ଶାନ୍ତି ପାଇଁ କସରତ

ଦାଶ ବେନହୁର

ମଣିଷଠାରୁ ପଶୁ ଯାଏ ସମ‌େସ୍ତ ଶାନ୍ତି ଚାହାନ୍ତି। ଏପରି କି ଗଛଲତା ମାଟି, ପାଣି, ପବନ। ଗଛରେ ଫଳ ଯେମିତି ଫଳିବା କଥା ଫଳେନା କି ଫୁଲ ଯେମିତି ଫୁଟିବା କଥା ଫୁଟେନା। କାହିଁକି? ‌ପବନ ଝଡ଼ ବେଗରେ ବହେ ପୁଣି ଥଅ ହୋଇ ରହିଯାଏ। ତାହା ଯେ ଗଛ ବା ପବନର ଶାନ୍ତି ଭଙ୍ଗଜନିତ ପରିପ୍ରକାଶ ସେକଥା ଆମେ ଅସ୍ବୀକାର କରିପାରିବା ନାହିଁ। ଶାସ୍ତ୍ରମାନେ କହୁଛନ୍ତି, ସବୁ ଭିତରେ ପ୍ରାଣ ଅଛି। ସବୁ କଥାର ସ୍ବରୂପ ଅଛି, ଭାଷା ଅଛି। ଜଡ଼ର ବି।
ସଜୀବ ବା ନିର୍ଜୀବ ସବୁ ପ୍ରାଣମୟ। ମାତ୍ର ଆମେ ସେ ସବୁକୁ ଅନୁଭବ କରିବାର ସାମର୍ଥ୍ୟ ହାସଲ କରିବାରେ ଅକ୍ଷମ। ବିଡ଼ମ୍ବନାର କଥା ହେଲା ଆମେ କ’ଣ ଚାହୁଁ ସେ କଥା ମଧ୍ୟ ନିଜେ ଜାଣୁନା। ସମସ୍ତେ କ’ଣ ଚାହୁଁଛନ୍ତି ତାହା ହୃଦୟଙ୍ଗମ କରିବାକୁ ପାଖରେ ସମୟ ନାହିଁ। ଗଛଲତା, ପାଣି, ପବନ ସକାଶେ ଚିନ୍ତା କରିବା ଯେ ଜରୁରି ତାହା କ’ଣ ସାମୂହିକ ହେଲାଣି? ପଶୁପକ୍ଷୀଙ୍କ ସହ ଏକାତ୍ମ ହେବାର ମନୋଭାବ ଆମ ଭିତରକୁ ଆସିନାହିଁ। ସମସ୍ତେ ଶାନ୍ତି ଚାହୁଁ, ଅଥଚ ଶାନ୍ତିକୁ ବୁଝିବାକୁ, ଶାନ୍ତିର ଦ୍ବାର ଖୋଲିବାକୁ ‌େଯଉଁ ସଚେତନ ପ୍ରୟାସର ଆବଶ୍ୟକତା ଅଛି ତା’ଠାରୁ ଆମେ ଅନେକ ଦୂରରେ।

ଦେହକୁ ସୁସ୍ଥ ରଖିବା ପାଇଁ ନିତି କସରତ କରିବାକୁ ପଡ଼େ। ଉଠିବା, ବସିବା, ଚାଲିବା, ଧାଇଁବା, କହିବା, ଖାଇବା ମଧ୍ୟ ଗୋଟିଏ ଗୋଟିଏ କସରତ। ଶୁଣିବା ବି। ଶରୀର ଅନେକ ଅଙ୍ଗପ୍ରତ୍ୟଙ୍ଗର ସମଷ୍ଟି। ଗୋଟିଏ ଶରୀର ହେଲେ ମଧ୍ୟ ତହିଁରେ ଅଙ୍ଗମାନଙ୍କର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନ ଥିଲେ ଦେହଟି ଅକାମୀ ହେବାକୁ ବାଧ୍ୟ। ପେଟ ଭିତରେ ଯେଉଁ ଅଂଶକୁ ଯେମିତି ସ୍ଥାନ ଦିଆଯାଇଛି ସେ ତା’ ଭିତରେ ରହିବା ଆବଶ୍ୟକ। ମନେ ରଖିବା‌ ଯେ ଦେହର ସବୁ ଅଂଶ ସଚଳ। ଚମ ଠାରୁ ନଖ ଯାଏ। କୌଣସିଟି ଅଙ୍ଗ ବା ପ୍ରତ୍ୟଙ୍ଗ କାମ ନ କରି ରହିଗଲେ ଦେହ ଆଉ ଶାନ୍ତିରେ ରହିପାରିବନି। ଏ ସମସ୍ତେ କସରତ କରନ୍ତି। ହାତ, ଗୋଡ଼ଠାରୁ ଆରମ୍ଭ କରି ବୃକ୍‌କ, ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌ ସମସ୍ତେ କସରତ କରନ୍ତି। କରନ୍ତି ବୋଲି ଜୀବନ ଚାଲେ। ଏତିକି ବୁଝିବା ଆବଶ୍ୟକ ଯେ ଅଙ୍ଗ ପ୍ରତ୍ୟଙ୍ଗଗୁଡ଼ିକର ସହାବସ୍ଥାନ ହିଁ ପ୍ରତିଟି ପ୍ରାଣୀ ଲାଗି ଜୀବନ-‌ଦ୍ୟୋତକ। ଆଗରୁ କହିଲା ଭଳି ଜଡ଼ର ବି ଜୀବନ ଅଛି। ଗୋଟିଏ ଜଳବିନ୍ଦୁକୁ ଦେଖନ୍ତୁ। ଆମେ ଭାବୁ ଜଳ, ଜଡ଼। ଜଳ କହିଲେ ତାହା ଉଦ୍‌ଜାନ ଓ ଅମ୍ଳଜାନର ସମ୍ମିଶ୍ରଣ। ଉଦ୍‌ଜାନ ଦୁଇଭାଗ ଏବଂ ଅମ୍ଳଜାନ ଏକ ଭାଗ ହେଲେ ଜଳର ସୃଷ୍ଟି ହୁଏ। ଜଳ ହିଁ ପୃଥିବୀପୃଷ୍ଠରେ ଜୀବନ ଆନୟନକ‌‌ାରୀ। ହେଲେ ବୁଝିଯିବା ଆବଶ୍ୟକ ଯେ ଉଦ୍‌ଜାନ ହେଉଛି ଅଗ୍ନିବାହ। ଅମ୍ଳଜାନ ହେଉଛି ଜୀବନବାହ। ଆଶ୍ଚର୍ଯ୍ୟ! ଅଗ୍ନି ତ ବିନାଶକ, କ୍ଷୟକାରୀ। ସେ ପୁଣି ଜୀବନ-ସହାୟକ କେମିତି? ଦୁହେଁ ମିଶିଲେ ହିଁ ଜଳ ବା ଜୀବନ ଚାଲେ। ପ୍ରକୃତିର ନିୟମ, ସହାବସ୍ଥାନ। ଏକାଠି ନିଜର ସ୍ଥିତି ଅନୁଯାୟୀ ରହିବା ହିଁ ସହାବସ୍ଥାନ।

ଧରାଯାଉ ଛାତି ଭିତରେ ହୃତ୍‌ପିଣ୍ଡଟି ଫୁସ୍‌ଫୁସ୍‌କୁ ଠେଲିବା ଆରମ୍ଭ କରିବ। କିମ୍ବା ପାକସ୍ଥଳୀ, ବୃକ୍‌କ ଉପରେ ଚାପ ପ୍ରୟୋଗ କରିବ। ତେବେ ତ ସରିଗଲା କଥା! ପ୍ରତିିଟି ଶରୀର ଶାନ୍ତିର ଗୋଟିଏ ଗୋଟିଏ କାରଖାନା। ପ୍ରୟୋଗ କ୍ଷେତ୍ର। ଅନ୍ୟ ଅର୍ଥରେ କହି‌େଲ ଦେହ ଭିତରେ ବି ସବୁକଥାର ଉଚିତ ବା ଯଥାର୍ଥ ସହାବସ୍ଥାନ ହିଁ ଶରୀରକୁ ସୁଖ, ଶାନ୍ତି, ଉଭୟ ପ୍ରଦାନ କରେ। ଆଉ ଟିକେ ଆଗକୁ ଯାଇ ବିଚାର କଲେ ଅଙ୍ଗ-ପ୍ରତ୍ୟଙ୍ଗର ସମ‌ଷ୍ଟି ମାଧ୍ୟମରେ ଶରୀର ଯେମିତି ସହାବସ୍ଥାନଜନିତ ଶାନ୍ତି ଲୋଡ଼େ, ଠିକ୍‌ ସେମିତି ଦେଶ-ପ୍ରଦେଶରେ ବୁଝାମଣାଗତ ସହାବସ୍ଥାନରେ ଶାନ୍ତି ପ୍ରତିଷ୍ଠିତ ହୁଏ। ଶାନ୍ତିର ଅର୍ଥ ଖୋଜିବାକୁ ଗଲେ ବିଶୃଙ୍ଖଳାର ଅନୁପସ୍ଥିତି ହିଁ ଶାନ୍ତି। ଶାନ୍ତିର ପରିଭାଷା ସନ୍ତୋଷ, ବିକାଶ ଓ ଶୃଙ୍ଖଳା ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଶାନ୍ତି ହିଁ ସନ୍ତୋଷ ଦିଏ। ପୁଣି ସନ୍ତୋଷ ଶାନ୍ତି ଲାଗି ପ୍ରଧାନ ସହାୟକ ସାଜିଥ‌ାଏ। ଗୋଟିଏ ଯେମିତି ଅନ୍ୟଠାରୁ ଅଲଗା ନୁହେଁ। ବିକାଶର ଅର୍ଥ ଏଠାରେ ଜଡ଼-ବିକାଶ ନୁହେଁ, ବୋଧଗମ୍ୟତାର ବିକାଶ। ନିଜକୁ ତଥା ଅନ୍ୟକୁ ବୁଝିବାର ଆଗୁସାର ପ୍ରକ୍ରିୟା ହିଁ ବିକାଶର ଧାରା। ସେଇଥିପାଇଁ ସମ୍ପତ୍ତି ଓ କ୍ଷମତାର ଶୀର୍ଷର ଥିବା ଲୋକଟିକୁ ମଧ୍ୟ ଆମେ ଅଶାନ୍ତ ଥିବାର ଦେଖୁ। ଅଥଚ ସାଧାରଣ ଲୋକଟିଏ ଶାନ୍ତିପୂର୍ଣ୍ଣ ଜୀବନଯାପନ କରେ।

ଜନ୍‌ ‌େହ’ଙ୍କ ଦ୍ବାରା ରଚିତ ‘‘ଏନ୍‌ଚାଣ୍ଟେଡ୍‌ ସାର୍ଟ’’ ବା ‘‘କୁହୁକ କୁର୍ତ୍ତା’’ କବିତାର ଅମୂଲ୍ୟ-ବାଣୀଟି ହେଲା, ‘‘ଅସଲ ସମ୍ପତ୍ତି ହିଁ ସନ୍ତୋଷ ବିଧାନ କରିଥାଏ।’’ ଏ ସମ୍ପତ୍ତି କ’ଣ? ସେଇଥିରେ ପୁଣି ବୁଝାଇ ଦିଆ ହୋଇଛି ଯେ ବିନା ଶ୍ରମରେ ସୁଖର ପରିକଳ୍ପନା କରିବା ଅସମ୍ଭବ। ଯେଉଁ ଜଡ଼ ପଦାର୍ଥଗୁଡ଼ିକୁ ଆମେ ସମ୍ପତ୍ତିର ମାପକାଠି କରୁ ତାହା ପ୍ରକୃତରେ ସମ୍ପତ୍ତି ନୁହେଁ। କୋହିନୁର ହୀରା ଅମୂଲ୍ୟ। ତା’ର ମୂଲ୍ୟ କୁଆଡ଼େ କଳ୍ପନାର ବାହାରେ। ମାତ୍ର ତାହା କ’ଣ ସମ୍ପତ୍ତି? ଏବେ କୁହାଗଲାଣି, ମଣିଷ ପାଖରେ ରହିଲେ ତାହା ଅଭିଶାପ ତଥା ଅଶାନ୍ତି ଆଣେ। ସୁଖ ପାଇଁ ଶ୍ରମ ବା ଶ୍ରମ ମାଧ୍ୟମରେ ଯେ ସୁଖ ହାସଲ ହୁଏ ତାହା ହିଁ ଅସଲ ଶାନ୍ତି ପ୍ରଦାନ କରେ। ଏହି ଶ୍ରମ ହିଁ କସରତ। କସରତ ନାହିଁ ତ ଶାନ୍ତି କାହିଁ?

ଶାନ୍ତି ବ୍ୟକ୍ତିଗତ ପୁଣି ସାମୂହିକ। ଶାନ୍ତିର ଅବସ୍ଥିତି ଭିତରେ ପୁଣି ବାହାରେ। ଅର୍ଥାତ୍‌ ମୋ ପାଇଁ ଶାନ୍ତି ମୋ ଭିତରେ ହିଁ ନିହିତ। ତାହା ବା‌ହାରେ ନାହିଁ। ଅନ୍ୟ ପକ୍ଷରେ ବାହାରର ବା ସାମୂହିକ ଯେ ଶାନ୍ତିର ଅନୁଭବ ତାହା ବ୍ୟକ୍ତିଗତ ଶାନ୍ତିଠାରୁ ଅଲଗା ବୋଲି ଆମେ ବିବେଚନା କରୁ। ହେଲେ ବ୍ୟକ୍ତି-ଶାନ୍ତି ଓ ସାମୂହିକ-ଶାନ୍ତି କ’ଣ ପରସ୍ପରଠାରୁ ଭିନ୍ନ? ଏ ସମ୍ପର୍କରେ ଜନ୍‌ ରସ୍କିନ୍‌ଙ୍କର ‘‘ଅନ୍‌ଟୁ ଦ ଲାଷ୍ଟ୍‌’’ ବହିଟି ମନକୁ ଆସେ। ଏ ପୁସ୍ତକର ପ୍ରଭାବ ହିଁ ଗାନ୍ଧୀଜୀଙ୍କୁ ମୋହନ ଦାସରୁ ମହାତ୍ମା କରିଥିଲା। କ’ଣ ଥିଲା ସେ ବହିରେ? ଗାନ୍ଧୀଜୀ ସେ ବହିରୁ ତିନିଗୋଟି ଯାଦୁକରୀ ମୌଳିକ କଥା ପାଇଥିଲେ। ସେଇଥିପାଇଁ ଆତ୍ମଜୀବନୀରେ ସେଇ ଆ‌େଲଖ୍ୟଟିର ଶୀର୍ଷକ ସେ ରଖିଥିଲେ- ‘‘ଦ ମ୍ୟାଜିକ୍‌ ସ୍ପେଲ୍‌ ଅଫ୍‌ ଏ ବୁକ୍‌।’’ ‘‘ଗୋଟିଏ ବହିର ଯାଦୁକରୀ ପ୍ରଭାବ।’’ ସେ ତିନିଗୋଟି କଥା ହେଲା- (୧) ଜଣକର ଭଲ ସମସ୍ତଙ୍କର ଭଲରେ ଗୁନ୍ଥା ହୋଇ ରହିଛି। (୨) ଜଣେ ଓକିଲଙ୍କର କାମର ମୂଲ୍ୟ ଓ ଆଉ ଜଣେ ଚୁଟି କଟାଳିଙ୍କ କାମର ମୂଲ୍ୟ ଏକାପରି, ଏଇଥିପାଇଁ ଯେ ସମସ୍ତଙ୍କର ନିଜ ଶ୍ରମ ଅନୁସାରେ ବଞ୍ଚିବାର ସମାନ ଅଧିକାର ଅଛି। (୩) ଜଣେ ଚାଷୀ ଓ ହସ୍ତଶିଳ୍ପୀଙ୍କ ଶ୍ରମ ଜୀବନ ହିଁ ପ୍ରକୃତ ବଞ୍ଚିବାର ଜୀବନ। ଏ ତିନିଗୋଟି ବାଣୀ ପାଇଲା ପରେ ଗାନ୍ଧୀଜୀ ଲେଖିଛନ୍ତି- ‘‘ପ୍ରଥମ କଥାଟି ମତେ ଜଣାଥିଲା। ଦ୍ବିତୀୟଟି ସମ୍ପର୍କରେ ମୁଁ ଅଧାଅଧି ଜାଣିଥିଲି, ମାତ୍ର ତୃତୀୟ ବିଷୟଟି ମୋ ଅବଧାରଣାକୁ କେବେ ଆସିନଥିଲା। ‘ଅନ୍‌ଟୁ ଦ ଲାଷ୍ଟ୍‌’ ବହିଟି ସମସ୍ତ କଥାକୁ ଦିବାଲୋକ ପରି ମୋ ଆଗରେ ସ୍ପଷ୍ଟ କରି ଦେଲା। ଦ୍ବିତୀୟ ଓ ତୃତୀୟ ବାଣୀ ଯେ ପ୍ରଥମ ବାଣୀଟିରେ ଯୋଡ଼ି ହୋଇରହିଛି ମୁଁ ସହଜରେ ବୁଝିଗଲି।’’

ଜଣକର ଭଲ ସମସ୍ତଙ୍କର ଭଲରେ ଗୁନ୍ଥା ହୋଇ ରହିଛି, ତା’ର ଅର୍ଥ କ’ଣ? ଆମେ ଶାନ୍ତି‌ର କଥା କହୁଛେ। ଶାନ୍ତି ନ ଥିଲେ ଭଲ କାହୁଁ ଆସିବ? ତେଣୁ ଅର୍ଥ କଲେ ବୁଝିହେବ ଯେ ଜଣେ ବ୍ୟକ୍ତିର ଶାନ୍ତି ସମୂହ ଶାନ୍ତିରେ ସମ୍ପୁଟିତ ହୋଇରହିଛି ଏବଂ ତା’ ମୂଳରେ ଅଛି ଶ୍ରମ। ଆଉ ଟିକେ ଆଗକୁ ଗଲେ ଜାଣି ହେବ ଯେ ଶ୍ରମ ବିବର୍ଜିତ ସମସ୍ତ ସମ୍ପତ୍ତି ଶୋଷଣ ସହ ସମାନ। ଯେଉଁଠି ‌େଶାଷଣ ସେଠି ଶାନ୍ତି କାହୁଁ ଆସିବ? ମାତ୍ର ଜଣେ ବା କେତେଜଣଙ୍କର ବିଶୃଙ୍ଖଳା କାଳେ କାଳେ ସମୂହର ଶାନ୍ତି ହରଣ କରିବାକୁ ସକ୍ଷମ। ଏଇ ଗତ ସେପ୍‌ଟେମ୍ବର ୨୩ରେ ବିଶ୍ବ ଶାନ୍ତି ଦିବସ, ସାରା ପୃଥିବୀରେ ପାଳିତ ହୋଇଛି। ମିଳିତ ଜାତିସଂଘ ଏ ବର୍ଷ ସେଥିପାଇଁ ଭିତ୍ତିତତ୍ତ୍ବ ରଖି‌ଥିଲେ-‘‘ଭେଦାଭେଦ ଦୂର କର, ଶାନ୍ତି ପ୍ରତିଷ୍ଠା କର।’’ ଇଂରେଜୀରେ ତାହା ଥିଲା- ‘‘ଏଣ୍ଡ ରେସିଜମ୍‌ ଆଣ୍ଡ୍‌ ବିଲଡ୍‌ ପିସ୍‌।’’ ଜାଣିଶୁଣି ରେସିଜମ୍‌ ବା ଜାତିବାଦ ଶବ୍ଦଟିକୁ ଭେଦାଭେଦ ସହ ସମାନ କରାଯାଇଛି କାରଣ ଭେଦାଭେଦ କଥା ଜାତିବାଦର ମୂର୍ଦ୍ଧନ୍ୟ ଉଚ୍ଚାରଣ। ଏ କଥାକୁ ଅଧିକ ସଂଶ୍ଳେଷିତ କରି କୁହାଯାଇପାରିବ ଯେ ‘‘ଜାତିବାଦଜନିତ ବିଶୃଙ୍ଖଳା ହଟାଅ ଓ ଶାନ୍ତି ସ୍ଥାପନ କର।’’ କେବଳ ଜାତିବାଦ ବିଶ୍ବରେ ବିଶୃଙ୍ଖଳା ସୃଷ୍ଟି କରୁଛି ସେ କଥା ନୁହେଁ। ଭେଦାଭେଦର ଆସୁରିକ ପ୍ରବୃତ୍ତି ହିଁ ଦେଶ ଦେଶ ଭିତରେ ଓ ଦେଶ ଅଭ୍ୟନ୍ତରରେ ବିଶୃଙ୍ଖଳା ସୃଷ୍ଟି କରି ଶାନ୍ତିଭଗ୍ନର କାରଣ ହୋଇଛି। ଭେଦାଭେଦ ତତ୍ତ୍ବର ମୂଳରେ ଅଛି ଲୋଭ, ହିଂସା, ଈର୍ଷା, ଅସହିଷ୍ଣୁତା ଓ କ୍ରୋଧ। ଏ ସମସ୍ତ ଜଣେ ବ୍ୟକ୍ତିର ଯେମିତି ଶାନ୍ତି ହରଣ କରେ ସେମିତି ବି କରାଏ ଜନଗୋଷ୍ଠୀର, ଜାତିର, ଦେଶର ଓ ବିଶ୍ବ ସମୂହର। ବିଭିନ୍ନ ଦେଶର ଜନସମୂହ ଯଦି ସହାବସ୍ଥାନ ଲାଗି ଶ୍ରମ ବା କସରତ ନ କରିବେ ଶାନ୍ତି କାହୁଁ ମିଳିବ? ଶାନ୍ତି କେଉଁଠାରେ ସ୍ଥିର ନୁହେଁ। ଏହା ଏକ ଜୀବନ୍ତ ପ୍ରକ୍ରିୟା। ପ୍ରତି ମୁହୂର୍ତ୍ତରେ ଏହା ମାଜଣା ଆବଶ୍ୟକ କରେ। ଏହି ମାଜଣା କାର୍ଯ୍ୟଟି ହିଁ ଶାନ୍ତି ଲାଗି କସରତ।
ବ୍ୟକ୍ତିକୁ ଛାଡ଼ି ଦେଶକୁ ଡେଇଁ ଆମେ ଏବେ ବିଶ୍ବ-ସମୂହ କଥାଟିର ଆଲୋଚନା କରିବା। ସମ୍ପ୍ରତି ବିଶ୍ବ ସକଳ ପାର୍ଥିବ ପ୍ରଗତି ସତ୍ତ୍ବେ ଘୋର ଅଶାନ୍ତିରେ କାଳାତିପାତ କରୁଛି। ସେଥିପାଇଁ ଏ ମଣିଷ ଦାୟୀ। ବିଶ୍ବ ବିଶୃଙ୍ଖଳାର ମୂଳରେ ରହିଛି କ୍ରୋଧ। କ୍ରୋଧର ମୂଳରେ ଅଛି ଲୋଭ। ଏଇ ଲୋଭ ଯୋଗୁଁ ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ଲୋଲୁପ ଦୃଷ୍ଟି ପକାଉଛି। ଲାଳସୀ ଦେଶଗୁଡ଼ିକ ସବୁ ଧନଶାଳୀ ଓ ସମୃଦ୍ଧ। ତଥାପି ଭୂମି, ଭୌଗୋଳିକ ସୀମା, ସାଧନର ଲୋଭ ସହ ଶୋଷଣ-ପ୍ରଣୋଦିତ- ଅ‌ର୍ଥନୈତିକ ଲୋଲୁପତା ହିଁ ସେମାନଙ୍କୁ ଜଗତସାରା ବିଶୃଙ୍ଖଳା ସୃଷ୍ଟି କରିବାଲାଗି ଉତ୍ସାହିତ କରୁଛି। ‌େଗାଟିଏ ଧନପ୍ରମତ୍ତ ଦେଶ ଚାହୁଁଛି ସାରା ସଂସାରର ବଜାର କ୍ଷେତ୍ରକୁ ନିଜ ନିୟନ୍ତ୍ରଣକୁ ନେବ। ଅନ୍ୟମାନଙ୍କର ସ୍ବଚ୍ଛଳ ଅର୍ଥନୀତିକୁ ଭୁଶୁଡ଼େଇ ସହାବସ୍ଥାନକୁ ଅକାମୀ କରିଦେବ। ଫଳରେ ହିଂସା, ଦ୍ବେଷ, ସଂଘର୍ଷ ସବୁଆଡ଼େ ସନ୍ତୁଳନ ବିରୋଧରେ ଯିବ।

ଦେଶ ମାତ୍ରକେ ଆଗୁସାର ହେବା ସ୍ବାଭାବିକ। ଏ ଆଗୁସାରପଣ ପ୍ରକୃତରେ ସ୍ବାସ୍ଥ୍ୟ ସହ ଯୋଡ଼ା ହେବା କଥା। ଗୋଟିଏ ଦେଶ ସୁସ୍ଥ ଅର୍ଥ, ବିଭିନ୍ନ ଦିଗରୁ ତା’ ଭିତରର ସହାବସ୍ଥାନଗୁଡ଼ିକ ଶୃଙ୍ଖଳିତ। ରାଜନୀତି, ଅର୍ଥନୀତି, ସମାଜନୀତି ସବୁ ଦିଗରୁ ସୁସ୍ଥ ଥିବା ଦେଶ ହିଁ ପ୍ରକୃତ ବିକଶିତ ଦେଶ। ମାତ୍ର ଆମେ ବିକାଶର ମାପକାଠିକୁ ଭିନ୍ନ ବାଟରେ ନେବାକୁ ଚାହୁଁ। ଗୋଟାଏ ସମୟରେ ଇଉରୋପୀୟ ଦେଶଗୁଡ଼ିକ ଉପନିବେଶ ସ୍ଥାପନକୁ ବିକାଶର ସୂଚୀପତ୍ର ଭାବରେ ଗ୍ରହଣ କରିଥିଲେ। ମାତ୍ର ଏ ସମସ୍ତ ଉପନିବେଶ ଥିଲା ମୁକ୍ତ ଶୋଷଣ-କ୍ଷେତ୍ର। ବିଶ୍ବ ଅଶାନ୍ତିର ମୁଖ୍ୟ କାରଣ। ଶାନ୍ତି କେଉଁଠି ଥିଲା? ଶାନ୍ତି ଅର୍ଥ କ’ଣ ନିରବତା? ଜିଭ କାଟି ଦେଲେ ତ ସଭିଏଁ ନିରବ! ବାଘ, ଭାଲୁ, ସିଂହ ସମସ୍ତେ। ଉପନିବେଶବାଦୀମାନେ ଅତୀତରେ ଥିଲେ ବିଶ୍ବ ଅଶାନ୍ତିର ମୂଳ କାରଣ। ଶିଳ୍ପ ସଭ୍ୟତାର ଢେଉ ଚଢ଼ି ସେମାନେ ସବୁ‌ ଦେଶକୁ ଗୋଟାଏ ଗୋଟାଏ ବଜାର ଭାବରେ ଦେଖିଲେ। ଗରାଖର ବଜାର। ଏ ତ ହୃତ୍‌ପିଣ୍ଡ ପାକିସ୍ଥଳୀକୁ ନାତ ମାରିବା ଭଳି କଥା। ବିଶ୍ବଜୀବନ ଲାଗି ଶାନ୍ତି କେଉଁଠି ଥିଲା ସେତେବେଳେ? ଔପନିବେଶିକତା ଗଲା। ଏବେ ଅର୍ଥନୀତିକୁ ଆଧାର କରି ନିଜକୁ ନିଜେ ବିକଶିତ ବୋଲି ଘୋ‌ଷଣା କରିଥିବା ଦେଶଗୁଡ଼ିକ ସାରା ବିଶ୍ବରେ ଅଶାନ୍ତି ସୃଷ୍ଟି କରିବାରେ ପ୍ରମତ୍ତ। ଜାତିଗତ ଭେଦାଭେଦ ଠାରୁ ଏ ବିଶୃଙ୍ଖଳା ଆହୁରି ଅଧିକ ଗୁରୁତର।
ସାରା ବିଶ୍ବ ଗୋଟିଏ ଶରୀର ବୋଲି ବିବେଚନା ନ କଲା ଯାଏ ବିଶ୍ବ ଶାନ୍ତି କାହିଁ? ତୁମେ ଫୁସ୍‌ଫୁସ୍‌ ହୋଇପାର ମାତ୍ର ତୁମର କି ଅଧିକାର ଅଛି ଯକୃତ୍‌କୁ ଗୋଇଠା ମାରିବ? ଯେଉଁମାନେ ବିଶ୍ବନିୟାମକ ସାଜି ଶାନ୍ତିର ବାର୍ତ୍ତା ଓ ସାମ୍ବତ୍ସରିକ ଶାନ୍ତି ଶୀର୍ଷକ ଗଢ଼ିବାରେ ଲାଗିଛନ୍ତି ସେମାନଙ୍କର ଶ୍ରମବୋଧଟି କ’ଣ? କେଉଁ ଶ୍ରମ-ସମ୍ପତ୍ତିର ମାଲିକ ସେମାନେ? ଶୋଷଣ-ଶ୍ରମର ନା ଚାଲାଖି-ଶ୍ରମର? ଜଣେ ବଳୁଆ ବା ବୁଦ୍ଧିଆ ବୋଲି ସଂସାରର ସବୁକଥାକୁ ନିଜ ଅକ୍ତିଆରକୁ ନେବ ଏ‌ହା କେଉଁ ପ୍ରକାରର ଶାନ୍ତି ଗଢ଼ିବ?

ଅତୀତରେ ଦୁଇ ଦୁଇଟା ବିଶ୍ବ ଯୁଦ୍ଧ ପରେ ଲିଗ୍‌ ଅଫ୍‌ ନେସନ୍‌ସ (୧୯୨୦) ଏବଂ ମିଳିତ ଜାତିସଂଘ ଗଢ଼ାଯାଇ (୧୯୪୫) ବିଶ୍ବଶାନ୍ତି ଲାଗି ପ୍ରୟାସ ଜାରି ରହିଛି। ସ୍ଲୋଗାନ୍‌ ପରେ ସ୍ଲୋଗାନ୍‌ ଚାଲିଛି। ଶାନ୍ତି କାହିଁ?
ରୁଷ୍‌ର ଯେମିତି ପ୍ରାଣ ଅଛି ୟୁକ୍ରେନ୍‌ର ସେମିତି ପ୍ରାଣ ଅଛି। କିଏ ବୁଝେଇବ ଯେ ଏ ଦୁଇଟି ବିଶ୍ବ-ଶରୀରାଂଶ ସହାବସ୍ଥାନକୁ ମୂଳ କରି ଧରିବା ଆବଶ୍ୟକ ବୋଲି? ସେଥିପାଇଁ ବିଶ୍ବସମୂହ ବା ଶରୀରର କସରତ କାହିଁ?
କହିବାର ଅଛି, ଆଜି ଯେ ସାରା ବିଶ୍ବରେ ଅଶାନ୍ତିର ଘନଘଟା ସେଥିଲାଗି ବିକଶିତ ଦେଶମାନେ ହିଁ ଦାୟୀ। ହୃତ୍‌ପିଣ୍ଡ କହୁଛି ମୁଁ ବଢ଼ିବି, ପାକସ୍ଥଳୀ କହୁଛି ଠେଲି ପେଲି ମାରି ଦେବି ବୃକ୍‌କକୁ। ଏ ସମ୍ପର୍କରେ ବିଶ୍ବ-କୁଟୁମ୍ବୀ ଭାବନାର କସରତ ବା ମାଜଣା କାହିଁ? ଶାନ୍ତି ପାଇଁ ଯେ କସରତ ଲୋଡ଼ା ତାହା କାଇଁ କେଉଁଠି? ସଭିଏଁ ନିରବ। ମାତ୍ର ନିରବତା ହିଁ ଅଶାନ୍ତିର ବୀଜ-ପେଟିକା। କିଏ ଜାଣେ କେତେବେଳେ ବିଶୃଙ୍ଖଳାର ବିସ୍ଫୋରଣ ହେବ?
[email protected]

ସମ୍ବନ୍ଧିତ ଖବର