ସେହି ଗଳ୍ପରେ ପୁଲିସ ସାହେବଙ୍କ ମା˚ସ ଭକ୍ଷଣ କରିବାର ଦୁର୍ବାର ଲାଳସା ସମକ୍ଷରେ ଅସହାୟ ଜମିଦାର ମଥା ପାତି ତାଙ୍କ ପ୍ରିୟ ପାଳିତ ମୃଗଟିକୁ ବଧ ହେବା ନିମନ୍ତେ ଛାଡ଼ି ଦେଇଥିଲେ; ସରକାରୀ କ୍ଷମତାଧାରୀଙ୍କ ଶୋଷଣ ଆଗରେ ଜମିଦାର ଅସହାୟ ହୋଇ ପଡ଼ିଥିଲେ। କିନ୍ତୁ ସମ୍ବଲପୁର ଘଟଣାରେ ଅସହାୟ ଜମିଦାରଙ୍କ ସ୍ଥାନରେ ଆବିର୍ଭୂତା ହୋଇଛନ୍ତି ଜଣେ ଶିକ୍ଷିତ, ସଚେତନ ଓ ସଶକ୍ତ ନାରୀ, ଯିଏ ନିଜ ଭବିଷ୍ୟତର ଦା˚ପତ୍ୟ ଜୀବନର ସ୍ବପ୍ନକୁ ଜଳା˚ଜଳି ଦେଇ ଏକ ଶୋଷଣକାରୀ ଉପଦ୍ରବ ଆଗରେ ପ୍ରତିବାଦର ପ୍ରତୀକ ପାଲଟିଛନ୍ତିି।
ଗଲା ୧୪ ତାରିଖରେ ସମ୍ବଲପୁର ଠାରେ ସାମାନ୍ୟ ବିବାଦ ଭଳି ଆରମ୍ଭ ହୋଇଥିବା ଘଟଣାଟି ସହସା ଏକ ଅସାମାନ୍ୟ ମୋଡ଼ ନେଇ ପରିଶେଷରେ ଯେ ଏକ ପ୍ରତୀକକୁ ଜନ୍ମ ଦେବ, ତାହା ସମ୍ଭବତଃ ଏହି ଘଟଣାରେ ସ˚ଶ୍ଳିଷ୍ଟ ବ୍ୟକ୍ତିମାନେ କଦାପି ଅନ୍ଦାଜ ଲଗାଇ ପାରି ନ ଥିବେ! ମନୁଷ୍ୟର ଏକ ଆଦିମ ଜିହ୍ବା ଲାଳସା, ବିବର୍ତ୍ତିତ ସାମାଜିକ ଦୃଷ୍ଟିଭଙ୍ଗୀ କାରଣରୁ ସୃଷ୍ଟ ଗୋଟିଏ ଦେହସୁହା ଅଥଚ ଉପଦ୍ରବୀ ପର˚ପରା ଏବ˚ ନାରୀ ସଶକ୍ତୀକରଣର ଏକ ଦୃଢ଼ ସ୍ବରୂପ; ଏହି ତିନିଟିର ସମ୍ମିଶ୍ରଣ ହୋଇ ଯେଉଁ ଦୃଶ୍ୟପଟ ସୃଷ୍ଟି କଲା, ତାହାର ଯେ ଏକ ସୁଦୂରପ୍ରସାରୀ ପ୍ରଭାବ ରହିବ, ଏଥିରେ ଦ୍ବିରୁକ୍ତି ନାହିଁ।
ତେବେ ପ୍ରଥମେ ଘଟଣାଟିର ପୃଷ୍ଠଭୂମି ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ଗଣମାଧୢମରେ ପ୍ରକାଶିତ ଓ ପ୍ରସାରିତ ସମ୍ବାଦ ଅନୁସାରେ ଦୁଇ ଶିକ୍ଷିତ ଓ ସ˚ପନ୍ନ ପରିବାର ମଧୢରେ ଅନୁଷ୍ଠିତ ହେଉଥିବା ଏକ ବିବାହୋତ୍ସବ ସେତିକି ବେଳେ ବିବାଦର କୋଳାହଳ ସୃଷ୍ଟି କଲା, ଯେତେବେଳେ ବରଯାତ୍ରୀ ପକ୍ଷର କତିପୟ ଉପଦ୍ରବକାରୀ ସଦସ୍ୟ ଖାସି ମା˚ସ ବା ‘ମଟନ’ ତରକାରି ଖାଇବାର ଜିଦିରେ ଅଟଳ ରହି ଅଗତ୍ୟା ବିବାହଟିକୁ ବନ୍ଦ କରିଦେବା ଭଳି ପରିସ୍ଥିତିକୁ ଘେନି ଆସିଲେ। କହିବା ଅନାବଶ୍ୟକ ଯେ ତାହାକୁ ପ୍ରଶମନ କରିବାରେ ବର ପକ୍ଷର ବିଫଳତା ସମ୍ଭବତଃ ବିବାଦଟିକୁ ଏଭଳି ତୀବ୍ରତା ସ୍ପର୍ଶ କରାଇଲା। ଗଣମାଧୢମ ସୂତ୍ରରୁ ପ୍ରକାଶ ଯେ ଏଭଳି ଏକ ଅସ୍ବସ୍ତିକର ବାତାବରଣରେ କନ୍ୟାଙ୍କ ପରିବାର ପକ୍ଷରୁ ଯଦିଓ ଏହି ଅସମୟ ଜିଦିର ପୂରଣ ଦିଗରେ ଉଦ୍ୟମ କରାଯାଇଥିଲା, ଖବରଟି କନ୍ୟାଙ୍କ ନିକଟରେ ପହଞ୍ଚି ଘଟଣାଟିକୁ ଏକ ନିର୍ଣ୍ଣାୟକ ମୋଡ଼ ପ୍ରଦାନ କଲା, ଯହିଁରେ ସେ ଏହି ବିବାହ କରିବାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। କୁହାଯାଉଛି ଯେ ଏହା ପରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବର ପରିବାର ପକ୍ଷରୁ ପ୍ରୟାସ କରାଯାଇଥିଲେ ସୁଦ୍ଧା କନ୍ୟା ଜଣକ ନିଜ ନିଷ୍ପତ୍ତିରେ ଶେଷ ପର୍ଯ୍ୟନ୍ତ ସ୍ଥିର ରହିଥିଲେ।
ସ˚ପ୍ରତି ଅନେକ ସମୟରେ ଗଣମାଧୢମ ସୂତ୍ରରୁ ଜଣାଯାଏ ଯେ କନ୍ୟାମାନଙ୍କ ଦ୍ବାରା ନାକଚ ହୋଇ ଅନେକ ବିବାହ ଆଶାୟୀ ମଦ୍ୟପ ଏବ˚ ଲ˚ପଟ ପୁରୁଷ ରିକ୍ତ ହସ୍ତରେ ସ୍ବଗୃହ ବାହୁଡୁ ଥିବାର ଦୃଷ୍ଟାନ୍ତମାନ ସ୍ଥାପନ କରିବାରେ ଲାଗିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ପାଞ୍ଚ ବର୍ଷ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ମେରିଲାଣ୍ତ ବିଶ୍ବବିଦ୍ୟାଳୟର ‘ହ୍ୟୁମାନ ଡେଭଲପମେଣ୍ଟ କାଉନସିଲ୍’ ଦ୍ବାରା ହୋଇଥିବା ଏକ ସର୍ବେକ୍ଷଣ ରିପୋର୍ଟ ସୂଚାଇ ଥିଲା ଯେ ଭାରତରେ ପ୍ରାୟ ୬୫ ପ୍ରତିଶତ ମହିଳା ସାକ୍ଷର ହୋଇଥିବା ସତ୍ତ୍ବେ ମାତ୍ର ୪.୯୯ ବା ପ୍ରାୟ ୫ ପ୍ରତିଶତ ମହିଳା ନିଜ ବିବାହ ସ˚ପର୍କରେ କୌଣସି ନିଷ୍ପତ୍ତି ନେବାର ସ୍ବାଧୀନତା ବା ଅଧିକାର ଲାଭ କରିଥାଆନ୍ତି। ଏହି ସ˚ଦର୍ଭରେ ଗଲା ମେ ମାସ ୧୬ ତାରିଖରେ ପ୍ରକାଶିତ ଏକ ସମ୍ବାଦ ପ୍ରଣିଧାନଯୋଗ୍ୟ, ଯହିଁରୁ ଜଣାପଡ଼ିଥିଲା ଯେ ଝାଡ଼ଖଣ୍ତରେ ପରିବାର ଦ୍ବାରା ମନୋନୀତ ବରପାତ୍ରକୁ ପ୍ରତ୍ୟାଖ୍ୟାନ କରିବାର ଦୁଃସାହସ ପ୍ରଦର୍ଶନ କରି କିଭଳି ଜଣେ ଯୁବତୀ ଦାରୁଣ ଅପମାନ ଏବ˚ ଶାରୀରିକ ନିର୍ଯାତନାର ଶରବ୍ୟ ହୋଇଥିଲେ। ସେହି ଦୃଷ୍ଟିରୁ ସମ୍ବଲପୁରରେ ଘଟିଥିବା ଘଟଣାଟି ଏକ ସୁଖଦ ବ୍ୟତିକ୍ରମ, ଯାହା କନ୍ୟାଙ୍କ ପ୍ରତିବାଦକୁ ଏକ ପ୍ରତୀକାତ୍ମକ ସ୍ବରୂପ ପ୍ରଦାନ କରିଛି।
ତେବେ, ଏହି ପରିପ୍ରେକ୍ଷୀରେ ଆଲୋଚନା ଚାଲିଥିବା ବେଳେ ଯେଉଁ ସ˚ଦର୍ଭଟି ଦୃଷ୍ଟି ଏଡ଼ାଇ ଯାଇ ପାରୁନାହିଁ, ତାହା ହେଲା ‘ମଟନ’ ଝୋଳର ସେହି ପ୍ରଲୁବ୍ଧକାରୀ ଆକର୍ଷଣର ଭୂମିକା, ଯାହା ପାରିବାରିକ ବନ୍ଧୁ ମିଳନ ଠାରୁ ଆରମ୍ଭ କରି ସାମାଜିକ ଉତ୍ସବ ଅନୁଷ୍ଠାନ ଓ ଭୋଜିଭାତ ପର୍ଯ୍ୟନ୍ତ କ୍ଷେତ୍ରଗୁଡ଼ିକୁ ଅତିକ୍ରମ କରି ରାଜନୈତିକ କ୍ରୀଡ଼ାଙ୍ଗନରେ ପ୍ରବେଶ କଲାଣି ଏବ˚ ସେହି କ୍ରମରେ ନିର୍ବାଚନ ଗଣିତକୁ ବଦଳାଇ ଦେବାର ସାମର୍ଥ୍ୟ ମଧୢ ଲାଭ କଲାଣି। ଅଥଚ, ନୃତତ୍ତ୍ବ ବିଶେଷଜ୍ଞମାନଙ୍କ ମତରେ ମନୁଷ୍ୟ ମା˚ସ ଭକ୍ଷୀ ହେବା ତା’ର ପ୍ରାକୃତିକ ସ˚ରଚନା ବିରୁଦ୍ଧ; କାରଣ ମା˚ସାହାରୀ ପ୍ରାଣୀଙ୍କ ଭଳି ମନୁଷ୍ୟର ଦୁଇ ଯୋଡ଼ା ସରୁ, ମୁନିଆ ଏବ˚ ସାମନ୍ୟ ବକ୍ର ଶ୍ବାନ-ଦନ୍ତ ନାହିଁ ଏବ˚ ମାନବ ଦନ୍ତପଙ୍କ୍ତିର ଗଢ଼ଣ ତଥା ସମାହାର ପ୍ରାୟ ଫଳାହାରୀ ବା ତୃଣଭୋଜୀ ପ୍ରାଣୀଙ୍କ ସଦୃଶ ହୋଇଥାଏ। ନୃତତ୍ତ୍ବବିତ୍ ଓ ଗବେଷିକା ବ୍ରିଆନା ପୋବିନର ନିର୍ଦ୍ଧାରଣ କରିଥିବା ସମୟ ଅନୁଯାୟୀ ଆଜିକୁ ପ୍ରାୟ ୨.୫ ନିୟୁତ ବର୍ଷ ପୂର୍ବେ ମନୁଷ୍ୟ ମା˚ସ ଭକ୍ଷଣ କରିବା ଆରମ୍ଭ କରିଥିଲା। ପ୍ରସିଦ୍ଧ ବ୍ରିଟିସ ଜର୍ନାଲ ‘ନେଚର’ରେ ପ୍ରକାଶିତ ତାଙ୍କ ଆବିଷ୍କାର ଆଧାରିତ ଆଲେଖ୍ୟ ଅନୁସାରେ ନୂତନ ପ୍ରସ୍ତର ଯୁଗରେ ପଥରମାନ ଘୋରି ତାକୁ ଶାଣିତ ଅସ୍ତ୍ରର ରୂପ ଦେବା ପରେ ଯାଇ ମନୁଷ୍ୟ ସେଗୁଡ଼ିକୁ ବ୍ୟବହାର କରି ତଦ୍ଦ୍ବାରା ମୃତ ପ୍ରାଣୀଙ୍କ ମୋଟା ଚମ କାଟି (ଶ୍ବାନ-ଦନ୍ତର ଅନୁପସ୍ଥିତି କାରଣରୁ) ମା˚ସ ଖାଇବାରେ ସମର୍ଥ ହୋଇଥିଲା। ତାଙ୍କ ମତରେ ଫଳ ବା ଶସ୍ୟ ବା କନ୍ଦା ଇତ୍ୟାଦି ଭଳି ନିରାମିଷ ଖାଦ୍ୟ ସ୍ରୋତର ବାରମ୍ବାର ଅଭାବ ମଣିଷକୁ ମା˚ସାହାରୀ ହେବା ଲାଗି ବାଧୢ କରିଥିବ। କିନ୍ତୁ ଅବଲୀଳା କ୍ରମେ ପୃଥିବୀ ଆଜି ବିପୁଳ ଭାବେ ସ˚ଖ୍ୟା ଗରିଷ୍ଠ ମା˚ସାହାରୀ ମନୁଷ୍ୟଙ୍କ ବାସସ୍ଥଳିରେ ପରିଣତ ହୋଇଛି।
ପ୍ରକାଶ ଥାଉ କି ‘ରେଜିଷ୍ଟ୍ରାର ଜେନେରାଲ ଏଣ୍ତ ସେନ୍ସସ କମିସନର’ଙ୍କ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣ କହିଥାଏ ଯେ ଓଡ଼ିଶା ହେଉଛି ଭାରତର ସର୍ବାଧିକ ଆମିଷପ୍ରିୟ ରାଜ୍ୟଗୁଡ଼ିକ ମଧୢରୁ ଅନ୍ୟତମ; ଯେଉଁଠି ୯୭.୫ ପ୍ରତିଶତ ଲୋକ ଆମିଷାହାରୀ। ଯଦିଓ ଓଡ଼ିଆମାନଙ୍କ ମଧୢରେ ମାଛ ହେଉଛି ସର୍ବାଧିକ ଆହାରଭୁକ୍ତ ଆମିଷ ଖାଦ୍ୟ ଏବ˚ ଆମିଷାଶୀ ପରିବାରଗୁଡ଼ିକ ହାରାହାରି ପନ୍ଦର ଦିନରେ ଥରେ ମାତ୍ର ‘ମଟନ’ ତରକାରିକୁ ଟାକି ରହନ୍ତି, ‘ମଟନ’ କିନ୍ତୁ ଓଡ଼ିଆମାନଙ୍କ ସର୍ବାଧିକ ପ୍ରିୟ ଆମିଷ ଖାଦ୍ୟ, ଯାହାର ଅତ୍ୟନ୍ତ ଚଢ଼ା ଦର ମଧୢବିତ୍ତ ଓ ନିମ୍ନବିତ୍ତ ପରିବାରଗୁଡ଼ିକୁ ଅନିଚ୍ଛାକୃତ ସ˚ଯମ ରକ୍ଷା କରିବାକୁ ବାଧ୍ୟ କରିଥାଏ। ଏହି ଉପମହାଦେଶରେ ବିଭିନ୍ନ ପ୍ରକାର ‘ମଟନ’ ବ୍ୟ˚ଜନମାନ ରୂପ ପାଇବା ପଛରେ ଅନେକ କଥା ଓ କାହାଣୀମାନ ରହିଛି। କଥିତ ଅଛି ଯେ ପ୍ରାକ୍ ସ୍ବାଧୀନ ଭାରତର ଲାହୋର ସହରରେ ବେଲିରାମ ନାମକ ଜଣେ ଭଦ୍ରବ୍ୟକ୍ତି ତାଙ୍କ ରେସ୍ତୋରାଁରେ ଏଭଳି କୋମଳ ଓ ସୁସ୍ବାଦୁ ‘ମଟନ’ ତରକାରି ପ୍ରସ୍ତୁତ କରୁଥିଲେ ଯେ ନିଜ ଜୀବଦ୍ଦଶାରେ ସେ ଏକ କି˚ବଦନ୍ତିରେ ପରିଣତ ହୋଇ ଯାଇଥିଲେ। ତାଙ୍କ ଦ୍ବାରା ଅନୁସୃତ ପଦ୍ଧତି ଆଜି ପର୍ଯ୍ୟନ୍ତ ଲୋକପ୍ରିୟ ରହି ‘ମଟନ ବେଲିରାମ୍’ ବ୍ୟ˚ଜନ ନାମରେ ତାଙ୍କୁ ଏକ ପ୍ରକାର ଅମରତ୍ବ ପ୍ରଦାନ କରିଛି। ଭୁବନେଶ୍ବରର ‘କିଶୋର ମଟନ’ର ସ୍ଥାନୀୟ ଖ୍ୟାତି କିଭଳି ସ˚ପ୍ରସାରିତ ହୋଇ ରାଜ୍ୟବ୍ୟାପୀ ହେଲାଣି, ତାହା ସୁବିଦିତ। ସୁତରା˚, ‘ମଟନ’ ଝୋଳ ଲାଳସାର ଏକ ଅଲ˚ଘ୍ୟ ଆକର୍ଷଣ କାରଣରୁ ସେ ଦିନ କେତେକ ବରଯାତ୍ରୀ ଏକ ଅହେତୁକ ତଥା ନିତାନ୍ତ ଅପରିଣାମଦର୍ଶୀ ଉପଦ୍ରବଟିଏ ସୃଷ୍ଟିରେ ପ୍ରମତ୍ତ ହେବାରେ ହୁଏ’ତ ବିସ୍ମୟର ବିଶେଷ କାରଣ ନାହିଁ। ଏମିତି ବରଯାତ୍ରୀ ପ୍ରାଦୁର୍ଭାବ ଆମ ରାଜ୍ୟରେ ଏକ ନିୟମିତ ଓ ଦେହସୁହା ବ୍ୟାପାର ହୋଇଥିବାରୁ ଅନେକ ଏହାକୁ ଏକ ସାମାନ୍ୟ ଘଟଣା ବୋଲି ବିବେଚନା କରି ସେ ପରିପ୍ରେକ୍ଷୀରେ କନ୍ୟାଙ୍କର ଏଭଳି ଆଚରଣକୁ ଏକ ତୁଚ୍ଛା ହଟ ବୋଲି ମଧୢ ଆରୋପ ଲଗାଇ ପାରନ୍ତି। କିନ୍ତୁ ଟିକିଏ ନିରିଖେଇ ଦେଖିଲେ ଦିଶିଥାଏ ଯେ ଏଠାରେ ପ୍ରସଙ୍ଗଟି କେବଳ ମାତ୍ର ‘ମଟନ’ ତରକାରିର ଦାବି ଦ୍ବାରା ସୃଷ୍ଟ ବିବାଦରେ ସୀମିତ ନୁହେଁ; ଏଥିରେ ଲିଙ୍ଗଗତ ଶୋଷଣର ଦିଗ ମଧୢ ଅତ୍ୟନ୍ତ ପ୍ରା˚ଜଳ, ଯାହା ଅଧିକା˚ଶ ସ୍ଥଳେ କନ୍ୟା ପକ୍ଷକୁ ନତ ମସ୍ତକ ହୋଇ ଅନେକ ଅପମାନ ସହିବାକୁ ବାଧୢ କରେ। ଗଣମାଧୢମ ସୂତ୍ରରୁ ଜଣାଯାଏ ଯେ ବରପାତ୍ର ଜଣକ ମଧୢ ଜଣେ ଉଚ୍ଚ ପଦାସୀନ ଶିକ୍ଷିତ ଯୁବକ। କିନ୍ତୁ ବିଡ଼ମ୍ବନାଟି ହେଲା, ଏଭଳି ଏକ ଶୋଷଣର ନାଟକ ଅଭିନୀତ ହେଉଥିବା ବେଳେ ସେ ଏକ ଆଦର୍ଶମୂଳକ ଦୃଷ୍ଟାନ୍ତ ସ୍ଥାପନ କରି ପାରିଲେ ନାହିଁ। ମା˚ସାହାରର ଆଦିମ ଲୋଭ ଏବ˚ ତଦ୍ଦ୍ବାରା ସୃଷ୍ଟ ଅଭାବନୀୟ ପରିସ୍ଥିତି ବିଷୟରେ ଚର୍ଚ୍ଚା କଲା ବେଳେ ସ୍ବର୍ଗତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଦ୍ବାରା ରଚିତ ଅତ୍ୟନ୍ତ ମର୍ମସ୍ପର୍ଶୀ ତଥା କାଳଜୟୀ ଗଳ୍ପ ‘ମା˚ସର ବିଳାପ’ ସ୍ମରଣକୁ ଆସିଥାଏ। ସେହି ଗଳ୍ପରେ ପୁଲିସ ସାହେବଙ୍କ ମା˚ସ ଭକ୍ଷଣ କରିବାର ଦୁର୍ବାର ଲାଳସା ସମକ୍ଷରେ ଅସହାୟ ଜମିଦାର ମଥା ପାତି ତାଙ୍କ ପ୍ରିୟ ପାଳିତ ମୃଗଟିକୁ ବଧ ହେବା ନିମନ୍ତେ ଛାଡ଼ି ଦେଇଥିଲେ; ସରକାରୀ କ୍ଷମତାଧାରୀଙ୍କ ଶୋଷଣ ଆଗରେ ଜମିଦାର ଅସହାୟ ହୋଇ ପଡ଼ିଥିଲେ। କିନ୍ତୁ ସମ୍ବଲପୁର ଘଟଣାରେ ଅସହାୟ ଜମିଦାରଙ୍କ ସ୍ଥାନରେ ଆବିର୍ଭୂତା ହୋଇଛନ୍ତି ଜଣେ ଶିକ୍ଷିତ, ସଚେତନ ଓ ସଶକ୍ତ ନାରୀ, ଯିଏ ନିଜ ଭବିଷ୍ୟତର ଦା˚ପତ୍ୟ ଜୀବନର ସ୍ବପ୍ନକୁ ଜଳା˚ଜଳି ଦେଇ ଏକ ଶୋଷଣକାରୀ ଉପଦ୍ରବ ଆଗରେ ପ୍ରତିବାଦର ପ୍ରତୀକ ପାଲଟିଛନ୍ତିି।