତ୍ରରେ ଏହି ହାର ଯଥାକ୍ରମେ ୪.୩% ନକାରାତ୍ମକ ଓ ୩.୧% ରହିବାର ଆଭାସ ମିଳୁଛି। ଚୀନ୍‌କୁ ଛାଡ଼ିଦେଲେ ବାକି ସମସ୍ତ ରାଷ୍ଟ୍ରମାନଙ୍କର ଜିଡିପି ୨୦୨୦ ମସିହାରେ ବିଯୁକ୍ତ ବା ଋଣାତ୍ମକ ରହିବ। ଚଳିତ ବର୍ଷ ଚୀନ୍‌ର ଜିଡିପି ୧.୯% ଏବ˚ ଆଗାମୀ ବର୍ଷ ୮.୨% ହେବାର ସୂଚନା ମିଳୁଛି। ୧୯୩୦ ପରେ ଚଳିତ ବର୍ଷର ବିଶ୍ବ ମାନ୍ଦାବସ୍ଥା ହାର (ଋଣାତ୍ମକ ଜିଡିପି) ସର୍ବାଧିକ ଅଟେ। ଯାହା ହେଉ ଆଇଏମ୍‌ଏଫ୍‌ର ଆକଳନ ଅନୁସାରେ ଆସନ୍ତା ବର୍ଷ ବିଶ୍ବ ଅର୍ଥନୀତି ଅନେକା˚ଶରେ ସୁଧୁରିଯିବ। ବିଶ୍ବବ୍ୟାଙ୍କ ତଥା ଅନ୍ୟାନ୍ୟ ନାମକରା ଆନ୍ତର୍ଜାତିକ ରେଟି˚ ସ˚ସ୍ଥାମାନଙ୍କ ଆକଳନ ମଧୢ ଏହି ସୂଚନା ଦେଉଛି।

ଚଳିତ ବର୍ଷ ଅର୍ଥନୀତିରେ ଏକ ଆକର୍ଷଣୀୟ ବିରୋଧାଭାସ ଦେଖିବାକୁ ମିଳିଛି। ବିଶ୍ବର ବଡ଼ ବଡ଼ ଷ୍ଟକ ମାର୍କେଟ୍‌ରେ ଲକ୍‌ଡାଉନ୍‌ ପର ଠାରୁ ସେୟାର ମୂଲ୍ୟ ଉଲ୍ଲେଖନୀୟ ଭାବରେ ବଢ଼ିବାରେ ଲାଗିଛି, ଯଦିଓ ଅର୍ଥନୀତି ଏବେ ମଧୢ ସ˚କଟ ମଧୢରେ ଗତି କରୁଛି। ଆମେରିକାର ନାସଡାକ୍‌ କମ୍ପୋଜିଟ୍‌ ସେୟାର ସୂଚନାଙ୍କ ଗତ ନଅ ମାସ ମଧୢରେ ପ୍ରାୟ ୭୦% ବୃଦ୍ଧି ପାଇଛି। ଭାରତରେ ସେନ୍‌ସେକ୍‌ସ ଲକ୍‌ଡାଉନ୍‌ ସମୟ ଠାରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ଅର୍ଥାତ୍‌ ନଅ ମାସ ମଧୢରେ ୮୦% ବୃଦ୍ଧି ପାଇଛି। ପୂର୍ବ ସମସ୍ତ ରେକର୍ଡ ଭଙ୍ଗ କରି ଡିସେମ୍ବର ୧୮ ତାରିଖ ଦିନ ସେନ୍‌ସେକ୍‌ସ ୪୭ ହଜାର ଅତିକ୍ରମ କରିଥିଲା।

ଏଠାରେ ପ୍ରଶ୍ନ ଉଠିଥାଏ ଯେ ଦୁର୍ବଳ ଅର୍ଥନୀତି ସତ୍ତ୍ବେ ସେୟାର ମାର୍କେଟ୍‌ କାହିଁକି ତେଜରେ ଚାଲିଛି? ଏହାର କାରଣ ହେଉଛି ସେୟାର ମାର୍କେଟ୍‌ରେ ଅଧିକା˚ଶ ସମୟରେ ଭବିଷ୍ୟତ ପାଇଁ କଳ୍ପିତ ପୂର୍ବାନୁମାନ ଭିତ୍ତିରେ ସେୟାରର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ। ଲକ୍‌ଡାଉନ୍‌ ପୂର୍ବରୁ ପ୍ରାୟ ଦୁଇ ବର୍ଷ ହେବ ଅର୍ଥନୀତିର ମାନ୍ଦାବସ୍ଥା ଚାଲି ଆସୁଥିଲା। ବ୍ୟାଙ୍କମାନଙ୍କ ଏନ୍‌ପିଏ ବଢ଼ିବା ସହିତ ନୂଆ ଋଣ ପାଇଁ ପାଣ୍ଠିର ଅଭାବ ଅନୁଭୂତ ହେଉଥିଲା। ଜିଏସ୍‌ଟି ରାଜସ୍ବ ଆଶାନୁରୂପ ହୋଇ ପାରୁନଥିଲା। ଭବିଷ୍ୟତ ଅନିଶ୍ଚିତ ଲାଗୁଥିଲା। ତେଣୁ ସେୟାର ମାର୍କେଟ୍‌ରେ ମାନ୍ଦାବସ୍ଥା ଚାଲିଥିଲା। କିନ୍ତୁ ଲକ୍‌ଡାଉନ୍‌ ପର ଠାରୁ ସରକାର ଅର୍ଥନୀତିକୁ ସୁଧାରିବା ପାଇଁ ବିପୁଳ ପାଣ୍ଠି ବିନିଯୋଗ କରିଛନ୍ତି। ରିପୋ ରେଟ୍‌କୁ ହ୍ରାସ କରାଯାଇ ବ୍ୟାଙ୍କ ଋଣକୁ ଶସ୍ତା କରିବା ପାଇଁ ପ୍ରୟାସ ହୋଇଛି। ଅପର ପକ୍ଷରେ ବ୍ୟାଙ୍କ ମିଆଦୀ ଜମାରେ ସୁଧ ହାର କମ୍‌ ହେବାକୁ ଲାଗିଥିଲା। ତେଣୁ ପୁଞ୍ଜିନିବେଶକାରୀମାନେ ସେୟାର ବଜାରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ହୋଇଥିଲେ। ବର୍ଷର ଶେଷ ଆଡ଼କୁ କୋଭିଡ୍‌ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ହେଲାଣି ବୋଲି ଖବର ଆସିଲା ପରେ ଭବିଷ୍ୟତ ନିରାପଦ ଏବ˚ ବେପାର ବଣିଜ ଭଲରେ ଚାଲିବ ବୋଲି ଏକ ପ୍ରକାର ଧାରଣା ସୃଷ୍ଟି ହୋଇଛି, ଯାହା ସେୟାର ବଜାରରେ ତେଜ ବଢ଼ା‌ଇବାରେ ସାହାଯ୍ୟ କରିଛି। ଆନ୍ତର୍ଜାତିକ ବିତ୍ତୀୟ ସ˚ସ୍ଥା ତଥା ରେଟି˚ ଏଜେନ୍‌ସିମାନେ ମଧୢ ଏହିସବୁ କାରଣ ଯୋଗୁଁ ଆଗାମୀ ବର୍ଷ ଅର୍ଥନୀତି ସୁଧୁରିବ ବୋଲି ମତ ଦେଇଛନ୍ତି। କିନ୍ତୁ ସେମାନେ ସା˚ପ୍ରତିକ ସ୍ଥିତି ଓ ସମ୍ଭାବ୍ୟ ଭବିଷ୍ୟତକୁ ଅତ୍ୟନ୍ତ ସାବଧାନତା ଓ ରକ୍ଷଣଶୀଳତା ସହିତ ସମୀକ୍ଷା କରି ଆଗାମୀ ବର୍ଷର ବିକାଶ ହାର ଆକଳନ କରିଛନ୍ତି।
କୋଭିଡ୍‌ ମହାମାରୀ ସମାଜର ଆର୍ଥିକ ଦୁର୍ବଳ ବର୍ଗର ଜନସାଧାରଣଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି। ବିଶ୍ବବ୍ୟାଙ୍କ ରିପୋର୍ଟ ଅନୁସାରେ ୨୦୨୦ ମସିହାରେ ପ୍ରାୟ ବାରକୋଟି ପୃଥିବୀବାସୀ ଅତ୍ୟନ୍ତ ଦାରିଦ୍ର୍ୟ ମଧୢକୁ ‌େଠଲି ହୋଇ ଯାଇଛନ୍ତି। ଦାରିଦ୍ର୍ୟ ସୀମାରେଖାର ସିଲି˚ ହେଉଛି ମୁଣ୍ତପିଛା ଦୈନିକ ଆୟ ୧.୯୦ ଡଲାର କିମ୍ବା ତାହାଠାରୁ କମ୍‌। ଗତ ତିନି ଦଶନ୍ଧି ହେବ ଅତ୍ୟନ୍ତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନ ସଂଖ୍ୟାରେ ନିୟମିତ ହ୍ରାସ ପାଉଥିବା ବେଳେ ପ୍ରଥମ ଥର ଏଥିରେ ବ୍ୟତିକ୍ରମ ଘଟିଛି। ଚଳିତବର୍ଷ ସିରିଆ, ମୋଜାମ୍ବିକ, ଇଥିଓାପିଆ ଭଳି ଦେଶର ଶରଣାର୍ଥୀଙ୍କ ଆର୍ଥିକ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ିଛି। ୨୦୨୧ରେ ଆଉ ତିନିକୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲି ଯିବାର ସମ୍ଭାବନା ଅଛି ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି।

୨୦୨୦ରେ ଭାରତରେ ବିମାନ ସେବା, ପର୍ଯ୍ୟଟନ, ହୋଟେଲ, ମନୋରଞ୍ଜନ, ରିଏଲ ଇଷ୍ଟେଟ, ଭିତ୍ତିଭୂମି ନିର୍ମାଣ, ଅଟୋ ମୋବାଇଲ୍‌ସ, ଟେକ୍‌ସଟାଇଲ୍‌ସ ଇତ୍ୟାଦି ଶିଳ୍ପ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଭାରତରେ ଜିଡିପିର ପ୍ରାୟ ୫୫% ସେବା କ୍ଷେତ୍ରରୁ ଆସିଥାଏ। ତେଣୁ କୋଭିଡ ମହାମାରୀ ଭାରତରେ କର୍ମଯୋଗାଣ କ୍ଷେତ୍ରରେ ଅତ୍ୟନ୍ତ ପ୍ରତିକୂଳ ପ୍ରଭାବ ସୃଷ୍ଟି କରିଥିଲା। ଅପରପକ୍ଷରେ ପର୍ଯ୍ୟାପ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆନୁଷଙ୍ଗିକ ସୁବିଧା ଅଭାବରୁ ଜନସାଧାରଣଙ୍କୁ ଚାହିବା ମୁତାବକ ଚିକିତ୍ସା ସୁବିଧା ଯୋଗାଇବା ସମ୍ଭବ ହୋଇପାରିନଥିଲା। ଆଇଟି, ଫାର୍ମା, ଇ-କମର୍ସ ଇତ୍ୟାଦିର ବେପାର ପରିସ୍ଥିତି ଦୃଷ୍ଟିକୋଣରୁ ମୋଟାମୋଟି ସନ୍ତୋଷଜନକ ରହିଛି। ଲକ୍‌ଡାଉନ୍‌ କଟକଣାରୁ ମୁକ୍ତ ଥିବା ତଥା ଚଳିତ ବର୍ଷ ମୌସୁମୀ ବାୟୁ ମୋଟାମୋଟି ସ୍ବାଭାବିକ ରହିଥିବାରୁ, ଭାରତରେ କୃଷିର ବିକାଶ ହାର ତିନି ପ୍ରତିଶତରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିରେ ଏହା ଏକମାତ୍ର କ୍ଷେତ୍ର, ଯାହାର ଅଭିବୃଦ୍ଧି ହେବ।

ଅଶୋଧିତ ତୈଳ ମାର୍କେଟ୍‌ ପାଇଁ ୨୦୨୦ ମସିହା ଅତ୍ୟନ୍ତ ସ˚କଟଜନକ ଥିଲା। କୋଭିଡ୍‌ ଜନିତ କଟକଣା ଯୋଗୁଁ ତୈଳ ଚାହିଦା ହ୍ରାସ ପାଇଥିଲା ବେଳେ ଦୁଇ ମୁଖ୍ୟ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ରୁଷିଆ ଓ ସାଉଦି ଆରବଙ୍କ ଦ୍ବାରା ମାତ୍ରାଧିକ ତୈଳ ଉତ୍ପାଦନ ଓ ତଜ୍ଜନିତ ମୂଲ୍ୟ ଲଢ଼େଇ ଉଦ୍ୟମ ପରିସ୍ଥିତିକୁ ସଙ୍ଗିନ କରି ଦେଇଥିଲା। ଆନ୍ତର୍ଜାତିକ ବଜାରରେ ତୈଳର କିସମକୁ ନେଇ ମୁଖ୍ୟତଃ ଦୁଇଟି ଦର ଭିତ୍ତିରେ କାରବାର ହୋଇଥାଏ, ଗୋଟିଏ ହେଉଛି ବ୍ରେଣ୍ଟ ମୂଲ୍ୟ ଓ ଅନ୍ୟଟି ହେଉଛି ଡବ୍‌ଲ୍ୟୁଟିଆଇ ମୂଲ୍ୟ। ଚଳିତ ବର୍ଷ ଜାନୁଆରି ମାସରେ ବ୍ୟାରେଲ ପିଛା ତୈଳର ବ୍ରେଣ୍ଟ ମୂଲ୍ୟ ହାରାହାରି ୬୪ ଡଲାର ଥିଲା ବେଳେ ଏପ୍ରିଲ ମାସରେ ଏହା ୧୮ ଡଲାରକୁ ହ୍ରାସ ପାଇଥିଲା। ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେଲା ପରେ ମୂଲ୍ୟରେ ଧୀରେ ଧୀରେ ସୁଧାର ଆସିବାକୁ ଲାଗିଥିଲା। ଡିସେମ୍ବର ମାସରେ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା ୫୦ ଡଲାରରେ ପହଞ୍ଚିଛି। ଏପ୍ରିଲ ମାସରେ ଡବ୍‌ଲ୍ୟୁଟିଆଇ ତୈଳର ହାରାହାରି ମୂଲ୍ୟ ୧୫ ଡଲାରକୁ ଖସି ଆସିଥିଲା।

ଏପ୍ରିଲ ୨୦ ତାରିଖ ଦିନ ଆନ୍ତର୍ଜାତିକ ତୈଳ ବଜାରରେ ଏକ କୌତୂହଳପ୍ରଦ ଘଟଣା ଘଟିଥିଲା। କମୋଡିଟି ଏକ୍‌ସଚେଞ୍ଜରେ ଡବ୍‌ଲ୍ୟୁଟିଆଇ ତୈଳର ମେ ମାସ ପାଇଁ ଆଗୁଆ ମୂଲ୍ୟ, ଯାହାକୁ ଫରଵାର୍ଡ କଣ୍ଟ୍ରାକ୍ଟ ପ୍ରକ୍ରିୟା କୁହନ୍ତି, ବିଯୁକ୍ତ ବା ମାଇନସ୍‌ (-) ୩୭ ଡଲାର ହୋଇଯାଇଥିଲା। ଅର୍ଥାତ୍‌ ବିକ୍ରେତା କେତ୍ରାଙ୍କୁ ତୈଳ ସହିତ ମୂଲ୍ୟ ପୈଠ କରିବାକୁ ବାଧୢ ହୋଇଥିଲେ। ଏପ୍ରିଲ ମାସରେ ବିଶ୍ବବ୍ୟାପୀ ଲକ୍‌ଡାଉନ୍‌ ଯୋଗୁଁ ତୈଳର ଚାହିଦା ଅପ୍ରତ୍ୟାଶିତ ହ୍ରାସ ପାଇଥିଲା ବେଳେ କିଛି ତୈଳ କମ୍ପାନି ବଳକା ତୈଳର ଭଣ୍ତାରଣ ବ୍ୟବସ୍ଥା କରିବାକୁ ଅସମର୍ଥ ଥିଲେ। ତେଣୁ ସେମାନେ ନକାରାତ୍ମକ ଫରଵାର୍ଡ କଣ୍ଟ୍ରାକ୍ଟ ମାଧୢମରେ ତୈଳ ବିକିବାକୁ ଉଦ୍ୟମ କରିଥିଲେ। ଲଣ୍ତନସ୍ଥିତ ‘ବିବି ଏନର୍ଜି’ ନାମକ ଏକ କମ୍ପାନି ଅଢ଼େଇ ଲକ୍ଷ ବ୍ୟାରେଲ ତୈଳ ନକାରାତ୍ମକ ଫରଵାର୍ଡ କଣ୍ଟ୍ରାକ୍ଟ ମାଧୢମରେ କିଣି ପ୍ରଚୁର ମୁନାଫା କରିଥିଲା। ମାର୍କେଟ ବିଶେଷଜ୍ଞମାନଙ୍କ ମତ ଯେ ୨୦୨୦ ମସିହାର ଶେଷ ଭାଗକୁ ତୈଳ ମୂଲ୍ୟ ବୃଦ୍ଧି ଆଗାମୀ ବର୍ଷ ପାଇଁ ଏକ ଶୁଭ ସୂଚନା ଦେଉଛି। ତଥାପି ୨୦୨୧ ମସିହାର ଚାହିଦା ପ୍ରାକ୍‌ କୋଭିଡ୍‌ ସ୍ତରଠାରୁ କମ୍‌ ରହିବ ବୋଲି ଅନୁମାନ କରାଯାଉଛି। ଯାତାୟାତ କ୍ଷେତ୍ରରେ ସମ୍ପୂର୍ଣ୍ଣ କଟକଣା ନ ହଟିବା ଯାଏ, ତୈଳ ବଜାର ସ୍ବାଭାବିକ ସ୍ତରକୁ ଆସିବା ସମ୍ଭବ ହେବ ନାହିଁ।

ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ପରଠାରୁ ଖଣିଜ ଓ ଧାତୁ ମାର୍କେଟ୍‌ରେ ପ୍ରଖରତା ଆସିଛି। ଶିଳ୍ପ ପାଇଁ ମୁଖ୍ୟତଃ ବ୍ୟବହୃତ ହେଉଥିବା ଇସ୍ପାତ, ତମ୍ବା, ଆଲୁମିନିୟମ, ନିକେଲ ଇତ୍ୟାଦି ଧାତୁର ଚାହିଦା ବଢ଼ିଛି। ବିଶ୍ବ ଅର୍ଥନୀତି ପାଇଁ ଏହା ଶୁଭ ସୂଚନା। ଏହାର ମୁଖ୍ୟ କାରଣ ହେଉଛି ଚୀନ୍‌ର କଳ କାରଖାନାରେ ନିର୍ମାଣ ପ୍ରକ୍ରିୟା କ୍ଷିପ୍ର ଗତିରେ ଆରମ୍ଭ ହୋଇଛି। କରୋନା ଭାଇରସ୍‌ ପାଇଁ ବିଶ୍ବବ୍ୟାପୀ ଚୀନକୁ ଭତ୍ସର୍ନା ଓ ଏକ ଘରିକିଆ ଧମକ ସତ୍ତ୍ବେ ଚୀନର ବିକଳ୍ପ ସପ୍ଲାଏ ଚେନ୍‌ ବା ଯୋଗାଣ ଶିକୁଳି ସୃଷ୍ଟି କରିବା ଏ ଯାବତ୍‌ ସମ୍ଭବ ହୋଇନାହିଁ। ଭାରତରେ ଇସ୍ପାତ ଚାହିଦା ବୃଦ୍ଧି ପାଇଛି। କିନ୍ତୁ ଏବେ ମଧୢ ଅନେକ ଲୁହାପଥର ଖଣିରେ ଉତ୍ପାଦନ ଆରମ୍ଭ ହୋଇ ନ ଥିବାରୁ ଘରୋଇ ଇସ୍ପାତ କମ୍ପାନିଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଅଭିଯୋଗ ଶୁଣିବାକୁ ମିଳୁଛି। ଅକ୍‌ଟୋବର‌୍‌ ମାସରେ ଜିଏସ୍‌ଟି ରାଜସ୍ବ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିଲା, ଯାହାକି ଗତ ଆଠ ମାସ ମଧୢରେ ସର୍ବାଧିକ।

ଡିସେମ୍ବର ୨୪ ତାରିଖ ଦିନ ୟୁରୋପିଆନ୍ ୟୁନିଅନ (ଇୟୁ) ଓ ୟୁନାଇଟେଡ୍ କିଙ୍ଗ୍‌ଡମ୍ (ୟୁକେ) ମଧ୍ୟରେ ଚୂଡ଼ାନ୍ତ ବ୍ରେକଜିଟ୍ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ୟୁକେ ଦୀର୍ଘ ୪୭ ବର୍ଷ ପରେ ୟୁରୋପୀୟ ସଂଘରୁ ଅଲଗା ହୋଇଯିବ। ଚୁକ୍ତି ମୁତାବକ ୟୁକେ ଓ ସଂଘ ମଧ୍ୟରେ ରପ୍ତାନି ଓ ଆମଦାନି କ୍ଷେତ୍ରରେ କୌଣସି ଅତିରିକ୍ତ ଶୁଳ୍‌କ ଲାଗୁ ହେବ ନାହିଁ। ତଥାପି ସୀମାରେ ଦସ୍ତାବିଜ ଜନିତ ଯାଞ୍ଚ ବ୍ୟବସ୍ଥା ପରିବହନ ପ୍ରକ୍ରିୟାରେ ବିଳମ୍ବ ସୃଷ୍ଟି କରିପାରେ। ଏଣିକି ଦୁଇ ପକ୍ଷ ମଧ୍ୟରେ ଗମନାଗମନ ଓ ରହଣି କ୍ଷେତ୍ରରେ ଭିସା ନିୟମ ଲାଗୁ ହେବ। ଏହା ୟୁକେର ମୁଖ୍ୟ ରାଜସ୍ବ ଅର୍ଥାତ୍ ସେବା କ୍ଷେତ୍ରରେ କିଛିଟା ବାଧା ସୃଷ୍ଟି କରିପାରେ।କୋଭିଡ୍‌ ଜନିତ ଅର୍ଥନୈତିକ ସ˚କଟରୁ ଭାରତର ଅର୍ଥନୀତିକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ମେ ମାସରେ କୋଡ଼ିଏ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ରିପୋ ରେଟ୍‌କୁ ପର୍ଯ୍ୟାୟ କ୍ରମେ ୪%କୁ ହ୍ରାସ କରାଯାଇଛି। ଅକ୍‌ଟୋବର ମାସରେ ମୁଦ୍ରାସ୍ଫୀତି ହାର ୭.୬୧%ରେ ପହଞ୍ଚିଥିଲା ଯାହା ଗତ ଆଠ ବର୍ଷ ମଧୢରେ ସର୍ବାଧିକ। କିନ୍ତୁ ପରବର୍ତ୍ତୀ ମାସରେ ଏଥିରେ ହ୍ରାସ ପରିଲକ୍ଷିତ ହୋଇଛି। ସା˚ପ୍ରତିକ ସ୍ଥିତିରେ ମୁଦ୍ରାସ୍ଫୀତି କିଛିଟା ଅଧିକ ରହିବା ସ୍ବାଭାବିକ। କେନ୍ଦ୍ର ସରକାର କୃଷି ଓ ଶ୍ରମ ଆଇନରେ ସ˚ସ୍କାର ଆଣିବା ପାଇଁ ପ୍ରଶ˚ସନୀୟ ପଦକ୍ଷେପ ନେଇଛନ୍ତି। ୨୦୨୦ ମସିହାର ଅଭାବିତ ଅର୍ଥନୈତିକ ସ˚କଟରୁ ରକ୍ଷା କରି ପୁଣି ଥରେ ଦେଶକୁ ସ୍ବାଭାବିକ ସମୃଦ୍ଧିର ପଥରେ ଆଗେଇ ନେବାକୁ ହେଲେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ମିଳିତ ଓ ଆନ୍ତରିକ ଉଦ୍ୟମ ଆବଶ୍ୟକ। କରୋନା ଟିକାକରଣ ପ୍ରକ୍ରିୟା ବିଧିବଦ୍ଧ ଭାବରେ ଅଳ୍ପ ଦିନ ମଧୢରେ ଆରମ୍ଭ ହୋଇଯିବ ବୋଲି ସମାଚାର ଆଶ୍ବସ୍ତି ସୃଷ୍ଟି କରି ଆସୁଥିବା ବେଳେ ବର୍ଷ ଶେଷ ଆଡ଼କୁ ହଠାତ୍‌ ଇ˚ଲଣ୍ତରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ର ଆବିର୍ଭାବ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି। ଏହା ସତ୍ତ୍ବେ ଖୁବ୍‌ ଶୀଘ୍ର ଯେ ପୃଥିବୀ ପୁନର୍ବାର କରୋନା‌ ପୂର୍ବ ପରିସ୍ଥିତିକୁ ଫେରିବ, ସେ ଆଶା ଉଜ୍ଜ୍ବଳ ରହିଛି।
ମୋ-୯୮୮୬୨୧୧୭୭୨
opjagati @ gmail.com

ସମ୍ବନ୍ଧିତ ଖବର