ଆଳାପ ଓ ଆଲୋଚନା: ଅଠରତମ ଅବସରରେ ପ୍ରଥମର ସ୍ମରଣ

ଅଭିରାମ ବିଶ୍ବାଳ

ଗତକାଲି ଆରମ୍ଭ ହୋଇସାରିଛି ସାତ ପର୍ଯ୍ୟାୟ ବିଶିଷ୍ଟ ଅଷ୍ଟାଦଶ ଲୋକସଭାର ପ୍ରଥମ ପର୍ଯ୍ୟାୟର ନିର୍ବାଚନ। ସକାଳୁ ସକାଳୁ ଅଖିଆ ଅପିଆ ଅନେକ ମତଦାତା ପହଞ୍ଚି ଯାଇଥିଲେ ବୁଥ୍‌ମାନଙ୍କରେ ଓ ନିଜନିଜର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ- ଆଗ ମତଦାନ, ତା’ପରେ ସ୍ନାନ ଓ ଜଳପାନ। ଏହି ଅବସରରେ ମନକୁ ଆସେ ଆମ ଦେଶର ପ୍ରଥମ ଲୋକସଭା ନିର୍ବାଚନ କଥା। କାରଣ ସର୍ବପ୍ରଥମ ସେହି ନିର୍ବାଚନଟି ଯେଉଁ ବ୍ୟବସ୍ଥା ଓ ପ୍ରକ୍ରିୟାର ମୂଳଦୁଆ ପକାଇଥିଲା ସେଥିରୁ ପ୍ରାୟ ୭୦-୮୦ ଶତକଡ଼ା ଭାଗ ପରବର୍ତ୍ତୀ ନିର୍ବାଚନମାନଙ୍କରେ ଅନୁସୃତ ହୋଇଆସୁଛି। ତାହା ଥିଲା ୨୫ ଅକ୍‌ଟୋବର ୧୯୫୧ରୁ ୨୧ ଫେବ୍ରୁଆରି ୧୯୫୨ ଭିତରେ ଅନୁଷ୍ଠିତ ହୋଇଥିବା ୬୮ ପର୍ଯ୍ୟାୟର ସର୍ବପ୍ରଥମ ସାଧାରଣ ନିର୍ବାଚନ। ସେତେବେଳେ ଅବଶ୍ୟ କଂପ୍ୟୁଟରର ସାହାଯ୍ୟ ନିଆଯିବା ସମ୍ଭବ ନ ଥିଲା କିମ୍ବା ଇ.ଭି.ଏମ୍.ର ଉପଯୋଗ ହେଉ ନ ଥିଲା। ବେଶ୍ ସଫଳ, ମୁକ୍ତ, ଅବାଧ, ସ୍ବଚ୍ଛ ଓ ନିରପେକ୍ଷ ଥିଲା ସେ ନିର୍ବାଚନ। ଆଉ ନିର୍ବାଚନ ସୁରୁଖୁରୁରେ ସରିବା ପରେ ନେହରୁ କହିଥିଲେ- ‘ନୟା ହିନ୍ଦୁସ୍ତାନ ଜିନ୍ଦାବାଦ୍’।
୧୯୫୨ ମସିହାର ଜାନୁଆରି ଓ ଫେବ୍ରୁଆରି ମାସରେ ପାଗ ପ୍ରତିକୂଳ ରହିବା ଜଣାପଡ଼ିବାରୁ ଏବଂ ଭୀଷଣ ତୁଷାରପାତ, ଥଣ୍ଡା ଓ ଶୀତ ଆଶଙ୍କା କରି ହିମାଚଳ ପ୍ରଦେଶରେ ଆଗୁଆ ନିର୍ବାଚନର ବନ୍ଦୋବସ୍ତ କରାଯାଇଥିଲା ପୂର୍ବବର୍ଷ ଅ‌କ୍‌ଟୋବର ୨୫ ତାରିଖରେ। ସେଇ ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାର କଳ୍ପା ଗ୍ରାମର ଶ୍ୟାମ ଶରଣ ନେଗି ୧୯୫୧-୫୨ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଥିବା ପ୍ରଥମ ଭାରତୀୟ ନାଗରିକ ଭାବେ ପରିଗଣିତ ହୁଅନ୍ତି ଯିଏ କି ନିଜର ୧୦୫ ବର୍ଷର ଜୀବନକାଳ ଭିତରେ ଏମିତି କୌଣସି ପ୍ରକାରର ନିର୍ବାଚନ ନ ଥିଲା ଯେଉଁଥିରେ ସିଏ ମତଦାନ କରି ନ ଥିଲେ। ୨୦୨୨ ମସିହାର ନଭେମ୍ବର ମାସରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ଶ୍ରୀଯୁକ୍ତ ନେଗି। ସିଏ ବିଶ୍ବାସ କରୁଥିଲେ ଯେ ମତଦାତା ଭାବେ ସିଏ ନିଜର ଭାରତୀୟତା ଓ ନାଗରିକତ୍ବ ଅଧିକରୁ ଅଧିକ ଉପଭୋଗ କରୁଥିଲେ ଏବଂ ଜାହିର୍ କରୁଥିଲେ। କହିବାକୁ ସିଏ କୁଣ୍ଠା କରୁ ନ ଥିଲେ ଯେ ତାଙ୍କ ପ୍ରିୟ ଓ ଆଦର୍ଶ ନେତା ଥିଲେ ଲାଲବାହଦୁର ଶାସ୍ତ୍ରୀ।
ପ୍ରଥମ ଲୋକସଭା ନିର୍ବାଚନରେ ୪୮୯ଟି ଆସନ ପାଇଁ ନିର୍ବାଚନ ହୋଇଥିଲା ଯେଉଁଥିରୁ ୩୧୪ଟିରେ ଜଣେ ଲେଖାଏଁ, ୮୬ଟିରେ ଦୁଇ ଜଣ ଲେଖାଏଁ ଓ ଗୋଟିଏରେ ତିନି ଜଣ ଲେଖାଏଁ ନିର୍ବାଚିତ ହେବାର ବ୍ୟବସ୍ଥା ଥିଲା। ନିର୍ବାଚନର ପରିଚାଳନା ନିମନ୍ତେ ୧୯୫୦ ମସିହା ମାର୍ଚ୍ଚ ମାସରେ ସୁକୁମାର ସେନ୍ ନିର୍ବାଚନ ଆୟୋଗର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ। ତା’ ପର ମାସ ସଂସଦରେ ଜନପ୍ରତିନିଧିତ୍ବ ଆଇନ ଗୃହୀତ ହୋଇଥିଲା। ସେ ପ୍ରସ୍ତାବ ଉପସ୍ଥାପନ କଲାବେଳେ ନେହରୁ ଆଶାପୋଷଣ କରିଥିଲେ ଯେ ୧୯୫୦ ମସିହା ବସନ୍ତ ଋତୁ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହୋଇଯିବ। ନେହରୁଙ୍କ ସେଭଳି ଆଶାର କାରଣ ବୁଝି ହେଉଥିଲା- ଯେତେଶୀଘ୍ର ନିର୍ବାଚନ ସେତେ ଭଲ; ନୂଆ‌ ନୂଆ ସ୍ବାଧୀନତା ଲାଭ କରିଥିବା ଭାରତବର୍ଷର ଗଣତନ୍ତ୍ରର ସ୍ବାର୍ଥ ଦୃଷ୍ଟିରୁ। ହେଲେ ସୁକୁମାର ସେନ୍‌ଙ୍କ ଆଗରେ ଆହ୍ବାନ ଥିଲା ଅନେକ- ମତଦାତାଙ୍କୁ ଚିହ୍ନଟ କରିବା, ସେମାନଙ୍କର ତାଲିକା ପ୍ରସ୍ତୁତ କରିବା ଏବଂ ନିର୍ବାଚନ ପରିଚାଳନା ନିମନ୍ତେ ସମସ୍ତ ଅାନୁଷଙ୍ଗିକ ସୁବନ୍ଦୋ‌ବସ୍ତ କରିବା। ନେହରୁ ସେନ୍‌ଙ୍କ ସମସ୍ୟା ସବୁକୁ ସମ୍ମାନ ଜଣାଇଥିଲେ। ନିଜ ଆଶାକୁ ଲଦି ଦେଇ ନ ଥିଲେ।
ଯୋଗ୍ୟ ମତଦାତାଙ୍କ ତାଲିକା ଚୂଡ଼ାନ୍ତ ରୂପ ନେବାକୁ ବେଶ୍ ସମୟ ଲାଗିଲା- ୧୯୫୧ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତାହା ଲମ୍ବିଲା। ଯେଉଁ ତିନିଟି ରାଜ୍ୟରେ ମତଦାତା ତାଲିକା ଶେଷରେ ପ୍ରକାଶିତ ହୋଇଥିଲା ସେ ତିନିଟି ରାଜ୍ୟ ହେଲେ ପଞ୍ଜାବ, ବିହାର ଓ ଓଡ଼ିଶା। ମୋଟ ୨,୨୪,୦୦୦ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା। ଇସ୍ପାତ ତିଆରି ୨୦ ଲକ୍ଷ ଭୋଟ୍‌ ବାକ୍‌ସର ବନ୍ଦୋବସ୍ତ ହୋଇଥିଲା। ସେଥିପାଇଁ ଲୋଡ଼ା ପଡ଼ିଥିଲା ୮,୨୦୦ ଟନ୍‌ର ଇସ୍ପାତ। ଛ’ମାସିଆ ଚୁକ୍ତିରେ ନିଯୁକ୍ତି ପାଇଥିଲେ ୧୬,୫୦୦ କିରାଣି। ସେମାନଙ୍କ କାମ ଥିଲା ପ୍ରତି ନିର୍ବାଚନମଣ୍ଡଳୀ ଭିତ୍ତିକ ମତଦାତା ତାଲିକା ଟାଇପ୍ ଓ ଏକାଠି କରିବା। ସେ ତାଲିକା ସବୁକୁ ଛାପିବାକୁ ଦରକାର ହୋଇଥିଲା ୩,୮୦,୦୦୦ ରିମ୍ କାଗଜ। ନିର୍ବାଚନ ପରିଚାଳନା କରିଥିଲେ ୫୬,୦୦୦ ପ୍ରିଜାଇଡିଂ ଅଫିସର ଓ ୨,୮୦,୦୦୦ ସହାୟକ ସେମାନଙ୍କୁ ସାହାଯ୍ୟ କରିଥିଲେ। ଶାନ୍ତିଶୃଙ୍ଖଳା ଦାୟିତ୍ବରେ ଥିଲେ ୨,୨୪,୦୦୦ ପୁଲିସବଳ। କହିବା ବାହୁଲ୍ୟ, ସେତେବେଳେ ବି ବହୁସଂଖ୍ୟକ ଶିକ୍ଷକଙ୍କର ଅବଦାନ ଥିଲା ନିର୍ବାଚନ ପରିଚାଳନାରେ ଏବଂ ସେମାନଙ୍କ ଭିତରେ ଜଣେ ଥିଲେ ପ୍ରଥମ ନିର୍ବାଚନର ପ୍ରଥମ ମତଦାତା ଶ୍ୟାମ ଚରଣ ନେଗି।
ଯେଉଁ ପ୍ରମୁଖ ରାଜନୈତିକ ଦଳ ଆଲୋଚ୍ୟ ପ୍ରଥମ ଲୋକସଭା ନିର୍ବାଚନରେ ଭାଗ ନେଇଥିଲେ ସେମାନଙ୍କ ଭିତରେ ସାମିଲ ଥିଲେ କଂଗ୍ରେସ, କମ୍ୟୁନି‌ଷ୍ଟ୍ ପାର୍ଟି, ଅଖିଳ ଭାରତୀୟ ହିନ୍ଦୁ ମହାସଭା, କିଷ‌ାନ ମଜଦୁର୍ ପ୍ରଜା ପାର୍ଟି, ସମାଜବାଦୀ ପାର୍ଟି ଓ ଏସ୍.ସି.ଏଫ୍.। ନିର୍ବାଚନ ଲଢ଼ିଥିବା ଦୁଇ ଟାଣୁଆ ନେତା ବାବାସାହେବ ଆମ୍ବେଦକର ଓ ଆଚାର୍ଯ୍ୟ କୃପାଳିନୀ ହାରି ଯାଇଥିଲେ ଯଥାକ୍ରମେ ବମ୍ବେ ଉତ୍ତର ମଧ୍ୟ ଓ ଫୈଜାବାଦରୁ। ସର୍ବାଧିକ ମତଦାନ ଶତକଡ଼ା ୮୦.୫ କେରଳର କୋଟ୍ଟାୟମ୍‌ରେ ରେକର୍ଡ କରାଯାଇଥିଲା ବେଳେ ସର୍ବନିମ୍ନ ମତଦାନ ହୋଇଥିଲା ମଧ୍ୟପ୍ରଦେଶର ଶାହାଡୋଲ୍‌ରେ- ଶତକଡ଼ା ୧୮। ଓଡ଼ିଶାର କେତେକ ଜଙ୍ଗଲଘେରା ଜିଲ୍ଲାରେ ଅଭିଭୂତ କଲା ଭଳି ଘଟଣା ଘଟିଥିଲା, ଦୃଶ୍ୟ ଲୋକେ ଦୂରରୁ ଦେଖିଥିଲେ। ଗୋଟିଏ ବୁଥ୍‌ରେ ଶତକଡ଼ା ୭୦ ଭାଗ ମତଦାନ ହୋଇଥିଲା ଓ ମତଦାତାଙ୍କ ଭିତରୁ ଅଧିକାଂଶ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧନୁ-ତୀର ଧରି ଆସିଥିଲେ; ସଂପୂର୍ଣ୍ଣ ଅହିଂସ ମାର୍ଗରେ ଭୋଟ୍ ଦେଇଥିଲେ। ହେଲେ ନିକଟବର୍ତ୍ତୀ ଅନ୍ୟ ଏକ ବୁଥ୍‌ରେ ମତଦାନ ସମ୍ଭବ ହୋଇପାରି ନ ଥିଲା; କାରଣ ଗୋଟିଏ ହାତୀ ଓ ଦୁଇଟି ବାଘ ସେ ମତଦାନ କେନ୍ଦ୍ରକୁ ଦଖଲ କରିନେଇଥିଲେ।
ଅନେକ ବଳିଷ୍ଠ ସୂତ୍ରର ସୂଚନା ମୁତାବକ ୧୯୫୧-୫୨ର ସେ ନିର୍ବାଚନରେ ସବୁଠାରୁ ଅଧିକ ଭୋଟ୍ ପାଇ ଜିତିଥିଲେ କମ୍ୟୁନିଷ୍ଟ୍ ନେତା ରବି ନାରାୟଣ ରେଡ୍‌ଡୀ। ଏପରିକି ସିଏ ନେହରୁଙ୍କ ଠାରୁ ଅଧିକ ଭୋଟ୍ ପାଇଥିଲେ। ଅାନ୍ଧ୍ରପ୍ରଦେଶର ନାଲଗୋଣ୍ଡାରୁ ଜିତିଥିବା ତେଲେଙ୍ଗାନା ଆନ୍ଦୋଳନର କର୍ମୀ ଓ ଚାଷୀନେତା ରେଡ୍‌ଡୀ ୩,୦୯,୧୬୨ ଭୋଟ୍ ପାଇଥିଲା ବେଳେ ଉତ୍ତରପ୍ରଦେଶର ଫୁଲପୁରରୁ ବିଜୟୀ ହୋଇଥିବା ନେହରୁ ପାଇଥିଲେ ୨,୩୩,୫୭୧ ଖଣ୍ଡ ଭୋଟ୍। ସେଇଥିପାଇଁ ନେହରୁ ରବି ନାରାୟଣଙ୍କୁ ସମ୍ମାନ ଜଣାଇ କହିଥିଲେ ରେଡ୍‌ଡୀ ମହାଶୟ ହିଁ ପ୍ରଥମେ ଲୋକସଭା ଭିତରକୁ ପ୍ରବେଶ କରିବେ ଏବଂ ତାହା ହିଁ ହୋଇଥିଲା। ସେତେବେଳେ ‌ତାଙ୍କ ଅଞ୍ଚଳରେ କମ୍ୟୁନିଷ୍ଟ୍ ପାର୍ଟି ସାମୟିକ ଭାବେ ନିଷିଦ୍ଧ ହୋଇଥିବାରୁ ରବି ନାରାୟଣ ପି.ଡି.ଏଫ୍. ପତାକା ତଳେ ଲଢୁଥିଲେ। ସାମ୍ୟବାଦୀ ରେଡ୍‌ଡୀ ମହାତ୍ମା ଗାନ୍ଧୀଙ୍କ କେତେକ ଆଦର୍ଶର ପ୍ରଶଂସକ ଥିଲେ। ଗାନ୍ଧୀ ସର୍ବଦା ପ୍ରୟୋଗ ଉପଯୋଗୀ ନୈତିକତା କଥା କହୁଥିଲେ ଏବଂ ରେଡ୍‌ଡୀଙ୍କ ମତରେ ତାହା କମ୍ୟୁନିଷ୍ଟ୍ କର୍ମୀ ଓ କମ୍ରେଡ୍‌ଙ୍କ ପାଇଁ ଅଧିକ ଦରକାର। ରବି ନାରାୟଣ ନିଜର ୫୦୦ ଏକର ଜମି ଗରିବଙ୍କୁ ଓ ୫୦ ତୋଳା ସୁନା ‘ହରିଜନ ସେବକ ସଂଘ’କୁ ଦାନ କରିଥିଲେ। ସେତେବେଳେ ଏକ ନିର୍ଦ୍ଦିଷ୍ଟ ଦଳ ତରଫରୁ ଯେଉଁ ପ୍ରଚାର ସ୍ଲୋଗାନ୍ ଦିଆଯାଇଥିଲା ତାହା ପରବର୍ତ୍ତୀ ସମୟମାନଙ୍କ ପାଇଁ ମଧ୍ୟ ଅପ୍ରାସଙ୍ଗିକ ନୁହେଁ- ସ୍ଥିର, ଧର୍ମନିରପେକ୍ଷ, ପ୍ରଗତିଶୀଳ ରାଷ୍ଟ୍ର ପାଇଁ ଭୋଟ୍ ଦିଅନ୍ତୁ (ଅମୁକ) ଦଳକୁ।
ଯେହେତୁ ସେ ନିର୍ବାଚନ ସ୍ବାଧୀନ ଭାରତବର୍ଷର ପ୍ରଥମ ନିର୍ବାଚନ ଥିଲା ସେତେବେଳେ ଅନେକ ନୂଆ ନୂଆ ଅନୁଭବ କରିଥିଲା ଦେଶ ଓ ଗଣତନ୍ତ୍ର। ମରୁଭୂମି, ଦ୍ବୀପ, ପାର୍ବତ୍ୟାଞ୍ଚଳ ଓ ଦୁର୍ଗମ ଠିକଣା ଯେ ଦେଶର ରାଜନୀତିକ ମାନଚିତ୍ରର ଅବିଚ୍ଛେଦ୍ୟ ଅଙ୍ଗ ତାହା ସମସ୍ତଙ୍କ ଦୃଷ୍ଟିକୁ ଆସିଲା। ସେ ସବୁ ଜାଗା ସହ ଓଟ, ଜଳପୋତ, ଡଙ୍ଗା, ଜିପ୍, ପଥଚାରୀ ଓ ମାନବ ଦୂତଙ୍କ ସାହାଯ୍ୟ ନେଇ ଯୋଗାଯୋଗ ସ୍ଥାପନ କରିଥିଲା ନିର୍ବାଚନ ଆୟୋଗ। ଉତ୍ତର ପୂର୍ବ ଭାରତର କେତେକ ଦୁର୍ଗମ ପାର୍ବତ୍ୟାଞ୍ଚଳର ମୁଖିଆଙ୍କ ସାହାଯ୍ୟ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ନିର୍ବାଚନ ପରିଚାଳନା ଦଳ। ସେଥିପାଇଁ ମୁଖିଆମାନଙ୍କ ଆବଶ୍ୟକତା ଆଧାରିତ ଦାବି ଅନୁସାର ଶୀତ ନିରୋଧକ ନାଲିଆ କମ୍ବଳ ଓ ଆତ୍ମରକ୍ଷାକାରୀ ବନ୍ଧୁକ ଲାଇସେନ୍‌ସ ଯୋଗାଇ ଦିଆଯାଇଥିଲା।
ଇଂଲାଣ୍ଡ୍‌ରେ ମଧ୍ୟ ନିର୍ବାଚନ ହେଲା ସେତିକି ବେଳେ ‌େଯତେବେଳେ ଭାର‌ତରେ ପ୍ରଥମ ସାଧାରଣ ନିର୍ବାଚନ ହେଉଥିଲା। ପାଖାପାଖି ସେଇ ସମୟର ଆନ୍ତର୍ଜାତିକ ପରିସ୍ଥିତି ଥିଲା ଏଇ ଭଳିଆ- ଦକ୍ଷିଣ ଆଫ୍ରିକାରେ ରଙ୍ଗଭେଦ ବିଷମ ରୂପ ଧାରଣ କରୁଥିଲା; ଆମେରିକା ଉଦ୍‌ଯାନ ବୋମା ପରୀକ୍ଷଣ କରିସାରିଥିଲା; ଜୋର୍ଡାନ୍‌ର ରାଜା ଏବଂ ଇରାନ୍ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯାଉଥିଲା। ହେଲେ ଭାରତରେ ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ନିର୍ବାଚନ ଶାନ୍ତିପୂର୍ବକ ସମ୍ଭବ ହୋଇପାରିଥିଲା। ଅନ୍ୟତ୍ର ‘ବୁଲେଟ୍‌’ର ଅପସଂସ୍କୃତି; ଭାରତରେ ନିଅଁ ପଡ଼ିଥିଲା ‘ବାଲଟ୍‌’ର ବହୁବାଦୀ ସଂସ୍କୃତିର। ଆଉ ସେ ନିର୍ବାଚନରେ ଭାଗ୍ୟ ନେଇଥିଲେ ମୋଟ ୫୩ଟି ଦଳ ଯାହା ଭିତରେ ସାମିଲ ଥିଲେ ୧୪ଗୋଟି ଜାତୀୟ ଦଳ ଓ ୫୩୩ ଜଣ ନିର୍ଦ୍ଦଳୀୟ। କେବଳ ମହିଳାଙ୍କ ପାଇଁ ସ୍ଥାପିତ ହୋଇଥିଲା ୨୭,୫୨୭ଟି ବୁଥ୍। ଏଠାରେ ଉଲ୍ଲେଖ କରାଯିବ ସମୀଚୀନ ଯେ ମହିଳାମାନେ ଆମେରିକାରେ ୧୪୪ ବର୍ଷ ପରେ ଓ ଇଂଲାଣ୍ଡ୍‌ରେ ୧୦୦ ବର୍ଷ ପରେ ମତଦାନ ଅଧିକାର ପାଇଥିଲା ବେଳେ ଭାରତରେ ତାହା ଆରମ୍ଭରୁ ଲାଭ କରିଛନ୍ତି।
ସୁକୁମାର ସେନ୍ ଯେ ଖାଲି ଆମ ଦେଶର ନିର୍ବାଚନ ଆୟୋଗର ପ୍ରଥମ ମୁଖ୍ୟ ଭାବେ ଅତି ସଫଳ ପ୍ରଥମ ନିର୍ବାଚନ ସମ୍ଭବ କରାଇଥିଲେ ତାହା ନୁହେଁ; ଏକ ଆନ୍ତର୍ଜାତିକ ଆୟୋଗର ମୁଖ୍ୟ ଭାବେ ଅତି ସଫଳ ନିର୍ବାଚନର ପରିଚାଳନା କରିଥିଲେ ସୁଦାନରେ ୧୯୫୩ ମସିହାରେ ଯାହା ଏକଦା ଇଂଲାଣ୍ଡ୍‌ର ଉପନିବେଶ ଥିଲା। ସେନ୍‌ଙ୍କ ନିର୍ବାଚନ ପରିଚାଳନାଗତ ଅସାଧାରଣ ଗୁଣମାନଙ୍କ ଯୋଗୁଁ ଅନେକ କହୁଥିଲେ- ତାଙ୍କ ଗଢ଼ଣରେ ଖାଲି ଇସ୍ପାତ ନ ଥିଲା। ସେନ୍ କହୁଥିଲେ- ସୁଦାନର ସଫଳ ମୁକ୍ତ ନିର୍ବାଚନ ସାରା ଆରବ ଓ ଆଫ୍ରିକୀୟ ଜଗତ ପାଇଁ ଏକ ପ୍ରେରଣା। ସେଇ ଦେଶ ସୁଦାନର ରାଜଧାନୀ ଖାର୍ଟୁମ୍‌ରେ ସେନ୍‌ଙ୍କ ସମ୍ମାନରେ ଯଥାର୍ଥରେ ସୁକୁମାର ସେନ୍ ରାସ୍ତାଟିଏ ନାମିତ ହୋଇଛି। ସେଠାକାର ଲୋକେ ତାଙ୍କ ଅବଦାନର ସ୍ବୀକୃତି ସ୍ବରୂପ ଓ ପାରମ୍ପରିକ ପ୍ରତୀକ ଆକାରରେ ତାଙ୍କୁ ଭେଟିଦେଇଥିଲେ ଏକ ଗାଈ ଏବଂ କହିଥିଲେ ଏ ଉପହାରଟି ଗଣତନ୍ତ୍ର ପାଇଁ ଓ ଗଣତନ୍ତ୍ରର ସିପାହିଙ୍କ ସକାଶେ।
ମୋ: ୯୪୩୭୩୦୭୦୭୯

ସମ୍ବନ୍ଧିତ ଖବର