ବୈଜ୍ଞାନିକ ଡକ୍ଟର ଫ୍ରାଙ୍କେନ୍‌ଷ୍ଟାଇନ୍ ରୂପକ ଆମେରିକା ବର୍ତ୍ତମାନ ଶାନ୍ତିପ୍ରିୟ ଭାରତର ସହାୟତାରେ ତା’ର ନିଜସୃଷ୍ଟ ରାକ୍ଷସ ଚୀନ୍‌କୁ ସଂଯତ କରିବାକୁ ଚାହୁଁଛି। ଅଧିକ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀମାନେ ଆମେରିକାରେ ‘‌େଷ୍ଟମ୍’ ଶିକ୍ଷା ଲାଭ କରିବା ଉଭୟ ଭାରତ ଓ ଆମେରିକା ପାଇଁ ମଙ୍ଗଳପ୍ରଦ ହେବ ସତ, କିନ୍ତୁ ବିଜ୍ଞାନରେ ଜ୍ଞାନ ଲାଭ ପାଇଁ ଚୀନ୍ ଆଉ ଆମେରିକୀୟ ବିଶ୍ବବିଦ୍ୟାଳୟମାନଙ୍କ ଉପରେ ନିର୍ଭର କରୁ ନ ଥିବାରୁ ଏହାଦ୍ବାରା ସେ ରାକ୍ଷସର ଶକ୍ତି ବାଧାପ୍ରାପ୍ତ ହେବା ସମ୍ଭାବନା କ୍ଷୀଣ।

Advertisment

ଆମେରିକାର ବିଶ୍ବବିଦ୍ୟାଳୟମାନେ ସେଠାରେ ସାଇନ୍‌ସ, ଟେକ୍ନୋଲୋଜି, ଇଞ୍ଜିନିଅରିଙ୍ଗ୍ ଓ ମାଥେମାଟିକ୍‌ସ (‘ଷ୍ଟେମ୍’) ଅଧ୍ୟୟନ କରିବା ପାଇଁ ଅଧିକରୁ ଅଧିକ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏବଂ କଳା ବା ହ୍ୟୁମାନିଟିଜ୍ ବିଷୟମାନ ଅଧ୍ୟୟନ କରିବା ପାଇଁ ଅଧିକରୁ ଅଧିକ ସଂଖ୍ୟକ ଚୀନା ଛାତ୍ରଛାତ୍ରୀମାନଙ୍କୁ ଗ୍ରହଣ କରିବା ଉଚିତ। ଗତ ସୋମବାର ଦିନ ଏହା ଘୋଷଣା କରି ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି ଆମେରିକାର ଦ୍ବିତୀୟ ସର୍ବୋଚ୍ଚ କୂଟନୀତିଜ୍ଞ, ଡେପୁଟି ସେକ୍ରେଟାରି ଅଫ୍ ଷ୍ଟେଟ୍ କର୍ଟ କ୍ୟାମ୍ପବେଲ୍।
ସଂକ୍ଷେପରେ କହିଲେ ଆମେରିକା ସରକାର ଏବେ ବିଚାର କରୁଛନ୍ତି ଯେ ନିରାପତ୍ତା ଦୃଷ୍ଟିରୁ ଚୀନା ଛାତ୍ରଛାତ୍ରୀମାନଙ୍କୁ ଆମେରିକୀୟ ବିଶ୍ବବିିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରାଯାଉଥିବା ଓ ଗବେଷଣା ହେଉଥିବା ଅତ୍ୟାଧୁନିକ ବିଜ୍ଞାନ ଓ ଜ୍ଞାନକୌଶଳ ଠାରୁ ଦୂରେଇ ରଖାଯିବା ଉଚିତ ଏବଂ ଏ ଦୃଷ୍ଟିରୁ ଭାରତୀୟ ଛାତ୍ରଛାତ୍ରୀମାନେ ହେଉଛନ୍ତି ନିରାପଦ। ଏଭଳି ଜ୍ଞାନର ଅଧିକାରୀ ହେଲେ ଚୀନ୍ ତା’ର ଦୁରୁପଯୋଗ କରି ଉଭୟ ଆମେରିକା ଓ ମୁକ୍ତ ବିଶ୍ବର ନିରାପତ୍ତା ବିପନ୍ନ କରିବାର ଦୃଢ଼ ସମ୍ଭାବନା ଥିବାବେଳେ ଭାରତ ତରଫରୁ ସେଭଳି ବିପଦ ସୃଷ୍ଟି ହେବାର ସମ୍ଭାବନା ହେଉଛି ଶୂନ୍ୟ। ଅପରପକ୍ଷେ କଳା ବିଷୟମାନଙ୍କରେ ଜ୍ଞାନ ଏଭଳି କୌଣସି ବିପଜ୍ଜନକ କ୍ଷମତା ବହନ କରୁ ନ ଥିବାରୁ ଚୀନାମାନେ ତାହା ଆହରଣ କରିବାରେ କୌଣସି ବାଧା ନାହିଁ।
ଅବଶ୍ୟ ବିଜ୍ଞାନର ଏଭଳି ଶକ୍ତି ସମ୍ବନ୍ଧରେ ସଚେତନ ହେବାରେ ଆମେରିକାର ଏହି କୂଟନୀତିଜ୍ଞ ପ୍ରଥମ ବ୍ୟକ୍ତି ନୁହନ୍ତି। ବାସ୍ତବରେ ଯିଏ ସର୍ବପ୍ରଥମେ ସଂଗଠିତ ବିଜ୍ଞାନର ଅମିତ ଶକ୍ତି ସମ୍ବନ୍ଧରେ ସର୍ବପ୍ରଥମେ ଭବିଷ୍ୟଦ୍ରଷ୍ଟା ଭଳି ମାନବ ସମାଜକୁ ସଚେତନ କରାଇ ଦେଇଥିଲେ, ସେ ହେଉଛନ୍ତି ବିଜ୍ଞାନ ଗବେଷଣାରେ ବ୍ୟବହୃତ ପଦ୍ଧତି ବା ‘ସାଇଣ୍ଟିଫିକ୍ ମେଥଡ୍’ର ସର୍ବପ୍ରଥମ ଉଦ୍ଭାବକ ଷୋଡ଼ଶ-ସପ୍ତଦଶ ଶତାବ୍ଦୀର ବ୍ରିଟିଶ୍ ରାଜନେତା ଓ ଓକିଲ (ସେ ଏକଦା ସେ ଦେଶର ଅର୍ଥମନ୍ତ୍ରୀ ବା ଚାନ୍‌ସେଲର୍ ଥିଲେ) ଫ୍ରାନ୍‌ସିସ୍ ବେକନ୍। ଆଜିର ପୃଥିବୀରେ ଏପରି କେହି ଜଣେ ହେଲେ ଅଧିବାସୀ ନାହିଁ, ଯିଏ ବିଜ୍ଞାନର କୌଣସି ନା କୌଣସି ଅବଦାନ ସହିତ ସୁପରିଚିତ ନୁହେଁ। ବିଜ୍ଞାନ ଦ୍ବାରା ମନୁଷ୍ୟ ପ୍ରକୃତିକୁ ଆୟତ୍ତ କରିଥାଏ। ବେକନ୍‌ଙ୍କ ସମୟରେ କିନ୍ତୁ ସମାଜରେ ଗୁଣିଗାରେଡ଼ି, ଭୂତ, ଡାହାଣୀ ଆଦିରେ ଏପରି ବଦ୍ଧମୂଳ ବିଶ୍ବାସ ବସା ବାନ୍ଧି ରହିଥିଲା ଯେ ପ୍ରକୃତିକୁ ଆୟତ୍ତ କରୁଥିବା ବିଜ୍ଞାନ ଗୁଣିଗାରେଡ଼ି ରୂପେ ବିବେଚିତ ହେବାର ବିପଜ୍ଜନକ ଦୃଢ଼ ସମ୍ଭାବନା ଥିଲା। ଏହି ବିପଦକୁ ଏଡ଼ାଇବା ପାଇଁ ବେକନ୍ ଘୋଷଣା କରିଥିଲେ ଯେ ବିଜ୍ଞାନ ହେଉଛି ପ୍ରକୃତି ସମ୍ବନ୍ଧରେ ଜ୍ଞାନ ଏବଂ ସଇତାନ୍ ନୁହେଁ, ଖୋଦ୍ ଈଶ୍ବର ହିଁ ଏହି ଜ୍ଞାନ ପ୍ରଥମ ମାନବ ଆଦାମ୍‌ଙ୍କୁ ପ୍ରଦାନ କରିଥିଲେ। ଗାର୍ଡନ୍ ଅଫ୍ ଏଡେନ୍‌ରୁ ପତନ ସହିତ ମନୁଷ୍ୟ ଏହି ଈଶ୍ବରଦତ୍ତ ଜ୍ଞାନକୁ ହଜାଇ ବସିଥିଲା। ବିଜ୍ଞାନ ମାଧ୍ୟମରେ ମନୁଷ୍ୟ ପୁଣି ଥରେ ସେଇ ଈଶ୍ବରଦତ୍ତ ଶକ୍ତିକୁ ଫେରି ପାଇବାକୁ ଚେଷ୍ଟା କରୁଛି, ଯେଉଁ ଶକ୍ତି ବଳରେ ମନୁଷ୍ୟ ପ୍ରକୃତିକୁ ନିୟନ୍ତ୍ରଣ କରିପାରୁଛି। ବିଜ୍ଞାନ ତେଣୁ ମନୁଷ୍ୟ ସୃଷ୍ଟ କୃତ୍ରିମ ଗୁଣିଗାରେଡ଼ି ନୁହେଁ, ଏହା ହେଉଛି ଈଶ୍ବର ସୃଷ୍ଟ ଜ୍ଞାନ।
ଏହି କୌଶଳ ଅବଲମ୍ବନ କରି ବେକନ୍ ବିଜ୍ଞାନକୁ ଜନସାଧାରଣଙ୍କ ପାଖରେ ଗ୍ରହଣୀୟ କରିବାରେ ସଫଳ ହେବା ପରେ ତାଙ୍କୁ ଅାଉ ଯେଉଁ ଏକ ଚିନ୍ତା ଘାରିଥିଲା, ତାହା ହେଲା- ବିଜ୍ଞାନର ବ୍ୟବହାର। ଭବିଷ୍ୟଦ୍ରଷ୍ଟା ବେକନ୍ ବିଜ୍ଞାନର ଅପ୍ରମିତ ଶକ୍ତି ସମ୍ବନ୍ଧରେ ସଂପୂର୍ଣ୍ଣ ସଚେତନ ଥିଲେ ତଥା ମନୁଷ୍ୟ ଦ୍ବାରା ଏହି ନୂତନଲବ୍‌ଧ ଶକ୍ତିର ଦୁରୁପଯୋଗର ସମ୍ଭାବନା ସମ୍ବନ୍ଧରେ ମଧ୍ୟ ସଂପୂର୍ଣ୍ଣ ସଚେତନ ଥିଲେ। ତେବେ ତାଙ୍କର ଦୃଢ଼ ବିଶ୍ବାସ ଥିଲା ଯେ ମନୁଷ୍ୟ ତା’ର ଏହି ନୂତନ ଜ୍ଞାନକୁ ସର୍ବଦା ବିଚାରବନ୍ତ ଭାବରେ ଉତ୍ତମ କାର୍ଯ୍ୟରେ ଲଗାଇବ। ତାଙ୍କର ଏହି ଆନ୍ତରିକ ଇଚ୍ଛା ବହନ କରୁଥିବା ୧୬୨୪ରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ଉପନ୍ୟାସ ‘ନିଉ ଆଟ୍‌ଲାଣ୍ଟିସ୍’ରେ ବେକନ୍ ଏକ ବିଜ୍ଞାନଭିତ୍ତିକ ଚିରଆନନ୍ଦମୟ ରାଷ୍ଟ୍ରର ପରିକଳ୍ପନା କରିଥିଲେ ଯେଉଁଠି ଶାସନ କ୍ଷମତାରେ ଥିବା ବୈଜ୍ଞାନିକ-ପୁରୋହିତମାନେ ସର୍ବଦା ରାଷ୍ଟ୍ରର ସର୍ବାଙ୍ଗୀନ ମଙ୍ଗଳ ସାଧନ ନିମିତ୍ତ ନିଷ୍ପତ୍ତିମାନ ଗ୍ରହଣ କରୁଥିଲେ। ବେକନ୍‌ଙ୍କର ଏହି ରଚନାରୁ ପ୍ରେରଣା ଲାଭ କରି ୧୬୬୦ରେ ଲଣ୍ଡନ୍‌ରେ ପ୍ରସିଦ୍ଧ ବିଜ୍ଞାନ ଏକାଡେମୀ ‘ରୟାଲ୍ ସୋସାଇଟି’ ସ୍ଥାପିତ ହୋଇଥିଲା। ବିଜ୍ଞାନ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ବେକନ୍ ଉଦ୍ଭାବନ କରିଥିବା ଯେଉଁ ସ୍ଲୋଗାନ୍ ଏବେ ମଧ୍ୟ ଗୁରୁବାକ୍ୟ ଭାବରେ ବ୍ୟବହୃତ ହୋଇଥାଏ, ତାହା ହେଲା: ‘‘ନଲେଜ୍ ଇଜ୍ ପାୱାର୍’’ (‘‘ଜ୍ଞାନ ହିଁ ଶକ୍ତି’’)।
ବିଜ୍ଞାନ ସମ୍ବନ୍ଧରେ ବେକନ୍‌ଙ୍କର ଏହି ଉଚ୍ଚାଶା ସତ୍ତ୍ବେ ପୃଥିବୀରେ ସେଇ ସମୟରୁ ବିଜ୍ଞାନର ଅଗ୍ରଗତି ସହିତ ତାଳ ଦେଇ ଆଉ ଯେଉଁଥିରେ ମଧ୍ୟ ଅନୁରୂପ ଭାବରେ ଦ୍ରୁତ ଅଗ୍ରଗତି ଘଟି ଚାଲିଛି, ତାହା ହେଉଛି ଦ୍ବିବିଧ: ବିଜ୍ଞାନର ଉପଯୋଗ ଓ ଦୁରୁପଯୋଗ। ବିଗତ ଚାରି ଶତାବ୍ଦୀ ମଧ୍ୟରେ କ୍ଷୁଧା ନିବାରଣରୁ ରୋଗ ନିବାରଣ ପର୍ଯ୍ୟନ୍ତ, ଗମନାଗମନରୁ ମନୋରଞ୍ଜନ ପର୍ଯ୍ୟନ୍ତରେ ଯେଉଁ ସମସ୍ତ ବୈପ୍ଳବିକ ପରିବର୍ତ୍ତନମାନ ଘଟି ପୃଥିବୀ ପୃଷ୍ଠରେ ମନୁଷ୍ୟର ଜୀବନଧାରଣର ମାନରେ ଅବିଶ୍ବସନୀୟ ଉନ୍ନତି ଘଟିଛି, ତାହା ହେଉଛି ସଂପୂର୍ଣ୍ଣ ରୂ‌େପ ବିଜ୍ଞାନର ଅବଦାନ। ଏ ସବୁ ଦ୍ବାରା କିନ୍ତୁ ଆମ ପୃଥିବୀ ନାମକ ବାସସ୍ଥଳୀ ତଥାପି ଯେ ବେକନ୍‌ଙ୍କ କଳ୍ପନାର ଚିରଆନନ୍ଦମୟ ‘ନିଉ ଆଟ୍‌ଲାଣ୍ଟିସ୍’ରେ ପରିଣତ ହୋଇପାରି ନାହିଁ, ତାହାର ଅନ୍ୟତମ କାରଣ ହେଉଛି ଏହି ସମୟ ମଧ୍ୟରେ ସେଇ ବିଜ୍ଞାନର ଦୁରୁପଯୋଗ ସବୁରେ ଘଟି ଚାଲିଥିବା ଅଗ୍ରଗତି। ଏହାର ଅସଂଖ୍ୟ ଜଣାଶୁଣା ଉଦାହରଣମାନ ମଧ୍ୟରୁ ଗୋଟିଏ ବିଶେଷ ଭୟଙ୍କର ଉଦାହରଣ ହେଉଛି ଯୁଦ୍ଧରେ ବିଜ୍ଞାନର ପ୍ରୟୋଗ, ଯାହାର ଏକ ଚରମ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ହିରୋସିମା ଓ ନାଗାସାକି ଉପରେ ଆମେରିକାର ପରମାଣୁ ବୋମା ଆକ୍ରମଣ ରୂପରେ। ଦ୍ବିତୀୟ ବିଶ୍ବଯୁଦ୍ଧର ଅବସାନ ପରେ ଲାଗିରହିଥିବା ଶୀତଳ ଯୁଦ୍ଧର ଅଂଶ ସ୍ବରୂପ ଆମେରିକା ଓ ରୁଷିଆ ନେତୃତ୍ବାଧୀନ ଉଭୟ ପକ୍ଷ ବିଜ୍ଞାନର ପ୍ରୟୋଗ ଦ୍ବାରା ନିଜ ନିଜର ସାମରିକ ଶକ୍ତିରେ ବୃଦ୍ଧି ଘଟାଇବାରେ ବ୍ୟାପୃତ ରହିଆସିଛନ୍ତି।
ବର୍ତ୍ତମାନ କିନ୍ତୁ ଯେଉଁ ଦେଶ ନିଜର ସମ୍ପ୍ରସାରଣବାଦୀ ପ୍ରବୃତ୍ତି ଚରିତାର୍ଥ କରିବା ପାଇଁ ବିଶ୍ବ ଶାନ୍ତି ବିପନ୍ନ କରିବାର ସର୍ବାଧିକ ସମ୍ଭାବନା ବହନ କରୁଛି, ସେ ଦେଶ ହେଉଛି ଏକଛତ୍ର କମ୍ୟୁନିଷ୍ଟ ଶାସନାଧୀନ ଚୀନ୍। ଆଉ ଏହି ଉଦ୍ଦେଶ୍ୟ ସାଧନରେ ସେ ଦେଶ ବେକନ୍‌ଙ୍କ ‘‘ନଲେଜ୍ ଇଜ୍ ପାୱାର’’ ଉପଦେଶ ଅନୁସରଣ କରି ଯାହାକୁ ଏକ ମୁଖ୍ୟ ସାଧନ ରୂପେ ବ୍ୟବହାର କରୁଛି, ତାହା ହେଲା- ବିଜ୍ଞାନ। ଆମେରିକାର ବର୍ତ୍ତମାନ ଚେତା ପଶିବା ପୂର୍ବରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଚୀନା ଛାତ୍ରଛାତ୍ରୀମାନେ ଆମେରିକାରେ ଶିକ୍ଷାଲାଭ କରି ନିଜ ଦେଶକୁ ଫେରିଯାଇ ବର୍ତ୍ତମାନ ଚୀନ୍‌କୁ ଏକ ବିଜ୍ଞାନ-ମହାଶକ୍ତିରେ ପରିଣତ କରିସାରିଲେଣି। ଏହାର ଅନେକ ଉଦାହରଣ ମଧ୍ୟରୁ ଗୋଟିଏ ଅନୁସାରେ ପୃଥିବୀର ସର୍ବଶ୍ରେଷ୍ଠ ଦଶଟି ବିଜ୍ଞାନ ଗବେଷଣା ବିଶ୍ବବିଦ୍ୟାଳୟ ବା ପ୍ରତିଷ୍ଠାନମାନଙ୍କ ମଧ୍ୟରୁ ବର୍ତ୍ତମାନ ସାତଟି ଅବସ୍ଥିତ ଅଛନ୍ତି ଚୀନ୍‌ରେ। ସେହିପରି ବର୍ତ୍ତମାନ ପୃଥିବୀରେ ସର୍ବାଧିକ ସଂଖ୍ୟକ ପେଟେଣ୍ଟ ପଞ୍ଜୀକରଣ ଘଟୁଛି ଚୀନ୍‌ରେ। ବର୍ତ୍ତମାନ ପୃଥିବୀରେ ପ୍ରକାଶିତ ‘ଏ-ଆଇ’ କ୍ଷେତ୍ରରେ ଗବେଷଣା ପତ୍ରମାନଙ୍କ ସଂଖ୍ୟାରେ ଚୀନ୍‌ର ଅଂଶ ୪୦ ଶତାଂଶ ହୋଇଥିବା ବେଳେ ଆମେରିକାର ଅଂଶ ହେଉଛି ମାତ୍ର ୧୦ ଶତାଂଶ ଓ ଇଉରୋପର ଅଂଶ ହେଉଛି ୧୫ ଶତାଂଶ।
୨୦୦୦ରୁ ୨୦୧୯ ମଧ୍ୟରେ ଯେଉଁ ଛ’ ନିୟୁତରୁ ଅଧିକ ସଂଖ୍ୟକ ଚୀନା ଛାତ୍ରଛାତ୍ରୀମାନେ ବିଦେଶରେ ଶିକ୍ଷାଲାଭ କରି ନିଜ ଦେଶକୁ ଫେରି ଆସିଥିଲେ, ସେଇମାନେ ଚୀନ୍‌କୁ ଆଜି ଫ୍ରାଙ୍କେନ୍‌ଷ୍ଟାଇନ୍‌ଙ୍କ ରାକ୍ଷସ ଭଳି ଏକ ବିଜ୍ଞାନସମୃଦ୍ଧ ରାକ୍ଷସରେ ପରିଣତ କରିଛନ୍ତି। ବୈଜ୍ଞାନିକ ଡକ୍ଟର ଫ୍ରାଙ୍କେନ୍‌ଷ୍ଟାଇନ୍ ରୂପକ ଆମେରିକା ବର୍ତ୍ତମାନ ଶାନ୍ତିପ୍ରିୟ ଭାରତର ସହାୟତାରେ ତା’ର ନିଜସୃଷ୍ଟ ରାକ୍ଷସ ଚୀନ୍‌କୁ ସଂଯତ କରିବାକୁ ଚାହୁଁଛି। ଅଧିକ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀମାନେ ଆମେରିକାରେ ‘‌େଷ୍ଟମ୍’ ଶିକ୍ଷା ଲାଭ କରିବା ଉଭୟ ଭାରତ ଓ ଆମେରିକା ପାଇଁ ମଙ୍ଗଳପ୍ରଦ ହେବ ସତ, କିନ୍ତୁ ବିଜ୍ଞାନରେ ଜ୍ଞାନ ଲାଭ ପାଇଁ ଚୀନ୍ ଆଉ ଆମେରିକୀୟ ବିଶ୍ବବିଦ୍ୟାଳୟମାନଙ୍କ ଉପରେ ନିର୍ଭର କରୁ ନ ଥିବାରୁ ଏହାଦ୍ବାରା ସେ ରାକ୍ଷସର ଶକ୍ତି ବାଧାପ୍ରାପ୍ତ ହେବା ସମ୍ଭାବନା କ୍ଷୀଣ।