ମାଣ୍ତିଆ ମାହାତ୍ମ୍ୟ

ମାଣ୍ତିଆଜାତୀୟ ଶସ୍ୟମାନଙ୍କର ଉପଯୋଗିତା କିନ୍ତୁ କେବଳ ସେମାନଙ୍କର ଏହି ‘ସୁପର‌୍‌ ଫୁଡ୍‌’ ଚରିତ୍ର ମଧ୍ୟରେ ସୀମିତ ନୁହେଁ। ଏହା ମନୁଷ୍ୟ ପାଇଁ ଯେତିକି ହିତକର, ମନୁଷ୍ୟକୁ ଧାରଣ କରିଥିବା ଧରିତ୍ରୀ ମାତାଙ୍କ ପାଇଁ ମଧ୍ୟ ସେତିକି କିମ୍ବା ତା’ଠାରୁ ଅଧିକ ହିତକର। ଧାନ, ଗହମ ଭଳି ସୁକୁମାରିଆ ଶସ୍ୟ ଉଧେଇବା ପାଇଁ ଉର୍ବର ମୃତ୍ତିକା ଆବଶ୍ୟକ କରନ୍ତି ଯାହାର ଯୋଗାଣ ଅତ୍ୟନ୍ତ ସୀମିତ ହୋଇଥାଏ; ମାଣ୍ତିଆ କିନ୍ତୁ ଅନୁର୍ବର ଭୂମିରେ ମଧ୍ୟ ଚାଷ ହୋଇ ଉତ୍ତମ ଅମଳ ପ୍ରଦାନ କରିଥାଏ। ସେହିପରି ଧାନ ଚାଷ ପାଇଁ ପ୍ରଚୁର ପାଣି ଦରକାର ହୋଇଥାଏ, ଯାହା ମାଣ୍ତିଆ ପାଇଁ ଦରକାର ହୋଇ ନଥାଏ। ପୃଥିବୀ ସମ୍ମୁଖୀନ ହେବାକୁ ଯାଉଥିବା ମଧୁର ଜଳ ସଙ୍କଟ ପୃଷ୍ଠଭୂମିରେ ମାଣ୍ତିଆ ହେଉଛି ଈଶ୍ବରଙ୍କ ଆଶୀର୍ବାଦ ଭଳି ଏକ ଫସଲ। ଶେଷରେ, ଖୁବ୍‌ କମ୍‌ ସମୟରେ ମାଣ୍ତିଆ ଅମଳ ହୋଇଥାଏ, ଯାହା ହେଉଛି ଗଣକ୍ଷୁଧା ସହିତ ଲଢ଼ିବା ପାଇଁ ଏକ ଫଳପ୍ରଦ ଉପାୟ।

‘‘ଯିଏ ଖୁଆଇଛି ମାଣ୍ତିଆ ଜାଉ, ହାତ ଧରି କରି… ନେଉ।’’ ଓଡ଼ିଶାରେ ଗାଁ ଗହଳରେ ପ୍ରଚଳିତ ଏହି ସୁପରିଚିତ ଢଗଟି ଅତି ସ˚କ୍ଷେପରେ ମାଣ୍ତିଆ ଭଳି ଏକ ନିକୃଷ୍ଟ ବିବେଚିତ ଶସ୍ୟ ପ୍ରତି ଆମର ପାରମ୍ପରିକ ଆଭିମୁଖ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ପ୍ରକାଶ କରିଥାଏ। ଯଦି ଏହି ଢଗର ମର୍ମ କାହା ପାଇଁ ଅସ୍ପଷ୍ଟ ହେଉଥାଏ, ତେବେ ତାହାର ସ୍ପଷ୍ଟୀକରଣ ସ୍ବରୂପ ଏତିକି କହିଲେ ଯଥେଷ୍ଟ ହେବ ଯେ ମାଣ୍ତିଆ ଖାଇଲେ ପେଟ ଖରାପ ହେବା ନିଶ୍ଚିତ; ଅତଏବ ମାଣ୍ତିଆ ହେଉଛି ଏକ ଅସ୍ବାସ୍ଥ୍ୟକର ଖାଦ୍ୟ। ସେଇଭଳି ଅର୍ଥଶାସ୍ତ୍ରର ଛାତ୍ରମାନେ ଯେତେବେଳେ ପ୍ରାରମ୍ଭିକ ଶ୍ରେଣୀରେ ‘ନିକୃଷ୍ଟ ଦ୍ରବ୍ୟ’ (‘ଇନ୍‌ଫିରିଅର‌୍‌ ଗୁଡ୍‌’) ଓ ଏକ ବିଶେଷ ଶ୍ରେଣୀର ନିକୃଷ୍ଟ ଦ୍ରବ୍ୟ ରୂପେ ବିବେଚନା କରାଯାଉଥିବା ‘ଗିଫେନ୍‌ ଦ୍ରବ୍ୟ’ ବିଷୟରେ ଜାଣିବାକୁ ଆରମ୍ଭ କରନ୍ତି, ସେତେବେଳେ ଚାଉଳକୁ ଏକ ଉତ୍କୃଷ୍ଟ ଦ୍ରବ୍ୟ ଓ ମାଣ୍ତିଆକୁ ଏକ ନିକୃଷ୍ଟ ଦ୍ରବ୍ୟର ଉଦାହରଣ ରୂପେ ସେମାନଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଥାଏ। ମାଣ୍ତିଆ ପ୍ରତି ଆମର ଏଭଳି ନାକଟେକା ଆଭିମୁଖ୍ୟ ଅବଶ୍ୟ କେବଳ ମାଣ୍ତିଆରେ ସୀମିତ ହୋଇ ନଥାଏ, ଇ˚ରେଜୀରେ ‘ମିଲେଟ୍‌’ ନାମରେ ପରିଚିତ ଏହି ଜାତୀୟ ଅନ୍ୟ ଶସ୍ୟମାନଙ୍କ – ଯଅ, ବାଜରା ଆଦି – ପ୍ରତି ଆମର ଚିରାଚରିତ ମନୋଭାବ ଏଇଭଳି ହୋଇଥାଏ।

ଏହି ପରିପ୍ରେକ୍ଷୀରେ ଯେତେବେଳେ ନିକଟ ଅତୀତରେ ପୃଥିବୀର ଆର ପଟେ ଦକ୍ଷିଣ ଆମେରିକାର ପେରୁ ଓ ବଲିଭିଆ ଆଦି ଦେଶରେ ଉତ୍ପନ୍ନ ହେଉଥିବା ପ୍ରାୟ ମାଣ୍ତିଆ ସଦୃଶ ଏକ ଶସ୍ୟ- ‘କିନୋଆ’ ଜନମାନସରେ ଏକ ‘ସୁପର‌୍‌ ଫୁଡ୍‌’ ବା ଚମତ୍କାରୀ ଖାଦ୍ୟର ଆସନ ଦଖଲ କରିବା ଦେଖାଗଲା, ସେତେବେଳେ ମାଣ୍ତିଆର ଖାଦ୍ୟ ମୂଲ୍ୟ ସହିତ ପରିଚିତ ସଚେତନ ବ୍ୟକ୍ତିମାନେ ଏଠାରେ ମାଣ୍ତିଆ ଓ ସେଇ ପରିବାରର ଅନ୍ୟ ଶସ୍ୟମାନେ ସମ୍ମୁଖୀନ ହୋଇ ଆସିଥିବା ହତାଦରକୁ ନେଇ ଏକ ବିସ୍ମିତ ହତାଶା ଅନୁଭବ କରିବାକୁ ଆରମ୍ଭ କଲେ କହିଲେ ଭୁଲ୍‌ ହେବ ନାହିଁ। ଏବେ ମିଳିତ ଜାତିସ˚ଘରେ ସାଧାରଣ ସଭା (ଜେନେରାଲ୍‌ ଆସେମ୍‌ବ୍ଲି) ୨୦୨୩କୁ ‘ଆନ୍ତର୍ଜାତିକ ମାଣ୍ତିଆ ବର୍ଷ’ (ଇଣ୍ଟର୍‌ନେସ୍‌ନାଲ୍‌ ଇୟର‌୍‌ ଅଫ୍‌ ମିଲେଟ୍‌ସ’) ଘୋଷଣା କରିବା ପରେ ଭାରତୀୟମାନଙ୍କର ସେଇ ହତାଶା ନିଶ୍ଚିତ ରୂପେ ଅନେକ ପରିମାଣରେ ପ୍ରଶମିତ ହୋଇଥିବ।

ବାସ୍ତବରେ ଜାତିସ˚ଘ ଏହି ପଦକ୍ଷେପ ନେବା ପଛରେ ଯେଉଁ ଅଭିଯାନର ଚାପ ନିହିତ ଥିଲା, ତାହାର ନେତୃତ୍ବ ନେଇଥିଲା ଭାରତ। ଭାରତ ଏଭଳି ଏକ ଉଦ୍ୟମର ପୁରୋଭାଗରେ ରହିବା ହେଉଛି ସମ୍ପୂର୍ଣ୍ଣ ସ୍ବାଭାବିକ, କାରଣ ସାରା ପୃଥିବୀରେ ଯେତିକି ପରିମାରର ମାଣ୍ତିଆଜାତୀୟ ଶସ୍ୟ ଉତ୍ପନ୍ନ ହୋଇଥାଏ, ତାହାର ୪୦ ଶତା˚ଶରୁ ଅଧିକ ଉତ୍ପନ୍ନ ହୋଇଥାଏ ଭାରତରେ। ମାଣ୍ତିଆଜାତୀୟ ଶସ୍ୟର ଉଚ୍ଚ ପୌଷ୍ଟିକ ଗୁଣ ହୃଦୟଙ୍ଗମ କରି ୨୦୧୮ରେ ସରକାର ଏହାକୁ ପୌଷ୍ଟିକ ଶସ୍ୟ ରୂପେ ବିଜ୍ଞପିତ କରିବା ସଙ୍ଗେ ସଙ୍ଗେ ଅର୍ଥନୈତିକ ଦୁର୍ବଳ ବର୍ଗ ମଧ୍ୟରେ ଦେଖାଯାଉଥିବା ଅପପୁଷ୍ଟି ଓ ସୂକ୍ଷ୍ମ ପୁଷ୍ଟିବର୍ଦ୍ଧକ ଖାଦ୍ୟର ଅଭାବର ମୁକାବିଲା କରିବା ପାଇଁ ଆରମ୍ଭ କରାଯାଇଥିବା ପୋଷଣ ଅଭିଯାନରେ ଏହାକୁ ଅନ୍ତର୍ଭୁକ୍ତ କରିଥିଲେ। ସେତିକି ନୁହେଁ, ଭାରତ ସରକାର ୨୦୧୮କୁ ଜାତୀୟ ମାଣ୍ତିଆ ଦିବସ ରୂପେ ଘୋଷିତ କରିଥିଲେ, ଯାହା ହେଉଛି ଜାତିସ˚ଘ ବର୍ତ୍ତମାନ କରିଥିବା ଘୋଷଣାର ପ୍ରଥମ ପଦଧ୍ବନି। ଭାରତ ମାଣ୍ତିଆଜାତୀୟ ଶସ୍ୟର ଗୁଣ ଚିହ୍ନି ତାକୁ ପ୍ରଦାନ କରିଥିବା ପ୍ରୋତ୍ସାହନର ଫଳାଫଳ କ୍ଷେତ୍ରରେ ଏହି ଶସ୍ୟ ଉତ୍ପାଦନରେ ଅନୁଭୂତ ହେବାରେ ବିଳମ୍ବ ହୋଇ ନଥିଲା। ୨୦୨୦-୨୧ରେ ଦେଶରେ ଏହି ଶସ୍ୟର ମୋଟ ଉତ୍ପନ୍ନ ପରିମାଣ ୧୬ ନିୟୁତ ମେଟ୍ରିକ୍‌ ଟନ୍‌ ହୋଇଥିବା ବେଳେ, ଏହା ପର ବର୍ଷ ୨୦୨୧-୨୨ରେ ଉତ୍ପନ୍ନ ଶସ୍ୟର ପରିମାଣ ହୋଇଥିଲା ଏହାଠାରୁ ୨୭ ଶତା˚ଶ ଅଧିକ। ଏହା ହେଉଛି ଏକ ଅତୀବ ସ୍ବାଗତଯୋଗ୍ୟ ମୋଡ଼। କାରଣ, ବଜାରରେ ଧାନ ଓ ଗହମର ଦର ଉଚ୍ଚା ହେଇ ଏହାର ଚାଷ ଅଧିକ ଲାଭଜନକ ହେବା ଯୋଗୁଁ (ଏଥିରେ ସରକାରୀ ପ୍ରୋତ୍ସହନର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି) ମାଣ୍ତିଆଜାତୀୟ ଶସ୍ୟ ଚାଷରେ ସଙ୍କୋଚନ ଘଟି ସେ ସବୁ ତଥାକଥିତ ଉତ୍କୃଷ୍ଟ ଶସ୍ୟର ଚାଷ ସମ୍ପ୍ରସାରିତ ହେବା ଦେଖାଯାଇଛି।

ଶସ୍ୟ ଚାଷର ଗଠନରେ ପରିଲକ୍ଷିତ ହୋଇଥିବା ଏହି ପରିବର୍ତ୍ତନରେ ଜନସ୍ବାସ୍ଥ୍ୟ ପାଇଁ ଏକ ଗୁରୁତର ବିପଦ ଯେ ଲୁଚି ରହିଛି, ତାହା ବିଶେଷ ଜଣାଶୁଣା ନୁହେଁ। ‘ଇଣ୍ତିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ରିସର୍ଚ୍ଚ’ (‘ଆଇସିଏଆର‌୍‌’) ଦ୍ବାରା କରାଯାଇଥିବା ଏକ ଗବେଷଣାତ୍ମକ ଅନୁସନ୍ଧାନରୁ ଜଣାଯାଏ ଯେ ଚାଉଳ ଓ ଗହମର ପୌଷ୍ଟିକ ମୂଲ୍ୟରେ ଇତିମଧ୍ୟରେ ଦ୍ରୁତ ଅବନତି ଦେଖା ଦେବାରେ ଲାଗିଛି। ଉଦାହରଣ ସ୍ବରୂପ ୧୯୬୦ରୁ ୨୦୦୦ ସାଲ ମଧ୍ୟରେ ଚାଉଳରେ ଦସ୍ତା ଓ ଲୌହ ଅ˚ଶରେ ଯଥାକ୍ରମେ ୨୪ ଶତା˚ଶ ଓ ୨୮ ଶତା˚ଶ ହ୍ରାସ ଘଟିଛି। ଏହାର ଅର୍ଥ ହେଲା ଜଣେ ବ୍ୟକ୍ତିର ଖାଦ୍ୟ ପରିମାଣ ହ୍ରାସ ପାଇ ନ ଥିଲେ ମଧ୍ୟ ସେ ଖାଦ୍ୟରୁ ଆହରଣ କରୁଥିବା ପୁଷ୍ଟି ମାତ୍ରାରେ ହ୍ରାସ ଘଟିଥାଏ। ଅନ୍ୟ ଭାବରେ କହିଲେ, ଯଦି ଚାଉଳରେ ଉପରୋକ୍ତ ସୂକ୍ଷ୍ମ ପୌଷ୍ଟିକ ପଦାର୍ଥମାନଙ୍କର ଅନୁପାତ ଅତୁଟ ରହିଥାନ୍ତା କିନ୍ତୁ ଲୋକମାନେ ଯଥେଷ୍ଟ ପରିମାଣର ଚାଉଳ ଖାଇବାକୁ ନପାଇ ଭୋକରେ ରହନ୍ତେ, ତାହାର ପୌଷ୍ଟିକ ପରିଣାମ ଯାହା ହୁଅନ୍ତା, ଏବେ ପେଟପୂରା ଖାଇ ମଧ୍ୟ ପରିଣାମ ତାହା ହୋଇଛି। ଏହାକୁ ତେଣୁ ‘ଲୁକ୍‌କାୟିତ କ୍ଷୁଧା’ ରୂପେ ଅଭିହିତ କରାଯାଇଥାଏ। ୨୦୧୯ରେ ‘ୟୁନିସେଫ୍‌’ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ ଭାରତରେ ୮୦ ଶତା˚ଶରୁ ଅଧିକ କିଶୋରକିଶୋରୀମାନେ ସେମାନଙ୍କ ଖାଦ୍ୟରେ ସୂକ୍ଷ୍ମ ପୌଷ୍ଟିକ ପଦାର୍ଥମାନଙ୍କର ଅଭାବ ଯୋଗୁଁ ‘ଲୁକ୍‌କାୟିତ କ୍ଷୁଧା’ର ଶିକାର ହୋଇଥାନ୍ତି।

ଅପରପକ୍ଷେ ମାଣ୍ତିଆ ଓ ତା’ର ସାଥୀ ଶସ୍ୟମାନେ ସେମାନଙ୍କର ଅତୀତର ନିକୃଷ୍ଟ ଶସ୍ୟ ଛାପାମୁକ୍ତ ହୋଇ ବର୍ତ୍ତମାନ ‘ସୁପର‌୍‌ ଫୁଡ୍‌’ ରୂପେ ବିବେଚିତ ହେଉଛନ୍ତି କାରଣ ଏସବୁ ତନ୍ତୁ ଜାତୀୟ ପଦାର୍ଥରେ ଭରପୂର ହୋଇଥିବା ସହିତ ସେଥିରେ ଭିଟାମିନ୍‌ମାନ, ବିଭିନ୍ନ ଧାତବ ପଦାର୍ଥ, ଶର୍କରା, ପୁଷ୍ଟିସାର ଆଦି ଖୁନ୍ଦି ହୋଇ ରହିଥାନ୍ତି। ବିଶେଷକରି ଯେଉଁ ସିଲିଆକ୍‌ ବ୍ୟାଧିଗ୍ରସ୍ତ ବ୍ୟକ୍ତିମାନଙ୍କର କ୍ଷୁଦ୍ରାନ୍ତ୍ରରେ ଗହମରେ ଥିବା ଗ୍ଲୁଟେନ୍‌ ହଜମ କରିବା ଶକ୍ତି ନଥାଏ, ସେମାନଙ୍କ ପାଇଁ ମାଣ୍ତିଆ ଏକ ଜୀବନରକ୍ଷାକାରୀ ଶସ୍ୟ ହୋଇଥାଏ। ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀମାନଙ୍କ ପାଇଁ ମାଣ୍ତିଆ କେବଳ ଏକ ଖାଦ୍ୟଶସ୍ୟ ନହୋଇ ଏକ ବ୍ୟାଧି ନିୟନ୍ତ୍ରକ ଔଷଧ ଭଳି ହୋଇଥାଏ। ମାଣ୍ତିଆ ଜାଉ ସେମାନଙ୍କ ପାଇଁ ଏତେ ଉପକାରୀ ହୋଇଥାଏ ଯେ ଯିଏ ସେମାନଙ୍କୁ ମାଣ୍ତିଆ ଜାଉ ଖୁଆଇବ, ତା’ ଉପରେ ସେମାନେ କ୍ଷୁବ୍‌ଧ ହେବା ପରିବର୍ତ୍ତେ, ତାକୁ ପରମ ହିତୈଷୀ ରୂପେ ଦେଖିବା ଉଚିତ ହେବ।

ମାଣ୍ତିଆଜାତୀୟ ଶସ୍ୟମାନଙ୍କର ଉପଯୋଗିତା କିନ୍ତୁ କେବଳ ସେମାନଙ୍କର ଏହି ‘ସୁପର‌୍‌ ଫୁଡ୍‌’ ଚରିତ୍ର ମଧ୍ୟରେ ସୀମିତ ନୁହେଁ। ଏହା ମନୁଷ୍ୟ ପାଇଁ ଯେତିକି ହିତକର, ମନୁଷ୍ୟକୁ ଧାରଣ କରିଥିବା ଧରିତ୍ରୀ ମାତାଙ୍କ ପାଇଁ ମଧ୍ୟ ସେତିକି କିମ୍ବା ତା’ଠାରୁ ଅଧିକ ହିତକର। ଧାନ, ଗହମ ଭଳି ସୁକୁମାରିଆ ଶସ୍ୟ ଉଧେଇବା ପାଇଁ ଉର୍ବର ମୃତ୍ତିକା ଆବଶ୍ୟକ କରନ୍ତି ଯାହାର ଯୋଗାଣ ଅତ୍ୟନ୍ତ ସୀମିତ ହୋଇଥାଏ; ମାଣ୍ତିଆ କିନ୍ତୁ ଅନୁର୍ବର ଭୂମିରେ ମଧ୍ୟ ଚାଷ ହୋଇ ଉତ୍ତମ ଅମଳ ପ୍ରଦାନ କରିଥାଏ। ସେହିପରି ଧାନ ଚାଷ ପାଇଁ ପ୍ରଚୁର ପାଣି ଦରକାର ହୋଇଥାଏ, ଯାହା ମାଣ୍ତିଆ ପାଇଁ ଦରକାର ହୋଇ ନଥାଏ। ପୃଥିବୀ ସମ୍ମୁଖୀନ ହେବାକୁ ଯାଉଥିବା ମଧୁର ଜଳ ସଙ୍କଟ ପୃଷ୍ଠଭୂମିରେ ମାଣ୍ତିଆ ହେଉଛି ଈଶ୍ବରଙ୍କ ଆଶୀର୍ବାଦ ଭଳି ଏକ ଫସଲ। ଶେଷରେ, ଖୁବ୍‌ କମ୍‌ ସମୟରେ ମାଣ୍ତିଆ ଅମଳ ହୋଇଥାଏ, ଯାହା ହେଉଛି ଗଣକ୍ଷୁଧା ସହିତ ଲଢ଼ିବା ପାଇଁ ଏକ ଫଳପ୍ରଦ ଉପାୟ। ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ପାଇଁ ମାଣ୍ତିଆଠାରୁ ଅଧିକ ଉପଯୋଗୀ ଆଉ କିଏ ହୋଇପାରେ?

ସମ୍ବନ୍ଧିତ ଖବର