ଶୁଣ, ଯୁଗ ଯେମିତି ହେଲାଣି ସେଥିରେ କେବଳ ‘ହଁ ବା ନାହିଁ’ରେ ଜବାବ ଦିଅ, ବୋଲି କହିଲେ ଚଳିବ ନାହିଁ; ଘୋଷଣା କଲା ବୁଡୁ। ଏବେ ମନେ ପଡ଼ିଗଲା ପିଲାଦିନେ ସ୍କୁଲ୍‌ରେ ପଢ଼ିବା ବେଳେ ସାମନା କରିଥିବା ‘ନିମ୍ନଲିଖିତ ପ୍ରଶ୍ନମାନଙ୍କର ଉତ୍ତର ହଁ ବା ନାହିଁ ଲେଖି ଦିଅ’ ପର୍ଯ୍ୟାୟର ପ୍ରଶ୍ନ ମାନ।

Advertisment

ଆମ ପିଲାଦିନେ ଗୋଟେ କ୍ଲାସ୍‌ ପରୀକ୍ଷାରେ ଏ ଧରଣର କିଛି ପ୍ରଶ୍ନ ଆସିଥିଲା। ସେ ଥର ଅତି ମାମୁଲି ପ୍ରଶ୍ନମାନ ପଡ଼ିଥିଲା; ଯେମିତି କି ପ୍ରତି ବର୍ଷ ଅଗଷ୍ଟ ମାସର ପନ୍ଦର ତାରିଖ ଦିନ ଆମ ଦେଶର ସ୍ୱାଧୀନତା ଦିବସ ପାଳନ ହୁଏ ବା ବିଲେଇ ଚାଲିଲେ କିଛି ବି ଶବ୍ଦ ହୁଏ ନାହିଁ ଇତ୍ୟାଦି। କୁହାଯାଇଥିଲା ଏହାର ଉତ୍ତରରେ କେବଳ ହଁ ବା ନାହିଁ ଲେଖିବ। ତେବେ ଆମ ସାଙ୍ଗ ବୁଡୁ କଥା ତ ଆପଣ ଜାଣନ୍ତି! କେମିତି ଓଳିଆରେ ପଡୁ ପଡୁ ଗଜା ହୋଇଥିବା ଭଳି ସାଂଘାତିକ ବଗୁଲିଆଟାଏ ସେ! ତହୁଁ ସେ କ’ଣ କଲାନା ପ୍ରଶ୍ନ ପଢୁପଢୁ ଢେର୍ ସମୟ ଧରି ପ୍ରଶ୍ନଙ୍କୁ ନେଇ ବହେ ଭାବି ବସିଲା, ଢେର୍ ଧନ୍ଦି ହେଲା ଓ ତଦୁତ୍ତାରେ ଭାବିଲା ଆମ ସାର୍ କ’ଣ ଏଡ଼ିକି ଭକୁଆ ଯେ ସୁଦ୍ଦୁ ବୁଦ୍ଦୁଟାଏ ବି କହି ପାରୁଥିବା ଏମିତିଆ ପ୍ରଶ୍ନଗୁଡ଼ାକ ପଚାରି ତା’ର ଉତ୍ତରରେ ହଁ ନା ନା ଲେଖି ଜଣାଇବାକୁ କହିଛନ୍ତି?

ସୁତରାଂ, ଆପଣାକୁ କ୍ଲାସ୍‌ର ସବୁଠୁ ସିଆଣିଆ ସାବ୍ୟସ୍ତ କରିବାକୁ ପାଞ୍ଚି ଉତ୍ତର କ୍ରମରେ ପ୍ରତି ପ୍ରଶ୍ନ ଶେଷରେ ଲେଖିଦେଲା: ମୋତେ ଉତ୍ତର ଜଣା ଅଛି!
ଆଉ ତା’ ପରେ ସାରା କ୍ଲାସ୍‌ରେ କିଆଁ ବରଂ ସାରା ସ୍କୁଲ୍‌ରେ ବୁଡୁର ଅଜବ ଉତ୍ତର ସାମୂହିକ ହସ ଓ ଗମାତର ଜୁଆର ଖେଳାଇ ଚାଲିଲା ବୋଲି କହିହେବ!
ଏଥିରୁ ଆମେ ଏତିକି ଜାଣିଚୁ ଯେ କେବେ ବି ହଁ ହେଉ ବା ନା ସ୍ପଷ୍ଟ ଭାବେ କହି ନ ଦେବାର ଅର୍ଥ ନିଜକୁ ହଟହଟା କରିବା। ଯେମିତି ଆମ ସ୍କୁଲ୍‌ ଜୀବନ‌େର ଆଉ ଥରେ ଘଟିଥିଲା।

କଥାଟା ଏଇଆ ଯେ ଆମର ଜନୈକ ଭୋଳା କିସମର ସାର୍ ଥିଲେ। ସେ ଥିଲେ ଜଣେ ଅତି ଭଲ ଇଂରେଜୀ ଶିକ୍ଷକ। ଆମକୁ ମାଗଣାରେ ଘରେ ଇଂରେଜୀ ଗ୍ରାମାର୍‌ ବି ପଢ଼ାଇ ଦେଉଥିଲେ। ଆମରି ବୟସର ତାଙ୍କର ଭାନୁ ନାମଧେୟ କିଞ୍ଚିତ ବାଳୁଙ୍ଗା-ଜାତୀୟ ପୁଅଟିଏ ବି ଆମ ସହ ପଢୁଥିଲା, ଯାହାର ସେଇ ପିଲା ବେଳୁ ହିଁ ଲୁଚାଇ ଲୁଚାଇ ଖଇର ଦିଆ ମିଠା ପାନ ଚୋବାଇବା ଭଳି ମହା ଗର୍ହିତ ପର୍ଯ୍ୟାୟର ଅଭ୍ୟାସ ରହିଥିଲା। ତେବେ ସେ ତା’ ମୁହଁରେ ହାତ ଜାକି ଏକ ନିର୍ଦ୍ଦିଷ୍ଟ ମୁଦ୍ରାରେ ଉଁ କି ଚୁଁ ନ କରି ବସିଥିଲେ ବି ଅବଲୀଳା କ୍ରମେ ତା’ ମୁହଁରୁ ଝରି ଆସି ରକ୍ତର ଭ୍ରମ ସୃଷ୍ଟିକାରୀ ଲାଳକୁ ଅଚାନକ ଦେଖି ପକାଇ ସାର୍ ଅଗତ୍ୟା ପଚାରି ଦେଇଥିଲେ- ‘ଭାନୁ..କ’ଣ ଚୋବାଉଛୁ ଦେଖି? ମୁହଁରୁ କ’ଣ ବାହାରୁଛି ବାବୁ? ତେବେ ଭାନୁ ଅଜବ ନିରବତା ଭିତରେ ରହି ରହି ଅବଶେଷେ କିଞ୍ଚିତ ଅତର୍କିତ ଭାବେ ସେଠୁ କ୍ଷିପ୍ର ଗତିରେ ନିଷ୍କ୍ରାନ୍ତ ହୋଇ ଯାଇଥିଲା। ତା’ ପରେ ଆମ ଭୋଳା ସାର୍ କାଳେ ରକ୍ତ ବହୁଚି ବୋଲି ଭାବି ଆକୁଳ ଓ ବ୍ୟାକୁଳ ହୋଇ ଆମ ସଭିଙ୍କୁ ତା’ ପଛରେ ପଠାଇ ଦେଇଥିଲେ। ମନେ ପଡୁଛି ତାହା ଏକ ଅଯଥା ଦୃଶ୍ୟ ସୃଷ୍ଟି କରିଥିଲା।

ହଁ ପିଲାଦିନେ ଏମିତି ଅନେକ କଥା ଅକଥା ହୁଏନି କି? ଯୋଗକୁ ଆମର ସେଇ ପିଲାଦିନ ବନ୍ଧୁ ବୁଡୁ ଓ ଭାନୁଙ୍କ ସହ ଏ ଭିତରେ ଦେଖା ବି ହୋଇଗଲା। ତ’ ଏବେ ଏତେ ବର୍ଷ ପରେ ବି ସେଇ କଥା ସବୁ ପଡ଼ିଲା। ବୁଡୁକୁ ଆମେ ପଚାରିଲୁ, ‘ବାପଧନ ଏବେ ସେମିତି ସବୁ ପ୍ରଶ୍ନମାନର କି ଜବାବ ଦଉଚ?’
ବୁଡୁ କହିଲା ‘ହୁଁ’ ନା ‘ଉହୁଁ’ କହି ଜବାବ ଦେବା ଆଉ ସହଜ ନୁହେଁ ଗୁରୁ! ବୁଝିଲ, ଆଜିକାଲିକା ଲୋକଙ୍କ ମୁହଁରେ ଗୋଟେ କଥା ତ ପେଟରେ ଖେଳୁଥାଏ ଆଉ ଗୋଟେ; ଏଠେଇଁ ପୁରାଣ ପାଠ ହେଉନି ଯେ ବୋଲେ ‘ହୁଁ’ଟି କହିକହି ତୁମ ଆମ ପରିକା ମାମୁଲି ମଣିଷ ପାର ହେଇଯିବା! ଏବେ ପରା ‘ହୁଁ’ କହୁଥିବ ତ ଭାବୁଥିବ ‘ଉହୁଁ’ ଆଉ ‘ଉହୁଁ’ କହି ମତଲବ ରଖିଥିବ ‘ହୁଁ’ରେ!
ତା’ କଥା ସରିଚି କି ନାଇଁ ଭାନୁ କହି ଉଠିଲା- ‘ସେତେବେଳେ ସିନା ଆମ ବାପାଙ୍କ ଭଳି ଭୋଳା ମଣିଷଙ୍କୁ ଯାହା କହିଲେ ଚଳୁଥିଲା, ହେଲେ ଏବର କାଳ ବେଳ ପା ଦୁସରା! ଏଇ ଦେଖୁନୁ ମୁଁ ଯୋଉ ‘ବଡ଼ ଜମାଣିଆ ଦଳ’ର ସଦସ୍ୟ ଅଛି, ସେଠି ତ ‘ହୁଁ’ କହିଲେ ସମଝିବେ ‘ଉହୁଁ’!
ଏହା ଶୁଣି ବୁଡୁ ଭାବୁକ ହୋଇ କହି ପକାଇଲା: ବରଂ ସବୁ କଥାରେ ହେଁ ହେଁ ହୋଇ ଦାନ୍ତ ନେଫେଡ଼ି ଦେଲେ କଥା ଶେଷ!
ଭାନୁ ଯୋଡ଼ିଲା- ତା’ ନୁହେଁ ତ ଆଉ କ’ଣ? ପୁଣି ସେହି ହେଁ ହେଁ ବି ଜମାଣିଆ ହୋଇ ଉଠିବ ଯଦି ତୋ’ ଭଳିଆ ଛାମୁ ଦାନ୍ତ ଯୋଡ଼ିକ ଦେଶ ପାଇଁ ଉତ୍ସର୍ଗ କରିବାକୁ ଥିବ!’
ଭାନୁ କଥାରେ ସଭିଏଁ ଏକା ନଟେ ହସି ଉଠିଲେ ହେଁ ହେଁ ହୋଇ!
[email protected]