ପ୍ରକାଶର ବାହାଘର

ସତ୍ୟନାରାୟଣ ଗନ୍ତାୟତ

ବାହା ହେବା ବ୍ୟାପାରଟି ଲୋକେ କହିଲା ପରି ସ୍ବର୍ଗରେ ସ୍ଥିର ହୋଇ ଯଦି ସେଇ ସ୍ବର୍ଗରେ ହିଁ ସମ୍ପନ୍ନ ହୋଇଯାଉଥାନ୍ତା, ତେବେ କ’ଣ ବ୍ୟାଙ୍କ୍‌ରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ପ୍ରକାଶ ସେଦିନ ଏତେ ମାତବରିଆ ଦୃଶ୍ୟଟିଏ ସୃଷ୍ଟି କରିପାରିଥା’ନ୍ତା?
କଥାଟି ଏମିତି। ଅନ୍ୟ ଦିନ ମାନଙ୍କରେ କାନରେ ଇଅର ଫୋନ୍‌ ଗେଞ୍ଜି ଗୋଟିଏ ଅଜବ କାଇଦାରେ ପ୍ଲାଷ୍ଟିକ୍‌ ଷ୍ଟୁଲ୍‌ଟି ଉପରେ ବସି ମୁଣ୍ତ ପୋତି ବକ ଧୢାନ ବାଗିଆ ତା’ ମୋବାଇଲରେ କେଉଁ ଏକ ଶସ୍ତା ଜାତୀୟ ଭିଡିଓ ଦେଖି ମୁରୁକି ହସି ମସଗୁଲ ରହୁଥିବା ପ୍ରକାଶ ସେ ଦିନ ମୁହଁରେ ଖିଲିଖିଲିଆ ଖୋଲା ହସ ଫୁଟାଇ ଢଳି ଢଳି ସର୍ପିଳ ଗତିରେ ଏମିତି ଚାଲୁଥିଲା ଯେ ତାକୁ ଜାଣିଥିବା ଲୋକେ ଘଡ଼ିିଏ ଅନାଇ ରହିବା ଥିଲା ସ୍ବାଭାବିକ। ସେ ଦିନ ସେ ପ୍ରତ୍ୟେକଙ୍କ ସହିତ ହାତ ମିଳାଇ ଗଦଗଦ ମୁହଁରେ କହୁଥିଲା: ଜାଣିଲେଣି ନା ସାର‌୍‌ , କ’ଣ ହେଇ ଯାଇଚି ଏ ଭିତରେ?
ତ’ ଏହା ଶୁଣି ଯେ କେହି ଉତ୍ସୁକତାର ସହ କ’ଣ ହେଲା ବୋଲି ପଚାରିବା ମାତ୍ର‌େକ ସେ ହସି ହସି କହୁଥିଲା: ମୋର ବାହାଘର ଠିକ୍‌ ହୋଇଗଲା ସାର‌୍‌! ଆଗାମୀ ରବିବାର ଦିନ ବାହାଘର, ସୋମବାର ଦିନ ଚତୁର୍ଥୀ। ଭୋଜିକୁ ଜରୁର‌୍‌ ଆସିବେ। ମୁଁ କାର୍ଡ ଦେବି ଯେ!
କନ୍ୟା ବିଷୟରେ ଯଦି କେହି ପଚାରୁଥିଲେ, ସେ ଏୟା କହି ବାଆଁରେଇ ଦେଉଥିଲା: ‘ଆସିଲେ ଜାଣିବେ!’
ପ୍ରକାଶର କଥା ଶୁଣି କିଏ କେତେ ପ୍ରକାରେ ଶୁଭେଚ୍ଛାମାନ ଅକାତରେ ଦେଇ ଚାଲିଥିଲେ। କିନ୍ତୁ ପରସ୍ପର ମଧୢରେ କଥା ହେଉଥିଲେ ଯେ ଆହା, ବାହା ହେବା ଲାଗି ବିଚରା ପ୍ରକାଶ କେତେ ଛଟପଟ ହୋଇ ଅନାଇ ରହି ନ ଥିଲା ସତେ!
ଏମିତି ଚାଲିଥିବା ବେଳେ ହଠାତ୍‌ ବ୍ୟାଙ୍କରେ କାମ କରୁଥିବା ସତ୍ୟେନ୍ଦୁ ଅଚାନକ କହି ଉଠିଲା- ଆରେ ହେ ପ୍ରକାଶ, ତୁ ତ’ ଏବେ ଠୁ ବାହା ହେବୁ ବୋଲି ଉତ୍ତଳା ହେଲୁଣି। ବାହାଘର ହେବା ଯାଏ ସମ୍ଭଳା ପଡ଼ିବୁଟି? ବ୍ୟାଙ୍କରେ ସଭିଏଁ ଜାଣନ୍ତି ସତ୍ୟେନ୍ଦୁ ହେଉଛି ପ୍ରକାଶର ଅତି ପାଖ ଲୋକ।
ପ୍ରକାଶ କିଛି କହିବା ଆଗରୁ ସମସ୍ତେ ଶୁଣିପାରିଲା ଭଳି ସତ୍ୟେନ୍ଦୁ ପୁଣି କହିଲା- ଭାଇ ଜାଣିଛ, ଏ ବାବୁକୁ ଯେତେ ଆଡୁ ଯେତେ ସୁନ୍ଦରୀ ଝିଅଙ୍କ ପ୍ରସ୍ତାବ ଆସିଲା, ଇଏ ସବୁଠି ‘ଉହୁଁ ଉହୁଁ’ ହେଲା। ଅଗତ୍ୟା ଘରଲୋକ ତାକୁ କହିଲେ ‘ତୋ କନିଆ ତୁ ଦେଖ।’ ତେଣୁ, ଏବେ ଦେଖିବା ୟେ କେମିତି କନିଆଁ ବାଛିଚି!
ସେତିକି ବେଳକୁ ଅଫିସ ସାରା ସଭିଙ୍କୁ ଭେଟି ସାରିଥିଲା ପ୍ରକାଶ। ଏବେ ସତ୍ୟେନ୍ଦୁ ପାଖକୁ ଆସି ଧୀରେ କହିଲା: ସାର‌୍‌, ସତ କହୁଛି, ଏଇ ଗୋରୀ ସୁନ୍ଦରୀମାନଙ୍କୁ ଦେଖି ଦେଖି ମୁଁ ଘାବରେଇ ଯାଇଥିଲି! ମୋତେ ଲାଗୁଥିଲା ଯେ ଏମାନେ ମୋ ବାପାମା’ଙ୍କ ଲାଗି ବା ଆମ ପରିବାର ଲାଗି ଠିକ୍‌ ହେବେନି। ତେଣୁ ସେମାନେ ଯୋଉଠି ବି ଦେଖିଲେ ମୋ ମନ କୋଉଠି ପାଇଲା ନାହିଁ।
ସତ୍ୟେନ୍ଦୁ ପଚାରିଲା- ତ’ ଏବେ ଫେର‌୍‌ କେମିତି ମନ ପାଇଗଲା?
ପ୍ରକାଶ କହିଲା- କଥା କ’ଣ କି ସାର‌୍‌, ଜଣେ ସାଙ୍ଗର ପୁଅର ଜନ୍ମଦିନ ପାଳିବାକୁ ତା ପରିବାର ସହ ଯାଇଥିଲି ‘କରୁଣାଳୟ’କୁ। ଆପଣ ଜାଣିଥିବେ ସାର‌୍‌, ଯେଉଁଠି ଅନାଥ ପିଲାଏ ରହନ୍ତି। ସେଠି ବିଜୁଳି କନ୍ୟା ବାଗିଆ ଚଞ୍ଚଳା ଝିଅଟେ ଦେଖିଲି। ଜାଣିଲି, ପିଲାଦିନୁ ବାପାମା’ଙ୍କୁ ହରାଇ ସେ ସେଇ ‘କରୁଣାଳୟ’ରେ ହିଁ ବଢ଼ିିଚି। ପାଠ, ସିଲେଇ, କମ୍ପ୍ୟୁଟର କାମ ସବୁଥିରେ ଆଗୁଆ। ସେଇଠି ମୋ ମନ ଲାଖିଗଲା। ଲାଗିଲା ଯେମିତି ସେ ମୋରି ପାଇଁ ଜନମିଛି। ବାସ୍‌, ତାକୁ ସିଧା ପଚାରି ଦେଲି। ସେ ରାଜି ହେଲା ସାର‌୍‌। ତା ପରେ ‘କରୁଣାଳୟ’ର ଅପା ଭାଇଙ୍କଠୁ ଅନୁମତି ନେଲି। କିଛି ଦିଆନିଆ ବି ନାଇଁ ଏ ବାହାଘରରେ। ଖାଲି ମନ ଦିଆନିଆ। ବାସ୍‌, ଅଚାନକ ବାହାଘର ପକ୍କା ହୋଇଗଲା!
ସତ୍ୟେନ୍ଦୁ କହିଲା- ବାଃ, ବଢ଼ିଆ ହେଲା। ହଉ ଏବେ କହ କନିଆଁଟି ଦେଖିବାକୁ କେମିତି?
ପ୍ରକାଶ ଟିକିଏ ଥିର ହୋଇ ରହିଗଲା। ତା’ ପରେ ସତ୍ୟେନ୍ଦୁକୁ ଯେମିତି ସେ ସବୁବେ‌େଳ କୌଣସି ନା କୌଣସି ପ୍ରଶ୍ନର ଉତ୍ତର ଲାଗି ପଚାରେ, ସେମିତି ପଚାରିଲା- ସାର୍‌, ଶ୍ୟାମଳୀ ଝିଅ କ’ଣ ସୁନ୍ଦରୀରେ ଯିବେନି?
ଏଇ ଧାଡ଼ିକ ସତ୍ୟେନ୍ଦୁକୁ ଭାବପ୍ରବଣ କରିବାକୁ ଥିଲା ଯଥେଷ୍ଟ। ପ୍ରକାଶର ହାତକୁ ସେ ଧରି ପକାଇ କହିଲା- ସେମିତି କିଛି ନ ଥାଏ ରେ! ଯାହାର ମନ ଯେଡ଼େ, ତାର ପ୍ରଭୁ ତେଡେ଼! ତୁ ଯାହାକୁ ବାହା ହେବୁ ସେ ସୁନ୍ଦରୀ ହେବାକୁ ବାଧୢ!
ପ୍ରକାଶ ଏବେ ହସିଦେଲା।
ସୁହାସିତମ୍‌, କସ୍ତୁରୀ ନଗର,
ରାୟଗଡ଼ା-୭୬୫୦୦୧

ସମ୍ବନ୍ଧିତ ଖବର

Comments are closed.