ଦଶ ବର୍ଷ ତଳେ, ଅଗଷ୍ଟ ୨୦୧୩ରେ, ନିୟମଗିରି ଆନ୍ଦୋଳନ ଯୋଗୁଁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୧୨ଟି ଗ୍ରାମସଭାର ମତ ଆଧାରରେ ନିୟମଗିରି ଆଦିବାସୀଙ୍କ ନିର୍ଣ୍ଣାୟକ ବିଜୟ ହୋଇଥିଲା। ବେଦାନ୍ତ କମ୍ପାନି ପରାଜୟ ବରଣ କରି ସେଠାରୁ ଆଉ ବକ୍‌ସାଇଟ ଉତ୍ତୋଳନ କରି ପାରିଲା ନାହିଁ। ଆଶା କରାଯାଉଥିଲା ଯେ ବୋଧହୁଏ ଏହା ପରେ ଆଦିବାସୀମାନଙ୍କ ଭାବନାକୁ ସମ୍ମାନ ଜଣାଇ ବକ୍‌ସାଇଟ ଗଚ୍ଛିତ ଥିବା ଅନ୍ୟ ପାହାଡ଼ଗୁଡ଼ିକ ଉପରେ ଅନ୍ୟ କୌଣସି କମ୍ପାନିଙ୍କ ଲୋଲୁପ ଦୃଷ୍ଟି ପଡ଼ିବ ନାହିଁ କି ଆଦିବାସୀଙ୍କୁ ବିସ୍ଥାପିତ କରି ସେମାନଙ୍କ ଜୀବନଜୀବିକାକୁ ବିପନ୍ନ କରାଯିବ ନାହିଁ। କିନ୍ତୁ ଭାରତରେ ଗଚ୍ଛିତ ଥିବା ପ୍ରାୟ ୩୦୧ କୋଟି ଟନ୍‌ ବକ୍‌ସାଇଟରୁ ୬୦% କେବଳ ଓଡ଼ିଶାରେ ଉପଲବ୍‌ଧ ଥିବାରୁ ଦେଶୀ ଓ ବିଦେଶୀ କମ୍ପାନିଙ୍କ ଆଖି ଓଡ଼ିଶାର ଉପରୁ ହଟନ୍ତା ବା କିପରି? ଫଳରେ ଗଲା ଦଶ ବର୍ଷ ଭିତରେ ସ୍ଥିତିରେ ପରିବର୍ତ୍ତନ ଘଟିଥିବା ଦେଖିବାକୁ ମିଳୁଛି ଏବଂ ନିରୀହ ଆଦିବାସୀଙ୍କ ସ୍ୱରକୁ ବଳ ଦେବା ଲାଗି ମାତ୍ର କିଛି ହାତଗଣତି ବ୍ୟକ୍ତି ଓ ସଂଗଠନ ବିଦ୍ୟମାନ ଥିବାରୁ ଆଦିବାସୀଙ୍କ ସ୍ୱାର୍ଥ ସୁରକ୍ଷାର ସମ୍ଭାବନା କ୍ରମେ କ୍ଷୀଣ ହେବାକୁ ବସିଲାଣି। ତେବେ, ଏହି ସଂଦର୍ଭରେ ସିଜିମାଳି ଅଞ୍ଚଳ ବିଷୟରେ ଆଲୋଚନା କରାଯାଉ।
କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ତହସିଲ ଓ ରାୟଗଡ଼ା ଜିଲ୍ଲାର କାଶୀପୁର ତହସିଲର ୧୮ଟି ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ନେଇ ସିଜିମାଳି ଖଣି ଅଞ୍ଚଳ; ଯହିଁରୁ ୧୦ଟି ଗାଁ ଥୁଆମୂଳ ରାମପୁର ତହସିଲରେ ଥିବା ବେଳେ ବାକି ୮ଟି କାଶୀପୁର ତହସିଲରେ। ଏବଂ ପାହାଡ଼ ଉପରେ ଥିବା ଗାଁ ଯୋଡ଼ିକ ହେଲେ ସିଜିମାଳି ଓ ମାଳିପଦର। ଜିଲ୍ଲା ସଦର ମହକୁମା ଠାରୁ ସିଜିମାଳିର ଦୂରତା ପ୍ରାୟ ୬୫ କିଲୋମିଟର; ରାୟଗଡ଼ା ଜିଲ୍ଲାର କାଶୀପୁର ଠାରୁ ଏହାର ଦୂରତା ପ୍ରାୟ ୩୦ କିଲୋମିଟର। ମୁଖ୍ୟତଃ କନ୍ଧ ଜନଜାତି, କିଛି ପରଜା ସଂପ୍ରଦାୟ ଏବଂ ଡମ ଜାତିର ଲୋକେ ଏହାର ବାସିନ୍ଦା।
ତେବେ, କେବଳ ସିଜିମାଳି ନୁହେଁ, ଏହା ନିକଟରେ ଅବସ୍ଥିତ ଖଣ୍ଡୁଆଳମାଳି, କୁଟ୍ରୁମାଳି ଆଦି ପାହାଡ଼ରେ ମଧ୍ୟ ପ୍ରଚୁର ବକ୍‌ସାଇଟ ଗଚ୍ଛିତ ଅଛି। ପୂର୍ବରୁ ଅଷ୍ଟ୍ରେଲିଆର ‘ବିଏଚ୍‌ପି ବିଲଟୋନ’ କଂପାନି ଓ ଆମ ଦେଶର ‘ଲାର୍ସନ ଆଣ୍ଡ ଟୁବ୍ରୋ’ କଂପାନି ଖଣ୍ଡୁଆଳମାଳି ଖଣିକୁ ପାଇବାର ପ୍ରୟାସ କରିଥିଲେ, ଯାହା ବିଫଳ ହୋଇଛି। ପ୍ରକାଶ ଥାଉ କି ‘ଲାର୍ସନ ଆଣ୍ଡ ଟୁବ୍ରୋ’ ନିକଟରେ ସିଜିମାଳି ଖଣି ଅଞ୍ଚଳର ‘ପ୍ରସ୍‌ପେକ୍‌ଟିଂ ଲାଇସେନ୍‌ସ’ ଅଛି, କିନ୍ତୁ ରାଜ୍ୟ ଭିତରେ ବକ୍‌ସାଇଟ ପ୍ରକ୍ରିୟାକରଣ କାରଖାନା ପ୍ରତିଷ୍ଠା କରି ପାରି ନ ଥିବାରୁ ରାଜ୍ୟ ସରକାର ଏହାକୁ ଖଣିଜ ଉତ୍ତୋଳନ ଲାଗି ଲିଜ୍ ଦେଇ ନଥିଲେ। ଏପରି କି ଫେବ୍ରୁଆରି, ୨୦୨୦ରେ କମ୍ପାନି ବାର୍ଷିକ ପ୍ରାୟ ୬୦ ଲକ୍ଷ ଟନ୍‌ ବକ୍‌ସାଇଟ୍‌ ଉତ୍ତୋଳନ କରିବା ଲାଗି ଏକ ‘ପ୍ରି-ଫିଜିବିଲିଟି’ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିସାରିଥିଲା। ତେବେ, ଓଡ଼ିଶା ହାଇକୋର୍ଟ ଗଲା ମାର୍ଚ୍ଚ ୨, ୨୦୨୩ରେ କମ୍ପାନିର ଅଧିକାରକୁ ନାକଚ କରିଦେବା ପରେ କମ୍ପାନି ଏବେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଇତି ମଧ୍ୟରେ ମାର୍ଚ୍ଚ ୧, ୨୦୨୩ରେ ରାଜ୍ୟ ସରକାର ନିଲାମ ମାଧ୍ୟମରେ ସିଜିମାଳି ବ୍ଲକ୍‌ର ସେହି ୧୫୪୯.୦୨ ହେକ୍ଟର ବିଶିଷ୍ଟ ଖଣି ଅଞ୍ଚଳକୁ ବେଦାନ୍ତ କମ୍ପାନିକୁ ପ୍ରଦାନ କରି ‘ଲେଟର ଅଫ ଇଣ୍ଟେଣ୍ଟ’ ଦେଇଛନ୍ତିି, ଯାହା ଫେବ୍ରୁଆରି ୨୦୨୬ ଯାଏଁ ବଳବତ୍ତର ରହିବ। ଏଥି ମଧ୍ୟରୁ ୪୫.୧୭% ଜଙ୍ଗଲ ଜମି, ଯାହା ଉପରେ ସ୍ଥାନୀୟ ଅଧିବାସୀମାନେ ଜୀବନଜୀବିକା ପାଇଁ ନିର୍ଭରଶୀଳ। ଉଲ୍ଲେଖଯୋଗ୍ୟ ଯେ ‘ଆଇ.ବି.ଏମ୍‌. ବା ‘ଇଣ୍ଟିଆନ ବୁରୋ ଅଫ ମାଇନ୍‌ସ’ର ତଥ୍ୟ ଅନୁଯାୟୀ ଏହି ଖଣିରେ ୨୨.୦୩୯ କୋଟି ଟନ୍‌ର ଉତ୍ତୋଳନଯୋଗ୍ୟ ବକ୍‌ସାଇଟ ଗଚ୍ଛିତ ଥିବା ବେଳେ ବେଦାନ୍ତ ଏହି ଖଣିରୁ ବାର୍ଷିକ ୯୦ ଲକ୍ଷ ଟନ୍ ଉତ୍ତୋଳନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏଥର ‘ବେଦାନ୍ତ’ ପକ୍ଷରୁ ଖଣି ବିକାଶକ ଓ ସଂଚାଳନ ଦାୟିତ୍ବ ‘ମୈତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ମାଇନିଂ ପ୍ରାଇଭେଟ ଲିମିଟେଡ’କୁ ଦେଇ ଥିବାରୁ ଏ ନେଇ ଯାହା କିଛି ବିବାଦ ଓ ସଂଘର୍ଷ ହେଉଛି ତାହା ଏହି କମ୍ପାନି ସହ ହେଉଛି, ବେଦାନ୍ତ ସିଧାସଳଖ ଦୃଶ୍ୟପଟ‌େର ନାହିଁ।
ପ୍ରସ୍ତାବିତ ସିଜିମାଳି ଖଣି ଦ୍ୱାରା ୧୮ଟି ଆଦିବାସୀ ବହୁଳ ଗ୍ରାମ ପ୍ରଭାବିତ ହେବାକୁ ଯାଉଛି। ତେବେ, ଏହା ସଂବିଧାନର ପଞ୍ଚମ ଅନୁସୂଚି ଅଧୀନସ୍ଥ ଅଞ୍ଚଳ ହୋଇଥିବାରୁ ‘ପେସା’ ଆଇନ ଓ ଜଙ୍ଗଲ ଅଧିକାର ଆଇନ ଦ୍ବାରା ସୁରକ୍ଷିତ। ଏହା ସହିତ ପ୍ରକଳ୍ପ ଅଞ୍ଚଳରେ ଜଙ୍ଗଲ ଜମିର ପରିମାଣ ୭୦୦ ହେକ୍ଟରରୁ ଅଧିକ ଏବଂ ସ୍ଥାନୀୟ ଅଧିବାସୀମାନେ ଜୀବନଜୀବିକା ପାଇଁ ଏହା ଉପରେ ନିର୍ଭରଶୀଳ ଥିବାରୁ ଉପରୋକ୍ତ ଗ୍ରାମରେ ବାସ କରୁଥିବା ସମସ୍ତ ସାବାଳକଙ୍କ ସମ୍ମତି ଅନିବାର୍ଯ୍ୟ ଅଟେ। ‘ଓଡ଼ିଶା ଅନୁସୂଚିତ ଅଞ୍ଚଳ ଅଚଳ ସମ୍ପତ୍ତି ହସ୍ତାନ୍ତରଣ (ଅନୁସୂଚିତ ଜନଜାତିଙ୍କ ଦ୍ୱାରା) ଆଇନ, ୧୯୫୬’ ଅନୁଯାୟୀ ପଞ୍ଚମ ଅନୁସୂଚି ଅଞ୍ଚଳରେ ଘରୋଇ ବ୍ୟକ୍ତି ବା ସଂସ୍ଥାକୁ ଜମି ବା ଖଣିଜ ଦ୍ରବ୍ୟ ହସ୍ତାନ୍ତରଣ କରିହେବ ନାହିଁ। ପ୍ରକଳ୍ପରେ ୧୨୮ ହେକ୍ଟର ଘରୋଇ ଜମି ଅଧିଗୃହୀତ ହେବାକୁ ଯାଉଛି, ଯାହା କେତେ ଦୂର ବିଧିସମ୍ମତ ତାହା ମଧ୍ୟ ବିଚାର୍ଯ୍ୟ। ଉଲ୍ଲେଖଯୋଗ୍ୟ ଯେ ‘ସମତା ବନାମ ଆନ୍ଧ୍ର ପ୍ରଦେଶ ରାଜ୍ୟ ଓ ଅନ୍ୟମାନେ’ ମାମଲା (୧୯୯୭)ରେ ସୁପ୍ରିମ୍‌ କୋର୍ଟ ଆଦିବାସୀଙ୍କ ଜମିରୁ ପ୍ରାକୃତିକ ସମ୍ପଦ ଉତ୍ତୋଳନ ଲାଗି ଘରୋଇ ସଂସ୍ଥାକୁ ଜମି ହସ୍ତାନ୍ତରଣକୁ ଅବୈଧ ବୋଲି ଦର୍ଶାଇ ଥିଲେ।
ଏହା ବ୍ୟତୀତ ପ୍ରସ୍ତାବିତ ପ୍ରକଳ୍ପରେ ପରିବେଶ ପ୍ରତି ମଧ୍ୟ ବିପଦ ଅଛି। ଏହାର ଖୁବ୍‌ ନିକଟରେ ଥିବା କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟ ଏହା ଦ୍ବାରା ଆକ୍ରାନ୍ତ ହୋଇପାରେ। ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବାକୁ ଥିବା ଗାଁଗୁଡ଼ିକ ମଧ୍ୟରୁ ଦୁଇଟି ଗାଁ ‘ପରିବେଶ ସମ୍ୱେଦନଶୀଳ ଅଞ୍ଚଳ’ ଭିତରେ ଅବସ୍ଥିତ। ଏପରି କି ପ୍ରକଳ୍ପ ସଂଲଗ୍ନ ଅଞ୍ଚଳ ଦେଇ କର୍ଲାପାଟରୁ ରାୟଗଡ଼ାର କଲ୍ୟାଣସିଂହପୁର, ଟିକିରି ପର୍ଯ୍ୟନ୍ତ ହାତୀ ଚଲାପଥ ରହିଛି। ଏତଦ୍‌ଭିନ୍ନ ସ୍ଥାନୀୟ ଲୋକଙ୍କ ଆଶଙ୍କା ଯେ ବକ୍‌ସାଇଟ ଖନନ ହେଲେ ସେଠାକାର ଶତାଧିକ ଝରଣା ଶୁଖିଯିବ ଓ ଜଳାଭାବରୁ ସେମାନଙ୍କ କୃଷି କାର୍ଯ୍ୟ ବ୍ୟାହତ ହେବ। ପାରିବେଶିକ ମଞ୍ଜୁରି ପାଇଁ ଅକ୍‌ଟୋବର ୧୬ରେ କାଶୀପୁର ବ୍ଲକ୍‌ର ବନ୍ତେଜୀ ଠାରେ ଓ ଅକ୍‌ଟୋବର ୧୮ରେ ଥୁଆମୂଳ ରାମପୁରସ୍ଥ କେରପାଇ ଠାରେ ଅନୁଷ୍ଠିତ ଦୁଇଟି ଜନଶୁଣାଣିରେ ଗ୍ରାମବାସୀମାନେ ପ୍ରକଳ୍ପକୁ ବିରୋଧ କରିଥିବା ପରିଲକ୍ଷିତ ହୋଇଥିଲା। ତେବେ ଜନଶୁଣାଣି ପୂର୍ବରୁ ସେହି ଅଞ୍ଚଳର ଗ୍ରାମବାସୀଙ୍କ ବିରୋଧରେ ୫ଟି ମାମଲା ରୁଜୁ କରାଯାଇ (କେବଳ ଅଗଷ୍ଟ ମାସରେ) ୨୦ ଜଣଙ୍କୁ ଜେଲରେ ପୂରାଇ ଭୟର ବାତାବରଣ ସୃଷ୍ଟି କରାଯାଇଥିଲା। ଅନେକ ଲୋକଙ୍କ ଆଶଙ୍କା ଯେ ଭୟ ଏବଂ ପ୍ରଲୋଭନ ଦ୍ବାରା ଜନଶୁଣାଣିକୁ ପ୍ରଭାବିତ କରାଯିବାର ପ୍ରୟାସ କମ୍ପାନି ପକ୍ଷରୁ କରାଯାଇପାରେ।
ପ୍ରକାଶ ଥାଉ କି ନିୟମଗିରିର ନିୟମ ରାଜାଙ୍କ ପରି ସିଜିମାଳିରେ ‘ସିଜ’ ରଜାଙ୍କୁ ସ୍ଥାନୀୟ କନ୍ଧମାନେ ସେମାନଙ୍କ ଦେବତା ରୂପେ ପୂଜା କରିଥାଆନ୍ତି। ସେହି ପାହାଡ଼ରେ ପାରାପର ଓ ବାଘପର ପରି କେତେକ ଗୁମ୍ଫାକୁ ପଶୁ ଦେବତାଙ୍କ ଆସ୍ଥାନ ବୋଲି ସେମାନେ ବିଚାର କରନ୍ତି। ସୁତରାଂ, ଏହି ପର୍ବତ ସହିତ ସ୍ଥାନୀୟ ଆଦିବାସୀଙ୍କ ଧର୍ମ, ସଂସ୍କୃତି ଓ ପରମ୍ପରାଗତ ଗଭୀର ସଂପର୍କ ରହିଛି, ଯାହାକୁ କୌଣସି ପ୍ରକାରେ ହେୟ ବା ଗୌଣ ମଣି ହେବ ନାହିଁ।
ତେବେ, ଆଉ ଏକ ବାସ୍ତବତା ହେଲା ଏହି ପ୍ରକଳ୍ପ ରୋଜଗାର ଯୋଗାଇବ ବୋଲି ପ୍ରକଳ୍ପ ସପକ୍ଷରେ ଅନ୍ୟ କେତେକ ଅଞ୍ଚଳର ଲୋକ ବାହାରୁଥିବା ପରିଲକ୍ଷିତ ହେଉଛି। ତେଣୁ ପ୍ରକଳ୍ପ ନେଇ ଭିଡ଼ାଓଟରା ମଧ୍ୟ ଲାଗିପାରେ।
ନିୟମଗିରି ଆନ୍ଦୋଳନ ସଫଳ ହେବା ପଛରେ ଏକ ବଡ଼ କାରଣ ଥିଲା ଏହା ଯେ ଏହି ଆନ୍ଦୋଳନଟି ବିଭିନ୍ନ ବର୍ଗର ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନ ହାସଲ କରି ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟି ପାରିଥିଲା। ସେତେବେଳେ କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଶାସନ କରୁଥିବା ବେଳେ ସ୍ବୟଂ ରାହୁଳ ଗାନ୍ଧୀ ଏହାର ସମର୍ଥନ କରି ନିୟମଗିରିରେ ପହଞ୍ଚି ଲୋକଙ୍କ ପାଖରେ ଛିଡ଼ା ହୋଇଥିଲେ। କିଛି ସ୍ଥାନୀୟ ରାଜନେତା ମଧ୍ୟ ଆନ୍ଦୋଳନକୁ ସକ୍ରିୟ ସମର୍ଥନ ପ୍ରଦାନ କରିଥିଲେ। ଅନେକ ସଂସ୍ଥା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର୍ଥିକ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ କୁଣ୍ଠା ପ୍ରକାଶ କରିନଥିଲେ। ରାଜ୍ୟ ତଥା ଜାତୀୟ ଗଣମାଧ୍ୟମଗୁଡ଼ିକ ଏହି ଆନ୍ଦୋଳନ ସପକ୍ଷରେ ଜନମତ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳି ଯାଇଛି। ଅଧିକାଂଶ ଗଣମାଧ୍ୟମ ଏବେ କର୍ପୋରେଟ କବଳିତ। ଫଳରେ ଆନ୍ଦୋଳନଗୁଡ଼ିକ ବ୍ୟାପକ ଜନ ସମର୍ଥନ ହାସଲ କରିପାରୁନାହିଁ। ଖଣ୍ଡୁଆଳମାଳି ଆନ୍ଦୋଳନ ହେଉ ଅବା ସିଜିମାଳି ଆନ୍ଦୋଳନ; ସେଗୁଡ଼ିକୁ ପ୍ରମୁଖ ରାଜନୈତିକ ଦଳଙ୍କ ସମର୍ଥନ ମିଳୁନାହିଁ। ହୁଏତ ନିକଟରେ ହେବାକୁ ଥିବା ନିର୍ବାଚନ ତା’ର ଅନ୍ୟତମ କାରଣ ହୋଇପାରେ। ଅନ୍ୟ ପକ୍ଷରେ ଗିରଫଦାରି ବା ଅନ୍ୟାନ୍ୟ ଜୁଲମ ଭୟରେ ସ୍ଥାନୀୟ ନେତାମାନେ ବଳିଷ୍ଠ ନେତୃତ୍ୱ ଦେବାକୁ ଆଗଭର ହେଉ ନାହାନ୍ତି। ତେଣୁ ଉପଯୁକ୍ତ ନେତୃତ୍ୱ ଅଭାବରୁ ହୁଏତ ସେଠାକାର ଆଦିବାସୀମାନେ ସେମାନଙ୍କ ନ୍ୟାଯ୍ୟ ଅଧିକାର ପାଇବାରୁ ବଞ୍ଚିତ ହୋଇପାରନ୍ତି।
ଏବେ ଚିନ୍ତାରେ ‘ସିଜ’ ରଜା। ନିଜ ଜୀବନକୁ ବାଜି ଲଗାଇ ନିୟମ ରାଜାର ପ୍ରଜାମାନେ ତାକୁ ସିନା ବଞ୍ଚାଇ ଦେଲେ, ହେଲେ ସିଜିମାଳିର ପ୍ରଜାମାନେ ‘ସିଜ’ ରଜାକୁ ବଞ୍ଚାଇ ରଖିବା ଲାଗି କ’ଣ ସେଭଳି କରି ପାରିବେ?
ମୋ: ୯୪୩୭୦୩୮୦୧୫