ଗୁଜବ, ଗଣମାଧ୍ୟମ ଓ ବ୍ରେକିଂ ନ୍ୟୁଜ୍‌

ଡାକ୍ତର ସମ୍ରାଟ କର

ସାମ୍ବାଦିକ ବନ୍ଧୁ ସୁମନ୍ତ ବାବୁଙ୍କ ସହ ମୋର ପରିଚୟ ଦୀର୍ଘଦିନର। ସେ ମୋତେ ଫୋନ୍‌ କରି ପଚାରିଲେ- “ସାର୍‌, କରୋନା ସମ୍ପର୍କିତ ଖବରକୁ ବ୍ରେକିଂ ନ୍ୟୁଜ୍ ନ କରିବାକୁ ସୁବ୍ରତ ବାଗ୍‌ଚି ମହୋଦୟ ଅନୁରୋଧ କଲା ପରେ ଆପଣ ଏହା ଉପରେ କ’ଣ ମନ୍ତବ୍ୟ ଦେବେ?’’
ମୁଁ ତାଙ୍କୁ କହିଲି- ଆପଣ ନିଜେ ଜଣେ ଗଣମାଧ୍ୟମର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ବାସ୍ତବ କଥା ହେଉଛି ବେଳେ ବେଳେ ଗୁଜବ ଭୟାନକ ରୂପ ନେଇଥାଏ। ଏବଂ ସାଂଘାତିକ କଥା ହେଲା ଏୟା ଯେ ସ୍ୱାସ୍ଥ୍ୟ ସମ୍ପର୍କିତ ଗୁଜବ କେବଳ ଲୋକଙ୍କର ଧନଜୀବନ ନେଇ ନଥାଏ, ସମାଜରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି କରେ। ବିଭିନ୍ନ ସମୟରେ କାନକୁହା ବା ଉଡ଼ା କଥାକୁ ଶୁଣି ଅନେକ ଲୋକ କୌଣସି ପ୍ରକାର ପରୀକ୍ଷା ନିରୀକ୍ଷା ନକରି ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି। ୧୯୮୫ରେ ବଡ଼ମ୍ବା ନରସିଂହପୁର ଅଞ୍ଚଳରେ ରାମଶିଆଳ ଆତଙ୍କ କିଛି ଦିନ ଧରି ବିଭିନ୍ନ ଗୁଜବ ସୃଷ୍ଟି କରିଥିଲା। ସେହିପରି ବାଣପୁର ପାଖ ବଡ଼ପଦର ଗ୍ରାମରେ ୨୦୦୪ରେ ଭୂତ ନିଆଁର ଆତଙ୍କ, ଖୋର୍ଦ୍ଧା ଶୋରଣରେ ୨୦୦୪ରେ ଆକାଶରୁ ଗୋଡ଼ି ବାଲି ପଡ଼ିବା ଜନିତ ଆତଙ୍କ, ୨୦୦୬ରେ ମଙ୍ଗଳାଯୋଡ଼ି ଗ୍ରାମରେ କୃଷ୍ଣଚୂଡ଼ା ଗଛ ମରଣ ବୃକ୍ଷ ଭାବରେ ଚହଳ ସୃଷ୍ଟି କରିବା ଭଳି ଘଟଣା ଏଭଳି କିଛି ଗୁଜବ ଅନ୍ତର୍ଭୁକ୍ତ। ସେହିପରି ୨୦୧୬ରେ କାଳିଜାଇ ଗଣ୍ଡ ପାଖରେ ଭୂତ ଆତଙ୍କ ଓ ୧୯୯୮ରେ ଟାଙ୍ଗୀ ପାଖ ରତନପୁରର ମେଣ୍ଢା ମଡ଼କକୁ ନେଇ ଗୁଜବର ଭୟ ପରବର୍ତ୍ତୀ ସମୟରେ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଏଇ ଯେମିତି କିଛି ମାସ ତଳେ ବିହାରରେ ଗୁଜବ ପ୍ରଚାରିତ ହୋଇ ଲୁଣ କିଲୋ ପିଛା ସତୁରି ଟଙ୍କାରେ ବିକ୍ରି ହୋଇଗଲା। କିଛି ଅସାମାଜିକ ତତ୍ତ୍ୱ ପ୍ରଚାର କରିଦେଲେ ଯେ ବଜାରରେ ଆଉ ଲୁଣ ମିଳୁନି ! ତା’ପରେ ଧାଁ ଦଉଡ଼ ହୋଇ ଅଣନିଃଶ୍ୱାସୀ ଭାବେ ଲୋକେ ଲୁଣ କିଣିଲେ। କିଲୋ ପିଛା ଦଶ ଟଙ୍କାରେ ମିଳୁଥିବା ଲୁଣ ସତୁରି ଟଙ୍କାରେ ପହଞ୍ଚିଗଲା। ଏହି କଥା କେବଳ ବିହାରରେ ନୁହେଁ, କିଛି ଦିନ ତଳେ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଥିଲା। ନୟାଗଡ଼ରେ ଗୁଜବ ହେଲା ଯେ ଲୁଣ ଆଉ ମିଳିବ ନାହିଁ। ତା’ ପରେ ଏହା ବିଜୁଳି ବେଗରେ ପ୍ରଚାରିତ ହେଲା ପରେ ଲୋକେ ଜୀବନ ବିକଳେ ଅଧିକ ଦାମ ଦେଇ ବସ୍ତା ବସ୍ତା ଲୁଣ ବୋହି ନେଲେ। ସେମିତି ଗତ ନଭେମ୍ବର ପ୍ରଥମ ସପ୍ତାହରେ ଆନ୍ଧ୍ରପ୍ରଦେଶର ଗୋଳଠମ୍ ରେଳଷ୍ଟେସନରେ ଯେଉଁ ଅଭାବନୀୟ ଦୁର୍ଘଟଣା ଘଟି ଟ୍ରେନ୍ ମାଡ଼ିଯିବା ଦ୍ୱାରା ଜୀବନହାନି ଘଟିଥିଲା ତାହା ପଛରେ ରହିଛି ଏହି ଗୁଜବ । କାରଣ ଆଲେପି-ଧାନବାଦ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଯାଇଛି ବୋଲି ଗୁଜବ ଉଡ଼ିବାରୁ ଯାତ୍ରୀମାନେ ଜୀବନ ବିକଳେ ଧାଁ ଦଉଡ଼ କରି ରେଳଲାଇନକୁ ଚାଲିଯିବା ବେଳକୁ ଅନ୍ୟ ଟ୍ରାକ୍‌ର ଟ୍ରେନ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଗଲା ଅକ୍ଟୋବର ୧୫ରେ ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ନବରାତ୍ର ସମୟରେ ରତ୍ନଗଡ଼ ମନ୍ଦିରକୁ ଯାଇଥିବା ନଦୀ ପୋଲ ଉପରେ ଶ୍ରଦ୍ଧାଳୁମାନେ ଯିବା ସମୟରେ ଗୁଜବ ଉଠିଲା ଯେ ପୋଲଟି ଭାଙ୍ଗିବାକୁ ଯାଉଛି ; ବାସ୍ ତା’ ପରେ ଯେଉଁ ଅଭାବନୀୟ ଦଳାଚକଟା ହୋଇଥିଲା ସେଥିରେ ୧୧୫ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଦୀପ ଲିଭି ଯାଇଥିଲା। ପାଠକବର୍ଗଙ୍କ ଆହୁରି ମନେ ଥିବ କିଛି ବର୍ଷ ତଳେ ଗଣେଶ କ୍ଷୀର ପାନ କରୁଛନ୍ତି ବୋଲି ଏକ ଗୁଜବ ସାରା ଦେଶରେ ପ୍ରଚାରିତ ହୋଇ କିଭଳି ପରିସ୍ଥିତି ସୃଷ୍ଟି କରିଥିଲା।

କଥା ହେଉଛି ବ୍ୟସ୍ତତାଭରା ତେଲଲୁଣର ଜୀବନକୁ ନେଇ ଲଢ଼ୁଥିବା ମଣିଷମାନେ ସର୍ବଦା ଏକ ଅସୁରକ୍ଷାର ଭାବନା ଭିତରେ ଜିଉ ଥିବାରୁ ଗୁଜବ ଶୁଣି ବେଶ୍ ବ୍ୟତିବ୍ୟସ୍ତ ହୋଇପଡ଼ିଥାନ୍ତି। କିଛି ଭାବି ବିଚାରି ନିଷ୍ପତ୍ତି ନେବାର ବୁଦ୍ଧି ଟିକକ ସେତିକି ବେଳେ ହଜିଯାଏ। ତେଣୁ ନାନା ପ୍ରକାର ଅପ୍ରୀତିକର ସ୍ଥିତି ଉପୁଜେ। ଗୁଜବକୁ ବାହାରକୁ ଛାଡୁଥିବା ଲୋକେ ଏଥିରୁ ମଜା ପାଆନ୍ତି। କିନ୍ତୁ ସେମାନେ ଭୁଲି ଯାଆନ୍ତିି ଯେ ଏହି ଗୁଜବର ଶିକାର ହେଉଥିବା ବ୍ୟକ୍ତିବି‌େଶଷଙ୍କ ଭିତରେ ସେମାନଙ୍କ ଆତ୍ମୀୟସ୍ୱଜନ ବା ବନ୍ଧୁବର୍ଗ ମଧ୍ୟ କଷଣ ଭୋଗିବାର ସମ୍ଭାବନା ରହିଥାଏ। ଆଜି ସମାଜିକ ଗଣମାଧ୍ୟମ ଜରିଆରେ ଗୁଜବ ପ୍ରସାର ଖୁବ୍ ବ୍ୟାପକ ହୋଇଛି। ଏହା ଦ୍ବାରା କେବଳ ଭୟ ବା ଆତଙ୍କ ନୁହେଁ ଅବିଶ୍ବାସ ଓ ହିଂସାର ପ୍ରସାର କରାଯାଉଛି। ଏହା ଯୋଗୁ ଦଙ୍ଗା ଆଦି ମଧ୍ୟ ସଂଘଟିତ ହୋଇଯାଉଛି। ଏଭଳି ଗୁଜବକୁ ରୋକିବା ଲାଗି ସରକାର ଦୃଢ଼ ଦମନମୂଳକ ନୀତି ଆପଣାଇବା ଦରକାର। ଅତ୍ୟନ୍ତ କଡ଼ା ଦଣ୍ଡର ବ୍ୟବସ୍ଥା କରିବା ଦରକାର। ଏବଂ ସାମାଜିକ ଗଣମାଧ୍ୟମର ପରିଚାଳକମାନେ ଏ ନେଇ ପ୍ରତିକାର ତଥା ପ୍ରତିଷେଧମୂଳକ ବ୍ୟବସ୍ଥା ମଧ୍ୟ କରିବା ଉଚିତ।

ଆଜି କରୋନା ଭୂତାଣୁର ସଂକ୍ରମଣ କାଳରେ ଗୁଜବ କିଭଳି ଅଯଥା ଆତଙ୍କ ସୃଷ୍ଟି କରିଛି, ତାହା ସର୍ବଜନବିଦିତ। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ର ମୁଖ୍ୟ ଟେ‌େଡ୍ରାସ ମଧ୍ୟ କହିଛନ୍ତି ଯେ ଗୁଜବ ହେଉଛି କରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ। ସେ ଦିନ ମୁଁ ସୁମନ୍ତ ବାବୁଙ୍କୁ କହିଲି ଯେ କରୋନା ସଂପର୍କିତ ଖବର ପ୍ରମୁଖତା ପାଇବା ଉଚିତ, କିନ୍ତୁ ଏହାର ପରିବେଷଣ ଶୈଳୀରେ ଅଯଥା ଉଦ୍‌‌େବଗ ରହିବା ଅନୁଚିତ। ତାହା ପରିବେଷଣ କରୁଥିବା ବେଳେ କଣ୍ଠସ୍ବର ଏଭଳି ରହିବା ଉଚିତ ଯେମିତି ଦର୍ଶକ ତହିଁରୁ ଭୟ ନ ପାଇ ଆଶ୍ବସ୍ତି ଲାଭ କରିବ। ସବୁଠାରୁ ବଡ଼ କଥା ହେଲା ଏହା ଏଭଳି ଭାବେ ପରିବେଷଣ କରାଯିବା ଦରକାର ଯେମିତି ତାହା ଗୁଜବ ସୃଷ୍ଟିକାରୀଙ୍କୁ ଲୋକଙ୍କ ଭିତରେ ଅଯଥା ଭୟ ସୃଷ୍ଟି କରିବାକୁ ପ୍ରଶ୍ରୟ ଦେବ ନାହିଁ।
ମୋ: ୯୧୩୨୪୩୩୩୩୩

ସମ୍ବନ୍ଧିତ ଖବର