ଆମ ଦେଶ ସ୍ୱାଧୀନତା ପାଇବା ସମୟର ଆଗ-ପଛ ହେଇ ଜନ୍ମଗ୍ରହଣ କରିଥିବା ପିଢ଼ି (ମୁଁ ମଧ୍ୟ ସେହି ପିଢ଼ିର) ସ୍ବାଧୀନତା ଲଢ଼େଇ ସହିତ ସିଧାସଳଖ ଜଡ଼ିତ ଜାତୀୟ ଯୋଦ୍ଧାମାନଙ୍କର ତ୍ୟାଗ ଓ ତେଜକୁ ପାଖରୁ ଚିହ୍ନିବାର ଦୁର୍ଲଭ ଅବକାଶ ଅଳ୍ପ-ବହୁତେ ପାଇଛନ୍ତି। ସ୍ୱାଧୀନତା ଲଢ଼େଇକୁ ନେଇ ସେହି ଲମ୍ବା ସମୟ ଖଣ୍ଡରେ ଯେଉଁ ଭାବପ୍ରବଣତା ବା ଆବେଗ ଜନଜୀବନ ଭିତରୁ ଜାତ ହୋଇଥିଲା, ତାହା କ୍ରମଶଃ ସଚେତନତା ଓ ବିଚାରଶୀଳତାର ରୂପ ନେଇଥିଲା। ଅଧିକ ଗଠନଶୀଳ ହୋଇଥିଲା। କାହାରି କାହାରି ଭିତରେ ଦେଶକୁ ନେଇ ଆପେ ଆପେ ସଂକଳ୍ପ ତିଆରି ହୋଇଯାଇଥିଲା। ସଂପ୍ରସାରିତ ଅର୍ଥରେ ଯାହାକୁ ଆମେ ରାଷ୍ଟ୍ରବୋଧ ଭାବରେ ବିବେଚନା ବା ଅଭିହିତ କରିପାରିବା। ତାହା ଥିଲା ଗୋଟାଏ ପ୍ରବାହ; ଉଦ୍ବେଳନ। ଗୋଟାଏ ବିରାମହୀନ ଅଖଣ୍ଡ ଧାରା। ସେତେବେଳକୁ ସେହି ଇଂରେଜମାନଙ୍କ ଦ୍ବାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଶିକ୍ଷା ବିସ୍ତରଣର ଭୂମିଟିଏ ଆମ ଦେଶରେ ଗଢ଼ା ହୋଇ ସାରିଥିଲା ଓ ଶିକ୍ଷାର ମହତ୍ତ୍ବ ଲୋକେ ଊଣାଅଧିକେ ବୁଝିବା ଆରମ୍ଭ କରିସାରିଥିଲେ। ନାନା ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ଓ ଅତିକ୍ରମ କରି ଅତି ସାଧାରଣ ପରିବାରରୁ ପିଲାମାନେ ଆଧୁନିକ ଶିକ୍ଷାଗ୍ରହଣ ପାଇଁ ପଦାକୁ ଆସିବାର ପ୍ରକ୍ରିୟା ଆଖିଦୃଶିଆ ଭାବରେ ଆରମ୍ଭ ହୋଇସାରିଥିଲା। ସେ ସମୟରେ ଶିକ୍ଷା ଗ୍ରହଣ କରିଥିବା ଯୁବକମାନେ ବିଭିନ୍ନ କ୍ଷେତ୍ରରେ ବୃତ୍ତିଗତ ଜୀବନ ଭିତରେ ପ୍ରବେଶ କରି ଦେଶ ଓ ଦେଶ ବାହାରେ ସୁଖ୍ୟାତି ଅର୍ଜନ କରିଥିଲେ। ସେମାନଙ୍କ ଭିତରୁ ଅନେକ ସଦ୍ୟଲବ୍ଧ ଭାରତବର୍ଷର ଗଣତନ୍ତ୍ରକୁ ସୁଦୃଢ଼ ଓ ଦେଶର ବିକାଶ ଲକ୍ଷ୍ୟରେ ପ୍ରତ୍ୟକ୍ଷ ରାଜନୀତିର ଅଂଶ ହୋଇଯାଇଥିଲେ। ସେମାନେ ସ୍ୱଭାବତଃ ସ୍ୱାଧୀନଚେତା ଥିଲେ। ସ୍ବାଧୀନତା ସଂଗ୍ରାମୀମାନଙ୍କର ସଂସର୍ଗ ଥିଲା ସେମାନଙ୍କର ପ୍ରେରଣା ଓ ଆଦର୍ଶ।
ସ୍ୱାଧୀନତା ପ୍ରାପ୍ତିର ୨୮ ବର୍ଷ ପରେ ୧୯୭୫ ମସିହାରେ ଜନନାୟକ ଜୟପ୍ରକାଶଙ୍କ ଡାକରାରେ ସାରା ଦେଶରେ କ୍ରାନ୍ତିର ଯେଉଁ ସଶକ୍ତ ସ୍ବର ନିନାଦିତ ହୋଇଥିଲା, ସେଥିରେ ନାୟକ-ନାୟିକା ସାଜିଥିଲେ ସେହି ସ୍ବାଧୀନତା ପ୍ରାପ୍ତି କାଳର ଆଗ-ପଛ ସମୟରେ ଜନ୍ମଗ୍ରହଣ କରିଥିବା ପିଢ଼ି। ସେମାନେ ଶିକ୍ଷିତ, ସେମାନଙ୍କ ଭିତରେ ଲହଡ଼ି ଭାଙ୍ଗୁଥିଲା ତୋଫା ତାରୁଣ୍ୟ। ସେମାନେ ସେତେବେଳେ ସଂଗ୍ରାମର ଜଳନ୍ତା ନିଆଁ ଭିତରକୁ ଝାସ ଦେଇଥିଲେ ଏବଂ ସେମାନଙ୍କର ସ୍ୱତନ୍ତ୍ରତା ହେଲା, ସେମାନେ ଏବକା ପରି ରାଜନୀତି ଜରିଆରେ କ୍ଷମତା ଆହରଣ ନିମନ୍ତେ ଆଦୌ ଆଗୁଆ ଅଙ୍କ କଷୁ ନ ଥିଲେ। ସେମାନଙ୍କର ବିଚାର ଥିଲା ସମୃଦ୍ଧ ଗଣତନ୍ତ୍ର; ଭରା ଦେଶପ୍ରେମ। ସିଦ୍ଧାନ୍ତ ଥିଲା ରାଜନୀତି ହେଉଛି ଶ୍ରେଷ୍ଠ ନୀତି। ଜାତି, ଧର୍ମ, ସମ୍ପ୍ରଦାୟ ଆଦି ବିଭେଦ ସୃଷ୍ଟିକାରୀ ବିପଜ୍ଜନକ ଧାରଣା ସେମାନଙ୍କୁ ଛୁଇଁ ନ ଥିଲା; ସେମାନଙ୍କ ଭିତରେ ସ୍ବାଭିମାନ ରାଜପଣ କରୁଥିଲା। ଗଲା ୪୦ ବର୍ଷରୁ ଅଧିକ କାଳ ଧରି ଭାରତବର୍ଷରେ ଗଣତନ୍ତ୍ରର ମୂଲ୍ୟବୋଧ ଆଧାରରେ ଆଉ ସେପରି ଗଣ-ସଂଗ୍ରାମ ସଂଗଠିତ ହେଲାନାହିଁ। ଏବଂ ତା’ର ପରିଣତିରେ ଆମ ଗଣତନ୍ତ୍ର ନାନା ଦିଗରୁ ଦୁର୍ବଳ ହେଉଛି ଓ ଆହ୍ବାନର ସମ୍ମୁଖୀନ ହେଉଛି। ନାନା ଧରଣର ଭ୍ରଷ୍ଟ ବ୍ୟକ୍ତିମାନେ କ୍ଷମତା ପାଇଁ ଓ କ୍ଷମତା ଜରିଆରେ ଅର୍ଥ ଠୁଳ ଉଦ୍ଦେଶ୍ୟରେ ଯୋଜନାବଦ୍ଧ ଭାବରେ ରାଜନୀତି ଭିତରକୁ ପଶି ଆସୁଛନ୍ତି।
ଗତ ମାର୍ଚ୍ଚ ୨୫ ତାରିଖରେ ଦୈନିକ ‘ସମ୍ବାଦ’ରେ ପ୍ରକାଶିତ ହେଉଥିବା ‘ଲୋକକ୍ଷେତ୍ର’ ସ୍ତମ୍ଭରେ ‘ଓଡ଼ିଆ ଅସ୍ମିତା’ ଶୀର୍ଷକରେ ଲେଖାଟି ଏହି ନିର୍ଦ୍ଦିଷ୍ଟ ସମୟ ଖଣ୍ଡରେ ଜନ୍ମିତ ଭାରତୀୟ ପିଢ଼ିର ରାଜନୀତିକ ବିଚାରକୁ ଓ ତାତ୍ପର୍ଯ୍ୟକୁ ଫାଙ୍କି ଦେଇଛି। ସେମାନଙ୍କର ତେଜୋଦୀପ୍ତ ଅସ୍ମିତାକୁ, ସ୍ବାର୍ଥହୀନ ଅବଦାନକୁ ଅସ୍ବୀକାର କରିଛି, ଅସମ୍ମାନିତ କରିଛି। ତହିଁରେ ଲେଖାଯାଇଛି ଯେ ଏହି ପିଢ଼ି ‘ରାଷ୍ଟ୍ରୀୟ ଦାୟିତ୍ବ ନିର୍ବାହ କରିବା ପାଇଁ ଆଗ୍ରହୀ ହେଲା ନାହିଁ।’ ପୁଣି ଲେଖାଯାଇଛି ଯେ ‘ଏହି ପିଢ଼ିର ବୌଦ୍ଧିକ ବିଚାର ରାଜନୀତିକୁ ଏକ ଅସ୍ପୃଶ୍ୟ ଓ ବର୍ଜ୍ୟ କାର୍ଯ୍ୟ ବୋଲି କହି ନିଜକୁ ମହିମାମଣ୍ଡିତ କଲା’। ଏହି ଅଭିମତଟି ପଢ଼ିଲେ ଚକିତ ହେବାକୁ ପଡ଼େ। ଏଭଳି ମିଛର ଥିମ୍ ମିଳିଲା କେଉଁଠୁ? ଆମକୁ ମନେ ରଖିବାକୁ ହେବ, ଭାରତୀୟ ବିବେକ ଓ ଭାରତୀୟ ବୌଦ୍ଧିକତା କାଳେକାଳେ ଶୁଦ୍ଧ-ରାଷ୍ଟ୍ରବୋଧ ସହିତ ନିଘନ ଭାବରେ ଯୋଡ଼ି ହୋଇ ରହିଛି ଓ ରାଷ୍ଟ୍ରନୀତିକୁ ଶ୍ରେଷ୍ଠନୀତି, ଶ୍ରେଷ୍ଠ ଅବଲମ୍ବନ ଭାବରେ ଗ୍ରହଣ କରିଆସିଛି ଏବଂ ସ୍ଥଳ ବିଶେଷରେ ସେଥିପାଇଁ ବ୍ୟକ୍ତି-ସ୍ୱାର୍ଥକୁ, ଗୋଷ୍ଠୀ ସ୍ବାର୍ଥକୁ ନିସଂକୋଚରେ ତିଳ ତିଳ କରି ବଳି ଦେଇଛି; ଆତ୍ମୋତ୍ସର୍ଗ କରିଛି। ଏବଂ ତାହା ହିଁ ଭାରତୀୟ ଅସ୍ମିତା ଓ ଭାରତୀୟ ଅସ୍ମିତାରୁ ଓଡ଼ିଆ ଅସ୍ମିତା ରାଷ୍ଟ୍ରବୋଧ ବିଚାରରୁ ଜମାରୁ ଭିନ୍ନ ନୁହେଁ, ନ୍ୟୂନ ନୁହେଁ। ଯଦି କାହାରି ଭିତରେ ରାଜନୀତି ବା ରାଷ୍ଟ୍ରନୀତିକୁ ନେଇ କୌଣସି ବିରାଗ ଭାବ ଥିଲା, ତାହା ହୋଇପାରେ ବ୍ୟକ୍ତିର; ସମଷ୍ଟି ବା ପିଢ଼ିର ଆଦୌ ନୁହେଁ। ଏବେ କେହିକେହି ଅପରିଣାମଦର୍ଶୀ ରାଜନେତା ବା ଛଳ-ବୁଦ୍ଧିଜୀବୀ ନିଜର ବଡ଼ିମା ପ୍ରଚାର ପାଇଁ, କେଉଁ କ୍ଷୁଦ୍ର ସ୍ୱାର୍ଥ ପାଇଁ ଇତିହାସ ପୁନର୍ଲିଖନର କଥା କହିବା ଆରମ୍ଭ କରିଛନ୍ତି। କାରଣ ସତ୍ୟ ସେମାନଙ୍କ ପାଇଁ କଟୁ; ଅସହ୍ୟ। ହେଲେ ଯାହା ଇତିହାସ ହୋଇଯାଇଛି, ତା’ର ପରିବର୍ତ୍ତନ ସମ୍ଭବ ହୁଏ ନାହିଁ; ସମୟ ଆଗକୁ ଚାଲିବା ସହିତ ଜାତିର ଓ ରାଷ୍ଟ୍ରର ଇତିହାସ ଗଢ଼ି ହୋଇଯାଏ।
ସେହି ସ୍ତମ୍ଭରେ ଏକ ଭିନ୍ନ ପ୍ରସଙ୍ଗରେ ‘ସମ୍ବାଦ’ ସଂପାଦକ ତଥା ରାଜନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ କଥା ଅବତାରଣା କରାଯାଇଛି। କିନ୍ତୁ ଏହି ଲେଖାରେ ମଧ୍ୟ ପ୍ରସଙ୍ଗ କ୍ରମେ ସୌମ୍ୟବାବୁଙ୍କ ଉଦାହରଣ ଦିଆଯାଇପାରେ। ଯେଉଁ ସମୟ ଖଣ୍ଡରେ ଭାରତୀୟ ବୌଦ୍ଧିକ ବିଚାର ରାଜନୀତିକୁ ଅସ୍ପୃଶ୍ୟ ଓ ବର୍ଜ୍ୟ କାର୍ଯ୍ୟ ବୋଲି ଭାବି ‘ଧନ, ମାନ ଓ ପ୍ରତିପତ୍ତି ଯୋଗାଡ଼ କଲା’ ବୋଲି ସେହି ଆଲେଖ୍ୟରେ ଆରୋପ କରାଯାଇଛି, ସୌମ୍ୟବାବୁ ହେଉଛନ୍ତି ସେହି ନିର୍ଦ୍ଦିଷ୍ଟ ସମୟଖଣ୍ଡର ଅନ୍ୟତମ ବୌଦ୍ଧିକ ପ୍ରତିନିଧି; ଆଇକନ୍।
ଏବେ ଅସ୍ମିତା ସମ୍ପର୍କରେ ଆଲୋଚନା କରିବା। କେହି କେହି ଅଭିଧାନକାର ଅସ୍ମିତା ଶବ୍ଦଟିକୁ ଅହଂକାର ଅର୍ଥରେ ସୂଚିତ କରିଛନ୍ତି। ମାତ୍ର ତାହା ଠିକ୍ ନୁହେଁ। ଓଡ଼ିଆ ସାହିତ୍ୟରେ କବିବର ରାଧାନାଥ ରାୟ ୧୮୯୨ ମସିହାରେ ତାଙ୍କ ଲିଖିତ ‘ଚିଲିକା’ କାବ୍ୟରେ ଅସ୍ମିତା ଶବ୍ଦର ବ୍ୟବହାର କରିଛନ୍ତି। ମନେହୁଏ ଏହା ପ୍ରଥମ ବ୍ୟବହାର। ସେ ଲେଖିଛନ୍ତି-
‘ଖର ସୌର କରେ ତାରକା ଯେସନ
ଅସ୍ମିତା ବିସ୍ମେୟ ହେଲା ନିମଗନ’
ଟାଣ ସୂର୍ଯ୍ୟ ରଶ୍ମି ସଂସ୍ପର୍ଶରେ ଆକାଶର ତାରକା ପୁଞ୍ଜ ନିଷ୍ପ୍ରଭ ହୋଇଯିବା ପରି କବିଙ୍କ ଭିତରର ଅସ୍ମିତା ଅର୍ଥାତ୍ ‘ମୁଁ ଅଛି’ ବୋଧଟି ଆଶ୍ଚର୍ଯ୍ୟ-ନିମଗ୍ନ ବା ସଂଶୟାଚ୍ଛନ୍ନ ହୋଇପଡ଼ିଛି। କବିଙ୍କ ପ୍ରୟୋଗ ପ୍ରାସଙ୍ଗିକ। ମାତ୍ର ଅସ୍ମିତା ଶବ୍ଦଟି ମନେହୁଏ କେବଳ ‘ମୁଁ ଅଛି’ ମଧ୍ୟରେ ସୀମାବଦ୍ଧ ନୁହେଁ। ଓଡ଼ିଆ ଭାଷାରେ ଅସ୍ମିତା ଏକ ବିସ୍ତାରିତ ଭାବବାହୀ ଶବ୍ଦ। ଅନ୍ବେଷାରେ ଏହାର ମୂଳ ବା ଜଡ଼। ଅନୁଶୀଳନରେ ଏହାର ପୁଷ୍ଟି। ଉପଲବ୍ଧିରେ ଏହାର ପୂର୍ତ୍ତି। ବ୍ୟକ୍ତି ହେଉ ଅବା ରାଷ୍ଟ୍ର, ବ୍ୟାପ୍ତିରେ ଅସ୍ମିତାର ପରିମାପ; ବ୍ୟାପ୍ତି ହିଁ ଅସ୍ମିତାର ଔଜ୍ଜ୍ବଲ୍ୟ। ବୈଶିଷ୍ଟ୍ୟ ହେଉଛି ଅସ୍ମିତାର ପରିଭାଷା। ସ୍ଥିତି ବା ଅସ୍ତିତ୍ବ କିମ୍ବା ପରିଚୟ ବା ପରିଚିତିକୁ ଅସ୍ମିତା ସହିତ ଟାଣି ଓଟାରି ଯୋଡ଼ିବାର କୌଣସି ଯଥାର୍ଥତା ନାହିଁ; ଏଗୁଡ଼ିକ ଅସ୍ମିତାର ପାଖାପାଖି ଅର୍ଥବୋଧକ ମଧ୍ୟ ନୁହନ୍ତି। ଅସ୍ମିତା ଶବ୍ଦକୁ ବ୍ୟବହାର କରି ‘ଅସ୍ମିତା ଆକଳନ’, ‘ଅସ୍ମିତା ସ୍ମରଣ’, ‘ଅସ୍ମିତା ପ୍ରକଟନ’ ଇତ୍ୟାଦି ପ୍ରୟୋଗ କରାଯାଇପାରେ। ବୋଧହୁଏ ଅସ୍ମିତା ଭିତରେ ସ୍ବାଭିମାନ ପାଇଁ ଉପାଦାନ ଥାଏ। ଅନ୍ୟ ପକ୍ଷରେ ସ୍ବାଭିମାନର ପ୍ରତିଷ୍ଠା ପାଇଁ ଆତ୍ମବିଶ୍ବାସ ଦରକାର, ସାହସ ଦରକାର; ସଂକୀର୍ଣ୍ଣ ସ୍ବାର୍ଥଠାରୁ ଲମ୍ବା ଦୂରତା ହିଁ ବ୍ୟକ୍ତିର ଆତ୍ମବିଶ୍ବାସ ଓ ସାହସ ତିଆରି କରେ; ବଢ଼ାଏ। ଅସ୍ମିତା ସାମର୍ଥ୍ୟସୂଚକ ଓ ସେଥିରୁ ପ୍ରେରଣା ମିଳିଥାଏ।
ଓଡ଼ିଆ ଅସ୍ମିତା ସଂପର୍କରେ କହିଲା ବେଳେ ପ୍ରାତଃ ସ୍ମରଣୀୟ ଦୁଇଜଣ ଓଡ଼ିଆ ମହାପୁରୁଷଙ୍କ କଥା ଚର୍ଚ୍ଚା କରିବାକୁ ପଡ଼ିବ। ଆମ ନୂଆ ପିଢ଼ି ସହିତ ସେମାନଙ୍କ ବିଚାର ଓ ବୈଶିଷ୍ଟ୍ୟକୁ ନିଘନ ଭାବରେ ଯୋଡ଼ିବାକୁ ହେବ। ଉତ୍କଳଗୌରବ ମଧୁସୂଦନ ଦାସ (୧୮୪୮), ଉତ୍କଳମଣି ଗୋପବନ୍ଧୁ ଦାସ (୧୮୭୭)। ମୂଲ୍ୟବୋଧର ମୂଳଦୁଆ ଉପରେ ଓଡ଼ିଆ ଜାତିଟାକୁ ମଥାଟେକି ଠିଆ ହେବାପାଇଁ ସାରାଜୀବନ ଉଭୟଙ୍କର ପ୍ରୟାସ ଓ ଲଢ଼େଇ। ସଂସାରରୁ ବିଦାୟ ନେଲା ବେଳକୁ ଗୋପବନ୍ଧୁ (୧୯୨୮), ମଧୁସୂଦନ (୧୯୩୪); ଉଭୟଙ୍କ ପାଖରେ ନିଜର ଅର୍ଜନ କିଛି ନାହିଁ। ଯାହା ସେମାନଙ୍କର ଅର୍ଜନ, ତାହା ହୋଇଯାଇଛି ଓଡ଼ିଆ ଜାତିର ମଣି-ମାଣିକ୍ୟ; ଅସ୍ମିତା। ଜଣେ ସେବାର ପ୍ରତୀକ, ଜଣେ ସ୍ବାଭିମାନର ପ୍ରତିଭୂ। ସେବା ଓ ସ୍ୱାଭିମାନ ଭିତରେ ଯୋଡ଼ଣ ବା ସଂପର୍କ ହେଉଛି ଅତୁଟ; ଗୋଟିଏ ଅନ୍ୟଟିର ଅପରିହାର୍ଯ୍ୟ ପରିପୂରକ।
ପୁଣି ମନେ ରଖିବାକୁ ହେବ ଯେ ବୌଦ୍ଧିକତା ହେଉଛି ଏକ ଶକ୍ତି, ଶକ୍ତିର ଉତ୍ସ। ସ୍ୱାଭିମାନର ସଂସର୍ଗ ବୈଦ୍ଧିକତାକୁ ସଂଚରିତ କରିଥାଏ। ବୌଦ୍ଧିକତା ପାଖରେ ନୀଚପଣ ବା ସ୍ବାର୍ଥ ବା ସଂକୀର୍ଣ୍ଣତା ନ ଥାଏ। ରାଷ୍ଟ୍ରର କଲ୍ୟାଣ ନିମନ୍ତେ ବୁଦ୍ଧିଜୀବୀମାନଙ୍କର ଗୋଟାଏ ବଡ଼ ଭୂମିକା ଥାଏ। ବ୍ୟକ୍ତିର ବୌଦ୍ଧିକତା ରାଷ୍ଟ୍ରର ସମ୍ପତ୍ତି ଭାବରେ ପରିଗଣିତ ହୋଇଥାଏ। ବିଶେଷକରି କୌଣସି ସଂକଟ କାଳରେ ସେମାନଙ୍କର ଉପଯୋଗିତା ବେଶି ଲୋଡ଼ା ହୁଏ। ସେମାନେ ସ୍ଥିର ବା ନିରବ ରହିପାରନ୍ତି ନାହିଁ। ତେଣୁ ଯେ କୌଣସି ପିଢ଼ି ହେଉ ନା କାହିଁକି ତା’ର ବୌଦ୍ଧିକ ବିଚାର ରାଜନୀତି ଭଳି ଏକ ମହତ୍ତ୍ବପୂର୍ଣ୍ଣ କ୍ଷେତ୍ରକୁ ଅସ୍ପୃଶ୍ୟ (‘ଓଡ଼ିଆ ଅସ୍ମିତା’ ଶୀର୍ଷକ ଆଲେଖ୍ୟରେ ଲେଖାଯାଇଥିବା ଭଳି) ବୋଲି ବିଚାର କରିବାର ବା ତାକୁ ଅବଜ୍ଞା କରିବାର ଧୃଷ୍ଟତା କରିପାରିବ ନାହିଁ।
ଗୋପବନ୍ଧୁ ଓ ମଧୁବାବୁଙ୍କ ସେବା ଓ ସ୍ୱାଭିମାନ ଏବଂ ଗାନ୍ଧୀଜୀଙ୍କ ଅହିଂସା ହେଉଛି ଆମର ରାଷ୍ଟ୍ରୀୟ ଅସ୍ମିତା; ମହାର୍ଘ ଚଳନ୍ତି ସମ୍ପତ୍ତି। ସେହି ଆମ ଭୂମି, ସେହି ଆମ ଭୂମା। ଆମ ନୂଆପିଢ଼ିକୁ ଆମ ଅସ୍ମିତା ସହିତ ପରିଚିତ ଓ ଅଭ୍ୟସ୍ତ କରିବା ହେଉଛି ସାଂପ୍ରତିକ ସମୟର ଜାତୀୟ ଆହ୍ବାନ। କାରଣ ଆମ ଗଣତନ୍ତ୍ର ଘୋର ସଂକଟ ଦେଇ ଗତି କରୁଛି। ଆସନ୍ତୁ ଏକତ୍ର ହେବା; ଅସ୍ମିତା ପରଖିବା, ଅସ୍ମିତାରେ ଶାଣ ଦେବା।
‘ଶକୁନ୍ତଳା’
୫୬୧, ମହାନଦୀବିହାର, କଟକ
ମୋ-୯୪୩୮୨୭୫୦୯୧