‘ପରିବାରବାଦ’ ବିରୋଧରେ ବିଜେପିର ପ୍ରଚାର ଅଭିଯାନ ଏକ ସନ୍ଦେହମୂଳକ ଭିତ୍ତିଭୂମି ଉପରେ ଛିଡ଼ା ହୋଇଛି। ପ୍ରଥମତଃ, ଭାରତୀୟ ସମାଜ ‘ପରିବାରବାଦ’କୁ ଅନୈତିକ ଭାବରେ ଦେଖେନାହିଁ। ଅପରପକ୍ଷେ, ପରିବାର ସଦସ୍ୟଙ୍କୁ ପଦୋନ୍ନତି ଦେବା ପିତୃପ୍ରଧାନ ବ୍ୟକ୍ତିଙ୍କ ପ୍ରାଥମିକ କର୍ତ୍ତବ୍ୟ ବୋଲି ବିବେଚନା କରାଯାଏ। ଯେଉଁ ବାପା ନିଜ ପୁଅଝିଅଙ୍କ ଉତ୍ତମ ଜୀବନଯାପନ ପାଇଁ ପର୍ଯ୍ୟାପ୍ତ ଉଦ୍ୟମ କରନ୍ତି ନାହିଁ, ସେମାନଙ୍କୁ ଖରାପ ବାପା ଭାବେ ପରିଗଣତି କରାଯାଏ। ଯିଏ ନିଜ ପିଲାଙ୍କୁ ଜୀବନରେ ପ୍ରତିଷ୍ଠିତ କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରନ୍ତି ସେ ହେଉଛନ୍ତି ଭଲ ଜଣେ ବାପା।
ଗତ ଅଗଷ୍ଟ ୨୮ ତାରିଖରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ତିନି ସନ୍ତାନ ଆକାଶ, ଅନନ୍ତ ଓ ଈଷାଙ୍କୁ ବୋର୍ଡ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ମୁକେଶ କହିଛନ୍ତି ଯେ, ତାଙ୍କର ତିନି ସନ୍ତାନ ଅନ୍ୟ ନିର୍ଦ୍ଦେଶକମାନଙ୍କ ସହ ମିଶି ରିଲାଏନ୍‌ସ ଗ୍ରୁପ୍‌କୁ ସାମଗ୍ରିକ ଭାବେ ନେତୃତ୍ବ ପ୍ରଦାନ କରିବେ ଏବଂ ତାହାର ବିବିଧ ବ୍ୟବସାୟର ଅଭିବୃଦ୍ଧିର ମାର୍ଗଦର୍ଶନ କରିବେ। ଏହା ଏକ ଉତ୍ତରାଧିକାର ଯୋଜନା। ସେ ଯାହା କରିଥିଲେ, ତାହା ହେଲା ‘ପରିବାରବାଦ’। କିନ୍ତୁ ସାଧାରଣ ଜୀବନରେ କିମ୍ବା ଗଣମାଧ୍ୟମରେ କାହାର ବି ପ୍ରତିକୂଳ ମନ୍ତବ୍ୟ ଆସିନଥିଲା। ବିଜେପି ନେତାମାନେ ମଧ୍ୟ ଏହାକୁ ନିନ୍ଦା କରୁଥିବା ଆମେ ଶୁଣିନାହୁଁ।
ପରିବାର ସଦସ୍ୟଙ୍କୁ ଶୀର୍ଷ ନେତୃତ୍ବ ଦେବାରେ ଅମ୍ବାନୀ ପରିବାର ଏକ ବ୍ୟତିକ୍ରମ ନୁହେଁ। ଭାରତର ଏପରି କୌଣସି ବ୍ୟବସାୟୀ ପରିବାର ନଥିବ, ଯେଉଁଠି ପୁଅ କି ଝିଅ ନିଜ ପିତାଙ୍କର ଉତ୍ତରାଧିକାରୀ ହୋଇନଥିବେ। ପ୍ରତ୍ୟେକ ସଫଳ ବ୍ୟବସାୟକୁ ଏକ ଛୋଟ ସାମ୍ରାଜ୍ୟ ରୂପେ ଦେଖାଯାଏ ଏବଂ ତାହାର ମୁକୁଟ ସବୁବେଳେ ସେହି ପରିବାର ପାଖରେ ରହିଥାଏ। ପିତାଙ୍କ ଭଳି ପୁଅ କିମ୍ବା ଝିଅର ସମାନ ନେତୃତ୍ବ କ୍ଷମତା, ଶକ୍ତି ଓ ସହନଶୀଳତା ରହିଛି- ଏହି ବିଶ୍ବାସ ଉପରେ ଉତ୍ତରାଧିକାରର ବୈଧତା ଅବସ୍ଥାନ କରିଥାଏ।
ଦ୍ବିତୀୟତଃ, ‘ପରିବାରବାଦ’ରେ ଯୋଗ୍ୟତା ପାଇଁ ସ୍ଥାନ ନାହିଁ ବୋଲି ଏକ ଭୁଲ୍‌ ଆଧାରରେ ବିଜେପି ପ୍ରଚାର ଚଳାଇଛି। ମୁକେଶ ଅମ୍ବାନୀ ସଫଳ, ମାତ୍ର ଅନୀଲ ଅମ୍ବାନୀ ବିଫଳ। ଉଭୟ ଧୀରୁଭାଇ ଅମ୍ବାନୀଙ୍କ ପୁଅ ଥିଲେ। ଜଣେ ଛୁଉଁଥିବା ଜିନିଷକୁ ସୁନାରେ ପରିଣତ କରିଦେଲେ, ଆଉ ଜଣେ ପାରିଲେ ନାହିଁ କେମିତି? ଏହାର ଉତ୍ତର ହେଉଛି: ମୁକେଶଙ୍କର ମେଧା ଥିଲା, ଅନୀଲଙ୍କ ଠାରେ ତାହାର ଅଭାବ ଥିଲା।
ଏବେ ପୃଥ୍ବୀରାଜ କପୁରଙ୍କ ବଂଶର ଉଦାହରଣ ନିଆଯାଉ। ତାଙ୍କ ପୁଅ ରାଜ କପୁର କେବଳ ଉତ୍ତରାଧିକାର ସୂତ୍ରରେ ଭାରତୀୟ ସିନେମାର ଜଣେ ପ୍ରତିଷ୍ଠିତ ପିଲ୍ମନିର୍ମାତା ଓ ଅଭିନେତା ହୋଇନଥିଲେ; ସେ ନିଜ ଶୈଳୀରେ ଉପରକୁ ଚଢ଼ିଥିଲେ। ତାଙ୍କର ତିନି ପୁଅଙ୍କ ମଧ୍ୟରୁ ରାଜୀବ ଚଳଚ୍ଚିତ୍ର ନଦୀରେ ଜଣେ ଅଭିନେତା ଭାବେ ଡୁବି ଯାଇଥିଲେ। ରଣଧୀର ନିଜକୁ ବଞ୍ଚାଇ ରଖିବା ଲାଗି ସଂଘର୍ଷ କରିଥିଲେ। କେବଳ ଋଷି ହିଁ ଜଣେ ଦକ୍ଷ ସନ୍ତରଣକାରୀ ପ୍ରମାଣିତ ହୋଇଥିଲେ। ଏହାର ସରଳ କାରଣ ହେଉଛି- ଋଷିଙ୍କର ମେଧା ଥିଲା, ଅନ୍ୟ ଦୁଇଜଣଙ୍କ ଠାରେ ତାହାର ଅଭାବ ଥିଲା।
କେବଳ ବ୍ୟବସାୟ ଓ ସିନେମା କ୍ଷେତ୍ରରେ ନୁହେଁ, କୃଷି, ଔଷଧ, ଆଇନ ସମେତ ସୁନା କାରିଗରି ଓ ବଢ଼େଇ କାମ ପରି ପାରମ୍ପରିକ ଶିଳ୍ପ କ୍ଷେତ୍ରରେ ମଧ୍ୟ ବଂଶାନୁକ୍ରମିକ ଉତ୍ତରାଧିକାର ଏକ ସାଧାରଣ କଥା। ପିତାମାନେ ସବୁ କ୍ଷେତ୍ରରେ ପିଲାମାନଙ୍କୁ ପ୍ରତିଷ୍ଠିତ କରିବାର କର୍ତ୍ତବ୍ୟ ପାଳନ କରନ୍ତି। ତଥାପି କେବଳ ବଂଶଧାରା ପିଲାଙ୍କୁ ସାହାଯ୍ୟ କରେ ନାହିଁ। ସଫଳ ହେବା ପାଇଁ ଅନ୍ୟମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ସେମାନଙ୍କ ପାଖରେ ଯୋଗ୍ୟତା ଥିବା ଆବଶ୍ୟକ। ସେହି ପ୍ରତିଯୋଗୀମାନେ ହେଉଛନ୍ତି ସେମାନଙ୍କ ଭାଇଭଉଣୀ, ଅନ୍ୟ ବଂଶର ଉତ୍ତରାଧିକାରୀ ଏବଂ ବଂଶାନୁକ୍ରମିକ ସୁବିଧା ନଥିବା ତଥା ନିଜ ଯୋଗ୍ୟତା ଆଧାରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଗଣିତ ବ୍ୟକ୍ତି।
ଏକଥା ନିଶ୍ଚିତ ଯେ, ବଂଶାନୁକ୍ରମ ଉତ୍ତରାଧିକାରୀମାନଙ୍କୁ ପ୍ରାରମ୍ଭିକ ସୁବିଧା ଦେଇଥାଏ। ସେମାନଙ୍କ ନାଁ ଓ ଚେହେରା ଲୋକେ ଜାଣନ୍ତି। ସେମାନେ ମଧ୍ୟ ଏକ ଧାରଣ ନେଇ କାମ ଆରମ୍ଭ କରନ୍ତି ଯେ ସେମାନଙ୍କ ବାପାମାଆଙ୍କ ପରି ସେମାନଙ୍କର ଦକ୍ଷତା ରହିଛି। ତେଣୁ ପ୍ରସିଦ୍ଧ ବ୍ୟବସାୟୀ, ନିର୍ଦ୍ଦେଶକ, ରାଜନେତା, ଡାକ୍ତର ବା ଆଇନଜୀବୀଙ୍କ ପୁଅ କି ଝିଅଙ୍କୁ ପ୍ରଥମ ପ୍ରବେଶ ପାଇଁ ଜଣେ ଅଜଣା ପରିବାରର ସନ୍ତାନଙ୍କ ଅପେକ୍ଷା ଅଧିକ ଶୁଭ ଦୃଷ୍ଟିରେ ଦେଖାଯାଏ। କିନ୍ତୁ ଯୋଗ୍ୟତା ନଥିଲେ ସେମାନେ ପ୍ରାରମ୍ଭିକ ସୁବିଧା ହରାଇ ବସନ୍ତି। ଲୋକେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି।
ତୃତୀୟତଃ, ‘ପରିବାରବାଦ’ ବିରୋଧରେ ବିଜେପି ତାହାର ଅଭିଯାନକୁ କେବଳ ରାଜନୀତି କ୍ଷେତ୍ରରେ ସୀମିତ ରଖିଛି। ଆମେ କିନ୍ତୁ ଉପରେ ଦେଖିଲୁ ଯେ, ‘ପରିବାରବାଦ’ କେବଳ ରାଜନୀତିରେ ସୀମିତ ନୁହେଁ। ଏହା ସର୍ବବ୍ୟାପୀ। ଏଠାରେ ବିଜେପିର ପ୍ରଚାର ଦୁର୍ବଳ ସ୍ଥିତିରେ ରହିଛି। ରାଜନୀତିରେ ଯାହା ଖରାପ, ତାହା ଅନ୍ୟ ବୃତ୍ତିରେ ଭଲ ହୋଇପାରିବ ନାହିଁ। ଯଦି ବିଜେପି ‘ପରିବାରବାଦ’କୁ ହଟାଇବାକୁ ଚାହେଁ, ତେବେ ଏହାକୁ ସବୁ କ୍ଷେତ୍ରରୁ ହଟାଇବାକୁ ହେବ। ସଂସଦରେ ଏହାର ସଂଖ୍ୟାଗରିଷ୍ଠତା ରହିଛି। ଏହା ରାଜନୀତି, ବ୍ୟବସାୟ, ଚିକିତ୍ସା, ଗଣମାଧ୍ୟମ, ଆଇନ, କୃଷି ସମେତ ଅନ୍ୟ ସବୁ କ୍ଷେତ୍ରରେ ବଂଶାନୁକ୍ରମିକ ଉତ୍ତରାଧିକାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ବଂଶବାଦ ବିରୋଧୀ ଆଇନ ପାରିତ କରିପାରିବ ଏବଂ କେବଳ ଯୋଗ୍ୟତା ଆଧାରରେ ଚୟନକୁ ଅନୁମତି ଦେଇପାରିବ।
ଚତୁର୍ଥରେ, ବିଜେପି ଯେ ‘ପରିବାରବାଦ’କୁ କେବଳ ରାଜନୀତିରେ ସୀମିତ ରଖିଛି ତାହା ନୁହେଁ, ବରଂ ଏଥିରେ ନିଜେ ବ୍ୟାପୃତ ଥିବା ବିଷୟରୁ ଦୋଷମୁକ୍ତ ରହିବା ଲାଗି ‘ପରିବାରବାଦ’ର ସଂଜ୍ଞାକୁ ମଧ୍ୟ ସଂକୁଚିତ କରିଦେଇଛି। ଯଦି କୌଣସି ରାଜନେତାଙ୍କ ପୁଅ ବା ଝିଅ ବିଧାୟକ ବା ସାଂସଦ ହୁଅନ୍ତି, ତେବେ ଏହା ‘ପରିବାରବାଦ’ ନୁହେଁ ବୋଲି ଦଳ କହିଛି। କିନ୍ତୁ ସେ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ବା ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ତାହା ‘ପରିବାରବାଦ’। ଏହା ହେଉଛି ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଦ୍ବାରା ଦଳ ପକ୍ଷରୁ ଦିଆଯାଇଥିବା ସଂଜ୍ଞା। ଏହି ସଂଜ୍ଞା ଦଳକୁ ସୁହାଇବା ଲାଗି ପ୍ରସ୍ତୁତ କରାଯାଇଛି। ରାଜ୍ୟ ବିଧାନସଭା ଓ ସଂସଦରେ ସଦସ୍ୟ ଭାବରେ ଦଳର ଉତ୍ତରସୂରୀଙ୍କ ସଂଖ୍ୟା ଯଥେଷ୍ଟ ରହିଛି। ବର୍ତ୍ତମାନର ସଂସଦରେ ସେପରି ପାଞ୍ଚ ଜଣ ବିଜେପି ସଦସ୍ୟ ରହିଛନ୍ତି। ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅନୁରାଗ ଠାକୁର, ପ୍ରବେଶ ବର୍ମା, ଦୁଷ୍ୟନ୍ତ ସିଂହ, ବି.ଵାଇ. ରାଘବେନ୍ଦ୍ର ଓ ରାଜବୀର ସିଂହ। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପୁଅ-ଝିଅ କ୍ରମରେ ପ୍ରୀତମ ମୁଣ୍ଡେ, ପୁନମ ମହାଜନ, ଜୟନ୍ତ ସିହ୍ନା ଓ ଜ୍ୟୋଦିରାଦିତ୍ୟ ସିନ୍ଧିଆ ଆଦି ମଧ୍ୟ ରହିଛନ୍ତି। ୨୦୨୦ର ଏକ ଅଧ୍ୟୟନ ଅନୁଯାୟୀ, ବିଜେପିର ମୋଟ ୩୮୮ ଜଣ ସାଂସଦଙ୍କ ଭିତରୁ ୪୫ ଜଣ (୧୧ ପ୍ରତିଶତ) ହେଉଛନ୍ତି ପରିବାରବାଦର ଉତ୍ତରାଧିକାରୀ।
ପଞ୍ଚମରେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଵାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ଭଳି ପରିବାରର ଉତ୍ତରାଧିକାରୀମାନଙ୍କ ସହ ଖୋଲା ଅନୌପଚାରିକ ମେଣ୍ଟକୁ ଯଥାର୍ଥ ପ୍ରମାଣିତ କରିବା ଲାଗି ବିଜେପି ନିଜ ‘ପରିବାରବାଦ’ର ସଂକୀର୍ଣ୍ଣ ସଂଜ୍ଞାକୁ ଆହୁରି ସଂକୀର୍ଣ୍ଣ କରିଦେଇଛି। ଏହାର କ୍ଷୀଣ ପରିଭାଷାରେ ‘ପରିବାରବାଦ’ର ପାପରୁ ବନ୍ଧୁ ପରିବାରର ମୁଖ୍ୟମନ୍ତ୍ରୀମାନଙ୍କୁ ବାଦ୍‌ ଦିଆଯାଇଛି ଏବଂ କେବଳ ବିରୋଧୀ ବଂଶାନୁକ୍ରମିକ ମୁଖ୍ୟମନ୍ତ୍ରୀମାନଙ୍କୁ ସାମିଲ କରାଯାଇଛି। ଏଥିରୁ ଏହା ସ୍ପଷ୍ଟ ଯେ, ବିରୋଧୀ ପରିବାରବାଦୀ ମୁଖ୍ୟମନ୍ତ୍ରୀମାନଙ୍କୁ ଅପମାନିତ କରିବାକୁ, ଆକ୍ରମଣ କରିବାକୁ ଏବଂ ସେମାନଙ୍କୁ ପରାସ୍ତ କରି ସେମାନେ ଭୋଗ କରୁଥିବା ରାଜନୈତିକ ସ୍ଥାନ ଦଖଲ କରିବା ଲାଗି ବିଜେପି ‘ପରିବାରବାଦ’କୁ କେବଳ ଏକ ସ୍ଲୋଗାନ ଭାବରେ ବ୍ୟବହାର କରୁଛି।
ଏଣେ ବିଜେପି ‘ପରିବାରବାଦ’କୁ ଏକ ମନ୍ଦ ବ୍ୟାଧି ବୋଲି କହୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ତିନିଟି ଅନିଷ୍ଟକାରୀ ମଧ୍ୟରୁ ଗୋଟିଏ ବୋଲି ଦର୍ଶାଇ - ଅନ୍ୟ ଦୁଇଟି ଅନିଷ୍ଟକାରୀ ହେଉଛି ଦୁର୍ନୀତି ଓ ତୁଷ୍ଟୀକରଣ - କହିଛନ୍ତି ଯେ ଏସବୁ ଭାରତ ଛାଡ଼ି ଚାଲିଯିବା ଅପରିହାର୍ଯ୍ୟ। ମାତ୍ର ‘ପରିବାରବାଦ’ର ସେମାନଙ୍କ ଅତ୍ୟନ୍ତ ସଂକୀର୍ଣ୍ଣ ସଂଜ୍ଞାରୁ ଏହା ସ୍ପଷ୍ଟ ଯେ, ସେମାନଙ୍କର ଅଭିଯାନ ସବୁ କ୍ଷେତ୍ରରେ ଯୋଗ୍ୟତାର ସାମ୍ରାଜ୍ୟ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ନୁହେଁ। ଏପରିକି ରାଜନୀତିରେ ଯୋଗ୍ୟତାର ସାମ୍ରାଜ୍ୟ ପ୍ରତିଷ୍ଠା ଏହାର ଲକ୍ଷ୍ୟ ନୁହେଁ। ଏହା କେବଳ ରାଜନୀତିରେ ବିଜେପିର ସାମ୍ରାଜ୍ୟ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ।
[email protected]