ଭାରତ ପ୍ରତି ବିଶ୍ୱର ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଘଟୁଛି। ପାରମ୍ପରିକ ପାଶ୍ଚାତ୍ୟ ବିବେଚନାରେ ଭାରତ ଆଉ ଗଙ୍ଗା, ଗାଈ, ସାପ, ସାପୁଆକେଳା, ଗୁଣିଗାରେଡ଼ି, ଅନାହାର ଓ ଅନଟନର ଦେଶ ହୋଇ ରହିନାହିଁ। ଭାରତ ବା ଇଣ୍ଡିଆ କହିଲେ ଡିଜିଟାଲ ଇଣ୍ଡିଆକୁ ବୁଝାଉଛି। ବୁଝାଉଛି ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ଷ୍ଟାର୍ଟ ଅପ୍ ଇଣ୍ଡିଆ’କୁ। ବିକଶିତ ଦେଶମାନଙ୍କର ସମ୍ମିଳନୀ ଜି-୨୦ର ଅଧିନାୟକତ୍ୱ ସଫଳତାର ସହ ସମ୍ପନ୍ନ କରି ବିଶ୍ୱବାସୀଙ୍କ ଆସ୍ଥାର ସଂବାହକ ପାଲଟିଛି ଭାରତର ଶୀର୍ଷ ନେତୃତ୍ୱ। ଜଳବାୟୁ ପରିବର୍ତ୍ତନ, ସୌରଶକ୍ତି ଓ ବିଶ୍ୱଶାନ୍ତି ସମ୍ପର୍କିତ ଭାରତର ଭୂମିକା ହୋଇଛି ବିଶ୍ୱବ୍ୟାପୀ ପ୍ରଶଂସନୀୟ। କୋଭିଡ୍-୧୯ ଜନିତ ବାଧାବିଘ୍ନ ସତ୍ତ୍ୱେ ଆମ ଦେଶ ପୃଥିବୀର ପଞ୍ଚମ ସର୍ବବୃହତ୍ ଅର୍ଥନୀତି ଭାବରେ ଉଭା ହୋଇଛି ଏବଂ ତୃତୀୟ ବୃହତ୍ତମ ଅର୍ଥନୀତିରେ ରୂପାନ୍ତରିତ ହେବା ପଥରେ ଅଗ୍ରସର ହେଉଛି। ବିଶ୍ୱ ପଟଳରେ ଏହା ଭାରତର ମର୍ଯ୍ୟାଦାଜନକ ସ୍ଥିତି।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ବିନା କୌଣସି ଦେଶର ବିକାଶ କ’ଣ ସମ୍ଭବ? କରୋନା କାଳରେ ନିଜସ୍ୱ ଟିକା ଉଦ୍ଭାବନ କରି ଭେଷଜ ବିଜ୍ଞାନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରମାଣିତ କରିଛି ଭାରତ। ପୃଥିବୀର ଅନେକ ଦେଶକୁ ଟିକାକରଣରେ ସହଯୋଗ କରି ଦ୍ୱିପାକ୍ଷିକ ସଂପର୍କକୁ ସୁଦୃଢ଼ କରିଛି। ତା’ ପୂର୍ବରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ପୃଥ୍ୱୀ’ ଓ ‘ଅଗ୍ନି’ ପରି କ୍ଷେପଣାସ୍ତ୍ରର ନିର୍ଭୁଲ୍ ପରୀକ୍ଷଣ ମାଧ୍ୟମରେ ନିଜ ସାମରିକ ଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଛି। ତେବେ ଗତ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ର ଚନ୍ଦ୍ରାବତରଣ ଏବଂ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-୧ର ସୌରାଭିଯାନ ଭାରତକୁ ଚମତ୍କୃତ କରିଛି, ଚକିତ କରିଛି ପୃଥିବୀକୁ। ଏହି ଦୁଇ ଐତିହାସିକ ଘଟଣା ପରେ ଭାରତ ପ୍ରତି ବିଶ୍ୱବାସୀଙ୍କ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଆହୁରି ପ୍ରଗାଢ଼ ହୋଇଛି।
ବିଶ୍ୱବାସୀଙ୍କa ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଦେଶବାସୀଙ୍କର, ବିଶେଷତଃ ଯୁବପିଢ଼ିର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ। ଯୁବପିଢ଼ି ପାଶ୍ଚାତ୍ୟ ପ୍ରବଣତାରୁ ଅନେକାଂଶରେ ମୁକ୍ତ ହେଲାଣି। ପଶ୍ଚିମା ପ୍ରଚକ୍ଷୁରେ ନିଜକୁ ଦେଖିବାର ମାନସିକତାରୁ ମଧ୍ୟ ମୁକୁଳିଲେଣି ବୁଦ୍ଧିଜୀବୀମାନେ। ସ୍ୱଦେଶୀ ପ୍ରୀତି ଓ ସ୍ୱଦେଶୀ ଚିନ୍ତା ଅଧୁନା ଆକର୍ଷଣର କେନ୍ଦ୍ର ପାଲଟିଲାଣି। କତିପୟ ଯୁବକ ନିଯୁକ୍ତି ଖୋଜିବା ପରିବର୍ତ୍ତେ ନିଯୁକ୍ତିଦାତା ହେବା ପାଇଁ ଆଗଭର ମଧ୍ୟ ହେଉଛନ୍ତି। ଅପ୍ରମିତ ଆତ୍ମବିଶ୍ୱାସରେ ଆମ ଯୁବକଯୁବତୀମାନଙ୍କ ହୃଦୟ ଉଚ୍ଛଳ। ଉନ୍ନତି ଏବଂ ଉଦୟ ଦୁଇଟି ଭିନ୍ନ କଥା। ବିବିଧ ସଂପଦର ସଦୁପଯୋଗ ମାଧ୍ୟମରେ ଉନ୍ନତି ସମ୍ଭବ, କିନ୍ତୁ ଆତ୍ମବିଶ୍ୱାସ ବ୍ୟତିରେକ ଉଦୟ ଅସମ୍ଭବ। ଭାରତ ଅଧୁନା ଉଦୟପଥର ଯାତ୍ରୀ। ସେଥିପାଇଁ ଦକ୍ଷ ନେତୃତ୍ୱ ଓ ସୁଦକ୍ଷ ଯୁବମାନସ ଧନ୍ୟବାଦାର୍ହ।
ସେବା, ସିନେମା, ଖେଳକୁଦ ଓ ନୃତ୍ୟସଙ୍ଗୀତର ହିରୋମାନେ ଯୁବସମାଜ ଦ୍ୱାରା ପୂଜିତ ହୋଇଆସୁଛନ୍ତି। ଏ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଅମିତାଭ ହୁଅନ୍ତୁ କି ଅକ୍ଷୟ, ମଧୁବାଳା ହୁଅନ୍ତୁ ବା ମାଧୁରୀ- ଏମାନେ ଭାରତୀୟ ସମାଜରେ ଖୁବ୍ ଲୋକପ୍ରିୟ ଅବଶ୍ୟ। ଲୋକପ୍ରିୟ ପୁଣି ରଫି, ଲତା, ଆଶା, କିଶୋର ଓ କୈଳାଶ। ଧ୍ୟାନଚାନ୍ଦ, କପିଳଦେବ ଓ ସଚୀନଙ୍କ ଠାରୁ ବାଇଚୁଙ୍ଗ ଓ ମ୍ୟାରିକମ୍ଙ୍କ ପର୍ଯ୍ୟନ୍ତ କ୍ରୀଡ଼ାକ୍ଷେତ୍ରର ଅନୁସରଣୀୟ ପ୍ରତିଭାମାନଙ୍କର ପଟାନ୍ତର ନାହିଁ। ପ୍ରତିରକ୍ଷା ହିରୋ କରିଅପ୍ପା ଓ ମାନେକ୍ସା’ ମଧ୍ୟ ଜନସ୍ମୃତିରେ ସଦା ଆୟୁଷ୍ମାନ। ତେବେ ଭାରତର ଅର୍ଥନୀତି ଓ ବିଜ୍ଞାନ ଜଗତର ହିରୋମାନଙ୍କ ପ୍ରତି ଏବେ ସମାଜର ଦୃଷ୍ଟି ସ୍ୱତଃ ଆକର୍ଷିତ ହୋଇଛି।
ବିଦେଶର ଷ୍ଟିଭ୍ ଜବ୍ସ, ବିଲ୍ ଗେଟ୍ସଙ୍କ ପରି ଭାରତରେ ଅର୍ଥନୀତିର ଅଗ୍ରଣୀ ନାୟକମାନେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେମାନେ ଯୁବବର୍ଗର ଆଶା ଓ ଆଶ୍ୱାସନାର ଉତ୍ସ। ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ଆଦର ପୁନାୱାଲା, ପେଟିଏମ୍ର ବିଜୟ ଶେଖର ଶର୍ମା, କ୍ରେଡ୍ର କୁନାଲ ଶାହ, ବାୟୋଟେକ୍ର କିରଣ ମଜୁମଦାର ସ’ ଓ ଅନ୍ୟ ଉଦ୍ୟୋଗୀମାନେ ଯୁବସମାଜରେ ସୁପରିଚିତ। ବିଦେଶୀ କଂପାନିର ଭାରତୀୟ ମୁଖ୍ୟ ସତ୍ୟ ନାଡ଼େଲା, ସୁନ୍ଦର ପିଚାଇ, ଅରବିନ୍ଦ କ୍ରିଷ୍ଣା ଓ ଶାନ୍ତନୁ ନାରାୟଣ ଯୁବପିଢ଼ିର ହିରୋ ଭାବରେ ମଧ୍ୟ ପରିଗଣିତ।
ଅନେକ ସମୟରେ ମନେ ହେଉଥିଲା ପର୍ଦ୍ଦା ଆଢୁଆଳରେ ଯେମିତି ରହିଯାଉଛନ୍ତି ବିଶିଷ୍ଟ ବିଜ୍ଞାନୀମାନେ। ସେମାନେ ସମାଜର ଅଗ୍ରପୂଜ୍ୟ ନିଶ୍ଚୟ। ବିକ୍ରମ ସାରାଭାଇ, ଏମ୍.କେ.ଜି. ମେନନ୍, ହୋମି ଜାହାଙ୍ଗିର ଭାବା, ସତୀଶ ଧାବନ, ୟୁ.ଆର୍. ରାଓ, କେ. କସ୍ତୁରିରଙ୍ଗନ୍ଙ୍କ ପରି ବୈଜ୍ଞାନିକମାନଙ୍କର ଅନ୍ତରୀକ୍ଷ ଓ ପରମାଣୁ ଗବେଷଣା ପ୍ରତି ଅବଦାନ ଅତୁଳନୀୟ। ଚନ୍ଦ୍ରଯାନ-୩ର କୃତିତ୍ୱ ପଛରେ ଥିବା ବିଜ୍ଞାନୀ ଏସ୍. ସୋମନାଥ ଏବଂ ବିଫଳ ହେଲେ ମଧ୍ୟ ସଫଳତାର ଦ୍ୱାର ନିର୍ଦ୍ଦେଶ କରିଥିବା ଚନ୍ଦ୍ରଯାନ-୨ର ସମର୍ଥ ସେନାଧ୍ୟକ୍ଷ କେ. ଶିବନ୍ ସାଂପ୍ରତିକ ଭାରତର ଚଳନ୍ତି କିଂବଦନ୍ତି, ଯୁବ ଭାରତର ଆସ୍ଥାର ଅପ୍ରତିମ ପ୍ରତିମା।
ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୍-୧, ଭାରତୀୟ ନାରୀ ବିଜ୍ଞାନୀମାନଙ୍କୁ ମଧ୍ୟ ଜନସମକ୍ଷକୁ ଆଣିବାରେ ସକ୍ଷମ ହୋଇଛି। ଚନ୍ଦ୍ରଯାନ-୩ର ସଫଳତା ପଛରେ ଅନେକ ନାରୀ ବିଜ୍ଞାନୀଙ୍କ ମଧ୍ୟରେ ଉପନିର୍ଦ୍ଦେଶକ କଳ୍ପନା କାଲାହସ୍ତୀଙ୍କର ବିଶେଷ ଯୋଗଦାନ ରହିଛି। ଚନ୍ଦ୍ରଯାନ-୨ ଅଭିଯାନ କ୍ଷେତ୍ରରେ ମଧ୍ୟ ଦୁଇଜଣ ମହିଳା ବୈଜ୍ଞାନିକଙ୍କର ପ୍ରମୁଖ ଭୂମିକା ଥିଲା। ସେମାନେ ହେଲେ ପ୍ରକଳ୍ପ ନିର୍ଦ୍ଦେଶକ ଏମ୍. ବିନିତା ଏବଂ ମିଶନ୍ ନିର୍ଦ୍ଦେଶକ ଋତୁ କରିଧାଲ୍। ଆଦିତ୍ୟ ଏଲ୍-୧ର ପ୍ରକ୍ଷେପଣରେ ମଧ୍ୟ ମହିଳା ବିଜ୍ଞାନୀଙ୍କ ଅବଦାନ ଉଲ୍ଲେଖନୀୟ। ମିଶନ୍ ନିର୍ଦ୍ଦେଶକ ନିଗାର ଶାଜି ବିଜ୍ଞାନ କ୍ଷେତ୍ରରେ ନାରୀ ନେତୃତ୍ୱର ଅନନ୍ୟ ଉଦାହରଣ। ୨୦୧୩-୧୪ ମସିହାରେ ମଙ୍ଗଳଯାନ ପ୍ରେରଣ କ୍ଷେତ୍ରରେ ମଧ୍ୟ ଋତୁ କରିଧାଲ୍ଙ୍କ ସମେତ ନଳିନୀ ହରିନାଥ ଓ ଅନୁରାଧା ଟି. କେ. ନିପୁଣତାର ସହିତ କାର୍ଯ୍ୟ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍ କଲାମ୍ଙ୍କୁ ମିସାଇଲ୍ ମ୍ୟାନ୍ କୁହାଯାଉଥିଲା। ସଂପ୍ରତି ଶ୍ରୀମତୀ ଟେସି ଟମାସ୍ ମିସାଇଲ୍ ଓମ୍ୟାନ୍ ଭାବରେ ଜଗତ୍ ବିଖ୍ୟାତ। ସୌମ୍ୟା ସ୍ୱାମୀନାଥନ୍ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଭାବରେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି।
ଏହି ନୂଆ ହିରୋମାନେ ଯେ ବିକଶିତ ଭାରତ ଗଠନର ଅତନ୍ଦ୍ର ପ୍ରହରୀ, ଏହା ସର୍ବଜନବିଦିତ। ଏହା ମଧ୍ୟ ସର୍ବଜନସମ୍ମତ ଯେ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ହିଁ ପ୍ରକୃତ ପରିବର୍ତ୍ତନ।
ମୋ: ୯୪୩୭୧୪୩୮୯୬
ବହୁବଚନ: ବଦଳୁଛି ଦୃଷ୍ଟି ଓ ଦିଗନ୍ତ
ବିଜୟ ନାୟକ
/sambad/media/post_attachments/wp-content/uploads/2023/10/fdfgdfgdgfdfg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)