ସରସ ରସ, ପଟେ ଜୋତାର ଆତ୍ମଲିପି

ସୁଭାଷ ପଟ୍ଟନାୟକ

କିଛିଦିନ ତଳେ ଏହି ସ୍ତମ୍ଭରେ ଆମେ ଏକ ଆଲେଖ ବାଢ଼ିଥିଲୁ, ‘ଜୋତା ଜ୍ଞାନ’। ମନୁଷ୍ୟ ସହିତ ଜୋତାର ସଂପର୍କକୁ ନେଇ ସେ ଜ୍ଞାନର ବିତରଣ ପରେ ମନେହେଲା, ସାରା ପୃଥିବୀର ଉତ୍ତାପକୁ ନିଜେ ସହିନେଇ କଣ୍ଟକିତ ପଥରେ ମନୁଷ୍ୟର ପାଦକୁ ସୁରକ୍ଷା ଦେଉଥିବା ଜୋତାର ନିଜସ୍ବ କାହାଣୀ ତାଠାରୁ ଶୁଣାଯିବା ଉଚିତ। ସେଥିପାଇଁ ହଳେ ଜୋତାର ସନ୍ଧାନରେ ଯାଇ ଆମେ ଲେଖକ ଶରଦ ଯୋଶୀଙ୍କ ‘ହଳେ ଜୋତାର କାହାଣୀ’ର ନାୟକକୁ ବହୁତ ଖୋଜି ନିରାଶ ହେବାପରେ ଦିନେ ଅକସ୍ମାତ୍‌ କାହାଣୀର ବାମ ଜୋତାଟି ରାସ୍ତା କଡ଼ରେ ପଡ଼ିଥିବା ଦେଖିଲୁ। ନିଜ ଜୀବନ ଚରିତ ବିଷୟରେ ତାକୁ ପଚାରିବାରୁ ବିମର୍ଷ ହୋଇ କହିଲା, ସୋ ରୁମ୍‌ର ଶୀତତାପ ନିୟନ୍ତ୍ରିତ ଚାକଚକ୍ୟ ମଧ୍ୟରେ ମୁଁ ଓ ମୋ ସାଥୀ ଜୋତାଟି ଖୁବ୍ ଆରାମରେ ଥିଲୁ। ଏକଦା ଜଣେ ବ୍ୟକ୍ତିଙ୍କ ସାଙ୍ଗରେ ଚାଲିଆସିଲୁ ତାଙ୍କ ଘରକୁ। ଆମ ଦୁଇ ଜୋତା ବନ୍ଧୁଙ୍କ ମଧ୍ୟରେ ଥିଲା ଅତ୍ୟନ୍ତ ନିବିଡ଼ତା। କେବେବି ଆମେ ଅଲଗା ହେଉ ନଥିଲୁ। ଆମର ମାଲିକ ଥିଲେ ଦୁଇଟି ପାଦ। ତାଙ୍କର ସୁରକ୍ଷା ଆମପାଇଁ ଥିଲା ଏକମାତ୍ର ସଂକଳ୍ପ। ଯେଉଁଆଡ଼େ ଗଲେବି ଦୁଇ ବନ୍ଧୁ ଏକାଠି ଯାଇ ଏକାଠି ଫେରୁଥିଲୁ। ଗୋଟିଏ ଜୋତା ଆଘାତ ପାଇଲେ ଅନ୍ୟଟି ତାକୁ ସାହସ ଦେଉଥିଲା। ଆମେ ଥିଲୁ ସଂପୂର୍ଣ୍ଣ ଧର୍ମ ନିରପେକ୍ଷ। ପାଦ ଦୁଇଟି ମନ୍ଦିର ଗଲେ ଆମେ ବାହାରେ ଅପେକ୍ଷା କରି ରହୁଥିଲୁ। ଥରେ ମୋ ଛାତିରେ ଛେଦ ହୋଇ ମୁଁ ଅଚଳ ହୋଇଗଲି। ସାଥୀ ଜୋତାଟି କହିଲା, ମତେ ଛାଡ଼ି ବାହାରକୁ ଆଉ ଯିବନି। ସେହି ଦିନଠାରୁ ଉଭୟେ ଏକାଠି ପଡ଼ି ରହିଥିଲୁ। ଥରେ ଦୁଇଟି ପାଦ ଆମର ଅନିଚ୍ଛା ସତ୍ତ୍ବେ ଆମକୁ ନେଇ ଜଣେ ମନ୍ତ୍ରୀଙ୍କ ସଭାକୁ ଗଲା। ଭିଡ଼ ଭିତରେ ଡାହାଣ ଜୋତାଟିକୁ ପାଦରୁ କାଢ଼ି ମନ୍ତ୍ରୀଙ୍କ ଉପରକୁ ଫିଙ୍ଗିଦେଲା। ସାଥୀଟି ମୋର ମନ୍ତ୍ରୀଙ୍କ ନାକ ସ୍ପର୍ଶ କରି ମଞ୍ଚ ଉପରେ ପଡ଼ି ରହିଲା, ଆଉ ମୁଁ ପାଦଚ୍ୟୁତ ହୋଇ ପଡ଼ି ରହିଲି ତଳେ। ଏହିଠାରୁ ଆମେ ଯୋଶୀ ମହାଶୟଙ୍କ କାହାଣୀରୁ ବାହାରି ଅଲଗା ହୋଇଗଲୁ। ସାଥୀଟିର ଅବସ୍ଥା କ’ଣ ହେଲା ମୁଁ ଆଉ ଜାଣେନି। ଆମର ଅବଶିଷ୍ଟ ଜୀବନ ତ ସାଥୀ ବିହୁନରେ ଛେଉଣ୍ଡ ହୋଇ ଏମିତି ରାସ୍ତା କଡ଼ରେ ପଡ଼ି ଶେଷ ହୋଇଯାଏ। କିଛିଦିନ ଗୋଟିଏ ଅଧା ତିଆରି ଘର ଉପରେ ଝୁଲିଛି। ତାପରେ ଗୋଟିଏ ଟ୍ରକର ଆଗରେ ମତେ ଝୁଲାଇ ଦିଆଗଲା। ଦିନେ ଖସିପଡ଼ି ଏଇଠି ପଡ଼ିରହିଛି। ମୋର ସାଥୀଟି କେବେ ଦେଖାହେଲେ ତାକୁ ମୋ କଥା ନିଶ୍ଚୟ କହିବ।

ଏ ଘଟଣା ପରେ ଦିନେ ଏକ ଝୋପଡ଼ି ଦୁଆରେ ଡାହାଣ ଜୋତାଟି ସହିତ ଭେଟ ହୋଇଗଲା। ସାଥୀରେ ତାର ଅନ୍ୟ ଗୋଟିଏ ବାମ ଜୋତା। ଆମକୁ ଚିହ୍ନିପାରି ଜୋତାଟି କାନ୍ଦି ପକାଇ କହିଲା, ଅଳିଆ ବୁହା ଗାଡ଼ିରେ ବସି ଦିନେ ଗଲାବେଳେ ରାସ୍ତାରେ ଖସି ପଡ଼ିଥିଲି। ମୋର ଏ ନୂଆ ମାଲିକ ଗୋଟାଇ ଆଣି ଆଶ୍ରୟ ଦେଇଛନ୍ତି। ଆଗରୁ ଗୋଟିଏ ମୋପରି ଅସହାୟ ଜୋତାକୁ ଆଣି ମଧ୍ୟ ଆଶ୍ରୟ ଦେଇଥିଲେ। ଖୁବ୍‌ ଆଦର ଯତ୍ନ ମିଳୁଛି। ଆମ ଦୁଇ ଜୋତାଙ୍କ ମଧ୍ୟରେ ସଂପର୍କ ଭଲ ନଥିଲେ ମଧ୍ୟ ଉଭୟ ମିଶି ମାଲିକଙ୍କ ରୋଗଗ୍ରସ୍ତ ପାଦ ଦୁଇଟିର ଦେଖାଶୁଣା କରୁଛୁ। ମୋ ପୁରୁଣା ସାଥୀର କଥା ଖୁବ୍ ମନେ ପଡୁଛି। ପରିଣତ ବୟସରେ ଏମିତି ଛାଡ଼ବାଡ଼ ହୋଇଯିବାଟା ବାଧୁଛି। ତୁମେ ମଣିଷମାନେ ସତରେ କେତେ ସ୍ବାର୍ଥପର! ତୁମର ସବୁ ସମୃଦ୍ଧି କେବଳ ଆମରିଯୋଗୁଁ, ଅଥଚ ଶେଷ ଜୀବନ ଆମର ଏକାକୀ ବିତେ ରାସ୍ତା କଡ଼ରେ! ଆମ ପୂର୍ବ ପୁରୁଷତ ଅଯୋଧ୍ୟାର ରାଜ ସିଂହାସନରେ ଚଉଦ ବର୍ଷ ବସିଥିଲେ। ଶୁଣିଛି ଡଚ୍ ଚିତ୍ରକାର ଭାନ୍ ଗଫ୍ ଏକୁଟିଆ ପଡ଼ିଥିବା କାଦୁଅମଖା ଜୋତାକୁ ଗୋଟାଇଆଣି ତାର ଚିତ୍ର ଆଙ୍କୁଥିଲେ। ଚିତ୍ରକାର ଆଣ୍ଡି ଵାରହଲଙ୍କର ହୀରାଗୁଣ୍ଡ ଖଚିତ ଜୋତାର ଚିତ୍ର ତ ବିଶ୍ବବିଦିତ। ଜୀବନ ସାରା ସେବା ଯୋଗାଇଲୁ, ଆମର ଚିତ୍ର ଆଙ୍କି ମଧ୍ୟ ତୁମେ ପ୍ରସିଦ୍ଧି ପାଇଲ, ଆଉ ଆମେ ଶେଷରେ ଆସି ଏକାକୀ ପଡ଼ିରହିଲୁ ରାସ୍ତା କଡ଼ରେ। “ମଦ ଘଡ଼ା, କାମ ସରିଗଲେ ଗଡ଼ଗଡ଼ା”। ତୁମପରି ଆମ ପାଖରେ ଜାତିଭେଦ ନାହିଁ କି ଧନୀ-ଗରିବ ବାଛ ବିଚାର ନାହିଁ। ମନେ ପଡୁଛି, ଥରେ ପୂର୍ବ ମାଲିକ ସାଙ୍ଗରେ ସିନେମା ଯାଇଥିଲି। ମାତ୍ର ଛଅ ମିନିଟର ସିନେମା, ‘ଦ ଅଦର୍ ପେୟାର୍’। ଗରିବ ପିଲାଟିଏ ରେଳ ପ୍ଲାଟଫର୍ମରେ ବସି ତା ଛିଣ୍ଡା ଜୋତାର ଫିତା ବାନ୍ଧୁଛି। ତାରି ବୟସର ଧନୀ ଘରର ପିଲାଟିଏ ହଳେ ଚକଚକିଆ ନୂଆ ଜୋତା ପିନ୍ଧି ଆସିଲା। ଗରିବ ପିଲାଟି ସେ ନୂଆ ଜୋତାକୁ ଅନାଇଁ ରହିଥାଏ। ରେଳରେ ଚଢ଼ିବା ବେଳେ ପିଲାଟିର ଗୋଟିଏ ଜୋତା ଖସିପଡ଼ିଲା ଓ ରେଳ ଛାଡ଼ିଦେଲା। ଗରିବ ପିଲାଟି ଦୌଡ଼ିଯାଇ ଜୋତାଟି ଗୋଟାଇ ଧନୀ ପିଲାକୁ ଦେବାପାଇଁ ଦୌଡ଼ିଲା କିନ୍ତୁ ପାରିଲାନି। ଧନୀ ପିଲାଟି ଜୋତା ପାଇଁ ହାତ ବଢ଼ାଇଥାଏ। ଜୋତାଟି ଏଥର ମିଳିବନି ଜାଣି ପିଲାଟି ତାର ଅନ୍ୟ ଜୋତାଟି ଖୋଲି ତଳକୁ ପକାଇଦେଇ ହସି ହସି ହାତ ହଲାଇ ଦେଲା। ଗରିବ ପିଲାଟି ଦୁଇଟିଯାକ ଜୋତା ଗୋଟାଇ ପ୍ରତ୍ୟୁତ୍ତରରେ ହାତ ହଲାଇଲା। ଆମେ କେବେବି ପାଦର ଧନୀ-ଗରିବ ଦେଖୁନା। ନିଜକୁ ଅନ୍ୟର ସେବାରେ ଉତ୍ସର୍ଗ କରିଦେବାରେ ହିଁ ଆମର ଆନନ୍ଦ। ତ୍ୟାଗ ସହି ସହି ଯେତେବେଳେ ତୁମଠାରୁ ଘୃଣା ମିଳେ, ସେ ତ୍ୟାଗର ମୂଲ୍ୟ ଆମର ଦୁଇଗୁଣା ବଢ଼ିଯାଏ। ଠିକ୍ ଏତିକିବେଳେ ପାଖରେ ଥିବା ନାତୁଣୀ ଆମର କହିଲା, “କହିଲ ଦଦ୍ଦୁ, କାହାର ଗୋଟିଏ ଜିଭ, ଛଅଟି ଆଖି ଓ ଗୋଟିଏ ଆତ୍ମା (ସୋଲ୍) ଅଛି ଆଉ ସେ ଆତ୍ମାକୁ ସର୍ବଦା ହଳେ ପାଦ ଦଳିମକଚି ଚାଲିଛି? ଆରେ ବୁଦ୍ଦୁ, ସେ ହେଉଛି ଆମ ଜୋତା!”
ମୋ:୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର