ହିରଣ୍ୟ ବାବୁଙ୍କର ମନ ଆଜିକାଲି ଭଲ ନାହିଁ। କେଉଁଥିରୁ ବି ଟିକିଏ ସୁଖର ଅନୁଭବ କରି ପାରୁ ନାହାନ୍ତି। ଅଫିସରେ ତାଙ୍କ ତଳ ପାହ୍ୟାରେ କାମ କରୁଥିବା ପଡ଼ୋଶୀ ଯେବେ ଠାରୁ ସୌଖୀନ କାର୍ ଓ ଦାମୀ ଟିଭି ଘରକୁ ଆଣିଲେଣି, ସେହି ଦିନ ଠାରୁ ତାଙ୍କ ସୁଖ ଯେମିତି କିଏ ଅପହରଣ କରିନେଇଛି। ଥରେ ତାଙ୍କୁ ଆମେ ପ୍ରସଙ୍ଗ କ୍ରମେ ପଚାରୁଲୁ, ଆପଣଙ୍କର ତ ଛୋଟ କାର୍‌ଟି ଅଛି। ଘରେ ଷ୍ଟିରିଓ ସେଟ୍‌ ଓ ଟିଭି ମଧ୍ୟ ରଖିଛନ୍ତି। ସୌଖୀନ ଦାମୀ କାର୍‌ ଆଉ ବଡ଼ ପରଦାଯୁକ୍ତ ଟିଭି ନ ହେଲେ କ’ଣ ହେବନି ଯେ ଏତେ ଦୁଃଖୀ ହେଉଛନ୍ତି, ବ୍ୟାଙ୍କକୁ ଋଣ ପାଇଁ ଦୌଡୁଛନ୍ତି? ହିରଣ୍ୟ ବାବୁଙ୍କ ମୁହଁ ଶୁଖିଗଲା। ଜଣେ ତଳିଆ କର୍ମଚାରୀଙ୍କ ପ୍ରଗତି ସହିପାରନ୍ତେ ବା କେମିତି! ସେଥିରେ ପୁଣି ନିଆଁରେ ଘିଅ ଢାଳିବା ପରି ଭଲ ପାଠ ପଢୁଥିବା ପୁଅ ତାଙ୍କର ପରୀକ୍ଷାରେ ରଖିଛି ନବେ ପ୍ରତିଶତ ନମ୍ବର। ହିରଣ୍ୟ ବାବୁଙ୍କ ପାଇଁ ଏହା ଏକ ଖୁସିର ଖବର ହୋଇ ପାରିନି, କାରଣ ତାଙ୍କ ପଡ଼ୋଶୀଙ୍କ ପୁଅ ଏତେ ଭଲ ଛାତ୍ର ନହୋଇ ମଧ୍ୟ ରଖିଛି ଛୟାନବେ ପ୍ରତିଶତ। ସେ ଖୁସି ହେବେ କେମିତି?

Advertisment

ଆମ ସମସ୍ତଙ୍କ ଭିତରେ ଜଣେ ଜଣେ ହିରଣ୍ୟ ବାବୁ ଅଛନ୍ତି। ଅନ୍ୟ ଠାରୁ ଆମ ପାଖରେ କ’ଣ କେତେ ଅଧିକ ଅଛି, ତା’ରି ଆଧାରରେ ଆମେ ଆମ ସୁଖକୁ ମାପି ଚାଲିଛେ। ପାଖରେ ଥିବା ବସ୍ତୁକୁ ଆମେ କେତେ ପରିମାଣରେ ଉପଭୋଗ କରିପାରିଛେ, ସୁଖର ସେ ମାପକାଠି ଆମେ ଭୁଲି ଯାଉଛେ। ସବୁ କିଛି ପାଇଯିବା ମନୁଷ୍ୟର ଏକ ଦୁର୍ବାର ନିଶା। ମନ ଆମର ଅଧିକରୁ ଅଧିକ ପାଇବାର ଆଶାରେ ସୁଖର ଘାତକ ପାଲଟି ଯାଉଛି। ମନୁଷ୍ୟ ମାତ୍ରେ ହିଁ ସଦା ଅତୃପ୍ତ। ଆମେ ଆମ ସଂସ୍କୃତି ଓ ସଭ୍ୟତା ଦ୍ବାରା ଏପରି ଗଢ଼ି ହୋଇଛନ୍ତି ଯେ, ଆମର ଧାରଣା ପ୍ରାପ୍ତି ଓ ଉପଭୋଗ ମଧ୍ୟରେ କେବଳ ସୁଖ ଲୁଚି ରହିଛି। ବ୍ୟକ୍ତିର ସଫଳତା ନିର୍ଦ୍ଧାରିତ ହେଉଛି ସେ କେତେ ପାର୍ଥିବ ପଦାର୍ଥର ଅଧିକାରୀ ତାକୁ ବିଚାରକୁ ନେଇ। ଆମର ବିଶ୍ବାସ, ଆମେ ଯେତେ ବସ୍ତୁବାଦୀ ହେବା, ସେତେ ସୁଖୀ ରହିବା। ଆମେ ସର୍ବଦା ଚାହୁଁଛନ୍ତି ଅଧିକ ସଫଳ ହେବା, ଅଧିକ ସୁନ୍ଦର ଚେହେରାର ଅଧିକାରୀ ହେବା, ଅନ୍ୟର ଧ୍ୟାନ ନିଜ ଆଡ଼କୁ ଅଧିକ ଆକର୍ଷିତ କରିବା, ଅଧିକ ସମ୍ମାନ, ସ୍ନେହ ଓ ପ୍ରେମ ପାଇବା, ଅନ୍ୟଠାରୁ ଅଧିକ ଧନଶାଳୀ ହେବା ଓ ଅଧିକ ଆସବାବପତ୍ର, ଯଥା, ଘର ଗାଡ଼ି ଆଦିର ହକଦାର ହେବା। ପ୍ରକୃତରେ ଏସବୁ ଆମକୁ ବାଞ୍ଛିତ ସୁଖ ଦେଇପାରେ କି? ଇଚ୍ଛା କରୁଥିବା ବସ୍ତୁଟି ପାଇଗଲେ ମନୁଷ୍ୟ କ୍ଷଣିକ ଆନନ୍ଦ ତ ପାଏ, ମାତ୍ର ସୁଖୀ ହୋଇପାରେନା। କାରଣ ପଛକୁ ପଛ ଆହୁରି ଅନେକ ଇଚ୍ଛା ସୃଷ୍ଟି ହୋଇ ସୁଖ ଭୋଗର ରାସ୍ତା ଅବରୋଧ କରିଦିଏ। ସୁଖ ଭୋଗ ସର୍ବଦା ମନୁଷ୍ୟର ପରିବର୍ତ୍ତନଶୀଳ ଆକାଂକ୍ଷାର ପୂର୍ତ୍ତି ଉପରେ ନିର୍ଭରଶୀଳ। ଇଚ୍ଛିତ ନୂତନ ବସ୍ତୁଟି ଅଧିକ ସୁଖ ଦେଇପାରିବ, ସେପରି ଭାବନା ମନକୁ ଆସି ପାଇଥିବା ସୁଖ ଟିକକ ଆମର ହରଣ ହୋଇଯାଏ। ଆମ ଭିତରୁ କେତେ ଜଣ ବା ବିନା କିଛି ପ୍ରାପ୍ତିରେ ନିରୋଳା ସୁଖ ଅନୁଭବ କରିପାରନ୍ତି? ନିରୋଳା ସୁଖ ଭୋଗ ପଛରେ ଆଶା କି କାମନା କିଛି ନ ଥାଏ। ଆପଣ ଏକ ଦୁର୍ଲଭ ଫୁଲର ଚାରାଟିଏ ଲଗେଇଛନ୍ତି, ଦିନେ ଦେଖିଲେ ସେଥିରେ ଫୁଲ ଫୁଟିଛି। ଫୁଲଟି ଦେଖି ଆପଣ ଯେଉଁ ସୁଖର ଅନୁଭବ କଲେ ତାହା ନିର୍ମଳ ଓ ଦୀର୍ଘସ୍ଥାୟୀ। ବସ୍ତୁବାଦୀ ଜୀବନ ଭିତରେ ଏପରି ନିର୍ମଳ ସୁଖ ଟିକିଏ ପାଇବା ଅସମ୍ଭବ। କବି ୱିଲିୟମ୍ ବ୍ଲେକ୍‌ଙ୍କ କହିବା ପରି, ନିର୍ମଳ ସୁଖର ଅନୁଭବ ‘ଛୋଟ ଏକ ଧୂଳିକଣା ଭିତରେ ସମଗ୍ର ଦୁନିଆ ଓ ଜଙ୍ଗଲୀ ଫୁଲଟି ମଧ୍ୟରେ ସ୍ବର୍ଗର ଅନୁଭବ ଦିଏ’। (‘ଟୁ ସି ଏ ଵାର୍ଲଡ୍ ଇନ୍ ଏ ଗ୍ରେନ ଅଫ୍ ସ୍ୟାଣ୍ଡ୍ / ଏଣ୍ଡ୍ ଏ ହେଭେନ୍ ଇନ୍ ଏ ଵାଇଲ୍‌ଡ ଫ୍ଲାଵାର୍)। ସୁଖର ଅନୁଭବ ନିଜସ୍ବ ଏକ ପସନ୍ଦର କଥା। ସୁଖୀ ହେବାକୁ ଚାହିଁଲେ ଯେ କୌଣସି ପରିସ୍ଥିତିରୁ ମଧ୍ୟ ସୁଖର ନିର୍ଯାସ ଗ୍ରହଣ କରିହେବ।

ଏକଦା ଆମେ ବଗିଚାରେ ବିଚରଣ କଲାବେଳେ ସୁନ୍ଦର ପ୍ରଜାପତିଟିଏ ଦେଖିଲୁ। ଧରିବାପାଇଁ ପଛରେ ତା’ର ଯେତେ ଗୋଡ଼ାଇଲେ ମଧ୍ୟ ଧରା ଦେଲାନି। ହତାଶାରେ ଆମେ ସିମେଣ୍ଟ ବେଞ୍ଚ୍ ଉପରେ ବସିପଡ଼ିଲୁ। କିଛି ସମୟ ପରେ ଦେଖିଲୁ ପ୍ରଜାପତିଟି ଆସି ଆମ କାନ୍ଧରେ ବସିଛି। ସୁଖବୋଧ ଠିକ୍ ଏ ପ୍ରଜାପତି ପରି। ଧରିବାକୁ ଗୋଡ଼ାଇଲେ ଧରା ଦେବନି, ପାଇବାର ଆଶା ତ୍ୟାଗ କଲେ ଦିନେ ହଠାତ୍ ପାଖକୁ ଚାଲି ଆସିବ। ଜୀବନର ଅର୍ଥ ଖୋଜିଲେ ବଞ୍ଚିବା ଯେମିତି ଦୁରୂହ, ସୁଖର ଠିକଣା ଖୋଜି ବୁଲିଲେ ସୁଖୀ ହେବା ସେମିତି ଅସମ୍ଭବ। ସୁଖର ଅନୁଭବ ଏକ ଲକ୍ଷ୍ୟ ନୁହେଁ, ଏକ ଅବବୋଧ ନୁହେଁ କି ବିଘଟିତ ହୋଇପାରୁଥିବା ଏକ ବସ୍ତୁ ନୁହେଁ। ସୁଖ ଆମର ପରିବେଶ, ଅବସ୍ଥିତି, ସଂପତ୍ତି ବା ଉପଲବ୍‌ଧି ସହିତ ସଂବନ୍ଧିତ ନୁହେଁ। ସୁଖର ଅନୁଭବ ଏକ ଶୁଦ୍ଧ ଅସ୍ତିତ୍ୱ ଯାହା ସେତେବେଳେ ତା’ର ଚମକ ଦେଖାଏ, ଯେତେବେଳେ ମନରୁ ସମସ୍ତ ପ୍ରାପ୍ତିର ଇଚ୍ଛା ବିସର୍ଜିତ ହୋଇଯାଏ। ସୁଖୀ ହେବାକୁ ହେଲେ ‘ମନ ଚାହେଁ ଅଧିକ’ର ଆବର୍ତ୍ତ ମଧ୍ୟରୁ ବାହାରି ଆସିବାକୁ ହେବ। ଯଦି ଆପଣ ଅସୁଖୀ ସେଥି ପାଇଁ ଆପଣ ଦାୟୀ। ସୁଖୀ ହେଲେ ମଧ୍ୟ ଆପଣ ହିଁ ଦାୟୀ। ଏକଦା କବି ପଚାରିଥିବା ପ୍ରଶ୍ନଟିର ଉତ୍ତର ଆମ କାହା ପାଖରେ ଆଜି ବି ନାହିଁ: ‘ମୁଝେ ଖବର୍ ନହିଁ ଗମ୍ କ୍ୟା ହୈ ଔର ଖୁସି କ୍ୟା ହୈ / ୟେ ଜିନ୍ଦଗୀ କି ହୈ ସୁରତ ତୋ ଜିନ୍ଦଗୀ କ୍ୟା ହୈ?’ ମତେ ଜଣା ନାହିଁ ଦୁଃଖ କ’ଣ ସୁଖ ବା କ’ଣ; ଇଏ ଯଦି ଜୀବନର ଦୁଇ ରୂପ, ତେବେ ସ୍ବୟଂ ଜୀବନଟା କ’ଣ?
ମୋ: ୯୩୩୭୬୪୮୬୩୮